STORYMIRROR

PRIYANKA PRIYADARSINI

Comedy

3  

PRIYANKA PRIYADARSINI

Comedy

ସ୍ବପ୍ନ

ସ୍ବପ୍ନ

2 mins
51

ଆଜି କାଲିକା ପିଲାଙ୍କ ପ୍ରେମ.... କଣ ଆଉ କହିବା, ନା ସେଥିରେ ମିଠା ଅଛି ନା ରସ । କେବଳ ଏ ଧରା ମରା ସଂସାରରେ ଟିକେ ମନୋରଞ୍ଜନ କରିବା ଉଦ୍ଦେଶ୍ୟରେ ଭଲ ପାଉଛନ୍ତି । ତେବେ ଚାଲନ୍ତୁ ଏ ପ୍ରେମକୁ ନେଇ କାହାଣୀଟିଏ ପଢ଼ିବା । 

     ରୁଦ୍ରକୁ ନୂଆ ନୂଆ ପ୍ରେମ ହୋଇଥାଏ ତାହା ପୁଣି ତାଙ୍କ ପାଖ ଗାଁ ସରପଞ୍ଚଙ୍କ ଝିଅ ସହ । ଶୟନେ ସପନେ ଜାଗରଣେ ରୁଦ୍ର ଖାଲି ପ୍ରତିମା କଥା ଭାବୁଥାଏ । ଏମିତି ଦିନକର କଥା । କୌଣସି ଏକ କାରଣକୁ ନେଇ ପ୍ରତିମା ରୁଦ୍ର ଉପରେ ନାରାଜ ଥାଏ । ରୁଦ୍ର ଖୁବ୍ ଚେଷ୍ଟା କରୁଥାଏ ତାକୁ ବୁଝାଇବା ପାଇଁ । ତାଙ୍କର ସବୁଦିନ ଦେଖା କରୁଥିବା ବ୍ରିଜ ମୁଣ୍ଡରେ ରୁଦ୍ର ଓ ପ୍ରତିମା ବସିଥାନ୍ତି । ରୁଦ୍ର କହୁଥାଏ , “ ବେବି! କାହିଁକି ଏମିତି ହଉଛ??? ମୁଁ ଆଜି ସିନା ଚାକିରି କରିନି କାଲି କରିବି, ତମ ବାପାଙ୍କୁ ଆମ କଥା କହି ଦେଉନ । ସବୁ ଦିନ କୁଆଡୁ କୁଆଡୁ ଗୋଟେ ଗୋଟେ ନୂଆ ବକରା ଧରି ନେଇ ଆସୁଛନ୍ତି ତମ ସହ ବାହା କରାଇ ଦେବା ପାଇଁ । ଯେମିତି ତମେ ବୁଢ଼ୀ ହୋଇ ଗଲାଣି । ଆମର ବି କୋଉ ଗରିବ ଘର ନୁହଁ ମ... ମୋ ଜେଜେ ଜଣେ ମହାଜନ ଥିଲେ, ବହେ ପଇସା ମାରିକି ରଖି ଯାଇଛନ୍ତି । ଖାଲି ମୋ ଚାକିରି କଥା ଯାହା । ଆଉ ବର୍ଷ କେଇଟାରେ ସେଇଟା ମଧ୍ୟ ହୋଇଯିବ । ଏଇ କଥା ନେଇ ଏତେ କଣ ରାଗ ଯେ.... । ଚାଲୁନ ନହେଲେ ବାହା ହୋଇଯିବା, ଆମ ଘରେ କେହି କିଛି କହିବେନି ଖାଲି ମୋ ଜେଜେମା ବୁଢ଼ୀଟା ଯାହା ଟିକେ ଗେରେ ଗେରେ ହେବ.... ମୁଁ ତା କଥା ବୁଝି ଦେବି...”

- ହଇରେ କଣ ମୋ କଥା ବୁଝିବୁ ?? ଜେଜେମା ସ୍ୱର ।

“ଏ ବୁଢ଼ୀଟା ଏତେ ଗେରେ ଗେରିଆଣି ଟା ଯେ ଭଲ କଥା ହେଲା ବେଳେ ବି ତା କଥା ଶୁଣା ଯାଉଛି” ରୁଦ୍ର ଖୁବ୍ ଧୀର ସ୍ଵରରେ କହିଲା । ପୁଣି ସେ ପ୍ରତିମା ଉଦ୍ଦେଶ୍ୟରେ ଆରମ୍ଭ କରିଲା, “ଆମ ଘର ଯଦି ତମକୁ ପସନ୍ଦ ନୁହଁ ତାହେଲେ ଏ ଘର ବିକ୍ରି କରି ଦେଇ ସହରରେ ଘର କରି ରହିବା... ଏଇ କଥା ପାଇଁ ଏତେ ରାଗୁଛ , ଛାଡ଼ ସେ ରାଗ ମୋତେ ଗୋଟେ କିସ୍ ଦେଲ ମୁଁ ଯାଏ... ଘରେ ବୋଉ କାକରା କରିଛି ଏ ଯାଏଁ ବାସ୍ନା ଆସିଲାଣି.... ଦିଅ ମ.... ପ୍ଲିଜ୍... ପ୍ଲିଜ୍.... ପ୍ଲି...”

 ଠିକ୍ ଏତିକି ବେଳକୁ ରଝ କରି ବାଡ଼ିଏ ପଡ଼ିଲା ଅଣ୍ଟାରେ... ରୁଦ୍ର ହାଉଳି ଖାଇ ଖଟ ତଳେ ପଡୁ ପଡୁ ତାକୁ ଶୁଣା ଯାଉଥାଏ ଜେଜେମା ସ୍ୱର ,“ଆରେ ! କହିଲା କଣ ନା ବୁଢ଼ୀଟା ଗେରେ ଗେରେ ହେବ.... ଘରଟା ବିକି ଦେଇକି ସହରରେ ଘର କରିବ... ଏଇଟା ମୋ ଘରଟି... ଦେଖିବା ତୁ କେମିତି ବିକି ଦେବୁ .... ପୋଡ଼ା ମୁହାଁ... ଅଣ ପେଇସିଆ.... ଭେଣ୍ଡା ବଇଶିଆ... ଛତରଖିଆ... ଟୋକିକୁ ପ୍ରେମ କରିବ....ଆରେ ଆରେ... ଉଠୁଛୁ ନା ଆହୁରି ଗୋଟାଏ ଦେବି.... ।”

ଖଟ ତଳୁ କଣେଇ ଚାହିଁଲା ରୁଦ୍ର , ଦେଖିଲା ବୁଢ଼ୀ ମା ବାଡି ଧରି ଚୁଲି ଆଡ଼େ ଗଲାଣି । କିନ୍ତୁ ତା ଭଉଣୀ ସେଇ ପାଖରେ ଛିଡ଼ା ହୋଇକି ହା ହା ହୋଇ ହସି ହସି ଗଡି ଯାଉଛି । ରୁଦ୍ର ଜାଣି ଗଲା ଯେ ଅନେକ ନ କହିବା କଥା ସେ ସ୍ୱପ୍ନରେ କହି ଦେଇଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Comedy