STORYMIRROR

PRIYANKA PRIYADARSINI

Abstract Children Stories

4  

PRIYANKA PRIYADARSINI

Abstract Children Stories

କାଗଜ ଡ଼ଙ୍ଗା

କାଗଜ ଡ଼ଙ୍ଗା

3 mins
313

 

        ଆଷାଢ଼ ମାସ ମଧ୍ୟ ଭାଗରୁ ବର୍ଷାର ଟିପ ଟିପ ଟୋପା ପଡ଼ିବା ଆରମ୍ଭ ହୋଇଯାଏ। ସେହି ବର୍ଷାରେ ଭିଜି ଭିଜି ସ୍କୁଲ ଯିବା ଓ ବର୍ଷାଦିନ ଛୁଟି ପାଇଁ ଦରଖାସ୍ତ ଲେଖି ଛୁଟି ମଞ୍ଜୁର କରିବା ସତରେ ଖୁବ୍ ନିଆରା। ସ୍କୁଲ ଟାଇଲ ରୁ ଝର ଝର ବର୍ଷା ପାଣି ସ୍କୁଲ ପିଣ୍ଡା ତଳକୁ ପଡ଼ି ଗୋଟିଏ ଛୋଟ ଧାରା ରେ ନିମ୍ନଗାମୀ ହୋଇ ବହି ଯିବା ସମୟରେ ସେଥିରେ ଜନ୍ମ ନେଉଥିବା ପାଣି ଫୋଟକା ଅଧା ବାଟ ଯାଇ ଅବା ଜନ୍ମ ହୋଇ ସଙ୍ଗେ ସଙ୍ଗେ ଫାଟି ଯିବାର ଦେଖିବାରେ ଯେଉଁ ମଜା ଥାଏ , ଆଜି କାଲି ମୋବାଇଲରେ ଯେତେ ପ୍ରକାରର ବର୍ଷାର ଛବି ଦେଖିଲେ ମଧ୍ୟ ତାହା ମିଳେ ନାହିଁ। ସେତିକି ବେଳେ କୁଆଡୁ କେଜାଣି ଭାବନା ଆସେ କାଗଜ ଡଙ୍ଗାର। କାଗଜରେ ଉଡାଜାହାଜ, ପଙ୍ଖା, ପଦ୍ମଫୁଲ , ତାଟିଆ , ଫିରି ଫିରି , ଫୋଟକା ଏପରି ଅନେକ ଜିନିଷ ତିଆରି ଆସିଥିଲେ ମଧ୍ୟ , ବର୍ଷା ପାଗରେ କାହିଁକି କେଜାଣି କାଗଜ ଡ଼ଙ୍ଗା କଥା ବେଶୀ ମନେ ପଡ଼େ। ସାଧା ଧଳା କାଗଜର ମୂଲ୍ୟ ସେତେବେଳେ ଖୁବ୍ ଅଧିକ , ତେଣୁ ଲେଖା ସରିଥିବା ରଫ୍ ଖାତାର ସେ ସ୍ୟାହି ଲଗା କାଗଜରେ ଡ଼ଙ୍ଗା ହେବ। ଯେତେ ସ୍ୟାହି ଲାଗିଥିଲେ ମଧ୍ୟ କାଗଜ ଡ଼ଙ୍ଗା ଟି ଖୁବ୍ ସୁନ୍ଦର ଦିଶୁଥାଏ ଓ ଅନ୍ୟ ସାଙ୍ଗ ମାନଙ୍କ ଡ଼ଙ୍ଗା ସହ ପ୍ରତିଯୋଗିତା କରି ଭାସି ଚାଲିଥାଏ ଆଗକୁ ଆଗକୁ।

ଏଇ ପ୍ରାୟ କୋଡ଼ିଏ ବର୍ଷ ପୂର୍ବର କଥା।

         ସତ୍ୟ ! ପଞ୍ଚମ ଶ୍ରେଣୀରେ ପଢୁଥାଏ। ବାପା ତାର ଖୁବ୍ ଗରିବ ନହେଲେ ମଧ୍ୟ ତାଙ୍କର ଆର୍ଥିକ ଅବସ୍ଥା ସେତେ ସ୍ୱଚ୍ଛଳ ନୁହଁ। ଦିନ ସାରା ହାଡ଼ ଭଙ୍ଗା ପରିଶ୍ରମ ପରେ ଯାଇ ଘରକୁ ସଉଦା ଆସେ। ସତ୍ୟ ସବୁ ଦେଖେ ସବୁ ବୁଝି ପାରେ। ସେଥିପାଇଁ ଘରେ କେବେ ହେଲେ ଅଯଥା ଖର୍ଚ୍ଚ ପାଇଁ ପଇସା ମାଗେ ନାହିଁ। ଖଣ୍ଡେ ସ୍କୁଲ୍ ଜାମା କିଣିଲେ ତାକୁ ସେ ଖୁବ୍ ଯତ୍ନର ସହ ରଖେ ଓ ପିନ୍ଧେ ପୁରା ଦୁଇ ବର୍ଷ। ବାପାଙ୍କ ପାଖରୁ ଶ୍ରେଣୀ ଆରମ୍ଭ ହେଲା ବେଳକୁ ଦଶ ଟଙ୍କା ନେଇଥାଏ ଯେ ପୁଣି ଯାଇ ସେହି ଶ୍ରେଣୀର ବର୍ଷ ଅଧାରେ ଆଉ ଦୁଇ ଚାରି ଟଙ୍କା ମାଗେ। ଯେତେଥର ଟଙ୍କା ମାଗିଛି ତା ବାପା କେବେ ତାକୁ ମନା କରି ନାହାନ୍ତି। ସତ୍ୟ ଶ୍ରେଣୀରେ ପ୍ରଥମ ନହେଲେ ମଧ୍ୟ ଭଲ ପାଠ ପଢୁଥାଏ। ତାର ବହି କିଣିବାକୁ କି ଟିଉସନ ଯିବାକୁ ସକ୍ଷମ କାଇଁ ଯେ ଶ୍ରେଣୀରେ ପ୍ରଥମ ହେବ! 

           ଦିନେ ସ୍କୁଲରେ ଥିବା ସମୟରେ ଖୁବ୍ ଜୋର୍ ରେ କଳା ହାଣ୍ଡିଆ ମେଘ ଘୋଟି ଆସିଲା। ଦିନ ଦୁଇଟା ମଧ୍ୟ ପାଞ୍ଚଟା ଭଳି ଲାଗୁଥିଲା। ଅନ୍ଧାରରେ ତ ପାଠପଢ଼ା ହୋଇ ପାରିବନି ତେଣୁ ଶିକ୍ଷକ ତାଙ୍କ କାର୍ଯ୍ୟାଳୟକୁ ଚାଲିଗଲେ । ପିଲା ସବୁ ପାଣି ଦେଖି ଖାତା ଚିରି କାଗଜ ଡ଼ଙ୍ଗା ତିଆରିରେ ଲାଗି ପଡ଼ିଲେ। ସତ୍ୟର ମଧ୍ୟ ଖୁବ୍ ଇଚ୍ଛା ହେଉଥାଏ ଡ଼ଙ୍ଗା ଭାସାଇବାକୁ , ହେଲେ କରିବ କଣ ତାର ତ କେବଳ ଦୁଇଟି ଖାତା । ଗୋଟିଏ ଖାତାର ଆଗରେ ଗଣିତ କଷିଲେ ପଛ ପାଖରେ ବିଜ୍ଞାନ ଲେଖେ , ଅନ୍ୟ ଖାତା ମଧ୍ୟ ସେମିତି ଆଗରେ ସାହିତ୍ୟ ହେଲେ ପଛରେ ଇଂରାଜୀ ଲେଖେ। ଆଉ ଅଭ୍ୟାସ କଥା ଛାଡ଼, ଘରକୁ ଗଲେ ସିଲଠ ଖଡ଼ି କିମ୍ବା ପୁରୁଣା ଖାତା ରେ କରିଦିଏ। ସବୁଥର ଭଳି ଏଥର ମଧ୍ୟ ନିଜ ମନକୁ ବୁଝାଇ ଦେଲା କି ଆର ବର୍ଷ ତା ବାପାଙ୍କ ପାଖରେ ପଇସା ହେଲେ ସେ ମଧ୍ୟ କାଗଜ କିଣିବ ଆଉ ଡ଼ଙ୍ଗା କରି ଭସାଇବ, ନହେଲେ ବଡ଼ ହୋଇ ଚାକିରୀ କଲେ ସେ ଗୋଟେ ବଡ଼ ଡ଼ଙ୍ଗା ଭସାଇବ , ସବୁଠୁ ବଡ଼ ଡ଼ଙ୍ଗା ତାହା ପୁଣି କାଗଜ ତିଆରି। ସେଦିନ କିନ୍ତୁ ସେ ହାର ମାନିଲା ନାହିଁ, ଡ଼ଙ୍ଗା ଭସାଇଲା , ଡଷ୍ଟବିନରେ ଥିବା କାଗଜକୁ ଡ଼ଙ୍ଗା କରି। 

           ଏମିତି ସବୁ ବର୍ଷ ବର୍ଷା ଆସେ ସମସ୍ତେ ଡ଼ଙ୍ଗା ଭସାନ୍ତି ସତ୍ୟ ମଧ୍ୟ । କିନ୍ତୁ ମନରେ ସବୁ ବେଳେ ଥାଏ ଆରବର୍ଷ ଗୋଟେ ବଡ଼ ଡଙ୍ଗାଟେ ଭସାଇବି। ଏମିତି ହୋଇ ହୋଇ କୋଡ଼ିଏ ବର୍ଷ ବିତିଗଲା। ଏବେ ସତ୍ୟ ଗୋଟେ ଭଲ ସରକାରୀ ଚାକିରି କରିଛି। ଦରମା ମଧ୍ୟ ଭଲ। କିନ୍ତୁ ଏବେ ବର୍ଷା ହେଲେ ଆଉ କାଗଜ ଡ଼ଙ୍ଗା ଭସାଏନି। ସମୟ କାହୁଁ। 

           ଦିନେ ଅଫିସ ରେ କିଛି କାମ ନଥିଲା। ଖାଲିରେ ଲାପଟପ ଖୋଲି ବସିଥାଏ । ହଠାତ୍ ବର୍ଷା ପଡ଼ିବା ଆରମ୍ଭ ହୋଇଗଲା। ଝରକା ବାହାର ଦେଇ ବର୍ଷା ଦେଖୁ ଦେଖୁ ହଠାତ୍ ସତ୍ୟର ତା ପିଲା ଦିନର କଥା ମନେ ପଡ଼ିଲା। କଣ ହେଲା କେଜାଣି ପାଖରେ ଥିବା କାଗଜ ଉଠାଇ ଗୋଟେ ଡ଼ଙ୍ଗା ତିଆରି କରିଲା ଓ ତା ସହ କର୍ମଚାରୀ ମାନଙ୍କୁ ମଧ୍ୟ ଡ଼ଙ୍ଗା କରି ଭସାଇବା ପାଇଁ ମନ୍ତବ୍ୟ ଦେଲା। ସମସ୍ତେ ଖୁସିରେ ଖୁସିରେ ପିଲା ଦିନର ମଜାକୁ ପୁଣି ଫେରି ପାଇବା ଚେଷ୍ଟାରେ ଡ଼ଙ୍ଗା ତିଆରି କରିଲେ। ବାହାରକୁ ଯାଇ ପାଣିରେ ଛୋଟ ପିଲାଙ୍କ ପରି ଡ଼ଙ୍ଗା ଭସାଇଲେ। ଆଜି କିନ୍ତୁ ସତ୍ୟର ଡ଼ଙ୍ଗା ସମସ୍ତଙ୍କ ଅପେକ୍ଷା ଖୁବ୍ ବଡ଼ ଥିଲା । 

        ହଁ ସତ୍ୟର ଡ଼ଙ୍ଗା ଖୁବ୍ ବଡ଼ ଥିଲା, କିନ୍ତୁ ପିଲା ବେଳର ସେ ବଡ଼ ଡ଼ଙ୍ଗା ଭସାଇବାର ଯେଉଁ ଉତ୍ସାହ ଥିଲା ତାହା ଯେମିତି କମି କମି ଖୁବ୍ ଛୋଟ ହୋଇ ଯାଇଥିଲା।



Rate this content
Log in

Similar oriya story from Abstract