କାଳି ଝିଅ କଳସୀ
କାଳି ଝିଅ କଳସୀ
କାଳି ଝିଅ କଳସୀ, ବୟସ ଅଠର। ଦେହେ ମନେ ଉଦ୍ଦାମତା, ଚଳଚଞ୍ଚଳତା। ବଚନେ ପ୍ରଗଲ୍ଭତା, କାମ ଦାମରେ ଅଗ୍ରଣୀ। ପାଠପଢାରେ ସ୍କୁଲରେ ପ୍ରଥମ, ଖେଳକୁଦରେ ପ୍ରଥମ। ଗାଁ ରେ କାହାଘରେ କିଛି ଆପଦ ବିପଦ ପଡିଲେ ସେ ଆଗେ ଯାଇ ହୁଏ ହାଜର, ଅସହାୟ ବୁଢାବୁଢୀଙ୍କର ମୁହଁରେ ସେ ଦିଏ ଆହାର। ଯାଉଣୁ ଆସୁଣୁ ପଚାରେ ଗାଁ ର ମଉସା ମାଉସୀ, ଅଜା ଆଈମାନଙ୍କୁ - କେମିତି ଅଛ? ଏମିତି ଏକ ଝିଅ ସଭିଙ୍କର ମନ ନିଏ କିଣି, ସେଥିପାଇଁ ଲୋକେ ଖୁସି ମଜାରେ ଡାକନ୍ତି - ଆମ ଗାଁ କାଳି ବାୟାଣୀ, ସରାଗରେ ଡାକନ୍ତି, ଆଲୋ କଳି।
ହେଲେ କାହିଁକି କେଜାଣି, ଯେତେଗୁଡିଏ ବାହାଘର ପ୍ରସ୍ତାବ ଆସେ, ସମସ୍ତେ ଦେଖନ୍ତି ତାର ଦେହର ରଙ୍ଗକୁ। ମୁହଁରେ ଲାବଣ୍ୟ ଓ ଲଳିତ ହସ ଫୁଟି ଉଠିଲେ ବି, ଲୋକେ ଚାହାନ୍ତି ଗୋରା କନିଆଁ।
ଆମ ସମାଜରେ ଗୋରା ସାବନା ରଙ୍ଗ ମଧ୍ୟରେ ମୁଷ୍ଟିମେୟ କାଳି ଥାଆନ୍ତି। କିନ୍ତୁ କଳା ପୁଅର ଯୋଗ୍ୟତା ବିଚାର କଲା ବେଳେ କାଳୀ ଝିଅର ଦେହର ରଙ୍ଗକୁ ପ୍ରାଧାନ୍ୟ ଦିଆଯାଏ କାହିଁକି? ଆଦିବାସୀ ସଂପ୍ରଦାୟ ବା ଆଫ୍ରିକାର ନିଗ୍ରୋ ସଂପ୍ରଦାୟରେ କଳା ହିଁ କଳା । କାହିଁ ସେଠାରେ କେହି ଗୋରା ଚେହେରା ଖୋଜନ୍ତି ନାହିଁ ତ? ସବୁ ଚିରାଚରିତ ଚିନ୍ତାଧାରାର ପ୍ରଭାବ। ଏହାର କଣ ପରିବର୍ତ୍ତନ ହେବନି?
ସେଦିନ ସଂକ୍ରାନ୍ତି। ସକାଳୁ ସକାଳୁ ନଡ଼ିଆ ଧୂପକାଠି ନେଇ ଗାଁ ପୋଖରୀ ହୁଡାରେ ଥିବା ଶିବ ମନ୍ଦିର କୁ ଯାଇ କଳସୀ ମନ୍ଦିର ମଣ୍ଡପରେ ଯାଇ ବସି ପଡିଲା। ଘଣ୍ଟ ଧ୍ୱନିରେ ତା ମନ ଉଦ୍ ବେଳିତ ହୋଇ ପଚାରିଲା - "ହେ ଶିବ ଠାକୁର, ତୁମକୁ ଆରାଧନା କଲେ କୁଆଡେ ଭଲ ବର ପ୍ରାପ୍ତି ହୁଏ। ମୋତେ କଳା ରଙ୍ଗରେ ସଜାଇ ସଂସାରକୁ ପଠାଇଲ। କଣ ମୋ ପାଇଁ ବର ପଠାଇ ନାହଁ?
ପାଖ ଆମ୍ବ ଗଛ ଡାଳରୁ କୋଇଲିର କୁହୁ ତାନ ଶୁଭିଲା। ସମସ୍ତେ ମୁଗ୍ଧ ହୋଇ ଗଛ ଡାଳକୁ ଅନାଇ କୋଇଲିଟିକୁ ଖୋଜିବାରେ ଲାଗିଲେ । ପୂଜାରୀ ଭୋଗ ଖେଚୁଡି ଥାଳିଟି ମଣ୍ଡପରେ ରଖି ପାଣି ଢାଳେ ଆଣିବାକୁ ଗଲା। ହଠାତ୍ ୫/୬ ଟି କାଉ ଆସି ଖେଚୁଡ଼ି ଥାଳି ଚାରିପଟେ ଘେରିବସିଲେ। ଲୋକେ ହାସୁ ହାସୁ କହି କାଉଗୁଡାକୁ ଗୋଡାଇ ଟେକା ପଥର ଫିଙ୍ଗିଲେ। କଳସୀ ସବୁ ଦେଖୁଥାଏ। କହିଲା-"ହେ ଶିବ ଠାକୁର, ବୁଝିଗଲି ତୁମ ସୃଷ୍ଟିର ଲୀଳା। କୁଆ ଓ କୋଇଲି ଦୁଇ ଜଣକୁ କଳା ରଙ୍ଗରେ ଗଢି ପଠାଇଲ। କୋଇଲିକୁ ଦେଲ ମଧୁର ତାନରେ ଗାଇବାର କଳା। ଲୋକେ ତାର କୁହୁତାନ ଶୁଣିବାକୁ ବ୍ୟାକୁଳ, ତେଣୁ କୋଇଲିକୁ କରନ୍ତି ଆଦର। ମୁଁ ବି କୋଇଲି ହୋଇ ଦୁନିଆକୁ ବ୍ୟାକୁଳିତ କରିଦେବି।
କିଛିଦିନ ପରେ ଜଣେ ଶିକ୍ଷିତ ଯୁବକ ଗାଁ ସ୍କୁଲରେ ଶିକ୍ଷକ ହିସାବରେ ନିଯୁକ୍ତି ପାଇଲେ। ଗାଁ ଲୋକଙ୍କ ସହ ମିଳାମିଶା କରି ଗାଁ ଲୋକଙ୍କ ମୁହଁରୁ କଳସୀର ପ୍ରଶଂସା ଶୁଣିଲେ। ସ୍କୁଲ ଛାତ୍ର ଛାତ୍ରୀ ମାନେ କଳସୀ ଦେଈର ଭୂୟସୀ ପ୍ରଶଂସା କରନ୍ତି। କହନ୍ତି - ସାର୍, କଳସୀ ଦେଈ ସକାଳେ ଓ ସଂଧ୍ୟାରେ ଆମମାନଙ୍କୁ ଟିଉସନ କରନ୍ତି। ଗରିବ ପିଲାଙ୍କଠାରୁ ଟିଉସନ ଫିସ୍ ନିଅନ୍ତି ନାହିଁ। ପୁଣି ସେମାନଙ୍କୁ ବହିପତ୍ର କିଣି ଦିଅନ୍ତି। ପାଠ ପଢାରେ ଖୁବ୍ କୁଶଳୀ। ଆମ କ୍ଲାସର ଟିମ୍ପା ଗତ ବର୍ଷ ଅଙ୍କରେ ଫେଲ ହୋଇଥିଲା। ତାଙ୍କ ପାଖରେ ଟିଉସନ କରି ଏବେ ଅଙ୍କରେ ରଖିଛି ୬୫। ଆମ କ୍ଲାସର ରଙ୍କ ତାଙ୍କ ପାଖରେ ଟିଉସନ କରେ। ଇଂରାଜୀରେ ରଖୁଥିଲା ୧୦। ଏବେ ଆମସାଙ୍ଗରେ ବିଲାତି ଇଂରାଜୀରେ ଫୁସଫୁସ କରି କଥାବାର୍ତ୍ତା କରେ। ସତରେ କଳସୀ ଦେଈ ଭାରି ଭଲ।
ଯୁବକ ଶିକ୍ଷକ ଜଣକ ଜୀବନରେ କେବେ ଜଣକର ଏତେ ପ୍ରଂଶସା ଶୁଣି ନ ଥିଲେ। କଳସୀର ଏତେ ପ୍ରଶଂସା ଶୁଣି ସେ ବିମୋହିତ ହୋଇ ଗଲେ। ମନେ ମନେ ଭଲ ପାଇ ବସିଲେ କଳସୀକୁ। କିଛି ଦିନପରେ କଳସୀକୁ ବିବାହ କରି ଅତି ଆନନ୍ଦରେ ରହିଲେ। ନିଜର ଭଲପାଇବା ଓ ତ୍ୟାଗ ଗୁଣ ବଳରେ ସେ ଶାଶୁ ଘରର ଓ ଗାଁର ସବୁ ଲୋକଙ୍କର ମନ ଜିତି ପ୍ରଶଂସନୀୟା ହୋଇ ପାରି ଆନନ୍ଦରେ କାଳାତିପାତ କଲେ।
ସେଥିପାଇଁ ମନର ସୌନ୍ଦର୍ଯ୍ୟବୋଧତା ଗୁଣରୁ ଜାତ ହେଲେ ତାହା ଅବିନଶ୍ବର। ଶରୀରର ରଙ୍ଗରୁ ଜାତ ସୌନ୍ଦର୍ଯ୍ୟ ଧାରଣା ଗୁଣ ବିନା ଅଳିକ, ନଶ୍ୱର, ଅସାର।
>>>>>>>
©ଗୋଲକ ବିହାରୀ ସାହୁ