STORYMIRROR

Pravanjan Dash

Abstract

4  

Pravanjan Dash

Abstract

ଜରାଶ୍ରମ

ଜରାଶ୍ରମ

2 mins
574

ସେଦିନ ଥିଲା କଲେଜ୍ ଆନୁଆଲ୍ ଫଙ୍କ୍ସନ୍ ର ଦ୍ୱତୀୟ ଦିନ। ଲିଟେରାରୀ ସୋସାଇଟିର ମିଟିଙ୍ଗ୍ ଚାଲିଥିବା ବେଳେ କରତାଳିରେ କମ୍ପିଉଠୁଥିଲା ପୁରା ଅଡିଟୋରିଅମ୍। ଭାଷଣଟି ବି ମନକୁ ଖୁବ୍ ଛୁଇଁଥିଲା ଯେଉଁଥିରେ ତାଳି ବାଜିବା ବେଶ୍ ସ୍ୱାଭାବିକ। ଆମ ଜୀବନରେ ପିତାମାତାଙ୍କ ସ୍ଥାନ, ବାର୍ଦ୍ଧକ୍ୟ ଅବସ୍ଥାରେ ବାପାମାଆଙ୍କ ପ୍ରତିଥିବା ପିଲାମାନଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱବୋଧ ସମ୍ପର୍କରେ ଉଚ୍ଚ ଗଳାରେ ଭାଷଣ ଦେଉଥିବା ସେହି ଅତିଥି ଜଣଙ୍କ ଯଦିଓ ମୋ ପାଇଁ ଅଚିହ୍ନା ଥିଲେ ତଥାପି ନିଛକ ସତ୍ୟ ଉପରେ ଆଧାରିତ ତାଙ୍କର ଭାଷଣଟି ଥିଲା ଅତ୍ୟନ୍ତ ହୃଦୟସ୍ପର୍ଶ। ଭାଷଣଟି ଶୁଣି ବହୁତ ଖୁସିହେଲି, ମନେହେଲା ଯେ ଭାଷଣ ଦେଉଥିବା ବ୍ୟକ୍ତି ଜଣଙ୍କ ନିଶ୍ଚିତରୂପେ କେଉଁ ଏକ ଉଚ୍ଚ ଶିକ୍ଷିତ ଅବା ସଂସ୍କାରି ଘରର ହୋଇଥିବେ ତାଙ୍କ ପିତା ମାତା ଖୁବ୍ ଭାଗ୍ୟବାନ ନିଶ୍ଚୟ ଯେ ଏପରି ଏକ ମହାନ୍ ସନ୍ତାନକୁ ସେ ଜନ୍ମ ଦେଇଛନ୍ତି।

ଏହି ଘଟଣାକୁ କିଛି ଦିନ ପୁରି ଯାଇଥାଏ, ହେଲେ ସେ ହୃଦୟସ୍ପର୍ଶୀ ଭାଷଣଟି ସବୁବେଳେ ଗୁଞ୍ଜରିତ ହେଉଥାଏ ମୋ ମନରେ। ଆରିଭିତରେ ଚାଲିଆସିଲା ମୋ ଜନ୍ମଦିନ ଏଥର ଜନ୍ମଦିନକୁ ଟିକେ ଅଧିକ ସ୍ପେସିଆଲ୍ କରିବାଲାଗି ଗୋଟେ ଭଲ ଜାଗା ଖୋଜି ଘରପାଖେ ଥିବା ଏକ ଓଲଡ୍ ଏଜ୍ ହୋମ୍ ବା ଜରାଶ୍ରମକୁ ଯାଇଥାଏ। ଯେଉଁଠି ବୃଦ୍ଧ ପିତାମାତାଙ୍କ ଭଳି ଜୀବନ୍ତ ଭଗବାନ ଅଛନ୍ତି ତା’ଠାରୁ ଭଲ ଜାଗା ଏ ଦୁନିଆରେ ଆଉ ମିଳିବ ବା କୋଉଠୁ? ଜରାଶ୍ରମର ସମସ୍ତ ଅନ୍ତେବାସୀମାନଙ୍କ ଗହଣରେ ଜନ୍ମଦିନ ପାଳନ କରି ନିଜକୁ ବହୁତ ଖୁସି ଓ ଆତ୍ମତୃପ୍ତି ମିଳିଲା। ସବୁ ବୃଦ୍ଧ ପିତାମାତା ବି ମତେ ପାଖରେ ପାଇ ବହୁତ ଖୁସି ଥାନ୍ତି। ଏସବୁ ଭିତରେ ହଠାତ୍ ଏକ ଲହରା କାଶର ଶବ୍ଦ ଶୁଣି ମୁଁ ଧାଇଁଗଲି ଜରାଶ୍ରମର ଭିତର କକ୍ଷକୁ। ବୟସ ପାଖାପାଖି ନବେ ଉପରେ ହେବ, ହାଡୁଆ ରୁଗଣ୍ ଶରୀରରେ ଲୋଚାକୋଚା ଚମ ଧୁଡୁଧୁଡୁ ହେଉଛି, ଦେହର ଚିରା ଜାମା ଉପରେ ପଞ୍ଜରା ହାଡ଼ ସବୁ ସ୍ପଷ୍ଟ ଭାବରେ ଗଣି ହେଇଯାଉଛି। ଲହରା କାଶରେ ଦେହ,ମୁହଁ ପୁରା ଲାଲ ପଡ଼ିଗଲାଣି ବୋଧେ ତଣ୍ଟିରେ କଫ ଲାଗିଯାଇଛି କି କଣ? କାଶ ବନ୍ଦ କରିବାକୁ ଆମକୁ ଟିକେ ସମୟ ଲାଗିଲା। କାଶ ଟିକେ ଥମି ଗଲାପରେ ସେହି ବାର୍ଦ୍ଧକ୍ୟ ରୁଗଣ୍ ବ୍ୟକ୍ତି ଜଣକ ନିଜ ଥରୁଥିବା ହାତରେ ତକିଆ ତଳୁ ଦୁଇଟି ଫଟୋକୁ ଉଠେଇ ଆଣି ମନ ଖୁସିରେ ଦେଖିବାକୁ ଲାଗିଲେ। ଗୋଟିଏ ଥିଲା ଆରପାରିରେ ଥିବା ତାଙ୍କ ସ୍ତ୍ରୀଙ୍କର ଓ ଅନ୍ୟ ଫଟୋଟି ଥିଲା ନିଜ ଏକୋଇର ବାଳା ବିସିକେଶନ ପୁଅଟିର। ହଠାତ୍ ମୁଁ ଚମକି ପଡିଲି ନିଜ ଆଖିକୁ ବି ନିଜେ ବିଶ୍ୱାସ କରିପାରୁନଥିଲି କାରଣ ସେ ଫଟୋରେ ଥିବା ତାଙ୍କ ପୁଅ ଥିଲେ ସେଦିନ କଲେଜ ଫଙ୍କସନରେ ପିତୃମାତୃ ଭକ୍ତି ଉପରେ ବଡ଼ ପାଟିରେ ଭାଷଣ ଦେଉଥିବା ସେହି ବ୍ୟକ୍ତି ଜଣକ। ତାଙ୍କ ଲମ୍ବା ଭାଷଣ ଓ ବାସ୍ତବିକ ଚିତ୍ର ଭିତରେ ଥିବା ଆକାଶ ପାତାଳର ଫରକକୁ ମୁଁ ସ୍ପଷ୍ଟ ଭାବରେ ଦେଖିପାରୁଥିଲି। ହାତୋତ୍ସହିତ ମୁହଁରେ ମନେମନେ କେବଳ ଏତିକି ଭାବୁଥିଲି ଯେ ସତରେ କେତେ ଭାଗ୍ୟବାନ୍ ଏଭଳି ପିଲାମାନଙ୍କୁ ଜନ୍ମଦେଇ ଥିବା ଜରାଶ୍ରମର ଏଇ ଅସହାୟ ବାପା ମାଆ ମାନେ ।                                       


Rate this content
Log in

Similar oriya story from Abstract