STORYMIRROR

Aravinda Das

Inspirational Others

3  

Aravinda Das

Inspirational Others

ଜନ୍ମାଷ୍ଟମୀ ପୁଣି ଥରେ

ଜନ୍ମାଷ୍ଟମୀ ପୁଣି ଥରେ

3 mins
15.3K


ଅନ୍ଧାର ଭିତରେ ଚାରିଆଡକୁ ଅନାଉଥିଲା ବାସୁଦେବ, ସନ୍ତର୍ପଣତାର ସହିତ । ଭୟ ଥିଲା କିଏ କାଳେ ତାକୁ ଦେଖୁଥିବ ଅଥବା ତା ପଛେ ପଛେ ଅନୁସରଣ କରୁଥିବ।

ନା,କେହି ନାହାନ୍ତି ।କାନ୍ଥ ଆଢ଼ୁଆଳରୁ ନିଜକୁ ବାହାର କରି ହସ୍ପିଟାଲର ପଛପଟ ବୁଦିବୁଦିକିଆ ଜଙ୍ଗଲିଆ ରାସ୍ତାରେ ଆଗେଇ ଚାଲିଲା କ୍ଷିପ୍ର ଗତିରେ।

ହାତରେ ତା'ର କୁନି ଛୁଆଟା । କିଛି ଘଣ୍ଟା ଆଗରୁ ଜନ୍ମ ହୋଇଛି । ହେଲେ ଡାକ୍ତର ଓ ନର୍ସ ଦିଦି କହିଲେ ଛୁଆଟା ବେମାରିଆ । କାନ୍ଦିଲା ନାହିଁ ଜନ୍ମ ପରେ । ହୁଏତ ମାନସିକ ବିକଳାଙ୍ଗ ଛୁଆ କିମ୍ବା ହାର୍ଟ ବେମାରି ଥିବ । ବେଶି ଦିନ ବଞ୍ଚିନପାରେ।

କଣ କରିବ ଏମିତି ପୁଅଟାକୁ ନେଇ ସେ ?ବୁଦା ମୂଳରେ ଫିଙ୍ଗିବା କିମ୍ବା କୂଅରେ ପକେଇବା ଅପେକ୍ଷା କାହାକୁ ଦେଇଦେବା ଭଲ । ହେଲେ କିଏ ପାଳିବ ଏମିତି ଛୁଆକୁ ?

ଆଗରୁ ଆଡ଼ଭାନ୍ସ ଦେଇଥିବା ଧାଇ ତ ସଫା ସଫା ମନା କରିଦେଲା ଏ ଛୁଆକୁ ନେବାପାଇଁ । ଗତ ଥର ଜନ୍ମହୋଇଥିବା ପୁଅଟାକୁ କୋଡିଏ ହଜାରରେ ବିକିଥିଲା ସେ, ଦଲାଲ ଧାଇ ଓ ନର୍ସ ଦିଦି ଆଠ ହଜାର ନେଇ ତାକୁ ବାର ହଜାର ଟଙ୍କା ଦେଇଥିଲେ। ଏଥର ଅଷ୍ଟମ ଗର୍ଭ। ଅଧିକରେ ସଉଦା ହୋଇଥିଲା । ଭାଗ୍ୟ ଖରାପ । ପୁଣି ତାକୁ ଦାଦନ ହୋଇ ଯିବାକୁ ପଡିବ।

ଦେବକୀ ଟିକେ ସକୋଉଥିଲା ଛୁଆଟାକୁ ତା କୋଳକୁ ଦେଲା ବେଳକୁ । ଘରେ ଆହୁରି ତିନିଟା ଛୁଆ । ଅଭାବୀ ଘରେ ଏତେ ଛୁଆ ଭଗବାନ କାହିଁକି ଦିଅନ୍ତି କେଜାଣି ?ଚାରିବର୍ଷ ତଳେ ଦେବକୀ ଅପରେସନ ହେବାକୁ କହୁଥିଲା ; ହେଲେ ଧାଇ ଏଇ ପଇସା ପାଇବାର ଉପାୟ ବାତାଇଦେଲା । ଫିସନ କିଛି ଟଙ୍କା ତ ମିଳିବ ବିନା ସୁଧରେ । ତାଛଡା ଜନନୀ ସ୍କିମରେ ଟଙ୍କା।

" ଛୁଆଟାକୁ ରାସ୍ତାରେ କିମ୍ବା ଅଳିଆ ଗଦାରେ ପକେଇବନାହିଁ । ପାପ ଲାଗିବ । ମୋ ରାଣ ଖାଅ,ଦିଦି ଯେଉଁଠି କହିଛନ୍ତି ସେଇଠି ଛାଡିବ।"

ଅନ୍ଧାର ଭିତରେ ଚମକି ପଡ଼ିଲା ବାସୁ । ଆଗରେ ଥିବା ବଡ଼ ନାଳରେ ବର୍ଷା ପାଣିରେ ବନ୍ୟା ଜଳ ଭରି ଯାଇଛି । ଅଣ୍ଟାଏ ପାଣିହେବ । ନାଳ ସେପଟକୁ ଯାଇ ତାକୁ କାମଟା ସାରିବାକୁ ହେବ । ଦେଵକୀ ରାଣ,ନିୟମ ପକାଇଛି।

ପଲିଥିନ ଜରିଟେ ଛୁଆଟା ଉପରେ ପକାଇ ମୁଣ୍ଡ ଉପରେ ବୁଜୁଲିଟା ରଖି ପାଣି ଭିତରେ ପଶିଲା ବାସୁ । ଧୀରେ ଧୀରେ ଆଗେଇ ପହଁଟିଲା ସେଇ ଠିକଣା ରେ।

"ନନ୍ଦ ଭବନ"। ପଢି ଖୁସି ହେଲା ବାସୁ । ହିନ୍ଦୁ ଲୋକଙ୍କ ଅନାଥାଶ୍ରମ ।ଭଲ ହେଲା।

ଗେଟ ପାଖରେ ଥୁଆ ହୋଇଥିବା ଦୋଳି ରେ ଛୁଆଟାକୁ ରଖି ,ଉପରେ ଲଗା ହୋଇଥିବା ଘଣ୍ଟିଟାକୁ ଜୋରରେ ବଜାଇଲା ବାସୁ।

ସାମ୍ନା କୋଠାରେ ଆଲୁଅ ଜଳିଲା ଓ ଦୁଇଜଣ ଲୋକ ବାହାରକୁ ଆସିଲେ । ଟିକିଏ ଦୂରରେ ଲୁଚିଗଲା ବାସୁ।

ଧଳାରଙ୍ଗର କପଡା ପିନ୍ଧିଥିବା ଦୁଇଜଣ ବୟସ୍କ ପୁରୁଷ ଓ ମହିଳା ବାହାରକୁ ଆସି,ଦୋଳିରୁ ଛୁଆଟାକୁ କୋଳକୁ ନେବା ଦେଖି ଆଶ୍ଵସ୍ତ ହେଲା ବାସୁଦେବ । ତେବେ ହଠାତ୍ କୋଠା ଉପରେ ଥିବା କ୍ରସ ଚିହ୍ନ ଦେଖି ଚମକି ପଡ଼ିଲା ବାସୁ । ଏଇଟା ଖ୍ରୀଷ୍ଟିଆନ ଲୋକଙ୍କ ପୂଜା ସ୍ଥଳ ବୋଧେ !

"ଆନନ୍ଦ ଭବନ " !!!

"ନନ୍ଦ ଭବନ " ନୁହେଁ ?

ପୁଣି ଥରେ ପଢିଲା ସାମ୍ନା ବୋର୍ଡକୁ । ଗଛ ଡାଳରେ ଢାଙ୍କି ହୋଇଯାଇଥିବା ବୋର୍ଡଟା ଏଥର ସମ୍ପୂର୍ଣ୍ଣ ଦୃଶ୍ୟମାନ ହେଉଥିଲା।

ଦିଦି ତ ଏକଥା କହିନଥିଲେ । ବର୍ଷା କମିଯାଇଥିଲା ଯଦିଓ,ପବନ ବହୁଥିଲା । ଏମାନେ ଛୁଆକୁ କଣ ନାଁ ଦେବେ ? ଦେଵକୀ କହୁଥିଲା, ପୁଅ ନାଁ କୃଷ୍ଣ ରଖିବ ବୋଲି । ଅଷ୍ଟମ ଗର୍ଭରେ ଜନ୍ମ । ସତରେ କଣ ଭଗବାନ ଗରିବ ଘରେ ଜନ୍ମ ହୁଅନ୍ତି ?

ହେଲେ ଏଇଟା ତ ଅବାଗିଆ ଛୁଆ । ଭଗବାନ ତାକୁ ପରମାୟୁ ଦିଅନ୍ତୁ । ଯେଉଁ ଜାଗାରେ ହେଲେ ବଢ଼ୁ।

ଅନାଥାଶ୍ରମର ଫାଦର ମାଇକେଲ ଛୁଆଟିକୁ କୋଳକୁ ନେଇ କହିଲେ, "କେତେ ସୁନ୍ଦର ପୁଅଟାକୁ ଏ ରାତିରେ କିଏ ଛାଡିଛି କେଜାଣି ?

ସହାୟିକା ଯମୁନା କହିଲା "ଫାଦର ,ଆଜି ଜନ୍ମାଷ୍ଟମୀ । ପିଲାଟାର ନାଁ .....

ଫାଦର ମାଇକେଲ ହସିଦେଇ କହିଲେ, " ଏଠି ଭଗବାନ,ଯୀଶୁ,ଆଲ୍ଲା ସବୁ ସମାନ । ଶିଶୁ ମାନେ ଈଶ୍ୱରଙ୍କ ଅବତାର। ୟା’ର ନାଁ କ୍ରିସ୍ ରଖିବା । "କହିଟା କପାଳରେ ଚୁମ୍ବନ ଦେଲେ ଫାଦର।

ହଠାତ୍ ଛୁଆଟା କାନ୍ଦି ଉଠିଲା।

ସେତେବେଳକୁ ତରବର ହୋଇ ସେ ଜାଗା ଛଡି ଚାଲିଆସିଥିଲା ବାସୁଦେବ ଓ ସେଇ ରାତିର ଅନ୍ଧାର ଭିତରେ ଦେବକୀକୁ ନେଇ ହସ୍ପିଟାଲ ବାହାରକୁ ଗଲା ବେଳକୁ କହୁଥିଲା, "ଛୁଆ ଠିକ୍ ଅଛି, ବ୍ୟସ୍ତ ହଅନା । ଧାଇର ଆଡ଼ଭାନ୍ସ ଟଙ୍କାଟା ଆର ବର୍ଷକୁ ଛୁଆ ଦେଲା ବେଳକୁ ସୁଝିଦେବା । ଏଥର ତୋ ଅଷ୍ଟମ ଗର୍ଭ ଧୋକା ଦେଇଦେଲା ।"

ବାସୁଦେବର ହାତ ତାକୁ ଛିଞ୍ଚାଡ଼ି ଦେଇ ଦେବକୀ କହିଲା, "ପୋଡା ମୁହାଁ,ଧରମଛଡ଼ା ମୋତେ କଣ ମେସିନ ଭାବିଲୁ କି ?ଡାକ୍ତରଙ୍କୁ କହି ମୁଁ ଏଥର ଅପରେସନ କରିଦେଇଛି ।" କାନ୍ଦୁଥିଲା ଦେବକୀ।

ହତବାକ ହୋଇ ବାସୁଦେବ ଭାବୁଥିଲା, ତା ଭିତରେ ଲୁଚିଥିବା କଂସର ଆତ୍ମାକୁ ,ଦେବକୀର ଅଷ୍ଟମ ସନ୍ତାନ ମାରିଦେଇ ଗୋପରେ ବଢୁଛି !??

ବର୍ଷା ପୁଣି ଆରମ୍ଭ ହୋଇଯାଇଥିଲା।

( ଅରବିନ୍ଦ ଦାସ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational