STORYMIRROR

Arundhati Jena

Inspirational Others

3  

Arundhati Jena

Inspirational Others

ଜଳପରୀ ର ଭ୍ରମ

ଜଳପରୀ ର ଭ୍ରମ

2 mins
166

ସୁମିତ୍ରା ଦେବୀଙ୍କ ଘର ଦୀର୍ଘ ୧୫ ଦିନ ହେବ ବେଶ୍ ଚଳଚଞ୍ଚଳ ହୋଇପଡିଛି। ଅଦିନରେ ଚାହୁଁନଥିବା ଲୋକମାନେ କୁଣିଆଁ ମାନଙ୍କର ମାନ୍ୟତା ପାଇ ଘରେ ଭର୍ତ୍ତି।ଅନ୍ଧାରୁଆ ଘରଟି ତାଙ୍କର ଆଲୋକମାଳା ଆଉ ରଙ୍ଗବେରଙ୍ଗ ଫୁଲରେ କୁନି ରାଜପ୍ରସାଦର ରୂପ ନେଇଛି।ସ୍ବାମୀ ତାଙ୍କର ଫୋନ୍ ରେ ବ୍ୟସ୍ତ ,କାରଣ ଗୋଟିଏ ବୋଲି ଝିଅର ଆଉ ଦୁଇ ଦିନ ପରେ ବାହାଘର।ଝିଅ ଉଚ୍ଚଶିକ୍ଷିତା ଆଉ ବ୍ୟାଙ୍କ୍ରେ କାର୍ଯ୍ୟରତ କିରାଣୀ।ଆଉ ପୁଅ ତାଙ୍କର ଜଣେ ଡ଼ାକ୍ତର।ଝିଅ ବାହାଘରର ସବୁ କାମ ସିଏ ଆଉ ତାଙ୍କ ବଡ଼ ଭଉଣୀ କରୁଛନ୍ତି । ଅବଶ୍ୟ ଝିଅର ବିବାହ ପାଇଁ ଲୁଗାପଟା ସବୁକୁ ଛାଡ଼ିଦେଲେ ବାକି ସୁନାଗହଣା ଆଉ ସବୁକିଛି ସିଏ ଆଉ ତାଙ୍କ ଭଉଣୀ ମେନକା କିଣିଛନ୍ତି।

      ଏ ବାହାଘରରେ ସେ କାହିଁକି ବେଶି ଖୁସି ହେଇପାରୁନାହାନ୍ତି।ଝିଅ ର ଚପଳତା ଆଉ ନିରୀହପଣତାକୁ ଦେଖି ତାଙ୍କର ନିଜ କୁଆଁରୀ ସମୟର ପୃଷ୍ଠା ସବୁ ଓଲଟିଯାଉଛି।ଯାହା ସେ ସମୟର ରଙ୍ଗୀନ ପୃଷ୍ଠା ସବୁଥିଲା ହେଲେ ସମୟର ଅତିକ୍ରାନ୍ତରେ କର୍ତ୍ତବ୍ୟ ଆଉ ଦାୟିତ୍ଵ ର ଶୃଙ୍ଖଳରେ ସେ ଅବଶ୍ୟ ଆଜୀବନ ବନ୍ଦୀ ହୋଇଯାଇଛନ୍ତି ଯେମିତି ରଙ୍ଗୀନ ପୃଷ୍ଠା ସବୁର ଉପରେ ଧୂଳି ର ପାହାଡ ଗଦା ହେଇଯାଇଛି।ଝିଅ ନିଜ ଲେହେଙ୍ଗା ଆଉ ମ୍ୟାଚିଂ ଗହଣା ସବୁ ପିନ୍ଧି ବାରମ୍ବାର ଆଇନା ସାମ୍ନାରେ ଦେଖିହେଉଛି ନିଜକୁ।କୁଆଁରୀ ସୁଲଭ ସ୍ବପ୍ନ ସବୁ ହିଁ ଏମିତି ,ପ୍ରଥମେ ଖୁସିର ଦସ୍ତାବିଜ୍ ଆଉ ତାପରେ ଗୋଟେ ମାୟା ମରୀଚିକା ଆଉ ମୃଗତୃଷ୍ଣା ପରି।ଅଳ୍ପ ଟିକିଏ ଖୁସିକୁ ସାଉଁଟି କିଛି କ୍ଷଣ ପାଇଁ ଅନ୍ୟର ଖୁସିରେ ଖୁସି ହେବାକୁ ପଡ଼େ।ଅନ୍ୟ ସ୍ବପ୍ନକୁ ପୁରା କରିବାର ଆଶାରେ ନିଜର ସ୍ବପ୍ନକୁ ବଳିଦେବାକୁ ହୁଏ।ବାଟ ଭୁଲା ଜଳପରୀ ଟିଏ ପରି ସଂସାର ରୂପକ ମାୟା ନଗରୀର ବାହ୍ୟ ଚାକଚକ୍ୟତାକୁ ଦେଖି ଟାଣି ହୋଇଯାଏ ଝିଅଟିଏ।ହେଲେ ତାପରେ ସଂସାରର ସଂଘର୍ଷରେ ସେ ନିଜକୁ ସମ୍ପୂର୍ଣ୍ଣ ରୂପେ ଭୁଲିଯାଏ ଆଉ ଅଣଦେଖା କରେ ମଧ୍ୟ।ଆଉ ଯିଏ ଟିକିଏ ମନରେ ସାହାସ ସଞ୍ଚରି କିଛି କରିବାର ଆଶାରେ ଗୋଡ଼ କାଢି ବାହାରକୁ ଆସିବା ପାଇଁ ଚେଷ୍ଟା କରେ ତାକୁ ସବୁଦିନ ପାଇଁ ସଂସ୍କାରର ଦ୍ୱାହି ଦେଇ ଅଟକେଇ ଦିଆହୁଏ।ହେଲେ ଏ ସବୁର କିଛି କରାଯାଇପାରିବ ନାହିଁ।ଝିଅ ଜନ୍ମ ହିଁ ଏମିତି, ଭଗବାନଙ୍କ ସୁନ୍ଦର ସୃଷ୍ଟିରେ ସବୁଠୁ ସୁନ୍ଦର ହେଉଛି ନାରୀ।ହେଲେ ତାର ଯେ କେତେ ଦୁଃଖ ,ସେ ସବୁକୁ ବୁଝିବା ଏତେ ସହଜ ନୁହେଁ।ବେଳେ ବେଳେ କେହି କେହି ହସିଦିଅନ୍ତି ଆଉ ତାଶ୍ଚଲ୍ୟ କରି କୁହନ୍ତି ଇଏ କୋଉ ବଡ଼ କଥା ଯେ।ହେଲେ ସହିବା ଲୋକ ନିଜ କଷଣର ଭାରକୁ ବେଶ୍ ଅନୁଭବ କରିପାରେ।ଆଖିରୁ ଅମାନିଆ ଲୁହ ଦୁଇ ଧାର ବହିଗଲା ଏ ସବୁକୁ ଭାବି।

ଆଉ ଝିଅର କଥାରେ ସେ ଭାବନା ରାଜ୍ୟରୁ ଫେରିଆସିଲେ। ଓହୋ ମାଆ ମୁଁ ଯିବାକୁ ଆହୁରି ୨ଦିନ ବାକି ଅଛି,ତୁମେ ଏବେଠୁ କାନ୍ଦିବା ଆରମ୍ଭ କରିଦେଲଣି।(ସୁମିତ୍ରା ଦେବୀଙ୍କୁ ଜୋରରେ ଜାବୁଡି ଧରି)ମାଆ ଜାଣିଛୁ ତୋ ଜ୍ବାଇଁ କହୁଥିଲେ ଆମେ ସବୁ ସପ୍ତାହ ଅନ୍ତରେ ବୁଲିଆସିବୁ ଆମ ଘରକୁ। ମାଆ ତାର ମନେ ମନେ ଭାବୁଥିଲେ ତୋ ପାପା ବି ମୋ ମାଆକୁ ବହୁ ବର୍ଷ ପୂର୍ବରୁ ଏମିତି କଥା ଦେଇଥିଲେ।ହେଲେ ସେସବୁ କଥା କେବଳ କଥାରେ ହିଁ ରହିଗଲା।ଶେଷ ସମୟରେ ବି ଯାଇ ଠିକ୍ ସମୟରେ ପହଞ୍ଚିପାରିନଥିଲି ।ଆଉ ମାଆକୁ ଦାହ କରିବା ପାଇଁ ଶ୍ମଶାନକୁ ନେଇ ସାରିଥିଲେ ଭାଇମାନେ।ଏତିକି ବେଳେ ସ୍ଵାମୀ ଡାକୁଥିଲେ ଚାଆ କରିବା ପାଇଁ,କୁଣିଆ ମାନଙ୍କ ପାଇଁ।ସେ ନିଜ ଆଖିକୁ ଲୁଗା କାନିରେ ପୋଛିଦେଇ ଦଉଡ଼ିଗଲେ ଯନ୍ତ୍ରମାନବ ପରି ଚାଆ ଆଉ ଜଳଖିଆ ତିଆରି କରିବା ପାଇଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational