Balaji Sethi

Romance

4.0  

Balaji Sethi

Romance

ଜହ୍ନ ରାତିର ସ୍ୱପ୍ନ

ଜହ୍ନ ରାତିର ସ୍ୱପ୍ନ

4 mins
321


  

    ରାତିର ତୋଫା ଜହ୍ନକୁ ଚାହିଁ ତା ଭିତରେ ସେଫାଳି ଖୋଜୁଥିଲା ତା ମନର ମଣିଷକୁ ।ଆଖିରୁ ଥପ୍ ଥପ୍ ବହି ଯାଉଥିଲା ଶ୍ରାବଣର ଧାରା । କାନ୍ଧରେ କାହାର ସ୍ପର୍ଶ ଅନୁଭବ କରି ସେ ପଛକୁ ଚାହିଁଲା...

   ସେ ଏ କଣ ଦେଖୁଛି ? ସେ ସ୍ୱପ୍ନ ଦେଖୁ ନାହିଁ ତ ! ପ୍ରଣବ ଆସିଛନ୍ତି ! ତା ମନର ମଣିଷ ! ନିଜ ଆଖିକୁ ବିଶ୍ଵାସ କରି ପାରୁ ନ ଥିଲା ସେଫାଳି । କେବେ ବି ବିଶ୍ୱାସ କରି ନ ଥିଲା ତା ମନର ମଣିଷ ତା ପାଖକୁ ଫେରି ଆସିବ ବୋଲି ତାକୁ ଦେଖା କରିବାକୁ ।ସେଫାଳି ଆଉ ନିଜକୁ ସମ୍ଭାଳି ପାରୁନି।ସେ ଆଉ ନିଜ ଆୟତରେ ନାହିଁ।ପ୍ରଣବକୁ ଜାବୁଡି ଧରି ତା ଛାତିରେ ମୁଣ୍ଡ ରଖି ଘଡ଼ିଏ ଯାଏଁ ଧକେଇ ଧକେଇ କାନ୍ଦିଲା ସେଫାଳି। ଶ୍ରାବଣର ଅବିରତ ଧାରାରେ ବଢ଼ିଲା ନଈ ଅମାନିଆ ହେଲା ପରି ସେଫାଳିର ଆଖି ଲୁହରେ ଭିଜି ଯାଇଥିଲା ପ୍ରଣବ ।

  ଗଭୀର ନିରବତା ଛାଇଁ ଯାଇଥିଲା ଦୁଇଟି ଦୋହଲା ମନରେ।କୁହୁଳି ଉଠିଥିବା ବାରୁଦ ଗଦାରେ ବିସ୍ଫୋରଣ ଘଟିବା ପୂର୍ବରୁ ନିଷ୍କ୍ରିୟ କରିବାକୁ ନୀରବତା ଜରୁରୀ ଥିଲା।ପ୍ରଣବ କୋହଭରା ହୃଦୟରେ ବସ୍ପାରୁଦ୍ଧ ହୋଇ ତା ଛାତିରେ ସେଫାଳିକୁ ଆଉଜେଇ ଖାଲି ତା ମଥାରେ ବାରମ୍ବାର ସ୍ନେହଭରା ଚୁମ୍ବନ ଦେଇ ଚାଲିଥିଲା।ସେଫାଳି ଅନ୍ୟମନସ୍କ ହେଇ ଫେରି ଯାଉଥିଲା ଅତୀତକୁ ....

   ସେ ଦିନ ଥିଲା ପାର୍ବଣ ଋତୁ ଦଶହରାର ଶାରଦୀୟ ଅବସର। ରେଶମୀ ସହର ବ୍ରହ୍ମପୁର ଠାରେ ପାଳନ ହେଉଥାଏ ରାଜ୍ୟସ୍ତରୀୟ ସାରସ୍ୱତ ସମ୍ମିଳନୀ ।ସାରା ରାଜ୍ୟରୁ ବରିଷ୍ଠ ବିଶିଷ୍ଟ କବି,ଲେଖକ ଏବଂ ସାରସ୍ୱତ ତୁଙ୍ଗ ରଥୀମାନେ ଏକତ୍ରିତ।ନିଜ ନିଜର ସାରସ୍ୱତ ପ୍ରତିଭା ପ୍ରତିପାଦନ କରିବା ପାଇଁ। ସେହି ସାରସ୍ୱତ ସଭାରେ ନିମନ୍ତ୍ରିତ ଅତିଥି ହେଇ ଆସିଥିଲେ ପ୍ରଣବ।ସେଦିନ ପ୍ରଣବ ଗୋଟିଏ କବିତାର ଭୁରି ଭୁରି ପ୍ରଶଂସା କରିଥିଲେ ଭାରିସଭାରେ ।ସେହି କବିତାଟିର ନିଜେ ବ୍ୟାଖ୍ୟା କରିଥିଲେ ଅତି ସୁନ୍ଦର ଓ ପ୍ରାଞ୍ଜଳ ଭାବରେ।ଶେଷରେ ସେହି କବିତାଟି ସମସ୍ତଙ୍କ ଦ୍ବାରା ମନୋନୀତ ହେଇ ପ୍ରଥମ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା।ସେ କବିତାର ସୃଷ୍ଟି କାରିଣୀ ତଥା ପ୍ରଥମ ପୁରସ୍କାର ବିଜୟିନୀ ଥିଲା "ସେଫାଳି" । ମଞ୍ଚ ଉପରେ ସମସ୍ତେ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଥିଲେ ସେଫାଳିକୁ ।କିନ୍ତୁ ପ୍ରଣବ ଏକନିଷ୍ଟ ଚିତ୍ତରେ ଅପଲକ ନୟନରେ ଚାହିଁଥିଲେ କେବଳ ସେଫାଳିକୁ ।ଆଉ ଭାବୁଥିଲେ ଏତେ କମ ବୟସରୁ ଏମିତି ଗାମ୍ଭୀର୍ଯ୍ୟପୂର୍ଣ୍ଣ ଲେଖା ସେ କେମିତି ଲେଖି ପାରୁଛି। ତାର ବୟସ ବା କେତେ ହେବ !ଏଇ କୋଡିଏ କି ବାଇଶି ବୋଧେ। ଏତେ କଞ୍ଚା ବୟସରେ ଏମିତି ପରିପକ୍ୱ ଭାବନା ! ସତରେ ଜଣେ ଅନୁଭବୀ ମଣିଷ ହିଁ ଜୀବନ ଦର୍ଶନର ପ୍ରଜ୍ଞାପୂର୍ଣ୍ଣ ତତ୍ତ୍ୱ ବିଶ୍ଳେଷଣ କରିପାରେ।ଏମିତି ଭାବୁ ଭାବୁ ସେଫାଳି ଯେତେବେଳେ ଆସି ପ୍ରଣବର ପାଦ ତଳେ ପ୍ରଣାମ କଲା ସେତେବେଳେ ପ୍ରଣବ ପ୍ରକୁତିସ୍ଥ ହେଲେ ଏବଂ ତାଙ୍କ ପାଦ ଆଡକୁ ଲମ୍ଭି ଆସୁଥିବା କୋମଳ ହାତ ଦୁଇଟିକୁ ଧରି ଅଭିବାଦନ ଜଣେଇଲେ।

   ସେଫାଳି ସେତେବେଳୁ ଚାହିଁ ରହିଥିଲା ନବ ଯୁବକ ପ୍ରଣବକୁ ।ତାଙ୍କ ଗୋରା,ଲମ୍ବା ଚେହେରାକୁ ।ପରଖୁ ଥିଲା ପ୍ରଣବ ର ବ୍ୟକ୍ତିତ୍ୱକୁ।ଶୁଣୁଥିଲା ତାଙ୍କ ଓଜସ୍ୱିନୀ ଭାଷଣ କୁ।ପ୍ରଣବ !ବୟସ ଅଠେଇଶି ।ଫିସେରୀ ବିଭାଗରେ ଚାକିରୀ ।ହେଲେ ସେ ଉଭୟ ଇଂରାଜୀ ଓ ଓଡ଼ିଆ ସାହିତ୍ୟରେ ଧୁରିଣ।ତାଙ୍କର ଛଅ ଖଣ୍ଡ ପୁସ୍ତକ ଉନ୍ମୋଚିତ ହୋଇ ସାରିଛି।ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ଏ ବର୍ଷ ଗୋଟିଏ ବହି ମନୋନୀତ ହେଇଛି।ଆକର୍ଷଣୀୟ ଚେହରା ସହ ଆକର୍ଷଣୀୟ ବ୍ୟକ୍ତିତ୍ୱ। ଯେ କେହି ନବ ଯୌବନା ଅନ୍ୟାୟାସରେ ତାଙ୍କ ପ୍ରତି ଆକର୍ଷିତ ହେଇଯିବ।ଆଉ ସେଫାଳି ସେ ତ ଛାଡ଼... ସେଫାଳି ପ୍ରଣବକୁ ତାଙ୍କ ଫୋନ ନମ୍ବର ମାଗିଲା ଏବଂ ଅତି ଶିଷ୍ଟ ଭାବରେ କହିଲା "ଆପଣଙ୍କ ପାଖରେ ଯଦି ସମୟ ଥାଏ ମୋ ଫୋନ ରିସିଭ କରି ଦି ପଦ କଥା ହେବାକୁ ଅନୁରୋଧ "। ପ୍ରଣବ ବି ସମ୍ମତି ଜଣେଇ ଥିଲେ।

   କିଛି ଦିନ ପରେ ସେଫାଳି ଓ ପ୍ରଣବ ବର୍ତ୍ତାଳାପ ଆରମ୍ଭ ହେଇଥିଲା।ବନ୍ଧୁତ୍ବ ସ୍ଥାପନ ହେଇଥିଲା।ଧୀରେ ଧୀରେ ତାହା ନିବିଡ଼ତା ବଢିଥିଲାଏବଂ ଶେଷରେ ବନ୍ଧୁତ୍ୱ ପ୍ରେମରେ ପରିଣତ ହେଇଥିଲା। ପ୍ରଣବକୁ ଦେଖା କରିବାକୁ ଅନେକ ଥର ପ୍ରଥାବ ଦେଇଛି ସେଫାଳି।ପ୍ରଣବ ବି ନିର୍ଭର ପ୍ରତିଶ୍ରୁତି ଦିଏ ସେଫାଳି କୁ।ହେଲେ ଦିନେ କାର୍ଯ୍ୟ ବ୍ୟସ୍ତତା ଭିତରେ ସେଫାଳିର ଫୋନ ରିସିଭ କରି ପାରି ନ ଥିଲା ପ୍ରଣବ ।କେମିତି ବା କରିଥାନ୍ତା ଉପର ହାକିମଙ୍କ ନାଲିଆଖି ସାମନାରେ ! ସେଫାଳିର ବାରମ୍ବାର ଫୋନ ଆସିଥିଲା।ପ୍ରଣବ ବିରକ୍ତ ହେଇଥିଲା।ସେ ଦିନ ତାଙ୍କ ଉପର ଅଫିସର ଆସିଥିଲେ ଅଡ଼ିଟ କରିବାକୁ।ପ୍ରଣବ ବିରକ୍ତ ହେଇ ଏକ ମେସେଜ ଦେଇ ମୋବାଇଲ ସ୍ୱିଚ ଅଫ କରି ଦେଇଥିଲେ।ସେଫାଳି କୁ ପ୍ରଣବ ର ମେସେଜ ଥିଲା " ବ୍ୟସ୍ତତା, ଜଞ୍ଜାଳ ଓ ଟେନସନ ଭିତରେ ମୋ ପାଖରେ ସମୟ ନାହିଁ"....

   ବାସ୍ ! ସରିଯାଇଥିଲା ସବୁ କିଛି। ସେଫାଳିର ସ୍ୱପ୍ନ ସକାଳର ସୂର୍ଯ୍ୟ ଦେଖିବା ପୂର୍ବରୁ ନିଶାର୍ଦ୍ଧରେ ହିଁ ଝରି ଝଡି ଯାଇଥିଲା।ପ୍ରଣବ କଣ ଏମିତି ପ୍ରତାରକ ହେଇ ପାରିବେ ? ନା କେବେ ନୁହେଁ।ସେ ଅନେକ ଥର ଚେଷ୍ଟା କରି ବିଫଳ ହେଲା।ନା ପ୍ରଣବର ଫୋନ ଲାଗୁଛି ନା କିଛି ଉତ୍ତର ମିଳୁଛି। ଏତେ ସହଜରେ କେମିତି ଭୁଲି ପାରିବ ପ୍ରଣବକୁ। ଯାହାକୁ ମନ ପ୍ରାଣ ଦେଇ ଭଲ ପାଉଛି ! ସାତ ଜନମର ସାଥି ହେଇ ରହିବାକୁ କଥା ଦେଇଛି ! ଏପଟେ ପ୍ରଣବ ବି ମନସ୍ତାପରେ ସନ୍ତୁଳି ହେଇଚି। ହେଲେ କେବେ ସାହସ ଜୁଟାଇ ପାରିନି ପୁଣି ଥରେ ପ୍ରେମର ସ୍ମୃତିକୁ ସଜାଡ଼ିବାକୁ ।ଅଧୁରା ସ୍ୱପ୍ନକୁ ସାକାର କରିବାକୁ।

  ଏମିତି ଏମିତି ବିରହ ଜୁଇରେ ଜଳିଛନ୍ତି ଦୁଇଟି ପ୍ରେମୀ ହୃଦୟ। ବିତି ଯାଇଛି ଦୀର୍ଘ ଏକ ବର୍ଷ।ପ୍ରଣବ ନୂଆଁ ନମ୍ବରରେ ଫେସବୁକ ଖୋଲିଛନ୍ତି।କାରଣ ପ୍ରଣବ ସେଦିନ କାର୍ଯ୍ୟାଳୟରୁ ଫେରୁ ଫେରୁ ତାଙ୍କ ମୋବାଇଲ ଫୋନଟି କେଉଁଠି ନିରୁଦ୍ଧିଷ୍ଟ ହେଇଯାଇଥିଲା।ବହୁତ ଚେଷ୍ଟା ପରେ ସେଫାଳିର ମୋବାଇଲ ନମ୍ବର ପାଇଛି ପ୍ରଣବ । ସେଫାଳିକୁ ପୁଣି ଆଜି ମେସେଜ ଆସିଥିଲା "sorry" ଏକ ଅଜଣା ମୋବାଇଲ ନମ୍ବରରୁ ।ସେଫାଳି ଘାବରେଇ ଯାଇଥିଲା ପ୍ରଥମେ ।ହେଲେ ପରେ ସ୍ଥିର ନିଶ୍ଚିତ ହେଲା ସେଫାଳି ଏହି ମେସେଜ କେବଳ ପ୍ରଣବଙ୍କର ହିଁ ହେଇପାରେ.....ତା ପରେ ....

  ପ୍ରକୃତିସ୍ଥ ହେଲା ସେଫାଳି।ତା ମନରେ ଅନେକ ପ୍ରଶ୍ନ ଥିଲା ପ୍ରଣବଙ୍କ ପାଇଁ। ସେଫାଳି ହାତ ଧରି ନେଇଗଲା ପ୍ରଣବର ପାଦ ସହ ପାଦ ମିଶେଇ।ପାଖ ଦୁର୍ଗା ମନ୍ଦିର ଚଟାଣରେ ଦୁହେଁ ବସି ଅନେକ ରାତି ଯାଏଁ ଗପିଥିଲେ ।ଅନେକ ଅକୁହା କଥା କହି ହେଇଯାଉଥିଲା ଅତି ସହଜରେ।ଦୁଇଟି ହୃଦୟର ନିବିଡ଼ ଆବେଦନରେ କୁମାର ପୁନେଇଁ ଜହ୍ନ ବି ଘଡ଼ିଏ ଲାଜେଇ ଯାଇଥିଲା।ଆଉ ସେଇ ସ୍ଥିର ଜହ୍ନର ତୋଫା ତୋଫା ଜ୍ୟୋସ୍ନାରେ ସ୍ୱପ୍ନର ସୌଧ ତଳୁଥିଲେ ଦୁଇଟି ପ୍ରେମ ପାରିଧିର ହଳଦୀବସନ୍ତ ......!!


          


Rate this content
Log in

Similar oriya story from Romance