Balaji Sethi

Children Stories

4.4  

Balaji Sethi

Children Stories

ଘାଟ୍ ମଇତର୍

ଘାଟ୍ ମଇତର୍

8 mins
329



      ନଈକୂଳ । ବୟସ ଦଶ କି ଏଗାର ବର୍ଷ ହେବ ।ବହି ବସ୍ତାନିଟିଏ ପିଠିରେ ଝୁଲୁଛି ।କୃଷ୍ଣକଳା ରଙ୍ଗର ପ୍ୟାଣ୍ଟ ସାଙ୍ଗକୁ ଧଳା ସାର୍ଟ ପିନ୍ଧିଛି ।ପିଲାଟି ବୋଧହୁଏ ସ୍କୁଲ ଯିବ ! ବଢ଼ିଲା ନଈ କୁ ଦେଖି ତାର ଦୁକୁ ପାଉନି ।ସେ କୂଳକୁ ଯିବାକୁ ।ଏପଟ ସେପଟ ଚାହୁଁଛି । କିଏ ତାକୁ ନଈ ପାର କରିଦେବ ? ପୁଣି ନଇକୁ ଚାହୁଁଛି । ପାଖରେ ପଡ଼ିଥିବା ଛୋଟ ଛୋଟ ଗୋଡି ଉଠାଇ ବାଁ ହାତ ମଝି ଆଙ୍ଗୁଠି ଟିପରେ ରଖି ଆଙ୍ଗୁଠିକୁ ପଛକୁ ଟାଣି ନଈପାଣିକୁ ଲକ୍ଷ୍ୟକରି ବିନ୍ଧି ଦେଉଛି । ଗୋଡିଟି ପାଣିରେ ପଡି ଟବ୍ କିନା ଶବ୍ଦ କରି ବୁଡି ଯାଉଛି । ସୃଷ୍ଟି ହେଉଛି ଅସଂଖ୍ୟ ବୃତ୍ତାକାର ତରଙ୍ଗ । ତାକୁ ଭାରି ମଜା ଲାଗୁଛି । ଏହି ଟବ୍ କରିବା ଶବ୍ଦଟି ତା' ମନରେ ପୁଲ୍ଲକ ଖେଳେଇ ଦେଉଛି । ଆଉ ସେହି ବୃତ୍ତାକାର ତରଙ୍ଗ ଗୁଡିକ ତାର ଟିକି ମନ ଭାବନାରେ ଚେନାଚେନା ସ୍ୱପ୍ନ ବୁଣି ଦିଅନ୍ତି ।


      ସ୍ୱାଭିମାନ ଅଞ୍ଚଳର ଯୋଡ଼ାମ୍ବ,ପଣସପୁଟ ଓ ଅଣ୍ଡରାପାଲ୍ଲୀ, ଏହି ତିନୋଟି ପଞ୍ଚାୟତ ଓଡିଶା ମାନଚିତ୍ରରେ ଖୁବ୍ ଗୁରୁତ୍ଵ ବହନ କରେ । ଏଠିକାର ଅନେକ ଗ୍ରାମ ଘାଟି ଉପରେ ବଣ ଜଙ୍ଗଲ ଘେରା ମଧ୍ୟରେ ରହିଛି । ଏଠି ଆଧୁନିକତାର ଛାପ ଖୁବ୍ କମ୍ ଦେଖିବାକୁ ମିଳେ । ମଜାଗୁଡା,ହନ୍ତାଳଗୁଡା, ଜାମ୍ପୁର୍ଲୁ ପରି ଆହୁରି ଅନେକ ଛୋଟ ବଡ଼ ଗ୍ରାମ ଯୋଡାମ୍ବ ପଞ୍ଚାୟତର ଅପହଞ୍ଚ ଇଲାକା ଭାବେ ଜଣା ହୁଏ । ପିଲାଟି ଭାରି ଯିଦିଆ । ତାର ଏକା ଯିଦ୍, ସେ ପାଠ ପଢିବ । ଆଖ ପାଖ ଗାଁ ସ୍କୁଲ ନାହିଁ । ତେଣୁ ତାର ବାପା ଡମ୍ବୁରୁ ପୁଅର ଯିଦ୍‌ ରେ ତାକୁ ଯୋଡାମ୍ବ ପଞ୍ଚାୟତର ଏକମାତ୍ର ହଷ୍ଟେଲ ସ୍କୁଲ ଦାର୍ଲାବେଡ଼ା ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ନାମ ଲେଖେଇ ଦେଇଛି ସଞ୍ଜିବର । ସକାଳେ ଶିମିଳିକନ୍ଦା ଦୁଇ ଗଡି ଆଉ ଗୋଟେ ଗ୍ଲାସ ମାଣ୍ଡିଆ ପେଜ ଖାଇଦେଇ ଘରୁ ବାହାରିଥିଲା ।ତାର ବାବା, ସାଙ୍ଗରେ ଆସିଥିଲା । ଘାଟିତଳେ ଚଲାବାଟରେ ତାକୁ ଛାଡି ଦେଇ ଫେରିଗଲା ।ସେ ଯାହା ହେଉ ଏତେ ବାଟ ଚାଲିଚାଲି ଆସି ଏଇ ରତାକୁଣ୍ଡି ନଈ ପାଖରେ ପହଞ୍ଚିଛି । ଟିକେ ଥକ୍କା ମେଣ୍ଟିଯାଉ !


      ଗାଈଆଳ ପିଲାଟିଏ । ବୟସ ଏଗାର କି ବାର ହେବ । ତାର ଛିଣ୍ଡା ଚପଲକୁ ସଜାଡି ସଜାଡି ନଈକୂଳଆଡେ ଆସୁଛି । ହାତରେ ଲାଠିଟିଏ ଧରିଛି । ମୁଣ୍ଡରେ ଗାମୁଛାଟି ବାନ୍ଧି ଦେଇଛି । ମାଣ୍ଡିଆ ପେଜଭରା ବୋତଲକୁ ଦୁଇ ମୁଣ୍ଡରେ ସ୍ଵତୁଲିରେ ବନ୍ଧାଯାଇଛି। ସେହି ବୋତଲବନ୍ଧା ସୂତୁଲିକୁ ଗାଈଆଳ ପିଲାଟି ପଇତା ପରି ନାଇଛି ଯେମିତିକି ଡାହାଣ କାନ୍ଧରେ ସୂତୁଲି ଗଳେଇ କି ବାମ ଅଣ୍ଟା ପଛ ପାଖରେ ମାଣ୍ଡିଆ ପେଜଭରା ବୋତଲ ଝୁଲୁଛି । ଚିରାଫଟା ପୋଷାକ ପିନ୍ଧିଛି । ସାର୍ଟ ପଛ ପଟେ ବଖରମ୍ ରେ ମେରୁଦଣ୍ଡ ସିଧା ପୁରୁଣା ଛତାଟିଏ ଓହଳେଇ ଦେଇଛି । ଏଣୁତେଣୁ ଦେଶୀଆ ଗୀତ ଗାଇଗାଇ ନଈକୂଳ ଆଡେ ଆସିଲା । ହଁ. . . . ସକାଳେ ସେ ଏଇ ପାଖରେ ଗାଈମାନଙ୍କୁ ଚରାଉଥିଲା । ଭୋକ ଲାଗିବାରୁ ଘରକୁ ଯାଇଥିଲା । ଖାଇବାକୁ । ବାସି ଭାତ ସାଙ୍ଗକୁ ଆମ୍ବଟ୍ ଜୋଲ୍ (ତେନ୍ତୁଳି ଝୋଳ) ପେଟେ ଖାଇଲା । ଆଉ ଦିପହରେ ଖାଇବ ବୋଲି ଏହି ମାଣ୍ଡିଆ ପେଜକୁ ସାଙ୍ଗରେ ଆଣିଛି ।

      ଏତିକି ବେଳେ ସମ ବୟସ୍କ ପିଲାଟିଏ ସେଠାରେ ବସିଥିବାର ଦେଖି ତାକୁ ପଚାରିଲା, କୋନ୍ ଗାଏଁ ତୋର୍ . . . କେନେ ଯାଇସୁ ମଇତର୍ . . . . ? ନଈର କୁଳୁକୁଳୁ ଶବ୍ଦକୁ ନିରେଖି ଅନ୍ୟମନସ୍କ ହୋଇଯାଇ ଥିବା ପିଲାଟି ବୁଲି ଚାହିଁଲା ଏବଂ କହିଲା, "ମୋର ନାଁଓ ସଞ୍ଜିବ ଖିଲ । ଆମର ଘର୍ ମଜାଗୁଡା ଗାଏଁ । ଦାର୍ଲାବେଡା ଇସ୍କୁଲେ ଯିବି ମଇତର୍ ।" କହି କହି ତା ସହ ହାତ ମିଶାଇବା ଉଦ୍ଦେଶ୍ୟରେ ଗାଇଆଳ ପିଲା ଆଡକୁ ହାତ ବଢାଇଲା . . . I ସଂଜିବର ଉଦ୍ଦେଶ୍ୟକୁ ବୁଝିନପାରି ଗାଇଆଳ ପିଲାଟି କହିଲା, ଏଡ଼େମାଡ୍‌ ଖାଇଆଚୁସ୍‌ କାଇ... . . . ର. . . ତା . . . . ରତା ଉଠାଇଦେବି , କହି ସଂଜିବର ବାହୁକୁ ଦୁଇ ହାତରେ ଧରି ଉଠାଇଲା।ଉଠାଇଲା ବେଳେ "ହାଲେ ହାଲେ ହାଲେ . . . ଆବାୟା ......" ବୋଲି କହି ହେଲା । ମୁଇଁ ତୋର୍ ସଙ୍ଗେ ହାତ୍ ମିଲାଇବାକେ ଚାହିଲିନି । ତୁଇ କାଇଟା ଭାବଲୁସ୍‌ନି . . . ?କହି ପୁଣି ତା ଆଡ଼କୁ ହାତ ବଢାଇଲା । ଗାଇଆଳ ପିଲାଟି ଖୁସି ହୋଇ "ଏନ୍ତାରସେ କାଇ. . . . . !" କହି ହାତ ମିଶାଇଲା । ଏବଂ କହିଲା "ଆମର ବାଟେ ମଇତର୍କେ ଦେଖଲେ ଜୁହାର କରିବାର . . . ଆରି "ପାଟଲପୁଟୁଲି" ହୋଇବାର କହି ତାକୁ ଆଲିଙ୍ଗନ କଲା । ଦୁହେଁ ପରସ୍ପରର ଡାହାଣ ଛାତିକୁ ଡାହାଣ ଛାତି ଓ ବାମ ଛାତିକୁ ବାମ ଛାତିରେ ଲଗାଇ ଆଲିଙ୍ଗନ ହେଲେ ।

      

      ଏମିତି ଗୋଟେ ଖୁସି ମିଜାଜ୍ ର ସମବୟସର ପିଲାଟିଏକୁ ଦେଖି ସଞ୍ଜିବକୁ ତାର ପୁରୁଣା ଅନ୍ତରଙ୍ଗ ସାଙ୍ଗ ଭଳି ଅନୁଭବ ହେଲା । ସଂଜିବ ପଚାରିଲା , ମଇତର୍. . . . କାଇ ନାଁଓ ତୋର୍ ? ଘର୍ କୋନ୍ତି ? ଗାଈଆଳ ପିଲାଟି ଉତ୍ତର ଦେଲା, 'ଅଭିରାମ ହନ୍ତାଲ ମୋର ନାଁଓ । କେନ୍ଦୁଗୁଡ଼ା ରଇଲିନି । ମାମା ଘରେ । ମାମାଲୋକର୍ ଦଶମୁଣ୍ଡ ପାରା ଗୋରୁ, ଛେଲି, ଆଚେ । ମୁଇଁ ଗଉଡ଼ ହେଲିନି ।'

      

      ଅଭିରାମ ର ମୁହଁରେ ଗ୍ଳାନିର ଚିହ୍ନବର୍ଣ୍ଣ ନାହିଁ । କାହିଁକି ଦୁଃଖ ? କାହିଁକି ଗ୍ଳାନି ? ଯୋଉଠି ଜୀବନ ଜିଇଁବାର ସଂଘର୍ଷ ଚାଲିଛି .ସେଇଠି ଆଉ ସବୁ ଅନୁସଙ୍ଗିକ ଉପଚାରକୁ କିଏ ପଚାରେ. . . ? ଏଇଠି ପେଟକୁ ମୁଠାଏ ଦାନା ପାଇବାକୁ ହେଲେ କିଛି ନା କିଛି କାମ କରିବାକୁ ହେବ । ତା ଭଳି ବେସାହାରା ପିଲା ହୁଅନ୍ତୁ କି ସ୍ତ୍ରୀ ମରିଯାଇଥିବା ଡକରା । ଏଇମାନେ ଟିକେ ଥିଲା ବାଲା ଘରେ - ପେଟଭାତକୁ ଖଟନ୍ତି । 'ନାହିଁ ନାହିଁରେ ଜୀବନ ଜିଇଁବାର ବାଗ ଶିଖିବ ତ ଏଇ ମାନଙ୍କଠୁଁ . . . !

      

      ଅଭିରାମ ହସହସ ବଦନରେ ସଂଜିବର ସାର୍ଟ ରେ ହାତ ବୁଲାଇ ଦେଇ ପୁଣି ଆରମ୍ଭ କଲା, 'ତୁଇତ ମସ୍ତ ବାବୁ ପାରା ଡିସ୍ଲୁସନି ହୋ !ପାଣ୍ଢୋଇ କେତେକ୍ ଦେଇରଇଲୁସ୍‌ ତୁଇ ? ସଂଜିବ,'ଘେନଲାଟା ନଏ ହୋ ମଇତର . . . I ଏଟା ମାଷ୍ଟର ଆଜ୍ଞା ଦେଲାଟା ।

ଅଭିରାମ : ମାଆରାଣ୍ !

ସଂଜିବ: ସତେ ସେ ! ଅବକା ପାଣ୍ଢୋଇ ନଏ ,ସାର୍ଟ, ପେଣ୍ଟ ଆରି ମୋଜା ମିଶା ଦେଲାଇନି । ପଢ଼ବାକେ, ଲେଖିବାକେ ବହି, ଖାତା, ପେନ , ପେନସିଲ ଆରି କାଇଟା କାଇଟା ଇସ୍କୁଲଲୋଗେ ଦେଲାଇନି । ଆରି ହଷ୍ଟେଲଲୋଗେ ମସ୍ତ ଖାଇବାକେ ଦେଲାଇନି । ଅଣ୍ଡା ଦେଲାଇନି ,ଆରି ଦିନ୍ କେ ରକମ୍ ରକମ୍ ଶାଗ୍ ,ଟିଫିନ୍ ମିଶା ଦିନ୍ କେ ଭିନ୍ ଟା ଭିନ୍ ଟା ଦେଲେଇନି ।

ଅଭିରାମ : ମାଷ୍ଟରମନ୍ ଡାବୁ ନ ମାଗତ୍ ?

ସଂଜିବ: କାଇଟାକେ ଡାବୁ ମାଗିବାର୍ ! ସର୍କାର ତ ସବୁ ଦେଲାଇନି । ଖାଲି ଯାଇକରି ଇସ୍କୁଲଲୋଗେ ନାଁଓ ଲେଖେଇବାର । ତୁଇ କେବେ ମିଶା ଇସ୍କୁଲ ଯାଉସ୍‌ ନାଇଁ କି ?


      ଅଭିରାମର ମନଟା ଗଛର ଚେର କଟିଲା ପରି ଝାଉଁଳି ଗଲା । ମୁହଁଟା ଶୁଖିଗଲା । ନିଜ ଉପରେ ଅଭିମାନ କଲା । ମନେମନେ ନିଜ ଭାଗ୍ୟକୁ ନିନ୍ଦିଲା । ତା ଭଳି ପିଲାଟେ କେତେ ସୁଖରେ ଅଛି । ଭଲ ଖାଉଛି । ଭଲ ପିନ୍ଧୁଛି । ଅଥଚ ସେ .......!ନିଜକୁ ନିଜେ ସମ୍ଭାଳି କହିଲା; 

ଅଭି : ମୋର ବାବା ରଇଲେ ତ ମୁଇଁ ମିଶା ଇସ୍କୁଲେ ଯାଇରଅତି ।

ସଞ୍ଜିବ: ବାବା ନ ରଇଲେ, ତୋର ଆୟା (ମାଆ ) ତ    ରଇସି. . . . ??

ଅଭି : ଆମର ନିଜର ଗାଁଓ ହୋଇଲା ହନ୍ତାଲଗୁଡ଼ା । ଆମର ବାବା ମରିଗାଲା । ତାର ପରେ ଆମର ଆୟା ଆମର ସାନ୍ ବୋବୋକେ ଧରି କରି କେନେକେନେ ଉଠିଗାଲା । ମୋର ପିଠିର ବହିନ୍ ଆମର ବାଇଲୋଗର ଗାଏଁ ରଇଲାନି । ମକେ ମୋର ମାମା ଆନଲାଆଚେ । ତେବେସେ ମୁଇଁ ଗଉଡ଼ କାମ କଲିନି ।


     ଏତିକି କହି ଅଭିରାମ ଆଖି ଛଳଛଳ କରିପକାଇଲା । ସେ ମନେମନେ ଭାବିଲା ସଂଜିବ ଯଦି ଆଉ କିଛି ପଚାରେ ତା ବିଷୟରେ କି ତା ବାବା କେମିତି ମରିବା ବିଷୟରେ ସେ ଭୋ . . . ଭୋ . ..ହୋଇ କାନ୍ଦି ପକାଇବ ।


     ଅଭିରାମର କଥା ଶୁଣି ସଂଜିବ କିନ୍ତୁ ତାଜୁବ୍ ହେଲାନି । କାହିଁକି ନା ସେ ଏମିତି ଘଟଣା ତା ଗାଆଁରେ ବି ଦେଖିଛି । ଦେଖିଛି . . . ତା ଗାଁରେ ମଧ୍ୟ ତାର ସାଙ୍ଗସାଥି ପାଠ ନ ପଢି ଗୋରୁ, ଛେଳି ଚରାଉଛନ୍ତି । ବିଲରେ କାମ କରୁଛନ୍ତି । ନ ହେଲେ କୁନିକୁନି ଛୁଆମାନଙ୍କର ଯତ୍ନ ନେଉଛନ୍ତି । ସ୍କୁଲ ଛୁଟିରେ ଗାଁକୁ ଗଲେ ସେ ବି ତ ଏ ସବୁ କାମ କରେ... ! ତଥାପି ଅଭିରାମର ଭାବନାକୁ ବୁଝିପାରୁଥିଲା । ସଂଜିବ କଥା ବାଆଁରେଇ କହିଲା,'ସାଙ୍ଗ ମୁଇଁ ଏକଲା ଗାଡ଼ ଲଙ୍ଘିପାରିବି ନାଇଁ । ପାନି ବେଶି ଆଚେ । ତୁଇ ମକେ ଗାଡ଼ ଲଂଘାଇ ପାରସୁ କି ? ଅଭିରାମ ହସି ହସି କହିଲା, 'ମୁଇଁ ଦିନକେ ଗାଲିନି ଆରି ଆଇଲିନି । କେଡେମାଡ୍‌ ପାନି ଆଚେ ଯେ..! ହାଲେ . . . . ପେଜ ଅଲପ ଖାଇଦିଆସ୍ ହେଲେ... । ' ମାଣ୍ଡିଆ ପେଜ ବୋତଲଟି ସଞ୍ଜିବର ହାତକୁ ବଢାଇ ଦେଲା । ସଂଜିବ ମନା କଲେ ବି ଅଭିରାମର ଅନୁରୋଧ ଟାଳି ପାରିଲା ନାହିଁ । ମୁହଁ ଟେକି ଚାରିଢ଼ୋକ ପିଇଲା ସଂଜୀବ । ଯାହେଉ ତା ପେଟ ଟିକେ ଶାନ୍ତି ହେଲା । ଏବେ ସେ ଦାର୍ଲାବେଡ଼ା ହଷ୍ଟେଲରେ ପହଞ୍ଚିଲା ଯାଏଁ ତାକୁ ଆଉ ଭୋକ ଲାଗିବନି । ସଂଜିବର ହାତରୁ ବୋତଲଟି ନେଇ, ଠିପି ବନ୍ଦ କରି ନିଜ କାନ୍ଧରେ ଗଳେଇ ଦେଲା ବନ୍ଧା ସୁତୁଲିକୁ । ତାପରେ ଅଭିରାମ : ହାଲେ . . . . ମୋର ଟୱାଲ ନେ । ତୋର ପେଣ୍ଟ ଆରି ପାଣ୍ଢୋଇ ଖୁସଲାଇ ଦେଇ କରି ଟୱାଲ ପିନ୍ଧ ,ନଇଲେ ସର୍ତେ ଭିଜିଯାଇସୁ . . . . I ନିଜ ମୁଣ୍ଡରୁ ଗାମୁଚ୍ଛାଟି ଖୋଲି ସଂଜିବ ହାତକୁ ବଢ଼ାଇଦେଲା ।


      ସଂଜିବ ପ୍ରଥମେ ତାର ଜୋତା ବାହାର କଲା । ମୋଜା କଢିଲା । ଗାମୁଛା ପିନ୍ଧି ପେଣ୍ଟ ଟିକୁ ସ୍କୁଲବ୍ୟାଗ ଭିତରେ ପୁରେଇଲା ଆଉ ବ୍ୟାଗ ଉପରେ ଜୋତା ହଳକ ରଖିଦେଇ ବ୍ୟାଗଟିକୁ ମୁଣ୍ଡ ଉପରକୁ ଉଠାଇଲା ଏବଂ ଅଭିରାମକୁ କହିଲା, 'ଉଁ . . . ଯୁ ବେ ମଇତର . . . . Iଅଭିରାମ ଆଗ ନଈ ହୁଡାରୁ ତଳକୁ ଓହ୍ଲାଇଲା । ତା ପଛରେ ସଂଜିବ । ଦୁହେଁ ଆଗ ପଛ ହୋଇ 'ରତାକୁଣ୍ଡି' ନଈରେ ପଶିଲେ । ଅଭିରାମ ଧରିଥିବା ଲାଠିଟିକୁ ଦୁହେଁ ଦୁଇ ମୁଣ୍ଡକୁ ଧରି ଆଗକୁ ବଢିଲେ । ପାଣି ପାଦେ ରୁ ଆଣ୍ଠୁଏ ହେଲା । ଆଣ୍ଠୁଏରୁ ଜଙ୍ଗେ ହେଲା । ନଈ ମଝାମଝି ପାଣି ଅଣ୍ଟାଏ ଛୁଇଁଲା । ନଈର ସୁଅ ଟିକେ ଅଧିକ ଥିଲା ଏଇ ପାଖରେ। ଅଭିରାମ ସଂଜିବକୁ ସାହସର ସହିତ ପାଦ ପକାଇବାକୁ କହୁଥାଏ ।ଲାଠିକୁ ଜୋରରେ ଧରି ତାର ପଛେ ପଛେ ଆସିବାକୁ କହୁଥାଏ । ସଂଜିବ ମଧ୍ୟ ଡରିବା ପିଲା ନୁହଁ । ତାଙ୍କ ଗାଁ ଠାରୁ ଚିତ୍ରକୋଣ୍ଡା ନ ହେଲେ କୋଉ ଦୂର ଗାଁକୁ ଯିବାକୁ ହେଲେ ତ ତେର ନଈନାଳ, ସାତ ପରବତ ଡେଇଁ ଯିବାକୁ ପଡ଼େ । ଖାଲି ଯାହା ,ଏକଲା ଯିବାକୁ ତାର ଡର ମାଡ଼େ । ଏବେ ତ ତାର ମଇତର୍ ସାଙ୍ଗରେ ଅଛି। କାହିଁକି ଡରିବ. . . . ?


      ଦୁହେଁ ନଈପାର ହୋଇ ଆର କୂଳରେ ପହଞ୍ଚିଲେ। ଦୁହେଁ ପୁଣି ଥରେ ହାତ ମିଶାଇଲେ । ଆଉ ଅଭିରାମ ଫେରି ଆସିବାକୁ ତରତର ହେଲା । ସଂଜିବ ସହିତ ଏଇ କେତେ ମିନିଟର ସାକ୍ଷାତରେ ସେ ଆନ୍ତରିକତା ଅନୁଭବ କରୁଥିଲା । ତା ମନ ଚାହୁଁଥିଲା ତା ସହିତ ଆଉ କିଛି ସମୟ ଗପ ଜମାଇବାକୁ କିନ୍ତୁ ଡେରି ହୋଇଗଲେ ନଈରେ ପାଣି ବଢିଯିବ , ପୁଣି ଗୋରୁ,ଛେଳି ମାନେ କାହାର କୁଆଡେ ଫସଲ ଖାଇବାକୁ ଚାଲି ଯିବେ ଯେ. . . I

       

      ସଂଜିବ ତାକୁ କିଛି ସମୟ ଅପେକ୍ଷା କରିବାକୁ କହିଲା । ସେ ଯେ ତାର ମଇତରର ଟୱାଲ ଫେରାଇବ । କିନ୍ତୁ ଅଭିରାମ ରାଜି ହେଲା ନାହିଁ । ସେ ବୁଝିଥିଲା ମଇତରର ଅସୁବିଧା ବେଳେ ମଇତର ସାହାଯ୍ୟ କରେ। ଦେଲା ସାମାନ କୁ କେମିତି ସେ ଫେରାଇ ନେବ !'ତୁଇ ନେଇରଅ ମଇତର, ତୋର କାମ୍ ଦେଇସି. . . ବୋଲି କହି ଅଭିରାମ ନଈରେ ପଶିଲା । ସଂଜିବ ସେମିତି ମୁଣ୍ଡରେ ବ୍ୟାଗଟିକୁ ଧରିଛି । ବିନ୍ଧା ଟୱାଲରୁ ଧାର ଧାର ପାଣି ନିଗିଡି ପଡୁଛି । ନଈ ଏ ପାଖରେ ଥାଇ , 'ଯତନରେ ଯାଆ ମଇତର . . . , ଦେଖି କରି ଯାଆ ମଇତର . . . . 'ବୋଲି ସଂଜିବ କହୁଛି । ସେପଟେ ନଈ ପାର ହୋଇ କୂଳରେ ପହଞ୍ଚୁି ପହଞ୍ଚୁ ଅଭିରାମ , ତୁ ଉଠି ଯା ମଇତର . . . ମୁଇଁ ଖେଟିଲି ବେ. . . .' ବୋଲି କହିଲା ଏବଂ ନଈ ହୁଡ଼ାକୁ ଉଠିଲା।

       

      କିନ୍ତୁ ଏ କଣ ? ସଂଜିବର ଗୋଟିଏ ଜୋତା ଠିକ୍ ତାର ଛିଣ୍ଡା ଚପଲ ପାଖରେ ପଡ଼ିଛି । ଜୋତାଟିକୁ ହାତରେ ଉଠାଇଲା । ତାର ଗଠନକୁ ଭଲ ଭାବେ ଏପଟ ସେପଟ କରି ନୀରିକ୍ଷଣ କଲା । ତାପରେ ତଳେ ରଖିଲା । ଜୋତାଟିକୁ ପିନ୍ଧିବାକୁ ଚେଷ୍ଟା କଲା । ତା ନିଜର ଡାହାଣ ଗୋଡ଼ ଚପଲଟି ଛଣ୍ଡା ଥିଲା । ଜୋତା ପଟକ ବି ଡାହାଣ ଗୋଡର । ବାମ ଗୋଡରେ ନିଜ ଚପଲ ଆଉ ଡାହାଣ ଗୋଡ଼ରେ ମଇତରର ଜୋତା ପିନ୍ଧିଲା । ଦୁଇ ପାହୁଣ୍ଡ ଚାଲିଲା ।ତା ପରେ ଜୋତାଟି ବାହାର କଲା । ହାତରେ ଧରି ଠିଆ ହୋଇ ମନେ ମନେ କଣ ସବୁ ଭାବୁ ଥାଏ ।

       

      ଫୁଟଲା ପାଣ୍ଡେଇକୁ ସେପ୍ଟିପିନରେ ସିଇଁ କେତେଦିନ ଆଉ ପିନ୍ଧି ପାରିବ । ଗୋରୁ ପଛରେ ଝପଟିଲା ବେଳେ ତାର ଏଇ ପାଣ୍ଡେଇମାନେ ହଇରାଣ କରନ୍ତି । ମାତ୍ର ମଇତରର ପାଣ୍ଢୋଇ ବହୁତ ଭଲ । କଣ୍ଟା, କାଦୁଅ କୁ ଡରିବାର ନାଇଁ । ଗୋରୁ,ଛେଳି ପଛରେ ଆରମ୍ ସେ ଝପଟି ଯାଇହଵ ।ପାଣି ଫୋଟକା ପାଣିରେ ମିଳେଇଲା ପରି ତାର ଭାବନାରେ ପୂର୍ଣ୍ଣିଛେଦ ପଡିଗଲା। କାରଣ ଏଇଟା ତାର ମଇତରର ପଟେ ଜୋତା । ଏଇ ଜୋତା ପଟକ ନ ଫେରେଇଲେ ସଂଜିବ ଫୁଙ୍ଗୁଳା ପାଦରେ ସ୍କୁଲ କେମିତି ଯିବ ? ହଁ..  ହଁ.. ତାକୁ ଏଇ ଜୋତାଟିକୁ ଯେମିତି ହେଉ ଫେରାଇବାକୁ ହେବ। ସେ ପୁଣି ଥରେ ନଈରେ ପଶିବାକୁ ପ୍ରସ୍ତୁତ । 

       

      ଠିକ୍ ଏତିକିବେଳେ ନଈ ସେ କୂଳରୁ ପାଟି ଶୁଭିଲା । ମଇତର୍ . . . . I ବଡ଼ ଜୋରରେ । ତାକୁ ଶୁଭିଲା ଭଳି । ସେ ପଛକୁ ବୁଲି ଚାହିଁଲା ମଇତରକୁ । ସଂଜିବ ତାର ପାଖରେ ଥିବା ପଟେ ଜୋତାକୁ ମୋଜାରେ ଛୋଟ ପଥର ଖଣ୍ଡେ ବାନ୍ଧି ପୁରାଇଦେଲା ଆଉ ଜୋତାଟିକୁ ଅଭିରାମ ଆଡ଼କୁ ଯୋର୍ ରେ ଫୋପାଡି ଦେଲା ।

       

      ଅଭିରାମ ସେଇଟାକୁ ଉଠାଇ ଆଣିଲା । ଛାତି ପାଖରେ ଲଗାଇ ଧରିଲା । ସଂଜିବକୁ ଚାହିଁ ରହିଥିଲା । ସଂଜିବ ହାତ ହଲାଇ ବାଏ. . . ବାଏ. . . . କଲା । ଏପଟେ ଅଭିରାମ ଖୁଣ୍ଟଟି ପରି ଠିଆ ହେଇ ଗୋଟିଏ ହାତ ଅଧା ଟେକି ରହିଥାଏ । ସେପଟୁ ସଂଜିବ ବଡ଼ ପାଟିରେ କହୁଥାଏ,'ଆଇବା ହାଟ୍ କେ ମୁଇଁ ଆଇବି ମଇତର . . . . ଆମର ମାଷ୍ଟରକେ ମିଶା ଧରିକରି ଆଇବି . . . .।

       

      ସଂଜିବ ନିଜର ଗନ୍ତବ୍ୟ ପଥରେ ଚାଲିଯାଇଛି । ଅଭିରାମ ସେମିତି ଠିଆ ହେଇ ଚାହିଁ ରହିଛି । ସଂଜିବ କହିଯିବା ଶେଷ କଥା ପଦକରୁ ଖିଅ ବାହାର କରୁଛି ମନେମନେ । ତାର ଭାଗ୍ୟ, ଭବିଷ୍ୟତର ଭାବନା ଗୁଡ଼ିକ ବୁଢିଆଣି ଜାଲ ପରି ଆକ୍ତାମାକ୍ତା କରି ପକାଉଛନ୍ତି ତା ମନକୁ । ରତାକୁଣ୍ଡି ନଈଜଳ ବାଲିମେଳା ଜଳଭଣ୍ଡାରରେ ଲିନ ହେଲା ପରି ଅଭିରାମ ତାର ଭାବନା ହ୍ରଦରେ ବୁଡିଯାଉଥିଲା . . . . Il


       ----------ସମାପ୍ତ---------

      


Rate this content
Log in