ଝିଅ ଟିଏ ସେ
ଝିଅ ଟିଏ ସେ
ସୁଦୂର ପୁରପଲ୍ଲୀ ରେ ତାର ଗାଆଁ।ଝିଅ ଟି ର ନାଆଁ ରୋଜି।ବାପା ତା ର ଜଣେ ଶିକ୍ଷକ।ପଢ଼ାପଢ଼ି ଉପରେ ଗୁରୁତ୍ବ ଦେଉଥିବା ପରିବାର ର ଏକମାତ୍ର କନ୍ୟା ସନ୍ତାନ। ଅନ୍ୟ ସମସ୍ତଙ୍କର ପୁଅ ଟିଏ ଥିବା ବେଳେ ଯେହେତୁ ତା ବାପାଙ୍କର ସେ ଝିଅ ଟିଏ ତେଣୁ ସମସ୍ତେ କହୁଥିଲେ ସେ ଝିଅ ଟିଏ ଆଉ ଝିଅ ର ଜନ୍ମ କେବଳ ପର ଘରକୁ ବୋଲି।ପୁଅ ଟିଏ ନାହିଁ କହି ରୋଜି ର ମାଆ ଙ୍କୁ ଅଶୁଭ କୁଳନାଶିନୀ ବୋଲି କହୁଥିଲେ। ଲୋକମାନଙ୍କ କଥା କୁ ରୋଜି ର ବାପା ମା କେବେ ବି କାନରେ ପୁରାନ୍ତି ନାହିଁ। ବରଂ ରୋଜି ର ଲାଳନ ପାଳନ ବହୁତ ଭଲ ଭାବେ କରନ୍ତି। ତୁଳସୀ ଦୁଇ ପତ୍ର ରୁ ବାସିବା ଭଳି ତାର ପ୍ରତିଭା ରୂପକ କଢି ଶୈଶବ ରୁ ହିଁ ପ୍ରସ୍ଫୁଟିତ ହେଇଥିଲା।ଗୋଟିଏ ଚାଉଳ ରେ ଗଢା କୁନି ଝିଅ ଟି କେବଳ ପଢ଼ା ନୁହେଁ ସେ ଖେଳକୁଦ,ତର୍କ ପ୍ରତିଯୋଗିତା ଏବଂ ଅନ୍ୟାନ୍ୟ କ୍ଷେତ୍ର ରେ ମଧ୍ୟ ଆଗୁଆ ଥିଲା।
ବାପା ମାଆ ତାକୁ ସଂସ୍କାର ସହ ଜୀବନ ରେ ଉଡ଼ିବା ର ତରିକା ବି ଶିଖାଉଥିଲେ।ବୋଧହୁଏ ଖଣ୍ଡିଉଡା ଦେଇ ଉଡୁଥିବା ସେ କୁନି ଚଢ଼େଇ ର ପ୍ରଥମ ଉଡାଣ ,ସଫଳତା ର ସେ ଲମ୍ବା ସିଢ଼ୀ ପାଇଁ ପ୍ରଥମ ପାହାଚ ର ମୂଳାଦୁଆ ପକେଇ ସେଥିରେ ରଙ୍ଗ ଦେଇଥିଲା।କାରଣ ସେ ତୃତୀୟ ଶ୍ରେଣୀ ମେଧା ବୃତ୍ତି ରେ ସମଗ୍ର ଜିଲ୍ଲା ରେ ପ୍ରଥମ ସ୍ଥାନ ଗ୍ରହଣ କରିଥିଲା ।ତାପରେ ତାର ଅକ୍ଲାନ୍ତ ପରିଶ୍ରମ ଆଉ ନିଷ୍ଠା ତାକୁ ସଫଳତା ର ଗୋଟେ ପରେ ଗୋଟେ ଶିଢ଼ୀ ଅତିକ୍ରମ କରିବାରେ ସାହାଯ୍ୟ କରିଥିଲା।ଶିଶୁ ପ୍ରତିଭା ସମ୍ମାନ ,ଦଶମ ଏବଂ ୨ ବିଜ୍ଞାନ ରେ ଶତକଡା ୯୫ ପ୍ରତିଶତ ନମ୍ୱର୍ ରଖି ପୁଅ ମାନଙ୍କୁ ପଛରେ ପକେଇ ଦେଇଥିଲା।ବାପାଙ୍କ ର ଗୋଟିଏ କଥା କୁ ସେ ବେଦ ର ଗାର ବୋଲି ମାନି ନେଇଥିଲା,ପରିଶ୍ରମ ନିରବତା ରେ କର ଆଉ ସଫଳତା ବିଜୟ ର ତୂରୀ ଫୁଙ୍କି ସଭିଙ୍କୁ ଜଣାଇବ ଯେ ତୁ ବି କୋଉ ପୁଅ ଠୁ କମ୍ ନୁହଁ ।ପୁଅ ,ଝିଅ ଭିତରେ ଫରକ୍ ଦେଖୁଥିବା ଲୋକଙ୍କର ମାନସିକତା ହିଁ ରୁଗ୍ଣ ।
ଅନେକ ବାଧା ବିଘ୍ନ ଦେଇ ଆସିଥିବା ସେ କୁନି ଝିଅ ଆଜି ଜଣେ ସୁନାମଧନ୍ୟ ବୈଜ୍ଞାନିକ।ତା ସଫଳତା ପରେ ଅବଶ୍ୟ ଲୋକଙ୍କ ର ତାକୁ ଝିଅ ଟିଏ ବୋଲି କହିବା ଆଉ ତା ମାଆ ବାପାଙ୍କୁ ଶୁଣେଇବା ବନ୍ଦ ହେଇଯାଇଛି।ଯୋଉ ଲୋକ କହୁଥିଲେ ସେ ଝିଅ ଟିଏ ତେଣୁ ଅଧିକ ଅବା କଣ କରିପାରିବ,ସେମାନେ ହିଁ କହୁଛନ୍ତି ଆଜିକାଲି ଝିଅ ,ପୁଅ ଭିତରେ ଆଉ କଣ ଫରକ୍ ଅଛି କି ?ପୁଅ ମାନ ଙ୍କ ବରାବର ହେଇ ଚାଲିଛନ୍ତି ଝିଅ ମାନେ।ହେଇ ଦେଖୁନ ଆମ ରୋଜି କେମିତି ଆମ ଗାଆଁ ର ଗର୍ବ ଆଉ ଗୌରବ।
ଉଡ଼ିବା ସମୟ ରେ ଅନେକ ବାଧା ଆସିବ,ଡେଣା କାଟି ଦେବା ର ସମସ୍ତ ଚେଷ୍ଟା ବି କରାଯିବ।ହେଲେ ଯିଏ ଏ ସବୁକୁ ଖାତିର ନ କରି ଜୀବନ ଆକାଶ ରେ ମନୋବଳ କୁ ଦୃଢ଼ କରି ପ୍ରଥମ ଉଡାଣ ରେ ରଙ୍ଗ ଭରିବାର ପ୍ରୟାସ କରିବ,ତାର ସ୍ବପ୍ନ ହିଁ ସାର୍ଥକ ହେବ ଆଉ ସିଏ ଲକ୍ଷପଥରେ ପହଞ୍ଚିବ।