ଡ.ସୁରେଶ ଚନ୍ଦ୍ର ବରାଡ଼

Romance Tragedy

4  

ଡ.ସୁରେଶ ଚନ୍ଦ୍ର ବରାଡ଼

Romance Tragedy

ଜଗ ଜଗ ନାରୀ

ଜଗ ଜଗ ନାରୀ

4 mins
14



   ଶ୍ୟାମ ଚେତା ହରେଇ ଗଛ କାଟିଲା ପରି ତଳେ ପଡ଼ିଯିବା ଦେଖି, ଚାରିଆଡେ଼ ହାଲ ହୁଲାରି ପଡ଼ିଗଲା। ସାଇ ପଡ଼ିଶା ସମସ୍ତେ ଆସି ଶ୍ୟାମର ଘର ଅଗଣାରେ ଜମା ହୋଇ ଗଲେ। ଶ୍ୟାମର ସେବା ଶୁଶ୍ରୂଷାରେ ଲୋକମାନେ ଲାଗି ପଡ଼ିଲେ। କିଏ ମୁଣ୍ଡରେ ତେଲ ଘଷି ଦେଲା ତ କିଏ ପାଦରେ ଘସି ଦେଲା। କିଏ ବିଂଛଣା କରି ଦେଲାତ କିଏ ଆଣି ମୁହଁରେ ପାଣି ଛିଞ୍ଚି ପକେଇଲା। କେତେକ ନାକ କାନ ଚିପି ଧରିଲେ। ଜଣେ କେହି ମୁହଁକୁ ମୁହଁରେ ଲଗେଇ ଫୁଙ୍କିବାକୁ ଲାଗିଲା।

ଶ୍ୟାମଟା ଭାରି ସରଳ ମଣିଷଟିଏ। ସଦା ହସ ହସ ପାଞ୍ଚଫୁଟ ଛଅ ଇଂଚର ଗୋରା ଆକର୍ଷଣୀୟ ଶରୀରବାଲା ମେହେନତି ମଣିଷଟା। ଚିହ୍ନା ଅଚିହ୍ନା ନାହିଁ ସଦା ସାହାଯ୍ୟ କରିବାକୁ ଆଗଭର। ଗାଁରେ ସମସ୍ତେ ତାକୁ ଭାରି ଭଲ ପାଆନ୍ତି। କାହାର ଭୋଜି ଭାତ ହେଲେ, ଗାଁରେ ମେଳା ମହୋତ୍ସବ ଆୟୋଜନ ହେଲେ ସର୍ବଦା ଆଗରେ ଆସି ଛିଡ଼ା। ବିଶେଷ ଜମି ବାଡ଼ି ନାହିଁ। ଗାଁରେ ଅନ୍ୟ ଜମିରେ କାମ କରେ ମୂଲ ଲାଗେ ସେଥିରେ ଯେତିକି ରୋଜଗାର ହୁଏ ସେଇଥିରେ ଛଅ ପ୍ରାଣୀ କୁଟୁମ୍ବ ପୋଷେ। 

କାଲି ଭଳିଆ ଲାଗୁଛି। ଭେଣ୍ଡା ପୁଅଟାର ବୟସ ଚାଲି ଯାଉଛି ବୋଲି ଭାବି ବାପା ମାଆ ଏଇ ରାଧାକୁ ଘରକୁ ବୋହୂ କରି ଆଣିଥିଲେ। ପାଖ ଗାଁ ପାଣି ଭଣ୍ଡାରର ଜେନା ଘରର ଗୋଟିଏ ବୋଲି ଝିଅ। ଗୋଟିଏ ଚାଉଳରେ ଗଢ଼ା। ଗୋରା ତକ୍ ତକ୍ ଦେହଟା, ଟଣା ଟଣା ଆଖି ସାଙ୍ଗକୁ ଲମ୍ବା ଲମ୍ବା ଚୁଟି। ଲହକି ଲହକି ଚାଲି ତାର ଭାରି ଆକର୍ଷଣୀୟ। ଭଲି ପୁଅ ଦେଖିଲେ କ୍ଷଣେ ଚାହିଁ ରହିବ।

ସମସ୍ତଙ୍କର ପ୍ରଚେଷ୍ଟା କାମ ଦେଲା। ଶ୍ୟାମର ଚେତା ଫେରି ଆସିଲା। ଚେତା ଆସୁ ଆସୁ ଶ୍ୟାମର ଚିନ୍ତା ଓ ଚେତନାକୁ ଘେରି ବସିଲା ରାଧା।

ଏଇ ରାଧା ଯେଉଁଦିନ ଶ୍ୟାମ ଘରକୁ ଆସିଲା ଶ୍ୟାମର ଗୋଡ଼ ତଳେ ଲାଗି ନ ଥିଲା। ନାଲି ଟୁକୁଟୁକୁ ଅଳତା ଲଗା ପାଦ ତା’ର ଭସା ବଉଦରେ ଭରା ରାତି ଆକାଶରେ ଚାନ୍ଦ ଦେଖାଗଲା ପରି ଲୁଗା ଫେର ଭିତରୁ କେତେବେଳେ କେମିତି ଦେଖା ଗଲେ ତା ଆଖି ଚମକି ଉଠୁଥିଲା। 

ଚଉଠି ରାତିରେ ଲାଜର ଓଡ଼ଣା ଟେକି ଶ୍ୟାମ ଯେତେବେଳେ ରାଧାର ଲାଜରେ ଲାଲ ହୋଇ ଯାଇଥିବା ତୋଫା ମୁହଁକୁ ଦେଖିଥିଲା ତାକୁ ଲାଗିଥିଲା ତା ନିଜର ଦୃେ୍ଟି ପଡ଼ିଯିବ ପରା। ଦୁଇ ପାପୁଲିରେ ରାଧାର ମୁହଁକୁ ଧରିବା ବେଳେ ତାକୁ ଲାଗୁଥିଲା ସତେ ଯେମିତି ସେ ଶାରଦୀୟ ପୂର୍ଣ୍ଣ ଚନ୍ଦ୍ରକୁ ତୋଳି ଧରିଛି। 

ସେଦିନ ସେ ରାଧାକୁ କହିଥିବା କଥା ତା’ର ଆଜି ବି ସ୍ପଷ୍ଟ ମନେ ପଡ଼ି ଯାଉଛି। ସେ କହିଥିଲା, “ମୋ ରାଧା ମୋ ଜୀବନ ସାରା ମୋ ହୃଦୟର ଅଧା ହୋଇ ରହିବ।” ରାଧା ଲାଜେଇ ଯାଇ ପ୍ରତିଶୃତି ଦେଇ କହିଥିଲା, “ଶ୍ୟାମ ହୁଏତ କେବେ କେବେ ମିରାର ଆବେଦନରେ ଚହଲି ପାରେ କିନ୍ତୁ ରାଧା ସର୍ବଦା ଶ୍ୟାମର।”

ସେଦିନ ଚଉଠି ଦୀପ ଲିଭିଥିଲା କିନ୍ତୁ ରାଧା ଓ ଶ୍ୟାମ ଜୀବନରେ ଦୁଇ ଦୀପ ରୂପେ କୋଳ ମଣ୍ଡନ କରିଥିଲେ କବିତା ଓ ସବିତା। ହସ ଖୁସିରେ ବହି ଚାଲିଥିଲା ଜୀବନର ସ୍ରୋତ ଛଳଛଳ ହୋଇ କଳକଳ ହୋଇ। ଗାଁରେ ମୁଲ ଲାଗି ଝାଳ ବୁହାଇ ଯେତିକି ରୋଜଗାର କରି ଆଣୁଥିଲା ଶ୍ୟାମ ସେତିକିରେ ସୁନ୍ଦର ଭାବେ ଘର ଚଳାଇ ନେଉଥିଲା ରାଧା। 

ଦିନ ବିତି ଚାଲିଲା। କବିତା ଓ ସବିତା ପାଠ ପଡ଼ିବା ପାଇଁ ସ୍କୁଲ ଗଲେ। ଦିନେ ଶ୍ୟାମ ଆସି ରାଧାକୁ କହିଲା, “ବୁଝିଲୁ ରାଧା ପିଲେ ବଡ଼ ହେଲେଣି। ସ୍କୁଲ ଗଲେଣି। ଚାହୁଁ ଚାହୁଁ ବଡ଼ ହୋଇ ଯିବେ। ସେମାନଙ୍କୁ ଅଧିକ ପଢେ଼ଇବା। ବାହା ଦେବା। ଏଇ ରୋଜଗାରରେ କ’ଣ ଏତେ କଥା ଏତେ କାମ କରି ପାରିବା?” ରାଧା କହିଥିଲା, “ଚିନ୍ତା କରନା। ତୁମେ ତ କଠିନ ପରିଶ୍ରମ କରୁଛ। ଭଗବାନ ଅଛନ୍ତି। ସେ କ’ଣ ନାଇଁ କ’ଣ ଆମ ପାଇଁ ବ୍ୟବସ୍ଥା ତ କରି ରଖିଥିବେ। ତୁମେ ବ୍ୟସ୍ତ କାହିଁକି ହେଉଛ?” ରାଧାର ସମର୍ଥନରେ ଶ୍ୟାମ ଖୁସି ହୋଇ ତାକୁ ତା ବାହୁ ପାଶରେ ବୃକ୍ଷକୁ ଲତା ବେଢ଼ାଇ ଧରିଲା ପରି ବେଢ଼ାଇ ଧରି ତା ଓଠରେ ଭରି ଦେଇଥିଲା ଉଷ୍ମ ସ୍ବାକ୍ଷରଟିଏ। ସେ ଉଷ୍ମତା ଏବେ ବି ଶ୍ୟାମ ଅନୁଭବ କରୁଥିଲା ତା ଓଠରେ। ଏବେ ବି ରୋମାଞ୍ଚିତ ହେଉଥିଲା ତା’ ଶରୀର। 

ସେ ଦିନ ସେ ରାଧାକୁ କହିଥିଲା, “ରାଧା! ମୁଁ କିଛି ଦିନ ପାଇଁ ବିଦେଶ ଯାଉଛି। ସେଇଠୁ ରୋଜଗାର କରି ଢେ଼ର ଟଙ୍କା ପଠେଇବି। ଆମର ଦାରିଦ୍ର୍ୟ ହଟି ଯିବ। ଆମ ପିଲାମାନଙ୍କ ପାଠ ପଢ଼ା ସହିତ ବାହାଘର ଆମେ ଧୁମ ଧାମରେ କରିବା। ତୁ ଦୁଃଖ କରିବୁନି। କିଛି ଦିନର କଥା ମାତ୍ର। ମୁଁ ଫେରି ଆସିଲେ ଆମ ଜୀବନ ପୁଣି ହସ ଖୁସିରେ ଭରି ଯିବ। ପିଲାଙ୍କ ପାଇଁ ଏତିକି କରିବା ନା?” ରାଧା ମନ ମାରି କହିଥିଲା, “ତୁମେ ମୋତେ ଛାଡ଼ି କରି ଯାଅନା। ତୁମ ବିନା ମୁଁ ଏଠି ବଞ୍ଚିବି କେମିତି? କ୍ଷଣଟା ମୋତେ ଯୁଗ ପରି ମନେ ହେବ। ତୁମ ଅନୁପସ୍ଥିତିରେ ଏ କବିତା ସବିତାଙ୍କର ଯତ୍ନ ମୁଁ ନେବି କେମିତି?” ଶ୍ୟାମ ରାଧାକୁ ବୁଝାଇ କହିଥିଲା, “ମାତ୍ର କିଛି ଦିନର କଥା। ତୁମକୁ ଛାଡ଼ି ବିଦେଶ ଯିବା କଥା ଚିନ୍ତା କଲାବେଳକୁ ମୋ ଶରୀର ମୋ ମନ ଅବସ୍ଥା ମହାଭାରତ ଯୁଦ୍ଧ ଆରମ୍ଭରେ ଅଜ୍ଜୁର୍ନଙ୍କ ଅବସ୍ଥା ପରି ହୋଇ ଯାଉଛି। କିନ୍ତୁ ପିଲାମାନଙ୍କ ଭବିଷ୍ୟତ ଚିନ୍ତା ମୋତେ ତାହାଠାରୁ ଅଧିକ ଦୁର୍ବଳ କରି ପକାଉଛି। ଆମ ପିଲାଙ୍କ ପାଇଁ ଆମେ କ’ଣ ଏତିକି କରିପାରିବା ନାହିଁ?” ବଡ଼ କଷ୍ଟରେ ରାଜି ହୋଇଥିଲା ସେଦିନ ରାଧା ଶ୍ୟାମର କଥାରେ। ରାଧା ଶ୍ୟାମ ଠାରୁ ବଚନ ମାଗି କହିଥିଲା, “ମୋତେ କଥା ଦିଅ ତୁମେ ଶୀଘ୍ର ପେରି ଆସିବ।” ଶ୍ୟାମ ରାଧାର ଓଠ ଛୁଇଁ ଶପଥ କରି କହିଥିଲା, “ପ୍ରିୟେ! ବହୁତ ଶୀଘ୍ର ନିଶ୍ଚୟ ଫେରି ଆସିବି କଥା ଦେଉଛି।” ଏହା ସହିତ ରାଧାକୁ କହିଥିଲା ଶ୍ୟାମ, “ମୋତେ କଥା ଦିଅ ମୋ ଅନୁପସ୍ଥିତିରେ ତୁମେ କେବେ କାନ୍ଦିବନି। ପିଲାମାନଙ୍କର ଠିକ୍ ରୂପେ ଯତ୍ନ ନେବ।” ରାଧା କାନ୍ଦି କାନ୍ଦି ଶ୍ୟାମର ବାହୁରେ ଲୋଟି ଯାଇଥିଲା ସେ ଦିନ।

ଶ୍ୟାମର ଏବେ ବି ମନେ ପଡ଼ି ଯାଉଛି ସେ ଦିନ। ଯେଉଁ ଦିନ ଅଶ୍ରୁଳ ନୟନରେ ତାକୁ ବିଦାୟ ଦେଇଥିଲା ରାଧା। ତା’ ଆଖି କହୁଥିଲା, ଧନ! ଶୀଘ୍ର ବହୁତ ଶୀଘ୍ର ଫେରି ଆସିବ। 

ହେଲେ ଆଜି! ଆଜି କ’ଣ ଏମିତି ହୋଇଗଲା ଯେ ସେ ତା ପାଖକୁ ଆସିବାକୁ ମନା କରୁଛି। ଶ୍ୟାମ ଏ କତା ଭାବୁ ଭାବୁ ପୁଣି ଅଚେତ ହୋଇ ଗଲା। କିଛି ସମୟ ପରେ ଚେତା ଆସିଲାରୁ ସେ ପୁଣି ରାଧା! ରାଧା! ବୋଲି ଚିତ୍କାର କରିବାକୁ ଲାଗିଲା। ସେ କହିଲା, “ନା, ମୁଁ ନିଜେ ରାଧାକୁ ସାମନା ସାମନି ହୋଇ ପଚାରିବାକୁ ଚାହେଁ, ଏମିତି କ’ଣ ହୋଇଗଲା ଯେ ରାଧା ମୋର ମୋତେ ଦେଇଥିବା ତା’ ବଚନରୁ ଓହରିଗଲା। ହଁ ହଁ ମୋତେ ତା’ ପାଖକୁ ନିଅ ମୁଁ ତା ମୁହଁରୁ ଶୁଣିବାକୁ ଚାହେଁ ଏହାର କାରଣ।” ଏତିକି କହୁ କହୁ ପୁଣି ଅଚେତ ହୋଇଗଲା ଶ୍ୟାମ.....।



Rate this content
Log in

Similar oriya story from Romance