ଜେଜେଙ୍କ ସ୍ୱାସ୍ଥ୍ୟ ବାଣୀ
ଜେଜେଙ୍କ ସ୍ୱାସ୍ଥ୍ୟ ବାଣୀ
ବୟସ ପାଞ୍ଚ କୋଡ଼ି ପାଖା ପାଖି ହେବ l ନାଁ ଟି ତାଙ୍କର ସଦାଶିବ ରାଉତ l ମୁଣ୍ଡରେ ପାଚିଲା କେଶ, ମୁହଁରେ ସୌନ୍ଦର୍ଯ୍ୟ ଅବସାନ ପ୍ରାୟ l ଦେହଟି ଶ୍ୟାମଳ ବର୍ଣ୍ଣ l ଏ ବୟସରେ ବୃଦ୍ଧଟି ନିଜେ ନିଜ କର୍ମ କରିବା ସହ ବାରି ଘରେ ଛୋଟ ମୋଟ କାମ ବି କରିପାରୁଛନ୍ତି l ତାଙ୍କ ଆଖି ଆଗରେ ତାଙ୍କର ପୋଷିଲା ପୁଅଟି କାଳ ହୋଇଯାଇଛି l ଘର ପରିବାର କହିଲେ ବୋହୁ ଓ ନାତି ଚିଣ୍ଟୁ l ସଦାଶିବ ଗାଁ ଟା ଯାକ ପିଲାଙ୍କର ଜେଜେ କହିଲେ ଚଳିବ l ଏଇ ହାତରେ ସେ କେତେ କଅଁଳ ବୟସର ଲୋକଙ୍କ ଶବକୁ ନେଇ ଶ୍ମାଶନରେ ପୋଡିଛି l ପାଖରେ ପିଲାମାନେ ବସିଲେ ସ୍ୱାସ୍ଥ୍ୟ ଓ ସମାଜ ବିଷୟରେ ନିଜ ଅଭିଜ୍ଞତାରୁ କିଛି ହିତ ଉପଦେଶ କଥା କୁହନ୍ତି, ହେଲେ ଏମାନେ ଆଜି କାଲିକା ଟୋକା ଏମାନେ କାହିଁକି ଏ କଥା ଶୁଣିବେ l ଏ କାନରେ ପୁରେଇ ସେ କାନରେ ବାହାର କରି ଦିଅନ୍ତି, ଓଲଟି କୁହନ୍ତି "ଜେଜେ ତୁମ ଜମାନା ଆଉ ଚଳିବନି."
ଦିନେ ଦାଣ୍ଡ ବାରଣ୍ଡାରେ ଚାଞ୍ଚ ଟିଏ ପକେଇ ପାନ ବାଟୁଆରୁ ପାନ କାଢି ପାନ ଦାନୀରେ ଛେଚୁ ଥାଆନ୍ତି l ଏତିକି ବେଳେ ତାଙ୍କ ନାତି ଚିଣ୍ଟୁ ଓ ତାର ସାଙ୍ଗ ଦୟା ଦୁଇ ଜଣ ଆସି ଜେଜେ ପାଖରେ ବସି ପଡିଲେ l କଣ ତାଙ୍କ ମୁଣ୍ଡକୁ ଜୁଟିଲା କେଜାଣି ଚିଣ୍ଟୁ କହିଲା "ଜେଜେ ଗୋଟେ କଥା କହିଲ ତୁମକୁ ଶହେ ପାଖାପାଖି ବୟସ ହେଲାଣି ତୁମେ ଏ ବୟସରେ ସୁସ୍ଥ ଅଛ, ତୁମେ କାହାର ସାହାରା ନେଉନ l ତୁମ ଠାରୁ କମ ବୟସର ଲୋକମାନେ ରୋଗଗ୍ରସ୍ତ ହେଉଛନ୍ତି ଓ କମ ବୟସରେ ମୃତ୍ୟୁବରଣ କରୁଛନ୍ତି "l
ଜେଜେ ହସି ହସି କହିଲେ "ଆରେ ନାତି ଟୋକା ଜୀବନର ବଡ଼ ସମ୍ପଦ ସ୍ୱାସ୍ଥ୍ୟ, ସ୍ୱାସ୍ଥ୍ୟ ସୁସ୍ଥ ରହିବାକୁ ସୁନ୍ଦର ପରିବେଶ ଓ ନିରୋଗ ଖାଦ୍ୟ ଦରକାର l ମୁଁ କେବେ ପାନେ ଔଷଧ ଖାଇନି କି ଡାକ୍ତର ଖାନା ଯାଇନି, କେତେବେଳେ କେମିତି ଅସୁବିଧା ହେଲେ ତୁଳସୀ ବେଲପତ୍ର କି କିଛି ଚେର ମୂଳି ଖାଇଦେଲେ ରୋଗ ଭଲ l
ଆମ ପିଲାବେଳେ ଭାରି ଅଭାବ, ପେଟ ଭରି ଗଣ୍ଡେ ଖାଇବାକୁ ମିଳୁ ନ ଥିଲା l ଆମେ କୋଳଥ ଡାଲିରେ ମୁଠେ ଭାତ ପକାଇ ପେଟେ ପେଟେ ଖାଇ ଦେଉଥିଲୁ l ପେଟେ ପେଟେ ସାରୁ ତରକାରୀ ଖାଇ ଦେଉଥିଲୁ l କୋଳଥ ଦେହରେ ପଥୁରୀ ରୋଗ, ଥଣ୍ଡା ରୋଗର ମୂଳ ମାରି ଦେଉଥିଲା l ଏବେ ତୁମେ ମାନେ ତାକୁ ବଳଦ ଡାଲି କହୁଛ l ବିଲରେ ଦେଶୀ ଧାନ କମ୍ପୋଷ୍ଟ ଦେଇ କରୁଥିଲୁ, ଯାହାକି ରୋଗ ପ୍ରତିରୋଧକ ଶକ୍ତିର ମୂଳ କାରଣ ଥିଲା l ଏବେ ତୁମ୍ଭେ ମାନେ ଜମିରେ ରାସାୟନିକ ସାର କୀଟ ନାସକ ଔଷଧ ବ୍ୟବହାର କରୁଛ, ଯାହାକି ରୋଗର ମୂଳ କାରଣ l
ବାଡ଼ି ଘରେ ଶାଗ, ଲଙ୍କା, ବାଇଗଣ, ସାରୁ, ଜହ୍ନି, ଛଚିନ୍ଦ୍ରା ଇତ୍ୟାଦି ଗଛ ଲଗାଇ ସେଥିରୁ ପରିବା ଖାଉଥିଲୁ l ବର୍ଷ ସାରା ଜମିରୁ ହୋଇଥିବା ମୁଗ, ବିରି, କୋଳଥ, ବରଗୁଡ଼ି ଇତ୍ୟାଦିକୁ ଡାଲି ରୂପେ ବ୍ୟବହାର କରୁଥିଲୁ, ଯେଉଁଥିରେ କୀଟ ନାଶକ କିମ୍ବା ରାସାୟନିକ ସାରର ପ୍ରୟୋଗ କରା ଯାଉ ନ ଥିଲା l ରାଶିକୁ ପେଷି ତାର ତେଲକୁ ଦେହରେ ଲଗାଇ ହେଉଥିଲୁ l
ନାତି ଟୋକା ଶୁଣୁରେ "ଆମ ପାଖରେ ଏମିତି ଗୋଟେ ଅମୂଲ୍ୟ ଜିନିଷ ଅଛି ଯାହାକୁ ତୁମେ ଚିହିଁ ପାରୁନ, ସେଇଟି ହେଲା ପେଶୁ ବା ଅଳସି, ପେଶୁକୁ ପେଷି ତାର ତେଲ ରୋଷେଇ କରି ଖାଇଲେ ହୃଦରୋଗ, ଉଚ୍ଚରକ୍ତଚାପ ରୋଗ ପାଖ ମାଡ଼େନି l ଆମେ ପେଶୁ ତେଲ ଓ ପେଶୁକୁ ଭାଜି ମୁଢିରେ ଖାଉଥିଲୁ l କିନ୍ତୁ ତୁମ୍ଭେ ମାନେ ବର୍ତ୍ତମାନ ପୋଡା ମୋବିଲିରେ ତିଆରି ତେଲକୁ ଖାଉଛ l ଯେଉଁଥିରେ ରାସାୟନିକ ଦ୍ରବଣ ଦିଆଯାଇଛି l
ସକାଳୁ ଉଠି ଆମେ ମୁଢି ଚୁଡା ଗୁଡ ଜଳଖିଆ ଖାଉଥିଲୁ l ତୁମେ ଏବେ ଫାଷ୍ଟ ଫୁଡ ଖାଇବାକୁ ବଜାରକୁ ଯାଉଛ,ଆମେ ଜାଲ ପୋହଳା ବସାଇ ଚିଡେଇ ଚିଡେଇ ଚୁନା ମାଛ ଆଣି ଖାଉଥିଲୁ l ତୁମେ ଏବେ ଚାରି ପାଞ୍ଚ ଦିନର ବରଫ ଦିଆ ମାଛ ଖାଉଛ l ହାଣ୍ଡିରେ ହାଣ୍ଡିଏ ଚୁନାପକା ଶାଗ ସମସ୍ତେ ପେଟ ଭରି ଖାଉଥିଲେ l
ଏତିକି ବେଳେ ଦୟା ଫେଁ କରି ହସି ଦେଲା ଏବଂ କହି ପକେଇଲା "ଏହେ "
ଜେଜେ ତା ମୁହଁକୁ ଚାହିଁ କହିଲେ "ହଇରେ ତୁ ହାତୀ ଦେଖିଛୁ "
ଦୟା କହିଲା "ହଁ "
ଜେଜେ କହିଲେ "ହାତୀ କେଡେ ବଡ଼."
ଦୟା କହିଲା "ହାତୀ ବହୁତ ବଡ଼ "
ଜେଜେ କହିଲେ "ହାତୀ କଣ ଖାଏ "
ଦୟା କହିଲା "ହାତୀ ଗଛ ଡ଼ାଳ ଖାଏ "
ଜେଜେ କହିଲେ "ହଁ, ହାତୀ ଯଦି ଗଛ ଡ଼ାଳ ଖାଇ ଏତେ ବଡ଼ ହୋଇପାରିଲା ଓ ନିରୋଗ ହେଲା, ଆମେ କାହିଁକି ସବୁଦିନ ଶାଗ ଖାଇ ସୁସ୍ଥ ରହିବାନି ?"
ହଉ ଶୁଣ:= ଚାରିଆଡେ ବଣ ତୋଟା ଥିଲା ବିଭିନ୍ନ ପ୍ରକାର ଫଳ ବିଭିନ୍ନ ପ୍ରକାର କୋଳି ଆମେ ଖାଉ ଥିଲୁ, ଜାମୁକୋଳି ମଧୁ ମେହ ରୋଗର ଯମ, ବରକୋଳି ଭଇଁଚି କୋଳି, ଶାଗଡ଼ବାଟୁଆ କୋଳି ଏମିତି କେତେ କୋଳି ଖାଉଥିଲୁ, ଯାହା ଦ୍ୱାରା ଗଳାରୋଗରୁ ମୁକ୍ତି ମିଳୁଥିଲା l ହେଲେ ଆଜି କାଲି ଗଛ କାଟି ପଦା କଲ, ପରିବେଶ ଖରାପ କଲ, ତୁମକୁ ରୋଗ ହେବନିତ କାହାକୁ ହେବ ?
ଦାଣ୍ଡ ଦୁଆର ଘର ଆମର ମାଟିରେ ଥିଲା l ଚାଳ ଘର ଖରାଦିନେ ଥଣ୍ଡା ଶୀତ ଦିନେ ଉଷୁମ ରହୁଥିଲା l ତୁମେ ମାନେ ଚାରିଆଡେ କଂକ୍ରିଟ ଢ଼ଳେଇ ପକେଇଲ, ସେଥିରୁ ଯେଉଁ ଉତ୍ତାପ ବାହାରିଲା ବାୟୁ ମଣ୍ଡଳରେ ମିଶି ବାୟୁକୁ ଉତ୍ତପ୍ତ କଲା l ଦୂର ଜାଗାକୁ ଗଲେ ଆମେ ପାଦରେ ଚାଲି ଚାଲି ଯାଉଥିଲୁ l ମାଟି ଉପରେ ବହୁତ ସମୟ ଖାଲି ଗୋଡ଼ରେ ଚାଲୁଥିଲୁ l କିନ୍ତୁ ତୁମମାନଙ୍କ ପାଦରୁ ଜୋତା ବାହାରୁନି, ତୁମେ ଦିଖୋଜ ବାଟକୁ ମଟର ଗାଡି ନ ହେଲେ ଯାଉନ l ଜମିବାଡ଼ି ପଡିଆ ପକେଇ ପେଣ୍ଟ ସାର୍ଟ ପିନ୍ଧି ବୁଲୁଛ l ଆମେ ବିଲରେ କଠିନ ପରିଶ୍ରମ କରି ଫସଲ ତିଆରି କରୁଥିଲୁ, କିନ୍ତୁ ତୁମେମାନେ ମେସିନ ସାହାଯ୍ୟରେ ଚାଷ କାମ କରୁଛ, ଦେହ ପାଇଁ ଯେତିକି ବ୍ୟାୟାମ ଦରକାର ତୁମେମାନେ କରୁ ନାହଁ, ସେଥିପାଇଁ ତୁମେ ଏ ସବୁର ଶିକାର ହେଉଛ l
"କଥାରେ ନାହିଁ ଆପଣା ହସ୍ତେ ଜ୍ୱିହା ଛେଦି ତାର କେ ଅଛି ପ୍ରତିବାଦୀ,"
ଚିଣ୍ଟୁ ଓ ଦୟା ଜେଜେ ଠାରୁ ଏ ସବୁ ଶୁଣି ଶୁଣି ମନେ ମନେ ଭାବିହେଉଥିଲେ "ସତରେ ସେ ଜମାନା ଫେରି ଆସନ୍ତାନି,"।