Lokanath Rath

Inspirational Children

4.1  

Lokanath Rath

Inspirational Children

ଜେଜେ ତୁମେ ବଦଳି ଯିବନି

ଜେଜେ ତୁମେ ବଦଳି ଯିବନି

5 mins
254


ସକାଳୁ ଉଠି ନିଜର ନିତ୍ୟକର୍ମ ସାରି ଦେବେନ୍ଦ୍ର ବାବୁ ବଜ଼ାରକୁ ବାହାରିଗଲେ ପତ୍ନୀ ମନୋରମାଙ୍କର ଚିଠା ଧରି l ଯିବା ପୂର୍ବରୁ ମନୋରମାଙ୍କର ହାତ ତିଆରି ଚାହା କପେ ଓ ଜଳଖିଆ ଖାଇ ସାରିଥିଲେ l ଚପଲ ପିନ୍ଧୁ ପିନ୍ଧୁ ଘର ଭିତରୁ ମନୋରମା କହିଲେ,''ଚିଠା ଦେଖି ସବୁ ଜିନିଷ ଆଣିବ l ପରିବା ଆଣିବା ବେଳେ ଟିକେ ଦେଖି କରି ଆଣିବ l ସାଙ୍ଗମାନଙ୍କ ସହିତ ବସି ବେଶୀ ସମୟ ଖଟି ମାରିବ ନାହିଁ l ତୁମେ ଜଲଦି ଆସିଲେ ମୁଁ ରୋଷେଇ କରିବି l ‘‘ଏତକ ଶୁଣି ଦେବେନ୍ଦ୍ର ବାବୁ ଟିକେ ହସି ଦେଇ କହିଲେ,''ହଉ ହେଲା l ତୁମର ସବୁ କଥା ମନେ ରଖିଲି l ଏବେ ଯାଉଛି l ‘‘ଦେବେନ୍ଦ୍ର ବାବୁ ଘରୁ ବାହାରି ଗଲେ l ଏବେ ଚାକିରିରୁ ଅବସର ନେବା ପରେ ସେ ମନୋରମାଙ୍କ ସହିତ ଏକ ରହୁଛନ୍ତି l ପୁଅ ଦେବଦତ୍ତ ଜଣେ ଯନ୍ତ୍ରୀ ଓ ସେ ସୁଦୂର ଆମେରିକାରେ ନିଜ ପରିବାର ସହିତ ରହୁଛି l ଦେବଦତ୍ତର ପତ୍ନୀ ସୁନିତା ଓ ସେମାନଙ୍କର ପୁଅ ଅରମାନ ଗତ ମାସରେ ଆସିଥିଲେ ଦୀର୍ଘ ତିନି ବର୍ଷ ପରେ l ସେମାନେ ଦେବେନ୍ଦ୍ରଙ୍କ ସହିତ ପ୍ରାୟ ଏକ ମାସ ରହିଲେ ଓ ପୁଣି ନିଜ କର୍ମକ୍ଷେତ୍ରକୁ ଚାଲିଗଲେ l ଦେବେନ୍ଦ୍ର ଓ ମନୋରମାଙ୍କ ପାଇଁ ସେହି ଏକ ମାସ ସମୟ ଏବେ କେତେ ବର୍ଷର ସ୍ମୃତି ହୋଇ ରହିବ l ସେ ସମୟ ତାଙ୍କ ନାତି ଅରମାନ, ଯିଏ କି ଏବେ ୮ ବର୍ଷ ବୟସର,ତାଙ୍କୁ ବହୁବାର ତାଙ୍କ ଅତୀତକୁ ନେଇ ଯାଇଥିଲା l ଅରମାନ ସହିତ ବିତିଥିବା ମୁହୂର୍ତ୍ତଗୁଡିକ ବହୁତ ସ୍ମରଣୀୟ l ଛୋଟ ପିଲା ହେଲେ କଣ ହେବ, ସେ ବହୁତ ବୁଦ୍ଧିମାନ ଓ ତାର ବୁଝିବାର କ୍ଷମତା ବଡ଼ ଲୋକଙ୍କ ଠାରୁ ଢେର ଉନ୍ନତ ମାନର l ଦେଖୁ ଦେଖୁ ଦେବେନ୍ଦ୍ର ବାବୁ ତେଜରାତି ଦୋକାନ ପାଖରେ ପହଞ୍ଚିଗଲେ l ପକେଟରୁ ମନୋରମାଙ୍କ ଚିଠା କାଢି ଜିନିଷ କିଣିଲେ ଓ ଆଗେଇ ଗଲେ ପରିବା କିଣିବାକୁ l ପରିବା ବଜ଼ାରରେ ପହଞ୍ଚି ବାଛି ବାଛି ପରିବା କିଣିଲେ l ଶେଷରେ ଟିକେ ଆଗକୁ ଯାଇ ରାମ ପାନ ଦୋକାନ ପାଖରେ ଦେଖିଲେ ଦୁଇ ସାଙ୍ଗ ହରି ଓ ବସନ୍ତ ବି ସଉଦା କିଣି ବସିଛନ୍ତି l ଦୂରରୁ ଦେବେନ୍ଦ୍ର ବାବୁଙ୍କୁ ଦେଖି ଦୁଇଜଣ ଯାକ କହିଲେ,''ଆଜି ବୋଧହୁଏଟିକେ ଲମ୍ବା ଚିଠା ଥିଲା l ସେଥିପାଇଁ ଦୁଇ ହାତରେ ଦୁଇଟା ଝୁଲା l ‘‘ଦେବେନ୍ଦ୍ର ବାବୁ ଟିକେ ହସିଦେଇ କହିଲେ,''ହଁରେ ଭାଇ,ଯାହା ଆମ ପତ୍ନୀଙ୍କର ଚିଠା,ସେ ହିସାବରେ ନନେଲେ ପୁଣି କିଏ ଆଉଥରେ ଆସିବ ? ସେଥିପାଇଁ ଚିଠା ଦେଖି ସବୁ କିଣିବାକୁ ପଡିଲା l ଆଚ୍ଛା ଆମ ଗୋପାଳ କୁଆଡେ ଗଲା l ସେ କଣ ଆସିକରି ଚାଲିଗଲାଣି ? ‘‘ବସନ୍ତ ଏତକ ଶୁଣି କହିଲା, ‘‘ନାଇଁ ସେ ତ ଏଯାଏ ଆସିନାହିଁ l ବିଦେଶରୁ ତା ପୁଅ,ବୋହୁ ଓ ନାତି ଆସିଛନ୍ତି ତ, ବୋଧହୁଏ ସେଥିପାଇଁ ବ୍ୟସ୍ତ ଥିବ l ‘‘ବସନ୍ତ ପାଟିରୁ କଥା ସରୁ ସରୁ ଗୋପାଳ ବି ଆସି ପହଞ୍ଚି ଗଲା l ଏଇ ଚାରିଜଣ ଯାକ ପିଲାଦିନରୁ ଏକ ସାଙ୍ଗରେ ପଢୁଥିଲେ l ବଡ଼ ହୋଇ ବାହାରେ ଚାକିରୀ କରୁଥିଲେ ଓ ଅବସର ପରେ ପୁଣି ନିଜ ସହରକୁ ଆସିଲା ପରେ ଏକାଠି ହେଇଛନ୍ତି l ଏବେ ଯାଏଁ ସେମାଙ୍କର ସେଇ ସମ୍ପର୍କ ରହିଛି l ଗୋପାଳ ଆସି ସିଧା ରାମୁ ପାଖରୁ ଗୋଟିଏ ସିଗାରେଟ ନେଇ ଟାଣି ତନୁ ମନ ମାରି ଦେବେନ୍ଦ୍ର ପାଖରେ ବସିଗଲା l ଗୋପାଳର ମୁହଁକୁ ଦେଖି ହରି ପଚାରିଲା, ‘‘ଆରେ କଣ ତୋର ହେଇଚି ? ଏମିତି ମୁହଁ ଶୁଖେଇ କାହିଁକି ବସିଛୁ ? ‘‘ଏତକ ଶୁଣି ଗୋପାଳ ଟିକେ ଦୁଃଖୀ ହୋଇ କହିଲା, ‘‘ନାହିଁରେ ଭାଇ ମୋର କପାଳ ଫଟା l ଭାବିଥିଲି ଏତେଦିନ ପରେ ପିଲାମାନେ ସବୁ ଆସିଛନ୍ତି ଆମ ପାଖରେ ରହିବେ, କିନ୍ତୁ ସାତ ଦିନ ହେଇନି, ଆଜି ବାହାରି ବୋହୂର ବାପଘରକୁ ଚାଲିଗଲେ l ସେଠାକୁ ଗଲେ କିଛି ଦୁଃଖ ନାହିଁ,କିନ୍ତୁ ବଡ ଦୁଃଖ ଲଗୁଛି ତାଙ୍କ କଥା ଶୁଣି l ମୋତେ ମୋ ନାତି କହିଲା ଯୁଗ ସାଙ୍ଗରେ ବଦଳି ଯିବାକୁ l ପୁଅ ଓ ବୋହୁ ବି ତା କଥାରେ ଏକମତ l ମୋତେ ଓ ମୋର ବେଶ ଭୁଷା ଦେଖି କହିଲା କୁଆଡେ ମୋ ସହିତ ତା ଛବି ଦେଖି ତାକୁ ସମସ୍ତେ ଥଟ୍ଟା କରିବେ l ତାକୁ ବଡ଼ ଲାଜ ଲାଗିବ ମୋତେ ତା ଜେଜେ ବୋଲି କହିବାକୁ l ସେଥିପାଇଁ ବିରକ୍ତ ହୋଇ ସେମାନେ ଚାଲିଗଲେ l ସେଥିପାଇଁ ଦୁଃଖ ଲଗୁଛି l ଆଚ୍ଛା କହିଲ ଆମେ ଏ ବୟସରେ ତାଙ୍କ ପରି କେମିତି ହେଇ ପାରିବା?''ଏତକ ଶୁଣି ବସନ୍ତ ଦେବେନ୍ଦ୍ରକୁ ଚାହିଁ ପଚାରିଲା, ‘‘ଆରେ ତୋର ତ ପିଲାମାନେ ଆସିଥିଲେ l କଣ ତୋ ନାତି ବି ତତେ ସେମିତି କହିଲା?ସେମାନେ ତ ଆମେରିକାରେ ରହୁଛନ୍ତି l ‘‘ଦେବେନ୍ଦ୍ର ବାବୁ କହିଲେ, ‘‘ନାଇଁ ମୋ ଅରମାନ ବହୁତ ବୁଝିବା ଶୁଝିବା ପିଲା l ୮ ବର୍ଷର ବୟସରେ ସେ ବହୁତ ବଡ଼ ବଡ଼ ସୁନ୍ଦର ଭାବନା ରଖେ l ମୁଁ ଏସବୁ ମୋ ମନରୁ କହୁନିlସେ ଏଠାରୁ ଯିବା ପରେ ମୋତେ ଗୋଟିଏ ଚିଠି ଲେଖିଛି,ସେଇଟା ପଢିଲେ ଜାଣି ପାରିବlଏବେବି ସେ ଚିଠି ନେଇ ମୁଁ ସାଙ୍ଗରେ ବୁଲୁଛିlମନ ଟିକେ ବ୍ୟସ୍ତ ହେଲେ ତାକୁ ଖୋଲି ପଢି ଦେଉଛି l ‘‘ଏତକ ଶୁଣି ଗୋପାଳ କହିଲା ଭାଇ ଟିକେ ପଢିକରି ଶୁଣା l ମୋ ମନ ଟିକେ ହାଲୁକା ହେଇଯିବ l’‘

ଦେବେନ୍ଦ୍ର ବାବୁ ପକେଟରୁ ଜାରି ଭିତରେ ସାଇତି ରଖିଥିବା ତାଙ୍କ ନାତି ଅରମାନର ଚିଠି କାଢି ପଢିବାକୁ ଲାଗିଲେ l 

''ପୂଜ୍ୟନୀୟ ଜେଜେ

ମୋର,ପାପା ଓ ମାମାଙ୍କର ଭୂମିଷ୍ଠ ପ୍ରଣାମ ଗ୍ରହଣ କରିବ l ମୋର ଗାର୍ଲ ଫ୍ରେଣ୍ଡ (ମନୋରମାଙ୍କୁ ଡାକେ)ଙ୍କୁ ବି ଆମ ସମସ୍ତଙ୍କର ଭୂମିଷ୍ଠ ପ୍ରଣାମ ଜଣାଇ ଦେବ l ମୋ ଓଡ଼ିଆ ଲେଖାରେ କିଛି ଭୁଲ ଥିଲେ ଠିକ କରିଦେବ ଓ ମୋତେ ଲେଖିକରି ପଠାଇବ l ତା ସାଙ୍ଗରେ ବି ତୁମେ ପ୍ରମିଜ କରିଥିବା ଓଡ଼ିଆ ବହି ପଠାଇବ l ଜେଜେ ଏବେ ଆମ ସ୍କୁଲରେ ଗୋଟିଏ ପ୍ରବନ୍ଧ ପ୍ରତିଯୋଗିତା ହୋଇଥିଲା l ବିଷୟ ଥିଲା ଗ୍ରାଣ୍ଡ ପାରେଣ୍ଟସ l ମୁଁ ତୁମ ଦୁଇଜଣଙ୍କ ସହିତ ବିତାଇଥିବା ସବୁ ସମୟକୁ ଭାବି ଭାବି ଲେଖିଲି l ମୋତେ ସେଥିରେ ପ୍ରଥମ ପୁରସ୍କାର ମିଳିଲା l ମୁଁ ତୁମ ସହିତ ପାର୍କରେ ବିତେଇଥିବା କଥା l ତୁମ ଦୁଇଜଣଙ୍କ ସହିତ ବସି ଲୁଡୁ ପାଲି ଖେଳିବାର କଥା l ତୁମ ସାଙ୍ଗରେ ମିଶି ସକାଳେ ଫୁଲ ଗଛରେ ପାଣି ଦେବା ଓ ଫୁଲ ତୋଳିବା କଥା l ଗାର୍ଲ ଫ୍ରେଣ୍ଡ୍ ସହିତ ବସି ଫୁଲ ମାଳ ଗୁନ୍ଥିବା କଥା l ଏକ ସାଙ୍ଗରେ ଆମେ ସବୁ ବସି ଖାଇବା ଓ ତୁମେ ମୁଁ ଲୁଚି ଲୁଚି ଯେଉଁ ଆଇସକ୍ରିମ ଖାଉଥିଲେ,ସେ କଥା l ତୁମେ ମୋତେ ଯେଉଁ ଓଡ଼ିଆ ଭାଷା ଶିଖାଉଥିଲ,ସେ କଥା l ଆଉ ସନ୍ଧ୍ୟାବେଳେ ମୋତେ ତୁମେ ତୁମ ଚାଦରରେ ଘୋଡାଇ ଦେବା କଥା l ଆଉ ତୁମ ଠାରୁ ଗପ ଶୁଣୁ ଶୁଣୁ ତୁମ କୋଳରେ ମୁଣ୍ଡ ରଖି ଶୋଇ ପଡିବା କଥା l ମୋ ଗାର୍ଲ୍ ଫ୍ରେଣ୍ଡର ସକାଳ ଓ ସନ୍ଧ୍ୟାରେ ଠାକୁରଙ୍କ ପାଖରେ ଭଜନ ଓ ପୂଜାର କଥା l ତୁମର ଓ ଗିରଲ ଫ୍ରେଣ୍ଡର ଧଳା ଧଳା ଚୁଟି ମୁଣ୍ଡ ମଝିରେ ମୋର ମୁଣ୍ଡ ରଖି ଛବି ଉଠାଇବା କଥା l ଆଉ ତୁମେ ଯେଉଁ ତୁମ ସାଙ୍ଗ ହରି ଜେଜେ, ବସନ୍ତ ଜେଜେ ଓ ଗୋପାଳ ଜେଜେଙ୍କ ସହିତ ତୁମର ବନ୍ଧୁତାର କଥା l ହଁ ସେ ସବୁ ଜେଜେମାନଙ୍କୁ ଦେଖା ହେଲେ ମୋର ଭୂମିଷ୍ଠ ପ୍ରଣାମ ଜଣାଇଦେବ l ଆମ ଗାଆଁ ଧାନ ଗଛ ସହିତ ତୁମର ଓ ମୋର ବସି କରିଥିବା କଥା ଓ ଛବି ଉଠାଇଥିବା ସନା କାକଙ୍କ କଥା l ଜେଜେ ଆମ ଗାଆଁ ଆମ୍ବ ଗଛରୁ ଯେଉଁ ଆମ୍ବ ତୋଳି ତୁମେ ଖୁଏଇଥିଲ,ସେ ପୁଣି ଆମ ପୋଖରୀ ପାଣିରେ ଧୋଇ କରି ସେ କଥା l ଆଉ ତା ପରେ ସେଥିପାଇଁ ମୋ ଗାର୍ଲ ଫ୍ରେଣ୍ଡ୍ ଠାରୁ ତୁମେ ଯେଉଁ ଗାଳି ଖାଇଥିଲ,ସେ କଥା ବି ଲେଖିଥିଲି କିନ୍ତୁ ବେଶୀ ନୁହେଁl ସବୁଠାରୁ ମୋତେ ଭଲ ଲାଗିଥିବା କାଠଚୁଲିର ପୋଡା ପିଠା l ସତ କହୁଛି ଜେଜେ ମୁଁ ସବୁ ମନେ ରଖିଛି l ତୁମର ସବୁଦିନର ସକାଳ ବେଳର ଉପଦେଶ ମୋତେ ବହୁତ ସାହସ ଓ ଶକ୍ତି ଦେଉଛି l ତୁମର ଓ ଗାର୍ଲ ଫ୍ରେଣ୍ଡର ଛବି ଦେଖି ମୋର ସାଙ୍ଗ ମାନେ କହୁଛନ୍ତି ତୁମ ଦୁଇଜଣଙ୍କୁ ଦେଖିବାକୁ l ମୋର ବି ବହୁତ ତୁମେ ମନେ ପଡୁଛ l ମୁଁ କଣ ତୁମର ମନେ ପଡୁନି ? ତୁମେ ପାପାଙ୍କ ସହିତ କଥା ହେଇ ଶୀଘ୍ର ମୋ ପାଖକୁ ଆସିଯାଅ l ତୁମକୁ ଦେଖି ମୁଁ ଆହୁରି ଭଲ ପାଠ ପଢ଼ିବି ଓ ବହୁତ କିଛି ଶିଖିବି l ସତ କହୁଛି ଜେଜେ ତୁମେ ମୋର ବହୁତ ଭଲ ଜେଜେ l ମୁଁ ତୁମ ଦୁଇଜଣଙ୍କୁ ବହୁତ ମିସ କରୁଛି l ହଁ,ଜେଜେ ତୁମେ କେବେ ବଦଳି ଯିବନି l ଏବେ ସ୍କୁଲର ପଢା ସାରିବି l ମୋର ପ୍ରଣାମ l 

ଇତି

ତୁମର ଅରମାନ’‘

ଏଇ ଚିଠି ପଢୁ ପଢୁ ଦେବେନ୍ଦ୍ର ବାବୁଙ୍କ ଆଖିରୁ ଲୁହ ଝରୁ ଥିଲା l ତାଙ୍କ ସହିତ ହରି,ବସନ୍ତ ଓ ଗୋପାଳଙ୍କ ଆଖି ବି ଲୁହରେ ଜକେଇ ଯାଇଥିଲା l ଗୋପାଳ ଉଠି ଦେବେନ୍ଦ୍ରକୁ କୁଣ୍ଢେଇ ପକାଇ କହିଲା, ‘‘ତୋ ନାତି ଅରମାନ ସତରେ ବଡ ହେଇ ଯାଇଛି l ସେ ଖାଲି ତୋର ନୁହେଁ ଆମର ବି ନାତି l ତୁ ଯେବେ ଯିବୁ ଆମକୁ କହିବୁ,ଆମେ ଆମ ନାତି ପାଇଁ ତୋ ଜରିଆରେ ଆଶୀର୍ବାଦ ପଠାଇବୁ l‘‘ ହରି ଓ ବସନ୍ତ କହିଲେ, ‘‘ଅରମାନ ଠିକ କହିଛି l ଆମେ ବଦଳିବାକୁ ଆଉ ଚେଷ୍ଟା ବି କରିବା ନାହିଁ l’‘



Rate this content
Log in

Similar oriya story from Inspirational