Kanan Bala Nayak

Inspirational Others

4.7  

Kanan Bala Nayak

Inspirational Others

ଈଶ୍ବର ଙ୍କ ହସ

ଈଶ୍ବର ଙ୍କ ହସ

9 mins
260



   ଆଜି ବିମଳା ଦେବୀ ଙ୍କ ବାର୍ଷିକୀ। ତାଙ୍କୁ ଦେହ ତ୍ୟାଗ କରି ଯିବା ର ଆଜି କୁ ଠିକ୍ ବର୍ଷେ ଅର୍ଥାତ୍ ୩୬୫ ଦିନ ପୁରିଲା। ବାର୍ଷିକୀ ପାଳନ ପାଇଁ ତାଙ୍କ ସ୍ବାମୀ ଓ ପିଲା ମାନେ ସମସ୍ତେ ଗାଁ ରେ ଏକତ୍ରିତ ହୋଇଛନ୍ତି ଓ ସମସ୍ତ ଆୟୋଜନ କରିଛନ୍ତି।ସବୁ ବନ୍ଧୁ ବାନ୍ଧବ ଙ୍କୁ ନିମନ୍ତ୍ରଣ ମଧ୍ୟ କରିଛନ୍ତି। ଯୋଜନା ଅନୁସାରେ ଦିନରେ ଭୋଜି ଭାତ ହେବ ଓ ରାତିରେ ଭଜନ କୀର୍ତ୍ତନ ହେବ। ଭଜନ ପାଇଁ ଗୋଟେ କୀର୍ତ୍ତନ ମଣ୍ଡଳୀ କୁ ମଧ୍ୟ ଡକରା ହୋଇଛି। ବିମଳା ଦେବୀ ଙ୍କ ସ୍ବାମୀ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ। ଦୁଇ ପୁଅ ଓ ଦୁଇ ଝିଅ।


  ସମସ୍ତେ ବିବାହ କରି ନିଜ ନିଜ ଘର ସଂସାର କରି ସାରିଛନ୍ତି।ବଡ଼ ପୁଅ ଓଡ଼ିଶା ସରକାର ଙ୍କ ଅଧୀନ ରେ ଜଣେ ପଦସ୍ଥ ଅଧିକାରୀ ଓ ସାନ ପୁଅ ଦିଲ୍ଲୀ ରେ ଗୋଟେ ବହୁ ରାଷ୍ଟ୍ରୀୟ କମ୍ପାନୀ ରେ ମ୍ୟାନେଜର ଅଛି। ଦୁଇ ଝିଅ ଙ୍କ ମଧ୍ୟ ରୁ ଜଣେ ହାଇସ୍କୁଲ ଶିକ୍ଷୟିତ୍ରୀ ଓ ଆଉ ଜଣେ ସରକାରୀ ମହାବିଦ୍ୟାଳୟ ର ଅଧ୍ୟାପିକା। ତେଣୁ ସମସ୍ତେ ଗାଁ ଛାଡି ଯିଏ ଯାହାର ଚାକିରୀ ଯାଗାରେ ରହନ୍ତି। ତାଙ୍କ ସ୍ବାମୀ ପାଳି କରି ପିଲା ଙ୍କ ସହ ରହନ୍ତି। ବିମଳା ଦେବୀ ଙ୍କ ଶୁଦ୍ଧି କ୍ରିୟା ପରେ ବର୍ଷେ ଭିତରେ ଏ ମାନେ କେହି ଆଉ ଗାଁ କୁ ଆସି ନଥିଲେ।ଖାଲି ଏ ବାର୍ଷିକୀ ପାଳନ କରିବା ପାଇଁ ଗାଁ କୁ ଆସିଛନ୍ତି ଯାହା। ଯୋଜନା ମୁତାବକ ଦିନ ବେଳା ଆୟୋଜିତ ହୋଇଥିବା ଭୋଜି ଭାତ ଶେଷ ହେଲା ଓ ସନ୍ଧ୍ୟା ରେ ଭଜନ କୀର୍ତ୍ତନ ଆରମ୍ଭ ହେଲା। 


   ଭଜନ ଆରମ୍ଭ ହେଲା ମାତ୍ରେ ବିମଳା ଦେବୀ ଙ୍କ ପିଲା ମାନେ ତାଙ୍କ ବୋଉ କୁ ଝୁରୀ କାନ୍ଦ କାଟ ଆରମ୍ଭ କରିଦେଲେ।ବୋଉ ତୁ ଆମକୁ ଛାଡି ଚାଲି ଗଲୁ।ଥରେ ବି ଚିନ୍ତା କଲୁନି ତୋ ବିନା ଆମେ କେମିତି ବଞ୍ଚିବୁ।ବାପା କେମିତି ବଞ୍ଚିବେ? ତୋ ସେବା ଶୁଶ୍ରୁଷା ରେ ଆମେ ଏମିତି କଣ ହେଳା କରିଥିଲୁ ଯେ ତୁ ଆମକୁ ଏମିତି ଅଧା ରାସ୍ତାରେ ଏକୁଟିଆ କରି ଚାଲିଗଲୁ‌? ଥରେ ଆସି ଦେଖିଯା ତୁ ଯିବା ପରଠାରୁ ଆମ ଜୀବନ କେମିତି ଅଧୁରା ହୋଇ ଯାଇଛି‌?ତୋ ବିନା ଆମେ କେମିତି ମରି ମରି ବଞ୍ଚିଛୁ?ଆମ ର ଗୋଟେ ଗୋଟେ ଦିନ କେମିତି ଗୋଟେ ଗୋଟେ ଯୁଗ ପରି ବିତୁଛି?ଆଉ ବାପା ଙ୍କ କଥା ନ କହିଲେ ଭଲ।ସେ ତ ତୋତେ ଝୁରି ଝୁରି ପୁରା କଣ୍ଟା ହୋଇ ଗଲେଣି।ତୁ ଯଦି ଗଲୁ ଆମକୁ ସାଥିରେ ନେଇ ଗଲୁନି।


  ହେ ଈଶ୍ୱର ତୁମେ ଏତେ ବଡ଼ ଅନ୍ୟାୟ କେମିତି କଲ?ଆମ ବୋଉ ଯିଏ କି ଆମ ଜୀବନ ଥିଲା, ତାକୁ ଆମ ପାଖରୁ ନେଇ ଗଲ? ସ୍ବର୍ଗରେ ଥାଇ ବିମଳା ଦେବୀ ଙ୍କ ଆତ୍ମା ସବୁ ଦେଖୁଥିଲା। ମାଆ ମନ ପିଲା ମାନଙ୍କ  ଦୁଃଖ କେମିତି ସହନ୍ତା! ପିଲା ଙ୍କ କାନ୍ଦ ଦେଖି ତାଙ୍କ ମନ ମଧ୍ୟ କାନ୍ଦି ଉଠିଲା।ସେ ସେଠାରୁ ସିଧା ଈଶ୍ବରଙ୍କ ନିକଟକୁ ଦଉଡିଲେ ଓ ଈଶ୍ୱର ଙ୍କୁ ଅନୁରୋଧ କରି କହିଲେ ପ୍ରଭୁ ଥରେ ଖାଲି ମର୍ତ୍ତ୍ୟରେ ଥିବା ମୋ ଘର କୁ ଅନାନ୍ତୁ। ମୋ ସ୍ବାମୀ ଓ ପିଲା ମାନେ କେମିତି ମୋତେ ଝୁରି ହେଉଛନ୍ତି‌ ଦେଖନ୍ତୁ। ଆଉ ଥରଟେ ମୋତେ ସେମାନଙ୍କ ପାଖକୁ ଯିବା଼କୁ ଦିଅନ୍ତୁ। ମୁଁ ଥରଟେ ଖାଲି ତାଙ୍କୁ ଦେଖା କରି ଚାଲି ଆସିଵି‌। 


  ଈଶ୍ୱର ହସି ହସି କହିଲେ ତୁମେ ଭଲ ଭାବରେ ଜାଣ ମୁଁ ତୁମକୁ କାହିଁକି ତୁମ ସ୍ବାମୀ ଓ ପିଲାଙ୍କ ଠାରୁ ଅଲଗା କରି ଏଠାକୁ ନେଇ ଆସିଲି। ତଥାପି ତୁମେ ଯଦି ଯିବାକୁ ଚାହୁଁଛ ମୁଁ କାହିଁକି ମନା କରିବି। ତେବେ ମୋର ଗୋଟେ ସର୍ତ୍ତ ଅଛି।ବିମଳା ଦେବୀ କହିଲେ କି ସର୍ତ୍ତ ପ୍ରଭୁ। ମୁଁ ଆପଣଙ୍କ ର ସବୁ ସର୍ତ୍ତ ରେ ରାଜି। ଈଶ୍ୱର କହିଲେ ତୁମ ପିଲା ମାନେ ମୋତେ ଯେଉଁ ଦୋଷ ଦେଇ କହୁଛନ୍ତି ମୁଁ ତୁମକୁ ତାଙ୍କ ଠାରୁ ନେଇ ଆଣି ଅନ୍ୟାୟ କରିଛି ବୋଲି ସେଇ କଥା ତାଙ୍କୁ ଟିକେ ବୁଝାଇ ଦେଇ ଆସିବ‌‌। ଈଶ୍ୱର କାହା ପ୍ରତି ଅନ୍ୟାୟ କରନ୍ତି ନାହିଁ। ସବୁ ବେଳେ ସମସ୍ତଙ୍କ ପ୍ରତି ନ୍ୟାୟ କରନ୍ତି। ବିମଳା ଦେବୀ କହିଲେ ମୁଁ ଠିକ୍ ସେଇ କଥା ଜଣାଇବା ପାଇଁ ଥରଟେ ସେମାନଙ୍କ ପାଖକୁ ଯିବାକୁ ଚାହେଁ।


  ଈଶ୍ୱର କହିଲେ ଠିକ୍ ଅଛି ଯାଅ। ହେଲେ ମନେ ରଖିବ ତୁମେ ମାତ୍ର ଘଣ୍ଟା ଟେ ପାଇଁ ତୁମ ସ୍ବାମୀ ଓ ପିଲା ମାନଙ୍କ ପାଖରେ ରହି ପାରିବ। ବିମଳା ଦେବୀ କହିଲେ ପ୍ରଭୁ ମୋତେ ଗୋଟେ ରାତି ତ ଦିଅନ୍ତୁ ମୁଁ ଭଲ ଭାବରେ ନିଜ ସ୍ବାମୀ ଓ ପିଲାଙ୍କୁ ଟିକେ ଦେଖିବାକୁ ଚାହେଁ ‌। ପ୍ରଭୁ କହିଲେ ଠିକ୍ ଅଛି। କିନ୍ତୁ କାଲି ସକାଳ ହେବା ପୂର୍ବରୁ ତୁମେ ଯେମିତି ଏଠାକୁ ଫେରି ଆସ। ବିମଳା ଦେବୀ କହିଲେ ଠିକ୍ ଅଛି ପ୍ରଭୁ। ଏବେ ମୁଁ ଯାଉଛି। ଏପଟେ ମର୍ତ୍ତ୍ୟରେ ବିମଳା ଦେବୀ ଙ୍କ ଘରେ ଭଜନ କୀର୍ତ୍ତନ ଚାଲିଥାଏ। ହଠାତ୍ ବିମଳା ଦେବୀ ଙ୍କ ଫୋଟଟି ଯୋର୍ ରେ ଶବ୍ଦ କରି ଫାଟି ଗଲା ଓ ବିମଳା ଦେବୀ ଫୋଟରୁ ବାହାରି ତାଙ୍କ ପିଲାଙ୍କ ନିକଟରେ ହାଜର ହୋଇଗଲେ। ଆଖି ଆଗରେ ବିମଳା ଦେବୀକୁ ଦେଖି ତାଙ୍କ ସ୍ବାମୀ ଓ ପିଲା ମାନେ ନିଜ ଆଖିକୁ ବିଶ୍ବାସ କରି ପାରିଲେ ନାହିଁ। ତାଙ୍କ ପିଲାମାନେ କହିଲେ ବୋଉ ସତରେ ତୁ ଆସିଛୁ‌? 


   ଆମେ ବିଶ୍ୱାସ କରି ପାରୁନୁ।ତୁ ଆମକୁ ଛାଡି କେମିତି ଚାଲି ଯାଇଥିଲୁ‌‌।ତୁ ଗଲା ପରଠାରୁ ଆମ ଅବସ୍ଥାର କଣ ହେଲାଣି ଦେଖ‌।ଆମ କୁ ଛାଡି ତୁ କେମିତି ରହୁଥିଲୁ‌?ଏବେ ଆସିଛୁ ଯଦି ଆମକୁ ଛାଡି ଆଉ ଯିବୁନି ତ? ବିମଳା ଦେବୀ କହିଲେ ଆରେ ଧୈର୍ଯ୍ୟ ଧର। ସ୍ବର୍ଗରେ ଥାଇ ମୁଁ ସବୁ କିଛି ଦେଖିଛି। ତୁମେ ମାନେ କେମିତି ଅହରହ ମୋତେ ଝୁରି ହେଉଥିଲ। ସେଇଥିପାଇଁ ତ ଈଶ୍ୱର ଙ୍କୁ ପ୍ରାର୍ଥନା କରି ପୁଣି ଥରେ ତୁମ ମାନଙ୍କ ନିକଟକୁ ଫେରି ଆସିଛି। 


   ଏବେ ପ୍ରଥମେ ମୋତେ ତୁମ ମାନଙ୍କୁ ଆଖି ପୁରାଇ ଦେଖିବାକୁ ଦିଅ।ତା ପରେ ସେ ସମସ୍ତ ଙ୍କୁ ଅନାଇ କହିଲେ ଆରେ ତୁମ ମାନଙ୍କ ବାପା କୁଆଡେ଼ ଗଲେ? ମୁଁ ତ କାହିଁ ତାଙ୍କୁ କେଉଁଠି ଦେଖିବାକୁ ପାଉନି। ବିମଳା ଦେବୀ ଙ୍କ କଥା ଶୁଣି ତାଙ୍କ ବଡ଼ ଝିଅ କହିଲା ବୋଉ ତୁ ଏଇ କଣ କହୁଛୁ?ବାପା ପରା ତୋ ସାମ୍ନାରେ ଛିଡ଼ା ହୋଇଛନ୍ତି।ତୁ ଚିହ୍ନି ପାରୁନୁ କଣ ମ? ଆରେ ତୁମେ ମାନେ ତ କହୁଥିଲ ତୁମ ବାପା କୁଆଡ଼େ ମୋତେ ଝୁରି ଝୁରି କଣ୍ଟା ହୋଇ ଗଲେଣି। ହେଲେ ମୁଁ ତ କାହିଁ ଏଠି କେଉଁ କଣ୍ଟା ହୋଇ ଥିବା ଲୋକ କୁ ଦେଖି ପାରୁନି।ତା ପରେ ବିମଳା ଦେବୀ ଆଉ ଟିକେ ପାଖକୁ ଆସି କହିଲେ ହୋଇହୋ ତୁମେ ଏତେ ମୋଟା ହୋଇ ଯାଇଛ ଓ ପେଟ ଏମିତି ବାହାରି ପଡିଛି ଯେ ମୁଁ ତୁମ କୁ ଜମାରୁ ଚିହ୍ନି ପାରୁନି।


  ଦଶ କିଲୋ ଓଜନ ବଢ଼ି ଯାଇଛି ବୋଧେ?ଆଉ ତୁମ ପିଲା ମାନେ କହୁଛନ୍ତି କଣ ନା ତୁମେ ମୋତେ ଝୁରି ଝୁରି କଣ୍ଟା ହୋଇ ଯାଇଛ‌ ବୋଲି ।ମୋତେ ତ କାହିଁ ‌ଲାଗୁନି ଯେ ତୁମେ ମୋତେ ବର୍ଷ ତମାମ ଝୁରି ହେଉଥିଲ ବୋଲି? ତୁମେ ବୋଧେ ତୁମ‌ ନାତି ନାତୁଣୀ ଙ୍କ ମେଳରେ ରହି ମୋ ବିୟୋଗ ର ଦୁଃଖ କୁ ପାଶୋରୀ ପକାଇଲଣିବିମଳା ଦେବୀ ଙ୍କ ସ୍ବାମୀ କହିଲେ ତୁମେ ୟେ କଣ କହୁଛ ବିମଳା? ଏମିତି ଗୋଟିଏ ଦିନ ଯାଇ ନ ଥିବ ଯେଉଁ ଦିନ ମୁଁ ତୁମକୁ ଝୁରି ନଥିବି। ବିମଳା ଦେବୀ କହିଲେ ତମେ ମୋତେ କେତେ ଝୁରୁ ଥିଲ ତାହା ତୁମ ଚେହେରା କୁ ଦେଖି ଜଣା ପଡି ଯାଉଛି।ଆଉ କିଛି କହିବାର ଆବଶ୍ୟକତା ନାହିଁ।


  ତା ପରେ ବିମଳା ଦେବୀ ବଡ଼ ପୁଅ କୁ ଅନାଇ କହିଲେ ଆରେ ତୁ ପରା ମୋ ବଡ଼ ପୁଅ। କେତେ ଓଷା ବ୍ରତ କରି ତୋତେ ପାଇଥିଲି। ମୋ ବିନା ପରା ତୋତେ କିଛି ଭଲ ଲାଗୁ ନଥିଲା। ଖାଦ୍ୟ ରୁଚୁ ନ ଥିଲା। ହେଲେ ମୁଁ ହସ୍ପିଟାଲରେ ପଡ଼ିଥିବା ବେଳେ ଖର୍ଚ୍ଚ କରିବା ପାଇଁ ତୋ ପାଖରେ ଟଙ୍କା ନାହିଁ ବୋଲି କହି ପାରିଲୁ। ଅଥଚ ମୋ ଯିବାର ତିନି ମାସ ପରେ ଶ୍ବଶୁର ଘର ଲୋକ ଙ୍କୁ ଧରି କୁଲ୍ଲୁ ମନାଲୀ ବୁଲୁ ଥିଲୁ। ସ୍ତ୍ରୀ ଓ ପିଲାମାନଙ୍କ ସହ ହୋଟେଲ ରେ ଖାଉଥିଲୁ। ବଡ଼ ପୁଅ କିଛି ଉତ୍ତର ନ ଦେଇ ମନେ ମନେ ଭାବୁଥାଏ ବୋଉ ଏତେ କଥା କେମିତି ଜାଣିଲା‌?ସତରେ କଣ ବୋଉ ସ୍ବର୍ଗ ରେ ଥାଇ ବି ଆମ ମାନଙ୍କ କାର୍ଯ୍ୟ କଳାପ କୁ ଲକ୍ଷ୍ୟ କରୁଥିଲା?


  ତା ପରେ ବିମଳା ଦେବୀ ବଡ଼ ଝିଅ କୁ ଅନାଇ କହିଲେ ଆଲୋ ସୁମି ଝିଅ ପିଲା ବୋଲି ତୋ ବାପା ତୋତେ ଆଗକୁ ପଢାଇବା ପାଇଁ ମନା କରୁଥିଲେ। କହୁଥିଲେ ତା ବିବାହ ପାଇଁ ଅନେକ ‌ଟଙ୍କା ଖର୍ଚ୍ଚ ହେବ। ତେଣୁ ତାକୁ ଆଗକୁ ନ ପଢ଼ାଇ ତା ପାଇଁ ବର ଖୋଜ।ତା ତଳେ ପୁଣି ଗୋଟେ ଝିଅ ଅଛି ନା? ହେଲେ ତୋ ବାପା ଙ୍କ କିଛି କଥା କୁ ନ ଶୁଣି ମୁଁ ତୋତେ ଆଗକୁ ପଢ଼ାଇ ଥିଲି। ତୋତେ ନେଇ ଏକୁଟିଆ ଭୁବନେଶ୍ୱର ଯାଇଥିଲି।


  ସେଥିପାଇଁ ମୁଁ ମୋର ଅଧା ସୁନା ଗହଣା ବି ବିକ୍ରି କରି ଦେଇଥିଲି।ତୁ ପାଠ ପଢି ଚାକିରୀ କଲୁ।ଆଉ ଭଲ ଯାଗାରେ ତୋ ବାହାଘର ମଧ୍ୟ ହେଲା।ଆଉ ତୋ ବାହାଘର ରେ ମୁଁ ମୋର ଅବଶିଷ୍ଟ ଗହଣା ତକ ତୋତେ ଦେଇ ଦେଇଥିଲି ଓ ମୋ ମାଆର ଏକ ମାତ୍ର ସନ୍ତକ ସେ ଦେଇ ଥିବା ହାର ଖଣ୍ଡକ ବିକ୍ରି କରି ଦେଇଥିଲି। ହେଲେ ମୁଁ ଯେତେବେଳେ ଅସୁସ୍ଥ ଥିଲି ତୁ କେମିତି ତୋ ଶାଶୁ ଘର ଲୋକଙ୍କୁ ନ ପଚାରି ଟଙ୍କା ଟେ ମଧ୍ୟ ମୋ ପାଇଁ ଖର୍ଚ୍ଚ କରି ପାରିବୁନି ବୋଲି ମନା କରି ପାରିଲୁ।ଆଉ ଏବେ କହୁଛୁ ମୋ କଥା ମନେ ପକାଇ ତୋତେ କୁଆଡେ ରାତିରେ ନିଦ ହେଉନି।


   ତା ପରେ ସାନ ପୁଅ ଓ ସାନ ଝିଅ କୁ କହିଲେ ଆରେ ତୁମେ ଦୁଇଜଣ ବି ମୋତେ ଝୁରି ଝୁରି ପୁରା କଳା କାଠ ପଡ଼ି ଯାଇଛ।ସାନ ପୁଅ କୁ କହିଲେ ତୋର ମନେ ଅଛି ତୁ ଛୋଟ ଥିଲା ବେଳେ କେମିତି ଗୋଟେ ଦୁର୍ଘଟଣା ର ଶୀକାର ହୋଇଥିଲୁ।ଆଉ ମୁଁ ରାତି ରାତି ଅନିଦ୍ରା ହୋଇ ତୋତେ ଜଗୁ ଥିଲି। ଅନ୍ଧାର କୁ ଡରୁ ବୋଲି ଦଶମ ଶ୍ରେଣୀ ପଢ଼ିବା ପର୍ଯ୍ୟନ୍ତ କେମିତି ମୋ ହାତ ଛାଡୁ ନଥିଲୁ।ଆଉ ବଡ଼ ହେଲା ପରେ ଅନ୍ୟ ଗୋଟେ ଜାତିର ଝିଅ କୁ ଭଲ ପାଇଲୁ । ତୋ ବାପା ତାକୁ ଆମ ଘର ବୋହୂ କରିବା ପାଇଁ ଜମାରୁ ରାଜି ହେଉ ନଥିଲେ। ତାଙ୍କୁ ଅନେକ ବୁଝାଇ ଶୁଝାଇ ତାଙ୍କ ଅନିଚ୍ଛା ସତ୍ତ୍ବେ ବି ତାକୁ ବୋହୁ କରି ଆଣିଲି।


  ତୁ ବି ମୋ ଅସୁସ୍ଥତା ସମୟରେ ଟଙ୍କା ଦେବାକୁ ଅନିଚ୍ଛା ପ୍ରକାଶ କଲୁ।ଅଥଚ ମୋ ମୃତ୍ୟୁ ର ଦୁଇ ମାସ ପରେ ତୋ ଶାଳୀ ର ବାହାଘର ପାଇଁ ତିନି ଲକ୍ଷ ଟଙ୍କା ଖର୍ଚ୍ଚ କରି ପାରିଲୁ।ତା ପରେ ସାନ ଝିଅ ପାଖକୁ ଯାଇ କହିଲେ, ଗୋଟେ ଝିଅ ପରେ ଆଉ ଗୋଟେ ଝିଅ ହେଲା ବୋଲି ସମସ୍ତେ ତୋତେ ତୋ ପିଉସୀ ଙ୍କୁ ଦେଇ ଦେବା ପାଇଁ ମୋତେ କହୁଥିଲେ। ହେଲେ ମୁଁ ତାହା ନକରି ତୋତେ ମୋ ପାଖରେ ରଖିଲି।ଆଉ ସବୁ ଠାରୁ ସାନ ବୋଲି ଅତ୍ୟନ୍ତ ଅଲିଅଳି ମଧ୍ୟ ଥିଲୁ।ଆଉ ତୁ ବି ମୋ ଅସୁସ୍ଥତା ସମୟରେ ଟଙ୍କା ଖର୍ଚ୍ଚ କରିବା ପାଇଁ ରାଜି ହେଲୁନି।


  ଅଥଚ ମୋ ମୃତ୍ୟୁ ର ଗୋଟେ ମାସ ନ ପୁରୁଣୁ ଭୁବନେଶ୍ଵର ରେ ଚାଳିଶ ଲକ୍ଷ ଟଙ୍କା ଦେଇ ଫ୍ଲାଟ କିଣି ପାରିଲୁ। ତୁମ ବାପା ଙ୍କ ସ୍ତ୍ରୀ ଓ ତୁମ ମାନଙ୍କ ମାଆ ହିସାବରେ ନିଜ ରକ୍ତ କୁ ପାଣି କରି ସମସ୍ତ ଙ୍କ ପାଇଁ ମୁଁ ମୋ କର୍ତ୍ତବ୍ୟ କଲି। ହେଲେ ତୁମ ମାନଙ୍କ ର କଣ ମୋ ପ୍ରତି କିଛି କର୍ତ୍ତବ୍ୟ ନ ଥିଲା?ହଁ ଅସଲ କଥା କହିବାକୁ ଭୁଲି ଗଲି ।ତୁମେ ମାନେ ସମସ୍ତେ ପରା ମୋତେ ଝୁରି ଝୁରି ଖାଇବା ପିଇବା ଭୁଲି ଯାଇଥିଲ। ତେବେ ମୋ ବିୟୋଗ ର ଦୁଃଖ ଭୁଲିବା ପାଇଁ ତୁମ ବାପା ଙ୍କୁ ନେଇ ଓଡ଼ିଶା ବାହାରେ ଥିବା ଶୈଳନିବାସ ସବୁ କିଏ ବୁଲୁ ଥିଲା?


   ମୋ ଚିକିତ୍ସା ପାଇଁ ତୁମ ନିକଟରେ ଟଙ୍କା ନ ଥିଲା। ଅଥଚ ବାହାରେ ବୁଲିବା ପାଇଁ ତୁମ ନିକଟରେ ଟଙ୍କା ର ଅଭାବ ନଥିଲା। ତୁମ କଥା ଛାଡ ତୁମ ବାପା କେମିତି ଏ ସବୁ ରେ ଅଂଶ ଗ୍ରହଣ କରୁଥିଲେ?ଆଉ ଏବେ କହୁଛ କଣ ନା ତୁ କାହିଁକି ଆମକୁ ଛାଡି ଚାଲି ଗଲୁ? ବିମଳା ଦେବୀ ଙ୍କ କଥା ଶୁଣି ତାଙ୍କ ସ୍ବାମୀ ଓ ପିଲା ମାନେ ପରସ୍ପର ର ମୁହଁ କୁ ଚାହିଁଲେ? ବିମଳା ଦେବୀ କହିଲେ ତୁମେ ମାନେ ଭାବୁଛ ନାଁ ମୁଁ ତ ଦେହତ୍ୟାଗ କରି ସାରିଛି ପୁଣି ଏତେ କଥା ଜାଣିଲି କିପରି?


 ଜାଣ ମୋ ମୃତ୍ୟୁ ଦିନ ତୁମ ମାନଙ୍କ ବିଳାପ ଶୁଣି ମୁଁ ସ୍ୱର୍ଗରେ ପହଞ୍ଚିଲା କ୍ଷଣି ଈଶ୍ୱର ଙ୍କୁ ପ୍ରଶ୍ନ କଲି ପ୍ରଭୁ ମୋ ଭକ୍ତି ରେ ଏମିତି କି ଉଣା ରହି ଗଲା ଯେ ଆପଣ ମୋ ପ୍ରତି ଏମିତି ଅନ୍ଯାୟ କଲେ? ଏବେ ଦେଖନ୍ତୁ ମୋ ସ୍ବାମୀ ଓ ପିଲାଙ୍କ ଅବସ୍ଥା। ଈଶ୍ୱର ହସି ଦେଇ କହିଲେ ମୁଁ କେବେ କାହା ପ୍ରତି ଅନ୍ୟାୟ କରେ ନାହିଁ। ତୁମେ ତ ମୋର ଜଣେ ପରମ ଭକ୍ତ।ତୁମ ପ୍ରତି ପୁଣି ଅନ୍ୟାୟ କରିଥାଆନ୍ତି କେମିତି?ପ୍ରଭୁ ଆପଣ ମୋତେ ମୋ ସ୍ବାମୀ ଓ ପିଲାଙ୍କ ଠାରୁ ଅଲଗା କରି ନେଇ ଆସିଲେ।ଆଉ କହୁଛନ୍ତି କଣ ନା ଏମିତି କରି ମୋ ପ୍ରତି ନ୍ୟାୟ କରିଛନ୍ତି? 


  ଈଶ୍ୱର କହିଲେ ଏଇ ଦେଖ ତୁ ହସ୍ପିଟାଲରେ ପଡ଼ିଥିବା ସମୟରେ ତୋ ପିଲା ମାନେ କେମିତି ତୋ ପାଇଁ ଟଙ୍କା ଖର୍ଚ୍ଚ କରିବା ପାଇଁ ପରସ୍ପର ଭିତରେ ବାଡିଆପିଟା ହେଉଛନ୍ତି।ଇଏ କହୁଛି ମୋ ପାଖରେ ଟଙ୍କା ନାହିଁ। ସିଏ କହୁଛି ମୋ ପାଖରେ ଟଙ୍କା ନାହିଁ।ଆଉ ସମସ୍ତ ଙ୍କ ବ୍ୟାଙ୍କ ଆକାଉଣ୍ଟ ରେ କେମିତି ଲକ୍ଷ ଲକ୍ଷ ଟଙ୍କା ଗଚ୍ଛିତ ଅଛି ତାହା ବି ଦେଖ।ତୋ ପିଲା ମାନେ ସବୁ ଭଲ ଭଲ ଗାଡ଼ି ଚଢୁଛନ୍ତି ‌। ବ୍ୟାଙ୍କ ର ଲକର ରେ ଯଥେଷ୍ଟ ସୁନା ଗହଣା ମଧ୍ୟ ରଖିଛନ୍ତି। ହେଲେ କେହି ଜଣେ ବି ଖୋଲା ହସ୍ତରେ ତୋ ପାଇଁ ଟଙ୍କା ଖର୍ଚ୍ଚ କରିବା ପାଇଁ ରାଜି ହେଉ ନାହାଁନ୍ତି। 


   ଆଉ ରହିଲା ସେବା କରିବା କଥା ତୁମେ ମାନେ କେମିତି କିଏ ତାର ଅଫିସ କାମ ଅଛି ତ କାହାର ପିଲା ର ପରୀକ୍ଷା ଅଛି ବୋଲି ମୋ ପାଖରେ ରହି ପାରିବ ନାହିଁ ବୋଲି କହୁଥିଲ। ତୁମ ମାନଙ୍କ ବାପା ଚାହିଁ ଥିଲେ ଜମି ବାଡ଼ି ବିକ୍ରି କରି ମୋ ପାଇଁ ଟଙ୍କା ଖର୍ଚ୍ଚ କରି ପାରି ଥାଆନ୍ତେ।ସେ ଚାହିଁ ଥିଲେ ଆମେ ଦୁଇ ଜଣ ଗାଁ ରେ ରହି ପାରି ଥାଆନ୍ତୁ। ହଁ ତାଙ୍କୁ ବୟସ ହେଲାଣି ସେ ମୋ ସେବା କରି ପାରି ନଥାନ୍ତେ କିନ୍ତୁ ସେ ଚାହିଁଥିଲେ ଗୋଟେ ନର୍ସ ରଖି ପାରି ଥାଆନ୍ତେ। କିନ୍ତୁ ସେ ମଧ୍ୟ ସେ କଥା କହିଲେ ନାହିଁ। 


  ଜାଣ ମୁଁ ସିନା ହସ୍ପିଟାଲ କ୍ୟାବିନ୍ ରେ ରହି ତା ବାହାରେ ବସି ତୁମେ ମାନେ କ'ଣ କଥା ହେଉଥିଲ ତାହା ଜାଣି ପାରୁ ନଥିଲି। ଆଉ ତୁମେ ମାନେ ମୋ ପାଇଁ କେତେ କଷ୍ଟ ପାଉଛ ବୋଲି ଭାବି ଦୁଃଖ ପ୍ରକାଶ କରୁଥିଲି । ହେଲେ ଈଶ୍ୱର ସବୁ ଦେଖୁଥିଲେ। ତୁମ ମାନଙ୍କ ମନ କଥା ସେ ଭଲ ଭାବରେ ଵୁଝି ପାରୁଥିଲେ। ସେ ଭଲ ଭାବରେ ଜାଣି ଥିଲେ ମୁଁ ଯଦି ଏସବୁ କଥା ଜାଣି ଥାଆନ୍ତି ତେବେ ମୋ ଶାରୀରିକ କଷ୍ଟ ଠାରୁ ମୋ ମାନସିକ କଷ୍ଟ ବେଶୀ ବଢ଼ି ଯାଇ ଥାଆନ୍ତା। ଈଶ୍ୱର ତାଙ୍କ ସଚ୍ଚା ଭକ୍ତ ଙ୍କ ଦୁଃଖ କେବେ ବି ସହି ପାରନ୍ତି ନାହିଁ। ତେଣୁ ମୁଁ ସେ କଷ୍ଟ ପାଇବା ଆଗରୁ ସେ ମୋତେ ତାଙ୍କ ପାଖକୁ ନେଇ ଗଲେ। 


  ଏତିକି କହି ସେ ପୁଣି ଫୋଟ ଆଡକୁ ଯିବା କୁ ବାହାରିବାରୁ ତାଙ୍କ ପିଲା ମାନେ କହିଲେ ବୋଉ ତୁ କୁଆଡେ ଯାଉଛୁ?ଆମ ମାନଙ୍କର ଭୁଲ୍ ହୋଇ ଯାଇଛି ତୁ ଆମକୁ କ୍ଷମା କରିଦେ। ହେଲେ ଆମକୁ ଛାଡି ଯାଆନା । ବିମଳା ଦେବୀ କହିଲେ ଈଶ୍ୱର ମୋତେ ତୁମ ମାନଙ୍କୁ ଗୋଟେ ସନ୍ଦେଶ ଦେବା ପାଇଁ ପଠାଇ ଥିଲେ ଯେ ଈଶ୍ୱର କାହା ପ୍ରତି କେବେ ଅନ୍ୟାୟ କରନ୍ତି ନାହିଁ।ସେ ସମସ୍ତ ଙ୍କ ମନ କଥା ବୁଝି ପାରନ୍ତି।ଆଉ ତୁମ ମାନଙ୍କ ମନ ମଧ୍ୟରେ ଲୁଚି ରହିଥିବା ଛଳନା କୁ ମଧ୍ୟ ସେ ଠିକ୍ ଭାବରେ ବୁଝି ପାରିଥିଲେ। ତେଣୁ ସେ ମୋତେ ତୁମ ମାନଙ୍କ ଠାରୁ ଦୂରେଇ ନିଜ ପାଖକୁ ନେଇ ଗଲେ। 


  ତୁମେ ମାନେ ଭାବୁଥିଲ ତୁମ ମାନଙ୍କ ମନ କଥା କେହି ବୁଝି ପାରୁ ନାହାନ୍ତି, ତେଣୁ ଲୋକ ଦେଖାଣିଆ କାନ୍ଦ କାନ୍ଦୁଥିଲ। ହେଲେ ତୁମେ ଗୋଟେ କଥା ଭୁଲିଗଲ ଯାହା ତୁମେ ପିଲା ବେଳେ ପ୍ରାର୍ଥନା ରେ ବୋଲୁଥିଲ ---


 "ଯାହା ମୁଁ କରଇ,ଯାହା ମୁଁ କହଇ,ଯାହା ମୁଁ ଚିନ୍ତଇ ମନେ।  ଜଗତର କର୍ତ୍ତା ପରମ ଈଶ୍ଵର ଜାଣୁଛନ୍ତି ପ୍ରତି କ୍ଷଣେ"। 


 ଏତିକି କହି ବିମଳା ଦେବୀ ପୁଣିଥରେ ଫୋଟ ଭିତରକୁ ଚାଲି ଯାଇଥିଲେ। ବିମଳା ଦେବୀ ଙ୍କୁ ଦେଖି ଈଶ୍ୱର କହିଲେ ଆରେ ତୁମେ ପରା ମୋ ଠୁ ଗୋଟେ ରାତି ମାଗି ତୁମ ସ୍ବାମୀ ଓ ପିଲାଙ୍କ ପାଖକୁ ଯାଇ ଥିଲ। ହେଲେ ଏତେ ଶୀଘ୍ର ପଳାଇ ଆସିଲ। ବିମଳା ଦେବୀ କହିଲେ ପ୍ରଭୁ ଆପଣ ଯେ କାହା ପ୍ରତି ଅନ୍ୟାୟ କରନ୍ତି ନାହିଁ ସେ କଥା ମୁଁ ମର୍ତ୍ତ୍ୟରେ ଥିବା ମୋ ଘରେ ପହଞ୍ଚିବା ମାତ୍ରେ ବୁଝିପାରିଥିଲି।


 ପ୍ରଭୁ ଆପଣ ତ କେବେ ଠୁ ମୋ ଆଖି ଖୋଲି ଦେଇଛନ୍ତି ଯେ ଆପଣଙ୍କ ବ୍ୟତୀତ ଆଉ କେହି କାହାର ନିଜର ନୁହଁନ୍ତି ବୋଲି। ତେଣୁ ଯଥାଶୀଘ୍ର ମୁଁ ମୋ ସ୍ବାମୀ ଓ ପିଲା ମାନଙ୍କୁ ଆପଣ ସନ୍ଦେଶ ଶୁଣାଇ ଆପଣଙ୍କ ପାଖକୁ ଫେରି ଆସିଲି।ବିମଳା ଦେବୀ ଙ୍କ କଥା ଶୁଣି ଈଶ୍ୱର ତାଙ୍କର ଚିରା ଚରିତ ମୃଦୁ ହସଟେ ହସି ଦେଇ ସେଠାରୁ ଚାଲି ଯାଇଥିଲେ ‌‌।


Rate this content
Log in

Similar oriya story from Inspirational