ହକ୍କର
ହକ୍କର
ସେଦିନ ଥିଲା ରବିବାର, ଗାଁକୁ ଯିବା ପାଇଁ ସକାଳୁ ବସ୍ ଷ୍ଟାଣ୍ଡରେ ମୁଁ ବସ୍ କୁ ଅପେକ୍ଷା କରିଥାଏ, ମାତ୍ର ଶୀତୁଆ ସକାଳର କୁହୁଡି କାରଣରୁ ବସ୍ ଆସିବାରେ ବିଳମ୍ବ ହେଉଥାଏ l ଏତେ ସକାଳୁ ବି ଯାତ୍ରୀ ମାନଙ୍କର ସେତେଟା ଭିଡ଼ ନଥାଏ l ତେଣୁ ପରିବେଶ ଥାଏ ପ୍ରାୟତଃ ଶୁନ୍ ଶାନ୍ l ଦୀର୍ଘ ସମୟ ଧରି ଏକୁଟିଆ ଭାବେ ଛିଡା ହେବା ପରେ ଟାଇମ୍ ପାସ୍ ଲାଗି ଖବରକାଗଜଟେ ପଢିବା ପାଇଁ ମନରେ ପ୍ରବଳ ଆଗ୍ରହ ହେଉଥାଏ, ହେଲେ ଏତେ ସକାଳୁ ଖବରକାଗଜ ମିଳିବ ବା କେଉଁଠୁ ? ମନେ ମନେ ଖବରକାଗଜଟେ ଖୋଜୁଥିବା ବେଳେ ହଠାତ୍ ଏକ ହକ୍କରର ଡାକ, “ଆଜିର ଖବର, ତାଜା ଖବର” ଶୁଣିବାକୁ ପାଇ ବହୁତ ଖୁସି ହୋଇଗଲି l ସେହି ଡାକକୁ ଅନୁକରଣ କରି ଦେଖେତ ଦୂରର କୁହୁଡି କାକର ଭିତରୁ ଗୋଟେ ନଅ ଦଶ ବର୍ଷର ପିଲାଟେ ହାତରେ ଗୁଡାଏ ଖବରକାଗଜ ଧରି ଖୁବ୍ ଜୋରରେ ମୋ ଆଡକୁ ଧାଇଁ ଆସୁଛି l ଆଉ ନିଜର ଶକ୍ତି ସାମର୍ଥ୍ୟ ଅନୁଯାୟୀ ତା’ର କୋମଳ କଣ୍ଠରେ ଡାକି ଚାଲିଛି, “ଖବର ଖବର ଆଜିର ତାଜା ଖବର” ଖବରକାଗଜଟେ କିଣିବା ଲାଗି ମୁଁ ସେହି ପିଲାଟିକୁ ଚାହିଁ ଖୁବ୍ ଜୋରରେ ଡାକି ପକାଇଲି, “ଏ ହକ୍କର” l ପିଲାଟି ଟିକେ ରହିଯାଇ ଚାରି ପଟକୁ ବୁଲି ଚାହିଁଲା ଏବଂ କିଛି ନଜାଣିଲା ପରି ମୋ ଆଡକୁ ଚାହିଁ ଟିକେ ନିସ୍ତବ୍ଦ ହୋଇଗଲା, ବୋଧହୁଏ ସେ ଜାଣି ନଥିଲା ଏ ହକ୍କର ଶବ୍ଦର ପ୍ରକୃତ ଅର୍ଥକୁ ଯାହାଥିଲା ତା’ ପାଇଁ ସମ୍ପୂର୍ଣ୍ଣ ନୂଆ l ମୁଁ ପୁନର୍ବାର ତାକୁ ଇଙ୍ଗିତ କରି ହକ୍କର ବୋଲି ହାତଠାରି ଡାକିବାରୁ ସେ ଧୀରେ ଧୀରେ ମୋ ଆଡ଼କୁ ଆସିଲା l ମୁଁ କହିଲି, “ପୁଅ ଗୋଟେ ଭଲ ପେପର୍ ଦେଲୁ” ସେ ସ୍ମିତହାସ୍ୟରେ ମୋ ହାତକୁ ଗୋଟେ ଖବର କାଗଜଟେ ବଢ଼ାଇ ଦେଇ କହିଲା, “ବାବୁ ପାଞ୍ଚ ଟଙ୍କା, ବହୁତ ଭଲ ପେପର୍ ଭାରି ଚାହିଦା ଆର” l ମୁଁ ପିଲାଟିର ଏହି ଚଞ୍ଚଳତାରେ ଖୁସି ହୋଇ ତା’ ହାତକୁ ଦଶ ଟଙ୍କିଆ ନୋଟ୍ ଟେ ବଢ଼େଇଦେଲି l ସେ ଟିକେ ରହିଯାଇ କହିଲା, “ବାବୁ ଖୁଚୁରା ଦିଅନ୍ତୁ ମୋ ପାଖେ ଖୁଚୁରା ନାହିଁ, ଆପଣ ମୋର ପ୍ରଥମ ଗରାଖ” l ମୁଁ କହିଲି, “ତୁ ରଖିଦେ ବିସ୍କୁଟ୍ ଖାଇଦେବୁ” l ସେ କିଛି କହିବା ଆଗରୁ ଠିକ୍ ଏତିକି ବେଳେ ମୋର ବସ୍ ଆସି ଯାଇଥାଏ, ମୁଁ ତରତର ହୋଇ ଦୌଡ଼ିଗଲି ବସ୍ ଭିତରକୁ l ଶାନ୍ତ ମନରେ ସିଟ୍ ରେ ବସି ଖବରକାଗଜ ଉପରେ ନଜର ପକାଇବା ବେଳେ ପୁଣି ଥରେ ସେହି ହକ୍କରର ଡାକ ଶୁଣି ବେଶ୍ କୌତୁହଳରେ ଦେଖେତ ମୋ ଆଗ ସିଟ୍ ରେ ବସିଥିବା ଯାତ୍ରୀ ଜଣଙ୍କୁ ଖବର କାଗଜଟେ ବିକି ଦେଇ ସେ ମୋ ହାତକୁ ହସି ହସି ପାଞ୍ଚ ଟଙ୍କିଆ ଖୁଚୁରାଟେ ବଢ଼େଇ ଦଉଛି l ମୁଁ ପୁଣି କହିଲି, “ତୁ ରଖ ମୁଁ ତତେ ଖୁସିରେ ଦେଲି” l ସେ ତତ୍କ୍ଷଣାତ୍ ଉତ୍ତର ଦେଲା, “ନାଇଁ ବାବୁ ଯେତିକି ମୋ ପାଉଣା ମୁଁ ସେତିକି ନେବି ଅଧିକା ନେଲେ ପାପ ହେବ” l ଏତିକି କହି ହସି ଦେଇ ସେ ଦୌଡ଼ି ଗଲା ଆଉ ଏକ ବସ୍ ର ଝରକା ପାଖକୁ ଓ ପୁଣି ଡାକି ଚାଲିଲା ତା’ର ସେହି କୋମଳ କଣ୍ଠରେ, “ଖବର ଖବର ଆଜିର ତାଜା ଖବର” l ବସ୍ ଭିତରୁ କିଏ ବୁଲି ଚାହୁଁଥାଏ ତ ଆଉ କିଏ ଦାମ୍ ପଚାରି ହାତ ହଲେଇ ମନା କରିଦେଉଥାଏ l ତା’ ଛଡା ଆଜିକାଲି ଇଣ୍ଟେର୍ନେଟ୍ ଯୁଗରେ ଅଧିକାଂଶ ଲୋକେ ପଇସା ଦେଇ ଖବର କାଗଜଟେ କିଣିବା ଲାଗି ଖୁବ୍ କୁଣ୍ଠିତ ପରନ୍ତୁ ବିକିବାର ଲୋଭ ନେଇ ସେ ସେମିତି ଡାକି ଚାଲିଥାଏ ଧଇଁସଇଁ ହୋଇ l ହଠାତ୍ ବାଜି ଉଠିଲା ବସ୍ ର ହର୍ନ ମୁଁ ଭାବନା ରାଜ୍ୟରୁ ବାହାରି ଆସି ଖବରକାଗଜ ପଢିବାକୁ ଲାଗିଲି l ଗାଡି ଗଡ଼ିବାକୁ ଆରମ୍ଭ କଲା l ବସ୍ ଯେତିକି ଦୂରକୁ ଦୂରକୁ ଯାଉଥାଏ, ସେ ହକ୍କର ପିଲାଟିର ଡାକ ସେତିକି ଧୀର ହୋଇ ନୀରବ ହୋଇ ଯାଉଥାଏ l ଆଜିକାଲି ସବୁଠାରେ ଦୁର୍ନୀତି, କଳାବଜାରୀ, ଦଲାଲଗିରି, ଦୁଷ୍କର୍ମ l ଏସବୁ ଖବର ପେପରରୁ ପଢି ମୁଁ ବିରକ୍ତ ହୋଇ ମନେ ମନେ ଭାବୁଥାଏ, “ସତରେ ଏ ସମାଜ କେତେ କଳୁଷିତ ହୋଇଗଲାଣି, ଆଉ ଏଠି ବଞ୍ଚିବା କେତେ କଷ୍ଟକର” l ଅନ୍ୟମନସ୍କ ଭାବେ ପେପର୍ ର ପୃଷ୍ଠା ଓଲଟାଇବା ବେଳେ ହଠାତ୍ ନଜରରେ ଚାଲି ଆସିଲା ଏକ ବିରଳ ଘଟଣା ଯାହାର ଶୀର୍ଷକଟି ଥିଲା “ଶୈଶବର ସଂର୍ଘଷ” l ମୁଁ ଉତ୍ସାହିତ ହୋଇ ପଢିବାକୁ ଲାଗିଲି ଘଟଣାଟି ଥିଲା ବାପ ଛେଉଣ୍ଡ ଦଶ ବର୍ଷର ପିଲା ନିଜ ମାଆର ଦୂରାବ୍ୟାଧି କର୍କଟ ରୋଗ ଭଲ କରିବା ସହିତ ସାନ ଭାଇ ଓ ଭଉଣୀକୁ ମଣିଷ କରିବା ଲାଗି ଚଲାଇଛି ତା’ର ଅହରହ ସଂର୍ଘଷ l କେତେବେଳେ ବୁଲିବୁଲି ପେପର୍ ବିକୁଛି ତ ଆଉ କେତେବେଳେ ହୋଟେଲରେ ପ୍ଲେଟ୍ ମାଜିବା ଭଳି କଷ୍ଟକର କାମକୁ ଅବିରତ କରି ଚାଲିଛି ତା’ର କୋମଳ ହାତରେ ଓ ଏ ଶୈଶବ କାଳରେ କେବଳ ଟିକେ ବଞ୍ଚିବା ପାଇଁ ଆଉ ବଞ୍ଚେଇବା ପାଇଁ l ଖବରଟି ପଢିସାରି ମୁଁ ବହୁତ ମର୍ମାହିତ ସତ ହେଲେ ଖବରଟିର ତଳେ ଲାଗିଥିବା ଫଟୋଟିକୁ ଦେଖି ମୁଁ ହଠାତ୍ ଚମକି ଉଠିଲି, କ୍ଷଣସ୍ଥାୟୀ ଜଡ଼ ପାଲଟି ଗଲା ମୋର ଶରୀର ଏବଂ ବିଶ୍ୱାସ କରିପାରୁନଥିଲି ମୋ ନିଜ ଆଖିକୁ କାରଣ ସେ ସଂର୍ଘଷମୟ ପିଲାର ଫଟୋଟି ଥିଲା ବସ୍ ଷ୍ଟାଣ୍ଡରେ ପେପର୍ ବିକୁଥିବା ସେଇ ହକ୍କର ପିଲାଟିର, ଯିଏ କିଛି ସମୟ ପୂର୍ବରୁ ହସିହସି ମୋ ହାତକୁ ଖବରକାଗଜଟେ ସହିତ ବଢ଼ାଇ ଦେଇଥିଲା ବଳକା ପାଞ୍ଚ ଟଙ୍କିଆ ଖୁଚୁରା ପଇସା l ମୋ ଆଖି ଲୁହରେ ଭିଜି ଯାଉଥିଲା ସେହି ଖବରକାଗଜର କିଛିଟା ପୃଷ୍ଠା ଯାହାକୁ ମୁଁ ଲୁଚେଇ ରଖୁଥିଲି ସାଧାରଣ ଦେଖଣାହାରୀ ମାନଙ୍କଠାରୁ l ଗାଡି ଗଡି ଚାଲିଥାଏ ଆଗକୁ ଆଗକୁ ଆଉ ମୋ ଆଖିରୁ ଚାଲିଆସୁଥାଏ, ସେହି ହକ୍କର ପିଲାଟି ଲାଗି ମନ ଭିତରେ ଥିବା ଦୁଃଖ ଓ କୋହ ଯାହା ଝରୁଥାଏ ଲୁହର ରୂପ ନେଇ ଓ ମନେ ମନେ ଭାବୁଥାଏ, “ବାଃରେ ଦୁନିଆ ବାଃରେ ସହର ପେଟ ପାଇଁ ଶୈଶବବି ସାଜିଛି ହକ୍କର” l
