ଗରିବ ଶିଶୁ ବାଳକୃଷ୍ଣ
ଗରିବ ଶିଶୁ ବାଳକୃଷ୍ଣ
ଅଧା ବାଟରୁ କଇଁକୁ ଡାକି ଡାକି ଆଉଜା ହେଇଥିବା ବାଉଁଶ ପତ୍ତାକୁ ହଟେଇ ଘରକୁ ପଶିଆସେ ମନୁଆ । ହାତରେ ତାର କଅଁଳିଆ ଶିଶୁଟିଏ । ଯିଏ ବିକଳ ଭାବେ ରାହା ଧରି କାନ୍ଦି ଚାଲିଛି କେବଳ । ହାତ ଗୋଡ ପୀଡା ହେଉଛି ବୋଲି କଇଁ ଟିକିଏ ଶୋଇପଡିଥାଏ । ହେଲେ ସେଇ ଶିଶୁର କାନ୍ଦ ଆଉ ଶୋଅଇ ଦିଏନି । ଚମକି ଉଠି ଦେଖେ ମନୁଆ ତା ଆଗେ ଛୁଆଟିଏ ଧରି ଠିଆ ହୋଇଛି । କିଛି ପଚାରି ବୁଝିବା ପୂର୍ବରୁ ମନୁଆ କୋଳରେ ଟେକିଦେଇ ଶିଶୁକୁ କହେ - "ନେ ତୋ ପୁଅକୁ ନେ ।"
କଇଁ ଡରିଯାଇ ଥାଏ ଏଇ ଭିତରେ । ମାଆ ହେଲିନି ବୋଲି ମନ ଦୁଃଖ କଲାରୁ କଣ କାହା ଛୁଆକୁ ଉଠେଇ ଆଣିଛି ଭାବି ତା ଛାତି ଥରିବାକୁ ଲାଗେ । ଥର ଥର ହୋଇ ପଚାରେ - ଏ ଛୁଆଟି କାହାର ?
ମନୁଆ ଆରମ୍ଭ କରେ ଆରମ୍ଭରୁ । ସକାଳୁ ସକାଳୁ କାମକୁ ଯାଉଥିବା ବାଟରେ ସେ ଦେଖେ ସେଇ ବାଳୁତ ଶିଶୁକୁ । କାନ୍ଦି କାନ୍ଦି କେବଳ ଯିଏ ଖୋଜୁଥାଏ ସାହାରାଟିଏ । ମୁଁ କୋଳେଇ ନେଇ ଜାବୁଡି ଧରିବା ପରେ କିଛି ସମୟ ତୁନି ରହି ପୁଣି କାନ୍ଦି ଉଠେ । କାଳେ କିଏ ଛୁଆକୁ ଛାଡି କିଛି ସମୟ ପାଇଁ କେଉଁଠି ଥିବ ଭାବି ଅନେକ ବେଳ ଅପେକ୍ଷା କରେ । ହେଲେ ସୂର୍ଯ୍ୟ ଧୀରେ ଧୀରେ ବଢି ବଢି ମୁଣ୍ଡ ଉପରକୁ ଆସେ ତଥାପି କେହି ଆସନ୍ତି ନାହିଁ ଛୁଆକୁ ଖୋଜି ଖୋଜି । ଆଉ ଆୟ ଉପାୟ ନପାଇ ଧୈର୍ୟ୍ଯ ଧରି ହୁଏନି । କେମିତି ଛୁଆକୁ କାନ୍ଦୁଥିବା ବେଳେ ଛାଡି ଦେବି ଭାବି ଘରକୁ ନେଇଆସେ । ତୁ (କଇଁ) ମହାଦେବଠି ରୋଷ କରିଥିଲୁ ତୋତେ କେହି ପାଣି ଦେବାକୁ ସାହାଟିଏ ବି ଦେଲାନି ବୋଲି । ଏଇ ନେ ସେଇ ମହାଦେବ ପଠେଇ ଦେଲା ତା ପ୍ରସାଦ ଖାସ ତୋ ପାଇଁ ।
ଶିଶୁଟିର କାନ୍ଦ କଇଁର ମନେ ଥିବା ପ୍ରବଳ ପ୍ରଶ୍ନକୁ ମନରେ ହିଁ ବନ୍ଧା ପକେଇବାକୁ ବାଧ୍ୟ କରେ । ସେ ଦୌଡି ଯାଇ ପ୍ରଥମେ ଦେଖେ ଘରେ କଣ ଅଛି ! ହେଲେ ଟିକି କଅଁଳ ଶିଶୁକୁ ଦେବା ପାଇଁ ତା ପାଖେ ତ କିଛି ମାନେ କିଛି ବି ନାହିଁ । ତତକ୍ଷଣାତ ପାଖ ଘରଠୁ କିଛି ମାଗି ଆଣି ଭରିଦିଏ ଭୋକିଲା ପେଟରେ ଟିକେ ଟିକେ କରି । ଆହାଃ : କି ଆନନ୍ଦ ! ପିଲାଟି ସତେ ଯେମିତି ସେଇ କ୍ଷୀର ଟିକେ ପାଇଁ ହିଁ ଆଉଟି ପାଉଟି ହେଉଥିଲା । ଅମୃତ ପାଇଗଲା ପରି ସବୁ କ୍ଷୀର ପିଇ ଦିଏ । କଇଁ ଗୁଣୁ ଗୁଣେଇ ଗୀତଟିଏ ଗାଇଦେଲା ପରେ ତାରି କୋଳରେ ହିଁ ଶୋଇପଡେ ଆରାମରେ।
ପିଲାଟି ଶୋଇଗଲା ପରେ କଇଁ ମୁସମୁସେଇ କାନ୍ଦିବା ଆରମ୍ଭ କରିଦିଏ । ମନୁଆ କଇଁକୁ ଏଭଳି ରୂପେ ଦେଖି ବିଚଳିତ ହୋଇଉଠି କହେ :- କଇଁ । ଆଲୋ ଏ କଇଁ, ତୁ କାନ୍ଦୁଛୁ କିଆଁ !
କଇଁ : ଯୁଆନ ଥିଲାବେଳେ ଏ ଆଖିରୁ ଛୁଆଟିଏ ପାଇଁ କେତେ ଲୋତକ ବହିଲା । ମହାଦେବ ଆଗେ କେତେ ପୂଜା ପାଠ କଲି । ମାନସିକ କରି । ଗାଁ ଦେବୀଠାରେ ମଧ୍ୟ ଯୋଡା ଛେଳି ଛାଡିଲି । ହେଲେ କିଛି ହେଲା ନାହିଁ । ମନ ଭାଙ୍ଗି ଗଲା । ଲୁହ ସବୁ ଆଖିରେ ହିଁ ଶୁଖିଗଲା । ଆଉ ଆଜି ଏ ଆଖି ଯେତେବେଳେ ହାରିବାକୁ ବସିଲା, ଚାରିଦିଗ ତାକୁ ଝାପସା ଦେଖାଗଲା ସେତେବେଳେ ଏଇ ବୁଢୀର କୋଳରେ ଛୁଆଟିଏ କଣ ପାଇଁ ଦେଲା !
ମନୁଆ : ତୁ କିସ ପାଇଁ ଏତେ କଥା ଭାବୁ ଯେ । ସେ ଯେବେ ଏ ଗରିବ ଘରେ ଛୁଆଟିଏ ଦେଇଛି ତାକୁ କିସ ପ୍ରକାରେ ବଂଚେଇ ହେବ ତାର ବାଟ ବି ଦେବ ।
କଇଁ : ଏ ଗରିବ ଘରେ ଅଛି କଣ ! ଛୁଆଟି କିସ ଭାବେ ବଂଚିବ । ଭଳ ଭାବେ ତ ଚାଲି ପାରୁନି କାମ ଧାମ କରି ଦି ପଇସା ବି ଆଣି ପାରିବି ନାହିଁ । କି ଭାଗ୍ୟ ନେଇ ଆସିଛି ଯେ ଏଇ ବାଳକୃଷ୍ଣ ମୋର ।
ମନୁଆ : ବାଳକୃଷ୍ଣ । ଇସ କେତେ ସୁନ୍ଦର ନାଁ । ତୋର ତ ଭାରି ବୁଦ୍ଧି । ଏତେ ମନ ଜିଣା ନାଆଁ ଟିଏ ଦେଇ ଦେଲୁ ସଂଗେ ସଂଗେ । ସେ ଯେବେ ଆମ କୃଷ୍ଣ ତା କଥା ଚିନ୍ତା କରନା ସବୁ ଠିକ୍ ହୋଇଯିବ ।
ସମୟ ଆଗେଇ ଚାଲେ । କଷ୍ଟେ ମଷ୍ଟେ ବାଳକୃଷ୍ଣ ଚାଲିବା ଆରମ୍ଭ କରି ଖନି କଥା କହୁଥାଏ । ମିଠା ମିଠା ପଦରେ ମାଆ ବାପା ଡାକଟି ଶୁଣିଦେଲେ ମନୁଆ ଓ କଇଁ ସ୍ବର୍ଗ ସୁଖ ପାଇ ଯାଉଥାନ୍ତି । ହେଲେ ବିଧିର ବିଧାନ ଭାରି ଅଲଗା । ଦିନେ ସକାଳ ତ ହେଲା କିନ୍ତୁ ସବୁଦିନ ପରି କଇଁ ଆଉ ଶେଜ ଛାଡି ଉଠିଲା ନାହିଁ । ଗେହ୍ଲ ବସରର ପୁଅ ଓ ମନର ରାଜାକୁ ଛାଡିଦେଇ ଚାଲିଗଲା ଆରପାରି ।
ମନୁଆର ଭାଙ୍ଗି ଗଲା ମେରୁଦଣ୍ଡ । ସେ ଭାରି ମନ ଦୁଃଖ କଲା । ଖାଇବା ପିଇବା ସବୁ କମି ଗଲା । ଧୀରେ ଧୀରେ ସେ ମଧ୍ୟ ଦୁର୍ବଳ ଦେଖାଗଲା । ତା ଅବସ୍ଥା ଦେଖି ବାଳକୃଷ୍ଣ ବେଶୀ କିଛି ବୁଝୁ ନଥିଲା ମଧ୍ୟ କିଛି କିଛି ଜାଣି ଯାଉଥାଏ । ବାପା ବାପା ଡାକି ଅନେକ ପ୍ରକାରରେ ଗେଲ କରୁଥାଏ । ଦିନେ ପିଲାଟିର ଏଭଳି ଆଦର ଦେଖି ଭାରି କାନ୍ଦିଲା ମନୁଆ । ସେ ଦିନ କାଇଁ ସେଇ ଗଛ ତଳେ ଛୁଆଟିକୁ ଛାଡି ନ ଆସି ସାଥିରେ ଆଣିଲା ଭାବି ମନ ଦୁଃଖ ମଧ୍ୟ କଲା । ହେଲେ ଏସବୁ ତ ଦଇବର ଖେଳ । ସେ ଖେଳେଇଲା ଯେମିତି ତା ମନଇଚ୍ଛାରେ ।
ମାସ ମାସ ପରେ ବର୍ଷ ବିତିଲା । ମନୁଆ ଛୁଆଟି ପାଇଁ ପୁଣି ଥରେ ସୁସ୍ଥ ହୋଇ ସବଳ ହେଲା । ପିଲାଟିକୁ ପାଠ ପଢେଇ ବଡ ମଣିଷ ତ କରି ପାରିବାର ଶକ୍ତି ତ ତା ପାଖେ ନାହିଁ ବୋଲି ସେ ତାକୁ ବଣ ଜଙ୍ଗଲରେ ତୀର କଳାରେ ମାହିର କରିଦେଲା । ତତସହ ବାଳକୃଷ୍ଣର ଆଖିରେ ଖଞ୍ଜି ଦେଲା ଅର୍ଜୁନ ତୀବ୍ର, ଲକ୍ଷ୍ୟ ପ୍ରିୟ ଶର ବିଦ୍ୟରେ ନାମିତି ହେବାର ସ୍ବପ୍ନ ।
ବାଳକୃଷ୍ଣକୁ ସବୁ ବିଦ୍ୟାରେ ମାହିର କରି ଚାଲିଗଲା ମନୁଆ । କେବଳ କହିଗଲା ନିଜ ସ୍ବପ୍ନ ପୁରା କରିବାକୁ । ହେଲେ ସବୁ ସ୍ବପ୍ନ ପୁରା ହୁଏନି । ଗରିବ ବାଳକୃଷ୍ଣ ନିଜର କଳାକୁ ପ୍ରଦର୍ଶିତ କରିବା ପାଇଁ ଅନେକ ଆୟ ଉପାୟ ଖୋଜେ । କେତେ କେତେ ଲୋକଙ୍କ ସାହାଯ୍ୟ ମାଗେ । ହାତ ପାତେ । ହେଲେ ଗରିବ ବାଳକୃଷ୍ଣର କଥା ଶୁଣେ କିଏ ! ସମସ୍ତେ କେବଳ ଲୋକବଳ ସହ ଅର୍ଥବଳକୁ ବୁଝିଲେ । ବାଳକୃଷ୍ଣର କଳାକୁ କାହାରି ମୂଲ୍ୟ ନାହିଁ ।
ଗରିବ ବାଳକୃଷ୍ଣ ଶେଷେ ହାରିଯାଏ । ଯେତେ ଯେତେ ଚେଷ୍ଟା କଲେ ମଧ୍ୟ ସେ ତା ସ୍ବପ୍ନକୁ କେବେ ପୁରା କରିପାରେନା । ଅବଳା ଗରିବର ପଗଡି ବାନ୍ଧି ସେ ସବୁବେଳେ ହାରିଯାଇ ରହିଯାଏ ସବଳ ଏବଂ ଦୁର୍ବଳର ସୀମାରେଖା ଭିତରେ ।
