Lipi Sahoo

Romance

4.3  

Lipi Sahoo

Romance

ଗୋଲାପି ଷଡ଼ଯନ୍ତ୍ର

ଗୋଲାପି ଷଡ଼ଯନ୍ତ୍ର

6 mins
141


ଠିକ୍ ଛଳ ଛଳ ହୋଇ ବୋହି ଯାଉଥିବା ପାହାଡି ଝରଣା ପରି ଚଞ୍ଚଳା । ସେଇଥି ପାଇଁ ତ ବାପା ତା ନାଁ ଦେଇଥିଲେ ପ୍ରଗଳ୍ଭା । ସମସ୍ତେ ନାଁ ଟାକୁ ପସନ୍ଦ କରନ୍ତି ହେଲେ ପ୍ରଶ୍ନ କରନ୍ତି ଏମିତି ନାଁ କାହିଁକି ?ହେଲେ ଯେ ତାକୁ ଚିହ୍ନିଛନ୍ତି ସେମାନେ ଜାଣନ୍ତି ନାଁ ଟିର ଯଥାର୍ଥତା । ଏବେ ଯୌବନ ରେ ପଦାର୍ପଣ କରି ସାରିଥିଲେ ବି କୈଶୋର ର ଚପଳତାକୁ ଛାଡିପାରି ନଥିଲା ସେ । ଚପଳ ପ୍ରଜାପତି ଟିଏ ପରି ଖୁସି ବାଣ୍ଟିବା ଆଉ ସାଉଁଟିବା ତା'ର କାମ ।ସେ ସଫ୍ଟୱେର ଇଞ୍ଜିନିୟର , ବାଙ୍ଗାଲୋର ରେ କାର୍ଯ୍ୟରତ ଥିଲା । 


                 ହଠାତ୍ କାଲି ଖରାବେଳେ ଅଫିସ୍ ରେ ଥିବା ସମୟରେ ମାଁ ଙ୍କର କଲ୍ ଆସିଲା । ୟେ ଅସମୟରେ କେବେ ବି ମାଁ କଲ୍ କରନ୍ତିନି । ସେ ତରତର ହୋଇ କଲ୍ ରିସିଭ୍ କଲା । ହାଲୋ ! ମାଁ କୁହ । 


              ସେପଟୁ ମାଁ କହିଲେ , ତୁ ୩/୪ ଦିନ ଛୁଟି ନେଇ ପଳେଇ ଆସ । କାଲି ହିଁ ଆସିବୁ । ତୋର ଫ୍ଲାଇଟ୍ ଟିକେଟ ମୁଁ କରି ଦେଇଚି । ସୁପୁନ୍ ( ପ୍ରଗଳ୍ଭା ର ସାନ ଭାଇ ) ତୋତେ ପଠେଇ ଦେଇଛି ମେଲ୍ ରେ । ବହୁତ ଜରୁରୀ କାମ ଅଛି , ତୋତେ ଆସିବାକୁ ହିଁ ହେବ ।

              ହେଲେ ମାଁ , ମୁଁ ତ ଏଇ ଦୁଇମାସ ତଳେ ଯାଇଥିଲି । ଏବେ ପୁଣି କ'ଣ କାମ ?କ'ଣ କିଛି ଅସୁବିଧା ହେଇଚି କି ?

              ମୋତେ ଆଉ କିଛି ପଚାରନା , କହିଲି ମାନେ ଆସିବୁ । ମାଁ ଙ୍କର ଦେହ ଭଲ ନାହିଁ କହି ଛୁଟି ନେଇ ଯା । କାଲି ସକାଳେ ୯.୩୦ରେ ଫ୍ଲାଇଟ୍ ଅଛି , କହି ଫୋନ୍ କାଟିଦେଲେ ।

              ମନେମନେ ଟିକେ ବିରକ୍ତ ହେଲା ପ୍ରଗଳ୍ଭା । ୟେ ମାଁ ଭି ନା ବହୁତ ଅଜବ । କିଛି ବି କହିଲେ ନି । ମୁଁ କ'ଣ ବୁଝିବି ? ସେ ଲିଭ୍ ଆପ୍ଲିକେସନ୍ ଦେଲା ।


                 ପରଦିନ ସକାଳୁ ତରତର ହେଇ ଯାଇ ଏୟାରପୋର୍ଟ ରେ ପହଞ୍ଚିଲା । ଟିକେଟ ଚେକିଂ ପାଖରେ ନିଜର ଟୋବ୍ୟାଗ୍ ଟା ରଖୁରଖୁ , ସେଟା ଗଡି ଯାଇ ଆଗରେ ଠିଆ ହେଇଥିବା ଗୋଟେ ଲୋକ ଗୋଡ଼ ରେ ବାଜିଲା । ସେ ପଛକୁ ବୁଲି ଯେମିତି ଚାହିଁଲା , ପ୍ରଗଳ୍ଭା ନିଜ ତରଫରୁ କହିଲା ସରି ସରି ! ଆଇ ଆମ୍ ଭେରି ସରି । ପ୍ଲିଜ୍ ଡୋଣ୍ଟ ମାଇଣ୍ଡ !


              ହେଲେ ସେ କିଛି ବି ନ କହି ମୁହଁ ବୁଲେଦେଲା ଆଗକୁ । ପ୍ରଗଳ୍ଭା କୁ ଟିକେ ଖରାପ ଲାଗିଲା । କିନ୍ତୁ କିନ୍ତୁ ତା'ର ରାଜକୁମାର ପରି ଚେହେରା ଦେଖି ପ୍ରଗଳ୍ଭା ର ଛାତି ଭିତରେ ଛୋଟିଆ ଆଲୋଡନ ଟେ ସୃଷ୍ଟି ହେଇଗଲା । ସେଇ ଚେହେରା ଟି ବାର ବାର ନାଚି ବାକୁ ଲାଗିଲା ତା'ର ଆଖି ଆଗରେ । ହେଲେ ସେ ଯେମିତି ଅଦୃଶ୍ୟ ହେଇ ଯାଇଥିଲା । ପ୍ରଗଳ୍ଭା ଆଉ ତାକୁ ଦେଖିବାକୁ ପାଇ ନଥିଲା କୋଉଠି ।


                 ପ୍ଲେନ୍ ଭିତରେ ପ୍ରଗଳ୍ଭା ଯେତେବେଳେ ନିଜ ସିଟ୍ ରେ ବସିବାକୁ ଗଲା ସେଠି ସେଇ ଯୁବକକୁ ଦେଖି ସେ ଚମକି ପଡିଲା । ହେଲେ ନିଜକୁ ସମ୍ଭାଳି ନେଇ କହିଲା ଏକ୍ସକ୍ବୁଜ୍ ମି ! ମାଇଁ ସିଟ୍ । ତା'ର ୱିଣ୍ଡୋ ସାଇଡ ସିଟ୍ ଥିଲା । ଯୁବକଟି ଚୁପଚାପ୍ ନିଜ ସିଟ୍ ରୁ ବାହାରି ଆସି ଠିଆ ହେଲା । ପ୍ରଗଳ୍ଭା ନିଜ ସିଟ୍ ରେ ଯାଇ ବସିଲା । ମନେମନେ ଖୁବ୍ ଖୁସି ହେଉଥାଏ ସେ । ହେଲେ ସେ ଯୁବକଟି ଏତେ ସିରିୟେସ୍ କାହିଁକି ?ସତେ କି ଯେମିତି ତା'ର କେହି କ'ଣ ଖାଇ ଦେଇଛନ୍ତି । ଟିକେ ବି ହସ ନାହିଁ ମୁହଁ ରେ । ଏମିତି ଲୋକ ବି ଦୁନିଆରେ ଥାଆନ୍ତି ?


              ପ୍ରଗଳ୍ଭା ବୁଲି ଅନେଇଲା ତାକୁ , ସେ ଗୋଟେ ନଭେଲ୍ ପଢୁଥିଲା । ଏବେ ତିନି ଘଣ୍ଟା ଖାଲି ବୋର୍ ହେବ ମଣିଷ । ପ୍ରଗଳ୍ଭା ଆଉ ସମ୍ଭାଳି ହେଇ ବସି ପାରିଲାନି । ଏୟାର ହୋଷ୍ଟେସ୍ କୁ ଡାକି ଗୋଟେ ସାଣ୍ଡୱିଚ୍ ଆଉ କଫି ଅଡର୍ କଲା । ସେ କଫିଟା ଧରୁଧରୁ ହଠାତ୍ ପ୍ଲେନ୍ ରେ ଜର୍କ ହେଲା । କିଛି ବୁନ୍ଦା କଫି ଚହଲିକି ସେ ଯୁବକର ପ୍ୟାଣ୍ଟ୍ ରେ ପଡିଗଲା । ଓଃ ମାଇ ଗଡ୍ ! କହି ସେ ପ୍ୟାଣ୍ଟ୍ କୁ ହାତରେ ଝାଡିବାକୁ ଲାଗିଲା । ହେଲେ ୟେଥର ଏୟାର ହୋଷ୍ଟେସ୍ ହିଁ ଆଗ କ୍ଷମା ମାଗିଲାନେଲା । ପ୍ରଗଳ୍ଭା ବଞ୍ଚିଗଲା । ହେଲେ ସେ ଯୁବକ ପ୍ରଗଳ୍ଭା କୁ ଟିକେ ବିରକ୍ତ ହେଇ ଅନେଇଲା । ପ୍ରଗଳ୍ଭା ଚୁପଚାପ୍ କଫି ପିଇବା କୁ ଲାଗିଲା । ଆଉ ମନେମନେ ସେ ଯୁବକକୁ ବକି ଚାଲିଥାଏ । ବେଶୀ ଦେଖେଇ ହେଉଛି । ଆଜି ମୋର ଦିନ ଟା ଭଲ ନାହିଁ । ଏମିତି ଗୋଟେ ଲୋକ ହାବୁଡ଼ରେ ପଡ଼ିଲା ଯେ ଖାଲି ଦୁର୍ଘଟଣା ଘଟି ଚାଲିଛି । ପୁଣି ସେଇ ଗୋଟିଏ ଲୋକ ସାଙ୍ଗରେ । ଏମିତି ଅନଉଚି ଯେମିତି ହାଣି ଦେବ । ବେକାରିଆ ଲୋକଟେ । ଏତେ ସିରିୟେସ୍ କ'ଣ ଯେ ?ରାଗରେ ସଡ୍ ସଡ୍ କରି କଫି ପିଇବା ଆରମ୍ଭ କରିଦେଲା । ସେଇ ସଡ୍ ସଡ୍ ସାଉଣ୍ଡ ଶୁଣି ସେ ପୁଣି ଗୋଟେ ହାଣି ଦେବା ଲୁକ୍ ଦେଲା । ପ୍ରଗଳ୍ଭା ଡରିକି ଧୀରେ ଧୀରେ ପିଇଲା ।


                କିଛି ସମୟ ପରେ ପ୍ରଗଳ୍ଭା କୁ ଟୟେଲେଟ୍ ଲାଗିଲା । ହେଲେ ଡରରେ ସେ ଆଉ କିଛି କହି ପାରୁ ନଥାଏ । ତାକୁ ଉଠିବାକୁ କହିଲେ ସେ ଆଉ ରାଗିବନି ତ ? କିଛି ସମୟ ନିଜକୁ ସମ୍ଭାଳି କି ସେ ବସିଲା । ହେଲେ ଆଉ ନୁହଁ । ଫଟ୍ କିନା ଉଠି କହିଲା , ଏକ୍ସକ୍ବୁଜ୍ ମି । ସେ ନଭେଲରୁ ମୁହଁ ଉଠେଇ କହିଲା , ଏବେ ପୁଣି କ'ଣ ? ଓଡ଼ିଆ ଶୁଣି ପ୍ରଗଳ୍ଭା ଆଶ୍ଚର୍ଯ୍ୟ ହେଇଗଲା । ସେ ଭାବି ନଥିଲା କି ୟେ ଯୁବକ ଓଡ଼ିଆ ବୋଲି । ଟିକେ ଶଙ୍କି ଯାଇ ପ୍ରଗଳ୍ଭା କହିଲା , ଟିକେ ଟଏଲେଟ୍ ଯିବି । 

              ଓକେ ! କହି ସିଏ ଠିଆ ହେଇଗଲା । 


                  ପ୍ରଗଳ୍ଭା ଫେରି ସିଟ୍ ପାଖରେ ପହଞ୍ଚିଛି କି ନାଇଁ, ପ୍ଲେନ୍ ଜୋରରେ ଦୋହଲିବାକୁ ଲାଗିଲା । ସେ ହିଲ୍ ପିନ୍ଧିଥିଲା । ହଠାତ୍ ସେ ତା'ର ବାଲାନ୍ସ ହରେଇ , ପଡ଼ିବାକୁ ଯାଉଥିଲା । ହେଲେ ସେ ଯୁବକଟି ଉଠିପଡ଼ି ତାକୁ ତା'ର ଅଣ୍ଟା ପାଖରୁ ଧରି ଦେଲା । ସେ ପଡିଲାନି ସତ । ହେଲେ ଲାଜରେ ଜଡସଡ ହେଇ ଗଲା । ଏଇ ସମୟରେ ସାଇଡ଼ରେ ବସିଥିବା ଜଣେ ପଞ୍ଜାବୀ ଅଙ୍କଲ କହିଲେ , ତୁସି ଗ୍ରେଟ୍ ହୋ ! ସମ୍ଭାଲ ଲିୟା ।

                  ପ୍ରଗଳ୍ଭା ର ମୁହଁ ଲାଜରେ ଲାଲ ପଡ଼ିଗଲା । ସାମାନ୍ୟ ଧନ୍ୟବାଦ ଜଣେଇବାର ବି ସାହାସ ଆଉ ତା'ର ନଥିଲା । ସେ ଆଖି ବନ୍ଦ କରି ଚୁପଚାପ୍ ନିଜ ସିଟ୍ ରେ ଶୋଇବାର ଅଭିନୟ କଲା । ଏୟାର ହଷ୍ଟେସ୍ ଦୌଡ଼ି ଆସି ପଚାରିଲା ମ୍ୟାମ୍ ! ଆର ଇୟୁ ଓକେ ? ପ୍ରଗଳ୍ଭା କେବଳ ମୁଣ୍ଡ ହଲେଇ ହଁ ରେ ଉତ୍ତର ଦେଲା । ହଠାତ୍ ପ୍ଲେନ୍ ଟର୍ବୋଲାନ୍ସରେ ପଡି ଯାଇଥିଲା । କିଛି ସମୟ ପାଇଁ ପ୍ଲେନ୍ ଯୋରରେ ହଲିଥିଲା । ସମସ୍ତେ ଡରି ଯାଇଥିଲେ । ବାହାରେ ଚାରିଆଡ଼େ ଘନକଳା ମେଘ ଘୋଡେ଼ଇ ହେଇ ଯାଇଥିଲା । ହଠାତ୍ ଜୋରରେ ଗୋଟେ ବିଜୁଳି ମାରିଲା । ପ୍ରଗଳ୍ଭା ଡରରେ ନିଜ ଅଜାଣତରେ ସେ ଯୁବକର ହାତକୁ ମାଡ଼ି ବସିଲା । କିଛି ସମୟ ପରେ ଫ୍ଲେନ୍ ଟର୍ବୋଲାନ୍ସ ରୁ ବାହାରି ଆସିବା ପରେ ସେ ଯୁବକ କହିଲା , ଏବେ ତ ମୋ ହାତ ଛାଡ ! ପ୍ରଗଳ୍ଭା ସଟ୍ କରି ନିଜ ହାତକୁ ଟାଣି ଆଣିଥିଲା । ହେଲେ ଯୁବକର ହାତରେ ତିନୋଟି ନଖର ଦାଗ ରହି ଯାଇଥିଲା । ସେ ନିଜ ଆଡୁ ହିଁ କହିଲା , ଆଉ ସରି କହିବା ଦରକାର ନାହିଁ ।

                  ପ୍ରଗଳ୍ଭା ଏତେ ଅପଦସ୍ତ ହୋଇ ସାରିଥିଲା ଯେ ସେ ଚାହୁଁ ଥିଲା ପ୍ଲେନ୍ କେମିତି ଶିଘ୍ର ପହଞ୍ଚି ଯିବ ଆଉ ସେ ଓହ୍ଲାଇ ଯିବ ଏଥିରୁ । ସତ କୁ ସତ ଅଳ୍ପ ସମୟ ପରେ ପ୍ଲେନ୍ ଲ୍ୟାଣ୍ଡ କଲା । ଯଥାଶୀଘ୍ର ସେ ଓହ୍ଲାଇ ନିଜ ଲଗେଜ୍ ପାଇଁ ଅପେକ୍ଷା କଲା । ଏବେ ସେ ଚାହୁଁ ଥିଲା ସେ ଯୁବକ ସହ ଆଉ ଦେଖା ନ ହୁଅନ୍ତା କି ! ସତ କୁ ସତ ଆଉ ଦେଖା ହେଲା ନାହିଁ ।


                  ସେ ଘରେ ପହଞ୍ଚି ମାଁ ଙ୍କ ଆଗରେ ବର୍ଷି ଯାଇଥିଲା । ତମେ ଏମିତି ମୋତେ କାହିଁକି ଡକେଇଲ , ଆଜି ଦିନଟା ମୋର ଯମା ଭଲ ନଥିଲା ।


           ମାଁ ଙ୍କ ମୁହଁ ରେ ଟିକେ ଦୁଷ୍ଟାମୀ ର ହସ ଥିଲା ଆଉ କହିଲେ , ମୁଁ ତ ଭାବିଥିଲି ତୋର ଯାତ୍ରା ଟି ଅତି ସୁନ୍ଦର ହେବ ବୋଲି । ହେଲେ ତୁ କ'ଣ ଓଲଟା କହୁଛୁ ?


                 ପ୍ରଗଳ୍ଭା କହିଲା , ମାନେ ? ତମେ କାହିଁକି ଭାବିଲ ସୁନ୍ଦର ହେବ ?


            ମାଁ କଥାକୁ ଏଡେଇ ଯାଇ , ହଉ ହଉ !ଚାଲ ଖାଇବୁ । ତୋତେ ଭୋକ ହେବଣି କହି ମାଁ ରୋଷେଇ ଘରକୁ ଚାଲିଗଲେ ।


                  ପର ଦିନ ସକାଳେ ମାଁ ଏକ ସୁନ୍ଦର ଶାଢ଼ୀ ଟେ ଦେଇ କହିଲେ ଏଇଟା ପିନ୍ଧି ପକା । ଘରକୁ ଗେଷ୍ଟ ଆସିବେ ।

                  ଓଃ ! ବୁଝିଲି ମୋତେ ଦେଖିବାକୁ ଆସୁଛନ୍ତି ନା ? ତମେ ବି ନା ମାଁ ... ଏଇଥି ପାଇଁ ମୋତେ ଏମିତି ଜଲଦି ଜଲଦି ରେ ଡକେଇ ପଠେଇଲ ? ଟିକେ ବିରକ୍ତି ମିଶା କଣ୍ଠରେ କହିଲା ।


              ସତ କହିଥିଲେ ତୁ କ'ଣ ଆସିଥାଆନ୍ତୁ ? ସେଇଥି ପାଇଁ ତୋତେ କିଛି ଜଣେଇଲି ନାହିଁ । ହଉ ଆଉ ଡେରି କରନି ।


                  ପ୍ରଗଳ୍ଭା ଯେତେବେଳେ ଟ୍ରେ ଧରି ରୁମ୍ ରେ ପଶିଲା । ସାମ୍ନାରେ ସେଇ ଯୁବକ ବସିଥିଲା । ଆଜି କିନ୍ତୁ ତା ମୁହଁ ରେ ହସ ଥିଲା । ପ୍ରଗଳ୍ଭା ର ଛାତି ଭିତରେ ବିଜୁଳି ଖେଳି ଯାଇଥିଲା ଯେମିତି । ସବୁ କିଛି ସ୍ୱପ୍ନ ଭଳି ଲାଗୁଥିଲା ତାକୁ ଆଉ ପ୍ରେମର ପ୍ରଥମ ମଳୟ ତାକୁ ଛୁଇଁ ଛୁଇଁ ଯାଉଥିଲା । ଏବେ ସେ ବୁଝିଲା ମାଁ କାହିଁକି ନିଜେ ଟିକେଟ କରି ପଠେଇ ଥିଲେ । ଏଇଟା ଦୁଇପଟ ର ମୁରବୀ ମାନଙ୍କର ଏକ ଗୋଲାପି ଷଡ଼ଯନ୍ତ୍ର ଥିଲା ।

           

           

                   


Rate this content
Log in

Similar oriya story from Romance