ଗହଣା
ଗହଣା
ନାରୀ ର ଜୀବନ ଏହିପରି । ପରାଧୀନତା ଅଧିକ ।ସ୍ବାଧୀନତା ହାତ ଗଣତି ରେ । ପିଲା ବେଳେ ମାଆ ବାପାଙ୍କ ଅଧୀନରେ । ବାହାଘର ପରେ ସ୍ବାମୀଙ୍କ ଅଧୀନରେ । ଆଉ ବାର୍ଦ୍ଧକ୍ୟ ରେ ପୁଅ ଝିଅଙ୍କ ଅଧୀନ ରେ । ଆଉ ଯଦି ସିଏ ନିଜର ମତବ୍ଯକ୍ତ କରେ । ଅଧୀନାରୁ ସ୍ବାଧୀନା କୁ ଅଗ୍ରସର ହୁଏ । ତା'ହେଲେ ଆରମ୍ଭ ହୁଏ ଅଶାନ୍ତ ପରିସ୍ଥିତି । ତେଣୁ ସେ ଧୀରେ ଧୀରେ ସହନଶୀଳା ହୋଇଯାଏ । ପ୍ରତିବାଦର ଶକ୍ତି ଲୋପ ପାଇଯାଏ..ଯେମିତି ଆମ ବୀଣା ପିଇସୀ ନାନୀ ।
ନାନୀ ଆମର ଟିକେ ଦୂର ସମ୍ପର୍କୀୟ । କିନ୍ତୁ ନିଜର ଠୁ ଅଧିକ । ଭାରୀ ସ୍ନେହୀ ମଣିଷ । ତାଂକ ଘରକୁ ଗଲେ । ନ ଖୋଇ ଛାଡ଼ନ୍ତିନି ସମସ୍ତଙ୍କୁ ଆପଣାର କରିବାର ଶକ୍ତି ତାଂକୁ ମିଳିଛି । ବହୁତ ଧନୀ ଘର ର ଝିଅ ଥିଲେ.. ମଧ୍ଯବିତ୍ତ ପରିବାର ରେ ବିବାହ କଲେ । ଯୌଥ ପରିବାର ଥିଲା...ପିଲାମାନେ ଆସି ଗଲେ । ସେମାନଙ୍କର ଜଞ୍ଜାଳ, ପାଠ ପଢା ପାଇଁ ଆର୍ଥିକ ସ୍ଥିତି ଧୀରେ ଧୀରେ ଦୁର୍ବଳ ହେଲା । ତେଣୁ ସେ ନିଜର ଗହଣା ଯାହା ସବୁଠାରୁ ପ୍ରିୟ ଥିଲା..ବିକ୍ରି କରି ପିଲାଙ୍କୁ ପଢାଇଲେ। ମାଆ ବାପାଙ୍କର ଗୋଟିଏ ଝିଅ ଥିଲେ । ତେଣୁ ବହୁତ ଗହଣା ଆଣିଥିଲେ.. ଧୀରେ ଧୀରେ ତେଲ ଲୁଣ ସଂସାର ର ହିସାବ କରୁ କରୁ ଗହଣା ସବୁ ବିକ୍ରି ସରି ଥିଲା । ପିଲା ଦୁଇଟି ପାଠ ପଢି ଭଲ ଚାକିରୀ କଲେ। ସ୍ବାମୀ ଶିକ୍ଷକତା କରୁ ଥିଲେ । ଅବସର ନେଲେ । କିନ୍ତୁ କେହି ତାଂକ ଖାଲି ବେକ ,ନକଲି କାନଫୁଲ ,ଚୁଡିକୁ ଅସଲି କରିବାକୁ ପ୍ରୟାସ କରି ନଥିଲେ । ସବୁଠାରୁ ଦୁଃଖର କଥା ଥିଲା । ଯେତେବେଳେ ନାନୀଙ୍କର ବନ୍ଧୁ ବାନ୍ଧବଙ୍କର ପରିବାର ରେ ବାହାଘର, ବ୍ରତ ଘର ଇତ୍ଯାଦି ଉତ୍ସବ ହେଉଥିଲା । ନାନୀଙ୍କୁ କେଉଁଠାକୁ ଯିବାକୁ ଦେଉ ନ ଥିଲେ । ସ୍ବାମୀଙ୍କର ସ୍ବର୍ଗବାସ ହୋଇ ସାରି ଥିଲା । ପିଲାମାନେ କହୁଥିଲେ । ସୁନା ଗହଣା ହେଲେ ତୁ ଯିବୁ । ପେନସନ୍ ଟଂକା ସାନପୁଅ ଅଧୀନ ରେ । ସେ ଘର ପାଖରେ ଚାକିରୀ କରୁଥିଲା । ସମସ୍ତେ କୌଣସି ଉତ୍ସବରେ ଚାଲିଗଲେ । ନାନୀ ବହୁତ ଦୁଃଖୀ ହେଉଥିଲେ । ନିଜ ବେକ କାନ କୁ ଅଣ୍ଡାଳୁ ଥିଲେ...ଭାବୁଥିଲେ । କୌଣସି ଉତ୍ସବ କୁ ଯିବାମାନେ କଣ ଗହଣା ନିହାତି ଦରକାର । ଯଦି ସମ୍ମାନକୁ ଜଗୁଛ ତେବେ ସାଧାରଣ ସଜଟେ କରିଦେଉନ । ବାପ ଘରେ କେତେ ଅଲିଅଳି ରେ ବଡ଼ ହୋଇଥିଲି । ଅଭାବ କଣ ଜାଣି ନ ଥିଲି । ଶାଶୁ ଘରେ ଆସି ପରିବାର ପାଇଁ ସବୁ ବିକ୍ରି କରିଦେଲି ଏ ବୟସରେ ପିଲା ମାନଙ୍କ ଅଧୀନ ରେ ରହିବାକୁ ପଡୁଛି ନିଜ ଲୋକ ତ ଏକୁଟିଆ କରି ଚାଲିଗଲେ । କାହା ଆଗରେ ନିଜ ମନ କଥା କହିବି, ଯଦି କିଛି ଆପତ୍ତି କରିବି । ବୃଦ୍ଧା ଶ୍ରମ କୁ ପଠାଇଦେବେ ।
ଦିନେ ଖବର ଆସିଲା ନାନୀଙ୍କର ନିଜ ପୁତୁରା ର ବାହାଘର। ସେ ଜିଦି କଲେ ବାହାଘର କୁ ନିଶ୍ଚୟ ଯିବେ ଗୋଟିଏ ବୋଲି ଭାଇ ତାଂକର । ନ ଗଲେ ବହୁତ ଖରାପ ହେବ । ନାନୀଙ୍କର ବଡ଼ ପୁଅ ଓଡିଶା ବାହାରେ ଚାକିରୀ କରୁଥିଲେ।ସବୁ କଥାରେ ମୁଣ୍ଡ ଖେଳାଉ ଥିଲା ସାନ ପୁଅ..ନାନୀଙ୍କ ବାହାଘରକୁ ଯିବା ଜିଦ୍ଦି ଦେଖି ସାନ ପୁଅ କହିଲା..ସୁନା ଗହଣା କରିଦେବା । କେତେ ଖର୍ଚ୍ଚ ହେବ । କେଉଁଠୁ ପଇସା ଆସିବ। ନାନୀ କହିଲେ, ବାପାଙ୍କ ପେନସନ୍ କଣ କରୁଛୁ । ତୋର ଦରମା କିଛି କମ୍ ନୁହେଁ...ବୁଢୀ ହେଲିଣି । ମୋର ଗହଣା କଣ ହେବ ? କିନ୍ତୁ ମତେ କୌଣସି ଉତ୍ସବକୁ ଛାଡୁନୁ କଣ ପାଇଁ ? ସବୁ ବନ୍ଧୁ ଙ୍କ ଘରକୁ ଯିବା ବନ୍ଦ କରି ଦେଇଛୁ.. ପୁଅ ବାଧ୍ଯ ହୋଇ ଗହଣା ଆଣିବ ବୋଲି କହିଲା ନାନୀ ମନ ଭାରି ଖୁସି..ପୁତୁରା ବାହାଘର ରେ ଯିବେ । କିଛି ଦିନ ରହିକି ଆସିବେ.. ଏମିତି ରେ ବି ଭାଇ, ଭାଉଜ, ପୁତୁରା ମଝିରେ ମଝିରେ ଦେଖା କରିବାକୁ ଆସନ୍ତି କିନ୍ତୁ ଦୁର୍ଭାଗ୍ଯ । ତା'ପର ଦିନ ନାନୀ ଖଟରୁ ତଳକୁ ପଡିଗଲେ... ଗୋଡ଼ ଭାଂଗିଗଲା । ବାହାଘର କୁ ତ ଯାଇପାରିବେନି । ତେଣୁ ପୁଅ ଗହଣା କିଣିବା ବାତିଲ୍ କଲା ।
