ତ୍ୟାଗ
ତ୍ୟାଗ
କିଛି ଦିନ ତଳର କଥା । ଖରାଦିନ ଛୁଟି ହୋଇଥାଏ, ମୁଁ ପିଲାମାନଙ୍କ ସହିତ ଗାଆଁକୁ ଯାଇଥାଏ । ଗାଆଁରେ ଚହଳ ପଡିଥାଏ ଯେ ସମସ୍ତଙ୍କ ବାଡିରୁ କିଏ ପରିବା ଚୋରାଇ ନେଉଛି । ଗାଆଁରେ ସମସ୍ତଙ୍କର ବିଲବାଡି ଅଛି । ତେଣୁ ସମସ୍ତଙ୍କର ଚାଷ ହୁଏ । ନିଜ ବାଡିରେ ଘର ମୂଲିଆମାନେ ପରିବା ଚାଷ ବି କରନ୍ତି । ତେଣୁ ସେଠାରେ ପନି ପରିବାର ପ୍ରାୟ ଅଭାବ ନ ଥାଏ । ଯାହାର ଅଧିକ ହୁଏ, ବଣ୍ଟାଯାଏ । ସମସ୍ତେ ଭାବୁଥାନ୍ତି କାହାର ଅଭାବ ହେଉଛି ଯେ ସବୁଦିନେ କାହା କାହା ବାଡିରୁ ଚୋରୀ ହେଉଛି.....! ରାତିରେ ମୂଲିଆମାନେ ଜଗିଲେ, ଚୋର ଧରାପଡିଲାନି । ଦିନ ବେଳା ପୁରୁଷ ଲୋକମାନେ ଚାକିରୀକୁ ଯାଉଥିଲେ । ସ୍ତ୍ରୀ ଲୋକମାନେ ରୋଷେଇ ଏବଂ ପିଲାମାନଙ୍କ କାମରେ ବ୍ୟସ୍ତ ରହି ଜଗି ପାରୁ ନ ଥିଲେ ।
ମୁଁ ଗାଆଁକୁ ଯିବା ବେଳକୁ ୧୫ଦିନ ହେବ ଚୋରୀ ହେଉଥିଲା । ସମସ୍ତେ ବ୍ୟସ୍ତ ହେଉଥିଲେ । ଦିନେ ଖରାବେଳେ ମୁଁ ବାଡିକୁ ଲଙ୍କା, ଧନିଆପତ୍ର ଆଣିବାକୁ ଯାଇଥିଲି । ଦେଖିଲି ଜଣେ ଝିଅ ଆମ ବାଡିରୁ ପରିବା ତୋଳୁଛି । ସେ ପଛ କରି ତୋଳୁଥିଲା । ତା ମୁହଁକୁ ଘୋଡାଇ ଦେଇ ଥିଲା । ମୁଁ ଆଉ ଲଙ୍କା ନ ତୋଳି ଧୀରେ ଧୀରେ ତା ' ପାଖକୁ ଯାଇ ତାକୁ ଧରି ଦେଲି । ସେ ବହୁତ ଚେଷ୍ଟା କଲା ଖସି ଯିବା ପାଇଁ । କିନ୍ତୁ ହାତରେ ପରିବା ବ୍ୟାଗ୍ ଥିବା ଯୋଗୁ ଯାଇ ପାରିଲାନି । ମୁଁ ତା ମୁହଁରୁ କପଡା ବାହାର କରିଦେଲି । ଦେଖିଲି ..ସେ ଥିଲା ସୀମା..ଆମ ପାଖ ଗାଆଁର ଝିଅ ଅଙ୍ଗନା ବାଡିରେ କାମ କରେ । ମତେ ଭାଉଜ ଡାକେ । ମୁଁ ଘରକୁ ଗଲେ ସେ ନିଶ୍ଚୟ ଦେଖା କରିବାକୁ ଆସେ । ମୁଁ କହିଲି – ସୀମା ତୁମେ କଣ ପାଇଁ ପରିବା ନେଉଛ ?କିଛି ଦିନ ହେବ ଗାଆଁରେ ଯେଉଁ ଚହଳ ପଡିଛି..ତୁମେ ଏ କାମ କରୁଛ..?କିଛି ଉତ୍ତର ନଦେଇ ବହୁତ କାନ୍ଦିଲା.. ଅନୁରୋଧ କଲା ଯେ ଭାଉଜ ସବୁ କଥା କହିବି,ତୁମେ ମୋତେ ଧରା ପକାଇବନି... ମୋ ଠାରୁ ଆଶ୍ୱାସନା ପାଇ ସେ କହିଲା...
ସେତେବେଳେ ମୋର ବୟସ ୧୫ ଥିଲା ମୋ ବାପା ଚାଲିଗଲେ । ଭାଇ ବଡ ଥିଲା । ସେ ଚାକିରୀ କଲା, ନିଜେ ଠିକ୍ କରି ବାହା ହୋଇ ଗଲା । ଘର ସହିତ ସମ୍ପର୍କ ରଖିଲାନି ସେ ବର୍ଷ ମୋର ମେଟ୍ରିକ ପରୀକ୍ଷା । ଭଲ ନମ୍ବର ରଖି ପାଶ୍ କଲି । କିନ୍ତୁ କଲେଜରେ ପଢିବା ପାଇଁ ଟଙ୍କା ନ ଥିଲା । ବାପା ଯିବା ପରେ ବୋଉର ଦେହ ଭଲ ରହୁନଥିଲା । ତା'ର ଔଷଧ ପାଇଁ ଟଙ୍କାର ଅଭାବ ଥିଲା ଭାଗ ଚାଷ କରୁଥିଲୁ, ଯେତିକି ଚାଷି ଦେଉ ଥିଲା ଚାଉଳ ତ ମିଳି ଯାଉ ଥିଲା କିନ୍ତୁ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ମୁଁ ଗାଆଁରେ ଛୋଟ ପିଲାଙ୍କୁ ଟିଉସନ୍ କଲି । ଦୁଃଖ ସୁଖରେ ଚଳି ଯାଉଥିଲୁ । ଆମେ ଜାଣିନଥିଲୁ ଯେ ବାପା ଭାଇର ପାଠ ପଢା ପାଇଁ ଘର ବାଡି ବନ୍ଧା ପକାଇଥିଲେ । ଋଣ ଶୁଝି ପାରିଲୁନି । ଘର ଚାଲିଗଲା । ପଚାରିଲି– କେଉଁଠି ରହୁଛ?କହିଲା– ଗାଆଁରେ ଯେଉଁ ଭାଗବତ ଟୁଙ୍ଗି ଥିଲା, ସେଇଠି ବୋଉର ମୋର ରହିଲୁ । କିଛି ଲୋକ ଏ କଥା ଜାଣିଛନ୍ତି । ଏତିକିରେ ମୋ ଦାୟିତ୍ୱ ସରିଲାନି ଭାଉଜ, ମୋ ଖୁଡିଙ୍କୁ ତାଙ୍କ ପୁଅ ଟଙ୍କା ପଠାଇଲାନି, ଖାଇବାକୁ ପାଇଲେନି, ମୋ ପାଖକୁ ପଳାଇ ଆସିଲେ । ସରପଞ୍ଚ ଙ୍କୁ ମୋ ଦୁଃଖ କହିଲି । ସେ ଅଙ୍ଗନା ବାଡିରେ ଚାକିରୀ ଦେଲେ । ଆମେ ତିନି ଜଣ ହେଲୁଣି,ଯାହା ଟଙ୍କା ପାଉଛି, ସେମାନଙ୍କ ଔଷଧ ଖର୍ଚ୍ଚ,ଗ୍ରୋସରୀ ଜିନିଷ ଅଳ୍ପରେ ଚଳିଯାଉଛୁ । କିନ୍ତୁ ତିନି ବେଳା ପାଇଁ ପରିବା ଯୋଗାଡ କରିପାରୁନି । ତେଣୁ ସମସ୍ତଙ୍କ ବାଡିରୁ ଚୋରୀ କରୁଛି । ପଚାରିଲି କଣ ପାଇଁ ଚୋରୀ କରୁଛ? ମାଗିଲେ ତ ସେମାନେ ଦେଇ ଦିଅନ୍ତେ....କହିଲା–ଦିନେ ଅଧେ ଦେବେ... ସବୁଦିନେ କେବେ ଦେବେନି । ତୁମେ ତ ଏଠାରେ ରହୁନ... ଆମ ଗାଆଁ କଥା କିଛି ଜାଣିନ.. ପଚାରିଲି– ବାହାଘର କଥା ଭାବିଛ...?କହିଲା– ନା ମୁଁ ବାହା ହୋଇଗଲେ ସେମାନଙ୍କ ଦାୟିତ୍ୱ କିଏ ନେବ....ମୋ ଭରସାରେ ସେମାନେ ବଞ୍ଚିଛନ୍ତି..ନିଜ ପୁଅମାନେ ତ ପଚାରିଲେନି ଗାଆଁ ଲୋକେ କାହିଁକି ଦେବେ....! ମୋର ଯେଉଁ ଚୋର ବିଷୟରେ ଧାରଣା ଥିଲା, ସୀମା କଥା ଶୁଣିଲା ପରେ ଭାବିଲି–କେତେ ବଡ ତ୍ୟାଗ....ଛୋଟ ବେଳୁ କେତେ ଦାୟିତ୍ୱ ନେଇଛି.... କଣ କହି ତାକୁ ଧନ୍ୟବାଦ ଦେବି..ଭାଷା ନଥିଲା...ଶାଶୁଙ୍କ ଡାକରେ ନିଜ ଅବସ୍ଥାକୁ ଫେରିଲି..କହିଲେ ଏତେ ବେଳ ହେଲା କୁଆଡେ ଗଲୁ?କହିଲି ମା, ସୀମା ସ୍କୁଲରୁ ଫେରୁଥିଲେ ତ ..ତାଙ୍କୁ କଥା ହେଉଥିଲି । ସୀମାଙ୍କୁ କହିଲି,କାଲି ରବିବାର ଅଛି, ଆସିବ ..ତୁମ ସହିତ କଥା ଅଛି । ସନ୍ୟାକୁବେଳେ ସମସ୍ତେ ଜଳଖିଆ ଖାଇ ସାରିବା ପରେ ସୀମାର ଅସୁବିଧା କଥା କହିଲି । କେମିତି ଆମେ ତାକୁ ସାହାଯ୍ୟ କରିବା, ସେଥିପାଇଁ ସମସ୍ତଙ୍କର ମତାମତ ନେଲି । ଦିଅର କହିଲେ –କାଲି ସରପଞ୍ଚଙ୍କ ସହିତ କଥା ହୋଇ ବାର୍ଦ୍ଧକ୍ୟ ଭତ୍ତା ସେମାନଙ୍କର କରିବା । ଶାଶୁ କହିଲେ ମୋ ପେନ୍ ସନ୍ରୁ କିଛି ଦେବି । ମୋ ସ୍ୱାମୀଙ୍କୁ କହିଲି କିଛି ଟଙ୍କା ତାକୁ ସାହାଯ୍ୟ କରିବା ।
ପରଦିନ ସକାଳୁ ସୀମା ଆସି ପହଞ୍ଚି ଗଲା । ଆମମାନଙ୍କର ପ୍ରସ୍ତାବ ବିଷୟରେ ତାକୁ କହିଲି । ବହୁତ ଖୁସି ହେଲା । କହିଲା_ ଭାଉଜ ମତେ ବଞ୍ଚାଇ ଦେଲ । ମତେ ଆଉ କେହି ପରିବା ଚୋରାଉଥିବାର ଦେଖିଥିଲେ କେତେ ନିନ୍ଦା ମୁଁ ପାଇଥାନ୍ତି.....କହିଲି–ତୁମେ ଯେଉଁ ଚୋରୀ କରୁଥିଲ...କିଛି ଅସହାୟଙ୍କ ମୁହଁରେ ଆହାର ଦେବା ପାଇଁ । ସେମାନଙ୍କୁ ଦେବା ପାଇଁ ଯଦି ତୁମର ସାମର୍ଥ୍ୟ ଥାନ୍ତା,ତୁମେ ଚୋରାଇ ନଥାନ୍ତ । ତୁମେ କେବେ ବି ଚୋରଣୀ ନୁହଁ...ଏହି ସମୟରେ ଶାଶୁ ପହଞ୍ଚିଗଲେ । ସୀମାକୁ ଦେଖି ଖୁସିହେଲେ । କହିଲେ– ତୁ ଗଲାବେଳେ ପରିବା,ମିଠା ନେଇଯିବୁ । କାଲି ବୋହୁ ତୋ ବିଷୟରେ ସବୁ କହୁଥିଲା । ଏତେ ଅସୁବିଧାରେ ଅଛୁ, ଆମକୁ କହିନୁ....ସୀମା ଚାଲିଗଲା । ଗାଆଁରେ ସମସ୍ତେ ସୀମାର ଅସୁବିଧା କଥା ଜାଣି କିଛି କିଛି ଜିନିଷ ଦେବା ଆରମ୍ଭ କଲେ । ତାର କିଛିକାଂଶରେ ଅସୁବିଧା ଦୂର ହେଉଥିଲା । ଗାଆଁରେ ଆଲୋଚନା ହେଲା, ପରିବା ଚୋର ତ ଆଉ ଆସୁନି,କାହା ବାଡିରୁ ପରିବା ଚୋରୀ ହେଉନି...ଆମ ଘରେ ମଧ୍ୟ ଚୋର କଥା ଆଲୋଚନା ହେଲା । ଘଟଣା କଣ...ଚୋର ତ ଆସୁନି...କହିଲି–ସମସ୍ତେ ଜଗିଲେ ତ, ଧରାପଡିଯିବ ବୋଲି ଆଉ ଚୋରୀ କଲାନି...ଏ ଗାଆଁ ଛାଡି ଚାଲିଗଲା ବୋଧହୁଏ.... ।
