ଦୃଢ ବିଶ୍ବାସ
ଦୃଢ ବିଶ୍ବାସ
ମାନିନୀ ର ମନ ଟା କାହିଁକି କେଜାଣି ଆଜି ଭାରି ଅଡୁଆ ଅଡୁଆ ଲାଗୁଛି।କିଛି ଗୋଟେ ଯେମିତି ଘଟିବ ଯେମିତି।ତଥାପି ମନକୁ ଯେମିତି ସେମିତି ବୁଝେଇ ବାଝେଇ କାମରେ ଲାଗିଥାଏ।
ଠିକ୍ ଏତିକି ବେଳକୁ ଫୋନଟା ବାଜି ଉଠିଲା।ଆରପଟୁ ତା' ମାଙ୍କ ସ୍ବର ଶୁଣି ଟିକିଏ ଚମକି ପଡିଲା ମାନିନୀ।ଏ ଅବେଳରେ ମା କାହିଁକି ଫୋନ୍ କଲା?
ସେପଟୁ ମା କହୁଥାନ୍ତି-"ମା ରେ ମୋତେ ଭଲଲାଗୁନି।ଦେହଟା କେମିତି ଥରିଲା ପରି ଲାଗୁଛି।"ଟିକିଏ ସମୟ ଲାଗି ମାନିନୀ ପୁରା ସ୍ତବ୍ଧ ରହିଗଲା।କ'ଣ କରିବ?କିଛି ଭାବିପାରିଲା ନାହିଁ।ତଥାପି ମା କୁ ସାନ୍ତ୍ବନା ଦେବାକୁ କହିଲା-"ହଁ ମା,କାଲି ଏତେ ଗୁଡେ ବାନ୍ତି କରିଥିଲୁ ତ।ଦେହଟା ଦୁର୍ବଳ ଅଛି ସେଥିଲାଗି ସେମିତି ଲାଗୁଥିବ।ତୁ ଟିକିଏ ଶୋଇ ପଡ।ଦେଖିବୁ ଭଲ ଲାଗିବ। "ଏତିକି କହି ଫୋନ୍ ଟି ରଖିଦେଲା।
ହେଲେ ମନକୁ ଏକ ଅଜଣା ଭୟ ମାଡି ବସୁଥାଏ।ବାପା ଗଲା ଦିନରୁ ମା' ପୁରାପୁରି ଭାଙ୍ଗି ପଡିଥିଲେ।ଘରେ ମା ପୁଅ ଦୁଇଜଣ ଏକୁଟିଆ।ମାନିନୀ ବି ଶାଶୁଘରେ ଥାଏ ସିନା ହେଲେ,ମନ ଭିତରେ ସବୁବେଳେ ମା'ର ଚିନ୍ତା ଥାଏ।ସେ ଯାହା ହଉ ଆଜି କିନ୍ତୁ ମାଙ୍କ ଠୁ ଫୋନ୍ ପାଇଲା ପରେ ମନଟା କାହିଁକି ଜମା ଭଲ ଲାଗୁ ନଥାଏ।ଇଚ୍ଛା ହଉଥାଏ ମା ପାଖକୁ ଦୌଡିଯିବାକୁ ,ହେଲେ ଯିବ କେମିତି..?
କିଛି ସମୟ ପରେ ମାନିନୀର ସାନ ଭାଇ ଫୋନ କରି କହିଲା"ନାନୀ ,ମା ବେହୋସ୍ ହେଇ ଯାଇଛି।ତୁ ଭାଇନାଙ୍କୁ ଧରିକି ଜଲଦି ଆ।" ବାସ୍ ଏତିକି କହି ଫୋନ୍ କାଟିଦେଲା।
ମାନିନୀ ସାଙ୍ଗେ ସାଙ୍ଗେ ସ୍ବାମୀଙ୍କ ସହ ବାହାରି ପଡିଲା।ବାଟଯାକ ମନକୁ ଅନେକ ପାପ କଥା ଆସୁଥାଏ।ତଥାପି ଭଗବାନଙ୍କୁ ଡାକି ଡାକି ଶେଷରେ ସେ ଘରେ ପହଞ୍ଚିଲା।
ସେ ଗାଡିରୁ ଓଲ୍ହେଇଲା ବେଳକୁ ତା'ସାନ ଭାଇଟି ପାଖକୁ ଦୌଡି ଆସିଲା ଓ କହିଲା-"ନାନୀ ତୁ ଆସିଗଲୁ।ମା'ଏଥର ନିଶ୍ଚୟ ଭଲ ହେଇଯିବ ନା??"କ'ଣ ଉତ୍ତର ଦେବ ବୁଝିପାରିଲାନି ମାନିନୀ।
ତଥାପି ଭାଇଟିର ଆଖିରେ ଥିବା ବିଶ୍ବାସ କୁ ଦେଖି ଟିକିଏ ଥମିଗଲା ସେ।କେତେ ଅମାପ ଭରସା ଭରିରହିଥିଲା ସେ କଥା ପଦୁଟିଏରେ।ମାନିନୀ କହିଲା-"ହଁ ,ମା ନିଶ୍ଚୟ ଭଲ ହେଇଯିବ।"
ତା ପରେ ସେମାନେ ମାଙ୍କୁ ହସ୍ପିଟାଲ ନେଲେ ସେଠାରେ ଆସିୟୁ ରେ କିଛିଦିନ ଚିକିତ୍ସା ହେବାପରେ ସେ ସୁସ୍ଥ ହେଇ ଘରକୁ ଫେରିଲେ।
ଦିନେ ସମସ୍ତେ ସଂଧ୍ଯାବେଳେ ବସି ଏକାଠି ଚାହା ପିଉଥିବା ବେଳେ ମାନିନୀର ସାନଭାଇ ତାକୁ କହିଲା-"ଜାଣିଚୁ ନାନୀ,ତୁ ଯେତେବେଳେ ଆସିଗଲୁ ଓ କହିଲୁ ନା ମା'ନିଶ୍ଚୟ ଭଲ ହେଇଯିବ ବୋଲି,ମୁଁ ସେତେବେଳୁ ନିଶ୍ଚିନ୍ତ ହେଇଗଲି ଯେ ଆମ ମା'ନିଶ୍ଚୟ ଭଲ ହେଇଯିବ ବୋଲି।"
ସତରେ ବେଳେ ବେଳେ ଏମିତି କିଛି ଦୃଢ ବିଶ୍ବାସ ଆଗରେ ଏକ ଅଦୃଶ୍ଯ ଶକ୍ତି ଆମକୁ ବିପଦରୁ ଉଦ୍ଧାର କରିଦିଏ।