ଦୋଷ କାହାର?
ଦୋଷ କାହାର?
ଦିନେ ହଂସଟିଏ ତଳ ଆଡ଼କୁ ବେକ ମୋଡ଼ି ପାଣିକୁ ଚାହିଁ ନଈରେ ପହଁରୁ ଥାଏ। ବାଳିଆ ମାଛଟାଏ ତାକୁ ଦେଖି ପଚାରିଲା, ‘ହଂସ, ମତେ କହିଲୁ ଏ ନଈର ପାଣି ହେମାଳ ହେଇଗଲେ ତୁ କୁଆଡ଼େ ଉଡ଼ିଯାଉ।”’
ହଂସ କହିଲା, ‘‘ସେ କଥା ଜାଣି ତୋ’ର ଲାଭ କ’ଣ?” ବାଳିଆ କହିଲା, ‘‘ଶୀତ ଦିନେ ମୋର ବି ଇଚ୍ଛାହୁଏ କୁଆଡ଼େ ଉଡ଼ିଯିବାକୁ । ହେମାଳ ପାଣିରେ ନିଃଶ୍ବାସ ନେବା କି କଷ୍ଟ! ’’ ହଂସ କହିଲା, “‘ମୁଁ ଉଷୁମ ପଡ଼ିଥିବା ଅଞ୍ଚଳକୁ ଉଡ଼ିଯାଏ।’’ ବାଳିଆ କହିଲା, ‘‘ମତେ ସାଙ୍ଗରେ ନିଅନ୍ତୁ ନି!”’ ହଂସ କହିଲା, ‘‘ଭଲ କଥା। ଏକାଠି ଗଲେ ଭାରି ମଜା ହବ।”’ ହଂସ ଓ ବାଳିଆ କଥାବାର୍ତ୍ତା ହେଲାବେଳେ କଙ୍କଡ଼ାଟିଏ ଏ କଥା ଶୁଣିଲା । ସେ କହିଲା, ‘‘ମତେ ବି
ସାଙ୍ଗରେ ନିଅ'' ହଂସ କହିଲା, ‘‘କିଏ ମନା କରୁଚି । ଥଣ୍ଡା ପଡ଼ିଆସିଲେ ଆମେ ବାହାରି ପଡ଼ିବା କୋଉଦିନ ଯିବା ମୁଁ ପରେ ଜଣାଇବି ।’’ ବିଚରା ହଂସ ଭାବିଥାଏ ସେ ନିଜେ ଯେମିତି ପହଁରେ ଓ ଉଡ଼ିପାରେ, ବାଳିଆ ଓ କଙ୍କଡ଼ା ବି ସେମିତି ପାରୁଥିବେ। କିଛି ଦିନ ଅନ୍ତେ ଥଣ୍ଡା ପଡ଼ିଆସିଲା। ହଂସ ଆସି ବାଳିଆକୁ କହିଲା, ‘ଚାଲ, କାଲି ବାହାରି ପଡ଼ିବା ।””
ବାଳିଆ ଯାଇ ଏ କଥା କଙ୍କଡ଼ାକୁ କହିଲା । କଙ୍କଡ଼ା ଟିକେ ଚିନ୍ତାକରି କହିଲା, “ଯିବା ଯେ, ବାଟରେ ଯଦି କିଛି ଖାଇବାକୁ ନ ମିଳେ କ’ଣ କରିବା? ଚାଲ୍, ସାଙ୍ଗରେ କିଛି ଆହାର ନେଇଯିବା। ଠିକଣା ଜାଗାରେ ପହଞ୍ଚିଲାଯାଏ ଆମର ଆଉ ଖାଇବା ଚିନ୍ତା ନ ଥିବ।” ବାଳିଆ କହିଲା, ‘ଭଲ କଥା ଯେ । ହେଲେ ଆମେ କେମିତି ଆହାର ବୋହିକି ନେବା।” କଙ୍କଡ଼ା କହିଲା, “‘ଗୋଟିଏ ଛୋଟ ଗୋଛାରେ ଆହାର ବାନ୍ଧି ନେଇଯିବା। ଦଉଡ଼ିରେ ତାକୁ ଆମ ଦେହରେ ଯୋଚି ନେଇପାରିବା।ହଂସକୁ କହିଲେ ସେ ଆମକୁ ସାହାଯ୍ୟ କରିବ’ ବାଳିଆ ଓ କଙ୍କଡ଼ା ଥୋଡ଼ାଏ ଆହାର ଯୋଗାଡ଼କରି ବଡ଼ ଗୋଛାଟିଏ କଲେ । ଘାସ ଆଣି ତିନୋଟି ଲମ୍ବା ଦଉଡ଼ି ବଳିଲେ। ତହିଁ ଆର ଦିନ ହଂସ ପହଞ୍ଚି କହିଲା, ‘‘ତୁମେ ଦି’ଜଣ ସଜବାଜ ହେଇଚ ତ! ଚାଲ ଯିବା । ମୁଁ ବାହାରିଲି!" ସେମାନେ କହିଲେ, ‘‘ସବୁ ପ୍ରସ୍ତୁତ। ଖାଲି ଏଇ ଆହାର ଗୋଛାଟି ବୋହିନେବା ପାଇଁ ଟିକେ ସାହାଯ୍ୟ କର । ଆମ ତିନିଜଣଙ୍କ ଦେହରେ ୟାକୁ ଯୋଚିଦେବା।''
ହଂସ କହିଲା, “‘ଠିକ୍ ଅଛି । ମୋ ଗୋଡ଼ରେ ଦଉଡ଼ିଟିଏ ବାନ୍ଧିଦିଆ।" କଙ୍କଡ଼ା ପ୍ରଥମ ଦଉଡ଼ିଟି ହଂସ ଗୋଡ଼ରେ କଷିକରି ବାନ୍ଧିଦେଲା। ଦ୍ଵିତୀୟ ଦଉଡ଼ିଟି ନିଜ ବୁଢ଼ା ଗୋଡ଼ରେ କାମୁଡ଼ି ଧରିଲା । ଆଉ ତୃତୀୟ ଦଉଡ଼ିଟିକୁ ବାଳିଆ ଆପଣା ଦାନ୍ତରେ କାମୁଡ଼ି ଧରିଲା। କଙ୍କଡ଼ା ବଡ଼ ପାଟିରେ କହିଲା, “‘ଏଥର ଚାଲ।”’ ହଂସ ସାଏଁକିନି ଉପରକୁ ଉଡ଼ିଗଲା । କପାଳ ମନ୍ଦ। ଘାସ ଦଉଡ଼ି ଛଡ଼ିଗଲା। ବାଳିଆ ଓ କଙ୍କଡ଼ା ଗଗାବ୍ ହୋଇ ପାଣିରେ ପଡ଼ିଲେ। ଆହାର ଗୋଛା ଯୋଉଠି ଥିଲା ପୁଣି ସେଇଠି ପଡ଼ିଗଲା।
ଏଥିରେ ଦୋଷ କାହାର? ହଂସର, କଙ୍କଡ଼ାର ନା ବାଳିଆର!
