STORYMIRROR

Pravanjan Dash

Abstract

4  

Pravanjan Dash

Abstract

ଧନ୍ୟବାଦ

ଧନ୍ୟବାଦ

2 mins
451


ଦୁଉଦିଆ ଖରାବେଳ ଯାହାକୁ କହନ୍ତି ଜ୍ୟେଷ୍ଠ ମାସର ଟାଣ ଖରା । ସେଇ ନିଆଁ ଡହ ଡହ ଖରାରେ ନୀରଦ ବାବୁ ସେଦିନ ହୋଟେଲରୁ ଖାଇସାରି ବସ୍ ଧରିବା ପାଇଁ ବସଷ୍ଟାଣ୍ଡ ଅଭିମୁଖେ ତର ତର ହୋଇ ଆଗେଇ ଚାଲିଥାନ୍ତି । ହଠାତ୍ କିଛି ବାଟ ପରେ ପଛକୁ ବୁଲି ଚାହିଁ ଦେଖିଲା ବେଳକୁ ଜଣେ ଜରାଜୀର୍ଣ୍ଣ ଶରୀରଧାରୀ ବୁଢାଟିଏ ଧଇଁ ସଇଁ ହୋଇ ତାଙ୍କ ଆଡକୁ ଧାଇଁ ଆସୁଛି ଏବଂ ହାତଠାରି ରହିବା ପାଇଁ ତାଙ୍କୁ କହୁଛି। ସେତେବେଳକୁ ନୀରଦ ବାବୁ ବେଶ୍ ଭଲ ଭାବରେ ଭାବି ନେଇ ସାରିଥାନ୍ତି ଯେ, ଏ ବୁଢାଟି ଭିକାରି ବ୍ୟତୀତ ଆଉ କେହି ନୁହେଁ । ଅଯଥା ଖର୍ଚ୍ଚରୁ ଦୁରେଇ ରହିବା ପାଇଁ ନୀରଦ ବାବୁ କିଛି ନଶୁଣିଲା ପରି ନିଜ ବଳପୂର୍ବକ ଆଗେଇ ଚାଲିଲେ । ହେଲେ ବସ୍ ଷ୍ଟାଣ୍ଡରେ ପହଞ୍ଚିଲା ବେଳକୁ ସେ ବୁଢାଟି ତାଙ୍କ ଆଗକୁ ଚାଲି ଆସି ଧୀର ଗଳାରେ କହିଲା, “ବାବୁ ଟିକେ ଶୁଣନ୍ତୁ”। ଆଜି କାଲିର ଏ ଭିକାରି ଗୁଡାକ ବି ଲୋକମାନଙ୍କ ପିଛା ଛାଡ଼ୁନାହାନ୍ତି । ମନେ ମନେ ବୁଢାଟି ଉପରେ ଖୁବ୍ ବିରକ୍ତ ହୋଇ କିଛି ଶୁଣିବାର ଧର୍ଯ୍ୟ ହରାଇବା ପରି ନୀରଦ ବାବୁ ନିଜ ଆଡୁ ଆଗେ ପାଞ୍ଚଟଙ୍କା ବଢାଇ ଦେଇ କହିଲେ, “ନିଅ ଆଉ ଚାଲିଯାଅ” । ଝାଳ ଜୁଡୁବୁଡୁ ଅବସ୍ଥାରେ ବୁଢାଟି ଟିକେ ଶଙ୍କିଯାଇ ଥରି ଥରି କହିଲା, “ବାବୁ ମୁଁ ଭିକାରି ନୁହେଁ, ଆପଣ ଏବେ ଯେଉଁ ହୋଟେଲରେ ଖାଇ ସାରି ଆସିଲେ ମୁଁ ସେଇ ହୋଟେଲରେ କାମ କରେ, ପ୍ଲେଟ୍ ଉଠେଇବା ବେଳେ ଆପଣଙ୍କ ସିଟ୍ ପାଖରୁ ଏଇ ପର୍ସଟେ ପାଇ ଭାବିଲି କାଳେ ଆପଣଙ୍କର ହୋଇଥିବ, ସେଥିପାଇଁ ଏତେ ବାଟ ଧାଇଁ ଆସିଲି, ନିଅନ୍ତୁ ବାବୁ ଆପଣଙ୍କ ଜିନିଷ ନିଜ ଦାଇତ୍ୱରେ ରଖନ୍ତୁ, ମୁଁ ଆସୁଛି ବାବୁ ସିଆଡେ ମାଲିକ ଖୋଜୁଥିବ। ନୀରଦ ବାବୁ କିଛି କହିବା ଆଗରୁ ବୁଢାଲୋକଟି ତା’ର ଥରୁଥିବା ରୁଗଣ ହାଡୁଆ ହାତରେ ପର୍ସଟି ତାଙ୍କ ହାତକୁ ବଢାଇଦେଇ ହସି ହସି ଚାଲିଗଲା । ନୀରବତାର ସହିତ ପର୍ସଟିକୁ ହାତରେ ଚାପି ଧରି ନୀରଦ ବାବୁ ନିଜ ଭୁଲକୁ କ୍ଷମା ନକରି ପାରି ମନେ ମନେ ଭାବୁଥାନ୍ତି ଯେ, “ଏଭଳି ସାହାଯ୍ୟ ପାଇଁ ଧନ୍ୟବାଦର ଶବ୍ଦ ବୋଧହୁଏ କମ୍ ପଡିବ” ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract