STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଧନ୍ୟ ଏ' ପ୍ରଭୁଙ୍କ ମହିମା  ରଖିଲେ ଭକତ ଗାରିମା 

ଧନ୍ୟ ଏ' ପ୍ରଭୁଙ୍କ ମହିମା  ରଖିଲେ ଭକତ ଗାରିମା 

6 mins
12

        ଧନ୍ୟ ଏ' ପ୍ରଭୁଙ୍କ ମହିମା 
         ରଖିଲେ ଭକତ ଗାରିମା       
          =============
ବର୍ଷକରେ ଥରେ ଆଷାଢ଼ ଶୁକ୍ଳଦ୍ଵିତୀୟା ଦିନ ଭକ୍ତ ବତ୍ସଳ ମହାପ୍ରଭୁ ଶ୍ରୀଜଗନ୍ନାଥ, ଓହ୍ଲେଇ ଆସନ୍ତି ବଡ଼ ଦାଣ୍ଡକୁ ତାଙ୍କ ଭକ୍ତ ମାନଙ୍କ ସହ ଟିକିଏ ଅନ୍ତରଙ୍ଗ ଭାବେ ମିଶିବା ପାଇଁ l ଭକ୍ତ ମାନଙ୍କ ଘଣ୍ଟ ଘଣ୍ଟା ଓ ହରିବୋଲ ଧ୍ୱନୀରେ ନବ ଦିନାତ୍ମକ ଘୋଷ ଯାତ୍ରା କରି ମହାପ୍ରଭୂ ଭକ୍ତ ମାନଙ୍କୁ ଆହ୍ଲାଦିତ କରନ୍ତି l ଭକ୍ତମାନଙ୍କ ଦର୍ଶନ ପାଇଁ ତାର ରଥ ପୁଣି କେବେ ଅଟକି ଯାଏ ବାଟରେ l ଏମିତି ଦିନେ ମହାପ୍ରଭୁଙ୍କ ଯବନ ଭକ୍ତ ସାଲବେଗ ବୃନ୍ଦାବନରୁ ଆସି ପହଞ୍ଚିବାରେ ଡେରି ହେବାରୁ, ଭକ୍ତ ଆସିବା ଯାଏଁ ବଳଗଣ୍ଡି ନିକଟରେ ଅଟକି ଯାଇଥିଲା ନନ୍ଦିଘୋଷ ରଥ l ରଥଯାତ୍ରା ବେଳେ ତାର ଦର୍ଶନରୁ ଯିଏ ତାହାର ଭକ୍ତକୁ ବଞ୍ଚିତ କଲା, ତାକୁ ପରିହାସ କଲା, ଗାଳି, ମାଡ଼, ଭର୍ତ୍ସନା କିମ୍ବା ଅପମାନିତ କି ଲଜ୍ଜିତକଲା ଜଗନ୍ନାଥେ ସେସବୁ କେବେ ସହିନାହାଁନ୍ତି l ଏହିଭଳି ଏକ ଘଟଣା ଘଟି ଥିଲା ଆଜକୁ ପ୍ରାୟ ପାଞ୍ଚ ଶହ ବର୍ଷ ତଳେ ପ୍ରଭୁଙ୍କ ଅନନ୍ୟ ଭକ୍ତ ବଳରାମ ଦାସଙ୍କ ପାଇଁ l ଏହି ଗାଥା ବର୍ଣ୍ଣିତ ହୋଇଛି ଭକ୍ତକବି ରାମ ଦାସଙ୍କ ବିରଚିତ ଦାଢ୍ୟତା ଭକ୍ତି ରସାମୃତରେ l ମହାପ୍ରଭୁ ସେ ଦିନ ଏ କଥା ପ୍ରମାଣ କରି ଦେଇଥିଲେ, " ନାହଂ ତିଷ୍ଠାମି ବୈକୁଣ୍ଠେ ଯୋଗୀନାଂ ହୃଦୟେନ ଚ l ମଦ୍‌ଭକ୍ତାଃ ଯତ୍ର ଗାୟନ୍ତି, ତତ୍ର ତିଷ୍ଠାମ୍ୟହଂ ନାରଦ l” ବଳରାମ ଦାସ ପଞ୍ଚ ସଖା ମାନଙ୍କ ମଧ୍ୟରେ ଥିଲେ ଅନ୍ୟତମ ବରିଷ୍ଠ ସଖା l ସେ ଓଡ଼ିଆରେ ଦାଣ୍ଡି ବା ଜଗମୋହନ ରାମାୟଣ, ନିଜସ୍ୱ ଢଙ୍ଗରେ ରଚନା କରି ଉତ୍କଳବାଲ୍କୀକି ଭାବେ ବିଖ୍ୟାତ l ନୀଳାଚଳ ଧାମରେ ସେ ଗଜପତି ମହାରାଜା ମୁକୁନ୍ଦଦେବଙ୍କ ଦ୍ୱିତୀୟ ଅଙ୍କରେ ଜନ୍ମ ଲାଭ କରିଥିଲେ l ଗଜପତି ପ୍ରତାପରୁଦ୍ର ଦେବଙ୍କ ସମୟରେ ଅର୍ଥାତ୍ ଷୋଡଶ ଶତାବ୍ଦୀରେ ସେ ଜୀବିତ ଥିଲେ l ତାଙ୍କର ପିତାଙ୍କ ନାମ ସୋମନାଥ ମହାପାତ୍ର, ସେ କରଣ କୂଳରେ ଜନ୍ମ ହୋଇଥିଲେ l ବଳରାମ ଥିଲେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅନନ୍ୟ ଭକ୍ତ l ମାତ୍ର ଚନ୍ଦ୍ରରେ କଳଙ୍କ ପ୍ରାୟ ତାଙ୍କ ଚରିତ୍ରରେ ଗୋଟିଏ ଦୋଷ ଥିଲା ସେ ଥିଲେ ଅତ୍ୟନ୍ତ ବେଶ୍ୟାସକ୍ତ l ଦାଢ୍ୟତାଭକ୍ତି କଥା ଅନୁସାରେ :- ପୂର୍ବ ଅର୍ଜିତ କର୍ମଫଳେ l ନିରତେ ବେଶ୍ୟାଘରେ ଚଳେ ll ସେଦିନ ଥାଏ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା,ରଥ ପଥ ସବୁ ପ୍ରସ୍ତୁତ l ମହାପ୍ରଭୁ ଭାଇଭଉଣୀଙ୍କୁ ଧରି ବିଜେ କରିଛନ୍ତି ନନ୍ଦିଘୋଷରେ l ଶ୍ରୀକ୍ଷେତ୍ର କୋଳାହଳମୟ l ବଡ଼ ଦାଣ୍ଡରେ ରୁଣ୍ଡ ହୋଇ ଛନ୍ତି ଅସଂଖ୍ୟ ଭକ୍ତ l ଥାଳି ମାରିଲେ ମୁଣ୍ଡ ଉପରେ ଚାଲି ଯିବ l କୀର୍ତ୍ତନ, ହରିବୋଲ ଧ୍ୱନୀ କରି ଭକ୍ତମାନେ ଉନ୍ମତ୍ତ ହୋଇ ନୃତ୍ୟ କରୁଛନ୍ତି l ଆଉ ଅଳ୍ପସମୟ ପରେ ରଥଟଣା ଆରମ୍ଭହେବ, ଭକ୍ତମାନେ ପରମ ଆନନ୍ଦରେ ମହାପ୍ରଭୁଙ୍କ ରଥକୁ ଭିଡ଼ି ନେବେ l ଅଥଚ ବଳରାମ ଦାସେ ସେହି ସମୟରେ ପଡ଼ି ରହିଛନ୍ତି ଯମୁନା ବେଶ୍ୟା ଗୃହରେ, ମାତି ଯାଇଛନ୍ତି ଯମୁନା ସହ ରଙ୍ଗ ରସରେ l ହଠାତ ତାଙ୍କ କାନରେ ଶଙ୍ଖ ଘଣ୍ଟ,ଘଣ୍ଟା ଧ୍ୱନୀ ବାଜିଲା l ତାଙ୍କ ଚେତା ପଶିଲା l ନିଜକୁ ଧିକ୍କାର କରି କହିଲେ, ଆରେ ! ଆଜି ପରା ମହାପ୍ରଭୁଙ୍କର ଘୋଷଯାତ୍ରା, ଧିକ୍ ମୋର ଏ ଜୀବନକୁ, ଧିକ ମୋ ଅଜ୍ଞାନ ପଣକୁ l ଏ କଅଣ କଲି l ମୁଁ ଏ ବେଶ୍ୟା ଘରେ ପଡ଼ି ରହିଛି, ପ୍ରଭୁ ମୋର ତେଣେ ରଥରେ ବିଜେ କରି ସାରିଲେଣି l
 ବୋଇଲେ ଧିକ ମୋ ଜୀବନ l
             ଅଜ୍ଞାନେ ବଞ୍ଚିଲି ମୁଁ ଦିନ ll
 ପ୍ରଭୁ ମୋ ରଥେ ବିଜେ କଲେ l
       ଶୋଇ ମୁଁ ଅଛି ବେଶ୍ୟା ତୁଲେ !
ଆଉ ସେ ନିଜକୁ ସମ୍ଭାଳି ପାରିଲେ ନାହିଁ l ପାଗଳ ପ୍ରାୟ ଦୌଡି଼ଲେ ରଥ ପାଖକୁ l ଦେହରେ ତାଙ୍କର ଲାଗିରହିଥାଏ କୁଙ୍କୁମ, କଜଳ l ସେମିତି ଅଶୌଚ ଅବସ୍ଥାରେ ସିଧା ଯାଇ ଚଢ଼ିଗଲେ ନନ୍ଦିଘୋଷ ରଥ ଉପରକୁ l ପ୍ରଭୁଙ୍କ କଳା ଶ୍ରୀମୁଖକୁ ଅନାଇଁ ତାଙ୍କ ଆଖିରୁ ବୋହିଯାଉ ଥାଏ, ଧାର ଧାର ପ୍ରେମାଶ୍ରୁ l ସେବକ ମାନେ ଦେଖିନେଲେ ମତ୍ତ ଅଶୌଚ ବଳି ଦାସକୁ l ସଭିଏଁ ଏକସ୍ୱରରେ ପାଟିକରି ଉଠିଲେ, ଆରେ ବେହିପ ବଳିଆ ଦାସରେ ! ବାଢ଼ା ବାଢ଼ା ବେହିପୋକୁ l ସ୍ନାନ, ଶୌଚ କିଛି ନାହିଁ ବେହିପୁଅ ସିଧା ବେଶ୍ୟା ଘରୁ ଆସି, ରଥ ଉପରେ ହାଜର l ବେହିପୋ ଭାରି ଭକତଟା ତ l ମାର, ମାର ବେହି ପୁଅକୁ l ଏମିତି ପାଟି କରି ବଳିଆ ଦାସକୁ ବହେ ଛେଚି ସେବକମାନେ ତଣ୍ଟିଆ ମାରି ତଳକୁ ଠେଲି ପକାଇ ଦେଲେ l ଦାସେ ତଳେ ଠିଆ ହୋଇ ଅଶ୍ରୁ ଭରା ନୟନରେ ପ୍ରଭୁଙ୍କୁ ଚାହିଁ କହିଲେ, ତୋର ଯଦି ମୋତେ ଦଣ୍ଡ ଦେବାର ଥିଲା ନିଜେ ଦେଲୁନାହିଁ, ଏମିତି ପର ହସ୍ତରେ ମାଡ଼ ମରାଇ ତୋର କି ଗୌରବ ହେଲା l ତୁ ଭକ୍ତବତ୍ସଳ ବୋଲି ଜାଣି, ଦଉଡ଼ି ଆସିଥିଲି l ତୁ ମୋତେ ମାଡ଼ ମରାଇ, ଅପମାନ ଦେଇ ତଳକୁ ଠେଲିଦେଲୁ l ହଉରେ ନନ୍ଦପୁଅ, ମୁଁ ଏବେ ବାହୁଡ଼ି ଯାଉଛି ଦେଖିବା ତୋ ରଥ ଦଉଡ଼ି କିଏ ଟାଣୁଛି l
   ଏବେ ମୁଁ ଗଲିଟି ବାହୁଡ଼ି l
         କେ ଝିଙ୍କୁ ତୋ ରଥ ଦଉଡ଼ି ll
ଦେଖିବା ତୁ କେମିତି ଯାତ୍ରା କରୁଛୁ l ମୁଁ ତୋ ବାପ ନନ୍ଦର ରାଣ ଖାଇ କହୁଛି, ରେ ପୁତନା ଖିଆ ତୋ ରଥ ଆଉ ଚାଲିବନାହିଁ l ଯଦି ତୁ ସେବକର ହାନି ଲାଭ ନ ବୁଝିଲୁ ତେବେ କାହାର ନିନ୍ଦା ହେବ ଭାବି ଦେଖ l ତମକୁ ଆଉ ଅଧିକ କଅଣ କହିବି l ତମେ ତ ମୋର ଏକମାତ୍ର ପ୍ରଭୁ l ଏମିତି କହି ଦାସେ ସିଧା ଚାଲିଲେ ବାଙ୍କି ମୁହାଁଣ l ସେଇଠି ଯାଇ ମନ ଦୁଃଖରେ ବସି ରହି ବାଲିରେ ତିନି ଗୋଟି ରଥ ତିଆରି କଲେ l ଆଖି ବୁଜି ଧ୍ୟାନ କରି କହିଲେ," ବୋଇଲା ଏଥେ ବିଜେ କର, ମୁଁ ଯେବେ ସେବକ ତୋହର"l ଏମିତି ଚିନ୍ତାରେ ଭକ୍ତ ବଳରାମ ଭାବ ଗଦଗଦ ହୋଇ କାନ୍ଦି ପକାଇଲେ l ଭକ୍ତର ଆକୁଳ ନିବେଦନ ପ୍ରଭୁ ବଳୀୟାର ଭୁଜଙ୍କ କର୍ଣ୍ଣ ଗୋଚର ହେଲା l ପ୍ରଭୁ ଦାରୁବିଗ୍ରହ ତେଜ୍ୟା କରି ଭାଇ ଭଗ୍ନୀଙ୍କ ସହିତ ଯାଇ ଭକ୍ତଙ୍କ ବାଲି ରଥରେ ବିଜେ ହେଲେ ଆଉ ବଳରାମଙ୍କୁ କହିଲେ,"ଘୋର ସନ୍ତାପ ତୋର ଦେଖି l ଯାତ୍ରା ମୁଁ ଅଇଲି ଉପେକ୍ଷି l ଆଉ ମୋ ଉପରେ ରାଗେ ନାଁ l
ମୁଁ ଏବେ ଆୟତ୍ତ ତୋହର, ତୁ ଯାହା ଇଚ୍ଛା ତାହା କର l" ପ୍ରଭୁଙ୍କୁ ଦେଖି ଭକ୍ତ ବଳରାମ ଯୋଡ଼ ହସ୍ତ ହୋଇ ତାଙ୍କ ପାଦତଳେ ପଡ଼ି କହିଲେ,'ହେ ପ୍ରଭୁ ଆପଣ ଏଡ଼େ ଦୟାମୟ l କମଳା ଯାହାଙ୍କର ପରିଚାରି, ସର୍ବ ଦେବା ଦେବୀ ଯାହାଙ୍କ ସେବା କରନ୍ତି,ମାଆ ଶାରଦା ଯାହାଙ୍କ ଆଜ୍ଞାକାରୀ l ଯିଏ ସବୁ ଯୋଗୀ ଜନଙ୍କ ଧ୍ୟେୟ l ସେ ପ୍ରଭୁଙ୍କର ଏ ଅକିଞ୍ଚନ ପ୍ରତି ଏତେ କରୁଣା l ଆପଣ ସତରେ କରୁଣା ବାରିଧି !! ମୁଁ, ମୁଢ଼ ପଣରେ ଆପଣଙ୍କୁ ବହୁ କଟୁ କଥା କହି, କଷ୍ଟ ଦେଲି l ମୋ ତୁଣ୍ଡରେ ବଜ୍ର ପଡୁ଼ l ହୁଡ଼ି ବୋଇଲି ଯେତେ ଆଜ l ସେ ତୁଣ୍ଡେ ପଡ଼ୁ ମୋର ବଜ୍ର ll ପୁଣି କହିଲେ, ମୋତେ ତ ଆଶ୍ଚର୍ଯ୍ୟ ଲାଗୁଛି ତୋ’ ପରିକା ପ୍ରଭୁ ଥାଉ ଥାଉ, ଲୋକେ ଏତେ ତୀର୍ଥକୁ ଯାଆନ୍ତି କାହିଁକି? ପୁଣି ସେ ମହାପ୍ରଭୁଙ୍କୁ କହିଲେ, ପ୍ରଭୁ ଆପଣ ତ ରଥ ତେଜି ଏଠାକୁ ଆସି ଗଲେ, ଏବେ ମୁଁ ଆପଣଙ୍କୁ କଅଣ ମଣୋହୀ କରାଇବି l ଦାସେଙ୍କୁ ପାଖରେ ବସେଇ ମହାପ୍ରଭୁ ସ୍ମିତହାସ୍ୟ କରି କହିଲେ, "ଉତ୍ସବ ମୋର କିସ ହେବ, ମୂଳ ମୋ ଭକତର ଭାବ "l ଭକ୍ତ ସେହିଠାରେ ପ୍ରଭୁଙ୍କ ମାନସିକ ପୂଜା ସାରି ଦେଲେ l ଏପଟେ ବଳରାମ ଦାସଙ୍କ ପାଖରେ ମହାପ୍ରଭୁ ଓ ତାଙ୍କର ଭକ୍ତ ସହ ଲୀଳା ଚାଲିଛି l ସିଆଡ଼େ ବଡ଼ ଦାଣ୍ଡରେ ଯେତେ ଭିଡ଼ିଲେ ମଧ୍ୟ ରଥ ଚକ ଟିକିଏ ହେଲେ ଗଡ଼ୁନାହିଁ l ସବୁ ଭକ୍ତ, କଳାବେଠିଆ ରଥଦଉଡ଼ି ଝିଙ୍କିଝିଙ୍କି ନୟାନ୍ତ ହେଲେଣି l ଗଜପତିଙ୍କ ପାଖରେ ଖବର ପହଞ୍ଚିଲା l ଗଜପତି ପ୍ରତାପରୁଦ୍ର ଦେବଙ୍କ ଆଦେଶରେ ଶହେ ହାତୀ ଆଣି ଲଗାଇ ଦିଆଗଲା l ମାତ୍ର ଅଚଳ ମହାମେରୁ ସେହି ଭଳି ବସିଥାନ୍ତି l ସିଏ ପରା ଇଚ୍ଛାମୟ l ତାଙ୍କ ଇଚ୍ଛା ନ ହେଲେ କାହାର ସାଧ୍ୟ ଅଛି ତାଙ୍କୁ ଚଲାଇବାକୁ l ଶ୍ରୀଚୈତନ୍ୟ ପରା କହିଚ୍ଛନ୍ତି, 'ବିଶ୍ଵମ୍ଭର ଜଗନ୍ନାଥ, କେ ଚଲାଇତେ ପାରେ'l କାହାର ବୁଦ୍ଧି ଖଟୁ ନାହିଁ କଅଣ କରାଯିବ l ଆଉ କିଛି ଉପାୟ ନାହିଁ l ରାଜା ଦାନ୍ତରେ ତିରଣ ଧରି ଅଧିଆ ପଡ଼ିଲେ l ଅନ୍ତର୍ଯ୍ୟାମୀ ମହାପ୍ରଭୁ ରାଜାଙ୍କ ମନକଥା ଘେନା କଲେ l ସ୍ୱପ୍ନରେ ପ୍ରଭୁ ତାଙ୍କୁ କହିଲେ, ଯିଏ ମୋର ଭକ୍ତ, ମୋର ନାମ ଯିଏ ନିଏ ତା'ର ଦେହ ସର୍ବଦା ଶୁଚିମନ୍ତ l ଏକଥା ତୋର ସେବକ ମାନେ ନ ଜାଣି ମୋ ଭକ୍ତ ବଳିଆ ଦାସକୁ ରଥରୁ ଘଉଡ଼ିଦେଲେ l ମୁଁ ଏହାକୁ ସହିଥାନ୍ତି କିପରି? ଆମ୍ଭେ ତ ଯାଇ ତା' ବାଲି ରଥରେ ଚକ୍ରତୀର୍ଥ, ବାଙ୍କି ମୁହାଁଣରେ ବିଜେ କରିଛୁ, ଆଉ ତୋ ରଥ ଚଳନ୍ତା କିପରି ? ମୁଁ ପରା ଭକ୍ତ ପାଇଁ ସୁଦର୍ଶନ ଧାରଣ କରିଛି l ଗଜପତି କହିଲେ, ହଉ ମଣିମା ! ମୋର ଅପରାଧ ମାର୍ଜନା କରନ୍ତୁ, ଏଥର ଉପାୟ କୁହନ୍ତୁ ମୁଁ କଅଣ କରିବି l ମହାପ୍ରଭୁ କହିଲେ, ଅକାରଣେ ମୋ ଭକ୍ତ ବଳରାମ ଦାସକୁ ଯେଉଁ ମାନେ ଦଣ୍ଡିଛନ୍ତି ତାଙ୍କର ଦଣ୍ଡ ବିଧାନ କର l ସେମାନେ ମୋ ଭକ୍ତ ପାଖରେ ଦନ୍ତରେ ତିରଣ ଧରି ଶରଣ ପଶନ୍ତୁ l ତୁ ଯାଇ ମୋ ଭକ୍ତର ମଥାରେ ଶିରୀପା ବାନ୍ଧି ତାକୁ ଘୋଡ଼ାରେ ବସାଇ ପାଛୋଟି ଘେନିଆସ l ତାହାହିଁ ହେଲା, ଭକ୍ତପ୍ରବର ବଳରାମ ଦାସ ଆସି ରଥ ଛୁଇଁ ଦେଇ କହିଲେ, 'ଏଥର ଚାଲିବା ହେଉ ମହାବାହୁ' l କଳାବେଠିଆ ମାନେ ଦଉଡ଼ି ଭିଡ଼ିବା ଆରମ୍ଭ କରିଦେଲେ l ଘର୍ଘର ଘୋଷରେ ଶୂନ୍ୟରେ ପକ୍ଷୀ ଉଡ଼ିଲା ପ୍ରାୟେ ରଥ ଦଉଡ଼ିବାକୁ ଲାଗିଲା ଓ ପଲକ ପତନ ମାତ୍ରେ ଯାଇ ଗୁଣ୍ଡିଚା ମନ୍ଦିର ଠାରେ ହାଜରହୋଇଗଲା l ଯୁଗଯୁଗକୁ ମହାପ୍ରଭୁଙ୍କ କଥା ରହିଗଲା :-
        ଧନ୍ୟ ଏ' ପ୍ରଭୁଙ୍କ ମହିମା l
         ରଖିଲେ ଭକତ ଗାରିମା ll
              !!! ଜୟ ଜଗନ୍ନାଥ !!!
                  🙏🙏🙏
                     ଅର୍ଜୁନୀ
                  ------------
ଅର୍ଜୁନୀ ଚରଣ ବେହେରା
ମୋ -7693091971


Rate this content
Log in

Similar oriya story from Inspirational