ଧନ ତେରସ
ଧନ ତେରସ
ଧନତେରଶ - ଧନ ତ୍ରୟୋଦଶୀ..ଧନର ପର୍ବ....ଉତ୍ତର ଭରତର ଏକ ବିଶିଷ୍ଠ ପରମ୍ପରା।
କିଏ କୁହେ ଏହିଦିନ ଧନର-ଦେବୀ ମା ଲକ୍ଷ୍ମୀଙ୍କର ପୂଜା...
କିଏ କୁହେ...ସବୁଠାରୁ ମୂଲ୍ୟବାନ ସମ୍ପଦ ସ୍ୱାସ୍ଥ୍ୟ ତଥା ଆୟୁର୍ବେଦର ଦେବତା ଧନ୍ଵନ୍ତରୀଙ୍କର ପୂଜା....
ଏହିଦିନ କିଛି ନୂତନ ବସ୍ତୁ ,ବାସନକୁସନ ହେଉ ଅବା ସୁନା ରୂପା କିଣି ଘରକୁ ଆଣିଲେ ଧନବୃଦ୍ଧି ହୁଏ ବୋଲି ଉତ୍ତର ଭାରତୀୟଙ୍କର ବିଶ୍ୱାସ।
ସମୟକ୍ରମେ ଧନତେରଶ ପର୍ବ ଉତ୍ତରଭାରତ ଅତିକ୍ରମ କରି ,ସମଗ୍ର ଭାରତ ବର୍ଷରେ ପ୍ରଚଳିତ ହୋଇଛି....ସେମାନଙ୍କର ପୂଜା ଓ ପୂଜାବିଧି ନୁହେଁ ,କେବଳ ସେହି ଦିନଟିରେ ନୂତନ ବସ୍ତୁ କିଣିବାର ପରମ୍ପରା।
୨୦୨୦,ନଭେମ୍ବର ୧୩- ଧନତେରଶ ,ଅପରାହ୍ନ ପ୍ରାୟ ୪ ଟା ହେବ
ରାସ୍ତା କଡେ କଡେ ଅତି ଧୀର ଗତିରେ ସ୍କୁଟି ଚଲାଉଥାଏ ଯତୀନ୍।
ଦୃଷ୍ଟି ରାସ୍ତା ପାର୍ଶ୍ବ ଗଛ ପତ୍ରରେ,ଭାବ ମଗ୍ନ ,ଆଦ୍ର ମନ,ସତେ ଯେମିତି ଆଗକୁ ଯିବାକୁ ଇଚ୍ଛା ହିଁ ନଥାଏ...
ତଥାପି ଆଖିର ଲୁହକୁ ବାହାରକୁ ଛାଡୁ ନଥାଏ ଭିତରର ପୁରୁଷପଣିଆ।
ନିଜର ଅନ୍ୟତମ ପ୍ରିୟ ବସ୍ତୁକୁ ବିକ୍ରି କରି ଦେଇ ଆସିଛି ସିଏ, ଜେଜେ ଦେଇଥିବା ସୁନା ମୁଦିଟିକୁ। ଜେଜେ ଦେହତ୍ୟାଗ କରିବା ପୂର୍ବ ଦିନ ,ପିନ୍ଧାଇ ଦେଇଥିଲେ ମୁଦିଟା ତା ଆଙ୍ଗୁଠିରେ।ନୀଳ ପଥର ବସା ଆକର୍ଷଣୀୟ ପୁରୁଣା ଡିଜାଇନ ମୁଦିଟାକୁ ସେବେଠୁ ପିନ୍ଧିଥିଲା ଯତୀନ।
କିନ୍ତୁ ....ସେହି ମୁଦି ବିକ୍ରି ଛାଡି ଅନ୍ୟ କିଛି ଉପାୟ ଦିଶି ନଥିଲା ଆଜି ତାକୁ।
ମା,ବାପା,ସ୍ତ୍ରୀ ଏବଂ ଏକମାତ୍ର ଝିଅ ସହିତ ରୁହେ ଯତୀନ।
ଗୋଟିଏ ଛାତ ତଳେ ଏକାଠି ରହି ମଧ୍ଯ ମା ଓ ସ୍ତ୍ରୀ ନିଜ ନିଜର ସ୍ଵାମୀ, ପିଲାଙ୍କୁ ନେଇ ଦୁଇଟି ଭିନ୍ନ ଭିନ୍ନ ପରିବାର ଗଢି ତୋଳିଥାନ୍ତି ମନେମନେ।କିନ୍ତୁ ଦୁଇଟି ପରିବାରର ସଦସ୍ୟ ଯତୀନ।
(ବେଳେ ବେଳେ ଧନ୍ଦି ହୋଇପଡେ ସେ ମା'ର ଅଭିମାନ ଏବଂ ସ୍ତ୍ରୀର ଅଳି ଭିତରେ।)
ତେଣୁ ଆଜି ଧନତେରଶ ରେ ଦୁଇଜଣ ଯାକ ଅଲଗା ଅଲଗା କିଣି ,ଅଲଗା ଅଲଗା ଧନ ବୃଦ୍ଧିର ପ୍ରୟାସ କେମିତି ଅବା କରି ନଥାନ୍ତେ!!!
ଧନତେରଶ ର କିଛି ଦିନ ଆଗରୁ ହିଁ ମା କହିଥିଲେ- ପୁଅରେ ମୋତେ ୨୦୦୦ ଟଙ୍କା ଦେବୁ, ଠାକୁରଙ୍କ ପାଇଁ ନୂଆ ବାସନ ଆଣିବି।
ସ୍ତ୍ରୀ ର ଡିମାଣ୍ଡ ସିଧା ସୁନା ମୁଦି .....
ମାକୁ ମନା କରିବାକୁ ଇଚ୍ଛା ନଥିଲା, ମାକୁ ହଁ କହି ସ୍ତ୍ରୀକୁ ମନା କଲେ ସେ ଆଉ ଏ ଧରା ପୃଷ୍ଠରେ ରହିବନି।
ସେଥିପାଇଁ କାହାକୁ କିଛି କହିପାରିଲାନି ଯତୀନ
-(ଏକେ ତ କରୋନା କାଳ, ପ୍ରାଇଭେଟ ଚାକିରିଆଙ୍କ ଅବସ୍ଥା ବୁଡି ଯାଉଥିବା ଡଙ୍ଗାପରି।କେତେଯେ ଲୋକ ଚାକିରୀ ହରାଇଛନ୍ତି ଗଣନା ନାହିଁ।ଯଦିଓ କେତେକ କମ୍ପାନୀ ଚାକିରୀଛାଟ୍ କରାଇ ନାହିଁ..ଦରମା କାଟ୍। କମ୍ପାନୀର ଅଭାବ ଥାଉ କି ନଥାଉ ସ୍ଵଳ୍ପବେତନ ଭୋଗୀ କର୍ମଚାରୀଙ୍କର ଆଗ ଦରମା କାଟ।)
-ତାର ମଧ୍ୟ ଅଧା ଦରମା କଟୁଛି। ଘର ଖର୍ଚ୍ଚ, ଔଷଧ ପତ୍ର, ପୁଜା ପର୍ବାଣୀ ତୁଲାଉ ତୁଲାଉ ଜମାପୁଞ୍ଜି ବି ଧୀରେ ଧୀରେ ସରିବାକୁ ବସିଲାଣି।
-ତଥାପି କାହାକୁ ମନା କରି ପାରି ନଥିଲା ଯତୀନ,
-ଖାଲି ରହିଥିଲା ଚୁପ୍।ତାର ସେ ଚୁପ୍ ପଛରେ ,ପୁରୁଷତ୍ବ ଆଢୁଆଳରେ କଇଁ କଇଁ ହୋଇ କାନ୍ଦି ଉଠୁଥିଲା ମନ।ନା ସେ କହି ପାରିଥିଲା, ନା କେହି ମଧ୍ଯ ବୁଝିବାର ପ୍ରୟାସ କରିଥିଲେ ତା ପରିସ୍ଥିତି।
ସବୁବେଳେ ଯେ ପୁରୁଷ ଭୁଲ୍!!ସେକଥା ନୁହେଁ।
ଯଦିଓ ସେମାନେ ଆତ୍ମ ଅଭିମାନରେ ନିଜର ଅସୁବିଧା ଜଣାନ୍ତି ନାହିଁ, ବେଳେବେଳେ ନାରୀବି ଅଣଦେଖା କରେ ପୁରୁଷର ଅନ୍ତର ବେଦନାକୁ ।
ଆଜି ଧନତେରଶ ସକାଳ ପର୍ଯ୍ୟନ୍ତ ଅନ୍ୟ କିଛି ବ୍ୟବସ୍ଥା କରି ନପାରିବାରୁ ନିଜର ପ୍ରିୟ ମୁଦିଟିକୁ ବିକ୍ରି କରି, ମା ଓ ସ୍ତ୍ରୀ ହାତରେ ଅଲଗା ଅଲଗା ଟଙ୍କା ଧରେଇ ଆସିଛି ଯତୀନ,ସେତିକି ବେଳୁ ବାହାରେ ଏଠିସେଠି ବୁଲୁଛି,କାହାରି ଫୋନ ମଧ୍ୟ ଉଠାଉ ନାହିଁ, ଘରକୁ ଯିବାକୁ ଇଚ୍ଛା ହିଁ ହେଉନି,ସମସ୍ତେ ସ୍ୱାର୍ଥପର ମନେ ହେଉଛନ୍ତି।............
***********ପେଁ..ପେଁ...**********
ସ୍କୁଟି ରଖି ଦେଇ ଚାଲିକି ଯାଅ, ନ ହେଲେ ରାସ୍ତା ଛାଡ!!!!
ଏମିତି କିଛି ଚିତ୍କାରରେ ଡାହାଣକୁ ନଜର ବୁଲାଇଲା ଯତୀନ।ରିକ୍ସାବାଲା ପେଁପେଁ କରି ପେଁକାଳି ହର୍ଣ୍ଣକୁ ଆଉ ଥରେ ବଜାଇ ଦେଇ ତାକୁ ଟପେଇ ଆଗକୁ ଗଲା।
!!! ଏଁ ତମେ ମାନେ???
ରିକ୍ସା ରେ ବସିଥିବା ମା ଓ ସ୍ତ୍ରୀକୁ ଦେଖି ଯତୀନ ବଡ ପାଟିରେ ପଚାରି ପକାଇଲା ।
ସ୍ତ୍ରୀ-ମାର୍କେଟ ଯାଇଥିଲୁ, ତମେ ଏଯାଏଁ ଘରକୁ ଯାଇନାହଁ!!!
ମା-ତୁ ଏମିତି ଶୁଖିଲା ଦିଶୁଛୁ କାହିଁକି, ଜଲଦି ଘରକୁ ଆସେ ପୂଜା ହେବ।
କିଛି ନକହି ରିକ୍ସା ପଛେପଛେ ଚାଲିଲା ଯତୀନ।
ଘରେ ପହଞ୍ଚି ଧୁଆଧୋଇ ହୋଇ ସମସ୍ତେ ଏକତ୍ରିତ ହେଲେ ଠାକୁର ଘରେ ଲକ୍ଷ୍ମୀଙ୍କ ଫଟୋଚିତ୍ର ସାମ୍ନାରେ।ମା ଏକ ପିତ୍ତଳ ଥାଳିଆରେ ଫୁଲ, ଅରୁଆ ଚାଉଳ ଉପରେ..ସୁନା ଦୋକାନର ଏକ ନୂଆ ଡ଼ବା ରଖି,ଠାକୁରାଣୀଙ୍କ ପାଖରେ ପୂଜା କଲେ।ଡ଼ବାଟି ଖୋଲି ସେଥିରୁ ଏକ ମୁଦି ବାହାର କରି ମାଲକ୍ଷ୍ମୀଙ୍କୁ ଛୁଆଁଇଲେ ।।
!!!!!!ଆଁ................................................
!!!!!!ଏଁ.................................................
ଆଖି ଦୁଇଟା ☆☆ତାରା☆☆ ହେଇଗଲେ ଯତୀନର....
!!ଏ ମୁଦି ତୁ କେଉଁଠୁ ପାଇଲୁ?ତମେମାନେ ଏ ମୁଦି କେଉଁଠୁ ପାଇଲ??
ମୁଦି ଦେଖି ଯେତିକି ଆନନ୍ଦିତ ସାଧାରଣ ମଣିଷ ଯତୀନ ,ସେତିକି ଅପମାନିତ ପୁରୁଷପୁଅ ଯତୀନ।
ମା କହିଲେ ଯେଉଁଠି ତୁ ଦେଇ ଆସିଥିଲୁ।
ହଇରେ ଆମକୁ ଏତେ ପର, ଏତେ ତଳୁଆ କରିଦେଲୁ।ଥରୁଟିଏ ତୋର ଅବସ୍ଥା କହି ଦେଇଥିଲେ ହେଇ ନଥାନ୍ତା। କିଛି ନହେଲେ ମୋତେ ତ କହି ପାରିଥାନ୍ତୁ - ମା'ଲୋ ପଇସା ନାହିଁ, ଆମେ କିଛି କିଣିବାନି। ତୋ ଠୁ କଣ ଜିନିଷ ବଡ। କେତେ ମାନସିକ ଚିନ୍ତା ଘାରିଥିବ ତୋତେ।
ଯୋଗକୁ ବୋହୂର ନଜର... ସୁନା ଦୋକାନୀ ଓଜନ ବାକ୍ସ ଭିତରେ ଥିବା ତୋ ମୁଦିରେ ପଡିଲା।ଫଟକିନା ଆମେ ଚିହ୍ନି ପକାଇଲୁ।ତା ରସିଦ୍ ରେ ବି ତୋ ନାଁ ଥିଲା ।ସେ ସହୃଦୟ ଦୋକାନୀବି ଆମ କାକୁତି-ମିନତିରେ ,ଯେତିକି ଟଙ୍କା ତୋତେ ଦେଇଥିଲା...ସେତିକି ବଦଳରେ ମୁଦି ଫେରାଇ ଦେଲା।
ଏମିତି ଭୁଲ୍ ଆଉ କେବେ କରିବୁନି, ଆମେ ହେଲେ ଗୋଟେ ପରିବାର, ସୁଖ ଦୁଃଖ ସବୁ ବାଣ୍ଟିବା,ପୁରୁଷ ବୋଲି କଣ ମନକଥା କହିବୁନି।ସ୍ତ୍ରୀ ମଧ୍ଯ ମା କଥାରେ ହଁ ମିଶାଉଥାଏ।
ତା ପରେ ମୁଦିଟି ଆଣି ମା ଯେତେବେଳେ ଯତୀନକୁ ପିନ୍ଧାଇଦେଲେ ....ଆଖି ଛଳଛଳ ଯତୀନ, ଆଖି ଛଳଛଳ ମା ଓ ସ୍ତ୍ରୀ, ପାଖରେ ଠିଆ ହୋଇଥିବା ବାପା ଓ ଝିଅ ମଧ୍ଯ। ଏଇଆ ହିଁ ପରିବାରବୋଧ।ଚାରିଆଡ଼େ ଏକ ଅପୂର୍ବ ଶାନ୍ତି, ଏକ ଅପୂର୍ବ ଏକତା।,ଏଇଆ ହିଁ ସବୁଠାରୁ ମୂଲ୍ଯବାନ ଧନ।ଇଏ ହିଁ ଧନତେରଶ ର ପ୍ରକୃତ ପାଳନ । ।