krushnakalyani sahoo

Others

3  

krushnakalyani sahoo

Others

ସାନ ଭଉଣୀ ପାଇଁ ମନର କଥାଟେ

ସାନ ଭଉଣୀ ପାଇଁ ମନର କଥାଟେ

2 mins
154


ମୁନ୍ନୀ....ମୋ ସାନ ଭଉଣୀ... ହଁ ଏଇଆ ହିଁ ଜାଣିଥିଲି ପିଲାଦିନୁ... ବଡ ହେଲା ପରେ ଜାଣିଲି, ସିଏ ମୋ ମାଉସୀ ଝିଅ ଭଉଣୀ ,କଜିନ୍।


କିନ୍ତୁ ଏବେ ବି ମନ ଭିତରେ,ସାନ ଭଉଣୀର ସ୍ଥାନଟା ଖୁବ୍ ଜୋରରେ ଜାବୁଡି ଧରିଛି ସିଏ। କେତେ ମାନ ଅଭିମାନ, ଛୋଟ ମୋଟ କଳିଝଗଡା ପରେ ବି ସେ ସ୍ଥାନ ସୁରକ୍ଷିତ,କିଛି ତ କାହିଁ ଛୁଇଁ ପାରିନି ତାକୁ। 


ଜନ୍ମ ହେବା ଦିନୁ, ତା ପ୍ରତି କେମିତି ଗୋଟେ ଭିନ୍ନ ପ୍ରକାରର ଆତ୍ମୀୟତା, ଭିନ୍ନ ପ୍ରକାରର ସ୍ନେହ ମୋର। କାହିଁକି କେଜାଣି ଭାରି ଭଲ ଲାଗେ ସିଏ। 


ସାଧାସିଧା ଝିଅଟିଏ ମୁନ୍ନୀ।ପାଠ ପଢା, ଘର କାମ ସବୁ ଥିରେ ପ୍ରବୀଣା। ତାଙ୍କ ତିନି ଭାଇ ଭଉଣୀଙ୍କ ଭିତରେ ବଡ, ବଡଦିଦି ସିଏ।ଖୁବ୍ ସାନ ଦିନୁ ବଡ ଭଉଣୀ ତଥା ବଡ ଝିଅର କର୍ତ୍ତବ୍ୟ ନିଭାଇଛି ସିଏ। ହଠାତ୍, କିଛି ବର୍ଷ ପୂର୍ବରୁ ମୋ ମାଉସୀ ମାନେ ତା ମାଆଙ୍କ ଦେହ ଭୀଷଣ ଖରାପ ହୋଇ ଯିବାରୁ ଦୁର୍ବଳ ହୋଇ ଉଠିଥିଲା ତାଙ୍କ ପରିବାର। କିନ୍ତୁ ସେ ବିପଦ ସମୟରେ ଖୁବ୍ ଭଲ ଭାବେ ଘରର ଦାୟିତ୍ଵ ତୁଲାଇଥିଲା ସିଏ। 


ଏବେ ବଦଳିଛି ସମୟ ,ମାଉସୀ ମୋର ସମ୍ପୂର୍ଣ୍ଣ ସୁସ୍ଥ, ଆଉ..... କାଲି ମୁନ୍ନୀ ବାହାଘର!!! 


ତାର ପୁଣି ବାହାଘର, ସିଏ ପୁଣି ବାହା ହେବ। ମୁଁ ୩ ବର୍ଷର ହୋଇ ଥିଲା ବେଳେ ତାର ଜନ୍ମ। ସେତେବେଳେ ସମସ୍ତେ ମାମୁଁ ଘରେ ରହୁ ଥାଉ।ତାକୁ କାଖେଇବାକୁ ଯେତେ ଇଚ୍ଛା ଥିଲେ ବି କେହି ଦିଅନ୍ତିନି-'ତୁ ଛୋଟ ପିଲା' କାଖେଇ ପାରିବୁନି ବୋଲି କହି ଆଡ଼େଇ ଦିଅନ୍ତି।ମୋ ଭଉଣୀ ପୁଣି ମୁଁ କାଖ କରିବିନି ...ବୋଲି ଭାବି ଦିନେ ଦ୍ୱିପହରେ ସମସ୍ତେ ଶୋଇଥିଲା ବେଳେ ତାକୁ ବିଛଣାରୁ ଉଠାଇ ଆଣି ଧରିଥିଲି। ବାହାରେ ବୁଲାଇବି ବୋଲି ବାରି ଆଡ଼କୁ ନେଇ...ବଡ ଲୋକଙ୍କ ପରି କାନ୍ଧରେ ଶୁଆଇବି ଭାବି....କାନ୍ଧ ବଦଳରେ ପଛକୁ ଫୋପାଡି ଦେଇଥିଲି..... ତା କାନ୍ଦଣାରେ ସମସ୍ତେ ଉଠି ମୋତେ ଭଲକି କୁନ୍ଦିଥିଲେ। 


ସେଦିନ ତଳେ ମାଟିରେ ପଡି କୁଆଁ କୁଆଁ କାନ୍ଦୁଥିବା ମୁନ୍ନୀ,ଆଉ ଆଜି ଭିଡିଓ କଲ୍ ରେ ମୁରୁକି ହସୁଥିବା ମୁନ୍ନୀ ଭିତରେ...ମୋତେ କାହିଁ କିଛି ପ୍ରଭେଦ ଲାଗୁନି। 


ବଡ ହେଲା ପରେ ଭଉଣୀଠୁ ବେଶୀ ସାଙ୍ଗ ପାଲଟି ଯାଇଥିଲୁ ଆମେ ଦୁହେଁ। 


ସମୟ ଟ୍ରେନଟା ସତରେ ଏକ୍ସପ୍ରେସ ପରି ମାଡି ଚାଲିଛି।ଆଜି ଭାରି ଇଚ୍ଛା ହେଉଛି ଟ୍ରେନଟା ସେ ପୁରୁଣା ଷ୍ଟେସନରେ ପୁଣି ଥରେ ଅଟକି ଯାଆନ୍ତା କି!!

ପୁଣି ଆମେ ମାମୁଁଘରେ ,ମାଇଁ ହାତ ରନ୍ଧା, ସାଙ୍ଗ ହୋଇ ଗୋଟିଏ ଥାଳିରେ ବସି ଖାଇ ପାରନ୍ତୁ କି!!!ପୁଣି ସେ ଖରାଦିନ ଛୁଟି ଆସନ୍ତା କି ,ସିଏ ଆମ ଘରକୁ ନହେଲେ ମୁଁ ତାଙ୍କ ଘରକୁ ଯାଇ ପାରନ୍ତୁ କି!!!ଖରାବେଳିଆ ପୁଣି ଥରେ କନିଆଁ ପରି ସଜହୋଇ ପାରନ୍ତୁ କି!!!ଡ୍ରେସ୍, କାନ ଫୁଲ ଅଦଳ ବଦଳ କରି ପିନ୍ଧିବାର ମଜା ଆଉ ଥରେ ମିଳି ଯାଆନ୍ତା କି!!! 


ଜାଣିନି ସେ ସବୁ ସୁଯୋଗ ଆଉ କେବେ ମିଳିବ କି ନାହିଁ?? ମୋ ନିଜ ପାଇଁ ୨-୩ ବର୍ଷ ହେବ ମାମୁଁ ଘର, ମାଉସୀ ଘର ସୁଦୂର ସ୍ଵପ୍ନ ପଲଟିଛି। 


ତା ବାହାଘରରେ ମଧ୍ୟ ମୁଁ ଯିବାକୁ ଅସମର୍ଥ..... ଯାଇ ପାରିନି!!! 'ଦୂର ପାହାଡ ସୁନ୍ଦର ପରି'- ମୁଁ ଏ ସୁନ୍ଦର ସୁଦୂର ବିଦେଶରେ ଏକା, ଆଉ ପରିବାର ବନ୍ଧୁ ବାନ୍ଧବ ସମସ୍ତେ ସେଠି, ତା ବାହାଘର ଉତ୍ସବରେ ମସଗୁଲ। 


ତଥାପି ଆଶା ତାକୁ ଦେଖିବାର, ତଥାପି ଅପେକ୍ଷା ସେ ସୁଯୋଗର....... 


ଦୂର ବିଦେଶରୁ ତୋ ବଡଭଉଣୀ ରୀମା ଦିଦିର ଅଜସ୍ର ଆଶୀର୍ବାଦ ଓ ଶୁଭେଚ୍ଛା। ଭଲରେ ରହ, ସୁଖୀ ହଅ।


Rate this content
Log in