Bauribandhu Lenka

Crime Others

3.7  

Bauribandhu Lenka

Crime Others

ଧଳା ପାଉଡର

ଧଳା ପାଉଡର

4 mins
101



ରବିବାର ଥାଏ । ସମୟ ପ୍ରାୟ ଦିନ ଅଢେଇଟାରୁ ତିନିଟା ଭିତରେ ହେବ । ଅସରାଏ ଭଲ ଛମ୍ ଛମ୍ ବର୍ଷା ପରେ ପୁଣି ନିରୁତା ହାଡଭଙ୍ଗା ଖରାଟା ଘର ଛାତକୁ ପୂରା ତତେଇ କରି ରଖିଥାଏ । ଲଞ୍ଚ ଖାଇବା ପରେ ପରେ ଅନୀତା ବେଡ୍ ଉପରେ ଗଡପଡ ହେଉ ହେଉ ଆଖି ଲାଗି ଯାଇଛି । ସ୍ୱାମୀ ବିନୟ ବାବୁ ଭୁବନେଶ୍ୱର ପୋଲିସ୍ କମିସନରେଟ୍ ରେ ଜଣେ ପୋଲିସ ଅଫିସର୍ ଭାବେ କାମ କରନ୍ତି । ସେ ବି କୌଣସି ଏକ ମାଗାଜିନ୍ ର ପୃଷ୍ଠା ଲେଉଟାଉ ଲେଉଟାଉ ସେଇ ବେଡ୍ ରୁମ୍ ର ଏକ ଚେୟାର୍ ଉପରେ ଢୁଳେଇ ପଡଛନ୍ତି ।

କଲିଙ୍ଗ୍ ବେଲ୍ ଶବ୍ଦ ଶୁଣି ଅନୀତାଙ୍କ ନିଦ ଭାଙ୍ଗିଗଲା। ଧଡପଡ ହୋଇ ଉଠି କବାଟ ଖୋଲିବା ପାଇଁ ଗଲେ । ଭାବୁଥିଲେ କେହି କୁଣିଆ ଆସିଲେ ବୋଲି । କବାଟ ଖୋଲି ଦେଖନ୍ତି ତ କାମବାଲି ନେତ ଠିଆହୋଇଛି । ଅସମୟରେ ଆସିବାର ଦେଖି ପଚାରିଲେ, " ଆରେ ଆଜି କଣ ଏତେ ବେଳାବେଳି ପଳେଇ ଆସିଲୁ ? କୁଆଡେ କଣ ଯିବାର ଯୋଜନା ଅଛିକି ? ପୁଣି ଛୁଟି ଦରକାର ବୋଲି କହିବୁନା ?


ନେତ କାନ୍ଦ କାନ୍ଦ ହୋଇ ଡ୍ରଇଁ ହଲ୍ ଭିତରକୁ ପଶିଆସି କଇଁ କଇଁ ହୋଇ କାନ୍ଦିବାରେ ଲାଗିଲା । ଅନୀତା କିଛି ବୁଝି ପାରିଲେ ନାହିଁ । କବାଟ ବନ୍ଦ କରି ଅନ୍ୟ ଏକ ରୁମ୍ କୁ ନେଇ ପଚାରିଲେ , " କଣ ହେଲା ତୋର ? କହତ କାହିଁକି କାନ୍ଦୁଛୁ । ସ୍ୱାମୀ ସ୍ତ୍ରୀ ଦୁହେଁ ଝଗଡା କରିଛ ନା ଆଉ କିଛି ?"


ନେତର କଣ୍ଠ ବାଷ୍ପରୁଦ୍ଧ ହୋଇଯାଉଥାଏ । ସେ ସବୁକଥା କହି ପାରିବା ଅବସ୍ଥାରେ ନଥାଏ । ଅନୀତା ଜାଣି ପାରିଲେ ସେ ସକାଳୁ କିଛି ଖାଇନାହିଁ । ଯଦିଓ ସେମାନେ ଲଞ୍ଚ୍ କରି ସାରିଥିଲେ ସବୁ ଖାଇବା ଜିନିଷ ବଳକା ଥିଲା । ସେ ତା ପାଇଁ ଗୋଟିଏ ପ୍ଳେଟରେ ଖାଇବା ଆଣି ଦେଲେ । ନେତ ମନା କରିବା ସତ୍ତ୍ୱେ ସେ ତାକୁ ବାଧ୍ୟକରି ଖୁଆଇଲେ ।


ଖାଇ ସାରିବା ପରେ ଅନୀତା କଣ ହୋଇଛି ବୋଲି ପଚାରିଥିଲେ ।


ନେତ କାନ୍ଦ କାନ୍ଦ ହୋଇ କହିଲା , " ମୋର ଘର ପରିବାର କରିବା ଆଜିଠୁ ସରିଗଲା । ସବୁଦିନେ ମାରଧର କରୁଥିଲା । ଆଜି ମାରି ମାରି ଗଳା ଧକ୍କା ଦେଇ ଘରୁ ବାହାର କରିଦେଲା । ପୁଅ ଝିଅ ଦୁଇଟି ସେଠି ବସି କାନ୍ଦୁଛନ୍ତି । ମୁଁ ତମ ଘର ଆଡେ ଆସିଛି । "


ମାରିବାର କାରଣ କଣ ? — ପଚାରିଲେ ଅନୀତା ।


" ଯେଉଁଦିନ ଯାହା ଘଟେ ତ ସବୁ ତମ ଆଗରେ କହେ । ଆଉ ସେ ସବୁ କଥା ପୁଣିଥରେ କଣ ବା କହିବି । ଆଜି ସକାଳେ ସମସ୍ତଙ୍କ କାମ ସାରି ଘରକୁ ଫେରିଲା ବେଳକୁ ପ୍ରାୟ ସକାଳ ନଅ ଟା ହୋଇଥିଲା । ଘରେ ପଶୁ ପଶୁ ମତେ ପାଞ୍ଚ ଶହ ଟଙ୍କା ମାଗିଲା । ମୋ ପାଖରେ ପ୍ରକୃତରେ ପଇସା ନଥିରବାରୁ ମନାକଲି । ଯେଉଁଠି ବି ଲୁଚେଇ ରଖିଲେ ସବୁ ଦରାଣ୍ଡି ଦୁରୁଣ୍ଡି ନେଇଯାଉଛି । ଯାହା ବି ଟଙ୍କା ନେଲା ସବୁ ସାଙ୍ଗମାନଙ୍କ ସହ ମିଶି ସେ ଧଳା ପାଉଡର ( ବ୍ରାଉନ୍ ସୁଗାର ) କିଣି ପିଉଛି । ଘରେ ଆସି ମାରଧର କରୁଛି । ଯେତେବେଳେ ପଇସା ହାତରୁ ସରି ଯାଉଛି ବାତୁଳାଙ୍କ ପରି ହୋଇ ମୋ ସହିତ ପାଟି ତୁଣ୍ଡ ଓ ମାଡ ପିଟ୍ । କେତେ ଆଉ ସହିବି ? ଆଜି ତ ସବୁ ସୀମା ଟପିଗଲା । ମାରି ମାରି ଘରୁ ବାହାର କରିଦେଲା । ମୋର ତ ହୀନ କପାଳ, ଆଉ କାହାକୁ ଦୋଷ ଦେଇ ଲାଭ କଣ ? କେତେ ଅଲିଅଳରେ ବାପ ଘରେ ବଢିଥିଲେ । ମୋ ଦେହରେ ଟିପଟିଏ ବି କେହି ଦେଇ ନଥିଲେ । କେବେ ବି ଭାବି ନଥିଲି ବାହାହୋଇ ଆସି, ମତେ ଅନ୍ୟମାନଙ୍କ ଘରେ କାମ କରି ପଇସା ରୋଜଗାର କରବାକୁ ପଡିବ ବୋଲି । ମୋ ବାପା ଓ ଭାଇଙ୍କୁ ସବୁ ମିଛ କଥା କହି ବାହାଘର କରିଦେଲେ । ବାହାଘର ସରିଲା ପରେ ଆଉ କଣ ବା ହୋଇ ପାରି ଥାଆନ୍ତା । ପ୍ରଥମେ ପ୍ରଥମେ ସେ କାହାର ଗାଡି ଚଳଉଥିଲା । ଯାହା ପଇସା ପାଏ ସବୁ ସାଙ୍ଗ ମାନଙ୍କ ସହ ମଦ ପିଇବା ଓ ମସ୍ତି କରିବାରେ ଉଡେଇ ଦେଉଥିଲା । ମନ ହେଲେ ଯିବ ନହେଲେ ଘରେ ଶୋଇବ ? ଏମିତି କଲେ କୋଉ ମାଲିକଟା ତାକୁ ରଖିବ ଯେ ? ଗୋଟେ ରଙ୍ଗ ମିସ୍ତ୍ରୀ ସାଙ୍ଗରେ କାମ କରିବାକୁ ଗଲା ଯେ ତା ସାଙ୍ଗରେ ଝଗଡା ଝାଣ୍ଟି କରି ଯିବା ବନ୍ଦ କରିଦେଲା । ଆଗରୁ ମଦ ପିଉଥିଲା, ଏବେ ସେ ଧଳା ପାଉଡର କଣ ପିଉଛି । ଛାଡ ସେ କଥା ମାଆ, ଆଉ ସେ ସବୁ କହି ଲାଭ କିଛି ନାହିଁ । ହଁ ମାଆ ମୁଁ ଆସିଲା ବେଳେ ଛୁଟି ମାଗିବି ବୋଲି କହୁଥିଲ ନା ? ଠିକ୍ କହିଛନ୍ତି ମାଆ । ମୁଁ ଦିନେ ଦୁଇଦିନ ପାଇଁ ନୁହେଁ , ତୁମଠୁ ସବୁଦିନ ପାଇଁ ଛୁଟି ମାଗିବାକୁ ଆସିଛି । ଆଉ ତମ ଘରକୁ କାମ କରିବା ପାଇଁ ଆସି ପାରିବି ନାହିଁ ମାଆ । ପିଲା ଦୁଇଟିଙ୍କୁ ନେଇ ମୋ ବାପଘର ପୁରୀ ପଳେଇ ଯିବି । ଏଠି ରହିବାକୁ ମୋର ଘର କାହିଁ ଯେ ରହିବି । ଏ ମାସରେ ମୋର ଯେତିକି ଦିନ କାମ କରିଛି ଯଦି ଦେଇ ଦିଅନ୍ତ , ଗାଡି କରି ପଳେଇ ଯାଆନ୍ତି । ଏବେ ଏଇ କରୋଣା ପାଇଁ ବସ୍ କି ଟ୍ରେନ୍ କିଛି ଚାଲୁ ନାହିଁ । ଅଟୋବାଲାକୁ କୁହାବୋଲା କରି ଯୁଆଡୁ ଯେମତି କରି ପୁରୀ ପଳେଇବି । "


ଅନୀତା ନେତର କଥା ଶୁଣି ଅତ୍ୟନ୍ତ ଦୁଃଖିତ ହୋଇ ଯାଇଥିଲେ । ସେ ବି ଜଣେ ନାରୀ , ସେ କଣ ଏପରି ନିର୍ଯାତନା ଅଜିଯାଏ ସହି ରହି ପାରିଥାଆନ୍ତେ ? ସେ କେବଳ ଦୁଃଖ ପ୍ରକାଶ କରିବା ସହ ତାକୁ ସାନ୍ତ୍ୱନା ହିଁ ଦେଇଥିଲେ । ତା'ର ପୂରା ମାସର ପଇସା ସହ ପୁରୀ ଯିବା ପାଇଁ ଟାକ୍ସି ଭଡା ଓ କିଛି ପୂରୁଣା ଶାଢୀ ତା ହାତରେ ଧରେଇ କହିଲେ, " ଯାଆ ନେତ ବ୍ୟସ୍ତ ହେବୁନି , ମୁଁ ତୋ ପାଇଁ କିଛି କରି ପାରିଲି ନାହିଁ । ଭଗବାନଙ୍କୁ ଡାକୁଛି ସବୁ ଠିକ୍ ହୋଇଯିବ ।"


ଅନୀତାଙ୍କ ସ୍ୱାମୀ ବିନୟ ବାବୁ ସବୁ କଥା ଶୁଣୁଥିଲେ । ଏହା ତାଙ୍କ ମନରେ ଗଭୀର ରେଖାପାତ କରିଥିଲା ।


ଦୁଇଦିନ ପରେ ଏକ ଖବର କାଗଜରେ ସମ୍ବାଦ ପ୍ରକାଶ ପାଇଥିଲା କି ଭୁବନେଶ୍ୱର ପୋଲିସ୍ କମିସନରେଟ୍ ର ଡ୍ରଗ ଟାସ୍ସ ଫୋର୍ସ ଅବୈଧ ଭାବେ ବ୍ରାଉନ୍ ସୁଗାର୍ କାରବାର କରୁଥିବା ଦୁଇଜଣ ବ୍ୟକ୍ତିଙ୍କ ସହିତ ନେତ ର ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ନେତର ସ୍ୱାମୀ ବ୍ରାଉନ୍ ସୁଗାର କିଣିବାକୁ ଯାଇ ସେମାନଙ୍କ ସହିତ ଏକ ବଡ ଧରଣର ଗଣ୍ଡଗୋଳରେ ଲିପ୍ତ ଥିଲା ।



Rate this content
Log in

Similar oriya story from Crime