ଦେବୀ
ଦେବୀ


ସଂକୁନ୍ତଳା ଦେବୀ ଜଣେ ସମାଜ ସେବୀ ମହିଳା ।ବିଭିନ୍ନ ସେବା କାର୍ଯ୍ୟ କ୍ରମରେ ତାଙ୍କର ସକ୍ରିୟ ହାତ ଥାଏ । ସ୍ଥାନୀୟ ସମସ୍ୟାର ସମାଧାନ କରିବା ତାଙ୍କ ସଂଗଠନର କାର୍ଯ୍ୟ ।ଦିନେ ସକାଳୁ ସକାଳୁ ବଜାରକୁ ଯାଇଥାଏ । ଦେଖିଲି କିଛି ମହିଳା ମିଶି ବଜାର ସଫେଇ କାର୍ଯ୍ୟରେ ଲାଗିପଡିଛନ୍ତି । ସାଇକେଲରୁ ଓହ୍ଲେଇ ତାଙ୍କର କାର୍ଯ୍ୟକୁ ସ୍ୱାଗତ କଲି ।ସମସ୍ତେ ସଂଭ୍ରାନ୍ତ ଘରର ମହିଳା, ନିଜ ପରିବାର ଭିତରୁ ବାହାରି ଆସି କିଛି ସମୟ ଦେଇ ରାସ୍ତାରେ ପଡିଥିବା ଅପରିଷ୍କାରକୁ ନିଜେ ଝାଡୁମାରି ସଫା କରିବା ଦୃଶ୍ୟ ହୃଦୟକୁ ସ୍ପର୍ଶ କଲା।ମନରେ ସେମାନଙ୍କ ପ୍ରତି ଭକ୍ତି ଆସିଲା ।ତାଙ୍କ ନିକଟକୁ ଯାଇଁ ଧନ୍ୟବାଦ ଜଣାଇ ନିଜକୁ ଜଣେ ନିକମ୍ବ ମଣିଷ ବୋଲି ଭାବିଲି । ଆମେ ପୁରୁଷ ବୋଲି ନିଜକୁ ଗର୍ବ ,ଅହଂକାର କରୁଥିବା ବେଳେ ନାରୀମାନେ ଆମକୁ ଦୟା ଦେଖାଇ କ୍ଷମା ଦିଅନ୍ତି, ଏକଥା ସେଦିନ ଉପଲବ୍ଧି କଲି ।
ପିଲା ବେଳର କଥା ମନେ ପଡେ। ସେଦିନ ଥାଏ ପବିତ୍ର ମଧୁବାରିଣୀ ଯୋଗ ।ଯାଜପୁରର ଅଶ୍ୱମେଧ ଘାଟ ।ଯେଉଁଠି ଯୋଗ ପଡେ । ବୈତରଣୀ ନଦୀର ଜଳରେ ସେହିଠାରେ ସ୍ନାନ କଲେ ପାପ କ୍ଷୟ ହୁଏବୋଲି ଆମର ପରମ୍ପରା ଓ ପୁରାଣ କହିଛି । ଆମ ଜଗନ୍ନାଥଙ୍କ ପାଞ୍ଜିରେ ବି ତାହା ଉଲ୍ଲେଖ ହୋଇଥାଏ । ଯୋଗ ବୋଲି ଲୋକେ କହିଆସୁଛନ୍ତି । ମତେ ପାଞ୍ଚ ବା ଛ ବରଷ । କଥା କହିପାରୁଥାଏ କିନ୍ତୁ ବଡ ଜିଦିଆ ପିଲାବେଳେ ଥିଲି ।ବୋଧେ ପ୍ରଥମ ଶ୍ରେଣୀରେ ପଢ଼ୁଥିଲି ।ମୋ ବାପା ମା ମଧୁବାରିଣୀ ପାଇଁ ଯାଜପୁର ଯିବାକୁବାହାରିଲେ ।ସେମାନଙ୍କ ସହ ମୁଁ ବାହାରିଲି । ମତେ ନନେଇ ସେମାନେ ଚାଲିଗଲେ । ମୁଁ ଜିଦି ରେ ଏକୁଟିଆ ତାଙ୍କ ଯିବା ବାଟରେ ପଛରେ ଚାଲିଲି । ଆମ ଘର ଠାରୁ ଯାଜପୁର ପ୍ରାୟ କୋଡିଏ କି ପଚିଶ କିଲୋମିଟର ହେବ । ରାସ୍ତାରେ ଝଡ଼ ବର୍ଷା ଆରମ୍ଭ ହୋଇଗଲା । ମୁଁ କୌଣସି ପ୍ରକାର ଉପାୟ ନକରି ଜୋରେ ପାଟିକରି କାନ୍ଦିବାକୁ ଲାଗିଲି। ସେଇ ବାଟେ କେତେକେତେ ଲୋକ ଯାଉଥାନ୍ତି ।ସେମାନଙ୍କ ମଧ୍ୟରୁ କିଛି ସ୍ତ୍ରୀ ଲୋକ ମତେ ଦେଖି ତାଙ୍କ କୋଳରେ କାଖେଇ ନେଲେ ।ଯାଜପୁରରେ ପହଁଚିଲା ବେଳକୁ ରାତି ଦୁଇଟା । ସେହି ରାତିରେ ବର୍ଷା ହୋଇଥିବାରୁ ଥଣ୍ଡା ଲାଗୁଥିଲା ତେଣୁ ଥରୁଥିଲି ।ସେ ମହିଳା ଜଣକ ତାଙ୍କ ଶାଢ଼ୀ କାନିରେ ମତେ ଘୋଡେଇ ଦେଇ କୋଳରେ ସୋଇଦେଲେ ।ସେ ମଧ୍ୟ ବରା ଓ ଘୁଗୁନି କିଣି ମତେ ଖାଇବାକୁ ଦେଲେ । ସେହି ମହିଳା ଯେକି ମୋ ମାଆ ସମାନ ମତେ ବଞ୍ଚେଇ ଥିବାରୁ ତାଙ୍କ ସୃତିରେ ମୋର ପ୍ରଣିପାତ ତାଙ୍କୁ ।
ବହୁଥର ନାରୀ ବା ମହିଳାଙ୍କ ଠାରୁ ସାହାଯ୍ୟ ପାଇଛି । ଆଜି ଜୀବନର ଅପରାହ୍ନରେ ନାରୀ ମାନଙ୍କ ଉପରେ ମୋର ବିଶ୍ୱାସ ଦୃଢ଼ୀଭୂତ। ମୋର ବଦ୍ଧ ଧାରଣା ଅଛି ନାରୀ ସଶକ୍ତିକରଣକୁ ଗୁରୁତ୍ୱ ଦେଲେ ଉର୍ଣ୍ଣତ ସମାଜ ଗଠନ ହେବ ।ମୋମତରେ ଜଣେ ନାରୀ ଦୁର୍ନୀତିକୁ ନିନ୍ଦା କରେ , ପରିଶ୍ରମୀ ଓ ଭକ୍ତି ପୂତ ଜୀବନ ନିର୍ବାହ କରେ ।ନାରୀଙ୍କ ଚରିତ୍ର ଜାହାହେଉନା କାହିଁକି ସେ ସଦା ଗଙ୍ଗା ପରି ପବିତ୍ର । ଆଜିର ବିଶ୍ୱ ମହିଳା ଦିବସ ଅବସରରେ ମୁଁ ଦେବୀ ରୂପେ ଆରାଧନା କରୁଛି ।