Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Sriman Bapu

Drama Inspirational Others

4.6  

Sriman Bapu

Drama Inspirational Others

ଦେବାଶିଷଙ୍କ ବିନତୀ

ଦେବାଶିଷଙ୍କ ବିନତୀ

6 mins
519



ଦେବାଶିଷ ତାଙ୍କ ତିନି ପୁଅଙ୍କ ନାମ ଖୋଜି ଖୋଜି ଦେଲେ । ବଡ଼ ପୁଅର ଦିଗବିଜୟ , ମଝିଆଁ ପୁଅର ବିଶ୍ୱଜିତ ଆଉ ସବା ସାନ ପୁଅର ନାମ ରଖିଲେ ପୃଥ୍ୱୀରାଜ । ଦେବାଶିଷଙ୍କ ନାମକରଣରୁ ତାଙ୍କ ଉଚ୍ଚାଭିଳାଷର ସଙ୍କେତ ମିଳେ । ସେ ଯେତେବେଳେ ଏଗାର ବର୍ଷର ହୋଇଥିଲେ ବାପା ରୋଗାକ୍ରାନ୍ତ ‌ହୋଇ ଦୀର୍ଘ କାଳ ବିଛଣାରେ ପଡ଼ିରହି ତାଙ୍କୁ ଯେବେ ପନ୍ଦର ପଶିଲା ଇହଧାମ ତ୍ୟାଗ କଲେ । ଅତି ଅଳ୍ପ ବୟସରେ ବଡ଼ ଭଉଣୀର ବାହାଘର , ସାନଭାଇର ଦେଖାଶୁଣା ସହ ପୁରା ପରିବାରର ବୋଝ ପଡ଼ିଲା ତାଙ୍କରି ମୁଣ୍ଡ ଉପରେ । ଭଲ ପାଠ ପଢୁଥିଲେ ବୋଲି ଶିକ୍ଷକ ଆଉ ବନ୍ଧୁକୁଟୁମ୍ବଙ୍କ ସହଯୋଗରେ ଯୁକ୍ତ ଦୁଇ ପରେ ସି.ଟି କରି ପ୍ରାଇମେରୀ ସ୍କୁଲରେ ଚାରିସହ ଟଙ୍କାରେ ଶିକ୍ଷକତା ଆରମ୍ଭ କଲେ । ହେଲେ ସେତିକିରେ ସେ ସନ୍ତୁଷ୍ଟ ହେଲେନି ଶିକ୍ଷକତା ସହ ସୁନା ବ୍ୟବସାୟ ଆରମ୍ଭ କଲେ । ସୁନା ବ୍ୟବସାୟରେ ଆଖିଦୃଶିଆ ସଫଳତା ଅର୍ଜିଲେ । ଆଖପାଖ ଗାଁରେ ସେ ସବୁଠୁ ବଡ଼ ଘର ତୋଳିଲେ ଆଉ ସବୁଠୁ ବଡ଼ ଧନିରେ ବି ଗଣାଗଲେ । ମଣିଷର ସ୍ୱପ୍ନ ଅସରନ୍ତି ତେଣୁ ଅତୃପ୍ତି ତାଙ୍କ ଜୀବନର ଚିରସଙ୍ଗୀ ହୋଇ ରହିଥାଏ ।


ପୁଅମାନେ ହେଲେ ତାଙ୍କର ସେ ଉଚ୍ଚ ଆକାଂକ୍ଷାର ମଞ୍ଜିସବୁ । ସବୁ ମଞ୍ଜିରୁ କ'ଣ ଭଲ ଗଛ ହୁଏ ? ମଞ୍ଜି ଖାଲି ଭଲ ହେଲେ ତ ହେବନି ତା' ସହ ଉର୍ବର ମାଟି , ପାଣି , ଖରା , ଯତ୍ନ ଆଉ ଧର୍ଯ୍ୟ ବି ଆବଶ୍ୟକ । ସ୍ତ୍ରୀ ସାବିତ୍ରୀଙ୍କ ଅବଦାନ ବାହାରୁ ସେତେ ଆଖିଦୃଶିଆ ନ ହେଲେ ବି ଦେବାଶିଷଙ୍କ ସେ ମେରୁଦଣ୍ଡ ନା ଅସ୍ଥି କଙ୍କାଳ କହିଲେ ଯଥାର୍ଥ ହେବ ‌। ତାଙ୍କର ନିଜର ସ୍ୱତନ୍ତ୍ର ଇଚ୍ଛା ଅଭିଳାଷା ବୋଲି କିଛି ନାହିଁ । କେମିତି କେଜାଣି ସ୍ତ୍ରୀ ଗୋଟେ ଏମିତି ନିଜକୁ ସମ୍ପୂର୍ଣ୍ଣ ସମାହିତ ବିଲୟ କରେ ତାହା ଚିନ୍ତାର ପରିସର ବାହାରେ ।


ଦେବାଶିଷଙ୍କ ସଂଘର୍ଷମୟ ଜୀବନ ତାଙ୍କୁ ବଦରାଗି , ଚିଡ଼ିଚିଡ଼ା , ଅଧୈର୍ଯ୍ଯ ଆଉ ରୁକ୍ଷ କରି ଦେଇଥିଲା । ହେଲେ ହୃଦୟରୁ ସେ ଥିଲେ ଦୟାଳୁ , ସ୍ନେହବତ୍ସଳ ଆଉ ଅତି ସମ୍ବେଦନଶୀଳ । ଏକଥା କେବଳ ତାଙ୍କ ସ୍ତ୍ରୀ ଜାଣନ୍ତି । ଯେଉଁ ଦୁଃଖ ଅନଟନ ସେ ଜୀବନରେ ସାମ୍ନା କରିଥିଲେ , ପିଲାମାନଙ୍କୁ ସେଥିରୁ ଦୂରେ ରଖିବା ପାଇଁ ସର୍ବଦା ଆପ୍ରାଣ ଉଦ୍ୟମ କରିଆସିଥିଲେ । ହେଲେ ମଣିଷ କେବେ ବି ପୂର୍ଣ୍ଣ ସଫଳ ହୋଇ ନପାରେ । ପୂର୍ଣ୍ଣ ସଫଳତା ବା ସଫଳତାର ସଂଜ୍ଞା ସମାଜ ତା'ର ନିଜ ସ୍ୱାର୍ଥ ହିସାବରେ ନିରୂପଣ କରେ ଆଉ ଅଭାଗା ବ୍ୟକ୍ତି ଜଣେ ଜୀବନସାରା ଏହାକୁ ଛୁଇଁବାକୁ ବୃଥା ପ୍ରୟାସ କରେ । ଅଳ୍ପରେ ତୃପ୍ତ ଆଉ ସୁଖୀ ଲୋକଙ୍କୁ ନେଇ ତଥାକଥିତ ଉନ୍ନତ ଆଉ ସ୍ୱଚ୍ଛଳ ସମାଜଟିଏ ଗଢ଼ିହୁଏନା ବରଂ ପ୍ରତିବନ୍ଧକ ସାଜେ । 


କିଛି ମଣିଷ ସବୁ ବୁଝନ୍ତି ହେଲେ ବିଷାକ୍ତ ପରିବେଶରେ ବଞ୍ଚିବାକୁ ହେଲେ ବିଷ ପିଇବାକୁ ହୁଏ । ଏ ବିଷ ପ୍ରଭାବରେ ଧିରେ ଧିରେ ତା'ର ପ୍ରତ୍ୟେକ ରକ୍ତକଣିକା ବିଷାକ୍ତ ହୋଇଯାଏ । ଏଇଥି ପାଇଁ ନିଜ ପିଲାମାନଙ୍କ ଭିତରେ କୋମଳତା , ସ୍ପର୍ଶକାତରତା ଆଉ ଚିରାଚରିତ ସମାଜରେ ଚଳିଆସୁଥିବା ମାନ୍ଯତା ବିରୁଦ୍ଧ ଗୁଣ ଦେଖିଲେ ଅଧିକାଂଶ ବାପାମାଆ ବଡ଼ ଚିନ୍ତିତ ହୁଅନ୍ତି । ନିଜ ପିଲାଙ୍କୁ କୁଶଳୀ , ଚାଲାକ୍ ଚତୁର , ଧୃତ ଆଉ ସବଳ କରିବାକୁ ଭରପୂର ପ୍ରୟାସ କରନ୍ତି । ଦେବାଶିଷ ବି ସେଇଆ ଚାହାନ୍ତି ଯାହା ଅଧିକାଂଶ ବାପା ଚାହାଁନ୍ତି ତାଙ୍କ ଦାୟାଦ ତାଙ୍କର ସାମ୍ରାଜ୍ୟକୁ ବିଶ୍ୱପ୍ରସାରୀ କରନ୍ତୁ ।


ହେଲେ ସବୁ ମଞ୍ଜିର ନିଜସ୍ଵ ସ୍ୱପ୍ନ ଥାଏ । ଯଦି ତାଙ୍କୁ ବଡ଼ ଗଛର ଛାଇରୁ ଦୂରରେ ଖୋଲା ଆକାଶ , ଉପଯୁକ୍ତ ମାଟି , ପର୍ଯ୍ୟାପ୍ତ ପାଣି ଆଉ ଆବଶ୍ୟକ ସୁରକ୍ଷା ମିଳିଯାଏ ତେବେ ସେମାନେ ବି ନିଜ ଜନ୍ମଦାତା/ଜନ୍ମଦାତ୍ରୀ ଠାରୁ ବହୁ ଉଚ୍ଚକୁ ଯାଇ ପାରନ୍ତେ । ହେଲେ ବାପାମାଆ ନିଜ ସନ୍ତାନ ପ୍ରେମର ମୋହରେ ଅନ୍ଧ ହୋଇ ସେମାନଙ୍କୁ ନିଜ ଛାଇ ତଳେ କୋଳେଇ ରଖିବାକୁ ଚେଷ୍ଟା କରନ୍ତି । ପୁଣି ଆଖ ପାଖର ପିଲାଙ୍କ ଉନ୍ନତି ଦେଖି ପ୍ରତିଯୋଗିତା ଦୌଡ଼ରେ ହାରିଯିବା ଭୟରେ ନିଜ ଜୀବନର ତଥାକଥିତ ଅସଫଳତାର ତିକ୍ତତାକୁ , ଉଚ୍ଚ ଆକାଂକ୍ଷା ଜନିତ ହତାଶବୋଧ ଆଉ ହାରିଯିବାର ଆତଙ୍କକୁ ପିଲାଙ୍କ ଉପରେ ଲଦି ଦିଅନ୍ତି । ବିଚାରା ପିଲାମାନଙ୍କର ଆଖି ଫିଟିଲା ପରେ ନିଜ ବାପାମାଆଙ୍କ ଛାଇର ଶୀତଳତା ଆଉ ସୁରକ୍ଷିତ ବଳୟ ବାହାରେ ପାଦ ରଖିବାକୁ ସ୍ୱପ୍ନରେ ବି କଳ୍ପନା କରି ପାରନ୍ତି ନାହିଁ ।  


ଦେବାଶିଷଙ୍କ ପୁଅମାନଙ୍କ ଅବାସ୍ଥା ତଦୃପ ହେଲା । ଯେବେ ସିଏ ଅନୁକୂଳ ଚନ୍ଦ୍ରଙ୍କ ଅନୁଗାମୀ ହେଲେ , ନିଜର ଆମିଷ ପ୍ରୀୟ ପିଲାଙ୍କ ମୁହଁରୁ ଆମିଷ ଛଡ଼େଇ ନେଲେ । ସେ ଚାରିଟାରେ ବିଛଣା ତ୍ଯାଗ କରିବେ ପରେ ସ୍ନାନ ଆଉ ପ୍ରାର୍ଥନା । ତାଙ୍କ ସହ ସ୍ତ୍ରୀ , ପିଲା , ବୁଢ଼ୀମାଆ ସମସ୍ତେ ଯୋଗ ଦେବାଟା ନିୟମ । ସେ ଏତେ କାର୍ଯ୍ଯବ୍ଯସ୍ଥ ରୁହନ୍ତି ଯେ ପିଲାଙ୍କ ପାଇଁ ସମୟ ନଥାଏ । ଆଉ ଯେବେ ଘରେ ରହିବେ ଘଣ୍ଟା ଘଣ୍ଟା ପିଲାଙ୍କୁ ବସେଇ ଉପଦେଶ ବାଣୀ ଶିକ୍ଷା ଦେବେ । ବସିବା ଉଠିବା ପାଡ଼ିବା ଛିଙ୍କିବା ସବୁଥିରେ କଡ଼ା ଅନୁଶାସନ ।


ନିଜେ ଜଣେ ଭଲ ଛାତ୍ର ଆଉ ଶିକ୍ଷକ ହୋଇ ମଧ୍ୟ ତାଙ୍କର ଲକ୍ଷେ ପ୍ରୟାସ ପରେ ବି ତିନିଟା ପୁଅଙ୍କ ଭିତରୁ କାହାର ପାଠ ଟିକିଏ ହେଲାନି । ଦିଗବିଜୟ ଚାରିଥର ପରେ ମ୍ୟାଟ୍ରିକ ପାସ୍ କଲା । ବିଶ୍ୱଜିତ ବଡ଼ ଭାଇଙ୍କ ପଦାନୁସରଣ କଲା ଆଉ ସାନ ପୃଥ୍ୱୀରାଜ ପୃଥିବୀଯାକର ଅବିଦ୍ୟାରେ ପାଣ୍ଡିତ୍ୟ ଅର୍ଜନ କରିଥିଲା ହେଲେ ଅଷ୍ଟମ ଶ୍ରେଣୀର ବନ୍ଧ ଡେଇଁ ପାରିଲା ନାହିଁ । ମ୍ୟାଟ୍ରିକ ଯାଏ ପିଲାମାନେ ଯେଣେତେଣେ ବାପାକୁ ସଯ୍ଯ କରିନେଇଥିଲେ ତା' ପରେ ବାପା ନିଷିଦ୍ଧ କରିଥିବା ସବୁ ରାସ୍ତାକୁ ଆବିଷ୍କାର କରିବାରେ ଲାଗିପଡ଼ିଲେ । ମଦ , ମାଂସ ଜୁଆ , ଚୋରି , ନାରୀ କରିବାରେ ଜଣେ ଆଉ ଜଣକ ଭିତରେ ପ୍ରତିଯୋଗିତା ଚାଲିଲା । ଧନ , ପ୍ରତିଷ୍ଠାର ଗର୍ବରେ ଚୁର୍ ହୋଇ ବାପା ଗଢ଼ିଥିବା ସାମ୍ରାଜ୍ୟକୁ ଦୃତ ଗତିରେ ଧ୍ୱଂସ କରିବାକୁ ଲାଗିଲେ। 


ଦେବାଶିଷ ଭାବିଲେ , ବିବାହ ପରେ ନିଶ୍ଚିତ ପୁଅମାନଙ୍କର ଜ୍ଞାନୋଦୟ ହେବ ତେଣୁ ପ୍ରଥମେ ବଡ଼ପୁଅ ଦିଗବିଜୟର ପରେ ମଝିଆଁ ପୁଅ ବିଶ୍ୱଜିତର ତା'ପରେ ସାନ ପୁଅ ପୃଥ୍ୱୀରାଜର ବିବାହ ସମ୍ପନ୍ନ କଲେ ‌। ବଡ଼କୁ ସୁନା ଦୋକାନ ,ମଝିକୁ ପେଟ୍ରୋଲ ପମ୍ପ ଆଉ ସାନକୁ ଟ୍ରାକ୍ଟର ସହ ଜମିବାଡ଼ିର ଦାୟିତ୍ଵ ଦେଇ ସବୁ ଦାୟିତ୍ଵରୁ ଓହରି ଗଲେ । ତା'ପରେ ଚାକିରୀରୁ ଅବସର ପରେ ତାଙ୍କ ଦ୍ଵାରା ଗଢ଼ା ହୋଇଥିବା ଅନୁକୂଳ ଚନ୍ଦ୍ରଙ୍କ ଧାର୍ମିକ ଅନୁଷ୍ଠାନରେ ନିଜକୁ ସମ୍ପୂର୍ଣ୍ଣ ନିୟୋଜିତ କଲେ । କିନ୍ତୁ ବିବାହ ପରେ ପରିସ୍ଥିତି ଦିନକୁ ଦିନକୁ ଆହୁରି ସଙ୍କଟାପନ୍ନ ହେଲା । ପ୍ରତିଦିନ ଘରେ କହଳ ଦ୍ୱନ୍ଦ , ବାଡ଼ା ପିଟା ଲାଗିଲା । ବର୍ଷକ ବାରମାସ ଘରୁ ଆମିଷର ଗନ୍ଧ ଛୁଟିଲା , ତିନି ଭାଇ ଆଉ ତିନି ଯାଆଙ୍କ ଭିତରେ ପ୍ରତିଯୋଗିତା କିଏ କେତେ ଥର ମାସରେ ମଟନ ଖାଉଛି ଆଉ କେତେ ଟିଣ ତେଲ କିଣୁଛି ।


ଦିଗବିଜୟକୁ ଯେତେବେଳେ ଦେଖିବ ତା'ର ପାଟି ଚାଲିଥିବ , ସବୁବେଳେ ଖାଆ ଖାଆ । ପାଞ୍ଚ ଫୁଟ୍ ଚାରି ଇଞ୍ଚ ଉଚ୍ଚତାକୁ ଓଜନ ଶହେ କୋଡ଼ିଏ ହେଲା । ନା ଉଠି ପାରିଲା , ନା ବସିପାରିଲା ଆଗେ ସୁନା ଦୋକାନଟିକୁ ଖାଇଦେଲା ତା ପରେ ଦୋକାନ ଘରଟିକୁ ବିକିକି ଖାଇଲା ।ପରେ ସ୍ତ୍ରୀର ସୁନା ଗହଣା ବିକି , ଧାର କରଜ କରି ଖାଇଲା । ଡ଼କ୍ଟର କହିଲେ ଆଉ ଅଧିକ ଖାଇବ ଯଦି ମରିବ । ଅତିରିକ୍ତ ଚର୍ବି ଅପେରେସନ କରି କଟାଗଲା ।


 ଏବେ ଘରେ କିଛି ନାହିଁ , ଛୁଆ ଦୁଇଟା ଗାଁ ସ୍କୁଲରେ ମ୍ୟାଟ୍ରିକ ଯାଏଁ ପଢ଼ିକି ଘରେ ରହିଲେ । ପୁଅ ବେଙ୍ଗାଳୁରୁରେ ପ୍ଲମ୍ବର କାମ କରି ଅଳ୍ପ ପଇସା ପଠାଉଥିଲା ସେଇଥିରେ ଘର ଚଳୁଥିଲା । ଝିଅର ବାହାଘର ବୟସ ହେଲା ହେଲେ ଅଣ୍ଟାରେ ଜୋର ନାହିଁ ବାହା କରେବାର ତେଣୁ ବାପା ଝିଅକୁ କହିଲା ତୁ ତୋ କଥା ବୁଝ । ଝିଅ ବାଧ୍ୟ ହୋଇ ସେଇଆ କଲା , ଗୋଟିଏ ବାତେରା ସହ ପଳେଇ ଗଲା । କରୋନା ଆଉ ଲକ୍ ଡ଼ାଉନ ଯୋଗୁଁ ପୁଅ ଏବେ ବେକାର । ସରକାରୀ ରାସନ୍ ଆଉ ବାଡ଼ି ,ଶାଗ ପନିପରିବାରେ ଘର ଚଳୁଛି । ମାଛ ମାଉଁସ ଆଉ ଘରେ ପଶୁନି ।


ବିଶ୍ଵଜିତର ମଦ , ପାନ ଆଉ ଜୁଆ ନିଶା ଯୋଗୁଁ ପେଟ୍ରୋଲ ପମ୍ପ ବନ୍ଧା ପଡ଼ିଲା । ପଇସା ସୁଝି ନପାରି ସେ ବି ଗଲା । ଦୁନିଆ ଲୋକଙ୍କ ଠାରୁ ଧାର କରଜ କରି କିଛି ଦିନ ଚଳିଗଲା । ଲୋକେ ବାରମ୍ବାର ପଇସା ମାଗିଲେ ,ଧମକ ଦେଲେ , ପୋଲିସ୍ ଆସିଲା କୋର୍ଟ କଚେରୀ ଗଲା । ଦିନେ ଉଠି କୁଆଡ଼େ ଗଲାଯେ ତିନିବର୍ଷ ‌ହେଲା ଖବର ନାହିଁ ‌। କିଏ କୁହେ ଆତ୍ମହତ୍ୟା କଲା ,କିଏ କୁହେ ବାବା ହୋଇଗଲା ଆଉ କିଏ କୁ‌ହେ ବାହାର ରାଜ୍ୟର କେଉଁ ମନ୍ଦିରରେ କାଳେ ଭିକ ମାଗୁଛି । ସ୍ତ୍ରୀ ଗାଁ ସ୍କୁଲରେ ରୋଷେଇ କରେ । ବଳକା ,ଲୁଚାଛପା ଭାତ , ଡାଲି, ଡାଲମା , ଅଣ୍ଡାରେ ଦୁଇ ବେଳା ଖାଇବା ଆଉ ପିଲାଙ୍କ ପାଠ ପଢ଼ା ଖର୍ଚ୍ଚ ତୁଲୋଉଥିଲା ଏବେ ଦୀର୍ଘ ଦିନ ଧରି ସ୍କୁଲ ବନ୍ଦ ଯୋଗୁଁ ସେହି ସରକାରୀ ରାସନ ଆଉ ସ୍ୱଳ୍ପ ଦରମାରେ ଚଳୁଛନ୍ତି।


ପୃଥ୍ୱୀରାଜର ମଦ , ହାଣ୍ଡିଆ ଆଉ ଜୁଆ ନିଶାରେ ଟ୍ରାକ୍ଟର ଜମି ସବୁ ଗଲା । ମୂଲ ଲାଗି ନିଜ ନିଶାପାଣି ଖର୍ଚ୍ଚ ଉଠୋଉଥିଲା । ସ୍ତ୍ରୀ ଛୁଆ ଦୁଇଟିକୁ ଧରି ବାପଘର ଶରଣ ନେଲା କିଛି ବର୍ଷ ତଳେ ବାରମ୍ବାର ନିର୍ଯ୍ୟାତିତ ହୋଇ । ପୃଥିବୀ ଆହା ତାହା ଘରେ ଖାଏ ,ଏବେ ବୁଢ଼ା ବାପାମାଆଙ୍କ ଉପରେ ନିର୍ଭରଶୀଳ ସ୍ତ୍ରୀ ଭି ଛୋଟ ଛୁଆ ଦୁଇଟିକୁ ଧରି କିଛିଦିନ ତଳେ ବାପଘରୁ ଫେରି ଆସିଛି । ଏବେ ସମସ୍ତେ ଘରେ କେବଳ ବିଶ୍ୱଜିତକୁ ଛାଡ଼ି । ସାମାଜିକ ଦୂରତା ରକ୍ଷା କରିବା ଉଦ୍ଦେଶ୍ୟରେ ଦେବାଶିଷ ଏବେ ନିଜ ଧାର୍ମିକ ଅନୁଷ୍ଠାନକୁ ସକାଳ ସନ୍ଧ୍ୟାରେ ଯାଇ ଧୂପ ଦୀପ ଦେଇ ଫେରି ଆସନ୍ତି ।


ପୁଣି ଥରେ ନିଜ ପୁଅ ,ବୋହୂ ,ନାତି ନାତୁଣୀଙ୍କୁ ବାପାମାଆ ଏକାଠି କରି ବୁଢ଼ା ବରଗଛ ପରି ନିଜ ଛାଇ ତଳେ ଆଶ୍ରୟ ଦେଇ ଚେଷ୍ଟା କରୁଛନ୍ତି ନିଜ ଓହୋଳକୁ ସୁଦୃଢ କରିବା ପାଇଁ । ଦେବାଶିଷ ଆଗ ଭଳି ଆଉ କାହାରିକୁ ସକାଳୁ ଜଳଦି ଉଠାଇ ପ୍ରାର୍ଥନା କରିବାକୁ ବାଧ୍ୟ କରୁନାହାନ୍ତି । ହେଲେ ବଡ଼ ଆଶ୍ଚର୍ଯ୍ୟର କଥା ! ସମସ୍ତେ ଏବେ ତାଙ୍କ ସହ ପ୍ରାର୍ଥନାରେ ଠିକ୍ ସମୟରେ ଆସି ଯୋଗ ଦିଅନ୍ତି । ବଡ଼ ପୁଅର ଖାଇବାର ନିଶା ବହୁତ କମିଯାଇଛି । ସାନ ପୁଅ ଦେଢ଼ ମାସେ ହେବ ନିଶା ପାଣି ଛୁଇଁନି । ପ୍ରତିଦିନ ଭୋରରୁ ଆଉ ସନ୍ଧ୍ୟାରେ ଦେବାଶିଷଙ୍କ ଘରୁ ଶଖ୍ଖଂର ଧ୍ୱନି ଶୁଭେ ତା'ପରେ ଏକା ସ୍ୱରରେ ଗାଇବାର ,

     " ବାରୋ ବାରୋ କରୋ ବିନତୀ


      ରାଧାସ୍ୱାମୀ ଆଗେ


      ଦୟାକରୋ ଦାତା ମେରେ । "



  



Rate this content
Log in