Subal Mohapatra

Inspirational Tragedy

4.0  

Subal Mohapatra

Inspirational Tragedy

ଦାଦନ

ଦାଦନ

16 mins
14.9K


ଦାଦନ

 

 

ସୁବଳ ମହାପାତ୍ର

 

ବାମ ହାତର ଚାରୋଟି ଆଙ୍ଗୁଠି ନଥିବା ବୁରୁ, ତା ଖଣ୍ଡିଆ ହାତରେ ଖବର କାଗଜ ଟିକୁ ଧରି ବସି ଥାଏ I ମୁହଁ ଥମ ଥମ, ଆଖି ଶୁଖିଲା, ନାକରୁ ଗରମ ନିଶ୍ୱାସ ବାହାରୁ ଥାଏ I ଭିତର କୋରି ହେଉ ଯାଉଥାଏ ତାର I ଗୋଡ ହାତ ଛାଟି, କାନ୍ଦିବାକୁ ଇଛା ହେଉ ଥାଏ I ନୁଆଁଳିଆ ଚାଳ ଘରର ବାରଣ୍ଡା ରେ ବସିଥାଏ ସକାଳ ପହରୁ I ଝିଅଟାର ମଲା ମୁହଁ ବି ସେ ଦେଖି ପାରିଲାନି I ଶ୍ରାଦ୍ଧ ଦେବ କ'ଣ I ସ୍ତ୍ରୀ ବିମଳା ଆସି ମୁଣ୍ଡକୁ ଆଉଁସି ଦେଲା I ସ୍ତ୍ରୀ ଆଖିରେ ଆଖିଏ ଲୁହ I ଛାତି ପିଟି ବାହୁନି ବାହୁନି କାନ୍ଦି ଥାନ୍ତା ଆଜି I କିନ୍ତୁ ଭାଗ୍ୟ ଦେଖ, ଝିଅ ପାଇଁ ଲୁଚି ଲୁଚି ଲୁହ ଗଡେଇବା ବ୍ୟତୀତ ଆଉ କିଛି କରି ପାରୁ ନଥିଲେ ସ୍ୱାମୀ ସ୍ତ୍ରୀ ଦି ଟା I ଧିକ ସେ ବାପା, ଧିକ ସେ ମା I ଯିଏ ଝିଅକୁ ଝିଅ କହିବା ଅବସ୍ଥା ରେ ନଥିଲେ I ବୁରୁ ଧିକ୍କାରିଥିଲା ନିଜକୁ ନିଜେ I ବିମଳା, ଘର ଭିତରେ ମୁଣ୍ଡ ବାଡେଇ କାନ୍ଦିଥିଲେ ବି ବାହାରେ ଥିଲା ଚୁପ ଚାପ I ପଡିଶା ଘରକୁ, କିଛି ବି ଜାଣିବାକୁ ଦେଇ ନଥିଲା I ଗୋଟେ ଝିଅ ତ ଗଲା, ପୁଅଟାର କ'ଣ ହେଲା ? ତା' ବି ଜାଣିବାର କୌଣସି ଉପାୟ ନଥିଲା I ଦିହେଁ ଥିଲେ ନାଚାର I ଗାଁକୁ ଫେରିଲା ପର ଠାରୁ ଘର ତାଙ୍କୁ ଖାଇ ଗୋଡାଉ ଥିଲା I ବୁରୁର ମା ସମ୍ପୂଥିଲା ଏ ସ୍ୱାମୀ ସ୍ତ୍ରୀକୁ I ଝିଅ ଗଲା ବୋଲି ଦୁଃଖ ନଥିଲା, କିନ୍ତୁ ପୁଅ କୁ ହଜେଇ ଦେଇ ଥିବାରୁ ସେ ବେଶୀ ଦୁଃଖି ଥିଲା I ବଡ ପୁଅ ଝିଅ ଆଉ ଗାଁ ଲୋକଙ୍କ ପ୍ରଶ୍ନ ବାଣ ରେ ଅତିଷ୍ଠ ହୋଇ ପଡୁଥିଲେ ବି ଧୈର୍ଯ୍ୟ ର ସହ ସବୁର ଉତ୍ତର ଦେଉଥିଲେ I ହେଲେ ବୁରୁ ଆଉ ବିମଳା ଯାହା ହରେଇ ଥିଲେ ତାହା ଆଉ ଫେରିବାର ନଥିଲା I    

ବୁରୁ ଫେରିଯାଉଥିଲା ଅତୀତ କୁ I ଏଇ ଘରେ ଖେଳି ବୁଲି ବଡ ହୋଇଥିଲେ ଦୁଇ ପୁଅ ଆଉ ଦୁଇ ଝିଅ I ଝିଅ ଆଉ ପୁଅ ଜନ୍ମ ହୋଇଥିଲେ ଗୋଟେ ପରେ ଗୋଟେ ଛାଡି I ଦି ସନ ମରୁଡି ପରେ ଅଣ୍ଟା ଭାଙ୍ଗି ଯାଇଥିଲା ବୁରୁ ର I

ବୁରୁ, ବୁରୁନ୍ଦା, ବୃନ୍ଦାବନ ମହାରଣା I ବାପା ମା ନାଁ ଦେଇଥିଲେ ବୃନ୍ଦାବନ I ଗାଁ ରେ ଡାକିଲେ ବୁରୁନ୍ଦା, ସାଙ୍ଗ ମାନେ ଡାକିଲେ ବୁରୁ I ବୁରୁ ଆଜି ତା ଅସଲ ନାଁ ବି ଭୁଲି ଯାଇଥିଲା I ଇସ୍କୁଲ ରେ ଥିବା ଯାଏ ତା'ର ମନେ ଥିଲା ତା ନାଁ ବୃନ୍ଦାବନ I ଇସ୍କୁଲ ଛାଡିଲା ଦିନୁ ସେ ନାଁ ଟା ସେ ଭୁଲି ଯାଇଥିଲା I ଗାଁ ଇସ୍କୁଲ ରୁ ତୃତୀୟ ଫେଲ I ବା'ଆ ଯେତେ କହିଲେ ବି ଇସ୍କୁଲ ଗଲା ନେଇଁ I ବା'ଆ ଥିଲା ବେଳେ କେତେ ଖୁସି ରେ ଥିଲା ସେ I ଜମିବାଡ଼ି ବୋଇଲେ ଘର ଡିହ କୁ ଛାଡି ଦି ମାଣ ଗହିରି ବିଲ I ବର୍ଷା ନହେଲେ ବି ଚାଷ ଭଲ ହୁଏ, ସାଆନ୍ତଙ୍କ ଜମି ଚଷି ବର୍ଷକର ଖାଇବା ଆସି ଯାଏ ତାଙ୍କ ଘରକୁ I ଡୁଲୀ ଗୋଟେ ଥିଲା ବା'ଆ ଅମଳରୁ I ଦିନ ଥିଲା ତା ବା'ଆ ଡୁଲୀ ରେ ଡୁଲୀଏ ଧାନ ରଖୁଥିଲା I ନୂଆ ଚାଉଳ ବା'ଆ ଛୁଏଁନାହିଁ I ଦି ବର୍ଷ ତଳ ଚାଉଳ ର ଭାତ ଖାଇବ I ବିଲ ଦି ମାଣ ରୁ ଦି ଏକର କରିଥିଲା ସେ I ବା'ଆ ଗଲା ପରେ ଲକ୍ଷ୍ଣୀ ଛାଡି ଗଲେ ତା ଘରୁ I ଦି ଏକର ରୁ ପୁଣି ଦି ମାଣ କୁ ଆସିଲା ତା ଜମି I ସାଆନ୍ତଙ୍କ ଜମି ଚଷୁଥିଲା ବୁରୁ I ହେଲେ ଦି ସନ ମରୁଡି ପରେ ଅଣ୍ଟା ଭାଙ୍ଗି ଗଲା I

ଘରେ ସାତ ପ୍ରାଣୀ କୁଟୁମ୍ବ I ଖାଇବାକୁ କିଛି ବି ନଥିଲା ସେଦିନ I ସେମାନେ ସିନା ନଖାଇ ପେଜ ତୋରାଣି ପିଇ ରହିଯିବେ, ଛୁଆ ଗୁଡା କଣ କରିବେ? ଭେଁ ଭାଁ ରଡି ଛାଡୁଥିଲେ I ମା, କ'ଣ ଖାଇବି ବୋଲି ପଚାରୁ ଥିଲେ I ଆଉ ସମ୍ଭାଳି ପାରିଲାନି I ବସିବାଠୁ ଉଠି ଚାଲିଗଲା ବିଜୁ ବାବୁ ପାଖକୁ I ହଁ, ସେ ଯିବ ଦାଦନ ଖଟି I ଏଠି ଓପାସ ଭୋକରେ ମରିଯିବା ଅପେକ୍ଷା ଦାଦନ ଖଟିବା ଭଲ I ଅଗ୍ରିମ ହଜାରେ ଟଙ୍କା ଆଣିଲା ବିଜୁ ବାବୁ ପାଖରୁ I ଘରେ ଚାଉଳ ଧରି ପହଁଚିଲା ବେଳକୁ, ବିମଳା ଆଉ ବୁରୁର ମା ବୁଝି ଯାଇଥିଲେ I ତା' ମା ରଡି ପକେଇ ବାହୁନି ଥିଲା I ବିମଳା କୁ ଦାଦନ ଅପେକ୍ଷା ଛୁଆଙ୍କ ଭୋକ ବଡ ଲାଗିଥିଲା I ହାତରୁ ଚାଉଳ କୁ ଝାମ୍ପି ନେଇ ସେ ଭାତ ବସେଇଲା I ଦି ଦିନ ପରେ ବିଜୁ ବାବୁ ଆସି ଆଉ ଦି ହଜାରେ ହାତରେ ଧରେଇ ଦେଇ ଗଲା I କହି ଦେଇ ଗଲା ପୁର୍ଣିମା କୁ ଛ ଦିନ ଥବ ବାହାରିବା ଏଠୁ I ସଜ ହେଇଥିବୁ I ସେଦିନ ଭାରି ଚିନ୍ତା ରେ ପଡି ଯାଇଥିଲା ବୁରୁ I ପଇସା ଆଣି ତ ଖାଇ ସାରିଛି, ଆଉ ଖସିବାକୁ ବାଟ ନାହିଁ I ଗାଁ ଛାଡି ଯିବାକୁ ଜମାରୁ ଇଛା ନଥିଲା ତା'ର I ଦିନ ସାରା କେମିତି କେମିତି ଲାଗୁଥିଲା ତାକୁ I ରାତିରେ ଶୋଇଲା ବେଳେ ବିମଳା ଆସି ବୁରୁ ର ଛାତି ରେ ମୁଣ୍ଡ ରଖି ଗେଲ୍ହେଇ ହେଲା I କହିଲା ତମ ସହ ମୁଁ ବି ଯିବି I ସିଆଡେ କେତେ ଡାହାଣୀ, ଚିରିଗୁଣୀ ବୁଲୁଛନ୍ତି I ତମକୁ ଯଦି କିଏ କିମିଆ କରେ ତେବେ? ବୁରୁ ବାଁ ହାତ ରେ ଗୋଟେ ଧକ୍କା ମାରି କହିଲା,"ଶଳା ମାଇକିନା I ତମର ତ ଆଉ କିଛି ଚିନ୍ତା ନାହିଁ I ମୂଷାଛୁଆ ପରି ତ ପଲେ ଅଛ, କଣ ଖାଇବ ଚିନ୍ତା ନାହିଁ I ମୁଁ ସେଠି କାହାକୁ ମାଈପ କରିବି ସେଟା ଆଗେ ଚିନ୍ତା" I ବିମଳା ମୁହଁ ମୋଡି ଶୋଇ ପଡିଲା I

ବିମଳା ବି ବୁରୁ ସହ ଯିବାକୁ ବାହାରିଲା I ହେଲେ ମା କୁ ଏଠି ରୋଷେଇ କରି ଖାଇବାକୁ ଦବ କିଏ? ପିଲା ଛୁଆ ଏଠି ରହିବେ କେମିତି I ବଡ ଝିଅ କୁ ୧୫ ଚାଲୁଛି I ତା ତଳେ ବଡ ପୁଅ କୁ ୧୪ I ତା ତଳ କୁ ଝିଅ, ୧୨ ଚାଲିବ ଆର ମାସକୁ I ତା ତଳ ଟା ପୁଅ ୮ ପୁରିଲା ଏବେ I କଥା ହେଲା ସାନ ପୁଅ ଝିଅ ଯିବେ ବୁରୁ ଆଉ ବିମଳା ସହ I ବଡ ରହିବେ ଏଠି ମା ପାଖରେ I ଚାହୁଁ ଚାହୁଁ ଦିନ ଆସିଗଲା I ବିଜୁ ବାବୁ ଦେଇଥିବା କୋଡିଏ ହଜାର ରୁ ମାଆ କୁ ଲୁଚେଇ କି ଦଶ ହଜାର ଦେଲା ବୁରୁ I କହିଲା ରଖିଥା I ଚଳୁଥିବୁ, ଆମେ ଗଲା ପରେ ମୁଁ ମାସକୁ ମାସ ପଇସା ପଠେଇବି I ଆଉ ଦଶ ହଜାର ରେ ବାକି କରଜ ଶୁଝିଲା ସବୁ I ପୁଅକୁ ଆଉ ଝିଅ କୁ କହି ଦେଇ ଗଲା, ବଡ ହେଲଣି I ଚାଷ ବାସ ଦେଖ ଏବେ I ବର୍ଷ ଦିଟା ରେ ସବୁ ସୁଝିଯିବ I ମୁଁ ଆସିଲେ ପୁଣି ଚାଷ ବାସ କରିବା I

ବୁରୁ, ବିମଳା, ଝିଅ ଚଣ୍ଡୀ ଆଉ ପୁଅ ପପୁ ସକାଳୁ ସକାଳୁ ରେଡି ହୋଇ ବସିଥାନ୍ତି I ବିଜୁ ବାବୁ ଟ୍ରାକ୍ଟର ଧରି ପହଁଚିଲା I ସମସ୍ତେ ବସି ପଡିଲେ ଗାଡ଼ିରେ I ତା ପରି ଆହୁରି ୧୫ ଜଣ ଥାନ୍ତି ଆର ଗାଁ ରୁ I ସମସ୍ତେ ସମସ୍ତଙ୍କ ମୁହଁ ଚାହଁ ଚୁହିଁ ହେଲେ I ହେଲେ ବେନିଜନେ ସମଦସା I କହିବେ କାହାକୁ, କରିବେ କଣ I ଟ୍ରାକ୍ଟର ଚାଲିଲା I ଗାଁ ଛାଡି ସେମାନେ ପହଁଚିଲେ ଷ୍ଟେସନ ରେ I ଏଠୁ ଯିବେ ଆନ୍ଧ୍ର I ସେଠୁ ଇଟା ଫ୍ୟାକ୍ଟ୍ରି I 

ଇଟା ଫ୍ୟାକ୍ଟ୍ରି ରେ ପହଁଚିଲା ପରେ ସେମାନଙ୍କୁ କାମ ବତେଇ ଦିଆଗଲା I ବିମଳା ର କାମ ହେଲା ମାଟି ଚକଟିବା, ବୁରୁ ଇଟା ଗଢ଼ିବ, ଚଣ୍ଡୀ ଆଉ ପପୁ ର କାମ ହେଲା ଇଟା ସଜେଇବା I ସମସ୍ତେ ମନ ଧ୍ୟାନ ଦେଇ କାମରେ ଲାଗି ଗଲେ I ମାସ ପୁରିଲା, ହେଲେ ଦରମା କାଇଁ ? ଦି ମାସ ଗଲା I ଇଟାଭାଟି ମାଲିକ ଆସି ଖାଇବା ପାଇଁ ପଇସା ଦେଇ ଯାଏ I ହେଲେ ଦରମା ନାହିଁ I ମୁଲିଆ ମାନେ ପଚାରିବାରୁ କହିଲା, "ମୋ ପାଖେ ଜମା ଥାଉ, ଘରକୁ ଗଲା ବେଳେ ନେଇ କି ଯିବ" I ଏବେ ପାଖରେ ରଖିଲେ ଚୋରି ହେଇ ଯିବ I ବୁଝି ଗଲେ ସମସ୍ତେ I ପ୍ରଥମେ ପ୍ରଥମେ ଗାଁ କଥା ଭାରି ମନେ ପଡୁଥିଲା, ହେଲେ ମନକୁ ବୁଝେଇ ରହିଯାନ୍ତି I

ଛଅ ମାସ ଗଲା I ବୁରୁ ର ଚିନ୍ତା ପଶିଲା I ଦଶ ହଜାର ଦେଇ କି ଆସିଥିଲା ମା କୁ I ତିନିପ୍ରାଣୀ ଅଛନ୍ତି ଗାଁ ରେ I ପଇସା ସରି ଯିବଣି I ଅଶିଣରୁ ଆସିଲେଣି ସେମାନେ, ଚଇତ ହେଲା ଆସିକି I ମାଲିକ ଆସିବାରୁ ତାକୁ ପଇସା ମାଗିଲା ବୁରୁ I ଗାଁ କୁ ପଠେଇବ I କଥା ଅନୁସାରେ ତା'ର ମାସକୁ ପନ୍ଦର ହଜାର, ବିମଳାର ଦଶ, ଚଣ୍ଡୀ ଆଉ ପପୁ ର ମିଶେଇ କି ଆଠ I ମାସକୁ ଏତେ ପଇସା ହେଲେ ଛ ମାସକୁ ବହୁତ ହେଇ ଯିବଣି I ସେ ହିସାବ ପାଉ ନଥିଲା, କିନ୍ତୁ ବହୁତ ତ ହବଣି I ଭାବିଲା ମାଲିକ ର ପଇସା ସୁଝି ଦେଇ ଗାଁ କୁ ପଳେଇବ I ସେ ଏକା ଆସିବାର ଥିଲା ବୋଲି ସିନା ଦି ବରଷ ହିସାବ କରିଥିଲା I କିନ୍ତୁ ଆସିଲେ ତ ଚାରିଜଣ I ପଇସା ସବୁ ସୁଝି ଯିବଣି I ବାକି ଯାହା ବଳିଲା ନେଇ ଯିବ ଭାରି ଗାଁ କୁ I ଏଠି ପଇସା ସିନା ମିଳିବ ହେଲେ ଗାଁ ଯାହା ହେଲେ ଗାଁ I କେତେ ପୁନିଅଁ, ପରବ, ପିଠା ପଣା I ଏଠି ସେ ସବୁ କିଛି ନାହିଁ I ଓଡ଼ିଆ ଚାରି ଘର I ବାକି ସବୁ ବିହାରୀ, ନହେଲେ ତେଲେଙ୍ଗା I ସେମାନେ କଣ ଜାଣିବେ ଆମ ଗାଁ ର ପୁନିଅଁ ପରବ କୁ? ଓଡ଼ିଆ ବି ଯେଉଁ ମାନେ ଅଛନ୍ତି ସବୁ ଅଲଗା ଜାଗାରୁ I ଗାଁ ପାଖ ଲୋକ ଯେଉଁ ମାନେ ଆସିଥିଲେ ସେମାନେ କୁଆଡେ ଗଲେ ବୁରୁ ଜାଣିନି I ଏଠି ସବୁ ଅଲଗା ଅଲଗା I କେହି କାହା ସହ ମିଶି ପାରନ୍ତିନି I କଥା ହେଲେ ମାଲିକର ଗାରଡ଼ (ଗାର୍ଡ) କଳି ଲାଗେ I ଚାପୁଡ଼େ ବିଧେ ପକାଏ I  

ବୁରୁ କଥା ହେବା ପାଇଁ ମାଲିକ ପାଖକୁ ଗଲା I କାମ ଛାଡି ଦେଇ ଯିବ ବୋଲି ଶୁଣି ମାଲିକ ରାଗିଗଲା I ପଇସା ତ ଦେଲାନି ଦେଲାନି , ହେଲେ ସେଇ ଦିନଠୁ ଏମାନଙ୍କ ଉପରେ ଅତ୍ୟାଚାର ଚାଲୁ ହୋଇଗଲା ମାଲିକ ଆଉ ଗାର୍ଡ ମାନଙ୍କର I ବୁରୁ ଆଉ ତା ପରିବାର କୁ ଅଲଗା ଜାଗାକୁ ପଠେଇ ଦିଆଗଲା I ଜଙ୍ଗଲ ଭିତରେ ସେମାନେ ବାରଟା ପରିବାର I ୟାକୁ ଛାଡି ବାକି ସବୁ ତେଲେଙ୍ଗା I କାହା କଥା ବୁଝିବାକୁ କି କାହାକୁ କିଛି କହିବାକୁ ନାହିଁ I ୟା ଭାଷା କେହି ବୁଝୁ ନଥାନ୍ତି I ଖାଇବା ସମସ୍ତଙ୍କର ଏକାଠି ରୋଷେଇ ହୁଏ I ବଗଡ଼ା ଭାତକୁ ରସମ ଆଉ ଲେମ୍ବୁ ଆଚାର ରୁ ଖଣ୍ଡେ ଖଣ୍ଡେ I ନାଁ ରସମ, ହେଲେ ତୁଚ୍ଛା କଇଁଆଁ (ତେନ୍ତୁଳି) ପାଣି I ଭାଷା ତ ଯେମିତି ଅମୁଲ ଟିଣ ଡବା ଭିତରେ ମେଞ୍ଚେ ଗୋଡି ପୁରେଇ କିଏ ହଲାଉଛି I କାଆଡୁ କାଆଡୁ I ପୁରୁଣା ଗାର୍ଡ ହେଲେ ଟିକେ ଭଲ ଥିଲେ, ଏମାନେ ସବୁ ରାକ୍ଷସ ଗୁଡା I ଦିନ ଯାକ ଗଞ୍ଜେଇ ଟାଣି ବୁଲୁଥିବେ, ରାତି ହେଲେ ତାଡି ନହେଲେ ମହୁଲି I  

ସେଦିନ ଥିଲା ବୁରୁ ର ପରିବାର ପାଇଁ କାଳ ରାତ୍ରି I ଯେଉଁଦିନ ଚାରିଟା ଗାର୍ଡ, ଗୋଟେ ତେର ବର୍ଷ ର ଝିଅ କୁ ଜଣ ଜଣ କରି ରାତି ସାରା ଗଣ ଦୁଷ୍କର୍ମ କଲେ I ରାତିରେ ଚଣ୍ଡୀ ବାହାରକୁ ପରିସ୍ରା କରିବାକୁ ଯାଇଥିଲା I ଗାର୍ଡ ମାନେ ସବୁ ମଦ ପିଇ ନିଶାରେ ଟୁଲ ଥାଆନ୍ତି I ବାଡ଼ି ପଟୁ ଝିଅ ଟାକୁ ଟେକି ନେଲେ, ସକାଳୁ ଆଣି ଘର ଭିତରେ ଫିଙ୍ଗି ଦେଇ ଗଲେ I ବିମଳା କାନ୍ଦି କାଟି ଅଥୟ I ବୁରୁ ଆଖିରୁ ଧାର ଧାର ଲୁହ ବୋହୁଥାଏ I ଝିଅଟା ରକ୍ତ ଜୁଡୁବୁଡୁ ହୋଇ ପଡିଥାଏ I କାହାକୁ କିଛି କହିବାର ନଥିଲା ନା କିଛି କରିବାର ଥିଲା I କାନ ମୁଣ୍ଡ ଆଉଁସି ନିଜ ଭାଗ୍ୟ କୁ ନିନ୍ଦିବା ବ୍ୟତୀତ ଆଉ କିଛି ଚାରା ନଥିଲା I ସେମାନଙ୍କୁ ବାହାରକୁ କୁଆଡେ ଯିବାକୁ ଦିଆ ଯାଉ ନଥିଲା I ବିମଳା ଝିଅଟାକୁ ଗାଧୋଇ ଦେଲା I ଖାଇବାକୁ ଗଣ୍ଡେ ଦେଇ ସପ ଉପରେ ଛିଡା ଲୁଗା ଖଣ୍ଡେ ପକେଇ ଶୁଆଇ ଦେଲା I ସନ୍ଧ୍ୟା ରେ ଗୋଟେ ଗାର୍ଡ ଆସି ଔଷଧ ମେଞ୍ଚେ ଦେଇ ଠାରରେ କହିଲା ଖାଇବାକୁ ଦେଇ ଦବୁ, ଭଲ ହେଇ ଯିବ I ବୁରୁ ଭାବି ପାରୁନଥିଲା ଆଗକୁ କ'ଣ ହବ I ମରି ଯାଇଥିଲେ ଭଲ ହେଇଥାନ୍ତା ଏ ସବୁ ଦେଖିବା ପୂର୍ବରୁ I ଛୁଆଟା ଉପରେ ଯେ ଏମାନେ ଏତେ ନିଷ୍ଠୁର ହୋଇ ପାରିବେ, କଳ୍ପନା ବାହାରେ ଥିଲା I କିଛି କରିବାର ଚାରା ନଥିଲା I କିଛି ଦିନ ପରେ ଚଣ୍ଡୀ ଥରେ ଆତ୍ମହତ୍ୟା କରିବାକୁ ପାଖରେ ଥିବା ରେଳ ଲାଇନ କୁ ଯାଇଥିଲା I ଗୋଟେ ଗାର୍ଡ ଦେଖି, ତାକୁ ଟେକି ଟେକି ନେଇ ଆସିଲା ଆଉ ଧମକ ଦେଲା କି, ଆଉ ଥରେ କଲେ, ସେ ବୁରୁ, ବିମଳା ଆଉ ପପୁ କୁ ବି ମାରି ଦବ I

ତେଲେଙ୍ଗା ଲୋକ ସବୁ ତାଙ୍କ ତାଙ୍କ ଭିତରେ କଥା ହେଲେ ବି, ସମସ୍ତଙ୍କ ଅବସ୍ଥା ଏକା ପ୍ରକାର ଥିଲା I ନାଁ ସେମାନେ ବାହାରକୁ ଯାଇ ପାରୁଥିଲେ, ନାଁ କାହା ସହ ମିଶି ପାରୁଥିଲେ I ପଇସା ମାଗିଲେ ପଡୁଥିଲା ଗୋଇଠା I ମିଣିପ, ମାଈପ, ଛୁଆ ପିଲା, ସେମାନେ କିଛି ବି ଦେଖୁ ନଥିଲେ I ରୁଲ ବାଡ଼ିରେ କଷି ଦେଇ ଯାଉଥିଲେ I ଆଖି, ନାକ, କାନ, ପିଠି, ଜାଗା ଅଜାଗା ଯେଉଁଠି ବାଜୁ I ଦିନ ଯାକର ପରିଶ୍ରମ ପରେ ମଜୁରୀ ମିଳୁଥିଲା ବିଧା ଗୋଇଠା I

 ଚଣ୍ଡୀ ସହ ଦୁଷ୍କର୍ମ ପରେ ସାହସ ବଢି ଯାଇଥିଲା ସେମାନଙ୍କର I ନିଇତି କାହାର ନାଁ କାହାର ଝିଅ କିମ୍ବା ସ୍ତ୍ରୀ କୁ ଉଠେଇ କି ନେଉଥିଲେ ସେମାନେ ଆଉ ସକାଳୁ ଆଣି ଘର ଆଗରେ ଫିଙ୍ଗି ଦେଇ ଯାଉଥିଲେ I ବୁରୁ କିନ୍ତୁ ସହି ପାରୁ ନଥିଲା I କେଉଁ ବାପା ସହିବ ଯେ I ମନ ଭିତରେ ଯେତେକ ରାଗ ସବୁ ସାଇତି ରଖୁଥିଲା, ଆଉ ଦିନେ ଏସବୁର ବଦଲା ନେବ ଏହା ବି ଠିକ କରି ସାରିଥିଲା I ପ୍ରଥମେ ପ୍ରଥମେ ସକାଳୁ ଯାହା ଘରୁ କାନ୍ଦ ଶୁଭେ, ସମସ୍ତେ ଜାଣନ୍ତି ଯେ ରାତିରେ ତାଙ୍କ ଘରୁ କାହାକୁ ନେଇ କି ଯାଇଥିଲେ I ବିମଳା ପରି ଦରବୁଢ଼ୀ ବି ବାଦ ପଡିଲେ ନି ସେ ରାକ୍ଷସ ମାନଙ୍କ କବଳରୁ I

ସେଦିନ ବିମଳା କୁ ଉଠେଇ ନେଲା ବେଳେ ସହି ପରି ନଥିଲା ବୁରୁ I ଆଗରୁ ଲୁଚେଇ ରଖିଥିବା ଟାଙ୍ଗିଆଟା ଆଣି ଗାର୍ଡ କୁ ଚୋଟେ ପକେଇଲା I କିନ୍ତୁ ସେ ଘୁଞ୍ଚି ଯିବାରୁ ଚୋଟ ବାଜିଲା ତା ବୁଟ ରେ I ଗଛ ହଣା ହାତ ର ଜୋର ଏତେ ଥିଲା ଯେ ତା ପାଦର ତିନିଟା ଆଙ୍ଗୁଠି ପାଦରୁ ଅଲଗା ହୋଇ ଯାଇଥିଲା I ପିଚ ପିଚ ରକ୍ତ ବାହାରି ବୁରୁ ର ଘର ସାରା ଲାଲ ହୋଇ ଯାଇଥିଲା I ପରେ ଅବଶ୍ୟ ବୁରୁ କୁ ହିସାବ ତୁଟେଇବାକୁ ପଡିଥିଲା I ସେମାନେ ଦଶ ବାର ଜଣ ଆସି ବୁରୁ କୁ ଉଠେଇ ନେଲେ ଆଉ ଅକଥନୀୟ ଯନ୍ତ୍ରଣା ସହି ସେ ଫେରିଥିଲା ୨ ଦିନ ପରେ I ସେତେ ବେଳକୁ ତା ବାମ ହାତ ର ଚାରୋଟି ଆଙ୍ଗୁଠି ତା ହାତ ରୁ ଅଲଗା ହୋଇ ସାରିଥିଲେ I ନିତି ନିତି ଏପରି ଘଟଣା ପରେ ଦିହସୁହା ହେଇ ଗଲା ସମସ୍ତଙ୍କର I ଆଉ କାନ୍ଦ ଶୁଭେନି କାହା ଘରୁ I ସବୁଦିନ ରାତିରେ ଝିଅ ଆଉ ସ୍ତ୍ରୀଲୋକ ମାନେ, ମନେ ମନେ ପ୍ରମାଦ ଗଣନ୍ତି I କେଉଁଦିନ କାହାକୁ ନେବେ ଜଣା ନାହିଁ I କିନ୍ତୁ କିଛି କରିବାର ନଥାଏ I

ଦିନ ଆଉ ରାତି ର ହିସାବ ନଥାଏ I କେତେ ମାସ ହେଲା ସେ ଆସିଲାଣି I ଏବେ କେଉଁ ମାସ ଚାଲିଛି I ଆଜିର ତାରିଖ କେତେ I କିଛି ଦରକାର ନଥାଏ କାହାର I ଜାଣି ବା ଲାଭ କ’ଣ? ଆଗ କାଳେ, କୁଆଡେ କ୍ରୀତଦାସ ଥିଲେ ବୋଲି ବୁରୁ ଶୁଣି ଥିଲା I ଏମାନେ ବି ଗୋଟେ ଗୋଟେ କ୍ରୀତଦାସ ପାଲଟି ଯାଇଥିଲେ I ଜିଅନ୍ତା ଭୁତ କହିଲେ ଠିକ ହେବ I ନାଁ ହସ ଥିଲା ମୁହଁ ରେ, ନାଁ କାନ୍ଦି ପାରୁଥିଲେ I ଆଖିରୁ ପାଣି ଶୁଖି ଯାଇଥିଲା I ଦେହରେ ରକ୍ତ ନଥିଲା I ପେଟକୁ ଗଣ୍ଡେ ଖାଉଥିଲେ ବୋଲି ଲାଗୁଥିଲା ସେମାନେ ମଣିଷ I

ସେମାନଙ୍କ ଅତ୍ୟାଚାର ର ସୀମା ନଥାଏ I କେବେକେବେ ପୋଲିସ ମାନେ ବି ଆସନ୍ତି I ସେଦିନ ଚଣ୍ଡୀ ଆଉ ଚଣ୍ଡୀ ପରି ଛୋଟ ଝିଅ ମାନଙ୍କୁ ସେମାନେ ରାତି ରେ ନିଅନ୍ତିI ଏମାନଙ୍କୁ ଆଗୁଆ କହିଦେଇଥାନ୍ତି ଛଅ ଟା ଶୁଦ୍ଧା ରେଡି ହେବାକୁ I ଯେଉଁଠି ପୋଲିସ ମାନେ ବି ଏମାନଙ୍କ ସହ ହାତ ମିଶେଇଛନ୍ତି ସେଠି କାହାର ବା ପାଟି ଫିଟେଇବାକୁ ଯୁ ଅଛି I ଆସ୍ତେ ଆସ୍ତେ ଚଣ୍ଡୀ ସେମାନଙ୍କ ଭାଷା ଶିଖି ଯାଇଥିଲା I ବୁଝି ପାରୁଥିଲା ଆଉ କିଛି କିଛି କହି ପାରୁଥିଲା I ଚଣ୍ଡୀ ପୂର୍ବରୁ ସମସ୍ତଙ୍କୁ କହି ରଖି ଥାଏ, କାହାକୁ କିଛି ନଜଣେଇ, ଗାର୍ଡ ମାନେ ମଦ ପିଇବାରେ ବ୍ୟସ୍ତ ଥିଲା ବେଳେ ଲୁଚି ଲୁଚି ପଳେଇ ଯିବା ପାଇଁ I ପ୍ରତି ବୁଧବାର ସନ୍ଧ୍ୟା ୭.୩୦ ରେ ଗୋଟେ ଟ୍ରେନ ଯାଏ, ସେ ଟ୍ରେନ କୁ ନାଲି କନା ଦେଖେଇଲେ ସେ ରହି ଯିବ I ଜିନିଷ ପତ୍ର କିଛି ନନେଇ, ପିନ୍ଧା ଲୁଗା ଆଉ ପଇସା ପତ୍ର ନେଇ ଚାଲିଯିବ I ମୋ ପାଇଁ ଚିନ୍ତା କରିବନି I ମୁଁ ପରେ ଆସିବି I

ସେଦିନ ବି ସେମାନେ ଆସିଥିଲେ ଚଣ୍ଡୀ କୁ ନେବା ପାଇଁ I ବୁଧବାର ଥିଲା I ସନ୍ଧ୍ୟା ଛଅ ଟା ପୂର୍ବରୁ ଚଣ୍ଡୀ ବୁଲି ବୁଲି ସମସ୍ତଙ୍କୁ କହି ସାରିଥିଲା I ଗାର୍ଡ ମାନେ ଯେମିତି ନ ଜାଣିବେ ସେଥି ପାଇଁ ସମସ୍ତେ ସତର୍କ ଥିଲେ I ନିଜ ନିଜ କାମ କରୁଥିଲେ ବି ଭିତରେ ଭିତରେ ସାହସ ସଂଚୟ କରି ସାରିଥିଲେ I କିନ୍ତୁ ଆଉ ଗୋଟେ ଦୁର୍ଭାଗ୍ୟ ଅପେକ୍ଷା କରିଥିଲା ବୁରୁ କୁ I ସେମାନେ ଆସିଲା ବେଳକୁ ପପୁ, ଚଣ୍ଡୀ ର ଡ୍ରେସ ପିନ୍ଧି ଖେଳୁ ଥାଏ I ସେମାନେ ଚଣ୍ଡୀ ସହ ପପୁ କୁ ବି ନେଇ ଯିବାକୁ ବସିଲେ I ବୁରୁ ର ମୁଣ୍ଡ କିଛି କାମ କରୁ ନଥିଲା I ଚଣ୍ଡୀ ତାଙ୍କ ଗାଡ଼ିରେ ବସି ସାରିଥାଏ, ପପୁକୁ ଛାଡି ଦେବାକୁ ନେହୁରା ହୋଇ କହୁଥାଏ I କିନ୍ତୁ ସେମାନେ ଛାଡିବାକୁ ନାରାଜ I ଚଣ୍ଡୀ କଣ ଭାବିଲା କେଜାଣି, ଗାଡ଼ିରୁ ଓ଼ଲ୍ଳେହି ଆସି ବିମଳା ହାତରୁ ପରିବା କଟା ଛୁରୀ ଟା ନେଇ ତା ପେଣ୍ଟ ପକେଟ ରେ ଲୁଚେଇ ଦେଲା ଆଉ ଠାର ରେ କହି ଦେଇ ଗଲା ତମେ ଚାଲି ଯିବ I ମୁଁ ପପୁ କୁ ନେଇ କି ଆସିବି I ସେମାନେ ଚଣ୍ଡୀ ସହ ପପୁ କୁ ବି ନେଇ ଗଲେ I

ଗାର୍ଡ ମାନେ ସବୁ ମଦ ପିଇବାରେ ମସଗୁଲ ଥିଲା ବେଳେ, ଲୁଚି ଲୁଚି ସମସ୍ତେ ଟ୍ରେନ ଲାଇନ ପାଖକୁ ପଳେଇ ଆସିଲେ I ସେପଟୁ ଟ୍ରେନ ଆସୁଥାଏ I ତେଲେଙ୍ଗା ଲୋକ ଟେ ତା ନାଲି ସାର୍ଟ କୁ ଦେଖେଇବାରୁ ଟ୍ରେନ ରହିଲା I ସମସ୍ତେ ସେଥିରେ ବସି ପଳେଇ ଆସିଲେ I ହେଲେ ବୁରୁ ଆଉ ବିମଳା ତାଙ୍କ କଲିଜା ଦି ଟା କୁ ଛାଡି ଆସିଥିଲେ I ଆସିବାକୁ ଇଛା ନଥିଲେ ବି ଚଣ୍ଡୀ ର ତ୍ୟାଗ ଆଉ ଏ ନର୍କ ରୁ ସମସ୍ତଙ୍କୁ ରକ୍ଷା କରିବାର ପ୍ରତିଶୃତି, ସେମାନଙ୍କୁ ଆସିବାକୁ ବାଧ୍ୟ କଲା I ଟ୍ରେନ ଛାଡି ସାରିବା ପରେ, ତେଲେଙ୍ଗା ଲୋକ ମାନେ ଭଗବାନ ଙ୍କୁ ମୁଣ୍ଡିଆ ମାରିବା ପରି ବୁରୁ ଆଉ ବିମଳା ର ପାଦ ତଳେ ପଡି ଗଲେ I ଚଣ୍ଡୀ ର ତ୍ୟାଗ ପାଇଁ ଆଖିରେ ଲୁହ ଆଉ ବୁକୁ ରେ କୋହ ଧରି ତାଙ୍କ ଭାଷାରେ କଣ କଣ ସବୁ କହି ଯାଉଥାନ୍ତି ଆଉ ବାରମ୍ବାର ବୁରୁ ଆଉ ବିମଳା ର ହାତ, ଓଠ, ଗୋଡ ଧରି ମୁଣ୍ଡିଆ ମାରୁଥାନ୍ତି I ପୁଅ ଝିଅଙ୍କୁ ହରେଇ ଥିଲେ ବି ବୁରୁ ଆଉ ବିମଳାଙ୍କ ଛାତି ଫୁଲି ଉଠୁ ଥାଏ I ଭଗବାନ ଙ୍କୁ ଧନ୍ୟବାଦ ଦେଉଥାନ୍ତି ଆଉ ନିଜ ଝିଅ ବୋଲି ଗର୍ବ କରୁ ଥାନ୍ତି I ହାଇଦ୍ରାବାଦ ଷ୍ଟେସନ ରେ ପହଞ୍ଚି ସମସ୍ତେ ଅଲଗା ଅଲଗା ନିଜ ନିଜ ଗାଁ କୁ ଯିବା ପାଇଁ ପ୍ରସ୍ତୁତ ହେଲେ I ତାଙ୍କ ଭାଷା ରେ କଣ କଣ କହି କୁଣ୍ଢା କୁଣ୍ଢି ହୋଇ ବୁରୁ ଆଉ ବିମଳାଙ୍କ ପାଖରୁ ବିଦାୟ ନେଲେ I ସମସ୍ତେ ବୁଝି ପାରୁଥିଲେ ମୁକ୍ତି ରେ କେତେ ଆନନ୍ଦ ଥାଏ I ଚଢେଇକୁ ପଞ୍ଜୁରୀ ରୁ ଛାଡି ଦେଲେ, ତାକୁ ଯେତିକି ଆନନ୍ଦ ଲାଗେ ଆଜି ତାଠୁ କାହିଁ କେତେ ଗୁଣ ରେ ଆନନ୍ଦ ଥିଲା ଏମାନଙ୍କ ମୁହଁରେ I

ଏବେ ସମସ୍ତେ ଚାଲି ଗଲା ପରେ ବୁରୁ ଆଉ ବିମଳାଙ୍କ ମୁଣ୍ଡରେ ଚିନ୍ତା ପଶିଲା I ପୁଅ ଝିଅଙ୍କୁ ନ ନେଇ ଗାଁ କୁ ଯିବେ କେମିତି I କଣ କହିବେ ଗାଁ ରେ I କ'ଣ ଜବାବ ଦେବେ ମା କୁ ଆଉ ପୁଅ ଝିଅ ଦିଟା ଙ୍କୁ I ନାଁ କହି ପାରିବେ ଝିଅ ଆଉ ବିମଳା ପ୍ରତି ଏ ଅତ୍ୟାଚାର, ନାଁ କହି ପାରିବେ ସେମାନଙ୍କ କଷ୍ଟ I ଗାଁ ରେ ଲୋକ ଯେମିତି କଥା କୁ ନଥା କରି ଛିଗୁଲେଇବେ, ଉଘେଇବେ I କଳି ତକରାଳ ହେଲେ ସାତ ପୁରୁଷ ର ଶ୍ରାଦ୍ଧ ଦେବେ I ଏତେ ସମୟ ଧରି ଚୁପ ଥିବା ବୁରୁ କିନ୍ତୁ ଆଉ ସମ୍ଭାଳି ପାରି ନଥିଲା I କାନ୍ଦିଥିଲା ମୁଣ୍ଡପିଟି, ଗଲା ଫଟାଇ I ଏତେ କଷ୍ଟ ସହିବା ପରେ ବି କେବେ ତା ଆଖି ରୁ ଲୁହ ବାହାରି ନଥିଲା I ରାଗ ରେ ସେ ସବୁ ଲୁହ ପିଇ ଯାଉଥିଲା I ରାଗ ଥିଲା ଚଣ୍ଡୀ ସହିଥିବା ଅତ୍ୟାଚାର ପାଇଁ , ରାଗ ଥିଲା ବିମଳା ର ଇଜ୍ଜତ ପାଇଁ , ରାଗ ଥିଲା ତା ବାମ ହାତର ଚାରିଟା ଆଙ୍ଗୁଠି ପାଇଁ ଆଉ ରାଗ ଥିଲା ମଜୁରୀ ପାଇଁ I କିନ୍ତୁ ଏବେ? ନାଁ ସେ ଆଉ କାହା ଉପରେ ରାଗ ଶୁଝେଇ ପାରିବ ନାଁ ଫେରିପାଇବ ଏସବୁ I ଯାହା ତ ଯାଇଥିଲା ଯାଇଥିଲା, ପୁଅ ଝିଅ ଦି ଟା ବଞ୍ଚିଥିଲେ ଯେ ଏବେ ସେମାନେ ବି ଗଲେ I ସେ ରାକ୍ଷସ ଗୁଡା ଆଉ କଣ ରଖିବେ ଚଣ୍ଡୀ ଆଉ ପପୁ କୁ? ଯେତେ ବେଳେ ଜାଣିବେ ଯେ ସବୁ ପରିବାର ଲୁଛି କି ପଳେଇ ଯାଇଛନ୍ତି I ନିଶ୍ଚୟ ମାରିଦେବେ I ବାପା ଆଉ ମା ର ଦେହ ସହୁ ନଥିଲା I କିନ୍ତୁ ଆଉ କିଛି ବି ଚାରା ନଥିଲା କାହା ପାଖରେବହୁତ ସମୟ ପରେ ଦିହେଁ ନିଶ୍ଚୟ କଲେ ଯେ ଗାଁ ରେ କହିବେ, ଝିଅ ଆଉ ପୁଅ ଦୁହେଁ ଟ୍ରେନ ରେ ଗଲା ବେଳେ ହଜି ଯାଇଛନ୍ତି I ବହୁତ ଖୋଜିଲେ ବି ମିଳିଳେନି Iସେମାନେ ଆଉ ବଞ୍ଚିଥିବାର ଆଶା ନଥିଲେ ବି କେଉଁ ବାପା,ମା ଅବା ନିଜ ପୁଅ ଝିଅର ମଲା କଥା ପାଟିରେ ଧରି ପାରିବେ I ସେମାନେ ଟ୍ରେନ ରେ ଏବେ ଗାଁ ରେ ଆସି ପହଞ୍ଚିଲେ ଆଉ ଲୋକଙ୍କ ପ୍ରଶ୍ନ ରେ ଅତିଷ୍ଠ ହୋଇ ଯାଇ ଥିଲେ I ସେପଟେ ମା ଟା ବି ସମ୍ପୁଛି କାଲିଠୁ I ଚଣ୍ଡୀ ନହେଲେ ଚଳିବ କିନ୍ତୁ ପପୁ ଦରକାର ତାକୁ I ପୁଅ ଦରକାର I କଥାରେ ଅଛି ପରା ଯେତେ ଭାଇ ସେତେ ଘର I କିନ୍ତୁ ଚଣ୍ଡୀ ଝିଅ ଟେ ହୋଇ ଯାହା କରିଛି କେଉଁ ପୁଅ ବି କରି ପାରିବନି I ବାରଟା ପରିବାରକୁ ସାହସ ଦେଇ ସେ ରାକ୍ଷସ ମାନଙ୍କ କବଳରୁ ମୁକ୍ତି କରିବା କଣ କମ କଥାଖବର କାଗଜ ଟା ତା’ ହାତ ରେ ମୋଡି ହେଇ ଯାଇଥିଲା I ସେ ଆଉ ଥରେ ଖବର କାଗଜ ଟିକୁ ଦେଖିଲା I ଚଣ୍ଡୀର ଦେହଟା ଦି ଖଣ୍ଡ ହୋଇ ଟ୍ରେନ ଲାଇନ ରେ ପଡିଥିଲା I ମୁହଁ ଆଉ ଦେହରେ ରକ୍ତ ର ଛିଟା ଗୁଡା ଶୁଖି କଳା ହୋଇ ଯାଇଥିଲେ ବି ନିଜ ଝିଅ କୁ ସେ ଠିକ ଚିନ୍ହି ପାରୁଥିଲା I ସକାଳୁ ସକାଳୁ ଛକ ପାଖ ବରା ଦୋକାନ ରେ କାଲିର ପେପରଟା ପଡିଥିଲା I ବୁରୁ ଖବର କାଗଜରେ ଫୋଟୋ ଦେଖୁ ଦେଖୁ ଚଣ୍ଡୀ କୁ ଚିହ୍ନି ସାରିଥିଲା I ସ୍କୁଲ ପିଲାଟିଏକୁ କହି ପେପର ପଢେଇଲା ସେ I ପେପର ରେ ଲେଖା ହୋଇଥିବା ଗୋଟେ ଗୋଟେ ଶବ୍ଦ ତା କାନ ପାଖରେ ଗୁଣୁ ଗୁଣେଇ ହେଉ ଥିଲେ "ଜଙ୍ଗଲ ମଝିରେ ନାବାଳିକାର ଆତ୍ମହତ୍ୟା, ବିଶାଖାପାଟଣା ଠାରୁ ୪୦ କିଲୋମିଟର ଦୂରରେ ଥିବା ଏକ ଜଙ୍ଗଲ ରେ ୧୪-୧୫ ବର୍ଷ ର ନାବାଳିକା ଆତ୍ମହତ୍ୟା କରିଛି I ତା ପରିଚୟ ମିଳି ପାରି ନାହିଁ I ବେଶଭୁଷା ରୁ ଓଡିଶା ର ଝିଅ ବୋଲି ଜଣା ପଡୁଛି"..... ଆଉ କିଛି ଶୁଭି ନଥିଲା ବୁରୁକୁ I ଚଣ୍ଡୀର ମଲା ଖବର ତ ପାଇଗଲା I ହେଲେ ପପୁ? କେତେ କଷ୍ଟ ଦେଇ ମାରି ନଥିବେ ଦି ଭାଇ ଭଉଣୀଙ୍କୁ I ପେପରରେ ଚଣ୍ଡୀ ର ଫୋଟଟିକୁ ଆଉଁସି ଦେଇ ଗାମୁଛା ରେ ଆଖି ପୋଛିଲା ସେ I ତା ଜାଲୁ ଜାଲୁଆ ଆଖିରେ ପପୁର ମୁହଁ ଦିଶି ଯାଉଥିଲା I ପପୁ ହସି ହସି ବା'ଆ ବା'ଆ କହି ଗାଁ ମୁଣ୍ଡ ରୁ ଦୌଡ଼ି ଦୌଡ଼ି ଆସୁଥିଲା I ବୁରୁ ଆଖି ବନ୍ଦ କରି ତା ଦି ଛୁଆଙ୍କ ଆତ୍ମା କୁ ପ୍ରଣାମ ଜଣେଇଲାଆଖି ଖୋଲିବା ପୂର୍ବରୁ ପପୁର ଡାକ ତା କାନ ରେ ପଡିଲା ଆଉ ପପୁ ଆସି ବୁରୁର ବେକ ରେ ଓହଳେଇ ହେଇ ପଡି ଗେଲ୍ହେଇ ହେଲା I ବୁରୁ ଭାବି ପାରୁ ନଥିଲା ସ୍ୱପ୍ନ ଦେଖୁଛି ନା ସତ I ଆଖିକୁ ବିଶ୍ୱାସ ହେଉ ନଥିଲା ତା'ର I ପପୁ କୁ କୁଣ୍ଢେଇ ପକେଇ ବୋକ ପରେ ବୋକ ଦେଇ ଗଲା I ଆଉ କେହି ଦେଖିବା ପୂର୍ବରୁ ସେ ପପୁକୁ ଘର ଭିତରକୁ ନେଇ କଣ ହେଇଥିଲା ଆଉ ସେ ଏଠିକୁ ଆସିଲା କେମିତି ଜାଣିବାକୁ ଚେଷ୍ଟା କଲା I ବିମଳା ବି ଘର ଭିତରକୁ ଆସି ସାରିଥିଲା I ବିମଳା ପପୁକୁ କୋଳ କୁ ନେଇ ସେମାନେ ପୁରା ଘଟଣା କଣ କହ… ବୋଲି ପପୁ କୁ ପଚାରିଲେପପୁ କହିଲା,"ସେଦିନ ନାନୀ ଆଉ ମୋତେ ସେମାନେ ଗାଡ଼ିରେ ବସେଇ ନେଇ ଗଲେ I ସେଠି ଆହୁରି ବି ତିନିଟା ଝିଅ ଥିଲେ I ସବୁ ନାନୀ ପରି I ମୁଁ ପୁଅଟା ବୋଲି ଜାଣିଲା ପରେ ମୋ ପେଣ୍ଟ ସାର୍ଟ ଖୋଲି ଦେଇ ମୋତେ ନାଚିବାକୁ କହିଲେ I ମୁଁ ଖଟ ଉପରେ ନାଚୁଥିଲି I ବନ୍ଧୁକ ଥିଲା ତାଙ୍କ ପାଖରେ I ସେମାନେ ସବୁ ମଦ ପିଉଥିଲେ ଆଉ କଥା ହେଉଥିଲେ ଝିଅ ମାନଙ୍କ ସହ I ସମସ୍ତେ ଜଣେ ଜଣେ ଝିଅ ସହ ଗୋଟେ ଗୋଟେ ବଖରା ଭିତରକୁ ଗଲେ I କିଛି ସମୟ ପରେ ନାନୀ ବାହାରକୁ ଆସିଲା I ତା ହାତରେ ରକ୍ତ ଲାଗିଥିଲା I ସେ ଅନ୍ୟ ବଖରାକୁ ଯାଇ କବାଟ ବାଡେଇଲା ଆଉ ଭିତରକୁ ଗଲା I ସେ ବଖରାରୁ ବାହାରିଲା ବେଳେ ତା ହାତରେ ଆଉ ସେ ଝିଅ ହାତରେ ବି ରକ୍ତ ଲାଗିଥିଲା I ସେମାନେ ଆର ଝିଅ ଦି ଜଣଙ୍କୁ ବି ଆଣିଲେ I ମୁଁ କବାଟ ପାଖରୁ ଦେଖିଲି ସେ ଲୋକଟା ମୁହଁ ମାଡି ତଳେ ପଡିଥିଲା I ତା ବେକରୁ ପିଚ ପିଚ ହେଇ ରକ୍ତ ବାହାରୁ ଥିଲା I ଆମେ ସବୁ ଦୌଡ଼ି ଦୌଡ଼ି ଟ୍ରେନ ଲାଇନ ପାଖକୁ ଆସିଲୁ I ସେତେବେଳେ ଗୋଟେ ଟ୍ରେନ ଯାଉଥିଲା, ଯେଉଁଥିରେ କୋଇଲା ଯାଏ I ନାନୀ ତା’ ନାଲିଆ ଓଢଣୀ ଟା ଟ୍ରେନ କୁ ଦେଖେଇଲା I ଟ୍ରେନ ରହିଲା ପରେ ଆମେ ସବୁ ସେ କୋଇଲା ଡବାରେ ଚଢ଼ିଗଲୁ I ନାନୀ ସମସ୍ତଙ୍କୁ ଚଢେଇ ଦେଇ ନିଜେ ଚଢିଲା ବେଳକୁ ଟ୍ରେନ ଛାଡି ଦେଲା I କାଳିଆ ଗାର୍ଡ ଗୋଟେ କଉଠି ଥିଲା କେଜାଣି, ନାନୀ ଚଢିଲା ବେଳକୁ ତା ଗୋଡ କୁ ଧରି ପକେଇଲା I ନାନୀ ସେ ଟ୍ରେନ ତଳେ ପଡିଗଲା I ତା ପରେ ମୁଁ ଜାଣିନି ନାନୀ କୁଆଡେ ଗଲା I ମୁଁ ଆସିକି ଗୋଟେ ଷ୍ଟେସନରେ ପହଞ୍ଚିଲି I ସେ ଝିଅ ଗୁଡା ସେଠୁ କୁଆଡେ ଗଲେ ମୁଁ ଜାଣିନି Iସେଠି ଆମ ଗାଁ ନାଁ କହିବାରୁ ସେମାନେ ମୋତେ ଆଉ ଗୋଟେ ଟ୍ରେନ ରେ ବସେଇ ଦେଲେ I ମୁଁ ଆସି କି ଏଠି ଷ୍ଟେସନରେ ଓ଼ଲ୍ଳେହିଲି I ତା ପରେ ନିଧିଆ ବସ ରେ ଗାଁ କୁ ଆଇଲି ପପୁ, ଘର ବାହାରକୁ ଜେଜୀ ପାଖକୁ ଯାଉ ଯାଉ କହିଲା, "ନାନୀ ତମକୁ କହିବାକୁ କହିଥିଲା ଯେ, ବା'ଆ କୁ କହିବୁ ମୁଁ ସମସ୍ତଙ୍କୁ ମାରି ଦେଇଛି I ଛଅ ଜଣଙ୍କୁ ମାରିଛି ବୋଲି କହିଲା I ବୁରୁ ର ପ୍ରତିଶୋଧ ଚଣ୍ଡୀ ନେଇ ସାରିଥିଲା I ଚଣ୍ଡୀର ମଲା ଦେହଟାକୁ ଆଣିବାକୁ ପୁଣି ଥରେ ସେ ଜାଗାକୁ ଯିବାକୁ ବୁରୁ ସାହସ ସଞ୍ଚୟ କରି ପାରୁ ନଥିଲା I ବିମଳା ଆଉ ବୁରୁ ଆଖିରୁ ଲୁହ ବୋହୁଥାଏ I ମଣିଷ ନୁହଁ ସ୍ୱୟଂ ମା ଚଣ୍ଡୀ ଆସିଥିଲେ ଦୁଷ୍ଟ ମାନଙ୍କୁ ସଂହାର କରିବା ପାଇଁ I ବୁରୁ ଆଉ ବିମଳା ସେ ଦେବୀଙ୍କ ଉଦ୍ଦେଶ୍ୟ ରେ ହାତ ଯୋଡୁଥିଲେ ବୁରୁ ଫେରି ଆସିଛି ବୋଲି ଖବର ପାଇବା ପର ଠାରୁ ବିଜୁ ବାବୁ ର ଦେଖା ନଥିଲା ଗାଁ ରେ .....

 

ସୁବଳ ମହାପାତ୍ର

ଖଲାରୀ, ଅନୁଗୁଳ, ଓଡିଶା

ଦୂରଭାଷ - ୯୩୭୬୦୧୨୫୦୦

ଇମେଲ - subal.mohapatra@gmail.com


Rate this content
Log in

Similar oriya story from Inspirational