STORYMIRROR

Pravanjan Dash

Abstract

3  

Pravanjan Dash

Abstract

ଚପଲ

ଚପଲ

2 mins
349

ନେ ମନେ ବୁବୁନା ଆଜି ଭାରି ଖୁସି, ଖୁସି ହବନି ବା କେମିତି ବୁବୁନାର ବାପା ଆଜି ବୁବୁନା ପାଇଁ କଟକ ବାଲିଯାତ୍ରାରୁ ହଳେ ନୂଆ ଚପଲ କିଣି ଆଣିଛନ୍ତି, ଯାହାକୁ ପିନ୍ଧି ପକାଇ ଖୁସିରେ ବୁବୁନାର ଗୋଡ଼ ଆଉ ତଳେ ଲାଗୁନି । ନୂଆ ଚପଲଟା ବି ବୁବୁନାର ପାଦକୁ ଖୁବ୍ ଭଲ ମାନୁଛି । ଘରେ ସମସ୍ତେ ହସ ଖୁସିରେ ମଜ୍ଜି ଥିବା ବେଳେ ଠିକ୍ ଏଇ ସମୟରେ ବୁବୁନାର ଜେଜେ ଛିଣ୍ଡା ଚପଲ ପିନ୍ଧି ହାତରେ ବଙ୍କୁଲି ବାଡ଼ିଟି ଧରି ଚାଲି ଆସିଲେ ଘର ଭିତରକୁ । ହସ ଖୁସିର ହୋ ହାଲ୍ଲା ଭିତରେ ଜେଜେ ନିଜର ଛିଣ୍ଡା ଚପଲକୁ ଦେଖାଇ ଧୀର ଗଳାରେ ବୁବୁନାର ବାପାକୁ କହିଲେ, “ପୁଅରେ ମୋର ପଟେ ଚପଲର ଫିତା ଛିଡି ଯାଇଛି ତୁ ବଜାରରୁ ହଳେ ନୂଆ ଚପଲ ଫିତା କିଣି ଆଣନ୍ତୁନି” । ଜେଜେଙ୍କର ବାସ୍ ଏତିକି କଥାରେ ବୁବୁନାର ବାପା ଚିଡି ଯାଇ ଉଚ୍ଚ ଗଳାରେ ଉତ୍ତର ଦେଲେ, “ଏ ବୟସରେ ତମର ଚପଲ ଫିତା ଆଉ କଣ ଦରକାର ଯେ, ଏମିତିରେ ବି ତମର ଆଣ୍ଠୁ ଧରୁଛି, ଆଖିକୁ ଆଉ ଭଲ ଦିଶୁନି ତା’ ଛଡା ଆଗ ଭଳି ତମେ ଆଉ ଠିକ୍ ସେ ଚଲା ବୁଲା ବି କରିପାରୁନ, ଖାଲି ଯାହା ବାଡ଼ି ଧରି ଏ ଘର ଭିତରେ ଟିକେ ଚଳ ପ୍ରଚଳ କରୁଛ, ସେଥିରେ ପୁଣି ତମର ଚପଲ ଫିତା କଣ ଆବଶ୍ୟକ” ? ପୁଅର ଏଭଳି ସ୍ୱଭାବ ଓ ବିରକ୍ତିକର କଥା ଶୁଣି ଜେଜେ ଟିକେ ଶଙ୍କି ଯାଇ କହିଲେ, “ତୁ ଠିକ୍ କହିଛୁରେ ପୁଅ, ଏମିତିରେ ମୋର ବା ଆଉ କେଇଟା ଦିନ, ତା’ ଛଡା ଏ ବୟସରେ ମୋର ଚପଲ ଆଉ କ’ଣ ବା ଦରକାର” ? ଏତିକି ଶୁଣି ବୁବୁନାର ବାପା ଏକ ଫୋନ୍ କଲ୍ ରେ ବାହାରକୁ ଚାଲି ଗଲେ । ବୁବୁନା ପାଦର ହଳେ ନୂଆ ଚପଲକୁ ଚାହିଁ ଜେଜେଙ୍କ ମନରେ ରୋମନ୍ଥନ ହେଉଥିଲା ଅତୀତର କିଛି ଅଭୁଲା ସ୍ମୃତି, ଯାହାଥିଲା ପିଲାବେଳେ ବୁବୁନାର ବାପା ପାଇଁ ନିଜେ [ଜେଜେ] କଟକ ବାଲିଯାତ୍ରାରୁ କିଣି ଆଣିଥିବା ହଳେ ନୂଆ ଚପଲକୁ ନେଇ, ଯାହାକୁ ପିନ୍ଧି ପକାଇ ସେଦିନ ବୁବୁନାର ବାପା ବହୁତ ଖୁସି ହେଇଥିଲା ଠିକ୍ ଆଜି ବୁବୁନା ପରି । ଜେଜେଙ୍କୁ ଚାହିଁ ଖୁସିରେ ହସୁଥିଲା ବୁବୁନା । ଜେଜେ ବି ବୁବୁନାର ଖୁସିରେ ଖୁସି ହୋଇ ନିଜେ ହସୁଥିଲେ, ଜେଜେଙ୍କ ଆଖିରୁ ଝରି ଆସୁଥିଲା କିଛି ଅମାନିଆ ଲୁହର ଧାର ଜଣାନାହିଁ ତାହା ଆନନ୍ଦର କି ବିଷାଦର, ଯାହା ନିଗିଡି ଯାଇ ଓଦା କରି ପକାଉଥିଲା ପାଦ ତଳେ ଥିବା ସେହି ଛିଣ୍ଡା ଚପଲଟିକୁ ।    [କ୍ଷୁଦ୍ର ଗଳ୍ପ]


Rate this content
Log in

Similar oriya story from Abstract