STORYMIRROR

Suchitra Rath

Romance Tragedy

4  

Suchitra Rath

Romance Tragedy

ଚନ୍ଦ୍ରଭାଗାର ହସ୍ତାକ୍ଷର

ଚନ୍ଦ୍ରଭାଗାର ହସ୍ତାକ୍ଷର

11 mins
184


      ଈଶା ମାଡ଼ି ଗଲିଥାଏ ଆଗକୁ ଆଗକୁ । ହଠାତ୍ ମଜବୁତ୍ ହାତଟାଏ ତାକୁ ଭିଡ଼ି ଆଣିଲା ଜୋର୍ କରି ।


- ହେ ମେମ୍, ତମକୁ ଡାକିଲେ ଶୁଭୁନି ?

 ସେତିକିବେଳୁ ଗଲିଛ ଯେ ଚାଲିଛ ଆଗକୁ ! କ’ଣ, ତମ ଇରାଦା କ’ଣ ? ସୁଇସାଇଡ୍ କରିବ ଏଇଠି ?


ବଳିଷ୍ଠ ବପୁଧାରୀ ସେହି କଳା ମଚ୍ ମଚ୍ ପିଲାଟା ତାଗିଦ୍ କରୁଥିଲା ଈଶାକୁ । ତା’ର ବାଲି ସରସରିଆ ଦେହରେ ଥିଲା ବରମୁଡ଼ା ପ୍ୟାଣ୍ଟ୍ ଖଣ୍ଡେ । ମୁଣ୍ଡରେ କୁକୁଞ୍ଚିଆ ଚୁଟି ମେଞ୍ଚାଏ । ଦେହରୁ ଆସୁଥିଲା ବିକୃତ ଗନ୍ଧ । ଉପକ୍ରମ ଏମିତି, ଯେମିତି ସାରା ଇଲାକାଟା ତା’ର ଅଧିକୃତ କେବଳ । ଈଶା କହିଲା, “ଓଃ , ଆଇ ଆମ୍ ସରି । ଜାଣିପାରିନି ମୁଁ ଏତେ ଆଗକୁ ଚାଲି ଯାଇଥିଲି ।ଓକେ,ମେନି ମେନି ଥାଙ୍କସ୍। ଈଶାର କଥା ଶୁଣି ପିଲାଟା ଜହ୍ନିମଞ୍ଜିଆ ଦାନ୍ତ ଭାଡ଼ିକ ଦେଖାଇ ଦେବାପରେ ଖୁବ୍ ଗମ୍ଭୀର ଦିଶୁଥିବା ପିଲାଟା ଏବେ ଅପେକ୍ଷାକୃତ ସରଳ ଲାଗିଲା ଈଶାକୁ । ଈଶା ପରରିଲା, “ତମକୁ କିଏ ଦାୟିତ୍ବ ଦେଇଛି ଏଇ ସମୁଦ୍ର ଉପକଣ୍ଠ ଜଗିବାର ?”


- ଦାୟିତ୍ବ କିଏ କାହିଁକି ଦେବ ? ଏଇ ତ ଆମର ଚରାଭୂଇଁ, ଜୀବନ ଜୀବିକା, ଭାତହାଣ୍ଡି । ଆମ ଏନ୍ତୁଡ଼ିରୁ ମଶାଣି ଯାଏଁର ସାକ୍ଷୀ । ସୁନାମି, ମହାବାତ୍ୟା, ପ୍ରଳୟ ଯାହା ଆସୁପଛେ ନା’ ସେ ଆମକୁ ଛାଡ଼ିଛି ନା’ ଆମେ ତାକୁ । ତମେ ବୁଝିପାରିବନି ମେମ୍ ଆମର ସେ ଗଭୀରିଆ ସମ୍ପର୍କ ।


ଈଶା ହସିଲା, ମନେମନେ ଭାବିଲା, ସତରେ ସମୁଦ୍ରର ବ୍ୟାପ୍ତି ଭିତରେ ବି ଲୁଚିଛି ଜୀବନର କେତେ ରଙ୍ଗ । କାହାଠାରୁ ସେ ଛଡ଼େଇ ନିଏ ସୁଖ ଅତର୍କିତ ଭାବରେ ତ କାହାକୁ ସେ ଅଜାଡ଼ି ଦିଏ ବଞ୍ଚିବାର ସ୍ଥୁଳ ରାହା ଅଯାଚିତ ଭାବରେ । ପ୍ରକାଶ୍ୟରେ କହିଲା, “ସୁଇସାଇଡ୍ ଫୁଇସାଇଡ୍ କିଛି ନୁହେଁ । ମୁଁ ଅଲଗା ଉଦ୍ଦେଶ୍ୟର ଆସିଛି । ତମ ପରି ମୋ ପାଇଁ ବି ଉପଜୀବ୍ୟ ଏଇ ସମୁଦ୍ରକୂଳ । ଏଇ ବାଲୁକାରେ ମୁଁ ଫୁଟାଏ ଜୀବନ । ନାନା ରଙ୍ଗରେ ନାନା ରୂପରେ ଉପସ୍ଥାପିତ କରେ ସାମାଜିକ ପୃଷ୍ଠାସବୁଙ୍କୁ । ଚିତ୍ର ଆଙ୍କେ । ମୂର୍ତ୍ତି ଗଢ଼େ ।


- ଆରେ ମେମ୍ ସିଧା ସିଧା କହୁନ ତମେ ଜଣେ ସ୍ୟାଣ୍ଡ ଆର୍ଟିଷ୍ଟ । ଆଇ ନୋ ଇଂଗ୍ଲିଶ୍ । ଡୋଣ୍ଟ୍ ୱେରୀ । ଆଇ କ୍ଯାନ୍ ହେଲ୍ପ ୟୁ । ଈଶା ଆଖିରେ ଚମକ ଖେଳିଗଲା ତା' କଥା ଶୁଣି । ଈଶା ପରିଲା - ଅଚ୍ଛା, ତମ ନାଁ ଟା ?


-- ଆପାଲା ରାଜୁ ।


ଈଶାକୁ ଆପାଲା ନାଁ ଟା ପସନ୍ଦ ହେଲା ଡାକିବାକୁ ।


ତୁମର ସାହାଯ୍ୟ ମୁଁ ନିଶ୍ଚୟ ନେବି ଆପାଲା । ଏବେ ମୋତେ କାଲିର ଆର୍ଟ ପାଇଁ ଭଲ ପ୍ଲେସଟେ ଖୋଜିବାର ଅଛି ।


ଏଇ କଥା ମେମ୍, ଆସୁନା ମୁଁ ଦେଖେଇ ଦେବି । ଫି ସନ ଯେଉଁଠି ହୁଏ । ପୁରା ଚୋଖା ଯାଗା । ତମେ ପରଖି ନେଇ କହିବନି !


ଆଗ ପଛ ହୋଇ ଆପାଲା ସହ ଖଣ୍ଡେ ବାଟ ଚାଲିବା ପରେ ସେ ଈଶାକୁ ଦେଖାଇ ଦେଲା ତାଙ୍କ ଠାରୁ ଆଉ ଦଶହାତ ଦୂରରେ ଥିବା ବାଲି କୁଦଟିକୁ । ପାଖକୁ ଯାଇ ସ୍ଥିତି ଅନୁଧ୍ୟାନ କରି ବେଶ୍ ଖୁସି ହେଲା ଈଶା, କୃତଜ୍ଞତା ଜଣାଇଲା ଆପାଲାକୁ । ଏଥର ତାକୁ ଗେଷ୍ଟହାଉସ୍ ଫେରିବାକୁ ହେବ । ଏବେ ରତରତ ବେଳାର ବେଳାଭୂମି । ଆକାଶରୁ ଗୋଲାପୀ ରଙ୍ଗର ଆସର ସଂଚରିତ ହୋଇ ଗଲାଣି ସାଗରକୁ, ବାଲୁକାକୁ । ଲମ୍ବିଗଲାଣି ଛାଇମାନଙ୍କ ପଟୁଆର । ପକ୍ଷୀ ଆଉ ପସରା ସବୁ ଘରମୁହାଁ ସଞ୍ଚିତ ଆହରଣକୁ ସମ୍ବଳ କରି ନୂତନ ପ୍ରତ୍ୟାଶାର ଟୀକା ପିନ୍ଧି । ସମୁଦ୍ର ଓଠରେ ଏବେ ଏକଲାପଣର ଗୀତ । ତାକୁ ପଛକରି ଗେଷ୍ଟହାଉସ୍ ଆଡ଼େ ଆଗେଇଥିବା ଈଶା ଓଠରେ ବି ସମାନ ଏକଲାପଣର ଗୁଞ୍ଜନ । ଆପାଲା ଦୂରେଇ ଗଲାଣି ତା’ର ବସ୍ତି ଦିଗରେ ।


ଚନ୍ଦ୍ରଭାଗାର ଗେଷ୍ଟହାଉସ୍‌ରେ ଆଠଦିନର ରହଣି ଈଶାର । ଖରାବେଳେ ପହଞ୍ଚି ସେ ମାମିଙ୍କୁ ଜଣାଇ ଦେଇଥିଲା ତା’ର ସକୁଶଳ ବାର୍ତ୍ତା । ମାମି କିନ୍ତୁ ଖୁସି ନଥିଲେ ତା’ର ଚନ୍ଦ୍ରଭାଗାରେ ରହଣିକୁ ନେଇ, ତା'ର ପ୍ରଶଂସନୀୟ ପ୍ରତିଭାକୁ ନେଇ । ସମୁଦ୍ର କହିଲେ ଛନକା ପଶେ ତାଙ୍କ ଛାତିରେ । ସମୁଦ୍ର ତାଙ୍କ ପାଇଁ କ୍ଷତାକ୍ତ ଅତୀତର ଜଳନ୍ତା ଅଙ୍ଗାର ଖଣ୍ଡେ । ସମୁଦ୍ରର ଉଦଣ୍ଡତାକୁ କେବେ କ୍ଷମା କରିପାରିବେନି ସେ । ଈଶା ବି ଜିଦ୍‌ଖୋର ତା’ ମା’ ପରି । ସମୁଦ୍ରର ଆକର୍ଷଣ ପ୍ରତି ନଛୋଡ଼ବନ୍ଧା । ଗେଷ୍ଟହାଉସ୍‌ର ଝରକାବାଟେ ଖୁବ୍ ଦୂରରୁ ଦିଶୁଥିଲା ସମୁଦ୍ର, ଦିଗବଳୟ ଧାରେ ଧାରେ ଅଝଟ ଛୁଆଙ୍କ ଭଳି ଗଡ଼ି ଯାଉଥିବା ଢେଉଙ୍କୁ ଆବୋରି ନେଉଥିବା ଅସରନ୍ତି ନୀଳ ପଣତଟେ ପରି । ସେ ଜାଣେନି କାହିଁକି ସମୁଦ୍ର ଉତ୍ତାଳ କରେ ତାକୁ । ବେଳାଭୂମି ବତୁରାଇ ଦିଏ ଆତ୍ମୀୟତାରେ । ସେ ଭଲପାଏ ଚୁନା ଚୁନା ଢେଉଙ୍କୁ ବାଲୁକାକୁ, ଶାମୁକାକୁ, ଓଦାବାଲିର ପାଦଚିହ୍ନଙ୍କୁ । ସୁଯୋଗ ପାଇଲେ ସେ ସେଇଠି ଗଢ଼ିଦିଏ କଳ୍ପନାର ଇମାରତ, ସଜେଇଦିଏ ସ୍ୱପ୍ନ ଆଉ ସମ୍ଭାବନାର ଚିକ୍‌ଚିକ୍ ତାରାଫୁଲଙ୍କୁ ।


ସେ ଦେଖୁଥାଏ କୁନି ଛୁଆ ଦୁଇଟା ଦଉଡ଼ା ଦଉଡ଼ି ହୋଇ ଆସି ଗଡ଼ି ଯାଉଥିଲେ ବାଲି ଉପରେ । ଖସି ଯାଉଥିବା ପ୍ୟାଣ୍ଟକୁ ଟେକି ଦେଇ ଲଙ୍ଗଳା ଛୁଆଟା ପଛରେ ପୁଣି ଦଉଡୁଥାଏ ଅପେକ୍ଷାକୃତ ବଡ଼ ପିଲାଟି । ବୋଧହୁଏ ପାଖ ନୋଳିଆ ବସ୍ତିର ଛୁଆ ଏମାନେ । ଈଶା ଫେରି ଯାଉଥାଏ ପିଲାଦିନକୁ । ମନେ ନାହିଁ କେବେ ଦିନେ ବାଲି ସରସର ହୋଇ ଖେଳିବା, ଚିଡ଼ଉଥିବା ସାଙ୍ଗର ମୁଣ୍ଡକୁ ବାଲି ମୁଠାଏ ଫିଙ୍ଗିଦେବା, ଗୋଡ଼ହାତ ଧୂଳିଧୂସର କରି ସଞ୍ଜବେଳକୁ ଘରକୁ ଫେରିବା କି ଗୋଡ଼ ଘୋଷାରି ଘୋଷାରି ଧୂଳି ଉଡ଼ାଇ ସ୍କୁଲରୁ ଘରକୁ ଫେରିବା । ବାସ୍ ଡାଡ଼ିଙ୍କ କାରରେ ସ୍କୁଲରୁ ଯିବା ଆସିବା, ପବ୍ଲିକ୍‌ ସ୍କୁଲର ଚିକ୍କଣ ବାରଣ୍ଡାରେ କଳା ମଚ୍ ମଚ୍ ଯୋତା ପିନ୍ଧି ଚାଲିବାର ଅବଧି ଭିତରେ ସରିଯାଇଛି ପିଲାଦିନ । ତଥାପି ବାଲି ପ୍ରତି, ସମୁଦ୍ର ପ୍ରତି ଯେ ତା’ର ଏଇ ଦୁର୍ବାର ମୋହ !


   ଈଶା କାମରେ ଲାଗିଛି ସକାଳୁ । ସାହାଯ୍ୟ କରିବା ପାଇଁ ଆପାଲା ବି ଆସି ଯାଇଛି । ସଂଯୋଜକ ସୁବୋଧବାବୁ, ଟିମ୍ ଲିଡ଼ର ଏନ୍.ନାଗରାଜ ତଥା ଅନ୍ୟମାନେ କାର୍ଯ୍ୟକ୍ରମର ଇନାଗୁରେସନ୍ ପାଇଁ ଷ୍ଟେଜ୍ ପ୍ରସ୍ତୁତିରେ ଲାଗିଛନ୍ତି । ଫୁଲ, ଦୀପ, ଧୂପ,ମାଇକ୍, ପୋଡ଼ିୟମ୍ ସବୁ ପ୍ରସ୍ତୁତ ହୋଇଗଲା ପରେ ସାରା ଟିମ୍ ଆସି ପହଂଚିଲେ ଅନ୍ୟତମ ଆକର୍ଷଣ ଈଶାର ବାଲୁକାଶିଳ୍ପ ନିକଟରେ ।


ବାମପଟେ ସମୁଦ୍ରକନ୍ୟା ଆଖିରେ ଲୁହ, ତା’ର ସୁଦୀର୍ଘ କେଶରେ ଆବର୍ଜନା ଭରା ପୂତିଗନ୍ଧମୟ ବେଳାଭୂମି । ତା’ର ଉନ୍ମୁକ୍ତ ନାଭିରେ ଉଚ୍ଛିଷ୍ଟ ପ୍ଲାଷ୍ଟିକ୍ , ଧାତବ ପଦାର୍ଥମାନ । ପୁଣି ତା’ର ଡାହାଣ ପାଖରେ ସମୁଦ୍ରକନ୍ୟା ଓଠରେ ପରିତୄପ୍ତିର ହସ । କେଶରେ ବିମଣ୍ଡିତ ସୁନା ରୂପାର ତାରାଫୁଲ, ନାଭିରେ ପ୍ରଶାନ୍ତିରେ ସନ୍ତରଣଶୀଳ ଜଳଜୀବ ଇତ୍ୟାଦି ।


ସ୍ବଚ୍ଛତାର ଧାରଣାକୁ ନେଇ ଈଶାର ଏହି ଜୀବନ୍ତ କଳାକୃତିକୁ ଦେଖି ପ୍ରଶଂସା ନକରି ରହି ପାରିଲେନି ଟିମ୍ ଲିଡ଼ର ଏନ୍.ନାଗରାଜ ମହାଶୟ । ଏବେ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ ପାଇଁ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଅପେକ୍ଷା କେବଳ । ସଂଯୋଜକ ସୁବୋଧବାବୁ ଈଶା ଗାଲରେ ଲାଗିଥିବା ବାଲି ମନ୍ଦାକ ଝାଡ଼ିଦେବା ବାହାନାରେ ପାଖକୁ ଲାଗିଯାଇ କହୁଥଲେ, “ମୋତେ ଲାଗୁଛି ତୁମେ ଇ ସମୁଦ୍ରକନ୍ୟାଟିଏ । କେବେ ସମୁଦ୍ର ସ୍ନାନ କରିବାର ସୁଯୋଗ ମିଳନ୍ତା କି ? ଠିକ୍ ବୁଝିପାରିଲା ଈଶା, ଆଉ ତା’ର କଟାକ୍ଷରେ ଢେର ଦୂରକୁ ଘୁଞ୍ଚିଗଲେ ସୁବୋଧ ବାବୁ । ତଥାପି ଈଶାର ମୁହଁଟା କଠୋର ଦିଶୁଥିଲା । ଧୀରେ ଧୀରେ ଲୋକଗହଳି ବଢୁଥିଲା । କାର୍ଯ୍ୟକ୍ରମ ମଧ୍ୟ ଆଗେଇ ଥିଲା । ସେଦିନ ରୁମ୍ କୁ ଫେରିବା ବେଳକୁ ବହୁ ପ୍ରଶଂସା ସାଉଁଟିଥିବା ଈଶା ମନେ ମନେ କିନ୍ତୁ ହିଂସ୍ର ହୋଇ ପଡ଼ୁଥିଲା । ପୁଣି ନିଜକୁ ନିଜେ ନିୟନ୍ତ୍ରଣ କରିବାକୁ ଆଖି ବନ୍ଦରଖି ସ୍ଥିର ହେବାକୁ ଚେଷ୍ଟା କରୁଥିଲା । ଆଗାମୀ କାଲିର ଥିମ୍ ପ୍ରସ୍ତୁତ କରିବାରେ ମନ ଦେବା ଆଗରୁ କପେ କଡ଼ା କଫି ମଗାଇ ମାମିଙ୍କୁ ଫୋନ୍ କରିଲା ଈଶା । ସାରାଦିନର ଘଟଣା ସବୁ ଗପିଗଲା, କେବଳ ସୁବୋଧ ବାବୁଙ୍କ ବିଷୟକୁ ଛାଡ଼ି । ମାମିଙ୍କୁ ଅଯଥା ଟେନସନ୍ ଦେବାକୁ ଚାହେଁନି ସେ କେବେ ।


ଦ୍ବିତୀୟ ଦିନର କାର୍ଯ୍ୟକ୍ରମରେ ଟିମ୍ ଲିଡ଼ର ଓ ଅନ୍ୟମାନେ ଏକତ୍ର ହୋଇ ପ୍ରସ୍ତୁତ ହେଉଥା'ନ୍ତି ବେଳାଭୂମି ସଫେଇ ଅଭିଯାନରେ । ଈଶା ନିଜ କାମରେ ମନ ଦିଏ ଆଉ ପୁଣି ଗଢ଼ିନିଏ ଏକ ଚମତ୍କାର କଳାକୃତି । ଗାଢ଼ ନୀଳରଙ୍ଗର ପୃଥିବୀ, ତା' ଚାରିପାଖକୁ ବାହୁବନ୍ଧନରେ ଘେରି ରଖିଛି ସମୁଦ୍ର । ବିସ୍ତାରିତ ହେଉଛି ନୀଳିମା ପୃଥିବୀରୁ ଆକାଶ ଯାଏଁ । ବିଦାୟୀ ମୁଦ୍ରାରେ ଠିଆ ହୋଇଛି ପ୍ରଦୂଷଣର ପ୍ରତୀକଟିଏ । ଜମୁଥିବା ଦର୍ଶକଙ୍କ ଗହଳି ଭିତରେ ଈଶା ମାପୁଥାଏ ତା’ର ଶିଳ୍ପୀ ଜୀବନର ସାର୍ଥକତା | ରାଜୁ ସବୁଦିନ ଆସି ଧ୍ଯାନର ସହ ଦେଖୁଥାଏ ଈଶାର କଳାକୃତି । ତା' ହାତକୁ ଆସି ବଢ଼ାଇଦିଏ କରଣି, ଉଷା, ଗଜ, ନଳ, ବ୍ରଶ୍ , ରଙ୍ଗ, ତୁଳୀ ଇତ୍ୟାଦି ଇତ୍ୟାଦି । ତା' ଭିତରେ ବି ଚିତ୍ରକରଟିଏ ବଞ୍ଚିଛି ଏକଥା ସ୍ପଷ୍ଟ ହେଉଥାଏ ଈଶାକୁ, ଯେତେବେଳେ ସେ ଆକୃତିମାନଙ୍କୁ ସୁନ୍ଦର ମାଠଣ ଦେଇଦିଏ । ଈଶା ଆଶ୍ଚର୍ଯ୍ୟ ହୁଏ ଧୀବର ଜୀବିକା ଭିତରେ କଳା ପ୍ରତି ଲୁଚିଥିବା ତା’ର ଆବେଗକୁ ଦେଖି । ଆପାଲା କହୁଥିଲା, ପ୍ରତିବର୍ଷ ସେ ଶିଳ୍ପୀମାନଙ୍କର ଏହି କୃତି ସବୁ ଧାନ ଦେଇ ଦେଖେ । ହେଲେ ଈଶା ପରି କେହି ପାଖକୁ ଆସି ସେଥିରେ ହାତ ଦେବାର ସୁଯୋଗ ଦେଇ ନାହାନ୍ତି । ଆପାଲା କହେ, ତା’ର ବାପା ବି ଜଣେ ଚିତ୍ରକର ଥିଲେ । ଆଉ ଚିତ୍ର ପ୍ରତିମାଟିଏ ପାଇଁ ଝୁରି ଝୁରି ସେ ଚାଲିଗଲେ ଆରପାରି । ଆପାଲା ପ୍ରତି ଦୟା ଆସେ ଈଶାର, ସେ ବାପ ଛେଉଣ୍ଡ ବୋଲି । ହଁ, ସେ କେଉଁ ସୁଖୀ ଯେ !


ଆପାଲା ମନର କ୍ଷୋଭ ପ୍ରକାଶ କରି କହେ, “ବଡ଼ଲୋକମାନେ ଟଙ୍କା ଦେଇ ସୁଖ ସବୁ କିଣି ପାରନ୍ତି । ନିଜର ସୁଖ ପାଇଁ ବାଲିକୁ ସୁନାର ମୂଲ୍ୟ ବି ଦେଇପାରନ୍ତି ହେଲେ ଆମ ପାଇଁ ତ ସ୍ଵପ୍ନ ଅପହଞ୍ଚ । ସେମିତି ସ୍ବପ୍ନ ଦେଖୁଥଲା ମୋର ବାବା ବୋଲି ଜୀବନ ବି ହାତ ଛାଡ଼ିଦେଲା ତା’ର । ଈଶା ପଚାରେ, “କ’ଣ ଘଟିଥିଲା ତୁମ ବାପାଙ୍କ ସହ ?" କଥା ଟାଳିଦେଇ ଛଳଛଳ ଆଖିରେ ଚାଲିଯାଏ ଆପାଲା । ଈଶା ବୁଝିପାରେ ଦରଜଟାଏ ଚେକାମାଡ଼ି ବସିଛି ପିଲାଟା ଛାତିରେ ।


ପ୍ରତିଦିନ ରାତିରେ ମାମିଙ୍କୁ ଫୋନ୍ କରେ ଈଶା । ସେ କହୁଥା'ନ୍ତି, କେମିତି ଆଉ ଦୁଇ ଚାରିଦିନ କାଟି ଫେରିଆସିବୁ ତୁ ! ସେଦିନ କୋଣାର୍କ ଯିବାପାଇଁ ଟିମ୍ ର ଯୋଜନା ଥାଏ । ଈଶା କିନ୍ତୁ ଅନୁସନ୍ଧିସୁ ପର୍ଯ୍ୟଟକଙ୍କ ଆକର୍ଷଣରେ ରହିଗଲା ନିଜ ବାଲୁକା ଶିଳ୍ପ ପାଖରେ । ଚନ୍ଦ୍ରଭାଗାରେ ସେ ଆଙ୍କିଲା ବାଲିର କୋଣାର୍କ ପୁଣି ଧର୍ମପଦର ତ୍ୟାଗର କଥା ଏବଂ କାମନା କରିଥିଲା ପ୍ରତ୍ୟେକ ମଣିଷଙ୍କ ଠାରୁ ସ୍ବଚ୍ଛତା ପାଇଁ ଟିକିଏ ତ୍ଯାଗ ଯାହା ଥିଲା ପୃଥିବୀର ପ୍ରତିବେଦନ । ମନୁଷ୍ୟକୃତ ଅନାବଶ୍ୟକ ପ୍ରଦୁଷଣକୁ ନେଇ ଖୁବ ପ୍ରତିକ୍ରିୟାଶୀଳ ଈଶା ବୋଲି ତା’ ଭିତରୁ ଛାଏଁ ଉତୁରି ଆସେ ଏହି ଆବେଗାତ୍ମକ କଳାକୃତି ସବୁ । ଯୋଜନା ମୁତାବକ ଠିକ୍ ଗଲିଥିଲା ସବୁ କିଛି । ଈଶା ନିଜ କାମରେ ବ୍ୟସ୍ତ ଥିବା ଭିତରେ ଦେଶରେ କରୋନା ଆତଙ୍କ ନେଇ ସରକାର ଜାରି କରିଦେଲେ ଲକ୍ ଡାଉନ୍ । ଚକ ଅଖ ବନ୍ଦ । ପର୍ଯ୍ୟଟନ ବନ୍ଦ । କାର୍ଯ୍ୟକ୍ରମ ବନ୍ଦ । ଯିଏ ଯେଉଁଠି ଯେମିତି ଅବସ୍ଥାରେ ରହିଲେ ସ୍ଥାଣୁ ହୋଇଯିବା ଭଳି । ଈଶା ରୁମକୁ ଫେରି ଦେଖିଲା ବେଳକୁ ମାମିଙ୍କର କୋଡ଼ିଏଟା ମିସ୍ କଲ୍ । ସେହି ବ୍ୟସ୍ତତାର ଦସ୍ତାବିଜ୍ କେମିତି ଫେରିବ ଈଶା ଘରକୁ ଲକ୍ ଡାଉନରେ । ସେ ବି ଉପାୟହୀନ, ମାମିଙ୍କୁ ଉତ୍ତରରେ ଦୁଇପଦ ଆଶ୍ୱାସନା ଦେବା ଛଡ଼ା । ଦୁଇଦିନ କାଳ ରୁମ୍ ଭିତରେ ପଡ଼ି ପଡ଼ି ଏକଲାପଣଟା ଏକବାର ମାଡ଼ି ବସିଥିଲା ତାକୁ ।ମନ ଖୋଜୁଥୁଲା ଆତ୍ମୀୟତାର ସ୍ପର୍ଶ, ମା'ର ସ୍ପର୍ଶ । ମନେପଡ଼ିଲା ଆପାଲା କଥା । ଗେଷ୍ଟହାଉସ୍‌ର ପଛ ଗେଟ୍ ଦେଇ ବେଳାଭୂମି କୂଳେ କୂଳେ ସେ ମୁହାଁଇଲା ନୋଳିଆ ବସ୍ତି ଆଡ଼େ । ହୁଏତ ଭେଟିପାରେ କେଉଁଠି ଆପାଲାକୁ । 


ବାଲିବନ୍ତରେ ପ୍ରଚଣ୍ଡ ଶୂନ୍ୟତା । ଚାରିଆଡ଼ ଖାଁ ଖାଁ । ଦୂରରୁ ସମୁଦ୍ରର ନିରବ ଉଦ୍-ବେଳନ । ହଠାତ୍ କେହି ଈଶାକୁ ଡାକୁଛି ଯେ ! ଈଶା ବୁଲିପଡ଼ି ଦେଖେ ତ ସୁବୋଧ ବାବୁ । ଅଧିକ କିଛି ବୁଝିବା କି ଶୁଣିବା ଆଗରୁ ସେ ଅନୁଭବ କଲା ତା’ର କୁର୍ତ୍ତା ଭିତରେ ବାଘର ପଞ୍ଝ। ତା' ଚାରି ପାଖରେ ଲହଲହ ଭୋକିଲା ଜିଭ । ଖରାଠୁ ବଳି ଖର ନିଶ୍ୱାସରେ ପୋଡ଼ିଯାଉଛି ତା’ର ମୁହଁ, ଛାତି ସର୍ବାଙ୍ଗ । ମୁହଁ ଖୋଲି ଚିତ୍କାର କରିବାର ଯୁ' ନଥାଏ ତା'ର । ଅତର୍କିତ ଭାବରେ କିନ୍ତୁ ସୁବୋଧବାବୁ ତଳେ ପଡ଼ିଗଲେ ନିଜ ମୁଣ୍ଡକୁ ଜାବୁଡ଼ି ଧରି । ପଛରେ କାଠ ଫାଳିଆଟେ ଧରି ଠିଆ ହୋଇଥିଲା ଆପାଲା । ଆଜି ଆପାଲା ଠିକ୍ ସମୟରେ ପହଞ୍ଚି ନଥିଲେ ହୁଏତ ବାଲିବନ୍ତରେ ଲେଖା ହୋଇଥା’ନ୍ତା ଏକ କଳଙ୍କିତ ଅଧ୍ଯାୟ ।


“ସାପ କବଳରେ ପଡ଼ି ବି ବେଙ୍ଗ କହୁଛି ମୁଁ ପୋକ ଖାଇବି । ଶଳା ! କରୋନା ବ୍ୟାପିଛି ସବୁଠେଇଁ ହେଲେ ୟାର ସୁଆଙ୍ଗ ଯାଉନି । ଶୀଘ୍ର ଚାଲ ଏଠାରୁ ମେମ୍” କହିଲା ଆପାଲା । ଈଶା ସାହସୀ ଥିଲା, ହେଲେ ତଥାପି ଥରୁଥିଲା ତା'ର ସମଗ୍ର ଶରୀର । ତାକୁ ଗେଷ୍ଟହାଉସ୍ ଛାଡ଼ିବାର ଥିଲା ମାତ୍ର ଫେରିବାର ଉପାୟ ନଥିଲା । ଆପାଲା ଈଶାକୁ ସାଙ୍ଗରେ ନେଇଗଲା ପାଖରେ ଥିବା ଅବଧୂତ ଆଶ୍ରମକୁ । ଆଶ୍ରମର ମହନ୍ତଙ୍କ ସହ ସାକ୍ଷାତ କରାଇ ନିର୍ଭୟରେ ସେଇଠି ରହିବାର ଭରସା ମଧ୍ୟ ଦେଇଥିଲା । ମହନ୍ତ ମହାରାଜ ଶିବାନନ୍ଦଙ୍କୁ ମନେ ହେଲା ଈଶାକୁ ଯେମିତି ସେ ଚିହ୍ନିଛନ୍ତି କେଜାଣି କେଉଁ କାଳରୁ । ଶ୍ରଦ୍ଧାରେ ମଥା ଆଉଁସି ପଚାରିଲେ ତା’ର ନାଁ ଆଉ ପିତାମାତାଙ୍କ ପରିଚୟ । ଈଶା କହିଲା, ଜନ୍ମରୁ ସେ ଦେଖିନି ତା’ର ମା’ ବାପାଙ୍କୁ । ଯାହାଙ୍କୁ ସେ ମାମି, ଡାଡ଼ି ଡାକୁଛି ସେମାନେ ପ୍ରକୃତରେ ତା’ର ଅଜା ଆଈ । ପ୍ରତିଷ୍ଠିତ ଶିଳ୍ପପତି ଧରଣୀଧର ପଟ୍ଟନାୟକ ହେଉଛନ୍ତି ତା’ର ଡାଡ଼ି ଅର୍ଥାତ୍ ଅଜା । ମାମି କହନ୍ତି, ସମୁଦ୍ର ନେଇଯାଇଛି ତୋର ମା’କୁ । ସେଥିପାଇଁ ସମୁଦ୍ରକୁ ତାଙ୍କର ଖୁବ୍ ଗୋଟେ ଡର । ଥ’ କରି ଚାହିଁଥିଲା ଆପାଲା । ମହନ୍ତ ମହାରାଜଙ୍କ ମୁହଁ କିନ୍ତୁ କହୁଥିଲା ଯେମିତି ସେ ଅଧିକ କିଛି ମନେପକେଇ ପାରୁଛନ୍ତି । ସେ କହିଲେ, “ ମା” ଯେତେଦିନ ଚାହୁଁ ତୁ ରହିପାରୁ ଏଠାରେ ।" ଲକଡାଉନ୍ ସମୟରେ ନିରାହାରଙ୍କୁ ଖାଦ୍ୟ ଯୋଗାଇବା, ମାସ୍କ, ସାନିଟାଇଜର୍ ଇତ୍ୟାଦି ବାଣ୍ଟିବା ଭଳି ଆଶ୍ରମର ସେବା କାର୍ଯ୍ୟରେ ଯୋଗ ଦେଉଥିଲା ଈଶା । ବାକି ସମୟରେ ବେଳାଭୂମି ବୁକୁରେ ଆଙ୍କୁଥିଲା କରୋନା ସଚେତନତାର ବାର୍ତ୍ତା । ଫଟୋ ଉଠାଇ ସୋସିଆଲ୍ ମିଡ଼ିଆରେ ପୋଷ୍ଟ ବି କରୁଥିଲା । ସାଙ୍ଗରେ ଯୋଗ ଦେଉଥିଲା ଆପାଲା । ଗଢୁଥିଲା ମୂର୍ତ୍ତି । ଖୁବ୍ ଶୀଘ୍ର ଆପଣେଇ ନେଉଥିଲା ବାଲୁକା ଶିଳ୍ପର କୌଶଳ ସବୁଙ୍କୁ । ଈଶାର ନିଃସର୍ତ୍ତ ଆପଣାପଣରେ ପତ୍ରେଇ ଯାଉଥିଲା ଆପାଲାର ସ୍ଵପ୍ନ । ସେମାନେ ଉଭୟେ ମିଶି ଆଙ୍କୁଥିଲେ ଜୀବିକା ବିହୀନ ଜୀବନ କଥା, ପ୍ରବାସୀର ଦୁଃଖ କଥା, ସାମାଜିକ ଦୂରତାର କଥା, କରୋନା କବଳିତ କରୁଣ କାହାଣୀ ଇତ୍ୟାଦି ଇତ୍ୟାଦି । ଆପାଲାର ନିଷ୍ଠା ଆଗ୍ରହ ଦେଖି ଈଶା ଭାବୁଥିଲା, ସୁଯୋଗ ଏକ ଉଡ଼ନ୍ତା ଚଢ଼େଇ । କେତେବେଳେ କେଉଁ ଡାଳରେ ଅବା ବସା ବାନ୍ଧିବ । ହେଲେ ସେଥିପାଇଁ ଡାଳବି ନିଜକୁ ଶକ୍ତ କରିଥିବା ଆବଶ୍ୟକ । ସାମର୍ଥ୍ୟ ରଖୁଥିବା ଆବଶ୍ୟକ । ଆପାଲାର ଖଣ୍ଡି ଇଂଗ୍ଲିଶ, ସ୍ପଷ୍ଟ ଉଚ୍ଚାରଣ ତଥା ସଂସ୍କାର ଦେଖି ଈଶା ପଚାରିଲା, “ପାଠ କେତେଯାଏଁ ପଢ଼ିଛ ଆପାଲା ?” 


– ଅଷ୍ଟମ ପାସ୍ । ସେତେବେଳେ ଶ୍ରେଣୀରେ ସେକେଣ୍ଡ ନହେଲେ ଥାର୍ଡ଼ ହେଉଥିଲି ମୁଁ । ହେଲେ ମା’ ଆଉ ଚଳେଇ ପାରିଲାନି । ମୁଁ ଧୀରେ ଧୀରେ ଡଙ୍ଗା ନେଇ ସମୁଦ୍ରକୁ ଗଲି । ଆଉ ସ୍କୁଲ ଗଲିନି । ଟଙ୍କା ରୋଜଗାର କରିବାର ନିଶା ଘାରିଲା । ରୋଜଗାର ନ କଲେ ବଞ୍ଚିଥା’ନ୍ତୁ କେମିତି ? ବାବା ତ ରଖି ଯାଇନି ହାଣ୍ଡିଏ କି ମାଠିଏ ! ରମେୟା ଦାଦି କହୁଥିଲା, “ବାବା କାଳେ ଜୀବନ ଦେଇ ଭଲ ପାଉଥିଲା ଦେବୀ ପ୍ରତିମା ପରି ଜଣେ ସୁନ୍ଦରୀ ମେମ୍ ଙ୍କୁ । ସେ କ’ଣ ପଢ଼ାପଢ଼ି ପାଇଁ କିଛି ଗବେଷଣା କରୁଥିଲେ । ନିଇତି ଆସୁଥିଲେ ଆମ ବସ୍ତିକୁ । ରହୁଥିଲେ ସେହି ମହନ୍ତ ମହାରାଜଙ୍କ ଆଶ୍ରମରେ । ଭାରି ମିଶାଣିଆ ଆଉ ଉଚ୍ଚ ଚିନ୍ତାଧାରାର ଝିଅ ଥିଲେ । କେତେଥର ରମେୟା ଦାଦି ତାଙ୍କୁ ବାଢ଼ି ଦେଇଛି ଇଲିଶି ଭଜା, ପଖାଳ, ପତ୍ରପୋଡ଼ା କୋକଲି, କଙ୍କଡ଼ା ଛେଚା । ଏମିତି କେତେ କଣ । ଆନନ୍ଦରେ ଖାଆନ୍ତି ସେ ଆମ ଝାଟିମାଟି ଘରେ ତଳେ ବସି । ବାବା ସେତେବେଳେ ଯୁଆନ୍ ଟୋକା । ଡଙ୍ଗା ନେଇ ସମୁଦ୍ରକୁ ଯାଏ । ଥରେ ସେଇ ମେମ୍ ଜିଦି କଲେ ତା’ସହ ସମୁଦ୍ର ଭିତରକୁ ଯିବାକୁ । ସେ ମନା କରୁଥିଲା, ହେଲେ ମେମ୍ ଜିଦ୍ କଲେ, ଆଉ ଗଲେ ବି ତା ସହ ।ସମୁଦ୍ର ତ ଉତ୍ତାଳ ଅହରହ । ଢେଉର ଉଠ୍ ପଡ୍ ଭିତରେ ଦୋହଲି ଯାଉଥିଲା ଡଙ୍ଗା । ଅଶାନ୍ତ ପବନ, ଅମାନିଆ ଢେଉ ଆଉ ଅସ୍ଥିର ଡଙ୍ଗାରେ ଭୟଭୀତା ମେମ୍ ଆଖି ବୁଜି ମୁହଁ ଗୁଞ୍ଜି ଦେଉଥିଲେ ବାବାର ଚଉଡ଼ା ଛାତିରେ । ସେଇଠୁ ମିଶିଗଲା ଚାରି ଆଖି । ଠିକଣାଟାଏ ଖୋଜିନେଲା ପ୍ରେମ । ସବୁ ବୈଷମ୍ୟତା ଭୁଲି ନୂଆ କାହାଣୀ ଲେଖିଲା ସମୟ । ଲକ୍ଷେ ଲହଡିଙ୍କ ଆଖିରେ ଥିଲା ଲାଜୁଆ ଚାହାଣୀ । ଶିପ, ଶାମୁକା ଗାଉଥିଲେ ଶବ୍ଦହୀନ ସଙ୍ଗୀତ ।ସମୁଦ୍ରର ସାକ୍ଷ୍ୟ, ସମୀରଣର ସାହାନାଇ, ସୈକତର ସ୍ଵୀକୃତିରେ ଅଭିମନ୍ତ୍ରିତ ହେଲା ମିଳନର ପର୍ବ । ଜହ୍ନରାତିର ଗଜଲରେ ପ୍ରେମ ସଂଚରିଲା ମନରୁ ଦେହକୁ ।ପ୍ରେମ ହିଁ ତ ଆକାଶଠୁ ଆହୁରି ଅସୀମ, ସାଗରଠୁ ଆହୁରି ସୁନୀଳ, ଆହୁରି ଗଭୀର ଯୁଗେ ଯୁଗେ । ଯାହାକୁ ଭୋଗି ନେଉଥିଲେ ବାବା ଆଉ ମେମ୍ ।


ସଂସାର କଡ଼ ଲେଉଟେଇବାକୁ ସମୟ ଲାଗେନି । ସବୁକିଛି ଓଲଟପାଇ ହୋଇ ଯାଇପାରେ ନିୟତିର ନିର୍ଦ୍ଦେଶରେ । ମେମ୍ ଙ୍କୁ ଫେରିଯିବାର ଥିଲା ସହରକୁ, ପ୍ରାଚୁର୍ଯ୍ୟର ବେଷ୍ଟନୀକୁ, ହେଲେ ହୃଦୟ ବନ୍ଧା ପଡ଼ିଥିଲା ଚନ୍ଦ୍ରଭାଗାର ଚଉହଦୀରେ । ଗର୍ଭ ତାଙ୍କର କଳୁଷିତ ହୋଇଛି ବୋଲି ଯେତେବେଳେ ଧିକ୍କାରିଲେ ମେମ୍ ଙ୍କର ଧନୀ ପିତା, ସେ ପୁଣି ଫେରି ଆସିଲେ ମହନ୍ତଙ୍କର ଆଶ୍ରମକୁ । ଶିଶୁଟିଏ ଜନ୍ମଦେଲେ ପାପର ଟୀକା ପିନ୍ଧେଇ ଆଉ ଅସରା କୋହକୁ ସାଉଁଟି ସବୁଦିନ ପାଇଁ ଆଦରି ନେଲେ ସାଗରର କୋଳକୁ । କାହିଁକି କେଜାଣି ସମୟ ସହି ପାରେନି ପ୍ରେମର ସୁଖକୁ , ତା’ର ସୁନ୍ଦରପଣକୁ ! ପିନ୍ଧି ପାରେନି ପୁଣ୍ୟର ପାଟଶାଢ଼ୀ ! 


 ସମୁଦ୍ର ବା କୋଉ ଋଣୀ ରହେ କାହାର ! ସେ ବାବାକୁ ଫେରାଇ ଦେଲା ମେମ୍ ର ମଲାଦେହ । ରମେୟା ଦାଦି କହୁଥିଲା, ସେହିଦିନ ଠାରୁ ପାଗଳ ହୋଇ ଯାଇଥିଲା ବାବା। ଭୋଗି ଚାଲିଲା ସମୟର ନିର୍ଦ୍ଦୟପଣକୁ । ଦେବୀ, ଦେବୀ ବୋଲି ଡାକି ବୁଲୁଥିଲା ଚତୁର୍ଦ୍ଦିଗ । ତାଙ୍କର ଚିତ୍ର ଆଙ୍କୁଥିଲା, ଫୁଲ ଦେଇ ସଜଉଥିଲା, ପୂଜା କରୁଥିଲା। ତା’ର ଚେତନ ଅବଚେତନ ମନରେ ଥିଲା କେବଳ ଦେବୀଙ୍କର ଅବସ୍ଥାନ । ସମୁଦ୍ର ଆଗରେ ଛାତି ଫଟେଇ ଚିତ୍କାର କରୁଥିଲା ବାବା । କାରୁଣ୍ୟ କାୟା ବିସ୍ତାରୁଥିଲା ବାଲିର ବୁକୁରେ ।


ଅନ୍ୟମାନେ ତାକୁ ବାହା କରିଦେଲେ ସବୁ ଠିକ୍ ହୋଇଯିବ କହି ଛନ୍ଦିଦେଲେ ମୋ ମା’ ସହ । ହେଲେ ତା’ ହୃଦୟର ଝଙ୍କାର ଶବ୍ଦ ତୋଳୁଥିଲା କେବଳ ଦେବୀର । ମୋ ଜନ୍ମ ହେବାର ଅଳ୍ପଦିନ ପରେ ସେ ସମୁଦ୍ରକୁ ଡଙ୍ଗା ନେଇ ଯାଇଛି ଯେ ଯାଇଛି, ଆଉ ଫେରିନି । ଆଜି ବି ପୂଜା ପାଉଛି ଆମ ଲିପା କାନ୍ଥରେ ବାବା ଆଉ ଦେବୀର ଚିତ୍ର ।


ପ୍ରେମର ଅପୂର୍ଣ୍ଣତାରେ, ଦୁଃଖର ଦୀର୍ଘଶ୍ବାସରେ ମିଳେଇ ଯାଉଥିଲା ଈଶାର ହୃଦୟ । ଗୋଟାପଣେ ଥରୁଥିଲା ସେ ପ୍ରତ୍ୟାଶିତ ଆଶଙ୍କାରେ । ଆପାଲାର ହାତ ଧରି ଉଠାଇ ଈଶା କହିଲା, “ଏବେ ହି ମୁଁ ଦେଖିବାକୁ ଗହେଁ ସେହି ଛବି । ତୁମ ବାବାଙ୍କୁ ଆଉ ସେହି ଦେବୀଙ୍କୁ ।” ତରଙ୍ଗର ପ୍ରବାହ ପରି ସେ କେତେବେଳେ ପହଞ୍ଚି ଯାଇଥିଲା ଆପାଲାର କୁଡ଼ିଆରେ ତାହା ତା’ର ହୋସରେ ନଥିଲା । ଆପାଲା ଦେଖାଇଦେଲା କାନ୍ଥ ଆଡ଼କୁ । ଈଶାର ସବୁ ସନ୍ଦେହକୁ ଚରିତାର୍ଥ କରି ତା’ ପର୍ସରେ ନିରତ ରହିଆସିଥିବା ଅଧାଚିରା ଫଟୋଟି ସହ ମିଶି ଯାଉଥିଲା ଆପାଲା କାନ୍ଥର ଦେବୀ ଚିତ୍ର । 

 ଏବେ ଏବେ ରଙ୍ଗକୁ ଛାଡ଼ି ଯେମିତି ମିଶି ଯାଉଥିଲା ଈଶାର ଆଖି, ଓଠ, ଗାଲ ସବୁ ଆପାଲା ସହ । ‘ଯାଦୁକୀ ଛପ୍ପି’ ପରି ଈଶା ଜାକି ଧରିଲା ଆପାଲାକୁ, ଯେମିତି ଅନୁଭବ କରୁଥିଲା ସେଇଠି ତା’ ବାବାଙ୍କ ଦେହର ବାସ୍ନା, ଛେଉଣ୍ଡ ଜୀବନରେ ପରସ୍ତେ ଆଶ୍ବାସନା । ଆପଲାର ଅଶୁସ୍ନାତ ଆଖିରେ ଚୁମାଟିଏ ଦେଇ ଝଡ଼ ବେଗରେ ସେ ଫେରି ଆସିଲା ଆଶ୍ରମକୁ । ତିନିଦିନ ଧରି ଈଶାକୁ ଜ୍ବର । ଚନ୍ଦ୍ରଭାଗାରୁ ଚିହ୍ନଟ ଚାରି କରୋନା ପଜିଟିଭଙ୍କ ଭିତରେ ଈଶାର ନାଁ ଥିଲା । ନିଜର ପରିଚୟଟେ ସାଉଁଟି ନେବାପରେ ଆଉ କରୋନାକୁ ଭୟ ନଥିଲା ତା’ର । ମେରାଇନ୍ ଡ୍ରାଇଭ୍ ରାସ୍ତାରୁ ଆମ୍ବୁଲାନ୍‌ସର କାଚ ଝରକା ଦେଇ ସେ ଦେଖୁଥିଲା ସମୁଦ୍ରକୁ ତ ତାକୁ କେବଳ ଆପାଲା ହିଁ ଦିଶୁଥିଲା, ଯାହାକୁ ନ୍ୟାୟ ଦେବାକୁ ତାକୁ କରୋନା ସହ ଲଢ଼ି ନିଶ୍ଚୟ ଫେରିବାକୁ ହେବ । ଧୀରେ ଧୀରେ ଝାଉଁବଣ ପଛରେ ଲୁଚିଯାଉଥିଲା ଚନ୍ଦ୍ରଭାଗା ।



Rate this content
Log in

Similar oriya story from Romance