STORYMIRROR

Suchitra Rath

Tragedy

3  

Suchitra Rath

Tragedy

ନିଃଶବ୍ଦ ନିରୁକ୍ତ

ନିଃଶବ୍ଦ ନିରୁକ୍ତ

4 mins
379


   

   ସବୁ ଯନ୍ତ୍ରଣାକୁ କହି ହୁଏନି ଓଠରେ କି ସବୁ କଷ୍ଟକୁ ଉଦ୍ଗାରି ହୁଏନି ଶବ୍ଦରେ । ଛାତିତଳେ କୋହ ହୋଇ , ଆଖି କୋଣରେ ଲୁହ ହୋଇ ରହିଯାଏ କିଛି ବ୍ଯଥା ନିଃଶବ୍ଦରେ ଚିରକାଳ । ସମୟ ଯେତେ ପରସ୍ତ ମାଖି ଚାଲିଲେ ବି ପାଉଁଶ ତଳର ନିଆଁ ପରି ଉଖୁରା ସ୍ମୃତିର ଦଲକାଏ ପବନରେ ତାହା ପୁଣି ଜଳିଉଠେ ଦିକଦିକ୍ ହୋଇ ।ଅଲିଭା ସେମିତି ଜଳୁଥିଲା ପିତୄହରା ହେବାର ଶୋକରେ ।


   ସମୟର ଘୋଡ଼ା ଦୌଡରେ ଶିଶୁରୁ ତରୁଣୀ, କନ୍ଯାରୁ ସ୍ତ୍ରୀ ପୁଣି ସ୍ତ୍ରୀ ରୁ ମାଆକୁ ରୂପାନ୍ତରିତ ହେବାପରେ ବି ଅଲିଭା ଛାଡି ପାରିନି ବାପଘର ପ୍ରତି ତାର ଦୁର୍ବାର ଆକର୍ଷଣ ଆଉ ଭୀଷଣ ଅନୁରକ୍ତିକୁ । ହୁଏତ କୌଣସି ଝିଅ ମୄତ୍ଯୁ ଯାବତ୍ ଅତିକ୍ରମି ଯାଇ ପାରେନି ବାପଘରର ସ୍ନେହ, ଶ୍ରଦ୍ଧା,ଆଦର,ଯତ୍ନ, ଲୋଡାପଣ ଆଉ ଝୁରାପଣକୁ ।ଜୀବନର ପ୍ରତିଟି ମୋଡରେ ଅକୁଣ୍ଠରେ ଲମ୍ବି ଆସୁଥିବା ଅଭୟର ହାତ ,ଆଦରରେ ତୋଳି ଧରୁଥବା ପ୍ରଶସ୍ତ ପଣତ କେବଳ ବାପା ମା'ଙ୍କର ହିଁ ହୋଇ ପାରେ । ହେଲେ ଚଉଦ ଦିନ ହେଲା ଆଖି ବରାବର ଖୋଜୁଥିବା ସେହି ବାପାଙ୍କ ଚେହେରା ଥିଲା ଅନ୍ତର୍ହିତ । କଳ୍ପାନ୍ତରେ ଅନୁଭବ ହେଉଥିଲା କେବଳ ତାଙ୍କର ଶୂନ୍ୟ ବିଚରଣ ।ପ୍ରେତକର୍ମରେ ବାପାଙ୍କର ପ୍ରତିନିଧିତ୍ଵ କରୁଥିବା ସେହି ଅଖଣ୍ଡ ବତୀର ଜଳନ୍ତା ଶିଖାରେ ଅଲିଭାକୁ ବାରମ୍ବାର ଦିଶୁଥିଲା , ବାପାଙ୍କର ସେହି ରୋଗକ୍ଲିଷ୍ଟ ମୁହଁଟା , ଯେଉଁଥିପାଇଁ ଅଲିଭା ବାରମ୍ବାର ଧାଇଁ ଆସୁଥିଲା ବାପଘରକୁ ।

     

      ହାତ ଧରି ଚାଲି ଶିଖେଇ ଥିବା ବାପାଙ୍କୁ ସେ ହାତ ଧରି ଚଲେଇ ନେବାର ଚେଷ୍ଟାରେ ଲାଗି ପଡିଥିଲା । ମୁଣ୍ଡ କୁଣ୍ଡେଇ ଦେଉଥିଲା, ନଖ କାଟି ଦେଉଥିଲା ପାଦରେ ତେଲ ଘଷି ଦେଉଥିଲା । ସତେ ବା ସେ ତାଙ୍କ ଝିଅରୁ ମା' ହୋଇ ଯାଇଥିଲା । ସେ ବୁଝି ବାକୁ ଚାହୁଁ ନଥିଲା ଯେ, ସବୁ କାହାଣୀ ର ଏକ ଅନ୍ତ ଅଛି ।


    ହଠାତ୍ ବଦଳିଯାଇଥିଲା ଘରର ପରିବେଶ । ଲୋକବାକ ଗହଳିଚହଳି ।ବନ୍ଧୁ କୁଟୁମ୍ବଙ୍କର ଲମ୍ବାଧାଡି, ଯାହା ସେ ଅର୍ଜିଥିଲେ ନିଜସ୍ବ ଆତ୍ମୀୟ ପଣରେ । ସେହି ଆତ୍ମୀୟଙ୍କର ଆଶ୍ବସନାରେ ରୁଦ୍ଧ କୋହ ଉଛୁଳି ଉଠୁଥିଲା ପୁନଃ ପୁନଃ ।ନିତି ଦିନର ନିତ୍ୟକର୍ମ ପରି ସେ ସେ ବାପାଙ୍କ ପାଇଁ ବାଢି ଦେଉଥିଲା,ସକାଳୁ ଦାନ୍ତକାଠି, ପାଣି ,ଡାଇବେଟିକ ଜଳଖିଆ, ଖରାବେଳେ ଅନ୍ନ,ଡାଲି ପୁଣି ରାତିରେ ମହାପ୍ରସାଦ ଆଦରରେ ରୀତି ନୀତିକୁ ଆଦରି ।


    ବଡଝିଅ ହିସାବରେ ଅଲିଭା ଯାବତୀୟ ଜଞ୍ଜାଳକୁ ବୁଝି ନେଉଥିବା ବେଳେ କିଛି ଅସମାହିତ ସମସ୍ଯାର ସମାଧାନ ପନ୍ଥା ସେ ବାପାଙ୍କ ଠାରୁ ବୁଝି ନେବାକୁ ଚାହିଁ ରହୁଥିଲା ଶୂନ୍ୟ ଆକାଶକୁ।ଠିକ୍ ସେମିତି ବାପାଙ୍କର ଚେୟାରଟି ବି ପଡିରହିଥିଲା ଶୂନ୍ୟ କୁ ଚାହିଁ ବାଲକୋନିର ନିର୍ଦ୍ଦିଷ୍ଟ କୋଣରେ ଅବିଚଳିତ ଭବରେ ।ଯେଉଁଠି ସେ କାଟିଥାନ୍ତି ତାଙ୍କ କର୍ମଠ ଜୀବନର ଅବସର ମୁହୂର୍ତ୍ତ କିଛି ।ସେହି ଚେୟାର ତାଙ୍କ ଚିନ୍ତା ଚେତନାର ଏକ ମୂକସାକ୍ଷୀ। ଏବେ ଖୁବ୍ ଏକଲା ହୋଇ ପଡିଛି ଯେମିତି । ସେହି କୋଣକୁ ଛାଡି ଦେଲେ ବାକି ସବୁଆଡ ଉତ୍ସବ ମୁଖର । ପତ୍ର ଆସିବ,ଲୋକେ ଖାଇବେ ,ଡକରା ହକରା ହେବ। ଲୁଗାପଟା, ବେଭାରବଟା , ଚୁନ ଧଉଳା , କୁଣିଆ ମୈତ୍ର ସବୁଆଡେ ଗହଳ ଚହଳ ।


   ଠାଏ ନିରୋଳାରେ ବସି ଗଲେ ଅଲିଭା ପୁଣି ହୋଇଯାଏ ବାପ ମନସ୍କ ।ବାପଛେଉଣ୍ଡ ହେବାର ଅସହାୟ ବୋଧରେ ଭାଙ୍ଗିପଡୁଥାଏ ମେରୁଦଣ୍ଡ ।ଆଖିର ଉଷ୍ମ ଲୁହଧାର ଅମାନିଆ ହୋଇ ବୋହି ଚାଲେ ଥଳ କୂଳ ହରା ହୋଇ । ବାପାଙ୍କ ଅବର୍ତ୍ତମାନରେ ସମ୍ପୂର୍ଣ୍ଣ ନିରବି ଯାଇଥିଲା ବୋଉ । ତା' ଚାରିପାଖରେ ଘେରିଥିଲା କେବଳ ମେଞ୍ଚାଏ ଅନ୍ଧାର । ଏକ ଜୀବନ୍ମୄତ ଅବସ୍ଥାରେ ହୄଦୟର ସବୁ ଶୂନ୍ଯତାକୁ ସେ ବୋଳିଦେଇଥିଲା ମଥାରେ ।ସବୁ ସୌଭାଗ୍ୟରୁ ଅନ୍ତର ହୋଇ ଖୋଲା ଥାକଟାରେ ଗୋଡମୁଦି ହଳକ ତାର ଦୋହଲୁଥିଲେ ଏକଲାପଣର ମନ୍ତ୍ର ଗାଇ ।ସେଇ ଘର ସେଇ ଖଟକୁ ଆବୋରି ବସିଥାଏ ବୋଉ ଯେଉଁଠି ସେ ବାପାଙ୍କ ସହ କଟାଇଥିଲା ଅନେକ ମାନ, ଅଭିମାନ, ଅନୁରାଗ, ବିରାଗର ପର୍ବ ।ସେଇଠି ମିଶି ଦୁହେଁ ଆଙ୍କିଥିବେ ଆମମାନଙ୍କ ଭବିଷ୍ୟତର ସୁନେଲି ସ୍ବପ୍ନ , ସମ୍ଭାଳି ଥବେ ଆମ ରାଗରୁଷା ଆଉ ମିଠାଝଗଡା ଯେତେ ।ଏବେ ତ ଯନ୍ତ୍ରଣାଦଗ୍ଧ ମୁହଁରେ ତାର ବେଢିଯାଇଛି କେବଳ କାରୁଣ୍ଯର କଳାଛାଇ ।  


     ଅଲିଭା କୋହ ସମ୍ଭାଳି ନପାରି ବହାରକୁ ଚାଲି ଆସିଲେ ଦାଣ୍ଡଦୁଆରେ ତାକୁ ପୁନଶ୍ଚ ଗ୍ରାସ କରେ ସେହି ଶେଷ ଦୄଶ୍ଯର ବିକଳପଣ । ବାରମ୍ବାର ଦିଶିଯାଏ ବାପାଙ୍କ ମେଲାଣି ନେବାର ବେଳା । ତାଙ୍କ ସ୍ନେହାପ୍ଲୁତ ହାତରେ ବର୍ଦ୍ଧିତ ବଗିଚାରୁ ଝରିପଡେ କରବୀର , ମଧୁମାଳତୀ , ଯେମିତି ଶେଷଥର ଲାଗି ବାପାଙ୍କ ଉଦ୍ଦେଶ୍ୟରେ ବିଞ୍ଚି ଦେଉଛନ୍ତି ଆଞ୍ଜୁଳାଏ ଶ୍ରଦ୍ଧାଞ୍ଜଳି । ଧୈର୍ଯ୍ୟ ଧରି ନପାରି ଅଲିଭା ଦଉଡି ଯାଏ ବାଡିପଟକୁ , ଯେଉଁଠି ଜହ୍ନ, ବାଦଲର ଛାଇ ଆଲୁଅ ଖେଳ ଭିତରେ ଚାଲିଥିଲା ସମ୍ପର୍କୀୟଙ୍କ ସୁଖ ଦୁଃଖର ମିଶ୍ର କଥା ।ଅଲିଭା ଘଡିଏ ବସିଲା ସେଠାରେ ।ସେମାନଙ୍କ ଆଖିରେ ସେ ଦେଖି ପାରୁଥିଲା ନିଜ ପ୍ରତି ଅନୁକମ୍ପା ।ସେଠାରେ ବି ଥିଲା ବାପାଙ୍କର ସ୍ପର୍ଶ। ରଜନୀଗନ୍ଧା ମଲ୍କୀର ବିତରିତ ସୁବାସ ପବନରେ ମିଶି ହୁଏତ ଖୋଜୁଥିଲା ସେହି ଶୂନ୍ଯଦେହୀଙ୍କୁ ।


     ବାରପତ୍ର ଭୋଜି ପରେ ଆପଣା କର୍ତ୍ତବ୍ୟ ସାରି ଫେରିଗଲେଣି ବନ୍ଧୁ ବାନ୍ଧବ । ଘରେ କେବଳ ଭାଇ ଭଉଣୀ, ଜ୍ବାଇଁ ଆଉ ପିଲାଏ । ବାପାଙ୍କ ଅବର୍ତ୍ତମାନ ସହ ତାଳ ମିଶାଇ ଚାଲିବାକୁ ଚେଷ୍ଟା କରି ବି ହାରି ଯାଉଥିଲେ ସମସ୍ତେ ।ଏକାକୀତ୍ବର ପାହାଡ ତଳେ ଦବି ଯାଉଥିଲା ବୋଉ ।ବାପଘର ବୋଲ ଅନୁରାଗର ଯେଉଁ ନିରବ ଧାରା ନିରନ୍ତର ବୋହିଚାଲେ ନିଜ ସହ, ଆଜି ସେହି ଅଭାବବୋଧରେ ଘାଣ୍ଟି ଚକଟି ହେଉଛନ୍ତି ଅଲିଭା ଓ ସାନ ଭଉଣୀ ଅମିତା ।କିନ୍ତୁ ପ୍ରତ୍ୟେକ ପରସ୍ପର ପ୍ରତି ବାନ୍ଧି ହୋଇ ରହି ଥଲେ , ଯେମିତି ସଂସ୍କାରରେ ବାପା ଗଢିଛନ୍ତି ତାଙ୍କୁ ।ଅନାବିଳ, ଅକପଟ ଭାବ ରଖି ଦୁଃଖ ବାଣ୍ଟି ନେଵାରେ ଭାଇ ଭଉଣୀ ହିଁ ମାଧ୍ଯମ ହୋଇଥିଲେ ପରସ୍ପରର। ସେମାନେ ଦେଖଛନ୍ତି, ଯୌଥ ପରିବାର ପ୍ରତି ବପାଙ୍କର ତ୍ଯାଗ, ଜେଜେ ମା' ଙ୍କ ପ୍ରତି ତାଙ୍କର ସମର୍ପିତ ସେବା, ସହୋଦରଙ୍କ ପ୍ରତି ଚିର କ୍ଷମାଶୀଳ ହୄଦୟ, ତପୋମୟ ଜୀବନ ପୁଣି ଅଥଳ ସାଗରରେ ତାଙ୍କର ଧୈର୍ଯ୍ୟର ପୋତ କେତେ ଯେ ସୁଦୄଢ଼ !


    ପିଲାଦିନ ସ୍ମୄତି ସବୁ ମନେପଡେ ଗୋଟିଗୋଟି । ଏକାନ୍ନବର୍ତ୍ତୀ ପରିବାରର ଧାଡି ବାନ୍ଧି ଖିଆପିଆ,ପର୍ବପର୍ବାଣି, ଯାନିଯାତ୍ରା ବୁଲାବୁଲି, ସିନେମା ଦେଖା.......।ସବୁଥିରେ ବପାଙ୍କର ଉପସ୍ଥିତି ଥାଉ ନଥାଉ ସମ୍ମତି କନ୍ତୁ ନିଆଯାଏ । ବାପାଙ୍କର ପ୍ରଚେଷ୍ଟା ସତ୍ଵେ ସମ୍ପର୍କର ସେହି ଗତିଶୀଳତା କେବେଠୁ ଧୀମେଇ ଗଲାଣି ।ତଥାପି ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ରକ୍ଷା କରି ପାରି ଥିବାରୁ ବାପା ଯେ ନିଶ୍ଚୟ ଖୁସି ହେଉଥିବେ ଭାବି ଆଶ୍ବସ୍ତ ହେଉଥିଲା ଅଲିଭା ।

    ଚଉଦ ଦିନ ଯାଏଁ ବି ଘରେ ପତ୍ରରେ ଖିଆପିଆ ଚାଲିଥିଲା ।ଅଲିଭା ଅଇଁଠା ପତ୍ରତକ ଉଠାଇନେଇ ସଫା ସୁତରା କରି ସାରିବା ପରେ ବସି ପଡିଥିଲା ବାପାଙ୍କର ସେହି ନିର୍ଦ୍ଦିଷ୍ଟ ଚେୟାରରେ । ମୁଦି ହୋଇ ଯାଇଥିବା ଆଖି କୋଣରୁ କରୁଣତାରେ ଝରି ପଡିଥିଲା ଧାରେ ଲୁହ ତା ଚିବୁକ ଉପରେ । ତେବେ ସବୁ ସତକୁ ମିଛ କରି ବାପା ଆସି ଠିଆ ହୋଇଥିଲେ ତା' ପାଖରେ , ଆଉ ତାଙ୍କ ଆଶ୍ବାସନାମୟ ହାତରେ ତା' ମଥାରେ ଦେଇଥିଲେ କୋମଳ ସ୍ପର୍ଶ । ଆଶ୍ଚର୍ଯ୍ୟ ଚକିତ ହୋଇ ସେ ଆଖି ଖୋଲିଲା ,ଆଖି ପୁରେଇ ପୁଣି ଥରେ ବାପାଙ୍କୁ ଦେଖି ନେବା ପାଇଁ । ହେଲେ ଏ କଣ ! ଲୁହ ଟଳମଳ ଆଖିରେ ପାଖରେ ଠିଆ ହୋଇଛି ଅମିତା ।ଅଲିଭା ବୁଝିପାରିଲା, ଅମିତାର ଆତ୍ମୀୟ ସ୍ପର୍ଶରେ ଛାଇ ନିଦରୁ ସେ ସଜ୍ଞା ପାଇଛି । ଅମିତା କହୁଥିଲା,' ନାନୀ ଫ୍ଲାଇଟ ବେଳ ହେଲାଣି, ଆମେ ବାହାରିଲୁ । ବୋଉ କଥା ତତେ ଲାଗିଲା ।' ଏତକ ଶୁଣି ଭିତରେ ଭିତରେ ଫାଟି ପଡୁଥିଲା ଅଲିଭା ।ଭାଇ ଭଉଣୀ ଦୁହେଁ ଏବେ ଫେରିଯିବେ ନିଜ ନିଜ କର୍ମକ୍ଷେତ୍ରକୁ।ପରିସ୍ଥିତିକୁ ସାମନା କରି ନପାରି ଭାଇ ପଛକରି ଛିଡା ହୋଇଛି , କାର୍ ଆଡକୁ ମୁହଁ କରି । ପୁଣି ବିଦାୟର ଏକ କରୁଣ ପର୍ବ ।ଅଲିଭାକୁ ଇଚ୍ଛା ହେଉଥିଲା ଚିତ୍କାର କରି କାନ୍ଦିବାକୁ । ହେଲେ ନିଜକୁ ରୋକି ନେଇ ବୋଉ କୁ ସମ୍ଭାଳି ନେବାକୁ ପ୍ରତିଶ୍ରୁତିି ଦେଇ ବିଦାୟ ଦେଇଥିଲା ସେମାନଙ୍କୁ । କ୍ରମେ ଦୄଷ୍ଟିରୁ ଦୄଶ୍ଯାନ୍ତର ହେଉଥିଲା ସେମାନଙ୍କ କାର୍ ।ଅଲିଭାର ଆହତ ଛାତିର କମ୍ପନରେ ଶୁଭୁଥିଲା, ବାରମ୍ବାର ବାପା ବୁଝାଇଥିବା ବାଣୀ, ଜାତସ୍ଯ ହି ଧୄବ ମୄତ୍ଯୁ.......

ବାସାଂସି ଜୀର୍ଣ୍ଣାନି ଯଥା ବିହାୟ.....।

ତଥାପି ମାୟା ବନ୍ଧନରୁ ମୁକୁଳିବାରେ ବିଫଳ ହେଉଥିଲା ଅଲିଭା ।

       



Rate this content
Log in

Similar oriya story from Tragedy