Padmalaya Padhy

Inspirational

3  

Padmalaya Padhy

Inspirational

ଚିତା କୁଟା

ଚିତା କୁଟା

3 mins
114



ସେଦିନ ସକାଳୁ କାଦମ୍ବିନୀଙ୍କର ମୁଣ୍ଡ ଗରମ ଥାଏ l ରୁପସୀ ଉପରେ ରାଗିକି ପାରା ଚଢ଼ି ଯାଇଥାଏ l ଆସୁ ଆଜି ସିଏ କଣ ଭାବୁଛି କି ? ଦରମା ନେଉନାହିଁ ନା କଣ ମାଗଣା କାମ କରୁଛି ? ଗତ କାଲି ରାତିରେ ରୁପସୀ ଖବର ନଦେଇ ରହିଗଲା l ଫୋନ ତ କରି ପାରିଥାନ୍ତା l ଆଠଟା ପର୍ଯ୍ୟନ୍ତ ଅପେକ୍ଷା କରି କରି ଶେଷକୁ ନିଜେ ଯାଇ ବାସନ ମାଜି ବସିଲେ l ଏତେ ଖାମ ଖିଆଲି ବୁଦ୍ଧି ତାର ଆଜି ଛାଡି ଯିବ l ସକାଳୁ ରୁପସୀ ଆସି ପହଞ୍ଚିଲା l ଜାଣିଛି ସେ ଆଜି କେତେ କଥା ଶୁଣିବ ମାଆଙ୍କ ଠାରୁ l କଣ କରିବ ଆସି ପାରିଲେ ହେବ ନା l ଶେଜରୁ ଉଠି ହେଉ ନଥିଲା କରିବ କଣ l ଡରି ମରି ଗେଟ ଖୋଲି ଭିତରକୁ ପଶିଲା ରୁପସୀ l ଯା ହେଉ ଦୟାକରି ଚାଲି ଆସିଲୁ ତା ହେଲେ l ତୋ ଦୟାରେ ତ ଆମେ ମାନେ ବଞ୍ଚିଛୁ l


ଜର ହୋଇଗଲା ମା l ରାତି ସାରା ଶୋଇଛି ଯେ ଶୋଇଛି l


ହଠାତ କଣ ହେଇଗଲା ତୋତେ ? ସକାଳେ ତ ଠିକଠାକ ଥିଲୁ ତୁ l କିଛି ସମୟ ଚିନ୍ତା କରି ରୁପସୀ ଡାହାଣା ହାତଟି କାଢ଼ି ଦେଖାଇଲା l ଟାଟୁ ଖୋଦେଇଛି ରୁପସୀ l ହାତ ଉପରେ ରୁପସୀର ସ୍ୱାମୀ ରମେଶର ନାଁ ଲେଖା ଯାଇଛି l ସେ ଜାଗାଟା ନାଲି ପଡି ଯାଇଛି l


ଟାଟୁ କରି ଜରରେ ପଡ଼ିଲୁ ନା l ତୁ ବି ଆଜିକାଲି ପିଲାଙ୍କ ସାଙ୍ଗେ ପିଲା ଭଳିଆ ହେଉଛୁ l କଣ ମିଳିଲା ଏଥିରୁ ? ଜର ? ଦେହ କଷ୍ଟ ? କଣ ପାଇଁ ଏଇ ସବୁ ? ପୁଣି ସେଇ ଲୋକର ନାଁ କୁ ଖୋଦେଇଛୁ ଯିଏ ଧର୍ମକୁ ସାକ୍ଷୀ ରଖି ହାତ ଧରି ପୁଣି ଅଧା ବାଟରେ ଛାଡ଼ିଦେଇ ଆଉ କାହା ସହିତ ସଂସାର କରୁଛି l

ସିଏ କୁଆଡେ ଯିବ ମା ? ଏଇ ଦେଖ ଚିର ଦିନ ପାଇଁ ମୋ ଶେଷ ନିଶ୍ୱାସ ଚାଲିଥିବା ଯାଏଁ ରହିଗଲା ନା ମୋ ହାତରେ l କୁଆଡେ ଯିବ କେମିତି ଯିବ ଦେଖିବା କହି ରୁପସୀ କାମ କରିବାକୁ ଚାଲିଗଲା l


ରୁପସୀର ଦମ୍ଭ ତାର ଅଦ୍ଭୁତ ମନସ୍ତତ୍ଵ ଦେଖି କେତେ କଥା ଭାବୁ ଭାବୁ ଅଚାନକ କାଦମ୍ବିନୀଙ୍କ ହାତଟି ଚାଲି ଯାଇଥିଲା ନିଜ ବେକ ପଛକୁ l ପିଜି କଲାବେଳେ ଇଂଲିଶର ଏ ଅକ୍ଷରକୁ ନେଇ ସେ ଏକ ଟାଟୁ କରିଥିଲେ l କାହାପାଇଁ ? ଅରିନ୍ଦମ ଛଡା ଆଉ କିଏ ଥିଲା ଯେ ତାଙ୍କର ? ଗୋଟିଏ ବିଷୟ ନେଇ ପଢ଼ୁଥିଲେ ଦୁହେଁ l ତାଙ୍କର ଫିଫଥ ଇଅରକୁ ଅରିନ୍ଦମର ସିକ୍ସଥ ଇଅର l ଜୀବନରେ କେବେ ବି ଅରିନ୍ଦମ ଠାରୁ ଅଲଗା ରହିବା କଥା ଚିନ୍ତା କରି ନଥିଲେ l ବେଳେ ବେଳେ ଯାହା ଚିନ୍ତା କରିବାକୁ ଭୟ ଲାଗେ ତାହା ସତକୁ ସତ ଘଟିଯାଏ l ଅରିନ୍ଦମ ଓଏଏସ ପାଇଲା ପରେ ଧୀରେ ଧୀରେ କଦମ୍ବିନୀଙ୍କ ଠାରୁ ଦୁରେଇ ଯାଉଥିଲା ଯାହା ତାଙ୍କ ପାଇଁ ଅସହ୍ୟ ଥିଲା l କାଦମ୍ବିନୀ କୋଉଠୁ ଶୁଣିଲେ ଯେ ଯାହାକୁ ଭଲ ପାଉଥିବ ତା ନାମର ଟାଟୁ ଖୋଦେଇ କଲେ ସେ କେବେ ବି ପାଖ ଛାଡି ଯିବ ନାହିଁ ବୋଲି l ସେତେବେଳେ ରାଜମହଲ ଛକରେ ଯାଇ କେବଳ ଏ ଅକ୍ଷରର ଟାଟୁ ପୁଣି ବେକ ପଛ ପାଖରେ ଖୋଦେଇ କରିଥିଲେ l


ଲମ୍ବା ଚୁଟି ଥିଲା ତେଣୁ ଘୋଡେଇ ରଖି ହେଉଥିଲା ଏବଂ ଘର ଲୋକ କେହି ତାର ଟେର ବି ପାଇଲେ ନାହିଁ l ଟାଟୁ କଲା ପରେ ବି ପରିସ୍ଥିତି ସୁଧୁରି ନଥିଲା l ଅରିନ୍ଦମ କ୍ରମଶଃ ଦୁରେଇ ଯାଉଥିଲା ତାଙ୍କ ଠାରୁ l ଅନେକ ସମୟରେ ଆତ୍ମହତ୍ୟା କରିବା କଥା ଭାବୁଥିଲେ ସେ l ପରିଶେଷରେ ଅରିନ୍ଦମ ତାର ଜଣେ ସହକର୍ମିଣୀକୁ ପ୍ରେମ ବିବାହ କଲା l ଏତେସବୁ ହେଲା ପରେ ବି ସେ ମରି ପାରିଲେ ନାହିଁ l ଅନେକ ଚେଷ୍ଟା କରିଥିବେ ଟାଟୁକୁ ଛଡାଇବା ପାଇଁ ହେଲେ ଟାଟୁ ଟି ଟିକିଏ ବି ମଳିନ ହୋଇ ନଥିଲା l


ଏହାର ଦୁଇ ବର୍ଷ ପରେ ଅମ୍ଲାନଙ୍କୁ ବିବାହ କଲେ l ପ୍ରଥମେ ପ୍ରଥମେ ତ ଅମ୍ଲାନଙ୍କ ସହ କଦମ୍ବିନୀଙ୍କ ଘରକରଣା ଠିକ ଠାକ ଚାଲୁ ନଥିଲା l ଘରେ ଥିଲେ ଅମ୍ଲାନ ସର୍ବଦା ବୀତସ୍ପୃହ ହୋଇ ରହୁଥିଲେ l କୌଣସି କଥାରେ ଆଗ୍ରହ ନାହିଁ ସତେ ଯେପରି ତାଙ୍କୁ କଦମ୍ବିନୀଙ୍କ ସହ ବାଧ୍ୟ ବାଧକତାରେ ରହିବାକୁ ପଡୁଛି l କାଦମ୍ବିନୀ ବି ଭାବୁଥିଲେ ଯେ ସେ ହୁଏତ ଅମ୍ଲାନଙ୍କର ଯତ୍ନ ଭଲରେ ନେଇ ପାରୁ ନାହାନ୍ତି କି ଘର କାମରେ ବ୍ୟସ୍ତ ରହି ତାଙ୍କୁ ନଜର ଦେଇ ପାରୁ ନାହାନ୍ତି ବୋଲି ଅମ୍ଲାନ ଅସନ୍ତୁଷ୍ଟ l


ଦିନେ ଅସତର୍କ ହୋଇ କାଦମ୍ବିନୀ ମୁଣ୍ଡ କୁଣ୍ଡାଇଲା ବେଳେ ଅମ୍ଲାନ ଟାଟୁଟି ଦେଖିଦେଲେ ଏବଂ ଭାବି ବସିଲେ ଯେ ତାଙ୍କ ନାମର ପ୍ରଥମ ଅକ୍ଷରରେ ହିଁ କାଦମ୍ବିନୀ ଟାଟୁ ବନେଇଛନ୍ତି l କାଦମ୍ବିନୀ ପ୍ରତ୍ୟୁତ୍ତରରେ ନିରବ ରହିଥିଲେ ହେଁ ଅମ୍ଲାନ ମନେ ମନେ ଅତ୍ୟନ୍ତ ଖୁସି ହୋଇ ଯାଇଥିଲେ ଏବଂ ତା ପରେ ତାଙ୍କର ବ୍ୟବହାରରେ ଅଭୁତପୁର୍ବ ପରିବର୍ତ୍ତନ ଆସିବା ଆରମ୍ଭ ହେଲା ଏବଂ ସବୁ କିଛି ଧୀରେ ଧୀରେ ସୁରୁଖୁରୁରେ ଚାଲିଲା l


ଦୁଇଟି ନାରୀ ଦୁଇଟି ଘଟଣାରେ ନିଜ ନିଜର ଅସହାୟତାକୁ ସାମ୍ନା କରିବାକୁ ଯାଇ ଦୁଇଟି ଉପାୟ ଆପଣେଇଛନ୍ତି l ଜଣେ ରୁପସୀ ସ୍ୱାମୀ ଉପରେ ସିନା କର୍ତ୍ତୃତ୍ୱ ନାହିଁ କିନ୍ତୁ ସ୍ୱାମୀର ନାଁ ଉପରେ ରହିଛି l ତାହା ନିଜର ବୈବାହିକ ଜୀବନର ବିଫଳତାକୁ ଭୁଲିବାରେ ସହାୟକ ହୋଇଛି l ଆଉ ଜଣେ କାଦମ୍ବିନୀ କାହାକୁ ମନରେ ବସାଇ ଦେବତାର ଆସନ ଦେଇ ତା ନାମରେ ଚିତା କୁଟେଇ ଥିଲେ କିନ୍ତୁ ସେ ତାର ମୂଲ୍ୟ ନବୁଝିଲେ ବି ତାଙ୍କ ସ୍ୱାମୀ ଭୁଲ ବୁଝିବାରୁ ହିଁ ଉଭୟଙ୍କର ମଙ୍ଗଳ ହେଲା l


Rate this content
Log in

Similar oriya story from Inspirational