Aravinda Das

Inspirational Tragedy

3  

Aravinda Das

Inspirational Tragedy

ଛୁଆ

ଛୁଆ

3 mins
628


ଝରଣାକୁ ଦେଖି ଖୁସି ହୋଇଗଲେ ଗୀତା।

ଏତେ ବର୍ଷ ପରେ ଦୁଇ ସାଙ୍ଗ ପରସ୍ପରକୁ ଭେଟୁଥିଲେ।

- ଗୋଟାଏ ରାତି ଏଇଠି ରହି ପରଦିନ ଚାଲିଯିବୁ।ଦୁଇସାଙ୍ଗ ମନ ଇଛା ଗପିବା।"ଅନେକ ଥର ଗୀତା ଫୋନରେ କହିଛନ୍ତି ଝରଣାକୁ।

ପିଲାବେଳ କଥାଠୁ ନେଇ କଲେଜ ବେଳ,ଘର କଥା,ସାଙ୍ଗ ମାନଙ୍କ କଥାଠୁ ଆରମ୍ଭ କରି ପରିବା ରେଟ,ରାଜନୀତି କିଛି ବାଦ ପଡିନଥିଲା ଆଲୋଚନା ରୁ।ଦୁଇ ମହିଳା ସାଙ୍ଗ ଏକାଠି ହେଲେ ଯାହା ହୁଏ।ତେବେ ଗୋଟାଏ ଜିନିଷ ଯାହା ଝରଣାକୁ ଭଲ ଲାଗୁନଥିଲା ତାହା ଥିଲା ବାନ୍ଧବୀ ଗୀତା'ର କୁକୁର ପ୍ରେମ।

ଗୀତା ପାଳିଥିବା ଲାବ୍ରାଡ଼ର କୁକୁର ନାଁ ଥିଲା "ମୋତି"। ସେଥିରେ ପୁଣି ତା'ର ତିନିଟାଛୁଆ ;

ହୀରା,ନିଳା,ଟାଇଗର।ଦୁଇଟା ମାଈ ଓ ଗୋଟେ ଅଣ୍ଡିରା ଛୁଆ।

କୁକୁରଙ୍କୁ ଜମା ପସନ୍ଦ କରେନା ଝରଣା।ଏମିତିରେ ତାକୁ ଡର ଓ ସେମାନଙ୍କ ଲାଳ, ରୁମ,ଭୁକାଭୁକି ପାଇଁ ବିରକ୍ତ ବି ଲାଗେ ତାକୁ।

- ଏ କୁକୁର ଗୁଡାକ ତୋ ବିଛଣାରେ ଶୋଉଛନ୍ତି ?ମୁହଁ,ଦେହରେ ଏମିତି ଘସି ହେଉଛନ୍ତି ଯେ ଇନଫେକ୍ସନ ହୋଇଯିବ। ଛିଃ, ତୋତେ ଅସନା ଲାଗୁନି।

ଗୋଟେ ଛୁଆକୁ ଗେଲ କରିଦେଇ ଗୀତା କହିଲା,"କେତେ ଗୁଳୁଗୁଲିଆ ହୋଇଛନ୍ତି ଦେଖିଲୁ ?ଅନେକ ସାଙ୍ଗ,ବନ୍ଧୁବାନ୍ଧବ ଏ ଛୁଆ ଗୁଡାଙ୍କୁ ନେବା ପାଇଁ ମୋ ସହ ଲଗାଇଛନ୍ତି।ଏ ଗୁଡାକ ପରା ମୋ ନିଜ ଛୁଆଙ୍କ ଠାରୁ ବଳି ଗଲେଣି।ମୋତି ତ ଛୋଟ ବେଳୁ ମୋ କୋଳରେ ଶୁଏ।ପ୍ରବୀର ବି ଏମାନଙ୍କୁ ଖୁବ ଭଲ ପାଆନ୍ତି।ଦେଖିଲୁ କେତେ ନିରୀହ ଏମାନଙ୍କ ଚାହାଣୀ ?ମୋର ଟାଇମ ଏମାନଙ୍କ ଯୋଗୁଁ ପାସ ହୋଇଯାଉଛି।ତୁ ବି ଗୋଟେ ପାଳୁନୁ ? ଏମାନଙ୍କ ପାଇଁ ଡ୍ରେସ ବି ମୁଁ ତିଆରି କରିଛି।ଏଇ ଛୋଟ ଛୋଟ ବିଛଣା ତାଙ୍କ ପାଇଁ, ହେଲେ ସବୁ ଗୁଡାକ ମୋରି ପାଖରେ ଗୁଞ୍ଜି ହୋଇ ଶୋଇବେ।"

ନାସିକା ଭୃକୁଞ୍ଚନ କରି ଝରଣା କହିଲା,"ଜମା ନୁହେଁ।ପିଲାବେଳେ ଗୋଟେ କୁକୁର କାମୁଡି ଥିଲା ବୋଲି ପେଟରେ ୧୬ ଟା ଇଞ୍ଜେକ୍ସନ ର ଦରଜ ଆଜି ଯାଏଁ ମନେ ଅଛି।ତାଛଡା ଏଗୁଡାଙ୍କୁ ରଖିଲେ ତମେ ଘରୁ କୁଆଡେ ଯାଇ ପାରିବ ନାହିଁ।କେଉଁଠି ହଗିଲା,କେଉଁଠି ମୁତିଲା, ସକାଳ ସଂଜରେ ବୁଲାଇବାକୁ ନିଅ,ଭଳିକି ଭଳି ଖାଇବା ଜିନିଷ କିଣି ଖର୍ଚାନ୍ତ ,ଡାକ୍ତର ପାଖକୁ ନିଅ।ଓହୋ ଏ ବୁଢ଼ା ବୁଢ଼ୀ ବୟସରେ ନିଜ କଥା ବୁଝିବା ଆମ ପାଇଁ କଷ୍ଟ।ଏ କୁକୁର ଧନ୍ଦା କିଏ କରିବ ?ତୋର ସିନା ଲୋକ ଅଛନ୍ତି କାମ କରିବାକୁ।"

ଟିକେ ହସିଦେଇ ପୁଣି କହିଲା,"ରାତିରେ ମୋ ପାଇଁ ଅଲଗା ବିଛଣା କରିବୁ।ତୋ କୁକୁର ବିଛଣାରେ ମୋତେ ନିଦ ହେବନି।"

ଗୀତା ଉଠିଗଲେ ଚା,ଜଳଖିଆ ଆଣିବାକୁ।

ଝରଣା ଦେଖୁଥିଲା କୁକୁର ଛୁଆ ଗୁଡାକ ତା ଦେହରେ ଘସି ହୋଇ ଗେଲ ହେଉଥିଲେ ଓ ତାକୁ ଅନାଉଥିଲେ।ବୋଧ ହୁଏ ସେମାନେ ଭାବୁଥିଲେ ଝରଣା ବି ସେମାନଙ୍କୁ ଗେଲ କରିବ।ଠେଲି ଦେଲା ସେମାନଙ୍କୁ ନିଜ ଉପରୁ।ଗୋଟାଏ ତ ଟିକେ ଭୁକି ବି ଦେଲା।

ହସିଦେଲା ଝରଣା।ମେଞ୍ଚଡ଼ ଛୁଆ ତାକୁ ଡ଼ରାଉଛି ?

ଗୀତା ଚା ଓ କେକ୍ ନେଇ ଆସିଲା।କେକ ଖାଉ ଖାଉ ନିଜ ମୋବାଇଲ ରେ ଏକ ଭିଡିଓ ଦେଖାଇଲା।

- ହୀରା,ନୀଳା,ଟାଇଗର ଙ୍କ ଜନ୍ମଦିନ ଭିଡିଓ ଦେଖେ।କେକ୍ ବି କାଟିଥିଲି।

- ଏଇ କେକ୍ ସେଇ ଦିନ ର କେକ୍ ନା କଣ ?

- ନାଇଁ ନାଇଁ ,ଏଇ ଭିଡିଓ ତିନି ମାସ ତଳର।ଗତ କାଲି ଏମାନଙ୍କ ମା,ମୋତି ର ଜନ୍ମଦିନ ଥିଲା।ନିଜ ହାତରେ କେକ୍ ବନାଇଥିଲି।

- ତୁ କୁକୁରଙ୍କ ପାଇଁ କେକ୍ ବନାଉଛୁ, ଡ୍ରେସ ତିଆରି କରୁଛୁ ?ତୋର ଆଉ କାମ ଧନ୍ଦା ନାହିଁ କି ? ମୁଣ୍ଡ ତୋର ଖରାପ ହେଲାଣି ଏମାନଙ୍କ ସହ ରହି ରହି।ତୋ ନିଜ ପିଲା,ନାତି ନାତୁଣୀଙ୍କ ଯତ୍ନ ଏମିତି ବୋଧେ ନେଇନଥିବୁ।"

ଟିକିଏ ରହିଗଲା ଗୀତା।କାନ୍ଥରେ ଟଙ୍ଗା ହୋଇଥବା ଫଟ କୁ ଅନେଇ ଦୀର୍ଘ ନିଶ୍ବାସ ନେଇ କହିଲା,"କଣ ଆଉ କରିବି ? ନିଜ ପିଲା ପାଖରେ ଥିଲେ ଏମାନେ କଣ ଲୋଡ଼ା ପଡ଼ନ୍ତେ ?ଏତେ ବର୍ଷ ପାଳି,ପୋଷି ବଡ଼ କରିବ,ନିଜ ଜୀବନକୁ ତିଳ ତିଳ କରି ସେମାନଙ୍କ ପଛରେ ସାରିବ।କିନ୍ତୁ ସେମାନେ ତମ ମମତା ର ମୂଲ୍ୟ କଣ ବୁଝନ୍ତି ? ପିଲାଗୁଡାକ ବେଳେବେଳେ ଏମିତି ସ୍ବାର୍ଥପର କାହିଁକି ହୋଇଯାଆନ୍ତି ? ଦେଖୁନୁ ମୋ ଦୁଇ ପୁଅଙ୍କୁ !"

- ରନି ଓ ଟିଟୋ କଣ ...

- ଛାଡ଼ ସେମାନଙ୍କ କଥା।ପିଲାମାନେ ଯେଉଁଠି ଥାଆନ୍ତୁ ଭଲରେ ଥାଆନ୍ତୁ।ସେମାନେ ବୁଢ଼ା ବୁଢ଼ୀ ଦିନରେ ଆମକୁ ନପଚାରିଲେ କଣ ହେଲା ?ବାପା ମା ହିସାବ ରେ ଆମ ସ୍ନେହ ଶ୍ରଦ୍ଧା କଣ ଆମେ ବନ୍ଦ କରିପାରିବା ?ଏଇ କୁକୁର ମାନଙ୍କ ଯୋଗୁଁ ନିଜ ଦୁଃଖ ଭୁଲୁଛି।ସେମାନେ ଏବେ ମୋ ଛୁଆ।ନିସଙ୍ଗତା ଗୋଟେ ବଡ଼ ଅଭିଶାପ ନୁହେଁ କି ?ଏମାନଙ୍କ ଭୁକା ଭୁକି ମୋତେ ଲାଗେ ଯେମିତି ମା,ଜେଜେମା ଡାକ ଭଳି।ଶୁଖିଲା ରୁଟି ଖଣ୍ଡେ ଖାଇ ବି ଏମାନଙ୍କ ପ୍ରତିବାଦ ନାହିଁ,ଆପତ୍ତି ନାହିଁ, କୋର୍ଟ କଚେରୀ କେସ ନାହିଁ,ସମ୍ପତ୍ତି ପାଇଁ ଲୋଭ ବି ନାହିଁ ।ଆଉ ବିଶ୍ବାସ କର,ଏମାନେ ମଣିଷ ଛୁଆ ଭଳି ବିଶ୍ବାସଘାତକ ନୁହଁନ୍ତି।"

ଟିକିଏ ରହି ପୁଣି କହିଲା,"ତୁ କହୁଥିଲୁ ନା,ଏମାନଙ୍କ ରୁମ ଲାଳ ରେ ଇନଫେକ୍ସନ ହୁଏ ବୋଲି ?ଭଲକରି ଦେଖେ ଏମାନଙ୍କ ରୁମ ,ଲାଳରେ ଟିକେ ବି ସ୍ବାର୍ଥ ନାହିଁ।କେଵଳ ଅନ୍ଧ ଭଳି ଭଲ ପାଇବା ଓ ସ୍ନେହ।ଏଥିରୁ ଇନଫେକ୍ସନ ନୁହେଁ କେଵଳ ଭଲ ପାଇବା ସଂକ୍ରମିତ ହୁଏ।"

ଆଖିରେ ଜକେଇ ଆସୁଥିବା ଲୁହକୁ ପୋଛି ପକାଇ ଗୀତା କହିଲା,"ଓହୋ, କି କଥା ସବୁ ପକାଇ ମୁଁ ଆମ ଖୁସି ର ବାତାବରଣକୁ ନଷ୍ଟ କଲିଣି।ଛାଡ଼,ତୋ ପିଲାଙ୍କ କଥା କହ।ହିମାଂଶୁ ଙ୍କ ମୃତ୍ୟୁ ପରେ ତୁ ଏକୁଟିଆ କାହିଁକି ରହୁଛୁ ?ପିଲାଙ୍କ ପାଖକୁ .....

ଗୀତା ପାଟିରେ ହାତ ଦେଇ ଝରଣା କହିଲେ," ଆମ ଦୁହିଁଙ୍କ ଦୁର୍ଭାଗ୍ୟ ବୋଧେ ଏକାଭଳି।ଆମ ଭଳି ଅନେକ ଅଛନ୍ତି ଭାବି ମୁଁ ଆଉ ଚିନ୍ତା କରୁନି।ତେବେ ଅନେକ ସମୟରେ ଭାବେ, ପାଖରେ ନିଜର କିଏ ଗୋଟେ ଥାଆନ୍ତା କି ?

ଦୁଇ ବାନ୍ଧବୀ ପରସ୍ପରକୁ କୁଣ୍ଢାଇ ଧରି କାନ୍ଦୁଥିଲେ ଅନେକ ସମୟ ଯାଏ।ରାତିସାରା ଅନେକ ଭାବିଥିଲା ଝରଣା।

ପରଦିନ ସକାଳେ ବିଦାୟ ନେବା ପୂର୍ବରୁ ଝରଣା, ଗୀତାକୁ କହିଲା," ମୋତେ ଗୋଟେ ଛୁଆ ଦେବୁ ପାଳିବାକୁ ?"

😢(@ଅରବିନ୍ଦ ଦାସ)


Rate this content
Log in

Similar oriya story from Inspirational