STORYMIRROR

Upendra prasad Mahala

Classics Inspirational Thriller

4  

Upendra prasad Mahala

Classics Inspirational Thriller

ଛଳମୟ ଚିତ୍ରପଟ

ଛଳମୟ ଚିତ୍ରପଟ

9 mins
237


ମୋ ପିଲାଦିନର କଥା । ସେତେବେଳେ ଅଣା, ସୁଉକି ଚଳୁଥିଲା । ବର୍ତ୍ତମାନର ଭାରତୀୟ ମୁଦ୍ରା ଉପଲବ୍ଧ ନ ଥିଲା । କଣା ପଇସାକୁ ଆଙ୍ଗୁଳିରେ ପୂରାଇ ଆନନ୍ଦ ପାଉଥିଲୁ । ଥରେ ଗାଁରେ ଯାତ୍ରା ହେଉଥିଲା । ମେଳା ପଡିଥିଲା । ଘରର ବଡପୁଅ ମୁଁ । ବୟସ ସାତ କି ଆଠ ହେବ । ଜଣେ ସାନ ଭାଇଙ୍କୁ ଧରି ରାତି ପ୍ରାୟ ୮ଟା ବେଳେ ଯାତ୍ରା ଦେଖି ବାହାରିଲୁ । ଘର ଲୋକେ ଗଲେ ନାହିଁ । ପଡିଶା ଲୋକ ଓ ସାଂଗଙ୍କ ସହ ମିଶି ଆମେ ଯାଇଥିଲୁ । ବୋଉ ମୋତେ ଓ ମୋ ସାନ ଭାଇକୁ ମଟର, ଚଣା ଖାଇବା ଲାଗି ଗୋଟିଏ ଲେଖାଏ ସୁଉକି ( ଚାରି ଅଣା) ଦେଇଥିଲେ । ମୋ ପାଖରେ ଆଗରୁ ଦଶ ପଇସାର ମୁଦ୍ରା ଥିଲା । ପେଣ୍ଟ ପକେଟରେ ଯତ୍ନର ସହ ତାକୁ ରଖିଥିଲୁ ।


ସେଦିନ ମୋ ନିର୍ବୁଧିଆ ସାନଭାଇକୁ ମଜାରେ କିଭଳି ଠକିଥିଲି ସେକଥା ଭୁଲିନି । ତାକୁ କହିଲି , " ଦେଖ ମୋ ପାଖରେ ଗୋଟେ ବଡ ଦଶ ପଇସା ଅଛି । ତୁ ସେଇଟା ନେଇ ତୋ ସାନ ପଇସା ( ସୁଉକି) ଟା ଦେ । ବଡ ପଇସାରେ ବହୁତ ମଟର ମିଳିବ । " ବଡ ସାଇଜର ଦଶ ପଇସା ଦେଖି ସାନ ଭାଇର ଆଖି ଝଲସି

 ଉଠିଲା । ଲୋଭରେ ମୋତେ ସୁଉକିଟି ଦେଇ ଦଶ ପଇସା ନେଇଗଲା । 


ମେଳାରେ ବୁଲି ଆମେ ଭଜା ମଟର କିଣି ଖାଇଲୁ। ସାନ ଭାଇକୁ ଠକି ତାଠାରୁ ସୁଉକିଟି ଆଣିଥିବାରୁ ମନଟା ଘାଣ୍ଟି ହେଲା । ଦଶ ପଇସାରେ କିଣିଥିବା ଭଜା ମଟର ଖାଇ ବେଶ୍ ଖୁସିଥିଲା ମୋ ସାନଭାଇ । ତେବେ ମୋ ଆଖିକୁ ତା ମୁହଁ କାହିଁକି କେଜାଣି କାନ୍ଦ କାନ୍ଦ ଦିଶିଲା !


ଏକ ଅପ୍ରତିହତ ଗ୍ଳାନି ମୋ ମନକୁ ଅସ୍ଥିର କରିଦେଲା । ମୁଁ ତାକୁ ସୁଉକିଟି ଫେରାଇ ଦେଲି । ଅନ୍ୟ ସୁଉକିରେ କିଣିଥିବା ଭଜା ମଟରରୁ ଅଧାରୁ ବେଶି ଭାଗ ଦେଲି । ସେ ମଟର ଖାଇ ସାରିବା ପରେ ଯାତ୍ରା (ଅପେରା) ଆରମ୍ଭ ବେଳକୁ ମୋ କୋଳରେ ଶୋଇ ପଡିଥିଲା ।


ଯାତ୍ରା ନାଟକ ସରିବା ବେଳକୁ ଭୋର ହୋଇଯାଇ ଥିଲା । ବାପା ମେଳାରେ ପହଞ୍ଚି ବମ୍ବେଇ ଲଡୁ କିଣି ଦେଲେ । ସାନଭାଇ ରଖିଥିବା ସୁଉକିରେ ତାକୁ ମଟର, ଚୁଚୁମା (ଲଙ୍ଗଳା ଲଜେନନ୍ସ) କିଣି ଦେଲି । ମୋ ପାଖରେ ପଇସା ନ ଥିବାରୁ କିଛି ନ କିଣି ଘରକୁ ଫେରିଲି ।


ସାନଭାଇ ଯାଚିଥିଲା, " ଭାଇ ତୁମେ ମୋ ମଟର ଖାଆ" ମୁଁ ତାକୁ ଗେଲ କରି କହିଲି " ତୁ ଖାଆ। ମୁଁ ଢେରେ ଖାଇଛି ।" 


ନିର୍ବୁଦ୍ଧିଆ ସାନଭାଇକୁ କୌତୂହଳରେ କାହିଁକି ଠକିଥିଲି ଜାଣେନି। ଜୀବନରେ ସେ ଭୁଲ ଆଉ କେବେ କରିନି । ବରଂ ନିଜେ ନ ଖାଇ ସାନମାନଙ୍କୁ ଖୁଆଇ ଆନନ୍ଦ ପାଇଛି।


ଆଜିକାଲି ସମୟ ଏମିତି ଯେ ଅନେକ ଲୋକ ଅନ୍ୟକୁ ଛଳନାରେ ଠକିବାକୁ ଖୁସି ପାଉଛନ୍ତି । ପେଶାଦାର ଲୁଟେରା ସାଜୁଛନ୍ତି। ପରିବାରର ସମ୍ପର୍କ ଭୁଶୁଡି ପଡୁଛି । ହାଟବଜାରରେ ଭେଜାଲ ଜିନିଷ ଠାରୁ ଆରମ୍ଭ କରି ମାପଓଜନରେ ଠକେଇ କରାଯାଉଛି । ଯିଏ ଯାହାକୁ କୌଶଳରେ ଠକି ପାରିଲା ସେ ବୁଦ୍ଧିମାନ, ରୋଜଗାରିଅ। ବିବେଚିତ ହେଉଛି। ବର୍ତ୍ତମାନ ଅ।ମେ ଦେଖୁଛେ, ଠକେଇର ଅନେକ ରୂପ । ସରକାରୀ ଯୋଜନାରେ ଠକେଇ ସୀମା ଟପିଛି । ନୂଆ ତିଆରି ପୋଲ ଗଳି ପଡୁଛି । ମରୁଛନ୍ତି ଶ୍ରମିକ । ଗରିବଙ୍କୁ କାମ ଯୋଗାଇବା ବାହାନାରେ ଦଲାଲମାନେ କମିଶନୀ ଆଦାୟ କରୁଛନ୍ତି । ଜଣେ ଶ୍ରମିକର ଦିନକୁ ମଜୁରି ପ୍ରାୟ ୫୦୦ ଟଙ୍କା । ଦଲାଲମାନେ ୪୫୦ ଟଙ୍କା ଦେଇ ୫୦ ଟଙ୍କା ପକେଟରେ ଭରୁଛନ୍ତି । ଏକଥା ସରକାର କିମ୍ବା ଗଣମାଧ୍ୟମ କାହାରି ଆଖିରେ ପଡୁନି । ମେହନତ କରି କାମ କରୁଥିବା ଲୋକେ ଠକେଇର ଶିକାର ହେଉଥିଲେ ବି ମୁହଁ ଖୋଲି କିଛି କହୁ ନାହାନ୍ତି ।


କେବଳ ଦଲାଲ ନୁହନ୍ତି ବଡବଡ ସରକାରୀ, ଅର୍ଦ୍ଧ ସରକାରୀ ଓ ବେସରକାରୀ ସଂସ୍ଥାରେ କାମ କରୁଥିବା ଶ୍ରମିକ, କର୍ମଚାରୀଙ୍କୁ କମ୍ ପ୍ରାପ୍ୟ ଦେଇ କେତେକ ମାଲିକ ଅସତ ଉପାୟରେ ପୁଂଜି ବଢାଉଛନ୍ତି । କଳାଧନରେ ଆଲିସନ ବଂଗଳା, ସୁରମ୍ୟ କୋଠାବାଡି , ବିଳାସପୁର୍ଣ୍ଣ ଗାଡି କିଣି ପଞ୍ଚତାରକା ହୋଟେଲ, ମଲ୍, ବାର ଓ ରେସ୍ତୋରାଁକୁ ଯାଇ ଅୟସ କରୁଛନ୍ତି। ସେମାନଙ୍କ ଷ୍ଟାଟସ ଦେଖିବା ଭଳି !


ଏବେ ଖାଲି ସହର ନୁହେଁ ଗାଁରେ ବି ଏମିତି ବଡବାବୁ ଗୋଷ୍ଠୀ ଭର୍ତ୍ତି । ପ୍ରଚୁର ପୌତ୍ରିକ ସମ୍ପତ୍ତି ସହ ଅମାପ ଜମିବାଡି ଓ ଗାଡି କିଣି ଅସତ ଉପାୟରେ ଧନ ସଞ୍ଚି ବ୍ୟାଙ୍କ ବାଲାନ୍ସ ବଢାଇ ଚାଲିଛନ୍ତି । ଗରିବ ଲୋକଙ୍କୁ ଠକି ଜମିବାଡି ହାତେଇବାକୁ ସରକାରୀ ଅଫିସରେ ଟଙ୍କା ଫିଙ୍ଗିଲେ ସବୁ ବେଆଇନ କାମ ହୋଇପାରୁଛି । ମୋ ଗାଁର ଜଣେ ମାନସିକ ବିକୃତ ଲୋକଠାରୁ କେତେକ ଲୋକ ପ୍ରାୟ ଦଶ ଏକରରୁ ଅଧିକ ଜମି କିଣିନେବା ଘଟଣା ପ୍ରତ୍ୟକ୍ଷ କରିଛି ।


ପିଲାଦିନେ ଗାଁରେ ଦାରିଦ୍ର‌୍ୟର କରୁଣ, ନଗ୍ନ ଚେହେରା, ମହାଜନୀ କାରବାରରେ ଶୋଷଣ ଅତି ନିକଟରୁ ଦେଖିଛି । ଅନେକ ଲୋକ ଓଳିଏ ଖାଇ ଆର ଓଳି ଉପାସ ରହିବା କଷ୍ଟ ଅଂଗେ ନିଭାଇଛି ।


କିଛିବର୍ଷ ତଳେ ସରକାରଙ୍କ ବିଭିନ୍ନ ସାମାଜିକ କଲ୍ୟାଣ ଯୋଜନା ସାଂଗକୁ ଟଙ୍କିକିଅ। ଚାଉଳ ବଣ୍ଟାଯିବା ପରେ ଗରିବ ଲୋକେ ଆଶ୍ବସ୍ତ ହୋଇଛନ୍ତି । ରାଜନୈତିକ ବାଛବିଚାରରୁ ବାଦ ପଡିଥିବା ଲୋକଙ୍କୁ ଛାଡି ଦେଲେ ଅନ୍ୟମାନେ ଭଲରେ ଚଳୁଛନ୍ତି । "ଚତୁର ଶ୍ରେଣୀ"ର ଲୋକେ କୌଶଳରେ ନାନା ସରକାରୀ ସୁବିଧା ହାତେଇ କୋଢିଅ। ପାଲଟି ଯାଇଛନ୍ତି । ଗାଁ ଗଣ୍ଡାରେ ଚାଷ କାମ ଲାଗି ଶ୍ରମିକ ମିଳୁନାହାନ୍ତି । ଚାଷଜମି ଥିବା ଲୋକେ ଭାଗଚାଷକୁ ଜମି ଲଗାଇ ଚଳୁଛନ୍ତି । ଚାକିରିବାକିରି ଓ ବେପାର ବଣିଜ କରୁଥିବା ଲୋକେ ଭଲରେ ଅଛନ୍ତି । ସବୁଠୁ ବେଶି ଦୁର୍ଭାଗ୍ୟ ଓ ସରକାରୀ ପ୍ରତାରଣାର ଶିକାର ହେଉଛନ୍ତି ମଧ୍ୟବିତ୍ତ, କୃଷକ ଓ ଗରିବ ସବର୍ଣ୍ଣ ଜାତିର ଲୋକେ । 


ମୁଁ ପିଜି କଲାବେଳେ ବିଶ୍ବବିଦ୍ୟାଳୟରେ ମାସିକ ଫିଜ୍ ଥିଲା ମାତ୍ର ୧୧ ଟଙ୍କା । ଏବେ ପିଲାଙ୍କୁ ତଳ ଶ୍ରେଣୀରୁ ପଢାଇବା ସକାଶେ ମାସକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ଶିକ୍ଷା ବ୍ୟବସ୍ଥାର ବ୍ୟବସାୟୀକରଣ ସମାଜ ଜୀବନକୁ ଶକ୍ତ ଧକ୍କା ଲଗାଇଛି । ସରକାରୀ ସ୍କୁଲରେ ପାଠପଢା କଥା ଛାଡ। ସେହିପରି ବଡବଡ କମ୍ପାନୀ, ବ୍ୟାବସାୟିକ ସଂସ୍ଥା ନାନା ଉପାୟରେ ମାଟି, ପାଣି, ଜଙ୍ଗଲ ଭଳି ପ୍ରାକୃତିକ ସମ୍ପଦ ଲୁଟି, ଅ।ୟକର ଫାଙ୍କି ପେଟ ବଢାଉଛନ୍ତି । ଶ୍ରମିକ, କର୍ମଚାରୀଙ୍କୁ ଉଚିତ ପ୍ରାପ୍ୟ ନ ଦେଇ, ପରିବେଶ ଓ ସାମାଜିକ ସୁରକ୍ଷା କାମ ନ କରି ପୁଂଜି ଠୁଳ କରି ଚାଲିଛନ୍ତି । ତ୍ରୁଟିପୂର୍ଣ୍ଣ ଶାସନ ବ୍ୟବସ୍ଥା କିଛି ବି କରି ପାରୁନି । ଲାଞ୍ଚଖଚ ସବୁସ୍ତରରେ ସୀମା ଟପିଯିବା ଭଳି ଲାଗୁଛି ।


ଆୟକର ଠକେଇର ଗୋଟେ ରୂପ ଦେଖନ୍ତୁ । ଗରିବ ଘରର ପିଲାଟେ କଷ୍ଟରେ ପାଠପଢି ଚାକିରି କଲେ ଆୟକର ବାନ୍ଧିବାକୁ ପଡୁଛି । ଯେଉଁମାନଙ୍କର ଜମିବାଡି ଭଳି ପୈତୃକ ସମ୍ପତ୍ତି କିମ୍ବା ବ୍ୟବସାୟ ଅଛି ସେମାନଙ୍କଠାରୁ କେବଳ ଚାକିରି ଦରମା ଟଙ୍କାକୁ ହିସାବ କରି ଆୟକର କଟାଯାଉଛି । ଏଭଳି ତ୍ରୁଟିପୂର୍ଣ୍ଣ ନୀତି ଯୋଗୁ ଆୟକର ଆଦାୟ ଓ ଧରପଗଡ ପ୍ରହସନ ପାଲଟିଛି । ଚାକିରି କରିଥିବା ଗରିବ ଘରର ପୁଅ ପକ୍ଷେ ମାସକୁ ଟଙ୍କାଟିଏ ଜମା ରଖିବା ସମ୍ଭବ ହେଉନି । ଧନୀମାନେ ଦିନକୁ ଦିନ ଅଧିକ ଧନୀ ହେଉଥିବା ବେଳେ ଘାଣ୍ଟି ହେଉଛନ୍ତି ଗରିବ ଚାଷୀ, ମଧ୍ୟବିତ୍ତ ସମ୍ପ୍ରଦାୟ ।


ଜାତୀୟକରଣ ଓ ଘରୋଇ ବ୍ୟାଙ୍କ ଲୁଟେରାଙ୍କ ଗୁରୁ ପାଲଟିଛନ୍ତି । ମହାଜନୀ କାରବାର ଭଳି ଚକ୍ରବୃଦ୍ଧି ହାରରେ ସୁଧ ଆଦାୟ କରାଯାଉଛି । ଗରିବ ଲୋକଟିଏ ନିଜ ପିଲାକୁ ଉଚ୍ଚଶିକ୍ଷା ଦେବା ସକାଶେ ବ୍ୟାଙ୍କରୁ ଷ୍ଟଡି ଲୋନ କରିବାକୁ ବାଧ୍ୟ ହେଉଛି । ଅଥଚ ସେମାନଙ୍କଠାରୁ ଅଧିକ ହାରରେ ସୁଧ ଆଦାୟ କରାଯାଇ ହଇରାଣ କରାଯାଉଛି। ଡିଫଲଟର ହେଲେ କଥା ସରିଲା । ପାଠପଢା ପରେ ଚାକିରି ମିଳି ନ ଥିଲେ ମା'ବାପା ନୟାନ୍ତ । ଏକ ଗଣତାନ୍ତ୍ରିକ ଦେଶରେ ଷ୍ଟଡି ଲୋନ ଉପରୁ ଅଧିକ ସୁଧ ଆଦାୟ କିଭଳି ନ୍ୟାୟସଂଗତ ବ୍ୟବସ୍ଥା ବୁଝା ପଡୁନାହିଁ । ୠଣ କରିଥିବା ପିଲାମାନେ ପାଠ ପଢି ୠଣ ଶୁଝିବା ଚିନ୍ତାରେ ଅଳ୍ପ ପଇସାରେ ଚାକିରି କରି ବିଭିନ୍ନ ସଂସ୍ଥା ଓ କମ୍ପାନୀରେ ଏକପ୍ରକାର ବିକ୍ରି ହୋଇଯାଉଛନ୍ତି । ସରକାର ଦେଉଥିବା ସବସିଡିକୁ ବ୍ୟାଙ୍କମାନେ ସୁଧ ବାବଦକୁ ଚଳୁକରି ନେଉଛନ୍ତି । ବ୍ୟାଙ୍କସେବାର ଏହା ଏକ ଉଦାହରଣ ମାତ୍ର ।


ଆମ ଦେଶରେ ଅର୍ଥନୀତିରେ ଅସଂଗତି ଓ ତ୍ରୁଟି ଜଳଜଳ ହୋଇ ଦିଶୁଛି । ଭବିଷ୍ୟତରେ ଏହାର ଗତି କୁଅ।ଡେ କାହାକୁ ଜଣା ନାହିଁ । ଚିନ୍ତାର କଥା ହେଲା ସରକାର ସବୁ କର୍ପୋରେଟ କମ୍ପାନୀ ଓ ଘରୋଇ ସଂସ୍ଥାକୁ ଫୁଲାଫାଙ୍କିଅ। କରି ଛାଡି ଦେଉଛନ୍ତି । କାହାରି ବେକରେ ପଘା ନାହିଁ କି ମୁହଁରେ ତୁଣ୍ଡି ନାହିଁ । ସେମାନେ ବିଜୁଳିକର ଓ ଅନ୍ୟ ଟିକସ ଫାଙ୍କି ଚାଲିଛନ୍ତି।

 

ସରକାରୀ ସଂସ୍ଥାରେ ଆଗ ଠିକା ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବା ପରେ ବେସରକାରୀ ସ୍ତରରେ ନିଯୁକ୍ତି ପ୍ରତାରଣା, ଛଳନା ଓ ଶୋଷଣ ବଢିଛି । ଅନେକ ସଂସ୍ଥା ବେକାର ଯୁବତୀ ଯୁବକଙ୍କୁ ଠିକାରେ ନିଯୁକ୍ତି ଦେଇ ଲୁଟୁଛନ୍ତି। ସେମାନଙ୍କୁ ନିୟମିତ (ରେଗୁଲାର) କରାଯାଉ ନ ଥିବାରୁ ଇପିଏଫଓ, ସ୍ବାସ୍ଥ୍ୟ ବୀମା ଭଳି ସୁବିଧା କିମ୍ବା ସାମାଜିକ ସୁରକ୍ଷା ମିଳୁ ନାହିଁ । ସରକାରଙ୍କ ପାଖରେ ଠିକାଶ୍ରମିକ ଓ କର୍ମଚାରୀଙ୍କର କୌଣସି ହିସାବ ନାହିଁ । ଶହଶହ ସଂସ୍ଥାରେ ଅଡିଟ ହେଉନି କହିଲେ ଚଳେ । ଯେଉଁଠି ହେଉଛି, ସେଠି ଟଂକାପଇସା କାରବାରରେ ସତ୍ୟ ଲୁଚି ଯାଉଛି । ବେକାରୀ ସମସ୍ୟା ଓ କାମଧନ୍ଦା ଅଭାବ ଯୋଗୁ ରାଜ୍ୟ ବାହାରକୁ ଯାଉଥିବା ଶ୍ରମିକ, କର୍ମଚାରୀଙ୍କ ନିର୍ଯାତନାର ଅନ୍ତ ହେଉନାହିଁ । ଅନେକ କରୁଣ କାହାଣୀ ପଦାକୁ ଆସୁଛି । ଦଲାଲମାନେ ବେଅ।ଇନ ଭାବେ ଦାଦନ ଶ୍ରମିକ ଚାଲାଣ କରୁଛନ୍ତି । ଶିଶୁ ଓ ମହିଳା ଶ୍ରମିକଙ୍କୁ ନିର୍ଯାତନା ବ୍ୟୁହ ଭିତରକୁ ଠେଲି ଦିଅ।ଯାଉଛି। ପ୍ରବାସୀ ରାଜ୍ୟରେ କାମଧନ୍ଦା ମିଳିବା ସହଜ ଥିବା ଓ ବେଶି ଦରମା ମିଳୁଥିବାରୁ ଦାଦନ ଓ ଅନ୍ୟ ଶ୍ରମିକ, କର୍ମଚାରୀ ବାଧ୍ୟ ହୋଇ ଭିଟାମାଟି ଛାଡୁଛନ୍ତି । ମହାମାରୀ କୋଭିଡ ସଂକ୍ରମଣ ପରେ ଦାଦନ ଶ୍ରମିକଙ୍କ ବାସ୍ତବ, କରୁଣ ଚିତ୍ର କିଭଳି ଦୟନୀୟ ତାହା ପ୍ରଥମ କରି ପଦାକୁ ଅ।ସିଲା । ଲକ୍ ଡାଉନ ଯୋଗୁ ଅନେକେ ଚାକିରି ଓ କାମଧନ୍ଦା ହରାଇଲେ। ସରକାରଙ୍କ ପାଖରେ ସାମର୍ଥ୍ୟ ଓ ସୂଚନା ନ ଥିବାରୁ ସମସ୍ୟା ଅସମାହିତ ହୋଇ ରହିଛି । ଏବେପୁଣି ଅ।ସିଛି ଦ୍ବିବିତୀୟ ଲହର । କାଶର ନାରା ଦେଉଥିବା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନୀତି, ଉଦାସୀନତା, ଦାୟିତ୍ବହୀନତା, କୁପରିଚାଳନା ଓ ବାସ୍ତବ ଛଳମୟ ଚେହେରା ସାମନାକୁ ଅ।ଣିଛି ମହାମାରୀ କରୋନା ।


ଆମ ରାଜ୍ୟରେ ଚିଟଫଣ୍ଡ ଓ କେତେକ ବିଲଡରଙ୍କ ଠକେଇ କଳଙ୍କିତ ଅଧ୍ୟାୟ ଯୋଡିଛି । ପ୍ରଶାସନର ଅ।ଖି ଅ।ଗରେ ଠକମାନେ ବିଭିନ୍ନ ସଂସ୍ଥା ଖୋଲି କିଭଳି ଲୋକଙ୍କୁ ଲୁଟିଲେ ଓ ସରକାର ତାହା ଜାଣିଲେ ନାହିଁ ସେ ନେଇ ଢେରେ ପ୍ରଶ୍ନ ରହିଛି, ଯାହାର ଉତ୍ତର ଏଯାଏ ମିଳିନି । କୋର୍ଟରେ ମାମଲା ଗଡୁଛି । ଭୂ-ପ୍ରକୃତି ଠାରୁ ଅ।ରମ୍ଭ କରି ଦେଶର ମାନବ ସମ୍ବଳକୁ ନାନା କୌଶଳରେ ଲୁଟ କରାଯାଉଛି । ଠକେଇ ସାଂଗକୁ ନାଗରିକ ଅଧିକାରରୁ ବଞ୍ଚିତ ହେଉଥିବା ଲୋକେ କାହା ଉପରେ ଭରସା ନ ରଖି ନୀରବ ରହିବାକୁ ଉଚିତ ମଣୁଛନ୍ତି । 


ଏକ ଅଙ୍ଗେନିଭା କଥା କହୁଛି । ଭଦ୍ରକ କଲେଜରେ ପଢୁଥିବା ବେଳେ ପରିବାରର ଅଭାବୀ ସ୍ଥିତି ଯୋଗୁ ଫୁଲ୍ ବା ପାର୍ଟ ଟାଇମ ଜବ୍ ଖୋଜୁଥିଲି । ସେତେବେଳେ ସ୍ଥାନୀୟ ନୂଅ। ବଜାରରେ ଏକ ଘରୋଇ ବ୍ୟାଙ୍କ ଶାଖା ଭଡାଘରେ ଖୋଲିଲା । ସେମାନେ କ୍ଲରିକାଲ ଷ୍ଟାଫ ନିଯୁକ୍ତି ଦେବେ ବୋଲି ଆକର୍ଷଣୀୟ ଢଂଗରେ ପ୍ରଚାର କଲେ । ମୁଁ ଯୋଗାଯୋଗ କରିବାରୁ ସେମାନେ ସିକ୍ୟୁରିଟି ଟଙ୍କା ୨ ହଜାର ଦେଲେ ଚାକିରି ମିଳିବ ବୋଲି କହିଲେ । ମୁଁ ଘରେ ଏକଥା କହି ଧାନ ଚାଉଳ ବିକି ସିକ୍ୟୁରିଟି ବାବଦକୁ ଟଙ୍କା ଜମା କଲି । ମିଳିଲା ଖଣ୍ଡେ ଜାଲ୍ ରସିଦ। ସେ ସମୟରେ ୨ ହଜାର ଟଙ୍କାର ମୂଲ୍ୟ ଢେରେ । ବ୍ୟାଙ୍କ ଶାଖାର କର୍ମକର୍ତ୍ତା କାହାକୁ ନିଯୁକ୍ତି ଦେବା ଦୂରେ ଥାଉ, କିଛି ଦିନପରେ ସହରରୁ ରାତାରାତି ଉଭାନ ହୋଇଗଲେ । ମୋ ଭଳି ଅନେକ ଆଶାୟୀ ଯୁବକ ଠକେଇର ଶିକାର ହେଲେ । ଆମେ ଥାନାରେ ଅଭିଯୋଗ କଲୁ । ପୋଲିସ ଠକଙ୍କୁ ଧରିବା ଦୂରେ ଥାଉ, "ଶ୍ରୀକୃଷ୍ଣଙ୍କ ଶେଷ ହସ" ଭଳି ସୁନ୍ଦର ପଣିଅ।ର ହସ ହସି ଅଭିଯୋଗକୁ ପବନରେ ଉଡାଇ ଦେଲେ ।


ନିଯୁକ୍ତି ଠକେଇର ଶିକାର ହେବା ପରେ ଏଭଳି ଅନ୍ୟାୟ ଓ ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ କରି ସାରା ଜୀବନ ଲଢିବାକୁ ଶପଥ ନେଇଥିଲି । ସେବେଠାରୁ ପ୍ରକୃତ ମଣିଷ ଚିହ୍ନିବା ଅ।ରମ୍ଭ କଲି, ଯାହା ମୋତେ ମଣିଷ କରିଛି !


ପିଜି ପଢି ସାରିବା ପରେ କଲେଜରେ ଅଧ୍ୟାପନା ଚାକିରି ଛାଡି ଅନ୍ୟାୟ, ଅନୀତି ଆଗକୁ ଆଣିବା ସକାଶେ ପ୍ରିଣ୍ଟ ମିଡ଼ିଆରେ କାର୍ଯ୍ୟ ଆରମ୍ଭ କଲି । ବ୍ୟବସ୍ଥାଗତ ତ୍ରୁଟି ଓ ଅନାଚାର ବିରୋଧରେ ମୋ ଲେଖନୀ ଥିଲା ଶାଣିତ । ଦୀର୍ଘ ତିନି ଦଶକରୁ ଅଧିକ ଦିନର ଚାକିରି ଓ ଲେଖାଲେଖି ସାଧନା କାଳରେ ସମାଜରେ ସେମିତି କିଛି ଗୁଣାତ୍ମକ ପରିବର୍ତ୍ତନ ଦେଖିଲିନି । ବରଂ ଯେଉଁ ଗଣମାଧ୍ୟମ ଜଗତରେ ପଶି ଲଢେଇ କରୁଥିଲି, ସେହି ଜଗତର ବାସ୍ତବ ଚିତ୍ର ମୋତେ ବିଚଳିତ କରିଥିଲା । କେତେକ ସଂସ୍ଥାକୁ ଛାଡିଦେଲେ ଅନ୍ୟତ୍ର ରାଜକୀୟ ଶାସନ ଚାଲିଥିବା ଅନୁଭବ କଲି । କର୍ମଜୀବୀଙ୍କ ନିରାପତ୍ତା ନାହିଁ । ସେମାନଙ୍କ ଚାକିରି ଦୟାର ଅଧୀନ । ହଁ କହିଲେ ଚାକିରି ଅଛି, ନା କହିଲେ ଗଲା । ଅପ୍ରିୟ ସତ୍ୟ ଯେ, ଗଣମାଧ୍ୟମ ଜଗତରେ ହାତଗଣତି ବରିଷ୍ଠ ସାମ୍ବାଦିକଙ୍କୁ ଛାଡିଦେଲେ ଅନ୍ୟମାନଙ୍କୁ ଉଚିତ ପାରିଶ୍ରମିକ ଓ ନ୍ୟାୟ ମିଳୁନାହିଁ । ଅନେକ ବନ୍ଧୁଙ୍କଠାରୁ ଏହା ଶୁଣିଛି । ଏପରିକି ଚାକିରି ଜୀବନରୁ ସେବାନିବୃତ୍ତ ହେବା ପରେ ରୋଗ ଓ ଆର୍ଥିକ ଅନଟନରେ ପଡି କେତେକ ବରିଷ୍ଠ ସାମ୍ବାଦିକ, ଅଣସାମ୍ବାଦିକ ଅକାଳମୃତ୍ୟୁ ବରଣ କରିବା ନଜିର ରହିଛି । ଏଭଳି ଅନେକ ଦୁଃଖଦ ଖବର ପାଇଛି ଓ କରୁଣ ଅନୁଭୂତି ସାଉଁଣ୍ଟିଛି । 


ଦେଶବିଦେଶରେ ଜର୍ଣ୍ଣାଲିଜିମ କ୍ୟାରିୟର ଚାହିଦାକୁ ଦେଖି ଅ।ମ ଦେଶର ବିଭିନ୍ନ କଲେଜରେ ଏହି ପାଠ୍ୟକ୍ରମ ଖୋଲିବାରୁ ଯୁବପିଢିର ଅନେକ ଯୁବତୀଯୁବକ ପାଠ ପଢି ବିଭିନ୍ନ ଗଣମାଧ୍ୟମ ସଂସ୍ଥାକୁ ଆସି ସ୍ବଳ୍ପ ବେତନରେ ଠିକାରେ କାମ କରୁଛନ୍ତି । କେତେକ ଭିନ୍ନପନ୍ଥା ନ ପାଇ ବେକାର ବସିବା ପରିବର୍ତ୍ତେ ଏହାକୁ ବୃତ୍ତି କରୁଛନ୍ତି । ଦୁର୍ନୀତି, ଅନୀତି ବିରୋଧରେ ଲଢୁଥବା କେତକ ଗଣମାଧ୍ୟମ ସଂସ୍ଥାରେ ଗଣତନ୍ତ୍ର ଓ ଆଇନ ବ୍ୟବସ୍ଥାର ଚିହ୍ନବର୍ଣ୍ଣ ନାହିଁ । ସରକାରଙ୍କୁ ମିଥ୍ୟା ସୂଚନା ଦେଇ ନିଜ କର୍ମଚାରୀଙ୍କୁ ସେମାନେ ଶୋଷଣ କରୁଛନ୍ତି । ସ୍ବାଭିମାନ ଓ ସାମ୍ବାଦିକତାର ପରିଚୟ ପାଇବା ଲାଗି ଅନେକେ ପଡି ରହି କାମ କରୁଛନ୍ତି । 


ଅ।ଗରୁ ସାମ୍ବାଦିକ ଓ ଅଣ ସାମ୍ବାଦିକଙ୍କୁ ଶ୍ରମିକ କଲୋନୀରେ ରହିବାକୁ ସରକାର ଘର ଯୋଗାଉଥିଲେ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶାସନ ସମୟରେ ଘର ଓ ଅନ୍ୟ ସୁବିଧା ଯୋଗାଇବାକୁ ଯୋଜନା ହୋଇଥିଲା । ପରେ ତାହା ଅଧାରୁ ଅଟକି ଗଲା । ପରବର୍ତ୍ତୀ ସମୟରେ ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ମାତ୍ର କଛିବର୍ଷ ତଳେ ସାମ୍ବାଦିକଙ୍କ ଲାଗି ପ୍ରଥମ ସ୍ବାସ୍ଥ୍ୟବୀମା ସୁବିଧା କରାଗଲା । ସରକାରଙ୍କ ପାଖରେ ସାମ୍ବାଦିକଙ୍କ ତାଲିକା ନ ଥିବାରୁ ସବୁ ପ୍ରେସରୁ ନାଁ ଓ ସୁପାରିଶ ମଗାଗଲା । ପ୍ରେସର ଦୟା ଉପରେ କେତେକ ତାଲିକାଭୁକ୍ତ ହେଲେ, ଯାହା ସମୁଦ୍ରକୁ ଶଙ୍ଖେ । ଗ୍ରାମାଞ୍ଚଳ ସାମ୍ବାଦିକମାନେ ପ୍ରାୟ ଅଲୋଡା ହୋଇ ରହିଗଲେ । ପ୍ରଶାସନକୁ ପଚାରିଲେ ଉତ୍ତର ମିଳୁଛି, ଯାହା ନିୟମ ହୋଇଛି ତାକୁ ମାନିବାକୁ ହେବ । ଏକଥା କାହାକୁ ଅଛପା ନାହିଁ, ଅନେକ ଗଣମାଧ୍ୟମ ରାଜନୈତିକ ଖେଳରେ ମୋହରା ସାଜିଛନ୍ତି । ସରକାର ପ୍ରେସକୁ ଯଥାସମ୍ଭବ ହାତ କରି ବୋଲକରା ସଜାଉଛନ୍ତି । ଦୁନୀତି, ଅନ୍ୟାୟ, ଅନୀତି ବିରୋଧରେ ବିଭିନ୍ନ ଗଣମାଧ୍ୟମ କିଭଳି ଲଢୁଥିବେ ଏଥିରୁ ଅନୁମାନ କରିହେବ । କାର୍ଯ୍ୟରତ ଗଣମାଧ୍ୟମ କର୍ମଚାରୀଙ୍କ ଦରମାରେ ତାରତମ୍ୟ ରଖାଯିବା ଭଳି ନାନା ସମସ୍ୟା ଥିଲେ ବି କେହି ଦେଖିବାକୁ ନାହିଁ। ବିଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟରେ ସରକାର ଅନେକ ଥର ସାମ୍ବାଦିକ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରି ଫେଲ ମାରିଛନ୍ତି । କେଡ଼େ ବିଡମ୍ବନା ! ସରକାର ଗଣମାଧ୍ୟମ କର୍ମଚାରୀଙ୍କୁ ସୁରକ୍ଷା ଓ ନ୍ୟାୟ ଦେବାରେ ବିଫଳ ହେବା ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିପର୍ଯ୍ୟୟକୁ ଡାକିଅ।ଣୁଛି।


ଗଣମାଧ୍ୟମ ସେବାନିବୃତ୍ତ କର୍ମଚାରୀଙ୍କ କଥା ଦେଖନ୍ତୁ । ଇପିଏଫଓ ପେନସନ ଇସ୍ୟୁକୁ ନେଇ ନ୍ୟାୟାଳୟର ରାୟକୁ ପାଳନ ନ କରି କେନ୍ଦ୍ର ସରକାର ରିଭ୍ୟୁ ପିଟିସନ ଦାଖଲ କରି ଛଳନାର ଖେଳ ଖେଳୁଛନ୍ତି । ଏହା ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ଚାଲିଛି । ଅନେକ ଗଣମାଧ୍ୟମରେ ଏ ଖବର ପ୍ରକାଶ ପାଉନାହିଁ । କେନ୍ଦ୍ର ସରକାର ଏଥିରୁ ମଜା ଉଠାଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମ୍ପର୍କରେ ପୂର୍ବରୁ କେନ୍ଦ୍ରକୁ ଖଣ୍ଡେ ଚିଠି ଲେଖି ବସି ପଡିଛନ୍ତି ।


ଆମ ଦେଶର ସାମ୍ବାଦିକଙ୍କ ଦରମା ସମ୍ପର୍କରେ ଜାତୀୟ ସ୍ତରରେ ସର୍ଭେ କରାଯାଇ ବିଭ୍ରାନ୍ତିକର ତଥ୍ୟ ଦିଆଯାଉଛି । ଆମେରିକା ଭଳି ଉନ୍ନତ ଦେଶରେ ଗଣମାଧ୍ୟମ ପ୍ରତିନିଧି ଯାହା ଦରମା ପାଉଛନ୍ତି, ଆମଦେଶରେ ଏକଦଶମାଂଶ ମଧ୍ୟ ମିଳୁନାହିଁ । କେରଳ ଓ ତାମିଲନାଡୁ ଭଳି ରାଜ୍ୟର ସାମ୍ବାଦିକଙ୍କ ତୁଳନାରେ ଓଡ଼ିଶାରେ ଯଥେଷ୍ଟ କମ ପାରିଶ୍ରମିକ ଦିଆଯାଉଛି। ଏଠି ହାରାହାରି ଦରମା ମାତ୍ର ୧୫ ହଜାର ଟଙ୍କା ବୋଲି ସର୍ଭେ ରିପୋର୍ଟ ପ୍ରକାଶ ପାଇଛି । ଚାକିରି ହରାଇବା ଭୟ ଥିବାରୁ ସାମ୍ବାଦିକମାନେ ମୁହଁ ନ ଖୋଲି ପଡି ରହିଛନ୍ତି ।


ଜାତିରଜନକ ମହାତ୍ମା ଗାନ୍ଧୀ ଗଣମାଧ୍ୟମର ସ୍ବାଧୀନତା ଓ ସୁରକ୍ଷା ସମ୍ପର୍କରେ ଦୃଢମତ ବ୍ୟକ୍ତ କରିଥିଲେ। ନ୍ୟାୟାଳୟ ମଧ୍ୟ ଏନେଇ ସ୍ପଷ୍ଟ ମତ ରଖିଛନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କ ଲାଗି ଲକ୍ଷ୍ମଣରେଖା ଭଳି ଅ।ଚରଣ ସଂହିତା ରହିଛି । ଏସବୁ ସତ୍ତ୍ବେ ଦେଶରେ ଚତୁର୍ଥ ସ୍ତମ୍ଭର ଦୁରବସ୍ଥା ଓ ସାମ୍ବାଦିକତା ଭଳି ପବିତ୍ର ବୃତ୍ତି ପାଇଁ ଅଣଦେଖା ଗଣତନ୍ତ୍ରର ଭବିଷ୍ୟତ ପାଇଁ କିଭଳି ଅନିଷ୍ଟକର, ତାହା ଚିନ୍ତା କରିବାର ବେଳ ଆସିଛି । କେବଳ ଗଣମାଧ୍ୟମ ନୁହେଁ, ଅନ୍ୟ ଘରୋଇ ଓ ସରକାରୀ ସଂସ୍ଥାରେ ଠିକା ଶ୍ରମିକଙ୍କ ଦୁର୍ଦ୍ଦଶା ଏକାଭଳି। ସରକାରଙ୍କ ଭିତ୍ତିଭୂମି ଯୋଜନାରେ ସହରରେ ବଢିଚାଲିଛି ଉଚ୍ଚଉଚ୍ଚ ଅଟ୍ଟାଳିକା । ଛୋଟ ହୋଇଯାଉଛି ମଣିଷ ପଣିଆ । ଆଇନର ଶାସନ ଖେଳରେ ଖାଲି ଛଳନା ଓ ପ୍ରତାରଣା ଚାଲିଛି । ସାମାଜିକ ଜୀବନରେ ଚତୁର ସାଜି ଅନ୍ୟକୁ ଠକିବା ମାନସିକତା ବି ସବୁସ୍ତରରେ ମାଡି ଚାଲିଛି । "ଦୋମୁହାଁ ଚରିତ୍ର"ର ମଣିଷଙ୍କ ଭିଡ ଓ ଠକେଇ ମାନସିକତା ଯେଭଳି ବଢୁଛି ସେକଥା ଭାବିଲେ ଆଜି ବି ମୋ ସାନ ଭାଇର ପିଲାଦିନ କାନ୍ଦୁରା ମୁହଁ ଆଖି ଆଗରେ ସଜଳ ହୋଇଉଠେ ।


Rate this content
Log in

Similar oriya story from Classics