Rabinarayan Senapati

Inspirational Others

3  

Rabinarayan Senapati

Inspirational Others

ଚାଷୀ କାହାଣୀ

ଚାଷୀ କାହାଣୀ

4 mins
220



ବହୁ କାଳ ପୂର୍ବରୁ ଏକ ସଭ୍ୟତା ଥିଲା। ଥିଲା କି ନଥିଲା କିଏ ଜାଣେ କିନ୍ତୁ ଜେଜେ କହୁଥିଲେ ଏମିତି। ମୁଁ ଏସବୁ ସତ ବୋଲି ଭାବୁଥିଲି। ଏବେ ମନୁଷ୍ୟ ଯାହା ସବୁ କରି ପାରୁଛି ସେବେଳେ ବି ସେ ସଭ୍ୟ ନାଗରିକ ମାନେ ସେସବୁ କରି ପାରୁଥିଲେ। ମନୁଷ୍ୟ ବଦଳରେ ନାଗରିକ ବୋଲି ଜେଜେ କହଥିଲେ କାରଣ ସେମାନେ ମଣିଷ ନଥିଲେ। ଗୁଣ କର୍ମ ବିଭାଗରେ ଈଶ୍ବରଙ୍କ ସେ ସୃଷ୍ଟି ଥିଲା ବିଚିତ୍ର। ବୁଦ୍ଧି ମନୁଷ୍ୟ ଭଳି ହେଲେ ମଧ୍ୟ ଶରୀର ଥିଲା ଭିନ୍ନ। ଅଦ୍ଭୁତ। ଜେଜେ କହିଲେ ସେମାନେ ପଶୁ ମଧ୍ୟ ନଥିଲେ। ଦୁଇ ପାଦରେ ଚାଲୁଥିଲେ। ତେବେ ପ୍ରତ୍ୟେକ ଜାତି ନାଗରିକ ଭିନ୍ନ ଥିଲେ। ଯେମିତି ଚାଷୀ, ବଣିକ, ଶୁଦ୍ର, ପଣ୍ଡିତ, ଠକ, ଚୋର, ସୈନିକ, ପୋଲିସ, ପୁଞ୍ଜିପତି ଓ ଇତ୍ୟାଦି; ସମସ୍ତେ ଦିଶୁଥିଲେ ଭିନ୍ନ।

ମୁଁ କହିଲି, ଗୁଣ କର୍ମ ବିଭାଗ ହେଲା କେମିତି? ଯିଏ ଯେଉଁ କୁଳରେ ଜନ୍ମ ସେ ସେଇ କୁଳରେ ରହିଲା ତ। ଜେଜେ ଟିକେ ହଡବଡେଇଲେ ଓ କହିଲେ -ଏବେ ଆଉ କେଉଁ ଫରକ କି? 

- ଆଛା ଜେଜେ, ଗୋଟିଏ ଜାତି ନାଗରିକ ଆଉ ଏକ ଜାତି ନାଗରିକ ସହ ବିବାହ କଲେ?

- ନା, ହେବନି ନାତି। ଛେଳି ଯେମିତି ମେଣ୍ଢା ସହ ସଂସାର କରିବା ସମ୍ଭବ ନୁହେଁ ଠିକ୍ ସେମିତି ଥିଲା ସେମାନଙ୍କ ପ୍ରକୃତି ଗତ ଫରକ। ତୁ ଗପ ଶୁଣ୍ ଏ। ଗପଟି ନହେଲେ ପଚିଯିବ।

- ହେଉ କୁହ।

- ଯେଉଁମାନେ କୃଷକ ଥିଲେ ସେମାନେ ସମଗ୍ର ଜମିକୁ ଛନ ଛନ ସବୁଜ କରି ରଖୁଥିଲେ। ପ୍ରବଳ ଫଳାଉ ଥିଲେ। ଅନ୍ୟ ସମସ୍ତ ଭିନ୍ନ ଜାତିର ନାଗରିକ ତାଙ୍କଠୁ ନେଇ ଖାଉଥିଲେ କିନ୍ତୁ ବଦଳରେ ଅଳ୍ପ କିଛି ଦେଉଥିଲେ। ଚାଷୀକୁଳର ଉପାୟ ନଥିଲା। ଖାଦ୍ୟ, ବସ୍ତ୍ର, ବାସଗୃହ ଏ ସବୁଥିରେ ତାହାର ଅବଦାନ ଥିଲା ଯଥେଷ୍ଟ ଅଥଚ ସେ ବଡ ହୀନସ୍ତା ହେଉଥିଲା। ଅଥଚ ଆଦୌ ଦରକାର ନଥିବା ଚିଜ ସବୁର ଆଦର ଅଧିକ ଥିଲା। ଯେମିତି ଧରାଯାଉ ଏକ କଲମ। କଲମଟି ନଥିଲେ କଣ ହେବ। କିଏ ମରିଯିବ ନା ସଭ୍ୟତା ଧ୍ବଂସ ହେବ? କିନ୍ତୁ କଲମଟିର ଦାମ ଥିଲା ବହୁତ। ତାକୁ ଯେ ବ୍ୟବହାର କରୁଥିଲେ ସେମାନଙ୍କ ପାରିଶ୍ରମିକ ଥିଲା ଶହେ ଚାଷୀଙ୍କଠୁ ଅଧିକ। ଏମିତି ଅନ୍ୟସବୁ ବିଭାଗ ବି। 

- ଜେଜେ, ତାମାନେ କଣ ତୁମେ କହୁଛ, କରଣ ବା କବି ବା ଲେଖକ ବା ହିସାବ ରକ୍ଷକର ପାରିଶ୍ରମିକ କମ ହେବା ଉଚିତ।

- ସେକଥା ମୁଁ ଜାଣେନି ନାତି। କେଜାଣି ଦସ୍ୟୁ ରତ୍ନାକର ଅଧିକ ରୋଜଗାର କରୁଥିଲେ କି ବାଲ୍ମୀକି? ଶୁଣ୍ ଏ ତାପରେ କିସ ହେଲା।

- କୁହ।

- ଚାଷୀମାନଙ୍କର ମେଳି ହେଲା। ସେମାନେ କହିଲେ ଆମକୁ ସେମାନଙ୍କ କାମ ଆସିବ ନାହିଁ ଈଶ୍ବର ଏମିତି କରିଛନ୍ତି। ଆମେ ବୃତ୍ତି ବଦଳେଇ ପାରିବା ନାହିଁ। ଆମେ ରାଜାଙ୍କୁ ଗୁହାରି କରିବା। କଲେ ମଧ୍ୟ। ରାଜା କିଛି ଶୁଣିଲେ ନାହିଁ। କହିଲେ ତୁମେ କାହିଁକି ଏତେ ଧାନ, ଗହମ ଚାଷ କରୁଛ କି। ରାଜ୍ୟରେ ସେସବୁର ଚାହିଦା ଭରଣା କଲାପରେ ବାକିତକ ନଷ୍ଟ ହେଉଛି। ଜଣେ ତ ଅଧିକ ଅଛି ବୋଲି ଅଧିକ ଖାଇବ ନାହିଁ। ପଡୋଶୀ ରାଜ୍ୟ ବି ଆମଦାନୀ କରୁନାହାନ୍ତି। ତୁମେ ସବୁ, କାଜୁ, ପେସ୍ତା, ପୋସ୍ତ ଇତ୍ୟାଦି ଉତ୍ପାଦନ କର। ଭଲ ମୂଲ୍ୟ ପାଇବ। ଦେଶ ରପ୍ତାନୀ କରି ଲାଭ କରିବ। ଚାଷୀମାନେ ବିଫଳ ମନୋରଥରେ ମୁଣ୍ଡ କାନ ଆଉଁସି ଫେରିଲେ। ଏସବୁ ଚାଷ ପାଇଁ ତାଙ୍କର ଭିତ୍ତିଭୂମି ନାହିଁ। ଆବଶ୍ୟକ ଅର୍ଥ ରାଜା ବା ମହାଜନଠୁ ଆଣିଲେ ଯଦି ନସୁଝି ପାରିବେ ବନ୍ଧା ହେବେ। ନା ବାବା ନା, ଏ ଚକରରେ ପଡି ଶେଷରେ ଆତ୍ମହତ୍ୟା କିଏ ବା କରିବ? ଜୀବନ ପ୍ରତି ମମତା ତୁଳନାରେ ଅନ୍ୟାନ୍ୟ ସୁଖ ତୁଚ୍ଛ।

ମତେ ବଡ ହତାଶ ଲାଗିଲା। ମୋ ଜେଜେ ଜଣେ ବଡ ଚାଷୀ ଆମ ଗାଁ ହିସାବରେ। ପାଞ୍ଚଟି ହଳରେ ଚାଷ କରନ୍ତି ସେ। ମନେହେଲା ଜେଜେ ଠିକ୍ କରିଛନ୍ତି। ଋଣ କେବେ କରିନାହାନ୍ତି। ମୁଁ କହିଲି, - ଠିକ୍ କଥା ଜେଜେ।

- ଶୁଣ୍ ଏ ନାତି। ତାପରେ ଚାଷୀ ମେଳିର ମୁଖିଆ କହିଲେ, ଦେଖ ବନ୍ଧୁଗଣ। ଆମର କଣ ଅଛି ଯେ ହରାଇବା? ଆମର କଣ ନାହିଁ ଯେ ହାରିବା। ରାଜାଙ୍କୁ ବୁଦ୍ଧି ଶିଖାଇବା। ସମସ୍ତେ ନିଜ ନିଜ ଚଳିବା ମୁତାବକ ଚାଷକର। ଯେମିତି ଆମେ ଖାଇପିଇ ବର୍ଷେ ଚଳି ପାରିବା କିନ୍ତୁ ବିକିବାକୁ କିଛି ବଳକା ରହିବ ନାହିଁ। ମାନୁଛି ଆମର ଅନେକ ଭିନ୍ନ ଆବଶ୍ୟକତା ରହିଛି। ମାନୁଛି ଦେହ ପା ଖରାପ ହେଲେ ଚିକିତ୍ସା ପାଇଁ ଅର୍ଥ ଦରକାର ଓ ଏମିତି କିଛି। ଯଦି କିଛି ଆମ ଭିତରୁ ଖସିଯିବେ ଖସନ୍ତୁ। କିନ୍ତୁ ଆମେ ଯମାରୁ ବଳକା କରିବା ନାହିଁ। ରାଜା ଯେମିତି ନଜାଣନ୍ତି ଆମେ ଏ ନିଷ୍ପତ୍ତି ନେଲେ ବୋଲି। ରାଜା ଦେଖିବେ ଆମେ ସବୁ ଚାଷ କରିଛନ୍ତି। କିନ୍ତୁ ଆଦୌ ଯତ୍ନ ନେବା ନାହିଁ। ଫସଲ ତା ଛାଆଁକୁ ଯେତିକି ହେବ ସଜତିକି ଆମକୁ ଯଥେଷ୍ଟ। ମାନୁଛି ସେମାନେ ଆମଠୁ ଛଡାଇ ନେବେ କିନ୍ତୁ ଆମେ ଲୁଚାଇ ରଖିବା। ଏମିତି ଚାଷ କରିବା ଯେମିତି ନିତି ତୋଳି ଖାଇ ପାରିବା। ବର୍ଷଟିଏ ବୁଦ୍ଧି ଶିଖାଇବା।

ଜୋସରେ ସମସ୍ତେ ମାତିଗଲେ। ଚାଷୀ ଏବେ ନାଚକୁଦ, ଆତ୍ମରକ୍ଷା ବ୍ୟବସ୍ଥାରେ ମାତିଗଲା। ଅଳ୍ପସ୍ବଳ୍ପ ଅଯତ୍ନରେ ଚାଷ କଲା। ନିଜ ଜାତି ପରସ୍ପର ସହଯୋଗ ଓ ଏକଜୁଟ ହୋଇ ନିଜକୁ ରାଜାଙ୍କ ରୋଷରୁ ରକ୍ଷା କରିବା ପାଇଁ ସଜାଗ ରହିଲା। ଏହି ଜାତିର ସଂଖ୍ୟା ଏତେ ବେଶି ଥିଲା ଯେ ପୋଲିସ, ସନ୍ୟବଳ, ରାଜତନ୍ତ୍ର ନାଚାର ହେଲେ କୌଣସି ପଦକ୍ଷେପ ନେବାକୁ। ରାଜକୋଷ ଶୂନ୍ୟକରି ବିଦେଶରୁ ଆମଦାନୀ କରି ପ୍ରଜା ମାନଙ୍କୁ ଯେନ ତେନ ପ୍ରକାରେଣ ବଞ୍ଚାଇଦେଲେ ରାଜା। ବୁଝି ପାରିଲେ ଚାଷୀ କୁଳଙ୍କ ଅସଲ ଶକ୍ତି। ସେବେଠାରୁ ଅନେକ ଚାଷୀ କଲ୍ୟାଣ କାମ ଆରମ୍ଭ କଲେ। ଯେ ଅନ୍ନ ଯୋଗାଉଛି ତା ଆଖିର ଲୁହ ରାଜାଙ୍କ ପସନ୍ଦ ନଥିଲା। ରାଜା ମନେ ମନେ ଚିନ୍ତା କରୁଥିଲେ କିଭଳି ସେମାନଙ୍କ ଉନ୍ନତି ହେବ। ଈଶ୍ବରଙ୍କ ଶରଣରେ ପଶିଲେ। ଈଶ୍ବର ତାଙ୍କୁ ସାହାଯ୍ୟ କରି କହିଲେ, "ସର୍ବେ ମନୁଷ୍ୟ ଭବନ୍ତୁ।"

ତାପରେ ମନୁଷ୍ୟ ସୃଷ୍ଟି ହେଲା ଗୁଣ କର୍ମ ବିଭାଗରେ ଜାତିମାନେ ପରସ୍ପର ବୃତ୍ତି ବଦଳାଇ ପାରିଲେ। କାହାର କୌଣସି କାମରେ ଏକଚାଟିଆ ଅଧିକାର ରହିଲା ନାହିଁ। କିନ୍ତୁ କାଳକ୍ରମେ ପୁଣି ସମାନ ସ୍ଥିତି ଆସି ପହଞ୍ଚିଲା। ଯେ ଖାଦ୍ୟ ବସ୍ତ୍ର ଯୋଗାଉଛି ସେ ହୀନସ୍ତା ଅଥଚ ଯେ ଜୁଆ ଆଡ୍ଡା କରୁଛି ସେ ମାଲାମାଲ। ଯେ ପରିବେଶକୁ ଯେତେ ନଷ୍ଟ କରୁଛି ସେ ସେତେ ଅଧିକ ବିତ୍ତଶାଳୀ। ପୁଣି ମେଳି ଓ ପୁଣି ସମାଧାନ ଅବଶ୍ୟ ହେବ ନିଶ୍ଚିତ।


Rate this content
Log in

Similar oriya story from Inspirational