ଚାନ୍ଦିନୀ ସ୍ମୃତି ପାଠାଗାର
ଚାନ୍ଦିନୀ ସ୍ମୃତି ପାଠାଗାର
"ଏହି ଗଳ୍ପଟି ସମ୍ପୂର୍ଣ୍ଣ କାଳ୍ପନିକ। ଏଥିରେ ବାସ୍ତବିକତାର କୌଣସି ସାକ୍ଷାତ୍ ଛାୟା ନାହିଁ, ତଥାପି ଜୀବନର ଅନୁଭବ, ଭାବନା ଓ ସ୍ୱପ୍ନର ଆଲୋକରେ ଏହା ଗଢ଼ାଯାଇଅଛି। ଗାଳ୍ପିକ ଆକୃତିରେ ମୁଁ ଏହାକୁ ନିଜ ଲେଖନୀର ଅନୁଭୂତି ଓ ମନୋଜଗତ ଚିତ୍ରଣ ମାଧ୍ୟମରେ ଜୀବନ୍ତ କରିବାରେ ଏକ ସୂକ୍ଷ୍ମ ପ୍ରୟାସ ଟିଏ କରିଛି। ଆଶା କରୁଛି, ଏହି ଲେଖା ଆପଣଙ୍କ ହୃଦୟକୁ ସ୍ପର୍ଶ କରି, ଭିତରେ ଗୁପ୍ତ ଥିବା ଭାବନାକୁ ଜାଗୃତ କରିପାରିବ।
"ଚାନ୍ଦିନୀ ସ୍ମୃତି ପାଠାଗାର"
ବୟସର ବେଦି ଉପରେ ଚାଳିଶିଟି ବସନ୍ତର ଫୁଲ ମଉଳି ଯାଇଛି ଆଜି । ଏହି "ଚାନ୍ଦିନୀ ସ୍ମୃତି ପାଠାଗାର"ର ଶାନ୍ତ କୋଣରେ ବସି, ଆଲୋକରେଖା ଭିତରେ ନୃତ୍ୟକରୁଥିବା ଧୂଳି କଣିକାମାନଙ୍କୁ ଦେଖୁଦେଖୁ, ମୁଁ ମୋ ଚାନ୍ଦଙ୍କୁ ଖୋଜୁଛି । ଏଠାରେ ତା'ର ଯେଉଁ କାଂସ୍ୟ ମୂର୍ତ୍ତି ଅଛି, ସେଥିରେ ତା'ର ହାସ୍ୟଭରା ମୁଖମଣ୍ଡଳ, ସେଇ ଆଖି ଦୁଇଟିର ଉଜ୍ଜ୍ୱଳ କାନ୍ତି ମୁଁ ଖୋଜୁଛି । କିନ୍ତୁ କାଂସ୍ୟ ତ ନିଶ୍ଚଳ, ନୀରବ । ଏହି ନୀରବତା ଭିତରେ ମୋର ଚତ୍ଵାରିଂଶତ ବର୍ଷର ସାଙ୍ଗତୀର ସ୍ମୃତି ସବୁ କେତେ ଜୀବନ୍ତ!
ମୋ କାହାଣୀ ଆରମ୍ଭ ହୁଏ ଏହି ଦପା ଗ୍ରାମର ମାଟିରୁ । ମୋର ନାମ ଜଗନ୍ନାଥ ଦାସ । ମୋ ଜୀବନ ଗଛଟି ଏହି ଦପା ଗ୍ରାମର ମାଟିରେ ମୂଳ ବାନ୍ଧି ବଢ଼ିଛି । ବାପା ଥିଲେ ଗ୍ରାମର ଏକ ସରଳ ଚାଷୀଟିଏ । ତାଙ୍କର ସ୍ୱପ୍ନ ଥିଲା ମୁଁ ବଡ଼ ହୋଇ ବଡ଼ ଚାକିରି କରିବି ।ସେ ମୋତେ ଯେଉଁ ଯତ୍ନରେ ପାଠ ପଢ଼ାଇଲେ, ତାହା ଥିଲା ଏକ ଅନନ୍ୟ ସ୍ନେହସିଞ୍ଚନ । ଯେପରି ଜଣେ ଉଦ୍ୟାନୀ ତାଙ୍କ ପ୍ରିୟ କଢ଼କୁ ଫୁଲ ଫୁଟାଇବା ପାଇଁ କରନ୍ତି – କୋମଳ ସ୍ପର୍ଶରେ ସେହି ଅଖିଳ ସମ୍ଭାବନାକୁ ମୁକୁଳିବାର ପଥ କରାନ୍ତି । ପ୍ରତ୍ୟେକ ଶବ୍ଦ, ପ୍ରତ୍ୟେକ ବ୍ୟାଖ୍ୟା ଥିଲା ଜଳବିନ୍ଦୁ ସଦୃଶ, ଯାହା ଜ୍ଞାନର ବୀଜକୁ ଅଙ୍କୁରିତ କରିଥିଲା । ତାଙ୍କ ଧୈର୍ଯ୍ୟ ଓ ଚେଷ୍ଟା ମୋ ମନରୂପୀ କୋମଳ କଳିକାକୁ ଜ୍ଞାନରୂପୀ ପ୍ରଫୁଲ୍ଲ ପୁଷ୍ପରେ ପରିଣତ କରିବାର ଅବ୍ୟକ୍ତ ଅଭିଳାଷ ଥିଲା । କିନ୍ତୁ ଭାଗ୍ୟର ଲେଖାଟି କିଛି ଅଲଗା ଥିଲା । ଚାକିରି ହେଲା ନାହିଁ । ବାପାଙ୍କର ସେଇ ଅଢ଼େଇ ମାଣ ଚାଷ ଜମିରେ ହଳ ବୁଲାଇଲି, ଶୀତ ଗ୍ରୀଷ୍ମ ବର୍ଷା ମୋ ହାତର ଚୋପଡ଼ା ଭଳି ପରିଚିତ ହୋଇଗଲା । ଜୀବନର ରଥଚକ ଘୁରିଲା ଏହି ଗ୍ରାମ୍ୟ ପଥରେ ।
ତା'ପରେ ଆସିଲା ସେ ଅମୃତ ଘଡ଼ି… ମୋର ବିବାହ। ଚାନ୍ଦିନୀ… ମୋ ଚାନ୍ଦ । ସେ ଯେତେବେଳେ ଆମ ଘରକୁ ଆସିଲା, ସାଙ୍ଗରେ ଆଣିଲା ଯେପରି ଏକ ପୂର୍ଣ୍ଣିମା ରାତିର ଶୀତଳ ଆଲୋକ । ତା'ର ହାସ୍ୟ ଥିଲା ଝରକାର ଝୁମୁର ଭଳି ମିଠା, ଆଖି ଦୁଇଟି ଚମକୁଥିଲା ଶରତ୍କାଳୀନ ତାରାଙ୍କ ଭଳି । ସେ କେବଳ ମୋ ଅର୍ଦ୍ଧାଙ୍ଗିନୀ ନଥିଲା, ମୋର ସହଯାତ୍ରୀ, ମୋର ପ୍ରେରଣା, ମୋର ଜୀବନର ଅଭିନ୍ନ ଅଂଶ । ସେ ଥିଲା ମୋ ଜୀବନର ଚନ୍ଦ୍ରମା, ଯିଏ ତା'ର କୋମଳ ଆଲୋକରେ ମୋର ସାଧାରଣ ଜୀବନକୁ ଅସାଧାରଣ କରିଦେଇଥିଲା । ତା'ର ହସ ଥିଲା ଯେପରି ଶରତ୍କାଳୀନ କାଶଫୁଲର ସୁନେଲି ସୌରଭ, ଯାହା ମନ ଭିତରକୁ ଶାନ୍ତି ଭରି ଦେଇଥାଏ । ଚାନ୍ଦିନୀ ଆସିବା ପରେ ଲାଗିଲା ଯେମିତି ମୋ ଆକାଶରୁ ଦୁଃଖର କଳାବାଦଲ ଫାଟିଯାଇ ସୁନାର କିରଣ ଝରିପଡ଼ିଲା । ସେ କେବଳ ଚାନ୍ଦ ନଥିଲା, ସେ ଥିଲା ଶରତ ପୂର୍ଣ୍ଣିମାର ନିରୋଳା 'ଚାନ୍ଦିନୀ' । ମୁଁ ତାକୁ ଆଦରରେ ଚାନ୍ଦ ବୋଲି ଡାକୁଥିଲି । ତା'ର ମୁହଁରେ ସବୁବେଳେ ଜହ୍ନର ହସ ଖେଳିଯାଉଥିଲା । ଦୁଃଖର ଘୋର ଅମାବାସ୍ୟାରେ ବି ସେ ଥିଲା ଆଶାର ପ୍ରଦୀପ । ତୋତେ ପାଇବା ଥିଲା ମୋ ଜୀବନର ସବୁଠୁ ବଡ଼ ସୌଭାଗ୍ୟ । ତୋ'ର ସେଇ ନୀରବ ମୁହଁ, ହସିଲେ 'ପୂର୍ଣ୍ଣିମା ଚାନ୍ଦ' ଭଳି ଝଟକୁଥିବା ଆଖି ଆଜି ବି ମୋ ଆଖି ଆଗରେ ନାଚି ଯାଉଛି । ତୋ’ର କଥା ମୋତେ ସବୁବେଳେ କବିତାର ଛନ୍ଦ ଭଳି ଲାଗୁଥିଲା ।
ସମୟ ଗଡ଼ିଲା ପ୍ରବାହିନୀ ନଦୀ ଭଳି । ଆସିଲେ ଆମର ଦୁଇଟି ଫୁଲ—କୃଷ୍ଣାଶୁ ଓ ଅଧୀରା । କୃଷ୍ଣାଶୁ… ତା'ର ନାମଟି ହିଁ ତ ଏକ କବିତା! ମୋ ଚାନ୍ଦ କେତେ ଶ୍ରଦ୍ଧାରେ ଏ ନାମ ରଖିଥିଲା—କୃଷ୍ଣ' (ଜଗନ୍ନାଥ ହେଉଛନ୍ତି କୃଷ୍ଣଙ୍କ ରୂପ) ଏବଂ 'ଅଂଶୁ' (କିରଣ, ଯାହା ଚନ୍ଦ୍ରରୁ ଆସେ) ଅର୍ଥ: ଶ୍ରୀକୃଷ୍ଣଙ୍କ କିରଣ । ଆଉ ମୋ ଝିଅ ଅଧୀରା, ଯେପରି ତାର ନାଁଟି, ସବୁବେଳେ ଅଧୀର, ଉତ୍ସୁକ, ମୋ ହୃଦୟକୁ ନିରନ୍ତର ଉତ୍ସାଳିତ କରୁଥିବା ଏକ ସ୍ରୋତ ।
ସେମାନଙ୍କର ବାଲ୍ୟକାଳ ଥିଲା ମୋ ଜୀବନର ସୁବର୍ଣ୍ଣ ଅଧ୍ୟାୟ । କୃଷ୍ଣାଶୁ ଆଉ ଅଧୀରା… ଗ୍ରାମର ପଥରେ ପଥରେ ଖେଳୁଥିବା ସେମାନଙ୍କର କୋଳାହଳରେ ଆମ ଘରଟି ଏକ ଉତ୍ସବମୁଖର ମନ୍ଦିର ପରି ହୋଇଯାଉଥିଲା । ଚାନ୍ଦ ଘର ସଜାଡ଼ୁଥିଲା, ମୁଁ କ୍ଷେତକୁ ଯାଉଥିଲି । ମୁଁ ଯେତେବେଳେ ସନ୍ଧ୍ୟାର ଛାୟା ଲମ୍ବିବାର ଆଗରୁ ଘରକୁ ଫେରି ଦେଖୁଥିଲି, ଚାନ୍ଦ ଆମ ବାରଣ୍ଡାରେ ବସି ପିଲାମାନଙ୍କୁ ପାଠ ପଢ଼ାଉଥିବ। ସେ ଦୃଶ୍ୟ ମୋ ପାଇଁ ଥିଲା ଯେପରି କୌଣସି ସୁନ୍ଦର ଲୋକଗୀତ—ଏକ ଅବାସ୍ତବ ସ୍ୱପ୍ନ ଭଳି ସୁନ୍ଦର! ଘର ପ୍ରାଙ୍ଗଣରେ ପଦଶବ୍ଦ ଶୁଣିବା ମାତ୍ରେ ଚାନ୍ଦ ପାଣି ବାଲତି ହାତରେ ଧରି ବାହାରି ଆସୁଥିଲା। ତା'ର କଣ୍ଠସ୍ୱର ଶୁଣିବାକୁ ମିଳୁଥିଲା ଝରଣାର କଳରବ ଭଳି - "ହେଇଟି! ଏତେ ଅନ୍ଧାର ଯାଏ ବିଲରେ ଏତେ ସମୟ କଣ ପାଇଁ ରହୁଛ? ପାଣି, କାଦୁଅରେ ସାପ, ବେଙ୍ଗ ଥିବେ... ଦିନ ଥିବା ସମୟରେ ଘରକୁ ପଲେଇ ଆସନ୍ତନି !"
ତା'ର କଥାରେ ରୋଷ ଥାଏ, କିନ୍ତୁ ଆଖିଭରି ଚିନ୍ତା ଫୁଟି ଉଠୁଥିଲା। ମୁଁ ଯେତେ କ୍ଳାନ୍ତ ହୋଇଥାଏ ନା କାହିଁକି, ଚାନ୍ଦର ସେହି ଚିନ୍ତାକୁଳ ମୁଖମଣ୍ଡଳ ଦେଖିଲା ମାତ୍ରେ ମୋର ସବୁ ଥକାପଣ ବାଟ ଭୁଲି ଯାଉଥିଲା, ଯେପରି ଶୁଖିଲା ମାଟିକୁ ବର୍ଷାର ଫୋଟାକଣା ଛୁଇଁଦେଲା। ସେ ପାଣି ଢାଳି ଦେଉଥିଲା ମୋ ହାତ ପାଦ ଉପରେ, ଆଉ ତା'ର ନରମ ହାତର ସ୍ପର୍ଶ ମୋ ଶରୀରର ସବୁ କ୍ଳାନ୍ତି ଧୋଇଦେଉଥିଲା। ସେତେବେଳେ ମୋତେ ଲାଗୁଥିଲା, ଏହି ସାଧାରଣ ଦିନଚର୍ଯ୍ୟାରେ ଛନ୍ଦି ରଖିଛି ଜୀବନର ସାର୍ଥକତା - ଏକ ଅସୀମ ଧୈର୍ଯ୍ୟର ସ୍ନେହ, ଯାହା ପ୍ରତିଦିନ ମୋର ଫେରିଆସିବା ପାଇଁ ଅପେକ୍ଷା କରି ରହେ।
କିନ୍ତୁ ସମୟ ତ କାହାରି ପାଇଁ ଅପେକ୍ଷା କରେ ନାହିଁ। ପିଲାମାନେ ବଡ଼ ହେଲେ। କୃଷ୍ଣାଶୁ ଏବଂ ଅଧୀରା ପଢ଼ାରେ ବହୁତ ଚମକଦାର ଥିଲେ। ଯେତେବେଳେ ପୁଅ ସିଭିଲ୍ ସର୍ଭିସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ, ଉତ୍ତରପ୍ରଦେଶର ପ୍ରୟାଗରାଜ ଜିଲ୍ଲାର ଜିଲ୍ଲାପାଳ ଭାବରେ ନିଯୁକ୍ତି ପାଇଥିଲା, ସେଇ ମୁହୂର୍ତ୍ତରେ ଚାନ୍ଦିନୀ ଯେମିତି ଫାଟି ପଡ଼ିଲା ଏକ କୁମୁଦିନୀ! ତାଙ୍କ ଆଖି ଦୁଇଟି ଯେପରି ଦୁଇଟି ପୂର୍ଣ୍ଣିମାର ଚନ୍ଦ୍ର ହୋଇଗଲା, ଆଲୋକିତ ହୋଇଉଠିଲା ଅନନ୍ତ ଆନନ୍ଦର ଜ୍ୟୋତ୍ସ୍ନାରେ। ସେ ମୋ ହାତ ଧରି ନାଚିଲେ, ହେଇଟି! ଦେଖିଲ, ମୋର କୃଷ୍ଣାଶୁ କେଡ଼ ବଡ଼ ହୋଇଗଲା! ମୋର ପୁଅ ଜିଲ୍ଲାପାଳ! ମୋର ଜୀବନ ସାର୍ଥକ ହେଲା, ଯେମିତି ଫଳେ ଫଳିଲା ମୋ ତ୍ୟାଗର ବୃକ୍ଷ!" ତାଙ୍କ ଆଖିରେ ଭରିଥିବା ଲୁହଗୁଡିକ ଯେପରି ବର୍ଷା ରାତିର ମାଣିକ୍ୟ ବିନ୍ଦୁ, କିମ୍ବା ମହାନଦୀର ଜଳରେ ଭାସିଥିବା ଆନନ୍ଦର ଫେଣ। ସେ ଗାଁର ସମସ୍ତଙ୍କୁ ଖବର ଦେବା ପାଇଁ ବାହାରି ଯାଇଥିଲେ, ଯେପରି କୌଣସି ଉତ୍ସବର ଘୋଷକ, ଯେଉଁମାନେ ମଙ୍ଗଳବାର୍ତ୍ତା ଶୁଣାଇ ବୁଲନ୍ତି ଗ୍ରାମେ ଗ୍ରାମେ। ସେଦିନ ସନ୍ଧ୍ୟାରେ ସେ ମନ୍ଦିରରେ ପ୍ରାର୍ଥନା କରିବା ପାଇଁ ଗଲେ, ଆଉ ସେଠାରେ ବସି ବସି କାନ୍ଦିଲେ, ମୁଁ ତାଙ୍କୁ କହିଲି, "ଚାନ୍ଦ, ଏତେ କାନ୍ଦୁଛ କାହିଁକି? ସେ କହିଲେ, "ଏଇ ଲୁହ ତ ମୋ ଆନନ୍ଦର ନଦୀ, ହେଇଟି!, ମୋର ସବୁ କଷ୍ଟ, ସବୁ ତ୍ୟାଗ ଆଜି ସାର୍ଥକ ହେଲା, ଯେମିତି ବନ୍ଦାପନା ଫୁଲର ସୁଗନ୍ଧ ଛଟା ବିକିରଣ କରେ।"
କିନ୍ତୁ କୃଷ୍ଣାଶୁ ଯେତେବେଳେ ପ୍ରଥମ ଥର ପାଇଁ ଜିଲ୍ଲାପାଳ ହୋଇ ଆମ ଘରକୁ ଆସିଲା, ସେତେବେଳେ ଚାନ୍ଦଙ୍କ ଖୁସି ମଧ୍ୟରେ ଏକ ଛାୟା ଖେଳିଗଲା, ଯେମିତି ଶରତ୍କାଳୀନ ଆକାଶରେ ଉଡ଼ୁଥିବା ଏକ ଏକ କାଳା ମେଘ। କୃଷ୍ଣାଶୁ ଆମ ଉଭୟଙ୍କୁ କହିଲା, ବାପା, ବୋଉ ମୋ ସହିତ ପ୍ରୟାଗରାଜକୁ ଯିବା ପାଇଁ, ସେଠାରେ ମୋ ସହିତ ରହିବ । ଚାନ୍ଦ ମୋ ଆଡ଼କୁ ଦେଖିଲେ । ତାଙ୍କ ଆଖିରେ ଥିଲା ଏକ ପ୍ରଶ୍ନ, ଏକ ଅନୁରୋଧ - ଯେମିତି ଭୋର ବେଳର ତାରା ଝିଲମିଲ କରେ । ସେ ଚାହୁଁଥିଲେ ମୁଁ ରାଜି ହୋଇଯିବି । କିନ୍ତୁ ମୁଁ କହିଲି, "ପୁଅ, ତୋର ଚିନ୍ତା ଭଲ । କିନ୍ତୁ ଏହି ଗାଁ ମୋର ଜୀବନ । ଏଠାରେ ମୋର ଶ୍ୱାସ ପରି ଲାଗେ ଏହି ମାଟି। ଏଠାରେ ତୋ ବୋଉର ସବୁ ସ୍ମୃତି ରହିଛି, ଯେମିତି ଫୁଲବାଡ଼ିରେ ଭମର ଗୁଞ୍ଜନକରେ ।"
ଚାନ୍ଦ ନୀରବ ହୋଇଗଲେ, ଯେମିତି ଅସ୍ତଯାଉଥିବା ସୂର୍ଯ୍ୟ ପରେ ଆକାଶର ନୀରବତା । ସେ ଜାଣିଥିଲେ ମୋ ମନର କଥା । କିନ୍ତୁ କୃଷ୍ଣାଶୁ ଜିଦ୍ ଧରିଲା, "ବାପା, ବୋଉ ଆପଣଙ୍କୁ ଏକା ଛାଡ଼ି ଯିବା ମୋର ପାଇଁ କେତେ କଷ୍ଟଦାୟକ । ଆପଣଙ୍କୁ ନେଇ ଯିବା ପାଇଁ ମୋର ଏତେ ଇଚ୍ଛା, ଆପଣ କାହିଁକି ବୁଝିବେ ନାହିଁ?"
ମୁଁ ତାକୁ କହିଲି, "ପୁଅ, ତୁମେ ଯେତେ ବଡ଼ ହୋଇଯାଅ ନା ଯେମିତି, ମୋର ପାଇଁ ତୁମେ ସେଇ ଛୋଟ ପିଲା, ଯିଏ ମୋ କାନ୍ଧରେ ବସି ଗାଁ ବୁଲିଥିଲା, ଯେମିତି କୋଳିଶ ପକ୍ଷୀ ବସେ ବଡ଼ ଗଛର ଡାଳେ । ଏହି ଗାଁ ତୋର ଜନ୍ମଭୂମି, ଏହା ଛାଡ଼ି ମୁଁ କେଉଁଠି ଯିବି?"
ଚାନ୍ଦ ସେତେବେଳେ କହିଥିଲେ, ତାଙ୍କ କଣ୍ଠରେ ଯେମିତି ଝରି ପଡ଼ିଥିଲା ଏକ ଭାବଗୀତ, "ପୁଅ, ତୁମ ବାପା ଠିକ୍ କହୁଛନ୍ତି । ଏହି ଗାଁ ଆମର ପ୍ରାଣ । ଏଠାରେ ଆମର ସବୁ ସ୍ମୃତି ରହିଛି - ତୋର ପ୍ରଥମ ପାଦଚଲା, ତୋର ପ୍ରଥମ କଥା, ତୋର ପ୍ରଥମ ବିଦ୍ୟାଳୟ ଯିବା । ଏସବୁ ଛାଡ଼ି ଆମେ କେଉଁଠି ଯିବୁ? ଏ ମାଟିର ସୁଗନ୍ଧ, ଏ ଆକାଶର ନୀଳିମା, ଏ ପବନର ସ୍ପର୍ଶ ଛାଡ଼ି ଆମେ କେଉଁଠି ଯିବୁ?"
ଆଉ ମୋ ଅଧୀରା... ମୋର ଝିଅଟି ଯେ କେତେ ସମୟରେ ବଡ଼ ହୋଇଗଲା! ସେ ଆଜି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ମ୍ୟାନେଜର, ଭୁବନେଶ୍ବରରେ ରୁହେ, ସେ ବି ଜିଦ୍ କରେ ବାପା, ବୋଉ ମୋ ପାଖରେ ଆସି ରହିବା ପାଇଁ ।
କିନ୍ତୁ ଏଇ ଗର୍ବର ମଧ୍ୟରେ ଲୁଚିଥିଲା ଏକାକୀତ୍ୱର ବିଷାଦ ଗାନ । ପିଲାମାନେ ଦୂର ନଗରୀରେ, ନିଜ ନିଜ ବ୍ୟସ୍ତ ଜୀବନରେ ବ୍ୟସ୍ତ । ଘରଟି ଶୂନ୍ୟ ହୋଇଗଲା । କେବଳ ରହିଗଲା ମୋ ଚାନ୍ଦ ଆଉ ମୁଁ । ସେତେବେଳେ ଆମର ଆଖି ଆଉ ଆଖିର କଥା ବୁଝିପାରୁଥିଲୁ । ସେ ଜାଣିଥିଲା, ପିଲାମାନଙ୍କ ଦୂରତା ମୋ ହୃଦୟକୁ କେତେ ଆଘାତ ଦେଇଛି । ମୁଁ ବି ଜାଣିଥିଲି, ସେ କେତେ ଅଭାବ ଅନୁଭବ କରୁଛି ଝିଅ ପୁଅଙ୍କୁ ନ ପାଇ ।
ତା'ପରେ ଆସିଲା ସେଇ ଭୟଙ୍କର ଦିନ… ଯେତେବେଳେ ସମୟର ହାତ ମୋଠାରୁ ମୋ ଚାନ୍ଦକୁ ଛିନ୍ନ କରିନେଲା । ସେଦିନ ଆକାଶରେ ମେଘ ନଥିଲା, ତଥାପି ମୋ ଜୀବନରେ ଆସିଗଲା ଏକ ଅନ୍ଧକାର ମେଘ । ଚାନ୍ଦ ଚାଲିଗଲା… ଶହ ଶହ ଯୋଜନ ଦୂରକୁ, ଯେଉଁଠାକୁ ମୋ ଆଖି ଯାଇପାରେ ନାହିଁ, ମୋ ଡାକ ପହଞ୍ଚେ ନାହିଁ ।
ପୁଅ କୃଷ୍ଣାଶୁ ଆଉ ଝିଅ ଅଧୀରା ନିଜ ନିଜ ନୀଡ଼କୁ ଡାକିଲେ – "ବାପା, ଏଇ ଏକାକୀ ଜୀବନ ଛାଡ଼ି ଆମ ପାଖକୁ ଆସିଯାଆନ୍ତୁ । ବୋଉ ଚାଲିଗଲା ପରେ ଏଇ ଶୂନ୍ୟ ଘରେ ତ ଆଉ କିଛି ରହିନାହିଁ । କିନ୍ତୁ ମୁଁ ଯାଇପାରିଲି ନାହିଁ। କେମିତି ଯିବି? ଏଇ ଗାଁ ମୋର ଜୀବନର ସତ୍ୟ, ଏଇ ମାଟି ମୋର ଇତିହାସ । ଏଠାରେ ଯେଉଁ ବାରଣ୍ଡା ଉପରେ ଚାନ୍ଦ ବସି ଥିଲା, ଯେଉଁ ଅଙ୍ଗନାରେ କୃଷ୍ଣାଶୁ ଆଉ ଅଧୀରା ଖେଳୁଥିଲେ, ଯେଉଁ ରାସ୍ତାରେ ମୁଁ ଚାନ୍ଦ ସାଙ୍ଗେ ହାତ ଧରାଧରି ହୋଇ ବୁଲିଥିଲି—ସେସବୁ କେମିତି ଛାଡ଼ି ଯିବି? ଏହି ଗ୍ରାମ୍ୟ ପଥରେ, ଏହି ବାତାୟନରେ, ଏହି ଅଙ୍ଗନାରେ ତ ମୋ ଚାନ୍ଦ ବିଛାଡ଼ି ହୋଇନାହିଁ । ସେ ତ ଆଜି ବି ଅଛି… ପ୍ରତ୍ୟେକ ସନ୍ଧ୍ୟାର ଆଲୋକରେଖାରେ, ପ୍ରତ୍ୟେକ ଜ୍ୟୋତ୍ସ୍ନା ରାତ୍ରିର ନୀରବତାରେ ।
ତୁ ଚାଲିଯିବା ପରେ, ତୋରି ସ୍ନେହର ସୌରଭକୁ ସାଙ୍ଗରେ ରଖିବା ପାଇଁ ଗଢ଼ି ତୋଳିଛି ଏହି "ଚାନ୍ଦିନୀ ସ୍ମୃତି ପାଠାଗାର" । ଏହା କେବଳ ଏକ ଇଟା-ସିମେଣ୍ଟର କ୍ଷେତ୍ର ନୁହେଁ, ଏହା ତୋ ଅସ୍ତିତ୍ଵର ଏକ ସ୍ମୃତି-ସୌଧ, ତୋ ଅନନ୍ୟ ପ୍ରେମର ଏକ କାବ୍ୟିକ ପ୍ରକଟନ ।
ଏଠାରେ ସନ୍ଧ୍ୟା ଆସିବା ସହିତ, ଗାଁର ଛୋଟଛୋଟ ପିଲାମାନେ ଆସି ଜମା ହୁଅନ୍ତି । ସେମାନଙ୍କର କିଟିକିଟ ଶବ୍ଦ, ପାଦ ଚାଲିବାର ଖଟଖଟ ଶବ୍ଦ, ପୁସ୍ତକ ପୃଷ୍ଠା ଓଲଟାଇବାର ସରସର ଶବ୍ଦ - ଏସବୁ ମିଶି ଏକ ଜୀବନ୍ତ ସଙ୍ଗୀତ ସୃଷ୍ଟି କରେ । ମୁଁ ବସି ରହୁଛି ଏକ କୋଣରେ, ଆଉ ଏହି ସଙ୍ଗୀତ ଭିତରେ ଖୋଜୁଛି ତୋର ସ୍ୱର । କଦମ୍ବ ଗଛର ପତ୍ର ଝରିବାର ଶବ୍ଦ ଭଳି, ଏହି ଶବ୍ଦଗୁଡ଼ିକ ମୋ ହୃଦୟକୁ ସ୍ପର୍ଶ କରେ ।
ସମ୍ମୁଖରେ ରହିଛି ତୋର କାଂସ୍ୟ ମୂର୍ତ୍ତି । ସେ ମୂର୍ତ୍ତିରେ ତୋର ହାସ୍ୟ ଯେପରି ସମୟକୁ ଜିଣି ରହିଛି, ତୋର ଅଧର ଯେପରି କିଛି କହିବାକୁ ଚାହୁଁଛି । କିନ୍ତୁ ସେ ତ ନୀରବ, ଯେପରି ପୂର୍ଣିମା ରାତିର ଚନ୍ଦ୍ର ଆଲୋକିତ କରେ କିନ୍ତୁ କଥା ହୋଇପାରେ ନାହିଁ । ତା'ର ନୀରବତା ଭିତରେ ମୁଁ ଶୁଣୁଛି ଏକ ଅସ୍ଫୁଟ ସଙ୍ଗୀତ, ଯାହା ମୋ ଆତ୍ମାକୁ ସ୍ପର୍ଶ କରେ ।
ମୁଁ ଜାଣେ, ତୁ ଏଠାରେ ଅଛୁ - ପ୍ରତ୍ୟେକ ପୁସ୍ତକର ପୃଷ୍ଠା ଭିତରେ, ପ୍ରତ୍ୟେକ ପିଲାର ଉତ୍ସୁକ ଆଖିରେ । ଯେତେବେଳେ ଝିଅଟିଏ କବିତା ପାଠ କରେ, ମୋତେ ଲାଗେ ଯେପରି ତୁ ତା' କଣ୍ଠରେ ଗାଇଛୁ । ଯେତେବେଳେ ପିଲାଟିଏ ପ୍ରଶ୍ନ କରେ, ମୋତେ ଲାଗେ ଯେପରି ତୋର ବୁଦ୍ଧିମତୀ ଆଖି ତା' ମଧ୍ୟରେ ଜାଗ୍ରତ ହୋଇଛି ।
ଏହି ପାଠାଗାର ତୋର ଅସ୍ତିତ୍ଵର ଏକ ସଜୀବ ପ୍ରତିଛବି । ଏଠାରେ ତୋର ସ୍ନେହ ଯେପରି ଏକ ନିର୍ବାଣ ଦୀପ, ଯାହା ପ୍ରଜ୍ଜ୍ୱଳିତ ରଖୁଛି ଅନେକ ଜୀବନକୁ । ତୋର ସ୍ମୃତି ଯେପରି ଏକ ଅଜସ୍ର ନଦୀ, ଯାହା ବହି ଚାଲିଛି ଏହି ପାଠାଗାରର ପ୍ରାଣ ଭିତରେ ।
ଆଜି ମୁଁ ଦେଖୁଛି, ତୋର ଏକାନ୍ତ ମୂର୍ତ୍ତିର ଚାରିପାଖରେ ଜୀବନର ଏକ ଅନବରତ ନୃତ୍ୟ ଚାଲିଛି । ପିଲାମାନଙ୍କର ହାସ୍ୟ, ଉତ୍ସାହ, ଜିଜ୍ଞାସା - ଏସବୁ ମିଶି ତୋର ନୀରବତାକୁ ଏକ ମଧୁର ସଙ୍ଗୀତରେ ପରିଣତ କରିଛି । ମୁଁ ଜାଣେ, ତୁ ଖୁସି ହେଉଛୁ - ଯେପରି କୌଣସି ସୃଜନଶୀଳ ଶିଳ୍ପୀ ନିଜ ସୃଷ୍ଟି ଦେଖି ଆନନ୍ଦିତ ହୁଏ ।
ଏହି କ୍ଷଣରେ, ସନ୍ଧ୍ୟାର ସୁବର୍ଣ୍ଣଛଟା ତୋର ମୂର୍ତ୍ତିରେ ପଡ଼ିଛି, ଆଉ ମୋତେ ଲାଗୁଛି ଯେପରି ତୁ ହାସ୍ୟ କରୁଛୁ, ମୋ ଆଡ଼କୁ ଚାହୁଁଛୁ । ଏହି ମୁହୂର୍ତ୍ତରେ, ଏହି ପାଠାଗାର ହୋଇଯାଇଛି ଏକ ପବିତ୍ର ମନ୍ଦିର, ଯେଉଁଠାରେ ତୋର ସ୍ମୃତି ଜାଗ୍ରତ ରହିଛି ଏକ ଦେବୀ ଭାବରେ । ଆଉ ମୁଁ, ଏକ ଭକ୍ତ ଭାବରେ, ତୋର ଏହି ଅମର ଅସ୍ତିତ୍ଵରେ ନିଜକୁ ବୁଡ଼ାଇ ଦେଇଛି ।
ହେ ମୋ ଚାନ୍ଦ, ତୁ ଆଜି ଯେଉଁ ଲୋକକୁ ଚାଲିଗଲୁ, ସେଇ ଲୋକରେ କ'ଣ ଏହି ଗ୍ରାମର ପବନ ପହଞ୍ଚେ? ସେଠାରେ କ'ଣ ଏହି ଚାଷ ଜମିର ସୁଗନ୍ଧ ଅଛି? ମୁଁ ଜାଣେ, ତୁ ମୋତେ ଏକା ଛାଡ଼ି ଯାଇ ବି ଏକା ଛାଡ଼ି ନାହୁଁ । ତୋ'ର ସ୍ମୃତି, ତୋ'ର ସ୍ନେହ ମୋ ପାଖରେ ରହିଛି ଏକ ଅମୂଲ୍ୟ ଧନ ଭାବରେ ।
ଏବେ ମୁଁ ଶୁଣୁଛି, ପାଠାଗାରର ପିଲାମାନେ ବହି ପଢ଼ୁଛନ୍ତି । ସେମାନଙ୍କର କଳରାବ ଭିତରେ ମୁଁ ମୋ ଚାନ୍ଦର ହାସ୍ୟ ଶୁଣୁଛି । ମୁଁ ଜାଣୁଛି, ମୋ ଶେଷ ସମୟ ନିକଟବର୍ତ୍ତୀ। କିନ୍ତୁ ମୁଁ ଭୟଭୀତ ନାହିଁ । କାରଣ ମୁଁ ଜାଣେ, ଯେତେବେଳେ ମୋର ଶେଷ ଶ୍ୱାସ ପଡ଼ିବ, ସେତେବେଳେ ମୋ ଚାନ୍ଦ ମୋ ହାତ ଧରିବ, ଆଉ ସେ ହାତ ହେବ ମୋ ପାଇଁ ଏକ ସୁରକ୍ଷିତ ଶରଣସ୍ଥଳୀ ।
ଏହି ମୂର୍ତ୍ତିରେ ଥିବା ଚାନ୍ଦଙ୍କ ଆଖି ଆଡ଼କୁ ଚାହିଁ ମୁଁ କହୁଛି, "ଚାନ୍ଦ, ଅଳ୍ପ ଦିନରେ ଆସୁଛି । ତୋ'ର ପାଖରେ ରହିବି। ଆଉ କେବେ ଛାଡ଼ି ଯିବି ନାହିଁ । ସନ୍ଧ୍ୟା ହୋଇଆସୁଛି । ପାଠାଗାରର ପିଲାମାନେ ଚାଲିଗଲେ । ଶୂନ୍ୟ ହୋଇଗଲା ପାଠାଗାର । କେବଳ ରହିଗଲା ମୋ ଚାନ୍ଦଙ୍କ ମୂର୍ତ୍ତି ଆଉ ମୁଁ । ବାହାରେ ଜ୍ୟୋତ୍ସ୍ନା ଛଟାଛଟା, ଯେପରି ଚାନ୍ଦ ଆସି ମୋତେ ଘେରିଛି । ମୁଁ ଆଖି ବୁଜିଲି । ଆଉ ଏକାକୀ ଲାଗୁନାହିଁ । ମୋ ଚାନ୍ଦ ଆସିଗଲା… ମୋ ପାଖରେ ଅଛି ।

