Anuja Behera

Abstract Classics Inspirational

3  

Anuja Behera

Abstract Classics Inspirational

ଚାନ୍ଦୀନୀ ଅପା

ଚାନ୍ଦୀନୀ ଅପା

7 mins
158



         ବେଶି ହେଲେ ୫୦୦ ଘର ବିଶିଷ୍ଟ ଛୋଟ ଏକ ଗାଁ ରେ ଛୋଟ ଏକ ୟୁ ପି ଟିୟୁସନ ସେଣ୍ଟର । ନିଇକଟେଇ ଆସୁଥିବା ଦଶହରା ଦୂର୍ଗାପୂଜା ର ଏକ ଆନନ୍ଦ ଉଲ୍ଲାସର ସମୟ । ପାଠପଢା ସରିବା ପରେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀଙ୍କୁ ନେଇ ଦଶହରା ବାବଦରେ ପିକନିକ୍ ପାଇଁ ଟିୟୁସନ ରେ କିଛି ସମୟର ବୈଠକ କରାଗଲା । ସମସ୍ତଙ୍କ ମତ ରଖି ଅନେକ ଆଲୋଚନା ପରେ ଶେଷରେ ଚିଲିକା ବୁଲିଯିବା ପାଇଁ ସ୍ଥିର ହେଲା । ଏଥିପାଇଁ କିଛି ଚାନ୍ଦା ବି ପଡ଼ିଥାଏ । ଦଶହରା ରେ ଚିଲିକା ବୁଲିଯିବା ପାଇଁ ଓ ଯାବତୀୟ ଖର୍ଚ୍ଚ ପାଇଁ । ପରେ ବୈଠକ ସଙ୍ଗ କରି ଟିୟୁସନ ଛୁଟି ହେଲା । ସମସ୍ତେ ଖୁସି ମନରେ ଗହଳି ହୋଇ ଯେ ଯା ରାସ୍ତାରେ ଦୌଡିଗଲେ ଘରକୁ । ସେହି ଗହଳି ଭିତରୁ ଅପା ମଧ୍ୟ ଦୌଡ଼ି ଯାଇ ଘରେ ପହଞ୍ଚିଲା । ଅପାର ମନରେ ଆନନ୍ଦ କହିଲେ ନସରେ । ବୋଉ ତା'ର ବାରିପଟ ଝାଟିମାଟିର କାନ୍ଥରେ ମାଟି ଲିପୁଥିଲା । ଏଇ ଭିତରେ ଅପା ମନରେ ଅନେକ ଖୁସି ହୋଇ ହସ ହସ ମୁହଁରେ ତା ବୋଉକୁ କୁଣ୍ଢେଇ ପକାଇଲା । ଆଉ ନିଜେ ବୋଉ ହାତରୁ ମାଟି ଛଡ଼ାଇ ନିଜେ କାନ୍ଥରେ ଲିପିବାକୁ ଲାଗିଲା । ଝିଅ ମନରେ ଖୁସି ଦେଖି ବୋଉ ମଧ୍ୟ ନିଜେ ମୁରୁକି ହସି ଦେଇ ନିଜେ ଆନନ୍ଦ ଅନୁଭବ କଲା ଆଉ କହିଲା ଆଲୋ ଝିଅ ତୁ ଆଜି କାହିଁକି ଏତେ ଖୁସି ଅଛୁ କହ କଣ ହେଇଛି । ଏତକ କହୁ କହୁ ଅପା ତା ବୋଉ ପାଟିରୁ କଥା ଛଡ଼ାଇ ନେଇ କହିଲା , ବୋଉ ବୋଉ ତୁ ଜାଣିଚୁ ଆଜି ନା ଆମ ଟିୟୁସନ ରେ ମିଟିଙ୍ଗ ହେଲା ଆଉ ସାର କହିଲେ ଦଶହରାରେ ସମସ୍ତେ ଚିଲିକା ବୁଲିବାକୁ ଯିବା । ତୁ ତ ଜାଣିଚୁ ଚିଲିକା ମତେ ଭାରି ପସନ୍ଦ ସେଠାରେ କେତେ ବିଭିନ୍ନ ପ୍ରକାରର ପକ୍ଷୀ ଉଡୁଥିବେ , କେତେ କେତେ ମାଛ ପାଣି ଭିତରେ ବୁଲୁଥିବେ , କେତେ ଡଙ୍ଗା ଥିବ , ଆଉ ନା କେତେ ବଡ଼ ବଡ଼ ଡଲଫିନ ମାଛ ଡୁବୁକି ମାରି ଲୁଚକାଳି ଖେଳୁଥିବେ । ଆଉ ଚାରିଆଡେ ଖାଲି କେତେ କେତେ ପାଣି ଥିବ । ସତରେ ବୋଉ ଚିଲିକାର ଏ ପ୍ରାକୃତିକ ପରିବେଶ ନା ଭାରି ମନଛୁଆଁ । 


          ସାର ସମସ୍ତଙ୍କୁ କହିଛନ୍ତି ଦଶହରାରେ ସମସ୍ତେ ନୁଆଁ ଡ୍ରେସ୍ ପିନ୍ଧିବ । ଆଉ ସମସ୍ତେ ଯଥାଶୀଘ୍ର ଚାନ୍ଦା ଦେଇଦେବାକୁ । ସତରେ ସମସ୍ତେ ନୁଆଁ ଡ୍ରେସ ପିନ୍ଧିବେ , ଏ ବୋଉ ବୋଉ ମୁଁ ବି ନୁଆଁ ଡ୍ରେସ ପିନ୍ଧିବି , ମୁଁ ବି ଚାନ୍ଦା ଦେବି , ମୁଁ ବି ଯିବି । ଏ ବୋଉ କହ ତୁ ମୋ ପାଇଁ ଏତକ କରିବୁ ନା । ଆଉ ଯଦି ନ କରିବୁ ନା ମୁଁ ତ ସଙ୍ଗେ ଆଉ କେବେ କଥା ହେବିନି , କି ସେ ଟିୟୁସନ କୁ କେବେ ବି ଯିବିନି । 

              ଅପା ତା ବୋଉ ର ଗେହ୍ଲା ଝିଅ । ଝିଅର ଏ ପ୍ରକାର ଉତ୍କଣ୍ଠା ଓ ଆନନ୍ଦ ଦେଖି ତା ବୋଉ କୁ ଭାରି ଖୁସି ଲାଗିଲା । ବାସ୍ତବରେ ତା ବୋଉ ମୂଲ ଲାଗିଲେ ତା ଘର ଚଳେ । ପରିବାର ପେଟକୁ ଦି ମୁଠା ଖାଇବାକୁ ମିଳେ । କିନ୍ତୁ ସ୍ବାମୀ ଜଣଙ୍କ ରୋଜଗାର ନଥାଇ ବି ଦିନରାତି ତମାମ ସମୟ ମଦ ନିଶାରେ ବୁଡି ରହିବା ହେତୁ ବେଳେ ବେଳେ ଖାଲି ଖାଲି ରେ ଘରେ ଅଝଥା ଝଡ଼ ସୃଷ୍ଟି ହୁଏ ଓ ଘର ଚଳିବା କଠିନ ହୋଇଯାଏ । ତଥାପି ସ୍ୱାମୀଙ୍କ ଅଜାଣତରେ ଗେହ୍ଲା ଝିଅ ପାଇଁ ନୁଆଁ ଡ୍ରେସ ଆଉ ଟିୟୁସନ ଚାନ୍ଦା ସବୁକିଛି ଯୋଗାଇ ଦେବାର ଝିଅକୁ ପ୍ରତିଶୃତି ଦେଇଛି । ଏଥର ଅପା କିନ୍ତୁ ଭାରି ଖୁସି । ଆଉ ଆନନ୍ଦ ରେ ଭାବବିହ୍ବଳ ହୋଇ ତା ବୋଉ କୁ ଆଉ ଥରେ କୁଣ୍ଢେଇ ପକାଇଛି । 

           ଏବେ ରାତିରେ ଭଲସେ ନିଦ ହେଇନି ତଥାପି ଚିଲିକା ବୁଲିଯିବା ସ୍ବପ୍ନରେ ସକାଳ ପାହିଛି । ବର୍ତମାନ ଅପା ନୁଆଁ ଡ୍ରେସ ସାଙ୍ଗକୁ ଟିୟୁସନ ଚାନ୍ଦା ବି ଦେଇସାରିଛି । ଇତିମଧ୍ୟରେ ଅପାର ସହପାଠୀ ଡାକ ଛାଡିଲେ ଆଉ କହିଲେ ଆରେ ସମସ୍ତେ ଚାଲିଗଲେଣି ଶିଘ୍ର ଆସ ସାର ସେପଟେ ରାଗ ହେଲେଣି । ସମସ୍ତେ ଚିଲିକା ତୁଠେ ଡଙ୍ଗାରେ ଆମକୁ ଅପେକ୍ଷା କରିଛନ୍ତି । ଆମେ ଗଲେ ଡଙ୍ଗା ବାହାରିବ , ଏବେ ଅପା ଆଉ ବିଳମ୍ବ ନକରି ସେମାନଙ୍କ ସହ ଶିଘ୍ର ବାହାରି ପଡ଼ିଲା । 


        ୨୦୧୨ ମସିହା ଅଳ୍ପ ଥଣ୍ଡା ଆଶ୍ୱିନ ମାସରେ ପୁଣି ଦଶହରା ସମୟ । ଘଣ୍ଟାରେ ସମୟ ୯:୦୦ କିମ୍ବା ୧୦:୦୦ ଟା ହେବ । ଅପା ସମେତ ଟିୟୁସନ ଷ୍ଟାଫ୍ । ଚିଲିକା ତଟରୁ ଡଙ୍ଗା ବାହାରି ପଡ଼ିଲା ଭ୍ରମଣ ଉଦ୍ଦେଶ୍ୟରେ , ନୀଳାମ୍ବୁ ଚିଲିକାର ଗର୍ଭ ଗଣ୍ଡ ଭିତରେ ଥିବା ଏକ ମନମୋହିତ ଦ୍ବିପପୁଞ୍ଜ ଚଢ଼େଇ ପାହାଡ଼ ର ଭ୍ରମଣରେ । 

          ସାରଙ୍କ ଆଦେଶରେ କୁଳରୁ ଡଙ୍ଗା ଛାଡ଼ିଲା ଯାନ୍ତ୍ରିକ ପଟ ପଟ ଶବ୍ଦରେ , ଦୁଇ ପାଖ ଲହରୀ କାଟି , ଆଗକୁ ଆଗ । ପୂର୍ବରୁ ସୁନେଲି ସକାଳରେ ଉଦୟ ସୂର୍ଯ୍ୟର କଅଁଳିଆ ଖରା , ଉତ୍ତରରୁ ଭାସି ଆସୁଥିବା ସୁଲୁସୁଲିଆ ଶୀତଳ ବାଆ ଓ ଚିଲିକା ଜଳରାଶିର ତଚଙ୍ଗର କୁଳୁକୁଳୁ ନାଦ ସମେତ ନାନାଦି ପକ୍ଷୀ ମାନଙ୍କ କିଚିରିମିଚିରି ଶବ୍ଦ ସମସ୍ତଙ୍କ ମନ କୁ କିଣି ନେଉଥିଲା । ସମସ୍ତଙ୍କ ମନରେ ଆନନ୍ଦର ଶିହରଣ । ଚିଲିକାର ପ୍ରାକୃତିକ ଚାରୁ ଚିତ୍ରପଟ ସୁନ୍ଦର , ଶୃଙ୍ଖଳିତ ଓ ନିର୍ମଳ ଦିଶୁଥାଏ । ଏପରି ଏକ ଶୀତଳ ଆନନ୍ଦର ଦୃଶ୍ୟରାଜି କୁ ସମସ୍ତେ ଅତି ନିକଟରୁ ଉପୋଭୋଗ କରିଥିଲେ । ଇତିମଧ୍ୟରେ ଡଙ୍ଗା ପହଞ୍ଚିଲା ଲକ୍ଷ ସ୍ଥଳରେ । ସମସ୍ତେ ଅସ୍ତବ୍ୟସ୍ତ ଭ୍ରମଣ ଉଦ୍ଦେଶ୍ୟରେ । ଡଙ୍ଗାରୁ ଓହ୍ଲାଇ ସମସ୍ତେ ଚାଲିଗଲେ ଚିଲିକାର ପ୍ରାକୃତିକ ଦୃଶ୍ୟରାଜିକୁ ଉପୋଭୋଗ କରିବାକୁ । ଅପାର ମନରେ ବି ଆନନ୍ଦର ଲହରୀ ଖେଳୁଥିଲା । 

        ଉଦୟ ସୂର୍ଯ୍ୟର କଅଁଳିଆ ଖରାରେ ଚିଲିକାର ଜଳରାଶି ଝଲସି ଉଠୁଥିଲା । ନାନାଦି ପ୍ରଜାତିର ପକ୍ଷୀମାନେ ଉଡ଼ି ଯାଉଥିଲେ କେଉଁ ଏକ ଅଜଣା ରାଇଜକୁ , ଆହାର ଅନ୍ବେଷଣରେ । ଉତ୍ତରର ଶୀତଳ ପବନରେ ଅପାର ଦେହରେ ଆନନ୍ଦର ଶିହରଣ ଖେଳୁଥିଲା । ସମସ୍ତେ ସେ ଐତିହାସିକ ଦ୍ଵୀପପୁଞ୍ଜର ମଜା ନେଉଥିଲେ । ଚିଲିକାର ଶାନ୍ତ ସୁନ୍ଦର ପ୍ରାକୃତିକ ପରିବେଶକୁ ଉପୋଭୋଗ କରିଥିଲେ । ଅପା ବି ସେ ଗହଳି ଭିତରେ ଚିଲିକା ଭ୍ରମର ମଜା ନେଉଥିଲେ କିନ୍ତୁ ହଠାତ୍ କ'ଣ ହେଲା ଅପାର ମନରେ ଉଦାସୀନତା ଅନୁଭବ ହେଲା । ଦେହରେ ଏକ ଭୟର ଅଜବ ଶିହରଣ ଖେଳିଗଲା । ଚାହୁଁ ଚାହୁଁ ନୀଳ ନିର୍ମଳ ଶାନ୍ତ ଆକାଶରେ କୁଆଡୁ ଏକ ଘନ ଅନ୍ଧାରିଆ କଳା ମେଘ ମାଡି ଆସିଲା । ଅପାର ମନରେ ଛନକା ପଶିଲା , ଫଟପରା ଖୁସି ଭରା ମନଟା ମଉଳି ଗଲା । ହଠାତ୍ ଆକାଶରେ ଘନ ଅନ୍ଧାରିଆ ମେଘ , ଅଚାନକ ସମୟର ଏପରି ପରିବର୍ତ୍ତନ , ଅପାର ମନକୁ ପାପ ଛୁଇଁଲା । ଇତିମଧ୍ୟରେ ହଠାତ୍ ସାରଙ୍କ ସାର୍ଟ ପକେଟରୁ ମୋବାଇଲ ରିଂ ରିଂ ଶବ୍ଦ ହେଲା । ଗହଳି ଭିତରୁ ସାର କିଛି ଦୁର ଘୁଞ୍ଚିଯାଇ କିଛି ସମୟ ସାର ଫୋନରେ କଥା ହେଲେ । ଅପା ଲକ୍ଷ କରୁଥିଲା ସାର ଫୋନରେ କଥା ହେବା ଭିତରେ ମତେ ବାରମ୍ବାର ଦେଖୁଥିଲେ । ଫୋନ କରିବା ପରେ , ହଠାତ୍ ସାର ସମସ୍ତଙ୍କୁ ଗାଆଁକୁ ଫେରିଯିବା ପାଇଁ ଡଙ୍ଗାରେ ଚଡିବାକୁ ଆଦେଶ ଦେଲେ ।

       

        ଅଚାନକ ସାରଙ୍କ ଏ ପ୍ରକାର ପରିବର୍ତ୍ତନ ଅପାର ମନକୁ ଆହୁରି ଭାଙ୍ଗି ଦେଲା । ସତେ ଯେମିତି କିଛି ଗୋଟେ ଅଘଟଣ ଘଟିଛି ଆଉ । ଅସ୍ତ ବ୍ୟସ୍ତ ଭିତରେ ଡଙ୍ଗା ଫେରିଯାଇ କୂଳରେ ଲାଗିଲା । ଅପା ଆଉ ଥୟ ନ ଧରି ଧଇଁ ସଇଁ ହୋଇ ସିଧା ଦୌଡିଲା ଘରକୁ । କିଛି ଦୂରରୁ ଦେଖିଲା ଘର ସାମ୍ନାରେ ଗାଁ ଟା ସାରା ଲୋକଙ୍କ ଗହଳି । ଅପା କିନ୍ତୁ କିଛି ବି ବୁଝିପାରୁନଥାଏ । ତଥାପି ପରିସ୍ଥିତି ଆଉ ପରିବେଶ ର ଦହଗଞ୍ଜ ଭିତରେ ଅପା ଥରିବାକୁ ଲାଗିଲା । ମନେ ମନେ ଭାବୁଥିଲା ସତେ ଯେମିତି କିଛି ଗୋଟେ ଅଘଟଣ ଘଟି ସାରିଛି , ଓ ବିପଦର ବନ୍ୟାଟା ଆମ ଘର ଉପରେ ଟଳି ପଡିଛି । ଅବୁଝା ମନରେ ଏମିତି ଅନେକ ଆଶଙ୍କା ଭରା ପ୍ରଶ୍ନ ଅପାର ମନକୁ ଆହୁରି ଚିନ୍ତିତ କରୁଥିଲା । ବିଶେଷ ଡେରି ନ କରି ଅପା ଆଗକୁ ବଢିଲା, ଗହଳି ଠେଲି ଭିତରକୁ ଗଲା । ଦେଖିଲା ସମସ୍ତେ ଆର୍ତନାଦ ଚିତ୍କାର କରୁଛନ୍ତି । ସମସ୍ତ ଆତ୍ମୀୟ ବନ୍ଧୁ ବାନ୍ଧବ ଲୁହ ଲୁହ କାନ୍ଦଣା କାନ୍ଦୁଛନ୍ତି । ପଚାରିବାରୁ ସମସ୍ତେ ହାତ ଠାରି ତଳକୁ ଦର୍ଶାଉଥାଆନ୍ତି ।


       ହଠାତ୍ ମୁଁ ତଳକୁ ଦେଖିବା ବେଳକୁ ପାଖରେ ପଡ଼ିଛି ତା ବୋଉର ଶରିରଟା ମଲା ଶବ ହୋଇ । ହଠାତ୍ ଅପାର ମୁଣ୍ଡଟା ଘାଉଁରି ଗଲା । ଲାଗିଲା ମୁଣ୍ଡ ଉପରେ ଆକାଶଟା ଛିଡି ପଡ଼ିଲା ଆଉ ପାଦ ତଳର ମାଟିଟା ଖସି ପଡ଼ିଲା । ଚାରିଆଡେ ଅପାକୁ ଖାଲି ଅନ୍ଧାର ଦିଶିଲା । ମୁଣ୍ଡରେ ଅଧିକ ଭାରସାମ୍ୟ ହେବାରୁ ନିଜକୁ ସମ୍ଭାଳି ନ ପାରି ଅଚେତ ଅବସ୍ଥାରେ ଏକ ଦୀର୍ଘ ନିଶ୍ଵାସ ସହ ଭୂମି ଉପରେ କଚାଡି ପଡ଼ିଗଲା । ପରେ ସମ୍ପର୍କର କେହି ଜଣେ ଶିଘ୍ର ପାଣି ଗ୍ଳାସ ଗୋଟେ ଆଣି ଅପାର ମୁହଁ ଉପରେ ସିଞ୍ଚି ଅପାକୁ ପୂର୍ବ ଅବସ୍ଥାକୁ ଆଣିଲେ । ଅଚେତ ଅବସ୍ଥାରୁ ଫେରି ଅପା ବୋଉ ବୋଉ ବୋଲି ଚିତ୍କାର କରି ତା ବୋଉର ମଲା ଶବଟିକୁ ବାରମ୍ବାର ଦୋହଲାଇ ଉଠାଇବାକୁ ପ୍ରୟାସ କରି କହେ .. ଉଠ୍ ବୋଉ ଉଠ୍.. ତୁ ମୋତେ ଏକା କରି ଚାଲିଯାଆନା ବୋଉ... ଉଠ୍..... ମୁଁ ତ ଗେହ୍ଲା ଝିଅ ଡାକୁଛି ପରା ଉଠ୍ .....

            ହେଲେ ତା ବୋଉ କ'ଣ ଉଠିପାରେ ? ଖାଲି ଶରୀରଟା ପଡ଼ିରହିଛି ସିନା , ହେଲେ ଜୀବନଟା କେତେବେଳେଠୁ ଶରୀର ଛାଡି ଆର ପାରିକୁ ଚାଲିଯାଇଛି । କିଛି ସମୟ ପୂର୍ବରୁ ମାଟି ଘରର ହାଣ୍ଡିଶାଳର ଭଙ୍ଗା କାନ୍ଥରେ ମାଟି ଲିପୁଥିବା ସମୟରେ ବର୍ଷା ଭିଜା ମାଟି କାନ୍ଥଟା ତା ବୋଉ ଉପରେ ପଡ଼ିଗଲା । ଫଳରେ ମୁଣ୍ଡରେ ଅଧିକ ଆଘାତ ହେବା ହେତୁ ଥଟ୍ ପରା ସେଇଠି ତା ବୋଉର ପ୍ରାଣବିନ୍ଦୁଟା ସବୁଦିନ ପାଇଁ ଚାଲିଗଲା । ଅପା ତା ବୋଉ ଛାତିରେ ମଥା ପିଟି ପିଟି କରୁଣ ଚିତ୍କାର କରି ଅତି ବିକଳରେ ବୋଉ ବୋଉ ବୋଲି ରଡ଼ି ଛାଡେ । ସ୍ନେହ ଆଦରର ବୋଉ ସହ ବିତା ସେ ମମତାର ସୃତିକୁ ମନେପକାଇ ଆଖିର ଲୁହରେ ମୁହଁଟା ଓଦା ହୋଇଯାଏ । ତଥାପି ଅପାର ଆଖିରୁ ଲୁହଧାର ବନ୍ଦ ହେଉ ନଥାଏ । 

    

         ଇତିମଧ୍ୟରେ ଗାଁର କିଛି ଲୋକ ତା ବୋଉ ଠାରୁ ଅପାକୁ ବିଛିନ୍ନ କରି ବୋଉର ଶବଟିକୁ ଘର ବାହାରକୁ କାଢିନେଇ କୋକେଇରେ ଶୁଆଇ ଦେଲେ । ଅପା କିନ୍ତୁ ପଡିଉଠି ବୋଉର ଶରୀର ପାଖକୁ ଭିଡ ଦେଇ ପୁଣି ଚାଲିଯାଏ । ତା ବୋଉର ଶରୀରକୁ ପୁଣି ଭିଡିଧରି ଭୋ ଭୋ ହୋଇ କାନ୍ଦିବାରେ ଲାଗେ । ବାଉଳି ଚାଉଳି ହୋଇ ତୁଣ୍ଡରେ ଯାହା ଆସେ କହିପକାଏ । ଇତିମଧ୍ୟରେ ଅପା ହଠାତ୍ ହୋସ ହରାଇ ବେହୋସ୍ ହୋଇଯାଏ । କିଛି ସ୍ତ୍ରୀଲୋକ ଅପାକୁ ଉଠାଇ କାନ୍ଥରେ ଆଉଯାଇ ମୁହଁକୁ ପାଣି ଛିଞ୍ଚନ୍ତି । ଅପା ପୁଣି ଅଚେତ ରୁ ଫେରିଆସି ଦେଖେ ତ କିଛି ଲୋକ କୋକେଇରେ ତା ବୋଉର ଶବଟିକୁ କି କଉଡ଼ି ଫିଙ୍ଗି, ରାମନାମ ସତ୍ୟ ହେ ହରି ନାମ ସତ୍ୟ ହେ କହି କହି ଗାଁ ମଶାଣିକୁ ନେଇ ଯାଆନ୍ତି । ଶବ ଶତ୍କାର ପାଇଁ । 

   ହିନ୍ଦୁ ନିତି ନିୟମ , ଅପାକୁ ସବୁ ଜ୍ଞାତ ଅଛି , ତଥାପି ବୋଉର ସୃତିରେ ଦୁଃଖଭରା ବିକଳ କଣ୍ଠରେ ବୋଉ ବୋଉ ବୋଲି ରଡ଼ି ଛାଡି ମାଡିଚାଲେ , ଘର ଠାରୁ ମଶାଣି ଭୁଇଁ ପର୍ଯ୍ୟନ୍ତ । ଅଧରାସ୍ତାରେ କିଛି ସ୍ତ୍ରୀଲୋକ ଅପାକୁ ଧରି ସାନ୍ତ୍ଵନା ଦିଅନ୍ତି । ଝିଅପିଲା ମଶାଣି ଯିବା ମନା ବୋଲି ଅନେକେ କଥା ବୁଝନ୍ତି । ତଥାପି ବୁଝେ ନାହିଁ ମନ । ଖୋଜେ ଖାଲି ଜନ୍ମଦାତ୍ରୀ ମା'ର ଚିହ୍ନ । 


" ଜନନୀ ଜନ୍ମ ଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ " ମାଟି ଆଉ ଆକାଶଠୁ ବି ବଡ଼ ମାଆ । ଏଣୁ ମାଆର ଆଦର ଓ ଅନାବିଳ ମମତାର ଭଲପାଇବାକୁ କିଏବା ସହଜରେ ଭୁଲିପାରେ । ସେଇ ମମତାର ଆତୁରରେ ଅପା ଆଜି ବି ବେଳେ ବେଳେ ନିରୋଳାରେ ଛପି ଛପି ଛାତିର କୋହକୁ ଆଖିରେ ଚାପି ରଖି , ବୋଉ ଉପରେ ଅଭିମାନ କରି ଅତି ବିକଳ କଣ୍ଠରେ କହୁଥାଏ ।  

     " ବୋଉ..... ଏ ବୋଉ ତୁ ମୋ ଉପରେ ଅଭିମାନ କରି ଚାଲିଗଲୁ ବୋଉ... । ତୋ ଛାତି ଉପରେ ମଥା ପିଟି ପିଟି କେତେ ମୁଁ କାନ୍ଦିଛି.... ବୋଉ ବୋଉ ବୋଲି କେତେ ଯେ ରଡ଼ି ଛାଡିଛି ....!!!! ମୋ ଡାକ କ'ଣ ତତେ ଟିକିଏବି ଶୁଭିଲାନି ବୋଉ... । ଆମ ଝାଟି ମାଟିର ସୁନା ସଂସାରକୁ ସାତପର କରି ତୁ ସରଗପୁରକୁ ଆପଣାର କରି ନେଲୁ । ମତେ ଏକା ଛାଡ଼ି ତୁ କେମିତି ଚାଲିଗଲୁ ବୋଉ । ମୋ କଥା କ'ଣ ତୋର ଟିକେ ମନେପଡିଲାନି । ମୋତେ ଦୁନିଆ ଦାଣ୍ଡରେ ଏକାକରି ତୁ ଅଚିନ୍ତାରେ ଚାଲିଗଲୁ । ମୁଁ ଏକା ଏ ଦହଗଞ୍ଜ ଜୀବନ ଭିତରେ ବଞ୍ଚିବାକୁ ଚାହେଁନା ବୋଉ । ମତେ ବି ତୋ ପାଖକୁ ନେଇ ଯା ବୋଉ । ମୁଁ ଆଉ କେବେ ବି ତୋ ପାଖରେ ଅଳି କରିବିନି । ଦଶହରା ରେ ନୁଆଁ ଡ୍ରେସ କିଣିବା ପାଇଁ ଆଉ କେବେ କହିବିନି ।


        ହୃଦୟରେ ଅକୁଣ୍ଠାଭରା ଦୁଃଖ ଆଉ ଆଖିରେ ଆଖିଏ ଲୁହକୁ ଧରି ମାଆର ସୃତିରେ ସମାଧି ପୀଠରେ , ସୟନେ ସପନେ ଅପା ଆଜିବି ଖୋଜୁଛି ଜନ୍ମଦାତ୍ରୀ ମା'ର ଚିହ୍ନ । ଝାଟି ମାଟିର ହାଣ୍ଡିଶାଳ ଘରଠାରୁ ମଶାଣି ଭୁଇଁ ପର୍ଯ୍ୟନ୍ତ । ହେଲେ ହତାସ ....

          ମଥା ପିଟି ପିଟି କାନ୍ଦେ ଥରକୁ ଥର

          ଭାବେ ମାଆ ବୋଲି ମହାନ ସମ୍ପଦଟିଏ ହଜିଲା ଏଥର ।।


      ଇଏ ଥିଲା ଅପାର ଏକ ବାସ୍ତବିକ ଦୁଃଖପୁର୍ଣ୍ଣ କାହଣୀ । ଯାହା ମୁଁ ଅନୁଭବ କରିଛି ତା ହୃଦୟର ଅନ୍ତରାଳ ବେଦରଦି ଅକୁହା ଆବେଗକୁ । ହୁଏତ ଅପାର ଉଦାସୀ ହୃଦୟକୁ ପୂର୍ଣ୍ଣ ସାନ୍ତ୍ଵନା ଦେଲାଭଳି ସକ୍ଷମ ମୋର ନାହିଁ କିନ୍ତୁ ଲେଖା ଜରିଆରେ ଅତୀତର ସେଇ ସୃତିକୁ ପୁନର୍ବାର ଦୋହରାଇ ତା ବୋଉ କୁ ପୁଣି ମନେପକାଇବାରେ ମୋର ଭୂମିକା ଯଥେଷ୍ଟ ହେବ । ନମସ୍କାର । 

  

                                    କ୍ରମଶଃ.........


Rate this content
Log in

Similar oriya story from Abstract