STORYMIRROR

Santosh Kumar Misra

Inspirational

4  

Santosh Kumar Misra

Inspirational

ବ୍ୟତିକ୍ରମ

ବ୍ୟତିକ୍ରମ

7 mins
28K


ବ୍ୟତିକ୍ରମ

 

ସନ୍ତୋଷ କୁମାର ମିଶ୍ର

ଓଗାଳପଡା, ଖୋର୍ଦ୍ଧା

 

 

ସେଦିନ ବସରୁ ଓହ୍ଲାଇଲା ବେଳକୁ ରାତି ବେଶ୍‌ବଢି ଯାଇଥିଲା ୤ ବସଷ୍ଟାଣ୍ଡ୍‌ ଅଞ୍ଚଳଟା

ପ୍ରାୟ ନିଛାଟିଆ ହେଇ ଆସିଥିଲା ୤ ଦିନସାରା ବସରେ ବସିବସି ମୁଁ ଏତେ ବ୍ୟସ୍ତ ହେଇ ଯାଇଥିଲି ଯେ ଦଣ୍ଡେ ହେଲେ ବସଷ୍ଟାଣ୍ଡରେ ଆଉ ରହିବା ପାଇଁ ମୋର ଇଚ୍ଛା ହେଉନଥାଏ ୤ କିନ୍ତୁ ରାତି ବେଶ୍‌ ବଢି ଯାଇଥିବାରୁ ବସଷ୍ଟାଣ୍ଡରୁ ଘର ପର୍ଯ୍ୟନ୍ତ ପ୍ରାୟ ତିନି କିଲୋ ମିଟର ରାସ୍ତା ଚାଲିଯିବା ପାଇଁ ମଧ୍ୟ ମୋର ସାହାସ ହେଉ ନଥାଏ ୤ ସେଥିପାଇଁ ମୂକ୍ୟ କାରଣ୍ ହେଲା ମୁଁ ନିଜକୁ ସୁରକ୍ଷିତ ମଣୁନଥିଲି  ୤ ଗତ ମାସରେ ମୋର ଜଣେ ବନ୍ଧୁ କେଉଁଝରରୁ ଆସି ପାହାନ୍ତିଆ ବେଳକୁ ବସଷ୍ଟାଣ୍ଡରେ ପହଞ୍ଚି ଅତର୍କିତ ଭାବରେ ଅସାମାଜିକ ଲୋକମାନଙ୍କ ହାବୁଡରେ ପଡିଯାଇଥିଲେ ଓ  ସେମାନଙ୍କ ଆକ୍ରମଣରେ ସାଂଘାତିକ ଭାବରେ ଆହତ ହୋଇ ଡକ୍ତରଖାନାରେ ମାସମାସ ପଡି ରହିଥିବା କଥାଟା ମୋର ଖାଲି ତୁହାକୁ ତୁହା ମନେ ପଡି ଯାଉଥିଲା ୤ ଆଉ ଦେହଟା ମୋର ଶୀତେଇ ଉଠୁଥିଲା ୤ ଏବେ ତ ପୁଣି ରାତି ବେଶ୍‌ ବଢି ଯାଇଛି ୤ ଚାରିଆଡ ନିରୋଳା ନିଛାଟିଆ ୤ ମନରେ ଆସୁଥିଲା ଅସାମାଜିକ ଲୋକ ମାନେ ମଉକା ଦେଖି ନିଶ୍ଚୟ ଭିଣି ପକେଇବେ ଠିକ୍‌ ଯେମିତି ମଢକୁ ଶାର୍ଗୁଣା ପଲ ଭିଣୁଥାଆନ୍ତି୤ ଭାବୁଥିଲି କଷ୍ଟ ପଛେ ହେଉ ବସଷ୍ଟାଣ୍ଡରେ ଅବଶିଷ୍ଟ ରାତିଟା ଆଶ୍ରୟ ନେଇଯିବାଟା ହୁଏତ ଠିକ୍ ହେଇପାରେ ୤

 

                             ବସଷ୍ଟାଣ୍ଡରେ ସେମିତି କିଛି ଆଶ୍ରୟ ସ୍ଥଳ ମୋ ନଜର କୁ ଆସୁନଥିଲା ୤ ଯେଉଁଠି ଆଶ୍ରୟ ସ୍ଥଳ ବୋଲି ଫଳକଟିଏ ଲାଗିଥିଲା ସେଠାରେ ବସିରହିବାର ଏକ ସୁସ୍ଥ ପରିବେଶ ନଥିଲା ୤ ସେଠାରେ ଜମି ରହିଥିବା ଆବର୍ଜନାର ଦୁର୍ଗନ୍ଧରେ ମୁଁ ଖୁବ୍ ବ୍ୟତିବ୍ୟସ୍ତ ହେଇ ପଡିଲି ୤ ଏଭଳି ଏକ ପରିସ୍ଥିତିରେ ନିଃଶଙ୍କୋଚ ଭାବରେ ସେଠିକାର ସିମେଣ୍ଟ ବେଞ୍ଚ ଉପରେ ଶୋଇ ରହିଥିବା ଲୋକ ଦୁଇଟାକୁ ଦେଖି ମୁଁ ଭାବୁଥିଲି ସେହି ପରିସ୍ଥିତି ସହିତ ସେହି ମୁହୂର୍ତ୍ତରେ ସାଲିସ୍ କରିନେବା ଛଡା ହୁଏତ ସେମାନଙ୍କ ପାଖରେ ଅନ୍ୟ କିଛି ବିକଳ୍ପ ନଥିଲା ୤ ବିରକ୍ତ ଲାଗୁଥିଲା ୤ ଭାବିବାକୁ ବାଧ୍ୟ ହେଉଥିଲି କିଏ କଲା ଏ ସହର କୁ ସ୍ମାର୍ଟ୍ ସିଟି ୤ ଇଏ କି ପ୍ରକାରର ଟାପରା ଜନସାଧାରଣଙ୍କ ପ୍ରତି ୤

 

                             ସେଠାରୁ ଫେରି ଆସୁଆସୁ ଭାବୁଥିଲି ବସଷ୍ଟାଣ୍ଡର ପରିବେଶ ଟାକୁ ପରିସ୍କାର ରଖିବାର ଦାୟୀତ୍ବଟା କାହାର ? ବସଷ୍ଟାଣ୍ଡ କର୍ତ୍ତୃପକ୍ଷଙ୍କର , ସ୍ଥାନୀୟ ଲୋକଙ୍କର , ସ୍ଥାନୀୟ ସ୍ବାୟତ ଶାସନ ସଂସ୍ଥାର ନା ଅସୁବିଧା ଭୋଗୁଥିବା ଯାତ୍ରୀ୍ମାନଙ୍କର ? ସବୁ ପ୍ରଶ୍ନ ଗୁଡାକ ମୋ ପାଇଁ ସେ ସମୟରେ ସେତେ ଗୁରୁତ୍ବ ପୂର୍ଣ୍ଣ ବୋଲି ମନେ ହେଉନଥିଲା ୤ ସ୍ମାର୍ଟ ସିଟିର ସଂଜ୍ଞା ବି ତର୍ଜମା କରିବାକୁ ଧୈର୍ଯ୍ୟ ନଥିଲା ୤ କାରଣ ସେତେବେଳେ ମୁଁ କେବଳ କଣ କରିବି ବୋଲି ଭାବିବାକୁ ବାଧ୍ୟ ହେଉଥିଲି ୤ ଘରକୁ ଯିବି ନା ବସଷ୍ଟାଣ୍ଡରେ ଏ ପୂତିଗନ୍ଧମୟ ପରିବେଶ  ସହିତ ଅନ୍ୟ ମାନଙ୍କ ପରି ସାଲିସ କରିନେଇ ଭାଗ୍ୟ ଆଦରି ଅବଶିଷ୍ଟ ରାତି ପାଇଁ ବସିଯିବି କେଉଁ ଏକ ଢାବଲ ପଟା ଉପରେ ବା ଦରଭଙ୍ଗା କେଉଁ ଏକ ସିମେଣ୍ଟ ବେଞ୍ଚ ଉପରେ ଅଥବା ସମସ୍ତେ ପାଶୋରି ଯାଇଥିବା କେଉଁ ଏକ ପାହାଚ ଉପରେ ୤

 

                             ଏମିତି ଚିନ୍ତା କରୁ କରୁ ମୁଁ  ମୂଖ୍ୟ ରାସ୍ତା ଉପରକୁ ଉଠି ଆସି ସାରିଥିଲି  ୤ ମୁଁ ଚମକି ପଡିଲି ମୋ ଉଦ୍ଦେଶ୍ୟରେ ପ୍ରଶ୍ନ ଟିଏ ଶୁଣି :

----  ବାବୁ ! ରିକ୍ସା ଦରକାର କି ?

ଦେଖିଲି ମୋ ଆଗରେ ଠିଆ ହେଇଥିଲା ଜଣେ ଯୁବକ ୤ ସେ ଅପେକ୍ଷା କରୁଥିଲା ମୋର ଉତ୍ତରକୁ ୤ତା’ର ଢଙ୍ଗଢାଙ୍ଗ ଓ ବେଶ ପୋଶାକକୁ ଦେଖି ମୁଁ ହଠାତ୍‌ ବିଶ୍ବାସ କରି ପାରୁ ନଥିଲି ଯେ ସେ ଜଣେ ରିକ୍ସାବାଲା ହେଇଥାଇପାରେ ୤ ମୁଁ ଭାବି ପାରୁ୍ନଥିଲି କଣ ଉତ୍ତର ଦେବି ୤ ଫୁସୁଲାଫୁସୁଲି କରି ରିକ୍ସାରେ ନେଇ ସବୁ କିଛି ଛଡେଇ ନେବାର ଅନେକ ନଜିର ଶୁଣିଛି ଆଗରୁ  ୤ ତେଣୁ ଏହି ସମ୍ଭ୍ରାନ୍ତ ରିକ୍ସାବାଲାଟି ସହିତ ଯିବାପାଇଁ  ହଠାତ୍‌ ଶହେ ପ୍ରତିଶତ ଇଚ୍ଛା କରୁନଥିଲି୤ ରିକ୍ସାବାଲାଟି ହୁଏତ୍ ମୋ ମୁହଁରେ ପ୍ରତିଫଳିତ ବିସର୍ଣ୍ଣତରୁ ପଢି ପାରିଥିଲା ମୋ ଭିତରେ ଉଙ୍କି ମାରୁଥିବା ଭାବନାକୁ ୤ ସେ କହିଲା :

----- ଆଜ୍ଞା ! ବିଶ୍ବାସ କରନ୍ତୁ ମୁଁ ଆପଣଙ୍କୁ ଖୁବ୍‌ ହେଫାଜତରେ ଆଉ ସୁରକ୍ଷିତ ଭାବରେ ଆପଣଙ୍କ ଲକ୍ଷସ୍ଥଳରେ ପହଞ୍ଚାଇ ଦେବାକୁ ନିଶ୍ଚୟ ଚେଷ୍ଟା କରିବି ୤କାରଣ ଆପଣଙ୍କ ବିଶ୍ବାସ ହିଁ ମୋର ମର୍ଯ୍ୟଦା  ୤

ଯୁବକଟିର ଆଳାପ କେଜାଣି କାହିଁକି ମୋତେ ପ୍ରଭାବିତ କରୁଥିଲା ୤ ଧିରେ ଧିରେ ସେ ମୋତେ ଖୁବ୍‌ ଆପଣାର ଆପଣାର ଲଗିବାକୁ ଲାଗିଲା ୤ ମୁଁ ଏକ ଅବଚେତନ ଅବସ୍ଥାରେ ନିଷ୍ପତ୍ତି କଲି ଯେ ରାତି ବଢିଥାଉ ପଛେ ଘରକୁ ଚାଲିଯିବି ତା ପୁଣି ସେହି ଯୁବ ରିକ୍ସାବାଲାଟିର ସହିତ ୤ ନିର୍ବିକାରରେ ସେ ମୋର ବ୍ୟାଗପତ୍ର ବୋହି ନେଉଥିଲା ତାର ରିକ୍ସା ଉପରକୁ ୤

 

                             ଆମେ ବସଷ୍ଟାଣ୍ଡ ଛାଡିଲା ବେଳକୁ ରାତି ପ୍ରାୟ ଦୁଇଟା ବାଜିଥିବ ୤ ମୁଁ ଦେଖୁଥିଲି ଯୁବକଟି ମୋତେ ସହରର ମୁଖ୍ୟ ରାସ୍ତାରେ ନେଇ ଯାଉଥିଲା ଯଦିଓ ଗଳି ରାସ୍ତା ଦେଇ ଗଲେ  ମୋ ଘରଟି ଶୀଘ୍ର ଆସି ପାରନ୍ତା ୤  ତାର ଯୁକ୍ତି ଥିଲା ଆଜିକାଲି ସହରର ଗଳି ରାସ୍ତାରେ ଏତେ ରାତିରେ ଯିବାଟା ହୁଏତ ଠିକ୍‌ ନିଷ୍ପତ୍ତି ହେଇନପାରେ ୤ କାରଣ ଆଇନ ଶୃଙ୍ଖଳା ଏପରି ବିପର୍ଯ୍ୟସ୍ତ ହେଇପଡିଛି ଯେ କହିଲେ ନ ସରେ ୤ ପୋଲିସ୍‌ ବା କଣ କରିବେ ୤ ବଡ ବଡିଆଙ୍କ ଗସ୍ତକୁ ଶୃଙ୍ଖଳିତ କରୁକରୁ ତ ତାଙ୍କର ସମୟ ଗଲା ୤ ଆଇନ ଶୃଙ୍ଖଳା ବା ସଜଡା ଯିବ କେମିତି ? ଶାନ୍ତି ଶୃଙ୍ଖଳା ରକ୍ଷା ଯଦିଓ ପୋଲିସର କର୍ତ୍ତବ୍ୟ ତଥାପି ଆମେ ସବୁ ଜଣେ ଜଣେ ସଚେତନ ନାଗରିକ ହେତୁ ନିଜେ ନିଜର ସୁରକ୍ଷା ପାଇଁ ଟିକିଏ ସାବଧାନତା ଅବଲମ୍ବନ କରି ପୋଲିସ୍‌ କୁ ସହଯୋଗ କରିବାଟା କ’ଣ ଆମର ନୈତିକ ଦାୟୀତ୍ବ ନୁହେଁ ? ଯୁବକଟିର କଥାକୁ ମୁଁ କାଟି ପାରୁନଥିଲି ୤ ଭାବୁଥିଲି ଯଦି ଏହି ଯୁବକଟି ପରି ଏ ଦେଶର ଅନ୍ୟ ସମସ୍ତ ଯୁବକ ଏହିପରି ଦାୟୀତ୍ବବାନ୍‌  ହେଇପାରନ୍ତେ ତେବେ ଆମେ କାହିଁକି ଆମର କୌଣସି ଆବଶ୍ୟକତା ପାଇଁ ନିର୍ଭର କରନ୍ତେ ଅନ୍ୟ ଉପରେ ? ଆମେ ତ ଅନୟାସରେ ଗଢି ଦିଅନ୍ତେ ସୁନ୍ଦର ରାମରାଜ୍ୟଟିଏ , ଟିକିଏ ଡେରିରେ ହେଉ ପଛେ ସାର୍ଥକ କରି ଦିଅନ୍ତେ ଜାତିର ପିତା ମହତ୍ମା ଗାନ୍ଧୀଙ୍କର ଇଚ୍ଛାକୁ ୤ ସ୍ମାର୍ଟସିଟି ବା କି ଛାର୍‌ ? ପରେ ପରେ ଅବଶ୍ୟ ମୋର ମନକୁ ଆସୁଥିଲା ଏ ପିଢିର ଯୁବକ ମାନେ  ହୁଏତ ଏପରି ଦାୟୀତ୍ବବନ୍‌ ହେଇପାରିବେନି ୤ କାରଣ ମୁଁ ସେମାନଙ୍କୁ ଯେପରି ଦେଖିଛି ସେମାନଙ୍କର ଇଚ୍ଛା ରାତାରାତି ବଡ ଲୋକ ହେଇଯିବେ୤ ସେମାନଙ୍କୁ ଅହରହ ଦରକାର କଞ୍ଚା ପଇସା ୤ ବାପ ମା ଯଦି ଖର୍ଚ୍ଚ ଯୋଗାଇ ଦେବାରେ କୌଣସି କାରଣରୁ ଅସମର୍ଥ ହେଲେ ତେବେ ସେମାନେ ଯେନତେନ ପ୍ରକାରେଣ ଖର୍ଚ୍ଚଟା ଯୋଗାଡ କରି ନେବାକୁ ବଦ୍ଧ ପରିକର ୤ ହେଇପାରେ ଚୋରୀ, ଡକାୟତି ବା ଅନ୍ୟ କିଛି ମାଧ୍ୟମରେ ୤ ପାରିବାରିକ ମର୍ଯ୍ୟଦା ସେମାନଙ୍କର ଖିଆଲ ଆଗରେ ଖୁବ୍‌ ତୁଚ୍ଛ ୤ ବନ୍ଧୁ ସର୍ବସ୍ବ ଜୀବନ ସେମାନଙ୍କର ଏକାନ୍ତ କାମ୍ୟ ୤ ନାଇଟ୍‌ କ୍ଲବ ସଭ୍ୟତାରେ ମସଗୁଲ ରହିବାଟା ସେମାନଙ୍କର ପ୍ରଥମ ପସନ୍ଦ ଯାହାହେଉ ନା କାହିଁକି ମୋତେ ଲାଗୁଥିଲା ଏ ପିଢିର ଯୁବକ ମାନଙ୍କ ମଧ୍ୟରେ ରିକ୍ସାବାଲା ଯୁବକଟି  ନିଶ୍ଚୟ ଏକ ବ୍ୟତିକ୍ରମ ୤

 

                             ମୁଁ କଥା ପ୍ରସଙ୍ଗ ରେ ଜାଣି ପାରିଲି ଯେ ଯୁବକଟି ନିଜର ଦାୟୀତ୍ବ ସବୁ ନିର୍ବାହ କରିବା ପାଇଁ ପରିସ୍ଥିତିରେ ପଡି ଏ ସହରରେ ରିକ୍ସା ଟାଣୁଛି ୤ ଚାକିରୀ ଖଣ୍ଡିଏ ପାଇଁ ଅନେକ ଚେଷ୍ଟା କରିଛି ସେ ଏହି ସ୍ମାର୍ଟସିଟିର ଗଳି କନ୍ଦିରେ୤ ବଡବଡ ହାକିମଙ୍କର ସବୁ ରକମର ସେବା କରିଛି ୤ କାହା ପାଇଁ ମଦ ବୋହିଛି ୤ କାହା ପିଲାଙ୍କୁ କୋଳେଇ କାଖେଇ ସ୍କୁଲରେ ଛାଡି ଆସିଛି ୤ କାହା ପାଇଁ ଦୂର ହାଟରୁ ତଟକା ପରିବା ବୋହି ଆଣିଛି  ୤ କେତେ କେତେ ନେତାଙ୍କ ଚିଲମରେ ତମାଖୁ ଭରି ଦେଇଛି ୤ ଗୋଡ ଭାଙ୍ଗି ଘଣ୍ଟା ଘଣ୍ଟା ଛିଡା ରହି ମନମୂନ ଦେଇ ସେବାଯତ୍ନ କରିଛି ୤ କିନ୍ତୁ ସବୁଠି ସେ ନିରାଶ ହେଇଛି ୤ ସମସ୍ତଙ୍କ ପାଖରେ ସେ ପରଖିଛି ସେବାର କୌଣସି ମୂଲ୍ୟ ନାହିଁ ୤ ସମସ୍ତେ ପଇସାର କ୍ରୀତଦାସ ୤ ପଇସା ନାହିଁ ତ ପ୍ରତି୍ନମସ୍କାର ନାହିଁ ୤ ତା ଭଳି ଗରୀବ ଅସହାୟ ଓ ନିର୍ଦ୍ଧନ ଯୁବକ ବା ନେତା ହାକିମଙ୍କର ତୋଷାମଦ ପାଇଁ ଟଙ୍କା ପାଇବ କୁଆଡୁ ? ତେଣୁ ପରିସ୍ଥିତିର ଚାପରେ ସେ ଠେଲି ହେଇଯାଇଛି ରାଜରାସ୍ତାକୁ ଜଣେ ରିକ୍ସାବାଲା୍ର ଅବତାରରେ  ନିଜର ଦୈନନ୍ଦିନ ଗୁଜରାଣ ମେଣ୍ଟାଇବା ପାଇଁ  ୤

 

                             ଯୁବକଟି ବିଷୟରେ ସମ୍ୟକ ଜାଣିଗଲା ପରେ ମୋର ମନ ଭିତରେ ସୃଷ୍ଟି ହେଉଥିଲା ଗୋଟାଏ ଅଜଣା କମ୍ପନ ୤ ମୁଁ କୌଣସି ପ୍ରକାରେ ସଯ୍ୟ କରି ପାରୁନଥିଲି ଯେ ଜଣେ ସବୁମନ୍ତେ ଦକ୍ଷ ଯୁବକ ରାଜଦାଣ୍ଡରେ ରିକ୍ସା ଟାଣୁଛି ନିଜର ଗୁଜରାଣ ମେଣ୍ଟାଇବା ପାଇଁ ୤ ଅଥଚ ଅନେକ ଅପାରଗ ଯୁବକ କଳେ ବଳେ କୌଶଳେ  ସରକରୀ ଚାକିରୀ ଖଣ୍ଡିଏ କରାୟାତ କରି ମସଗୁଲ ରହିଛନ୍ତି୤ କାରଣ ସେମାନେ ଜାଣି ସାରିଛନ୍ତି ଯେ ଥରେ ସରକାରୀ ଚାକରୀରେ ପଶିଗଲେ ଆଉ ତାଙ୍କର କିଛି ପରବାଏ ନାହିଁ ୤ ସେ ଯେତେ ଅନନୁରକ୍ତ ହେଲେ ମଧ୍ୟ କିଛି ଅସୁବିଧା ନାହିଁ ୤ ତାଙ୍କର କାହାରିକୁ ଭୟ କରିବାର ନାହିଁ ୤ କାରଣ ଅସୁବିଧା ପଡ଼ିଲେ  ଟଙ୍କା ଖର୍ଚ୍ଚ କରି ତଳୁ ଉପର ପର୍ଯ୍ୟନ୍ତ ସମସ୍ତଙ୍କର ମୁହଁ ସେ ବାନ୍ଧି ଦେଇ ପାରିବେ ବୋଲି ତାଙ୍କର ବିଶ୍ବାସ ୤

 

                             ସମୟ କ୍ରମେ ମୁଁ ରିକ୍ସାବାଲା ଯୁବକଟିକୁ ସାହାର୍ଯ୍ୟ କରିବାକୁ ପ୍ରତିଶୃତିବଦ୍ଧ  ହେଉଥିଲି ୤ ମୋର ସମସ୍ତ ସଞ୍ଚିତ ପୂଣ୍ୟକୁ ଖର୍ଚ୍ଚ କରି ତଥା ମୋର ସମସ୍ତ ସମ୍ପର୍କ କୁ ବିନିଯୋଗ କରି ମୁଁ ଯୁବକଟି ପାଇଁ ଖଣ୍ଡିଏ ଚକିରୀର ବନ୍ଦୋବସ୍ତ କରିଦେବା ପାଇଁ ଉତ୍କଣ୍ଠିତ ହୋଇପଡୁଥିଲି ୤ ମୁଁ ପଚାରିଲି :

----  ପାଠ ପଢ଼ିଛୁ ?

-----ହଁ

----- କେତେ କ୍ଲାସ୍ ପଢିଛୁ ? ସାର୍ଟିଫିକେଟ୍‌ ନେଇ କାଲି ମୋ ଘର କୁ ଆସିବୁ ୤

ସାର୍ଟିଫିକେଟ୍‌ କଥା ଶୁଣି ଯୁବକଟି ଖୁବ୍‌ ଗୋଟେ ବଦଶାହି ହସଟେ ହସିଦେଲା ୤ ସେ ଅତୀତରେ ସାର୍ଟିଫିକେଟ୍‌ ବୋହି ବୋହି ପାଇଥିବା ଯନ୍ତ୍ରଣା ସବୁକୁ ହୁଏତ ଭୁଲି ପାରିନଥିଲା ୤ ସାର୍ଟିଫିକେଟ୍‌ ଉପରୁ  ହୁଏତ ତା’ର ବିଶ୍ବାସ ଉଠି ଯାଇଥିଲା ୤ ସେ ନିର୍ବିକାରରେ କହିଲା :

----- ଏବେ ମୋର କୌଣସି ସାର୍ଟିଫିକେଟ୍‌ ନାହିଁ ୤ ଅନେକ ଦିନ ତଳେ ମୁଁ ସେ ସବୁ୍କୁ ପୋଡିଦେଇଛି ୤

ଯୁବକର ଉତ୍ତରରେ ମୁଁ ଆଶ୍ଚର୍ଯ୍ୟ ହେଇନଥିଲି ୤ ସେ କହି ଚାଲିଥିଲା :

----- ରିକ୍ସା ଟାଣିବା ବା କୌଣସି ନେତାର ଚିଲମରେ ତମାଖୁ ଭରି ଆସନ୍ତା କାଲି ନେତାଟିଏ ହେବାର ସ୍ବପ୍ନ ଦେଖିବା ପାଇଁ କୌଣସି ସାର୍ଟିଫିକେଟ୍‌ର ଆବଶ୍ୟକତା ନାହିଁ ସାର୤ ଅଣ୍ଟିରେ ପଇସା ଥିଲେ ସବୁକିଛି ଯୋଗାଡ ହେଇଯାଇପାରୁଛି , ସାର୍ଟିଫିକେଟ୍‌ ମଧ୍ୟ ୤

 

                             ଯୁବକଟିର ଉତ୍ତରରୁ ବାରି ହେଇ ପଡୁଥିଲା ସେ କେତେ ପରିମାଣରେ ମ୍ରିୟମାଣ ହେଇପଡିଥିଲା ୤ ମୁଁ ଚିନ୍ତା କରୁଥିଲି, ଯେଉଁ ସମାଜର ଯୁବକ ମାନେ ହତୋତ୍ସାହିତ ହୋଇ ଜୀବନ ପ୍ରତି ବିତସ୍ପୃହ ହେଇଯାଆନ୍ତି ଓ କ୍ରମଶଃ ବିଦ୍ରୋହୀ ହୋଇ ଉଠନ୍ତି ସେହି ସମାଜରେ ବାସ କରୁଥିବା ଜନ ସାଧାରଣ  ସେମାନଙ୍କୁ କେବଳ ଉଗ୍ରପନ୍ଥୀ ଚରମପନ୍ଥୀ ବା ନକ୍ସଲପନ୍ଥୀ କହି ତାଙ୍କ ପ୍ରତି ନିଜର କର୍ତ୍ତବ୍ୟ କୁ  ଭୁଲି ଯିବା କେତେ ଦୂର ଯୁକ୍ତିଯୁକ୍ତ ହୋଇପାରେ୤ ସେମାନଙ୍କୁ ମୂଖ୍ୟ ସାମାଜିକ ସ୍ରୋତକୁ ଟାଣି ଆଣିବା କ’ଣ ସେହି ଜନସାଧାରଣଙ୍କର କର୍ତ୍ତବ୍ୟ ନୁହେଁ ? ସେମାନଙ୍କର ବିଦ୍ରୋହୀ ମନ ର ତର୍ଯମା କରି ସମାଧାନର ପନ୍ଥା ଖୋଜିବା କଣ ଉଚିତ୍‌ ନୁହେଁ ? ସେମାନଙ୍କୁ ସେମାନଙ୍କର ଜରୁରୀ ଆବଶ୍ୟକତା ଯୋଗାଇଦେବାକୁ କଣ ଆମ ଦେଶର  ସମ୍ବିଧାନ ସମର୍ଥ ? ଭିନ୍ନ ଭିନ୍ନ  ବୁର୍ଖା ଭିତରେ ରହି କେତେଦିନ ଆମେ ଦୂରେଇ ରହି ପାରିବା ସେମାନଙ୍କର ପ୍ରକୃତ ସମସ୍ୟା ଠାରୁ ? ଭିନ୍ନ ଗୋଷ୍ଠି ପାଇଁ ଭିନ୍ନ ଆଇନ ଲେଖି ଆମେ କେତେଦୂର ଦାବୀ କରି ପାରିବା ଯେ ଆମେ ଏକ ଅଟୁ ?

 

                             ତଥାପି ମୁଁ ଭାବୁଥିଲି ରିକ୍ସାବାଲା ଯୁବକଟି ମୋର ପ୍ରସ୍ତାବରେ ହୁଏତ ରାଜି ହେବ ଏବଂ ତା’ର ସମସ୍ତ ସାର୍ଟିଫିକେଟ୍‌ ନେଇ ଆସନ୍ତା କାଲି ମୋ ଘର କୁ ନିଶ୍ଚୟ ଆସିବ ୤ କିନ୍ତୁ ମୋର ସବୁ ଭାବନା ପାଣି ଫୋଟକା ପରି ମିଳେଇଗଲା ଯୁବକଟିର ଯୁକ୍ତି ଶୁଣିଲା ପରେ ୤ ସେ କହୁଥିଲା :

----ପେଟ ପୋଶିବା ପାଇଁ  ରିକ୍ସା ଟାଣୁଛି ବୋଲି ମୋର ଲଜ୍ଜିତ ହେବାର କିଛି ନାହିଁ ୤ କାରଣ ମୁଁ କୌଣସି ଅପରାଧ କରୁନାହିଁ ୤ ମୁଁ ସମାଜରେ କୌଣସି ପ୍ରତିଷ୍ଠିତ ବ୍ୟକ୍ତିଙ୍କର ସନ୍ତାନ ପରି ନିଶାଶକ୍ତ ନୁହେଁ ୤ ଖୁନୀ, ଡକାୟତ କି ଧର୍ଷଣକାରୀ ନୁହେଁ ୤ ମୁଁ ମୋର ଏହି ସ୍ଥିତିରେ ସାଧାରଣ ଲୋକଙ୍କୁ ବରଂ ବେଳ ଅବେଳରେ ସେବା ଯୋଗାଇ ଦେଇ ପାରୁଛି ଓ ତାର ପ୍ରତି ବଦଳରେ ମୁଁ ପାଉଥିବା ପାରିଶ୍ରମିକରେ ମୋର ପରିବାରର ପ୍ରତିପୋଷଣ କରି ପାରୁଛି ୤ ମୁଁ ଆଉ କାହାର ଦ୍ବାରସ୍ଥ ହେବାକୁ ଚାହେଁନି ସାର୤ ବରଂ ସ୍ବାଧୀନ ଭାବରେ ବଞ୍ଚି ରହି ନିଜେ ନିଜର ଭବିଷ୍ୟତ ଗଢିବାକୁ ଚାହେଁ ୤ ତେଣୁ ମୋ ପାଇଁ ଆଉ ସାର୍ଟିଫିକେଟ୍‌ର କୌଣସି ଆବଶ୍ୟକତା ନାହିଁ ୤

 

                   ମୁଁ ବାଧ୍ୟ ହେଉଥିଲି ଯୁବକ ସହିତ ସହମତ ହେବାପାଇଁ ୤ ମୁଁ ବାଧ୍ୟ ହେଉଥିଲି କ୍ରମଶଃ ତର୍ଜମା କରିବାକୁ ଯେ ଶିକ୍ଷା ହୁଏତ ଆମ ଦେଶରେ ସାଧରଣ ଲୋକଙ୍କର ପ୍ରାଥମିକ ଆବଶ୍ୟକତା ହେଇନପାରେ ୤ ଭୋକିଲା ପେଟର ଦାଉ ମେଣ୍ଟେଇବାର ପ୍ରାଥମିକତା କୁ ଅଣଦେଖା କରାଯାଇନପାରେ ୤ ମୁଁ ଯୁବକଟିର ଯୁକ୍ତିରେ ରହିଥିବା ବାସ୍ତବିକତାକୁ ଅନୁଭବ କରୁଥିଲି ୤ ସେତିକି ବେଳେ ଯୁବକଟି ମୋତେ ଚହଲେଇ ଦେଲା ତାର କେଇପଦ ଇଂରାଜୀ ସମ୍ବୋଧନରେ ଯହାର ଓଡିଆ ରୂପାନ୍ତର ହେଲା :

---- ମୋ ପାଇଁ ଚିନ୍ତା କରନ୍ତୁ ନାହିଁ ସାର! ମୁଁ ଏ ସମାଜର ପାସୋର ଯାଇଥିବା ଜଣେ ପରିତ୍ୟକ୍ତ ପିଲା ୤ ସେଥିପାଇଁ ଜଣେ ଡିଗ୍ରୀଧାରୀ ହୋଇ ମଧ୍ୟ ମୁଁ ପେଟ ପୋଷିବାକୁ ରାଜଦାଣ୍ଡରେ ରିକ୍ସାଟାଣୁଛି ୤ 

ଏ ଭିତରେ ମୋ ଘର ଆସି ଯାଇଥିଲା ୤ ଯୁବକଟି ତାର ପାରିଶ୍ରମିକ ନେଇ ମୋ ପାଖରୁ ଚାଲି ଗଲାବେଳେ ମୁଁ ତାକୁ ଚାହିଁ ରହିଥିଲି ୤ ମୋ ମନ କ୍ରମଶଃ ବିଦ୍ରୋହୀ ହୋଇ ଉଠୁଥିଲା ୤

 

( ସମାପ୍ତ ) 


Rate this content
Log in

Similar oriya story from Inspirational