ବୟସର ଅପରାହ୍ଣରେ ଏକ ସବୁଜ ବିଦାୟ
ବୟସର ଅପରାହ୍ଣରେ ଏକ ସବୁଜ ବିଦାୟ
ଟ୍ରେନ ଛାଡିବା ଆରମ୍ଭ କରିଦେଇଥାଏ |ଏସି ବଗି ଭିତରେ ସେମିତି କିଛି ଭିଡ଼ ନଥାଏ | ମଝିରେ ମଝିରେ ଜଣେ ଜଣେ କେହି ଯା ଆସ କରୁଥାନ୍ତି |ସୌଭାଗ୍ୟ ବଶତଃ ପାଖରେ କେହି ସହଯାତ୍ରୀ ନଥାନ୍ତି |ତେଣୁ ଏକଲା ଖବରକାଗଜ ଏବଂ ବହି ପଢିବାରେ କିଛି ଅସୁବିଧା ହେଉନଥାଏ |ପଢ଼ିବା ତାଙ୍କର ଏକ ଅଭ୍ୟାସ |କଲେଜ ଜୀବନରୁ ସେ ଅଭ୍ୟାସ ଏ ପର୍ଯ୍ୟନ୍ତ ଜାରିରଖିଛନ୍ତି |ଅମିତ ଏଯାବତ ନିଜକୁ ଶିକ୍ଷକ ଅପେକ୍ଷା ଛାତ୍ର ଭାବରେ ନିଜକୁ ବେଶୀ ଅନୁଭବ କରନ୍ତି |
ବଗି ଭିତରକୁ କେହି ଏକାକୀ ଆସୁଥିଲେ ତ କେହି ଏକତ୍ର ଗୋଷ୍ଠୀ ହୋଇ ଆସୁଥିଲେ |ସମ୍ଭବତଃ ସେତିକିବେଳକୁ ଜଣେ ବୃଦ୍ଧା ତାଙ୍କର ନାତି,ନାତୁଣୀଙ୍କୁ ଧରି ଆସି ଅମିତଙ୍କ ଆଗ ବର୍ଥରେ ନିଜର ସ୍ଥାନ ଗ୍ରହଣ କଲେ |ଗୋଟେ ଦୀର୍ଘଶ୍ୱାସରେ ବୃଦ୍ଧା ଜଣଙ୍କ ଯେମିତି କ୍ଲାନ୍ତ ଜଣାପଡୁଥାନ୍ତି |ହଠାତ ନାତୁଣୀ ରିମା କହିଲା ଜେଜେମା' ଦେଖ ଜେଜେଙ୍କ ପରି ଜଣେ କେହି ଆମ ଆଗରେ ବସି ଖବର କାଗଜ ପଢୁଛନ୍ତି |ଶ୍ରିମୟୀ ମୁଣ୍ଡ ଟେକି ଚାହିଁଲେ ,ପିଲା ଦୁହିଁଙ୍କୁ ଆକଟ କରି ତାଙ୍କୁ ଡିଷ୍ଟର୍ବ ନକରିବାକୁ କହିଲେ |
ହଠାତ ଶ୍ରିମୟୀ ଚମକି ପଡିଲେ |ମୁହୂର୍ତ୍ତକ ମଧ୍ୟରେ ସେ ଯେମିତି ଚମତ୍କାର ଅନୁଭବ କରୁଛନ୍ତି |ସତେ ଯେମିତି କୋଇଲିର କୁହୁତାନକୁ ନିକଟରୁ ଶୁଣୁଛନ୍ତି |ଏଭଳି ଏକ ଅମୁଲ୍ୟ ସୁଯୋଗ ଯେ ଆସିବ ସେ କେବେ ବି ଭାବିପାରି ନଥିଲେ |ଆଖିରେ ପାଣି ଆସିଗଲା |ହୃଦୟ ଉଲ୍ଲସିତ ହେବାରେ ଲାଗିଲା |ଚାରିଆଡ଼ ଯେମିତି ସ୍ୟାମାଳିମାରେ ଭରିଗଲା | ଦେହ ,ମନ ଯେମିତି ସତେଜ ଜୀବନମୟତାରେ ଉଚ୍ଛଳିତ ହୋଇ ଉଠିଲା | ଆଃ କି ସମୟ !ଆଃ କି ଆନ୍ଦୋଳିତ ଅନୁଭବ | ଏ ତେବେ ଅମିତ, ଏଠାରେ ବସିଛନ୍ତି |ସେ ତାଙ୍କର ଅତି ଆପଣାର ବନ୍ଧୁ ,ବନ୍ଧୁ ନୁହେଁତ ହୃଦୟର ନିକଟ ତମ ବ୍ୟକ୍ତି |ସେ ବ୍ୟକ୍ତି ନୁହନ୍ତି ଜଣେ ସୌଭାଗ୍ୟବନ୍ତ ,ମର୍ଯ୍ୟାଦାବନ୍ତ ପୁରୁଷ |ସମସ୍ତଙ୍କର ଇପ୍ସିତ ମନର ମଣିଷଟିଏ | ଏବେ କିନ୍ତୁ ସେ କାହାର ମଣିଷ ? କାହିଁ ଆଉ କେହି ତାଙ୍କ ପାଖରେ ନାହାନ୍ତିତ ? ହୁଏତ ଏକଲା ଯାତ୍ରାକରୁଥିବେ |
କଣ କହିବେ ? କେମିତି ସମ୍ବୋଧନ କରିବେ ? କେମିତି ଶୁଭେଚ୍ଛା ଜଣାଇବେ ? ଦୁହେଁ ବୃଦ୍ଧା ଏବଂ ବୃଦ୍ଧ, ବୟସର ଅପରାହଣରେ ପହଞ୍ଚିଛନ୍ତି |ସଂବୋଧନର ତରିକା କଣ ହୋଇପାରେ | ନା- ଏବେ ସେ କିଛି କହିବେ ନାହିଁ | ନୀରବରେ ତାଙ୍କୁ ଟିକେ ଭଲକରି ଦେଖିବେ | ଆହୁରି ଭଲକରି ତାଙ୍କୁ ପଢିବେ | ସେ ସେମିତି ଅଛନ୍ତି ନା ବଦଳିଛନ୍ତି ତା' ତ ଅନ୍ତତଃ ଜାଣିବେ |
ଏମିତି କଣ ପଢି ହୁଏ ? ସେ ଭଲଭାବରେ ତାଙ୍କୁ ପଢ଼ିଛନ୍ତି | ସେ ଏକା କାହିଁକି ଅନ୍ୟମାନେ ବି ତାଙ୍କୁ ଭଲକରି ପଢ଼ିଛନ୍ତି |ଯେତେ ପଢିଲେବି ସେ ନୂଆ ନୂଆ ଲାଗନ୍ତି | ସବୁ ଗୁଣରେ ସେ ଭରପୁର ଥିଲେ | ତେଣୁ ବିଶ୍ଵବିଦ୍ୟାଳୟରେ ତାଙ୍କର ସ୍ୱତନ୍ତ୍ର ପରିଚୟ ଥିଲା | ଆମ ଭଳି ଝିଅ ମାନଙ୍କର ସେ ଯେମିତି ମନର ମଣିଷ ଥିଲେ |
ସେ ଏବେ ବି ସେମିତି | ସେମିତି ନିଶ୍ଚଳ,ଗମ୍ଭୀର | ସେହି ମୁହଁ ,ସେହି ନାକ,ସେହି ଆଖି,ସେହି ଠାଣି, ସବୁ ସେମିତି ଅଛି |ଏବେବି ଆଖି ଲାଖି ରହୁଛି | ଏ ସମୟ ନୁହେଁ ଏ ସବୁକୁ ଭାବିବାକୁ |ସେ ଏବେ ଦି ଦିଟା ନାତି ନାତୁଣୀଙ୍କର ଜେଜେମା'| କ’ଣ ହେଲା ସେଇଠୁ ସେ ତ ତାଙ୍କର ଇପ୍ସିତ ଥିଲେ | ଦୁହେଁ ତ ବିଶ୍ୱବିଦ୍ୟାଳୟର ଚର୍ଚ୍ଚିତ ପ୍ରେମିକ ପ୍ରେମିକ ଥିଲେ | ଏବେବି ତ ସେହି ପ୍ରେମ ଅଛି | ନଥିଲେ କ’ଣ ହୃଦୟ ଏତେ ଆନ୍ଦୋଳିତ ହେଉଥାନ୍ତା | ଦେହ ଏତେ ପୁଲକିତ ହେଉଥାନ୍ତା | ପ୍ରେମ ତ ଆମକୁ ନୂଆ ଜୀବନର ଜିଇଁବା ଶିଖାଇଥିଲା | ପ୍ରେମରେ ପଡିଲେ ମଣିଷ ଏମିତି ବଦଳିଯାଏ | ନମନୀୟ ହୋଇଯାଏ |ଏମିତିକି ସବୁ ଆପଣାର ଆପଣାର ଲାଗେ |ସେହି ପ୍ରେମରେ ତ ସେ ଆଜି ଏତେ ଆଗକୁ ଚାଲିପାରିଛନ୍ତି |ସୁନ୍ଦର ପରିବାରଟିଏ ଗଢ଼ିଛନ୍ତି | ଜଣେ ଆଦର୍ଶ ଅଧ୍ୟକ୍ଷ ହୋଇପାରିଛନ୍ତି |ଏ ସବୁ କେବଳ ଅମିତଙ୍କ ନିଷ୍ପାପ ପ୍ରେମ ପାଇଁ | ସେଥିପାଇଁ ସେ ତାଙ୍କ ନିକଟରେ ୠଣୀ | ପ୍ରେମ ଏକ ନିଆଁ ଏବେ ବି ହୃଦୟକୁ ଜାଳୁଚି | ଏବେ ବି ସଠିକ ରାସ୍ତା ଦେଖାଉଛି |
ଏ ପ୍ରେମରେ ଦେହଲାବଣ୍ୟର ଆସକ୍ତି ନଥିଲା | ମନ ଆଉ ଆତ୍ମାର ଏକ ନିଆରା ସମ୍ପର୍କ ଥିଲା | ସେଥି ପାଇଁ ଆମେ ସମସ୍ତଙ୍କ ନିକଟରେ ଆଦର୍ଶ ଥିଲୁ | ଏବେବି ପ୍ରେମର ସେ ପୁଜାରିଣୀ | ହୃଦୟରେ ସେ ଏବେବି ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି | ମନ ଗହନର ଦେବତାଟିଏ ,ମର୍ଯ୍ୟାଦାବନ୍ତ ପୁରୁଷଟିଏ |ଏବେ ପୁଣି ସେ ସମୟ ଆସିଛି,ମନ ପଲ୍ଲବିତ ହେଉଛି | ବୟସର ଏ ଅପରାହ୍ନରେ ସବୁଜିମା ଭରୁଛି |ବୟସର ଗ୍ରୀଷ୍ମ ପ୍ରବାହରେ ଏବେ ପୁଣି ବସନ୍ତ ଆସିଛି |
ଶ୍ରୀମୟୀ ନିଜକୁ ପ୍ରକୁସ୍ଥିତ କରିନେଲେ | ନାତି ନନାତୁଣୀଙ୍କ କମିକ୍ସ ବହି ଧରାଇଦେଇ ପଢିବାକୁ କହିଲେ | ସେମାନେ ଆନନ୍ଦରେ ପଢିବାକୁ ଲାଗିଲେ |ସେ ଉଲ୍ଲସିତ ମନରେ ପଚାରିବାକୁ ଆରମ୍ଭ କଲେ-
ସହଜ ଭାବରେ ପଚାରିଲେ----ଏଇ ଯେ ଅମିତ ,କେମିତି ଅଛନ୍ତି ?
ହଠାତ ଅପ୍ରସ୍ତୁତ ହୋଇ ଅମିତ ଟିକେ ଭାବିନେଲେ କିଏ ଏଠି ତାଙ୍କ ନାମ ଏତେ ଶ୍ରଦ୍ଧାରେ ଉଚ୍ଚାରଣ କରିବ |ସେ ଉଚ୍ଚାରଣ କିନ୍ତୁ ସତରେ ତାଙ୍କ ହୃଦୟକୁ ଛୁଇଁଯାଉଥିଲା | ଏତେ ପାଖରେ ଏତେ ପାଖର ମଣିଷ ସତେ କ’ଣ ତାଙ୍କୁ ସମ୍ବୋଧନ କରୁଛନ୍ତି |ହୁଏତ ଭ୍ରମ | ହୁଏତ ଜୀବନ ଯାତ୍ରାରେ ସେଦିନମାନଙ୍କର ସମ୍ଭାଷଣ ପ୍ରତିଧ୍ଵନିତ ହେଉଛି କିମ୍ବା ଏବେ ଏବେ ପଢ଼ୁଥିବା ରୋଡ଼ ଲେସ ଟ୍ରାଭେଲ ର ବହିର ପ୍ରଭାବ ହୋଇଥିବ |ଏ ବୟସରେ ପୁଣି ହୃଦୟର ସ୍ପନ୍ଦନ |ମନର ଆନ୍ଦୋଳନ | ନା ଏ ସବୁ ବିଗତ ପ୍ରତିଧ୍ୱନିର ପ୍ରତିଫଳନ |ଏତେ ନଭାବି ପୁଣି ଖବର କାଗଜ ପଢିବାରେ ନିମଗ୍ନ ରହିଲେ |
- ହେଲୋ ଅମିତ ,ଅମିତ ମହାପାତ୍ର | ଖବର କାଗଜ ଆଡେଇ ଦେଖା ! କିଏ ଏଠି ତୁମ ଆଗରେ ବସିଛି | ଦେଖ କିଏ ମୁଁ ? ମୁଁ ମିଷ୍ଟ୍ରେସ ....ନା ମ ..ମୁଁ ଶ୍ରିମୟୀ |
ଶ୍ରୀମୟୀ ଏଇଟା ସେଇ ଉଚ୍ଚାରଣ |ସେଇ ଆପଣାପଣର ସମ୍ବୋଧନ |ମୁଣ୍ଡ ଟେକି ଅନାଇଲେ ଅମିତ | ଓଃ! ଯାହା ସେ ଭାବୁଥିଲେ ତାହା ତେବେ ଠିକ |ଏ ତେବେ ତାଙ୍କ ଆପଣାର ପ୍ରେୟସୀ ଶ୍ରୀମୟୀ ତାଙ୍କ ଆଖି ଆଗରେ | ସାରା ବର୍ଥଟି ତାଙ୍କୁ ଶ୍ରିମୟ ଲାଗିଲା | ସେଇ ସୁନ୍ଦରୀ ତନୁଶ୍ରୀ ଶ୍ରୀମୟୀ ଆଜି ତାଙ୍କ ନିକଟରେ |ଆଖି ଆଗରେ ସାକ୍ଷାତ ସୌଭାଗ୍ୟର ଦେବୀ,ସୌନ୍ଦର୍ଯ୍ୟର ମୂର୍ତ୍ତୀମତୀ ଦେବୀ ଶ୍ରୀମୟୀ | ବିସ୍ମୟାନନ୍ଦରେ ସେ ରୋମାଂଚିତ ହୋଇଗଲେ |ଏବେ ଯେମିତି ତାଙ୍କ ଶରୀର ଓ ମନ ଶୂନ୍ୟ ଭିତରୁ ବାହାରି ଆସୁଛି | ମୁହୂର୍ତ୍ତକ ମଧ୍ୟରେ ସେ ଯେମିତି ଏକ ବନ ଭୂମିରେ ଅବତୀର୍ଣ |
କିଛି ସମୟ ନିରବ ନିରୀକ୍ଷଣ,ଶବ୍ଦହୀନ କଥୋପକଥନ | ଦୁହିଁଙ୍କର ମନେହେଉଥାଏ ଯେମିତି ଶବ୍ଦ ସବୁ ହୃଦୟର ଗଭୀର ପ୍ରଦେଶର ସ୍ମୃତିମାନଙ୍କୁ ମନ୍ଥନ କରିବାରେ ଲାଗିଛନ୍ତି |ଆଖି ଭିତରେ ଗୋଟିଏ ଗୋଟିଏ ଦୃଶ୍ୟ ସିନେମା ଦେଖିଲା ଭଳି ଗୋଟାଏ ପରେ ଗୋଟାଏ ଝଲସି ଯାଉଛନ୍ତି | ଦୁହିଁଙ୍କର ସ୍ମିତ ଆଖିର ଚାହାଁଣୀରେ ସ୍ମୃତିର ପାଖୁଡା ଗୁଡିକ ଗୋଟି ଗୋଟି ହୋଇ ମୁକୁଳିତ ହେବାରେ ଲାଗିଛି |
ତତକ୍ଷଣାତ ଦୁହେଁ ଦୁହିଁଙ୍କର ଉପସ୍ଥିତି ଜାଣିନେଲେ | ବହୁ ବର୍ଷ ପରେ ପ୍ରିୟତମ ଏବଂ ପ୍ରିୟତମା ଏକାଠି ଦୁହେଁ ଦୁହିଁଙ୍କ ସାମ୍ନାରେ | ଦିଜଣଯାକ ସହଜ ହୋଇଗଲେ |
ଅମିତ ଉତର ଦେଲେ ତୁମେ ଶ୍ରୀମୟୀ ନା |ଏତେ ଦିନ କେଉଁଠି ଥିଲ ? ନା କିଛି ଖବର ନା କିଛି ଉତ୍ତର | ତୁମେ ତ ଠିକ ସେମିତି ଅଛ | କିଛି ବି ବଦଳି ନାହଁ | ଯେମିତି ସେମିତି, ଯାହା ଖାଲି ଟିକେ ମୋଟାପଣ ବାରିହେଉଛି | ମୁଁ ଭଲ ଅଛି | ତୁମେ କେମିତି ଅଛ ? ଏମିତି ହଠାତ ଦେଖାହେବ ବିଶ୍ୱାସ କରିହେଉନାହିଁ |
ଅଭିମାନ ଭରା ଉତ୍ତରରେ ଶ୍ରୀମୟୀ କହିଲେ - ହଁ ମୁଁ ବି ଭଲ ଅଛି | ତୁମେ କିନ୍ତୁ ଟିକେ ଦୁର୍ବଳ ହୋଇଯାଇଛ | ଦେହର ଯତ୍ନ ଠିକ ସେ ନେଉ ନାହଁ ବୋଧେ | ଠିକ ସମୟରେ ଖିଆ ପିଆ କରୁନା କି ? ମୁଁ ଜାଣିଛି ତୁମେ କେବେ କାହାର କଥା ଶୁଣୁନଥିବ | ଆଚ୍ଛା
କହିଲ ରାତିରେ କେତେ ଯାଏଁ ଅନିଦ୍ରା ରହୁଛ | କେତେ ସମୟ ଧରି ପାଠ ପଢୁଛ | ଆଖିର ଯତ୍ନ ନେଉଛ ନା ନାହିଁ | କେମିତି ଯେ ଠିକରେ ଜୀବନ ବିତାଉଥିବ ବୁଝିପାରୁନାହିଁ |
ଛାଡ଼ ସେ କଥା | ମୁଁ ସେମିତି ଚଳି ଯାଉଛି | ତୁମ କଥା କୁହ | ତୁମେ ଏତେ ଦିନ ଥିଲ କେଉଁଠି ? ଏମାନେ ଦୁହେଁ ତୁମର କ’ଣ ହେବେ|
ଶ୍ରୀମୟୀ କହିଲେ-ତୁମେ କେତେ ବୋକା ବୁଝିପାରୁନ କି ସେମାନେ ମୋର ନାତି ,ନାତୁଣୀ ହେବେ | ମୁଁ ତାଙ୍କୁ ମୋ ପାଖକୁ ନେବା ପାଇଁ ଆସିଥିଲି |ମୁଁ ଏବେ ଗୋଟେ ସ୍କୁଲରେ ଅଧ୍ୟକ୍ଷ ରହିଛି | ତୁମେ ତ ଅପହଞ୍ଚ ହୋଇଗଲ ,ମୁଁ କିନ୍ତୁ ସଂସାର ଗଢି ନେଲି |
ଠିକ କରିଛ ତମେ | ମୁଁ ମୋର ପ୍ରତିଶୃତି ରଖିପାରିଲିନି | ମୋତେ ତୁମେ ଭୁଲ ବୁଝିବ ନାହିଁ | ମୁଁ ଜାଣିଛି ତୁମେ ମୋତେ ବୁଝିପାରୁଥିବ | ତୁମର ଶକ୍ତି ଅଛି ସବୁ କିଛି ସହି ଯିବାକୁ | ତୁମର ନୈତିକ ସମର୍ଥନ ସବୁବେଳେ ପାଇଛି | ପୁରାପୁରି ଭାବେ କହିଲେ ମୋତେ ତୁମେ ଠିକସେ ଗଢ଼ିଛ | ତୁମ ପାଇଁ ମୁଁ ବିଶ୍ୱବିଦ୍ୟାଳୟରେ ସବୁଥିରେ ସଫଳତା ପାଇଛି |
କହିପାରିବ ଶ୍ରୀମୟୀ ଆମେ କେବେ କାହାକୁ ଅସମ୍ମାନ କରିଛେ | ଯେତେଦିନ ତୁମ ସହ ଥିଲି ସେତେଦିନ ତୁମର ସାନିଧ୍ୟ ପାଉଥିଲି |ଆକାଶ ଛୁଇଁଲାପରି ମୋତେ ପ୍ରତୟ ହେଉଥିଲା | ଛାଡ଼ ସେ ସବୁ | ଏବେତ ତୁମେ ସେହିଭଳି ଚଳଚଂଚଳ ଲାଗୁଛ |
- ସେଇତକ ତ ମୁଁ ତୁମଠାରୁ ଶିଖିଛି | ତୁମର ଜୀବନ ଧାରାକୁ ଆପଣେଇନେଇଛି | ତୁମେ ପାଖରେ ନାହଁ ବୋଲି କେବେ ବି ଭାବିନି |ଜାଣିଛି ତୁମେ ମୋ ପାଇଁ କ’ଣ | ଭଲ ପାଇବାର ଗାରିମାକୁ ଏବେ ବି ବଜାଇ ରଖିଛି | ତିଳେ ହେଲେ କ୍ଷୋଭ ନାହିଁ | ମୁଁ ମାନି ନେଇଛି ତୁମେ ମୋର ଜୀବନ ବର୍ତିକା | ଜୀବନରେ ସୁଖଟା ହିଁ ଲକ୍ଷ ହୋଇଥାଏ, ସେ ସୁଖ ତୁମଠାରୁ ଆଦୃଶ୍ୟରେ ଆସୁଥାଏ |
ମୁଁ ଇଂରାଜୀ ପଢାଇବାବେଳେ ତୁମର ଇଂରାଜୀ କହିବାର ଶୈଳୀକୁ ଆପଣାଇ ନିଏ | ଅଧ୍ୟକ୍ଷ ଭାବେ ଯେବେ କିଛି ଭାଷଣ ଦିଏ ସେତେବେଳେ ତୁମର ଭାଷଣକୁ ଅବିକଳ ଥୋଇଦିଏ | ସମସ୍ତେ ଭାରି ପ୍ରଶଂସା କରନ୍ତି | ସତରେ ସେ ଭାଷଣ ଯେ ତୁମର ସେମାନେ କାହୁଁ ଜାଣିବେ |ସବୁଠୁ ମଜା କଥା ଯେ ମୋ ସ୍ୱାମୀ ତୁମ ଭଳି ଭାରି ବେପରୁଆ |ସବୁଥିରେ କିନ୍ତୁ ତୁମ ଭଳି ମାର୍ଜିତ |ବିଚାରଧାରା ବି ସମ୍ଭ୍ରାନ୍ତ ,ଯେମିତି ତୁମେ | ତୁମ କଥା ବେଳେ ବେଳେ ମୁଁ ତାଙ୍କୁ କୁହେ | ସେ ଶୁଣନ୍ତି ଏବଂ ବନ୍ଧୁତା ପାଇଁ ମୋତେ ବଧେଇ ବି ଦିଅନ୍ତି | ତୁମର ଜୀବନ ଆଦର୍ଶକୁ ପ୍ରାଣ ପଣେ ଅନୁଧ୍ୟାବନ କରେ| ବିବାହ ଯାହା ଖାଲି ସଂସ୍କାର ଥିଲା | ଆପଣାର ସଂସାରରେ ସ୍ୱାମୀ ,ଝିଅ ,ପୁଅ ,ନାତି,ନାତୁଣୀ କାହାକୁ କେବେ ହେଳା କରିନି | ମନ ମୋର ପ୍ରସ୍ଫୁଟିତ ଫୁଲପରି ସୁନ୍ଦର | ତୁମ କଥା ମନେ ପଡେ ,ମନକୁ ବେଳେ ବେଳେ ଘାରେ | ବେଳେ ବେଳେ ଭାବେ କିଏ ତୁମର କଥା ବୁଝୁଥିବ |କିଏ ତୁମର ଯତ୍ନ ନେଉଥିବ |
ଆଚ୍ଛା କହିଲା ଦେଖି ତୁମେ ଆଉ ଗପ ଲେଖୁଛ ନା ନାହିଁ | ତୁମ କବିତାକୁ ତ ମୁଁ ପ୍ରଥମେ ପଢ଼େ ,ତାପରେ ସମସ୍ତଙ୍କୁ ପଢ଼ି ଶୁଣାଏ |ପଲ୍ଲବୀ ମୋ ଚିବୁକ କୁ ଟାଣି ଧରି ମୋତେ କେତେ କଥା କହେ | ଭାରି ଫୁଲେଇ ହୋଇ କହେ-ଶ୍ରୀମୟୀ ତୁ ତ ନିଜେ ଗୋଟେ କବିତା ,ତୋତେ ସେ ଭଲକରି ପଢ଼ିଛନ୍ତି ନା ମୁଁ ପଢ଼ିଦେବି | କଥା ଏତିକିରେ ରହିଯାଏ |ମୁଁ କିନ୍ତୁ ତୁମକୁ ବେଶୀ ବେଶୀ ଭଲ ପାଏ |ସେ ଭଲ ପାଇବାରେ ଟିକେ ହେଲେ ଆବିଳତା ନଥାଏ | ଶ୍ରୀମୟୀ ଭାବପ୍ରବଣ ହୋଇପଡୁଥାନ୍ତି |ନିଜକୁ ପ୍ରକୂସ୍ଥିତ କରି ରହିଗଲେ | ତାପରେ ପଚାରିଲେ- ଅମିତ ତୁମ କଥା କୁହ |
ମୋ କଥା କଣ କିଛି ଥାଏ | ତୁମ କଥା ହିଁ ମୋ କଥା |ମୁଁ କିଛି ବର୍ଷ ଲଣ୍ଡନରେ ରହି ଫେରି ଆସିଲି |ଘର ବୋଲି କିଛି ନଥିଲା | ଘର ବି ବସାଇଲି ନାହିଁ |ଏକଲା ରହିଗଲି | ତୁମ ସ୍ମୃତି ସବୁ ଛାତିରେ ଜାବୁଡ଼ି ଧରି ବଂଚିବା ଶିଖିଗଲି |ଏକଲା ଅଛି ବୋଲି କେବେ ଅନୁଭବକୁ ଆଣିଲି ନାହିଁ | ପ୍ରତିଟି ସତ୍ତାରେ ତ ତୁମେ ହିଁ ରହିଥିଲ |ବିଶ୍ୱବିଦ୍ୟାଳୟରେ ପ୍ରଫେସର ହୋଇ ଅବସର ନେଇଛି | ତୁମେ ମୋ ଜୀବନରେ ପ୍ରେରଣାଦାୟୀ ଅଦୃଶ୍ୟ ନାୟିକା ହୋଇ ରହିଗଲ | କ୍ୟାମ୍ପସ ଭିତରେ ଚାଲିଲା ବେଳେ ତୁମ କଥା ମାନେ ପଡ଼େ | କୃଷ୍ଣଚୂଡ଼ା ଗଛ ମୂଳେ ମୁଁ ଅଟକି ଯାଏ |ଅପେକ୍ଷା କରେ ଯେମିତି ମୁଁ ତୁମକୁ ଅପେକ୍ଷା କରେ | ଆଖିରେ ଲୁହ ଜକେଇ ଆସେ | ଲୁହ ତ ମୁକ୍ତ ନୁହେଁ ତାକୁ ନିଗାଡ଼ି ଦିଏ | କୃଷ୍ଣଚୂଡ଼ାର ଫୁଲଝଡ଼ାରେ ପ୍ରକୂସ୍ଥିତ ହୋଇଯାଏ |ଫେରି ଆସେ ଚା' ଦୋକାନକୁ |ସିଗାରେଟ ମାଗେ ,ତୁମ କଥା ମନେ ପଡ଼ିଯାଏ ସିଗାରେଟକୁ ଜୋତାତଳେ ମକଚି ଦିଏ |
ତୁମକୁ ନେଇ ଉପନ୍ୟାସଟିଏ ଲେଖିଛି |ତୁମେ ନାୟିକା ହୋଇ ମା' ପରି ନାୟକକୁ ଗଢ଼ିଛ | ପ୍ରେମୀକା ହୋଇ ତା' ଆଖିରେ ସ୍ବପ୍ନ ଭରିଛ | ଏହା ଏକ ପ୍ରକାର କ୍ଲାସିକ ଉପନ୍ୟାସ | ତୁମେ ଖୁସି ହେବ ଉପନ୍ୟାସର ନାଁ ଶ୍ରୀମୟୀ ରହିଛି |ଏବେ ମୁ ଏକ ଆଶ୍ରମ ସହ ଅନୁବନ୍ଧିତ ହୋଇଛି | ସେଠି ଅବୈତନିକ ଭାବେ ବୃଦ୍ଧ ଏବଂ ବୃଦ୍ଧାଙ୍କ ସେବାରେ ନିୟୋଜିତ ହୋଇଛି | ବାର୍ଦ୍ଧକ୍ୟରେ ବି ଜୀବନ ଏତେ ଆନନ୍ଦମୟ ସେଠି ମୁଁ ଅନୁଭବ କରୁଛି | ସେଠିରହି ସ୍ଵପ୍ନ ଦେଖି ହେବ | ମୁକ୍ତିର ସ୍ଵପ୍ନ ,ବୋଧିପ୍ରାପ୍ତର ଅଭିଳାଷ ଏବଂ ନିର୍ବାଣର ଲକ୍ଷ ରଖିହେବ | ଦୁଃଖର ନିଦାନ,ତାର ନିରାକରଣ ଭିତରେ ସତ୍ୟର ପ୍ରକାଶ ବି ଅନୁଭବ କରିହେବ | ତୁମେ କେବେ ଆସିଲେ ମୁଁ ତୁମକୁ ନେଇଯିବି ସେଠାକୁ | ପ୍ରେମର ଆଉ ଗୋଟେ ଅନୁଭବ ସେଠି ତୁମକୁ ଜଣାଇବି |ଯାହା ପ୍ରକାଶ କରିହେବ ନାହିଁ ତାହାକୁ କେବଳ ଅନୁଭବରେ ଜାଣିହେବ |
ଆଃ ଅମିତ କି ଅମୃତ ଭାବ! କି ଆନନ୍ଦମୟ ତୁମର କଥା |ସେଇ ଚିନ୍ତାଧାରା ଏବେବି ତୁମ ପାଖରେ ରହିଛି |ଆଜି ମୋତେ ଏ ସବୁ ନୂଆ ଜ୍ଞାନ ଦେଉଛି | ତୁମର ପ୍ରତିଟି ଶବ୍ଦ ମୋ ହୃଦୟକୁ ଉଦ୍ବେଳିତ କରୁଛି |ଏ ସବୁକୁ ମୋର ମୃତ୍ୟୁ ପର୍ଯ୍ୟନ୍ତ ସାଇତି ରଖିବି ମୋତେ ତୁମେ ସେଠିକି ନେଇଯିବ | ମୁଁ ଭାଗ୍ୟବତୀ ମଣିବି | ଆଜି ବି ତୁମେ ଶୁଦ୍ଧ ଜୀବନ ଜାପାନ କରୁଛ | ତୁମର ଆଚରଣରେ ସେଇ ସମ୍ଭ୍ରମ ଭାବ ବାରି ହୋଇ ପଡୁଛି | ତୁମକୁ ମୋର ବାରମ୍ବାର ପ୍ରଣାମ |
ଏବେ ତୁମର ଗନ୍ତବ୍ୟ ପଥ କେଉଁଠିକି ?କେଉଁଠି ତୁମେ ଅବଶିଷ୍ଟ ଜୀବନ ବିତାଇବ ?
ଉତ୍ତର ଦେଲେ ଅମିତ-ମୋ ଜନ୍ମ ସହରକୁ ଚାଲିଯିବି | ସେଇଠି ଅବଶିଷ୍ଟ ଜୀବନ କାଟିଦେବି |ସେଠି ମୋତେ ଅପେକ୍ଷାରେ ରହିଛନ୍ତି |ସେମାନଙ୍କୁ ମୋର ଆବଶ୍ୟକତା ଅଛି |
ତୁମେ ପାରିବ ଅମିତ | ସେମାନଙ୍କର ଆବଶ୍ୟକତା ପୂରଣ କରିପାରିବ |ସମସ୍ତଙ୍କ ହୃଦୟକୁ ତୁମେ ଜୟ କରିପାରିବ | ତୁମ ଭଳି ଲୋକ ଅନ୍ୟର ପଥ ପଦର୍ଶକ ହୋଇପାରନ୍ତି | ତୁମେ କେବଳ ମୋ ହୃଦୟର ସମ୍ରାଟ ନୁହେଁ ଅନେକ ହୃଦୟର ଏକମାତ୍ର ସମ୍ରାଟ | ତୁମର ଯାତ୍ରା ସଫଳ ହେଉ | ତୁମ ଆଲୋକରେ ସମାଜ ଆଲୋକିତ ହେଉ |
ହଁ ତୁମକୁ ଭୁଲିଯାଇଛି କହିବାକୁ,ମୋ ଝିଅ ତୁମ ସହରର ଶ୍ରୀରାମ କଲେଜରେ ଅଧ୍ୟାପିକା ଭାବେ ଯୋଗ ଦେଇଛି | ତୁମକୁ ସେ ଦେଖି ନାହିଁ କିନ୍ତୁ ତୁମ ବିଷୟରେ ସବୁ ଜାଣିଛି | ତାକୁ କହିବି ତୁମକୁ ତା' ପାଖକୁ ନେଇ ଯିବାକୁ | ସେ ତୁମର ଯତ୍ନ ନେବ | ଝିଅଟିଏ ପରି ସେ ତୁମଠୁ ଶିକ୍ଷା ପାଇବ |
ଶ୍ରୀମୟୀ ଏବଂ ଅମିତ ଦୁହେଁ ଦୁହିଁଙ୍କ କଥା ଶୁଣୁଥିଲେ |ପ୍ରତେକ ଅନ୍ୟପ୍ରତି କେତେ ସମ୍ବେଦନଶୀଳ, ନାତି ନାତୁଣୀ ଦୁଇଜଣ ସବୁ ଦେଖୁଥିଲେ |ଏ ବି ଏକ ସମ୍ପର୍କ ! ଏ ବି ଗୋଟିଏ ପ୍ରେମର ପରିପ୍ରକାଶ ହ୍ଣ ବୟସର ଏ ଗ୍ରୀଷ୍ମ ପ୍ରବାହରେ ପୁଣି ସବୁଜିମା ଯେମିତି କିଏ ଭରିଦେଉଛି |ସତେ ଯେମିତି ବସନ୍ତର ଆଗମନରେ ସେମାନେ ସମ୍ବର୍ଦ୍ଧିତ ହେଉଛନ୍ତି | ଦୁହିଁଙ୍କ ଆଖିରେ ଏକ ବିସ୍ମୟ ଭାବ ଲକ୍ଷ କରିହେଉଛି | ବିସ୍ମୟର କାରଣ ସେମାନଙ୍କୁ କେବଳ ଜଣା | ଅତୀତର ସୁଖସ୍ମୃତି ଭିତରେ ନୂଆ ଏକ ସକାଳର ସୂର୍ଯ୍ୟ ଉଦୟ ଦେଖୁଛନ୍ତି |ଏହି ଆଶା ,ଭରଷା ଏବଂ ପ୍ରେମରେ ତ ଜୀବନ ଏତେ ବାଟ ଆଗେଇ ଆସିଛି ,ଆଉ ଯାହା କିଛି ବାକି ଅଛି ତାହା ଅତିବାହିତ ହୋଇଯିବ | ଆଜିର ଅନୁଭବ ତାକୁ ବାଟ କଢ଼େଇ ନେବ| ନୟନପଟଳରେସବୁ ଜଳ ଜଳ ହୋଇ ଝଲସି ଯାଉଛି | ତା’ ଭିତରେ ଲୁହ ବି ଜକେଇ ଆସୁଛି |
ଆଉ ଟିକେ ପରେ ଶ୍ରୀମୟୀଙ୍କ ଷ୍ଟେସନ ଆସିଯିବ | ସେ ଓହ୍ଲାଇପଡିବେ ସେଠି | ଅଗତ୍ୟା ସେ ନିଜକୁ ପ୍ରସ୍ତୁତ କରିନେଲେ |ପୁଣି ବିଦାୟ |ଏକ ସୁଖଦ ବିଦାୟ | ବଯସର ଅପରାହ୍ଣରେ ଆଉ ଏକ ବିଦାୟ ର ମୁହୂର୍ତ୍ତ |
ହଠାତ ଶ୍ରିମୟୀ ଦେଖିଲେ ଅମିତଙ୍କ ଆଖିରେ ଲୁହ | ପଚାରିଲେ ତୁମେ କଣ କାନ୍ଦୁଛ ?
ନା..ନା ସେ କିଛି ନୁହେଁ | ସ୍ମୃତିର ମାଡ଼ରେ ଏମିତି ଆଖି ଜକେଇ ଆସିଲା |
ଶ୍ରିମୟୀ ଉଠିପଡ଼ିଲେ | ଅମିତଙ୍କ ପାଖକୁ ଆସି ତାଙ୍କର ଚଷମା କାଢ଼ିନେଇ ନିଜର କାନିରେ ଆଖିତଳ ପୋଛିଦେଲେ |ସମୟ ଯେମିତି ଅଟକିଗଲା,ଅଟକିଯାଇ ପୁଣି ପଛକୁ ଫେରିଗଲା |ସମୟ ତାଙ୍କୁ ସଲାମ ଦେଲା |ଗୋଟାଏ ସାକ୍ଷାତରେ ଏତେ ଯେ ମଧୁର ଯନ୍ତ୍ରଣା ତାହା ଅବର୍ଣ୍ଣନୀୟ |ଦୁହିଁଙ୍କର ପ୍ରାଣ ଯେମିତି ଏକାଠି ଷ୍ପନ୍ଦିତ ହେଉଥିଲା |
ପାଖେଇ ଆସିଲା ଷ୍ଟେସନ |ଶ୍ରିମୟୀ କିନ୍ତୁ ପ୍ରଗଳ୍ଭ ହୋଇ କହିଚାଲିଥାନ୍ତି-ଅନୁପ ତୁମେ ନିଜକୁ କେବେ ଏକଲା ଅନୁଭବ କରିବ ନାହିଁ | ମୁଁ ତ ଅଛି | ତୁମର ଶ୍ରିମୟୀ ଏବେ ବି ତୁମର | ତୁମେ ଠିକ ସମୟରେ ବିଶ୍ରାମ ନେବ | ନିଜକୁ ଜଗି ରଖି ଚଳୁଥିବ| |ଦେହ ର ଯତ୍ନ ନେଉଥିବ | ମନର ବାଦଶାହା ତ ତମେ, ତାକୁ ନିୟନ୍ତ୍ରଣରେ ରଖୁଥିବ | ତୁମେ ତ ନିର୍ମଳ ,ମୋ ପାଇଁ ଜାଗା ଟିକେ ରଖିଥିବ | ବାସ, ମୋର ଆଉ କିଛି ଲୋଡ଼ା ନାହିଁ |ଏଇ ଟ୍ରେନ ରହିଲାଣି | ତୁମକୁ ମୋର ପ୍ରଣାମ | ବିଦାୟ ମାଗୁନି ଅମିତ ,ପ୍ରତିଶୃତି ମାଗୁଛି ତୁମେ ମୋ ପାଖକୁ ଆସିବ |
ଉଠିପଡ଼ିଲେ ଅମିତ,କି ପ୍ରତିଶୃତି ଦେବେ | ପ୍ରଥମ ପ୍ରତିଶୃତି ରଖିପାରି ନାହାନ୍ତି | ଦୁତୀୟବାର କାହିଁକି ପ୍ରତିଶୃତି ଦେବେ | ବରଂ ତୁମେ ଦିଅ ,ମୋ ପାଖକୁ ଥରେ ଆସିବ | ତୁମେ ଆସିଲେ ଜୀବନ ମୋର ପୁର୍ଣ ହେବ | ମୋତେ ମୋକ୍ଷର ବାଟ ଦେଖାଇବ |ମୁଁ ତୁମ ପ୍ରତୀକ୍ଷାରେ ଅଛି |
ଶ୍ରୀମୟୀ ତୁମେ ଧୀରେ ଧୀରେ ଟ୍ରେନରୁ ଓହ୍ଲାଇବ | ଠିକ ସେ ଯିବ | ତୁମ ନାତି ନାତୁଣୀ ଙ୍କୁ ମୋର ଆଶୀର୍ବାଦ | ତୁମକୁ ବିଦାୟ ଦେଉନି, ତୁମକୁ ସମ୍ବର୍ଦ୍ଧନା ଦେବାପାଇଁ ଏ ବୟସର ଅପହ୍ଣରେ ଆଜି ବି ମୁଁ ଜୀବନମୟ ହୋଇ ତୁମ ଅପେକ୍ଷାରେ ରହୁଛି |