ମନ ମୋହର ନିଜ ଗୁରୁ
ମନ ମୋହର ନିଜ ଗୁରୁ
ଷାଠିଏ ଗୋଟେ ସଂଖ୍ୟା ତ ନିଶ୍ଚୟ ତେବେ ତାହା ଦିନ, ନା' ମାସ, ନା' ବର୍ଷ, ନା' ଅଧିକ ।ସମୟର ମାପ ପାଇଁ ଏ ସବୁ ଗୋଟିଏ ଗୋଟିଏ ଏକକ ମାପଦଣ୍ଡ ।ମଣିଷର ବୟସ ମାପିବା ପାଇଁ ବର୍ଷକୁ ସାଧାରଣତଃ ଏକକ ମାପଦଣ୍ଡ ଭାବେ ଧରି ନିଆଯାଇଅଛି । ଏ ବୟସରେ ମଣିଷ ପହଞ୍ଚିଗଲେ ସତର୍କ ହେବାକୁ ପଡ଼େ । ନିଜ ଭିତରେ ଏବଂ ନଜକୁ ନେଇ ପରିବାର ଭିତରେ ଚର୍ଚ୍ଚା ଆରମ୍ଭ ହୁଏ ।ଅନେକ କିଛି ହୁଏ ମଧ୍ୟ ।ଯେମିତି ଏ ବୟସରେ ଚକେରୀରୁ ସେବା ନିବୃତ ହେବାକୁ ପଡ଼େ ।ଅବସର ସମୟ କେମିତି ବିତିବ ସେ ଚିନ୍ତା ଧରେ।ଅତଏବ ଏହିଠାରୁ ବାର୍ଦ୍ଧକ୍ୟ ଉପଗତ ହୁଏ ।ନିଜର ପିଲାମାନେ, ପାଖରେ ନରହି ଦୂରରେ ଥାଇ ଦେହର ଯତ୍ନ ନେବା ପାଇଁ ତାଗିଦ କରିବା ଆରମ୍ଭ କରିଦିଅନ୍ତି ।ପତ୍ନୀ ମଧ୍ୟ ସବୁଥର ପରି ଏବେଠାରୁ କହିବେ ଟିକେ ଦେଖାଶୁଣା କରି ବାହାରେ ଯିବା ଆସିବା କରିବ।ବର୍ଷରେ ଆଉ ଭିଜିବ ନାହିଁ।ଏ ବୟସ ଆଉ ତୁମର ହୋଇ ନାହିଁ ।
ସଦାନନ୍ଦ ବାବୁ ଭାବିବାକୁ ଲାଗିଲେ,ତେବେ ଏ ବୟସ କାହାର? ପିଲାମାନଙ୍କର ,ପତ୍ନୀଙ୍କର ନା ସମାଜର ନା' ଉପରବାଲାର ।ଏ ବୟସରେ ସତରେ କ'ଣ ନଜକୁ ଧ୍ୟାନ ଦେବାକୁ ପଡିବ ? ରକ୍ତ ଚାପ ବାରମ୍ବାର ମାପିବାକୁ ପଡ଼ିବ? ଡାଇବେଟିକ୍ ଥରକୁ ଥର ଚେକଅପ କରିବାକୁ ପଡ଼ିବ? ସକାଳୁ ଉଠି ଚାରି ପାଞ୍ଚ କିଲୋମିଟର ଚାଲିବାକୁ ପଡ଼ିବ? ଏମିତି କିଛି ଅଧିକ କରିବାକୁ ପଡ଼ିବ।
ଏ ସବୁ ତ ଠିକ୍ ତେବେ କ’ଣ ସବୁ ନକରିବାକୁ ପଡ଼ିବ ? ସଦାନନ୍ଦ ବାବୁ ଚିନ୍ତା କଲେ କାହାକୁ ଏ ବିଷୟରେ ପଚାରିବେ? କାହାକୁ କ’ଣ ପଚାରିବେ ମ,ସେ ନିଜେ ନିଜକୁ ପଚାରିବେ।ଦୁର୍ଗୁଣ ସବୁକୁ ଆଗେ ଛାଡିବାକୁ ପଡ଼ିବ। ସେ କ୍ଷଣ କୋପୀ ତେଣୁ କ୍ରୋଧକୁ ନିୟନ୍ତ୍ରଣ କରିବାକୁ ପଡ଼ିବ ।ସେ କିଛି ମାତ୍ରାରେ ଅହଙ୍କାରୀ ତାକୁ ବି ଛାଡିବାକୁ ପଡ଼ିବ।ଲୋଭି ନହେଲେବି ଲୋଭ କିଛି କିଛି ଅଛି ।ତା’ ବି ପରିତ୍ୟାଗ କରିବାକୁ ପଡ଼ିବ ।ମୋହ ମାୟା ଏ ସବୁ ତ ଯାଇନି ଏଯାଏଁ ତାକୁ ଛାଡିବାକୁ ନିଶ୍ଚୟ ପଡ଼ିବ। କାମନା ବାସନା କ’ଣ ମନରୁ ଗଲାଣି? କେଜାଣି? ସେ ସବୁ କ’ଣ ଏ ବୟସରେ ଆସେ ? ଯଦି ଆସେ ସେ ସବୁକୁ ଆଉ ଆସିବାକୁ ଦେବେନି ,ଯେତେ ସମ୍ଭବ ଦୂରରେ ରହିବାକୁ ପଡ଼ିବ। ତେବେ ଏ ସବୁ ଛାଡ଼ିବେ କେମିତି? କାହାର ପରାମର୍ଶ ନେବେ?ପରାମର୍ଶ ତ ଏଯାଏଁ ଅନେକ ପାଇଛନ୍ତି କିନ୍ତୁ କିଛି କାମରେ ଲାଗିନି ।ବାହାରେ ଗୁରୁଙ୍କର ଅଭାବ ନାହିଁ ।ସେ କିନ୍ତୁ ଶିଷ୍ୟଟିଏ ଏଯାଏଁ ହୋଇପାରିଲେନି କାହାର। ସେ ନିଜକୁ ପଚାରିଲେ କିଏ ତାଙ୍କର ଗୁରୁ?
ମନେ ପଡିଗଲା ବୁଦ୍ଧଦେବଙ୍କ କଥା । ଉପକ ବୁଦ୍ଧଙ୍କୁ ପଚାରୁଥିଲେ ଆପଣଙ୍କର ଗୁରୁ କିଏ ? ଉତ୍ତରରେ ବୁଦ୍ଧ କହିଲେ ମୋର ଗୁରୁ କେହି ନାହାନ୍ତି । ଏହା କିପରି ସମ୍ଭବ ଉପକ ପଚାରିଲେ ? ବୁଦ୍ଧ ଉତ୍ତରଦେଇ କହିଲେ , ହଁ ମୋର କେହି ଗୁରୁ ନାହାନ୍ତି । ଉପକ ପୁଣି ପଚାରିଲେ ଯଦି ଏହା ଠିକ ତେବେ ଆପଣ କେମିତି ଜ୍ଞାନୀ ହେଲେ । ବୁଦ୍ଧ କହିଲେ ନା', ନା' ମୁଁ ଜ୍ଞାନୀ ନୁହେଁ , ମୁଁ ରୂପାନ୍ତରରିତ ହୋଇଛି କେବଳ । ଗୁରୁବିନା ଆପଣ କଣ ପ୍ରାପ୍ତ ହେଲେ ? ମୁଁ କିଛି ବି ପ୍ରାପ୍ତ ହୋଇ ନାହିଁ । ମୁଁ କିନ୍ତୁ ସବୁ ହରାଇସାରିଛି । ଉପକ ପଚାରିଲେ ମହାଭାଗ ଆପଣ କଣ ହରାଇଛନ୍ତି ? ମୁଁ ମୋର ନୀଚ ଭାବନା ,ନିମ୍ନ ଚିନ୍ତାଧାରାକୁ ହରାଇସାରିଛି । ଉପକ ପଚାରିଲେ ,ଏହି ସବୁ କେବଳ ? ବୁଦ୍ଧ ହସି କହିଲେ ଏହା ବାଦ୍ ମୁଁ ମୋ ନିଜକୁ ପରାସ୍ତ କରିସାରିଛି । ତୁମେ ଯଦି ଏସବୁକୁ ପାର ହୋଇଯିବ,ତୁମେ ବି ବୁଦ୍ଧ ହୋଇଯିବ । ସଦାନନ୍ଦବାବୁଙ୍କ ଓଠରେ ଦି ଧାର ହସ ଖେଳିଗଲା ।ସେ ନିଜକୁ ପ୍ରସ୍ତୁତ କରିନେଲେ ।ଭାଗବତର ଦି ପଦ ତାଙ୍କ ମନରେ ଗୁଂଜରିତ ହେବାରେ ଲାଗିଲା "ମନ ତୋହର ନିଜ ଗୁରୁ, ଉଦ୍ଧବ କେତେ ତୁ ପଚାରୁ".