STORYMIRROR

Balaram Barik

Classics

2  

Balaram Barik

Classics

ବ୍ୟାଗ୍

ବ୍ୟାଗ୍

1 min
99


ଝାରସୁଗୁଡାରେ ରହଣି ମୋଟାମୋଟି ୧୨ ବରଷ ହେଇଗଲା।

ଆଜିର ଦିନରେ ଦୁଇଟି "ବ୍ୟାଗ"ଧରି ନାଇଟ କୋଚରେ ଝାରସୁଗୁଡାରେ ପହଞ୍ଚିଥିଲି।ଆଜି କିନ୍ତୁ ଟ୍ରେନରେ ଅନେକ "ବ୍ୟାଗ୍" ଧରି ଝାରସୁଗୁଡ଼ାକୁ ଯାଉଛି,ଏବେ ମୋ ପାଖରେ ବ୍ୟାଗ ସଂଖ୍ୟା ଟିକେ ଅଧିକା ହେଇଗଲାଣି ।ମୋ "ବ୍ୟାଗ୍", ଧର୍ମ ପତ୍ନୀଙ୍କ "ବ୍ୟାଗ୍" ସୁପୁତ୍ରଙ୍କ "ବ୍ୟାଗ୍"।ଯିବାଆସିବା ବେଳେ ଏହି "ବ୍ୟାଗ" ଗୁଡିକରେ ହିଁ ସ୍ନେହ ଭରି ନେଇଥାଏ।


ପ୍ରଥମ ଥର ବେତନ ପାଇବା ପରେ ବାପାଙ୍କ ପାଇଁ ପ୍ୟାଣ୍ଟ ସାର୍ଟ ,ଫତେଇ ଓ ବୋଉ ପାଇଁ ଶାଢ଼ୀ ନେଇଥିଲି "ବ୍ୟାଗ"ରେ ଭରି।

ଭାଇ ଭଉଣୀ ମାନେ "ବ୍ୟାଗ" ଅଣ୍ଡାଳନ୍ତି ଏହା ଭାବି,ବୋଧହୁଏ କଣ ଖାଇବା ଦରବ ଆଣିଛି ଭାଇ ଆମ ପାଇଁ।ମଧ୍ୟବିତ୍ତ ପରିବାର ପାଇଁ "ବ୍ୟାଗ" ହିଁ ସୁଖ ପସରା ପରି।ବାପା ବୃତ୍ତିଗତ ଜୀବନରୁ ଅବସର ନେଇ ସାରିଛନ୍ତି।


ପିଲାଦିନେ ବାପାଙ୍କୁ ଦେଖେ ସେ"ବ୍ୟାଗ୍ " ଭରି ଜିନିଷ ପତ୍ର ଘରକୁ ଆଣନ୍ତି ହାଟରୁ।ସପ୍ତାହିକ ଛୁଟିରୁ ଫେରିଲେ ମଧ୍ୟ ଅନେକ ଜିନିଷ "ବ୍ୟାଗ" ଭରି ଭରି ଆଣନ୍ତି।ସେ "ବ୍ୟାଗ" ଭିତରେ କିଛି ଥାଉ କି ନଥାଉ ସାଳ ପତରରେ ଗୁଡା ଯାଇଥିବା ଗୁଡାଖୁ ଓ ସାଳୁଆ ଦାନ୍ତକାଠି ମୁଖ୍ୟ ଶୋଭା ବର୍ଦ୍ଧନ କରୁଥାଏ "ବ୍ୟାଗ୍"ର।

ବାପାଙ୍କର ଗୋଟେ ଚମଡା ହ୍ୟାଣ୍ଡବ୍ୟାଗ ମୋ ପାଇଁ କୁହୁକ ପେଡି ଥିଲା।ମୁଁ ଯେତେବେଳେ ତା ମଧ୍ୟରେ ହାତ ଭର୍ତ୍ତି କରେ ମତେ ମନ ମୁତାବକ ଖୁଚୁରା,ଦଶ ଟଙ୍କିଆ, ପାଞ୍ଚ ଟଙ୍କିଆ,କୋଡିଏ ଟଙ୍କିଆ ମିଳି ଯାଉଥିଲା।ମୋ ଅନାବନା ଖର୍ଚ୍ଚ ମେଣ୍ଟି ଯାଉଥିଲା ସେ "ବ୍ୟାଗ" ପାଇଁ।

ବାପାଙ୍କର ସେହି ଚମଡା "ବ୍ୟାଗ୍" ମୋତେ କେବେ ବି ଧୋକା ଦେଇନି।


ଯେତେବେଳେ ଘରକୁ ଯାଏ,ବାପଙ୍କୁ ମୋର ମିନି "ବ୍ୟାଗ୍ "(ମନି ପର୍ସ)ରୁ କାଢି ପଇସା ବଢ଼ାଇ ଦିଏ......ମୋ ଆଖି ଛଳ ଛଳ ହେଇଯାଏ।ମନେ ପଡେ ବାଳକ ଓ ଆଦ୍ୟ କୈଶୋର କଥା।ଦୁଇଟି ଟ୍ରଙ୍କ ମଝିରେ ଦବି ହୋଇ ରହୁଥିବା ସେ ଚମଡା "ବ୍ୟାଗ"ର ତାଜା ଦୃଶ୍ୟ। ଫ୍ଲାଶ ବ୍ୟାକକୁ ଯାଇ ମନେ ପକାଏ ବାପାଙ୍କର ସେହି ଚମଡା "ବ୍ୟାଗ୍" କଥା...ବାପା ବୋଧହୁଏ ଭାବୁଥିବେ କୁହୁକ "ବ୍ୟାଗ"ରୁ ଗାୟବ ହେଇଯାଉଥିବା ଟଙ୍କା ସବୁ ସେ ଏବେ ଫେରି ପାଉଛନ୍ତି....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics