Prashantam Bapu

Inspirational Others

4.6  

Prashantam Bapu

Inspirational Others

ବରଷକେ ଥରେ

ବରଷକେ ଥରେ

3 mins
226



ଗାଁରେ ପିଲାଦିନେ ଏହି ରଜକୁ କେତେ ଅପେକ୍ଷା , ଏହା ପାଇଁ କେତେ କଳ୍ପନାଜଳ୍ପନା ଆଉ ସଜବାଜ ନଚାଲେ । ତିନିଦିନର ରଜ କେମିତି ଯେ ବିତିଯାଏ ଜଣାପଡ଼େନି କିନ୍ତୁ ଶେଷ ରଜ ଦିନ ସନ୍ଧ୍ୟାରେ ଭାରି ଖରାପ୍ ଲାଗେ । ମନଟା ଅଧିକ ପିତା ହୋଇଯାଏ ଏଇଆ ଭାବି କି କାଲିଠାରୁ ପୁଣି ସ୍କୁଲ୍ ଯିବାକୁ ହେବ । ଧେତ୍ ! କେତେ ମଜା କରିବି ବୋଲି ଭାବିନଥିଲି କିଛି କରିପାରିଲିନି ! ପୁଣି ଅପେକ୍ଷା ରହେ ଆସନ୍ତା ରଜକୁ । 


ଏହି ଦୁଇବର୍ଷ ହେଇଗଲା ଲକ୍ ଡାଉନ୍ ଯୋଗୁଁ ରଜର ରଙ୍ଗ କି ଗନ୍ଧ କିଛି ବାରି ହେଉନି । ଏହି ଦୁଇ ଦଶନ୍ଧି ମଧ୍ୟରେ ଆମ ପଟର ରଜ ବି ଆଉ ରଜ ଭଳି ଲାଗୁନି ।‌ ସବୁ ଧିରେ ଧିରେ କାହିଁକି କେଜାଣି ଫିକା ପଡ଼ିଗଲାଣି । ଏମିତି ବି ହେଇପାରେ ମୁଁ ବୁଢ଼ା ହେଉଛି । ବୁଢ଼ାମାନେ କହିଲା ଭଳି , ଯାହା କୁହ ପଛେ ଆମ ବେଳର ରଜ ଭଳି ରଜ କେଉଁଠି ବି ନାହିଁ । 


ସତରେ ଆଗ ଭଳି ଆଉ ଘରେ ଘରେ ଛୋଟ ପିଲାଙ୍କ ପାଇଁ‌ ସିକା କି ଦଉଡ଼ି‌ ଦୋଳି ,‌ ଗାଁର ସବୁ ତୋଟାରେ ଝିଅ ବୋହୂମାନଙ୍କ ପାଇଁ ପଟା , ଚକ୍ରି କି ଡଙ୍ଗା ଦୋଳି‌ ବନ୍ଧାଯାଉନି । ରଜର ସଜବାଜ ନାହିଁ କି ଝିଅଙ୍କ କଣ୍ଠରୁ ବନସ୍ତେ ଡାକିଲା ଗଜ... ଗୀତ ଶୁଣିବାକୁ ମିଳୁନି । ଛୁଆଙ୍କ ବାଟି ଖେଳ , ଟୋକାଙ୍କ କବାଡ଼ି , ମଧ୍ୟବୟସ୍କ ଆଉ ବୁଢ଼ା ମାନଙ୍କର ଗଛମୂଳେ , କାହା ପିଣ୍ଢା ଉପରେ , ମନ୍ଦିର ଦୂଆରେ ବସି ପଶାକାଠି କି ତାସ୍ ଖେଳିବା ନାହିଁ । ବନ୍ଧୁବାନ୍ଧବ ସାହିପଡ଼ୋଶୀଙ୍କ ଘରଘର ବୁଲି ପୋଡ଼ପିଠା , ଆରିସା , କାକରା , ମିଠା , ଆମ୍ବ , ପଣସ , କଦଳୀ ଆଉ ଆଗ ଭଳି ଖିଆ କି ବଣ୍ଟା ହେଉନି । ବୁଢ଼ୀମାନେ ଭୁଆସୁଣୀମାନଙ୍କ ସହ ବସି ପାଦରେ ଅଳତା ଲଗାଲଗି ହେଉନାହାନ୍ତି , ଥଟ୍ଟାମଜା କରୁନାହାଁନ୍ତି କି ରଜପାନ ବି ଭାଙ୍ଗୁନାହାନ୍ତି । 


ଏହି କିଛି ବର୍ଷ ତଳର ରଜ କହିଲେ ଟୋକାମାନଙ୍କର ମଦମାଂସର ଭୋଜି , ଛକବଜାରରେ ଖଟି , ସିନେମା ଦେଖା , ଝିଅମାନଙ୍କର ଗୁପଚୁପ୍ , ଆଇସକ୍ରିମ୍ , ଚାଓମିନ୍ , ଚାଟ୍ , ଚିକେନ୍ ପକୋଡ଼ା ଗିଳାରେ ସରିଯାଉଥିଲା । ପିଠା ତ ଆଉ ଘରେ ଘରେ ହେଉନି କି ପିଠା ହେଲେ ଆଜିକାଲିର ଆଧୁନିକ ଛୁଆ ସବୁ ଖାଇବାକୁ ପସନ୍ଦ କରୁନାହାଁନ୍ତି । ଏମାନେ ଘରର ପିଠା ଅପେକ୍ଷା ବାହାରର କେକ୍ , ବର୍ଗର୍ ଆଉ ପିଜାକୁ ଅଧିକ ଭଲ ପାଆନ୍ତି । 


ଏହି ଦୁଇବର୍ଷ ହେବ କରୋନା ଦେବୀ ସେତିକି ବି କରେଇ ଦେଉନାହାଁନ୍ତି । ଲକ୍ ଡାଉନ୍ ରେ ଘରେ ବସିଶୋଇ ଖାଲି ଯା ପୁରୁଣା ସ୍ମୃତିକୁ ଓଲଟପାଲଟ କରିବା କଥା । ଆଜିକାଲିର ପିଲାଙ୍କୁ ରଜର‌ ମହତ୍ତ୍ଵ ବୁଝାଇବା ପାଇଁ ବାପଗୋସାପ ମିଶି ନିଜ ଘରର ଛାତରେ କି ବାଡ଼ିରେ ଥିବା ଗଛ ଡାଳରେ ଦୋଳି ବାନ୍ଧୁଛନ୍ତି । ଯେଉଁ ଛୁଆ ଆଗେ ପିଠା ଦେଖିଲେ ନାକ ଟେକୁଥିଲା ଏବେ ଖଣ୍ଡେ ପୋଡ଼ପିଠା ଚାଖି କହୁଛି , wow yummy ! ବୁଢ଼ୀମାନେ ତ କେବେଠୁ ଅଖୋଜା ଅଲୋଡ଼ା ହୋଇ ପଡ଼ିଥିଲେ କିନ୍ତୁ ଏବେ ସେମାନେ ପାଠୁଆ ନାତିନାତୁଣୀ ଙ୍କ ଜ୍ଞାନକୋଷ ପାଲଟିଛନ୍ତି । ବିଭିନ୍ନ ପ୍ରକାର ପିଠା , ପତରପୋଡ଼ା ଆଉ ସୋରିଷ ବେସର ର ରେସିପି ଶିଖୁଛନ୍ତି । ସାଙ୍ଗେ ସାଙ୍ଗେ ତା'ର ଫଟୋ ଭିଡିଓ Instagram , WhatsApp ଆଉ Facebook ରେ viral ବି ହେଉଛି । 


କେତେ ବା ଆଉ ମୋବାଇଲ୍ ରେ ମୁହଁ ଲୁଚେଇ ବସିବେ ? ଟି.ଭି ରେ ତ ସେହି ସେହି ବିରକ୍ତିକର ଖବର ସବୁ ! ତେଣୁ ଟି.ଭି ଖୋଲିବାକୁ ବି କାହାର ଇଚ୍ଛା ହେଉନି । ପୁଣି ଆରମ୍ଭ ହେଇଯାଇଛି ଘରେ ଘରେ ଲୁଡୁ , ତାସ୍ ଆଉ କ୍ଯାରମ୍ ‌ଖେଳ । ପିଲାଙ୍କୁ କ'ଣ ଖାଇବ ବୋଲି ମାଆ ପଚାରିଲେ ଆଗ ଭଳି ଆଉ ବିଶେଷ ଫାଷ୍ଟଫୁଡ଼୍ ର ଅର୍ଡର ମିଳୁନି । 


ଏ ବର୍ଷର ରଜ ତ ଏମିତି ଚାଲିଯିବ , ଅପେକ୍ଷା ରହିବ ପୁଣି ଆସନ୍ତା ରଜକୁ । ଆଶା , ଆସନ୍ତା ବର୍ଷ ଏ ମହାମାରୀର ବିଭତ୍ସ ତାଣ୍ଡବ ନଥିବ । ପୁଣି ବନସ୍ତରୁ ଗଜ ର ଡ଼ାକରା ଆସିବ ଆଉ ରଜମଉଜ ଫେରିଆସିବ ନୂଆ ରୂପରେ ସୁଖସମୃଦ୍ଧି ନେଇ ।



Rate this content
Log in

Similar oriya story from Inspirational