Padmalaya Padhy

Inspirational

4  

Padmalaya Padhy

Inspirational

ବନ୍ଧୁ

ବନ୍ଧୁ

4 mins
307


ବନ୍ଧୁଟିଏ ହିଁ ବନ୍ଧୁକୁ ସାହାଯ୍ୟ କରେ ଏହି ଉକ୍ତିର ସତ୍ୟତା ନାହିଁ ବୋଲି ଭାବୁଥିଲି ଯେ ପର୍ଯ୍ୟନ୍ତ ରିନି ମୋ ଜୀବନରେ ଆସି ନଥିଲା l ବନ୍ଧୁ ତ ନୁହେଁ କାମ କରିବା ଝିଅଟାଏ ଦୁଇ ବେଳା ଆସି ରୋଷେଇବାସ ଝାଡୁ ପୋଛା କରିଦେଇ ଯାଏ l ବହୁତ ପରିଶ୍ରମୀ ଏବଂ ତାର ଗୋଟିଏ ଗୁଣ ମୋତେ ବହୁତ ଭଲ ଲାଗେ ତାହା ହେଲା ତାର ସହନଶୀଳତା l ଭୁଲ୍ ହେଲେ ମାନି ଯାଏ ଏବଂ କେତେ ଦେହ ଖରାପ ଥିଲେ ବି ପ୍ରାୟ ଅନୁପସ୍ଥିତ ରହେ ନାହିଁ l ସେଥିପାଇଁ ବୋଉ ବି ତା ଉପରେ ସବୁବେଳେ ଖୁସି l ରିନି ଆସି ଦୁଇ ବର୍ଷ ହେଲା କାମ କଲାଣି କିନ୍ତୁ ତାକୁ ନେଇ ଆଜିଯାଏଁ କୌଣସି ଅଭିଯୋଗ ନାହିଁ l


ଏ ଭିତରେ ମୋର ସୁରଜିତ୍ ସହିତ ବିବାହ ସ୍ଥିର ହୋଇ ଯାଇଛି l ନିର୍ବନ୍ଧ ସରି ଗଲାଣି l ଆଠ ଦଶ ଦିନ ମଧ୍ୟରେ ସବୁକିଛି କାମ ସରି ଯାଇଥିଲା ଯେତେବଳେ ରିନି କୁ ପ୍ରବଳ ଜ୍ୱର ହୋଇଛି ବୋଲି କାମ କରିବାକୁ ଆସୁ ନଥାଏ l ଏତେଦିନ ଧରି କ୍ରମାଗତ ରୂପେ ଛୁଟି ନେବା ରିନି ପାଇଁ ପ୍ରଥମ l ତା ଭଉଣୀ ଝୁନି ଆସି ସବୁ କାମ କରିଦେଇ ଯାଏ l ଝୁନି ଚୁପ୍ ଚାପ୍ ପ୍ରକୃତିର ଝିଅଟା l ରିନି ପରି ଏତେ ଗପୁଡି ନୁହେଁ l ରିନି ଭଲ ହୋଇ ଆସିଲା ପରେ କହିଲା ଦିଦି ତୁମ ନିର୍ବନ୍ଧ ସରିଗଲା କିନ୍ତୁ ନିର୍ବନ୍ଧ କାମରେ ମୁଁ କିଛି ବି ସାହାଯ୍ୟ କରି ପାରିଲି ନାହିଁ l ଠିକ୍ ସମୟକୁ ପୋଡ଼ାମୁହାଁ ଜ୍ୱର ଟା ଦାଉ ସାଧିଲା l ମୁଁ କହିଲି ହଉ ବାହାଘର ତ ଆଗକୁ ଅଛି l ତୁ ହିଁ ସବୁ କାମକୁ ତଦାରଖ କରିବୁ ହେଲା ?


ଦିଦି ଜିଜୁ ଙ୍କ ଫଟୋ ଟା ଦେଖାଇଲେ ନାହିଁ ତ ? ମୋବାଇଲ୍ ର ଥିବା ସୁରଜିତ୍ ର ଫଟୋ ଟି ଦେଖି ଭୂତ ଦେଖିଲା ପରି ଚମକି ଉଠିଥିଲା ରିନି l ହଠାତ୍ କିଛି ନକହି ରୋଷେଇ ଘରକୁ ଚାଲିଗଲା l ମୁଁ ପଛେ ପଛେ ଯାଇ ପଚାରିଲି ରିନି ! ତୋ ଜିଜୁ ଙ୍କ ଫଟୋ କେମିତି ହୋଇଛି କହିଲୁ ନାହିଁ ତ l ଭଲ ହୋଇଛି ସଂକ୍ଷିପ୍ତ ରେ କହି ପୁଣି ବାସନ ମାଜିବାରେ ମନ ଦେଇଥିଲା l ଏହା ପରେ ମୁଁ ସେହି ଘଟଣାଟି ଭୁଲି ଯାଇଥିଲି l ସୁରଜିତ୍ ସହିତ ସବୁଦିନ ମୁଁ କଥାବାର୍ତ୍ତା ହୁଏ l ସୁରଜିତ୍ ର ଫୋନ୍ ଆସିଲେ ମନଟା ଆଜିକାଲି ଖୁସି ଖୁସି ଲାଗୁଛି l ସୁରଜିତ୍ କୁ ଭଲ ପାଇବାକୁ ଆରମ୍ଭ କଲିଣି ମୁଁ l ଆଗାମୀ ମାସରେ ଆମର ବିବାହ ତିଥି ବାହାରିଛି l ସବୁ ଆୟୋଜନରେ ପୁରୋଧା ହେବାକୁ ଥିବା ରିନି କିନ୍ତୁ ପଛଘୁଞ୍ଚା ଦେଉଛି l କାରଣ ବୁଝି ହେଉନାହିଁ l ହଁ କ'ଣ ବ୍ୟକ୍ତିଗତ ସମସ୍ୟା ଥିବ ମୋର ଜାଣିବା କ'ଣ ଦରକାର l


 ହଠାତ୍ ଦିନେ ଯେଉଁ ମଧ୍ୟସ୍ଥି ଜଣକ ଆମ ବାହାଘର ଠିକ୍ କରିଥିଲେ ସେ ଆସି କହିଲେ ଯେ ସୁରଜିତ୍ ର ମା ବାପା ଏଇ ବିବାହରେ ଖୁସି ନୁହଁନ୍ତି ତେଣୁ ସେମାନେ ବିବାହ ଭାଙ୍ଗି ଦେବାକୁ ଚାହାଁନ୍ତି l ସୁରଜିତ୍ ବି ତାର ବାପା ମାଆଙ୍କ ସହିତ ଏକମତ l ଆମ ପରିବାରର ସଦସ୍ୟ ମାନେ ତ ଏତେଟା ଚିନ୍ତିତ ନଥିଲେ l କାରଣ ଝିଅ ପାଠ ପଢ଼ିଛି ଚାକିରୀ କରିଛି ଯେତେବେଳେ ପୁଅର ଅଭାବ ହେବ ନାହିଁ l କିନ୍ତୁ ମୁଁ ବୁଝି ପାରୁ ନଥିଲି ଯେ ସୁରଜିତ୍ ମୋ ସହିତ ଏମିତି କାହିଁକି କଲା l ମୋ ସହିତ ତ କଥା ବାର୍ତ୍ତା ହୋଇ ପାରିଥାନ୍ତା l ମୋ ନମ୍ବର ବି ବ୍ଳକ୍ କରି ଦେଇଛି କାହିଁକି l


 ଏହାର ଦୁଇ ତିନି ମାସ ପରେ ସୁରଜିତ୍ ର ମାଆ ଙ୍କୁ ମଲ୍ ରେ ଦେଖିଲି l ସିଏ ଟିକିଏ ବାଲୁରି ପ୍ରକୃତିର l ସିଏତ ନ ଚିହ୍ନିଲା ପରି ହେଉଥିଲେ ହେଲେ ମୁଁ ହିଁ ଯାଇ କହିଲି ମାଉସୀ ନମସ୍କାର l କେମିତି ଅଛନ୍ତି ?ଗୋଟିଏ କଥା ଆପଣଙ୍କୁ ପଚାରିବାର ଥିଲା ମାଉସୀ l ନିର୍ବନ୍ଧ ପର୍ଯ୍ୟନ୍ତ ଆପଣ କିଛି ବି କହି ନାହାନ୍ତି ନିର୍ବନ୍ଧ ହେଲା ପରେ ହଠାତ୍ ଆପଣଙ୍କୁ ମୁଁ ପସନ୍ଦ ଆସିଲି ନାହିଁ ? ପରସ୍ପର ର ସମ୍ମତି ନଥିଲେ ସମ୍ପର୍କ ଯୋଡିବା ଠିକ୍ ନୁହେଁ l ଆପଣଙ୍କୁ କେବଳ କାରଣଟି ପଚାରୁଛି l ଏମିତି କ'ଣ ହେଲା ଯେ…l ମୋ କଥା ସମ୍ପୂର୍ଣ୍ଣ ହେବାକୁ ନଦେଇ ମାଉସୀ କହିଲେ ଏକଥା ତୋ ଚାକରାଣୀ କୁ ଯାଇ ପଚାର ଯିଏକି ଆମକୁ ଧମକ୍ ଦେଇ ଯାଇଛି l ଏ ବାହାଘର ନ ଭାଙ୍ଗିଲେ ପୁଣି ସେ ଆମକୁ ଛାଡିବ ନାହିଁ l ମାନେ… ରିନି… ମାନେ….ନା ନା ଏମିତି କେମିତି ହେବ l ଘରକୁ ଯାଇ ରିନି କୁ ପଚାରିଲି

ସବୁକଥା l


ପ୍ରଥମେ ତ ସେ ମାନୁ ନଥିଲା କିନ୍ତୁ ପରେ କହିଲା ଯେ ସେ ତିନି ବର୍ଷ ତଳେ ସୁରଜିତ୍ ଙ୍କ ଘରେ କାମ କରୁଥିଲା l ଦିନେ ସୁରଜିତ୍ ଏକୁଟିଆ ଥାଆନ୍ତି l ରିନି କିଚେନ୍ ରେ କାମ କରୁଥାଏ l ପଛ ଆଡୁ ସେ ଧୀରେ ଯାଇ ଭିଡି ଧରିଥିଲେ ରିନି କୁ l କିଛି କୁକର୍ମ କରିବା ପୂର୍ବରୁ ସମସ୍ତ ବଳ ଖଟାଇ କହୁଣୀ ରେ ଗୋଟେ ଧକ୍କା ମାରି ସେ ବାହାରକୁ ଚାଲି ଆସିଥିଲା l ତା ପରେ ଆଉ ତାଙ୍କ ଘରକୁ କାମ କରିବାକୁ ଯାଇ ନାହିଁ l ରିନି ଯେତେବେଳେ ଜାଣିଲା ଯେ ଇଏ ହେଉଛି ସେହି ଲୋକ ଯାହା ସହିତ ମୋ ବାହାଘର ଠିକ୍ ହୋଇଛି ସେ ଯାଇ ତାଙ୍କ ଘରେ ପହଞ୍ଚି ଧମକ୍ ଦେଇଥିଲା ଯେ ଏ ବାହାଘର ଯଦି ନ ଭାଙ୍ଗିବ ତେବେ ମୁଁ ତୁମର ସମସ୍ତ ଗୁମର ଖୋଲିଦେବି ଏବଂ ତୁମେ ନିଜେ ହିଁ ବଦନାମ୍ ହେବ l ରିନି ର ଡରରେ ସୁରଜିତ୍ ର ଘର ଲୋକ ଏହି ବାହାଘର ଟି ଭାଙ୍ଗି ଦେଇଥିଲେ l ଆଜି ମୁଁ ଅନିକେତ୍ ଙ୍କୁ ବିବାହ କରି ସୁଖରେ ଘର ସଂସାର କରିଛି l କିନ୍ତୁ ମୋର ସୁଖୀ ଜୀବନ ପାଇଁ ରିନି ର ଅବଦାନକୁ କେବେ ବି ଭୁଲି ପାରିବି ନାହିଁ l ମୋର ସବୁଠାରୁ ବଡ଼ ବନ୍ଧୁ ହେଲା ରିନି l ଏବେ ବି ସିଏ ଆମ ଘରେ କାମ କରୁଛି ଏବଂ ମୋର ମାଆ ବାପାଙ୍କର ଯତ୍ନ ନେଉଛି l


Rate this content
Log in

Similar oriya story from Inspirational