Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Trinath Patnaik

Romance

3  

Trinath Patnaik

Romance

ବିରହ ବେଦନା ସହି ମୁଁ ପାରେନା

ବିରହ ବେଦନା ସହି ମୁଁ ପାରେନା

4 mins
1



ଏ ଜୀବନଟା ଟିକେ ଅଟକି ଯା'ନ୍ତାନି, ବହୁତ୍ ଥକି ପଡ଼ିଲା ପରି ଲାଗୁଛି। ପୁଣି କିଛି ସମୟ ପଛକୁ ଫେରି ଯା'ନ୍ତାନି ଏ ଜୀବନ। କିଛି ସମୟ ପଛକୁ ଫେରିଗଲେ ମୁଁ ହୁଏତ ଆଉ ଥରେ କିଛି ନୂଆ କରି ଆରମ୍ଭ କରି ପାରନ୍ତି। କିଛି ଅସଜଡା ସମ୍ପର୍କକୁ ଆଉ ଥରେ ସଜେଇ ଦିଅନ୍ତି। ଏକ ଉଜ୍ଜ୍ୱଳ ଆଲୋକ ପିଣ୍ଡ ପରି ଜଳି ଜଳି ଚମକି ପଡୁଛି ମୁଁ ଆଉ ମୋ ଚତୁରପାର୍ଶ୍ଵ କିନ୍ତୁ ଏ ସଳିତା ଯେ ଜ୍ଵଳନ ଯନ୍ତ୍ରଣାରେ କେବଳ ଛଟପଟ ହେଉଛି, ସେ କଥା କେବଳ ଏ ସଳିତା ହିଁ ଜାଣିଛି। ବୟସର ଅପରାହ୍ନରେ ନିଜେ ଲଗାଇଥିବା ରାସ୍ତା ପାଖ ଆମ୍ବ ଗଛ ମୂଳେ ଏକା ଏକା ବସି ଗାଁ ରାସ୍ତାରେ ଖେଳୁଥିବା କିଛି ଛୋଟ ପିଲାଙ୍କୁ ଦେଖି ଏମିତି କିଛି ଅନାବନା ଭାବନା ଭିତରେ ହଜି ଯାଇଥିଲେ କ୍ରିଷ୍ଣା ବାବୁ। ଆମ୍ବ ଗଛଟି ସିନା ଅଫଳନ୍ତି କିନ୍ତୁ ଏଇ ବାଟେ ଯାଉଥିବା ହଜାର ହଜାର ବାଟୋଇ ତ ତାଙ୍କ ଥକା ମେଣ୍ଟାଇ ଯାଆନ୍ତି।

ଶହ ଶହ ଚଢ଼େଇ ଏ ଗଛ ଡାଳରେ ନିଜ ବସା ବାନ୍ଧନ୍ତି। ଏମିତି ଭାବୁ ଭାବୁ ନିଜ ଭାବନାରେ ହଜି ଯାଇଥିଲେ କ୍ରିଷ୍ଣା ବାବୁ। ହଠାତ୍ କେହି ଜଣେ ପିଲା ଡାକ ଛାଡ଼ି କହିଲା "ସାର୍ ବଲ୍‌ଟା ଦିଅନ୍ତୁ, ଆପଣଙ୍କ ଗୋଡ଼ ପାଖେ ପଡ଼ିଛି"। ପିଲାଟିର ଡାକ ଶୁଣି ଚମକି ପଡ଼ିଲେ କ୍ରିଷ୍ଣା ବାବୁ। ଭାବନା ରାଜ୍ୟରୁ ନିଜର ବାସ୍ତବତାକୁ ଫେରି ଆସିଲେ। ବଲ୍‌ଟିକୁ ଉଠେଇ ସେ ପିଲା ମାନଙ୍କ ଆଡ଼କୁ ଫିଙ୍ଗି ଦେଲେ।

ବାପାମା' ଦୁହେଁ ଚାଲିଗଲା ପରଠୁଁ ଜୀବନଟା ସତେ ଯେମିତି ଏକ ମରୁଭୂମିର ମୃଗ ପରି ହେଇଯାଇଛି। ନା ଅଛି ତୃଷ୍ଣା ନା ଅଛି ଟିକେ ପାଣି। ପେଶାରେ କ୍ରିଷ୍ଣା ବାବୁ ଜଣେ ଟ୍ୟୁସନ ଶିକ୍ଷକ। ନିଜ କର୍ତ୍ତବ୍ୟକୁ ଭଗବାନଙ୍କ ଆଖ୍ୟା ଦିଅନ୍ତି କ୍ରିଷ୍ଣା ବାବୁ। କର୍ମ ହିଁ ଭଗବାନ ବୋଲି କୁହନ୍ତି। ଆଖପାଖ କିଛି ଅଞ୍ଚଳର ଲୋକେ ତାଙ୍କୁ ବହୁତ ସ୍ନେହ ଶ୍ରଦ୍ଧା କରନ୍ତି lଯେତେ ବଡ଼ ଜଟିଳ ବିଷୟ ହେଲେବି କ୍ରିଷ୍ଣା ବାବୁଙ୍କ ପଢ଼ାରେ ସମସ୍ତେ ସହଜରେ ଏବଂ ଭଲ ଭାବରେ ବୁଝି ପାରନ୍ତି କାହିଁକି ନା ତାଙ୍କ ପଢ଼ାରେ ଥାଏ କୁହୁକର ଗନ୍ତାଘର। ଜୀବନରେ ଯେତେ ବଡ଼ ଝଡ଼ ଝଞ୍ଜା ଆସିଲେ ମଧ୍ୟ ସେ ତାକୁ ସହଜ ଏବଂ ହାଲକାରେ ଗ୍ରହଣ କରିନିଅନ୍ତି l କରିବେନି ବା କେମିତି ! ଏକା ଏକା ଜୀବନ ଜିଇଁବାରେ ସେ ଏମିତି ହିଁ ପ୍ରାୟ ତିନି ବର୍ଷ କଟେଇ ସାରିଲେଣି। ନିଜର ସ୍ୱାଭିମାନ ଏବଂ ସମ୍ମାନକୁ ସେ ସଦା ବହୁତ୍ ଉପରେ ରଖନ୍ତି। ଏ ସ୍ୱାଭିମାନ ତଥା ସମ୍ମାନ ଟିକକୁ ଛାଡ଼ିଦେଲେ ଆଉ କିଛି ନାହିଁ ତାଙ୍କ ପାଖରେ।

ନିଜର ପ୍ରେମ ବିବାହକୁ ବହୁତ ଜିଦ୍‌ରେ ସ୍ଵୀକୃତି ମିଳିଥିଲା ବାପାଙ୍କ ପାଖରୁ। କିନ୍ତୁ ବିନା ଯୌତୁକରେ ବୋହୂ ଆଣିବେ ନାହିଁ ବୋଲି ରୋକ୍ ଠୋକ୍ ମନା କରିଦେଇଥିଲେ କ୍ରିଷ୍ଣା ବାବୁଙ୍କ ବାପା। ମିନାକ୍ଷୀଙ୍କ ବାପା ବି ବିବାହର ଏକ ବର୍ଷ ଭିତରେ ଯୌତୁକ ବାବଦକୁ ଯାହା ଯେତେ ଦାବି ହେଇଥିଲା ସବୁ ଦେଇ ଦେବେ ବୋଲି କହିଲେ। ବହୁତ୍ ଧୁମ୍ ଧାମରେ ହେଲା ବାହାଘର। କ୍ରିଷ୍ଣା ବାବୁ ଆଉ ମିନାକ୍ଷୀ ପରସ୍ପରକୁ ଜୀବନଠୁ ବି ଅଧିକ ଭଲ ପାଉଥିଲେ। କାଳ ବୈଶାଖୀର ରୌଦ୍ରତାପ ପରେ ପହିଲି ବରଷା ଯେମିତି ଧରା ପୃଷ୍ଠକୁ ଏକ ଅପୂର୍ବ ଖୁସି ଦେଇଥାଏ,ସେମିତି ଏକ ଖୁସିରେ ଆତ୍ମହରା ଥିଲେ ଦୁହେଁ। ନାଲିରଙ୍ଗ ମିନାକ୍ଷୀଙ୍କର ଭାରି ପସନ୍ଦ ଥିଲା। ମିନାକ୍ଷୀଙ୍କର ସବୁ ପସନ୍ଦକୁ ନିଜ ପସନ୍ଦ ବୋଲି ଭାବି ନେଇଥିଲେ କ୍ରିଷ୍ଣା ବାବୁ। ନିଜ କାନ୍ଧ ଗାମୁଛାଠାରୁ ଆରମ୍ଭ କରି ପିନ୍ଧା ପୋଷାକ ପର୍ଯ୍ୟନ୍ତ ସେ ବି ଖାଲି ନାଲି ରଙ୍ଗର ହିଁ ପିନ୍ଧୁଥିଲେ। ବାହାଘରର ଗୋଟେ ବର୍ଷ ପରେ ମିନାକ୍ଷୀ ଆଉ କ୍ରିଷ୍ଣା ବାବୁ ଏକ ପୁତ୍ର ସନ୍ତାନର ପିତାମାତା ହେଲେ। ଗୋଟେ ଖୁସି ନସରୁଣୁ ଭଗବାନ ଆଉ ଗୋଟେ ଖୁସି ଦେଇଦେଇଥିଲେ। ହସ ଖୁସିରେ ଫାଟି ପଡୁଥିଲେ କ୍ରିଷ୍ଣା ବାବୁ ଆଉ ତାଙ୍କ ପରିବାର। ପୁଅର ଏକୋଇଶିଆ ପୂଜା ବଡ଼ ଧୁମ୍‌ଧାମରେ ପାଳନ କରୁଥିଲେ କ୍ରିଷ୍ଣା ବାବୁ। ବହୁତ୍ ଭାବି ଭାବି ମିନାକ୍ଷୀ ଆଉ କ୍ରିଷ୍ଣା ବାବୁ ପୁଅର ନାମ ହୃଦୟ ଦେଇଥିଲେ। ମିନାକ୍ଷୀଙ୍କ ବାପା ବି ନିଜ ପାରୁ ପର୍ଯ୍ୟନ୍ତ ଯାହା ସମ୍ଭବ ଆଣିଥିଲେ ନିଜ ନାତିର ପୂଜା ପାଇଁ। କିନ୍ତୁ ଯୌତୁକ ବାବଦକୁ ଆଉକିଛି ଜିନିଷ ବାକିଥିବା ହେତୁ ସେ ପ୍ରାୟ ବହୁତ୍ ଦିନ ହେଲା ଝିଅ ଘରକୁ ଆସିପାରୁନଥିଲେ। ଭରି ସଭାରେ ପୁଅର ପୂଜା ଚାଲିଥିବା ସମୟରେ କ୍ରିଷ୍ଣା ବାବୁଙ୍କ ବାପା ମିନାକ୍ଷୀଙ୍କ ବାପା ଦେଇଥିବା ଛୋଟିଆ ପଦକଟିକୁ ଅପମାନ ଦେଇ ଫେରେଇ ଦେଲେ। ନିଜ ବାପାଙ୍କ ଅପମାନକୁ ସହି ପାରିଲେ ନାହିଁ ମିନାକ୍ଷୀ । ସେଇ ଦିନ ରାତିରେ ହିଁ ନିଜ ବାପାଙ୍କ ସାଙ୍ଗରେ ନିଜର ଏକମାସର ଛୁଆକୁ ଧରି ଫେରିଗଲେ ମିନାକ୍ଷୀ। ବାପାଙ୍କ ଆତ୍ମସମ୍ମାନ ଆଉ ଜିଦ୍‌କୁ ସମ୍ମାନ ଜଣାଇ ଚୁପ୍ ରହିଲେ କ୍ରିଷ୍ଣା ବାବୁ।


ଏମିତି କିଛି ଦିନ କିଛି ମାସ କିଛି ବର୍ଷ ବିତି ଯାଇଥିଲେ ବି ଉଭୟଙ୍କ ପାଖରୁ ନା ମିଳିଥିଲା କିଛି ଖବର ନା କିଛି ଉତ୍ତର, କେବଳ ମିଳିଥିଲା କିଛି ମିଛିମିଛିକା ଅପେକ୍ଷା। ଦୁହେଁ ଦୁହିଁଙ୍କ ବାଟ ଚାହିଁ ରହିଥିଲେ ଏକ ଅଭିମାନର କୋହରେ। ଦୁହେଁ ଦୁହିଁଙ୍କ ଠିକଣା ଜାଣିଥିଲେ ବି ନିଜର ଅଭିମାନ ଏକ ଶିକୁଳି ହୋଇ ଜାବୁଡ଼ି ଧରିଥିଲା ଦୁହିଁଙ୍କୁ। ପଚିଶ ବର୍ଷର ବିଚ୍ଛେଦର ନିଆଁରେ ଦୁହେଁ କେବଳ ଜ୍ୱଳନରେ ଜର୍ଜରିତ ହେଉଥିଲେ। ସତେ ଯେମିତି ଏକ ଦୁର୍ଲଭ ପ୍ରେମ ଚାପି ହୋଇ ପଡ଼ିରହିଛି କାହାର ଅଭିମାନର ପଥର ତଳେ। ମନରେ ଅସୁମାରୀ ପ୍ରେମର ଆବେଗକୁ ଅଟକାଇ ରଖୁଥିଲା ଅହଙ୍କାରର ଅଭିମାନ। ମିନାକ୍ଷୀଙ୍କର କିଛି ଦିନର ରହଣି ଗୋଟେ ସ୍ମୃତି ପାଲଟି ଯାଇଥିଲା କ୍ରିଷ୍ଣାବାବୁଙ୍କ ଘରେ। ନିଜର ଏଇ ଛୋଟ ଘରେ ଥିବା ଅସୁମାରୀ ସ୍ମୃତିକୁ ଜାବୁଡ଼ି ଧରି ବଞ୍ଚି ରହିଛନ୍ତି କ୍ରିଷ୍ଣା ବାବୁ। ବହୁତ ଦିନ ହେଲାଣି କେବଳ ଏହି ବିଦ୍ୟାର୍ଥୀମାନଙ୍କ ଛଡା କେହି ଜଣେ ନିଜର ହୋଇ ଏ ଘରର ଫାଟକ ଡେଇଁ ଭିତରକୁ ପଶି ନାହାନ୍ତି।


ହଠାତ୍ କେହି ଜଣେ ଯୁବକ କ୍ରିଷ୍ଣା ବାବୁଙ୍କ ଆଡ଼କୁ ଚାଲି ଚାଲି ଆସିଲା। ଯୁବକ ଜଣକ କିଛି କହିବା ଆଗରୁ କ୍ରିଷ୍ଣା ବାବୁ କହିଲେ, ଆରେ ଆଜି ରବିବାର। ମୁଁ ରବିବାର ଟିକେ ରେଷ୍ଟ୍ ନିଏ। ଆଜି ପଢ଼େଇ ପାରିବିନି ।(ଯୁବକ ଜଣକ କ୍ରିଷ୍ଣା ବାବୁଙ୍କ ପାଦ ଛୁଇଁ ନମସ୍କାର କଲା)।ଆରେ କିଏ ତୁମେ ? ମୁଁ ଜାଣି ପାରିଲି ନାହିଁ। କ୍ରିଷ୍ଣା ବାବୁଙ୍କ ପାଦ ତଳୁ ମଥା ଉଠାଇ ଗୋଟେ ପରିଚିତ ଅଭିମାନର ସ୍ୱରରେ ଯୁବକ ଜଣକ କହିଲା, ବାପା ମୁଁ ହୃଦୟ. ଆଜି ସକାଳେ ମା' ଚାଲିଗଲା।


ଭାଙ୍ଗିଗଲା ସବୁ ଅଭିମାନର ବନ୍ଧ। ଏକ ଝାଞ୍ଜି ବୈଶାଖୀର ଟାଣୁଆ ଖରାରେ ଜଳିଗଲା ବର୍ଷ ବର୍ଷ ଧରି ଜମାଟ ବାନ୍ଧି ଥିବା ଏକ ବିରାଟ ବଡ଼ ଆକାଂକ୍ଷାର ଅପେକ୍ଷା। ଅନେକ ବର୍ଷରୁ ସାଇତା ଥିବା ଅଜସ୍ର ଶ୍ରାବଣ ଆଖିରୁ ଧାର ଧାର ହୋଇ ବହିଚାଲିଥାଏ। ଆଖି ଆଗରେ ନାଚି ଉଠୁଥାଏ ମିନାକ୍ଷୀଙ୍କର ସେଇ ହସ ହସ ମୁହଁଟି। ନିଜର ଅଭିମାନକୁ ଦମ୍ଭ କରି ଠିଆ ହୋଇ ରହିଥିବା ଆକାଶଟି ଆଜି ଦୂର ଦିଗବଳୟ ତଳେ ନଇଁ ପଡ଼ିଲା ପରି ଦିଶୁଛି। ଏ ବିରହର ନିଆଁରେ ଜଳି ଯାଇଥିବା ଛାତି ତଳେ ଚାପି ହୋଇ ରହିଥିବା ଏକ ଦୁର୍ଲଭ ପ୍ରେମ। କାନ୍ଧରେ ଥିବା ନାଲି ଗମୁଛାଟି ଖସି ପଡିଲା ତଳେ। ଗାମୁଛାଟିକୁ ତଳୁ ଉଠଉ ଉଠଇ ଗାମୁଛାର ରଙ୍ଗରେ ଦିଶୁଥିଲା ଅସଂଖ୍ୟ ପ୍ରେମର ରଙ୍ଗରେ ଶୁଖି ଯାଇଥିବା କିଛି ଅଲିଭା ଛିଟା। ସେ ଗାମୁଛା ଭିତରୁ ସତେ ଯେମିତି କେହି ଜଣେ କହି ହେଉଥିଲା. ଏ ଗାମୁଛାର ରଙ୍ଗ ଭାରି ସୁନ୍ଦର ହେଇଛି. ଆଉ କ୍ରିଷ୍ଣା ବାବୁ ସେ ଗାମୁଛାକୁ ଚାହିଁ କହୁଥିଲେ,


"ବିରହ ବେଦନା

ସହି ମୁଁ ପାରେନା

କେମିତି ଜିଇଁବି ଏକା ଏକା ତୁମ ବିନା.

ଏକା ଏକା ତୁମ ବିନା....।


    


Rate this content
Log in