ବିକଳ ପିତୃତ୍ୱ
ବିକଳ ପିତୃତ୍ୱ
ଲତା ! ଦୀର୍ଘଦିନ ପରେ ଗୁଡାଏ ଅନ୍ତର୍ଦ୍ବନ୍ଦର ଅବସାନ ଘଟାଇ ଏ ଚିଠି ଲେଖୁଛି । ମା’ ଭଗବତୀଙ୍କ କୃପାରୁ ତୁମେ କୁଶଳରେ ଥିବ । ତୁମର ବହୁ ଅନୁରୋଧ ପରେ ଶେଷରେ ଗୁରୁଙ୍କ ଆଶୀର୍ବାଦ ନେଇ ଆଶ୍ରମର ଏକ କାର୍ ରେ ପୁଅ ସହିତ ଏକ ଦୀର୍ଘ ଯାତ୍ରାରେ ବାହାରିଲି । ମୁଁ ବୋହୂ ଦେଖି ପସନ୍ଦ କରିବା ପରେ ପୁଅର ବିବାହ ହେବ, ତୁମର ଏକାନ୍ତ କାମ୍ୟ ଥିଲା । ପୁନର୍ବାର ସାଂସାରିକ କାର୍ଯ୍ୟକଳାପରେ ମୋର ହସ୍ତକ୍ଷେପକୁ ଗୁରୁଜୀ ପସନ୍ଦ କରୁ ନ ଥିଲେ ମଧ୍ୟ ତୁମର ଏକ ମାତ୍ର ଅଳିକୁ ପୂର୍ଣ୍ଣ କରିବା ଲାଗି ବାଧ୍ୟ ହୋଇ ପୁଅ କଥାରେ ହଁ ଭରିବାକୁ ପଡିଲା । ତା ପସନ୍ଦର ଝିଅକୁ ସେ ବିବାହ କରିବ ଓ ସେଥିରେ ମୋର ସମ୍ମତି ରହିବ, ଏହା ତା ଦୃଷ୍ଟିକୋଣରୁ ସପ୍ତାଶ୍ଚର୍ଯ୍ୟଠୁ ବଳି କିଛି କମ୍ ନ ଥିଲା । ବାଟ ସାରା ସେ ବହୁତ ଉତ୍ସାହିତ ଥିଲା ଓ ଭାବୀ ପତ୍ନୀ ଓ ତା ପରିବାର ବିଷୟରେ ବିଭିନ୍ନ ଦିଗରୁ ଅଳ୍ପ ଅଳ୍ପ କହି ମୋ ମନରେ ସକରାତ୍ମକ ଭାବ ସୃଷ୍ଟି କରିବାର ପ୍ରୟାସ ଜାରି ରଖୁଥିଲା | ବୋଧହୁଏ ତୁମେ ମୋତେ ଲେଖିଥିବା ଅନୁରୋଧ ପୂର୍ଣ୍ଣ ଚିଠି ସଂପର୍କରେ ସେ ଅଜ୍ଞାତ ଥିଲା । କିନ୍ତୁ ସେ ଯେ ଧୃଷ୍ଟତା କରୁଛି ଓ ଏକ କୂଳୀନ ବ୍ରାହ୍ମଣ ପରିବାରର ମର୍ଯ୍ୟଦା ଉଲ୍ଲଘଂନ କରି ପିତାଙ୍କ ନିର୍ବାଚିତ କନ୍ୟାକୁ ବେଖାତିର ପୂର୍ବକ ନିଜ ପସନ୍ଦରେ ସଂସାର କରିବାକୁ ଆଗଭର ହେଉଛି, ଏ ବିଷୟରେ ସେ ସଂପୂର୍ଣ୍ଣ ଜ୍ଞାତ ଥିଲା । ତେବେ ଏକ ଦୀର୍ଘ ଯାତ୍ରାର ଅବସରରେ ବର୍ତ୍ତମାନ ସମୟରେ ପ୍ରଚଳିତ ଆଧୁନିକ ପ୍ରଥା ସଂପର୍କରେ ମୋର କିଞ୍ଚିତ ଧାରଣା ପ୍ରାପ୍ତିର ଅତ୍ୟନ୍ତ ଆବଶ୍ୟକତା ଅଛି ବୋଲି ବାରମ୍ବାର ସୂଚନା ପ୍ରଦାନରେ ଅବହେଳା କରୁ ନ ଥିଲା । ସାଂସାରିକ ସୁଖସୁବିଧା ପ୍ରାପ୍ତି ଲୋଭରେ ଗୁରୁଜୀଙ୍କ ଆଶୀର୍ବାଦ ପାଇଁ ଲାଳାୟିତ। କିଛି ଆଧୁନିକା କନ୍ୟାମାନଙ୍କୁ ଦର୍ଶନାନ୍ତେ ମୋର ସେ ସବୁ ବିଷୟରେ ଜ୍ଞାନ ବେଶ ପରିମାର୍ଜିତ ଥିଲା। ତେଣୁ ତା କଥାରେ କେବଳ ମୌନ ସମ୍ମତି ପ୍ରଦାନ କରି ତୁମ ସହିତ ବିତି ଥିବା ସମୟର ସ୍ମୃତିରେ ହଜି ରହିବା ପାଇଁ ଚାହୁଁଥିଲି । ବର୍ତ୍ତମାନର ଚଳଣୀ ଓ ଆମ ସମୟର ଚଳଣୀ ଭିତରେ କେତେ ପାର୍ଥକ୍ୟ ସତେ ! ଆମ ବିବାହର ଦୁଇ ବର୍ଷ ପର୍ଯ୍ୟନ୍ତ ଦିବସରେ ତୁମ ମୁଖ ଦର୍ଶନରୁ ବଞ୍ଚିତ ଥିବା ଏ ହତଭାଗା ସ୍ଵାମୀଟି ଯଦି କେବେ କେବେ ଛୁଟିଦିନ ମାନଙ୍କରେ ସାଙ୍ଗ ସାଥି ମେଳ ଛାଡି ଅଥବା ତାସ୍ ଖେଳ ଅଧାରୁ ଘରକୁ ଫେରି ଆସି ତୁମକୁ ଦେଖିବାର ଅପଚେଷ୍ଟା ଯେତେଥର କରିଛି, ସେତେଥର ବୋଉ ଆଖିରେ ଧରାପଡ଼ି ବୋଉର ମୃଦୁହାସ୍ୟଜନିତ ଅପମାନରେ ରକ୍ତିମ ମୁଖ ନେଇ ଫେରି ଯାଇଛି । ଗୃହର ନିତ୍ୟକର୍ମ ସାରିବାବେଳେ ବୋଉ ସହିତ କଥାବାର୍ତ୍ତର ଆବଶ୍ୟକତା ଥିଲେ ତୁମର ଇଶାରା ଜନିତ ଅଙ୍ଗପ୍ରତ୍ୟଙ୍ଗ ଚାଳନା ବାସ୍ତବିକ ମୋ ପାଇଁ କିଛି କମ୍ ଉପଭୋଗ୍ୟର ବିଷୟ ନଥିଲା । ନନା କିମ୍ବା ବୋଉର ଦୃଷ୍ଟି ଆକର୍ଷଣ ନିମନ୍ତେ ତୁମର ଚୁଡ଼ିର ଶବ୍ଦ ଜରିଆରେ ନିଜ ଉପସ୍ଥିତି ଜାହିର କରିବାର କଳା ଆମ ଗାଁରେ ପ୍ରସିଦ୍ଧ ଥିଲା । ତୁମ ହାତ ତିଆରି ମଣ୍ଡା, କାକରା, ଆରିସା, ବିଶେଷକରି ପୁରଦିଆ ସରୁ ଚକୁଳି ଭଳି ପିଠାଗୁଡ଼ିକର ସ୍ଵାଦ ମୋ ପାଇଁ ଥିଲା ଅନନ୍ୟ । ଏସବୁ ପ୍ରସଙ୍ଗର ଉତ୍ଥାପନର ଉଦ୍ଦେଶ୍ୟ ହେଉଛି ଆମ ଅନ୍ତେ ଆମ ପୁଅ ଏସବୁରୁ ବଞ୍ଚିତ ରହିବାର ଆଶଙ୍କା । ମୋର ଆଶା ବୋହୂକୁ ଏଥିରୁ ଅଳ୍ପ କିଛି ଶିକ୍ଷା ତୁମେ ଦେଇପାରିବ । ଅବଶ୍ୟ ଏସବୁ ବୋଧହୁଏ ବିନା କଷ୍ଟରେ ସମ୍ଭବ ହୋଇଥାନ୍ତା , ଯଦି ପୁଅ ଆମ ନିର୍ବାଚିତ କନ୍ୟାଟିକୁ ବିବାହ କରିଥାନ୍ତା; ଝୁନି ମୋର ବାଲ୍ୟ ସାଥିର ଏକମାତ୍ର ଝିଅ । ଏକ କୂଳୀନ ବ୍ରାହ୍ମଣ ପରିବାରର ସଂସ୍କାର ସହ ପରିଚିତା ଥିବା ଶିକ୍ଷିତା , ଆତ୍ମମର୍ଯ୍ୟଦା ସଂପର୍ଣ୍ଣା ଝୁନିକୁ ବୋହୂ କରିବାପାଇଁ ମୋର ଇଚ୍ଛା ଥିବା ବିଷୟରେ ପୁଅ ଭଲ ଭାବରେ ଅବଗତ ଥାଇ ମଧ୍ୟ ଅନ୍ୟ ଏକ ଜୀବନସାଥୀ ନିର୍ବାଚିତ କରିବା ନେଇ ମୋର ଭଙ୍ଗା ମନକୁ ସଜାଡିବାକୁ ତୁମେ ଅନେକ ପ୍ରୟାସ କରିଛ। ସିଦ୍ଧାନ୍ତ ଥିଲା ପୁଅ ଖୁସିରେ ଆମେ ଖୁସି ହେବା। ଝୁନିକୁ ଏସବୁ ଜଣାଥାଇ ମଧ୍ୟ ପୂର୍ବଭଳି ଆମ ଘରକୁ ତାର ଯିବା ଆସିବା ଲାଗି ରହିଥିଲା । ତାର ମୋ ଉପରେଥିବା ଆଶା ଓ ବିଶ୍ୱାସର ମୂଲ୍ୟ ସ୍ୱରୁପ ବୋହୂ ନ ହୋଇ ପାରିଲେ କନ୍ୟାଦାନ ବ୍ୟବସ୍ଥାଟିକୁ ତୁମକୁ ସଂପର୍ଣ୍ଣ କରିବାକୁ ହେବ ।
ମୋର ନିରବତାରେ ଆତଙ୍କିତ ହୋଇ ପୁଅ କେତେବେଳୁ ନୀରବ ହୋଇ ମଝିରେ ମଝିରେ ଡ୍ରାଇଭରକୁ ରାସ୍ତା ଦେଖାଉଛି । ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପରେ ଯଥାରୀତି ସ୍ଵାଗତପର୍ବ ଉପରାନ୍ତେ ବୈଠକଖାନାରେ ବସିବା ପରେ ଭାବୀସମୁଦିଙ୍କର ମୋର ଗେରୁଆବସ୍ତ୍ର ପ୍ରତି ତିର୍ଯ୍ୟକ ଚାହାଣୀ ସହିତ ସମ୍ପ୍ରତିକ ସମାଜରେ ବାବା ଓ ସାଧୁମାନଙ୍କ ବିଷୟରେ ବିଭିନ୍ନ କେଳେଙ୍କେରୀ ଜନିତ ଘଟଣାବଳୀ ସଂପର୍କରେ ଏକ ଛୋଟ ଭାଷଣ ଶୁଣିବାକୁ ମିଳିଲା । ରାଜଯୋଗର ପ୍ରତ୍ୟାହାର ଅନ୍ତର୍ଭୁକ୍ତ ନିୟମ ଗୁଡିକ ସ୍ମରଣ ପୂର୍ବକ ଗୁରୁପ୍ରଦତ୍ତ ଇଷ୍ଟ ମନ୍ତ୍ର ଉପରେ ଏକାଗ୍ର ହୋଇ କ୍ରୋଧ ସମ୍ବରଣ ପୂର୍ବକ ମୁଖରେ ନିର୍ଲିପ୍ତତାର ଭାବ ଖେଳାଇ କନ୍ୟାର ଆଗମନକୁ ଅପେକ୍ଷା କରି ବସି ରହିଲି । ପରିସ୍ଥିତିକୁ ସହଜ କରିବାଲାଗି ପୁଅର ଚେଷ୍ଟା କାମ ଦେଉ ନଥିଲା । ତୁମ ବିଷୟରେ ସାମ।ନ୍ୟ ଭଲ ମନ୍ଦ ପଚାରି ତୁମ ଗାଉଁଲି ପଣିଆ ଓ ରକ୍ଷଣଶୀଳତାର ଅନ୍ଧକାର ଭିତରେ ତୁମେ ଘାଣ୍ଟି ହେଉଥିବାର ଦୃଷ୍ଟାନ୍ତ ପୂର୍ବକ ନିଜ ଝିଅକୁ ଏସବୁ ସହିବାକୁ କଦାପି ଦେବେନି ବୋଲି ସମୁଦିଙ୍କର ଏକ ଦୀର୍ଘ ଘୋଷଣାନାମାର ପରିସମାପ୍ତି ପୂର୍ବରୁ କନ୍ୟାର ଆଗମନ ଘଟିଲା ।
ହାଏ ଅଙ୍କଲ, ହାଏ ଡାଡ୍, ହାଏ ପ୍ରକାଶ ଭଳି ସମ୍ଭାଷଣ ଉତ୍ତାରୁ ନିଜ ଶରୀରର ସାମାନ୍ୟ ପୋଷାକକୁ ସଜାଡ଼ିବାର ବୃଥା ପ୍ରୟାସ କରୁ କରୁ ସମ୍ମୁଖସ୍ଥ ଆସନରେ ବସିବା ସଙ୍ଗେ ସଙ୍ଗେ ମୋ ପୁଅ ସତ୍ୟ ପ୍ରକାଶକୁ ଦୟାପୂର୍ବକ ସେ ଯେ ସ୍ଵାମୀ ପଦଟିକୁ ସମର୍ପଣ କରୁଛି ଏବଂ ତା ବି ପ୍ରତିବନ୍ଧକ ବିହୀନ ପୂର୍ଣ୍ଣ ସ୍ବାଧୀନତା ପ୍ରାପ୍ତି ଭଳି ଏକ ଛୋଟିଆ ସର୍ତ୍ତରେ, ଏ ସୂଚନା ପ୍ରଦାନରେ ବିଳମ୍ବ କରି ନ ଥିଲା । ପୁଅ ମୋର ବିବଶ ଦେଖାଯାଉଥିଲା । ପୂର୍ବରୁ ସେ ଏମାନଙ୍କୁ ମୋ ଗସ୍ତ ଉପଲକ୍ଷେ ସଂପୁର୍ଣ୍ଣ ପ୍ରସ୍ତୁତ ରଖିଛି ବୋଲି ଭ୍ରମଧାରଣାଟି କେତେବେଳୁ ତା ମୁଣ୍ଡରୁ ଓହ୍ଲାଇ ସାରିଥିଲା । ବିଦାୟ ନେଇ ଫେରିଲୁ । ପୁଅ ଖୁସିରେ ଆମେ ଖୁସି ସଂକଳ୍ପରେ ମୁଁ ସ୍ଥିର ଥିଲି । ନନା ! ଅନ୍ୟ ଏକ ଜଗତରୁ ଆସୁଥିବା ପ୍ରାୟ ପୁଅର ଏ ସମ୍ବୋଧନରେ ସମ୍ବିତ ଫେରି ପାଇ ମୁଁ କହିଲି, ହଁ ବାବା , କହ । ' ପ୍ରଥା ଓ ପରଂପରାକୁ ମାନିବା ଅର୍ଥ କଣ ସ୍ବାଧୀନତାର ହତ୍ୟା ?'' " କଦାପି ନୁହେଁ, ମୁଁ ଉତ୍ତର ଦେଲି, ଆମ ସମୟରେ ମଧ୍ୟ ନାରୀ ନେତ୍ରୀ, ସମାଜସେବିକା, ରାଜନୀତି ପ୍ରବୀଣା ନାରୀ ମାନେ ଥିଲେ । କିଛି କଦର୍ଯ୍ୟ ପ୍ରକାରର ଆନନ୍ଦ ପ୍ରାପ୍ତି ନିମନ୍ତେ ସ୍ଵାଧୀନତାର ଦାବି କରୁଥିବା ବ୍ୟକ୍ତିମାନେ ନିଜେ ପ୍ରଥମେ ବଦଳି ଯାଇ ପରେ ଯୁଗ ବଦଳୁଛି ବୋଲି ଦୁଇଟି ଶବ୍ଦର ସାହାରାରେ ଗୁଡ଼ାଏ ଦୁଃଖକୁ ବରଣ କରନ୍ତି କେବଳ । ଅଳ୍ପ କିଛି ଅନ୍ଧବିଶ୍ଵାସପୂର୍ଣ୍ଣ ପ୍ରଥାକୁ ଛାଡ଼ି ଦେଲେ ପ୍ରଥା ଓ ପରଂପରାରୁ ସ୍ୱର୍ଗୀୟ ଆନନ୍ଦ ପ୍ରାପ୍ତିର ସମ୍ଭାବନା ଉପରେ ଏମାନଙ୍କର ଧାରଣା ନ ଥାଏ । ନନା ! ଝୁନିକୁ ବିବାହ କରିବାର ନିଷ୍ପତ୍ତି ମୁଁ ନେଇ ସାରିଛି । ଆପଣ ଆଶୀର୍ବାଦ ଦେବେ ? ହଁ ବାବା , ତାହା ହିଁ ହେବ ।ମୋ ଆଶୀର୍ବାଦ ସର୍ବଦା ତୋ ସାଙ୍ଗରେ ଅଛି । ଅହରହ ଅଗ୍ନିରେ ଦହନରତ ହୃଦୟରେ ମା ଜଗତ୍ଜନନୀଙ୍କ କୃପାର ବାରିସିଞ୍ଚନ ଅନୁଭୂତ ହେଲା । କଳା ମେଘ ଆଚ୍ଛାଦିତ ଭୟଙ୍କର ତୋଫାନରେ ଉତ୍ତାଳ ତରଙ୍ଗରାଶିପୂର୍ଣ୍ଣ ମହାସମୁଦ୍ରରେ ଦିଗହରା ଏକ ଧିବରର କୂଳର ସନ୍ଧାନ ପାଇଁ ଚେଷ୍ଟା ସଦୃଶ ମୋର ବିକଳ ପିତୃତ୍ୱ ଅଚାନକ କୂଳରେ ଲାଗିଗଲା । ମୋତେ ଆଶ୍ରମରେ ଛାଡି ପୁଅ ଘରକୁ ଫେରିଗଲା । ଜଣେ ଗୁରୁଭାଇ ଖବର ଦେଇଗଲେ କି ସନ୍ଧ୍ୟା ଆଳତୀ ପରେ ଗୁରୁଙ୍କୁ ସାକ୍ଷାତ କରିବାର ନିର୍ଦ୍ଦେଶ ଅଛି । ଯଥା ସମୟରେ ଗୁରୁଙ୍କର ବ୍ୟକ୍ତିଗତ ସାକ୍ଷାତ ପ୍ରକୋଷ୍ଠରେ ସନ୍ତର୍ପଣରେ ପାଦ ରଖିଲି । ' ଡ୍ରାଇଭର ହରିଆ ଠାରୁ ତୁମ ଗସ୍ତ ସଂପର୍କରେ ଜାଣିଲି ।ଗୁରୁଙ୍କର ହୃଦୟଜିଣା ମନୋମୁଗ୍ଧକର ସ୍ଵର ଭାସି ଆସିଲା, ବିବାହ ତିଥି ନିର୍ଘଣ୍ଟ ମୁଁ କରିବି, ଏବଂ ବିବାହ ଦିନ ତୁମେ ମୋ ସଙ୍ଗରେ ଯିବ । ଅନ୍ୟାନ୍ୟ ବ୍ୟବସ୍ଥା ମୁଁ କରୁଛି । କିନ୍ତୁ ସାବଧାନ, ସେହି ରାତ୍ରରେ ଆଶ୍ରମ ଫେରିବାକୁ ହେବ । କୃତଜ୍ଞତାର ଅଶ୍ରୁରେ ଗୁରୁଙ୍କ ପାଦ ଧୋଇ ଦେଉଥିଲି । ପୁଣି ସେହି ସ୍ଵର ଆଉ ଗୋଟିଏ ବାଜ୍ୟ କହି ନିରବ ହୋଇଗଲା , 'ତୁମେ ଏବେ ସନ୍ୟାସୀ , ଅଧିକ ଭାବପ୍ରବଣତା ତୁମ ପାଇଁ ଶୋଭନୀୟ ନୁହେଁ । ଯାଅ, ଏବେ ବିଶ୍ରାମ କର ।
ଲତା ! ଗୁରୁଙ୍କ ପାଖରୁ ଫେରି ଏ ଚିଠି ଲେଖୁଛି । ଲାଗୁଛି, ଏ ରାତିଟି ବିନିଦ୍ର କଟିବ । ଆଉ ଏକ ଖୁସି ଖବର, ତୁମେ ପଠାଇଥିବା ପ୍ରାର୍ଥନାଟି ପରବର୍ତ୍ତୀ ସଂଖ୍ୟାରେ ପ୍ରକାଶିତ ହେବ । ଏତିକିରେ ଶେଷ କରୁଛି । ଇତି । ସ୍ଵାମୀ ସତ୍ୟାନନ୍ଦ ।