Gargi Mishra

Abstract Drama Romance

4  

Gargi Mishra

Abstract Drama Romance

ବିଦେଶ ଭୂଇଁରେ ଦେଶୀ କାହାଣୀ

ବିଦେଶ ଭୂଇଁରେ ଦେଶୀ କାହାଣୀ

4 mins
11



ଚେକଇନ ସରିଥିଲା l ହାତରେ ଦେଢ଼ଘଣ୍ଟା ସମୟ l ଫ୍ରାଙ୍କଫୋର୍ଟ ଅନ୍ତର୍ଜାତୀକ ବିମାନ ବନ୍ଦରରୁ ନୂଆଦିଲ୍ଲୀ ଆସୁଥିବା ଏକ ଏୟାର ଲାଇନ୍ସର ଗେଟ ନମ୍ବର ଚବିଶରେ ସ୍ତ୍ରୀ ନନ୍ଦିନୀ ଆଉ ଦୁଇ ପିଲାଙ୍କୁ ବସାଇ ଏୟାରପୋର୍ଟ ଷ୍ଟୋର ଆଡ଼େ ଟିକେ ଟହଲ ମାରିବାକୁ ଗଲେ ଓଡ଼ିଆ ଭାଇ ଜାନକୀବଲ୍ହବ ମହାପାତ୍ର l


ଜର୍ମାନୀରେ ଐତିହାସିକ କୋଲନ କ୍ୟାଥେଡ୍ରାଲ, ବର୍ଲିନ-ୱାଲ ଆଉ ହେଡେଲବର୍ଗ କ୍ୟାସଲ ଇତ୍ୟାଦି ଦେଖି ଫେରୁଥିଲେ ସପରିବାର l ଯେ ଯାହାର ବୋର୍ଡିଙ୍ଗ ପାସ, ପିଲାଙ୍କ ପାଇଁ ହାଲକା ଜଳଖିଆ ଆଦି ଦେଇ ଦେଇ ଆସି ଥିବାରୁ ନିଶ୍ଚିନ୍ତ ଥିଲେ l


ଜର୍ମାନୀରୁ ଆସିବା ବେଳେ ବନ୍ଧୁ ପ୍ରିୟଜନଙ୍କ ନିମନ୍ତେ କିଛିସ୍ମାରକୀ ଆଣି ଆସିବାକୁ ପ୍ରଥମେ ଏକ ଷ୍ଟୋର ଭିତରେ ପ୍ରବେଶ କଲେ ଜାନକୀ l

ବିଭିନ୍ନ ଷ୍ଟୋରମାନଙ୍କରେ ଅନେକ ଖାଦ୍ୟ ସାମଗ୍ରୀ ସହ ଘଣ୍ଟା, ଚଷମା, ୱାଲେଟ ଓ ପରଫ୍ୟୁମ ଇତ୍ୟାଦି ରଖାଯାଇଥିଲା l ବହି-ସୌକିନ ହୋଇଥିବାରୁ ଗୋଟେ ବୁକଷ୍ଟଲ ପାଖରେ ଯାଇ ହାବୁଡ଼ିଲେ ବାବୁ l


'ଲୁମିନାରିଜ' ବୋଲି ଗୋଟିଏ କ୍ଷୁଦ୍ରଗଳ୍ପ ସଂକଳନ ଉପରେ ନଜର ପକାଇଲେ l ପଛରେ ଦେଖିଲେ ସାତ ୟୁରୋ ଅନେଶତ ସେଣ୍ଟସ l ସମୟ ସରୁନଥିଲା l କିଣିବା ପୂର୍ବରୁ ଗୋଟେ ଗଳ୍ପ ପଢି ବସିଲେ l


ଜୀବନ ଯାତ୍ରା

----------------


ତୋନୋଟି ସାଙ୍ଗ ଉଚ୍ଚ ଏଭରେଷ୍ଟ ଶୃଙ୍ଗ ଚଢିବାକୁ ଯାଇଥିଲେ l ଯାତ୍ରାରେ ବିଭିନ୍ନ ପ୍ରକାର କଷ୍ଟ l କେତେବେଳେ ଅଚାନକ ପାଗ ଖରାପ ତ କେତେବେଳେ ଅମ୍ଳଜାନ ଅଭାବ ହେତୁ ନିଶ୍ୱାସ ନେବାରେ କଷ୍ଟ...ଚଢ଼ୁ ଚଢ଼ୁ ଗୋଟିଏ ଜାଗାରେ ରହଣି ହେଲା l ନିଆଁ ଜାଳି କଫି ବନାଇ ପିଉ ପିଉ ଜଣେ ବାବାଙ୍କୁ ନିକଟରେ ଏକ ଗୁମ୍ଫାରେ ତପସ୍ୟାରତ ଥିବାର ଦେଖିଲେ l


ଆଶ୍ଚର୍ଯ୍ୟର କଥା ଏତେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସେ ହସୁଥିଲେ l

ତିନିଜଣ ତାଙ୍କ ନିକଟକୁ ଯାଇ ହସିବାର କାରଣ ପଚାରିଲେ l


ବାବା କହିଲେ, ପ୍ରଥମେ ମୋ ପ୍ରଶ୍ନର ଉତ୍ତର ଦିଅ l ସମସ୍ତଙ୍କ ଜୀବନରେ ସୁଖ ଦୁଃଖ ଅଛି l ତୁମ ତିନି ଜଣଙ୍କୁ ଜୀବନ ସାରାର ଦୁଃଖ ଆଉ ସୁଖ ଯଦି ପକେଟରେ ରଖି ଯାତ୍ରା କରିବାକୁ ଦିଆଯାଏ ତେବେ କେଉଁଟା ତୁମେ ଆଗ ପକେଟରେ ରଖିବ ଆଉ କେଉଁଟା ପଛରେ? 


ତେବେ ପ୍ରଥମ ସାଙ୍ଗଟି କହିଲା,


ମହାତ୍ମା, ମୁଁ ଆଗ ପକେଟରେ ଦୁଃଖ ରଖିବି ଆଉ ପଛରେ ସୁଖ l କାରଣ ଜୀବନ ସାରା ଝମିଲା ଆଉ ପାଦେ ପାଦେ ଦୁଃଖ l ତେଣୁ ମୋତେ ଦୁଃଖ ସାଉଁଟିବାର ଅଛି ଯେହେତୁ ଆଗ ପକେଟରେ ରଖିବାକୁ ସହଜ ହେବ l 


ଦ୍ଵିତୀୟ ସାଙ୍ଗ କହିଲା,


ମହାଭାଗ, ମୁଁ ଆଗରେ ସୁଖ ରଖିବି, ସେଥିରୁ ମୋତେ ପ୍ରେରଣା ମିଳିବ, ପଛ ପକେଟରେ ଦୁଃଖ ଯାକ ଗୁଞ୍ଜିବି ଯେମିତି ସେସବୁର ପ୍ରଭାବ ମୋ ଉପରେ ନ ପଡ଼ୁ l 


ତୃତୀୟ ସାଙ୍ଗ କହିଲା,


ହେ ପୁଣ୍ୟାତ୍ମା, ମୁଁ ଆଗ ପକେଟରେ ସୁଖକୁ ରଖିବି l ମୋ ପଛ ପକେଟରେ ଦୁଃଖ ରଖିବା ସହ ସେଥିରେ ଗୋଟେ କଣା କରିଦେବି l ବାଟରେ ଯେତେ ଦୁଃଖ ଆସିବ ଆସୁ l ସବୁ ଦୁଃଖତକ ଧୀରେ ଧୀରେ ସେ କଣାବାଟେ ବାହାରି ଯିବ l ମୋ ବୋଝ ହାଲକା ହୋଇଯିବ l ଛାତି -ପକେଟରେ ରହିଯିବ କେବଳ ସୁଖ l ଅଦରକାରୀ ଓଜନ ଧରିରଖି ଲାଭ କଣ?


ଏସବୁ ଶୁଣି ସାଧୁଜଣକ କହିଲେ, ପ୍ରଥମ ବ୍ୟକ୍ତିଟି ଜୀବନରେ ବହୁ କଠିନ ପରିସ୍ଥିତିର ସାମ୍ନା କରି କରି ଥକି ଯାଇଛି l ସେଥିପାଇଁ ସେ ବାକି ରାସ୍ତାବି ଦୁଃଖକଷ୍ଟ ବୋଲି ମାନି ନେଇଛି l ଯେହେତୁ ସେ ନକାରାତ୍ମକ ଶକ୍ତିର ବଶୀଭୂତ ତା' ପାଇଁ ସବୁବେଳେ ରାସ୍ତା ଦୁର୍ଗମ ରହିବ l ଶିଖରରେ ପହଂଚି ମଧ୍ୟ୍ୟ ସେ ଖୁସି ହୋଇ ପାରିବନାହିଁ l


ଦ୍ଵିତୀୟ ବ୍ୟକ୍ତି ଜାଣିଛି ଦୁଃଖ ଓ ସୁଖ ଜୀବନସହ ଅଙ୍ଗାଙ୍ଗୀ ଭାବେ ଜଡିତ l ତଥାପି ନିରାଶ ହୋଇନି l ଆଗକୁ ନିଶ୍ଚିତ ପଥ ସୁଗମ ଏ ଅଭିଳାଷାରେ ଅଛି l ଏହା ସକାରାତ୍ମକ ଚିନ୍ତାର ଲକ୍ଷଣ l


କିନ୍ତୁ ଯେଉଁ ବ୍ୟକ୍ତି କହୁଛି ସେ ସୁଖ ସବୁବେଳେ ଆଗରେ ରଖି ଦୁଃଖ ପଛରେ ରଖିବ ଏବଂ ତାକୁ ନିଷ୍କାସନ କରି ଭୁଲିଯିବା ପାଇଁ ଚିନ୍ତା କରିବ ସେ ପ୍ରକୃତରେ ଏ ଆରୋହଣର ଆନନ୍ଦ ନେଉଛି l କେବଳ ଆରୋହଣ ହିଁ ନୁହେଁ ସେ ଜୀବନ ଯାତ୍ରାର ସୁଖ ମଧ୍ୟ ଉଠାଇ ଚାଲିଛି l


ସେମିତି ଜୀବନରେ ହିଂସା, ଦ୍ୱେଷ, ରାଗ, ପ୍ରତିଶୋଧ, ଇର୍ଷା, ଦୁଃଖ ଇତ୍ୟାଦି ସବୁଠୁ ବଡ ବୋଝ l ଏଥିରୁ ନିବୃତ ହେବାପାଇଁ ତ୍ୟାଗ,ପ୍ରେମ,ଦୟା ସମର୍ପଣ, କ୍ଷମା ଇତ୍ୟାଦି ମନରେ ରଖିବା ଉଚିତ l ଏସବୁ ସରଳ ସୁନ୍ଦର ଅନୁଭୂତିହିଁ ଜୀବନର ଜଟିଳ ଠୁଁ ଜଟିଳ ଯାତ୍ରାକୁ ମଧ୍ୟ୍ୟ ବୋଝହୀନ ତଥା ଅମୋଦିତ କରନ୍ତି l


ପଢିଲା ଭିତରେ କିଛି ଆନାଉନ୍ସମେଣ୍ଟକୁ ଅଣଶୁଣା କରି ଆଉ କିଛି ଏପରି ସାରଗର୍ଭକ କାହାଣୀ ଜାଣିବାକୁ ଉଦ୍ୟତ ହେଲେ ଜାନକୀ l ଦାମ୍ପତ୍ୟ ଜୀବନରେ ଛୋଟ ଛୋଟ କଥାକୁ ନେଇ ସେ ଧରିରଖି ମନରେ ଏଭରେଷ୍ଟ ପରି ଶୃଙ୍ଗ କରି ପିଠିରେ ବୋହିଚାଲିଛନ୍ତି l


କିଛି ସମୟ ପରେ ହଠାତ ହୃଦୟଙ୍ଗମ କଲେ ଆରେ ସେ ବୋର୍ଡିଙ୍ଗ ପାଇଁ ଡେରି କରିଦେଇଥିବାରୁ ତାଙ୍କୁହିଁ ଏୟାରଲାଇନ୍ସ ଵାଲା ଡାକୁଛନ୍ତି l ଭାବୁଥିଲେ ତାଙ୍କ ବୋଉ କେଡ଼େ ସଅକରେ ନାଁ ରଖିଲେ, ହେଲେ ଜର୍ମାନୀ ଲୋକଙ୍କ ପାଟିରେ ମିଷ୍ଟର ଜାନକୀବଲ୍ହବ ନାଁ ଟି କେଡ଼େ କନ୍ଦର୍ପ ସୁନ୍ଦର ଶୁଭୁଥାଏ, ଯାହା ହେଉ ଅପଭ୍ରଂଶ ନାଁ ଟିକୁ ଶୁଣିବା ଆଗରୁ ବୋଉ ଆର ପାରିରେ l


ସେପଟେ ନନ୍ଦିନୀଙ୍କ ଅବସ୍ଥା କହିଲେ ନ ସରେ l ଏକ ତ ଭାରତରୁ ଏତେଦୂର ଫ୍ଲାଇଟରେ ଏକୁଟିଆ, ଦୁଇରେ ଜର୍ମାନୀ ଭାଷା ନ ଜାଣିଥିବାରୁ ସ୍ୱାମୀଙ୍କ ଅନୁପସ୍ଥିତି ଖୁବ ବ୍ୟସ୍ତ କରୁଥାଏ ନନ୍ଦିନୀଙ୍କୁ l ମନେ ମନେ ମା' ମଙ୍ଗଳାଙ୍କୁ ଚୈତ୍ରମାସ ଭରି ପଣା ଯାଚି ସ୍ୱାମୀଙ୍କୁ ଦର୍ଶନ କରିବାକୁ ବ୍ୟଗ୍ର ହେଉଥାନ୍ତି ସେ l ଆଉ କେବେବି ଝଗଡା ଝାଟି ନ କରିବାକୁ ଭାବୁଥାନ୍ତି ମଧ୍ୟ l ଛାନିଆ ପଶି ଯାଇଥାଏ କାଳେ ଫ୍ଲାଇଟ ଛାଡିଦେବ ବୋଲି l 


ଶେଷରେ ସ୍ୱାମୀଙ୍କୁ ଫ୍ଲାଇଟରେ ଦେଖି ଆଶ୍ୱସ୍ତ ହେଲେ l ଆଖି ଜକେଇ ଆସିଲା ମ୍ୟାଡ଼ାମଙ୍କର l ତାଙ୍କ ପାଇଁ ଗିଫ୍ଟ କିଣିବାକୁ ବିଳମ୍ବ ହେଲା କହି 'ଲୁମିନାରିଜ' ବହିର ଗପଟି ପଢିବାକୁ ବଢ଼େଇ ଦେଲେ ପତ୍ନୀଙ୍କୁ ଜାନକୀ ବାବୁ l


ନନ୍ଦିନୀ ପଢିସାରି କହିଲେ,


 "ମୋ ପାଇଁ ସବୁ ପ୍ରବଚନ? ହଁ, ମୁଁ ହିଁ ତ ସବୁବେଳେ ନକାରାତ୍ମକ ଚିନ୍ତା ରଖୁଛିନା ତୁମ ଘରେ l ଆଉ କାହାକୁ ବାହା ହେଇଯାଉନା, ମୁଁ କେବେବି ତୁମ ରାସ୍ତାରେ କଣ୍ଟା ହେବିନି, ମୁଁ ଗଲେ ଯାଇ ଭଲରେ ରହିବ l "


"ହେ ପ୍ରଭୁ" କହି ମୁଣ୍ଡରେ ହାତ ରଖି ଜାନକୀ ବାବୁ କପାଳକୁ ନିନ୍ଦୁଥିଲେ l 


ଫ୍ଲାଇଟ ଟେକ ଅଫ ନ କରୁଣୁ ଆରମ୍ଭ ହୋଇଯାଇଥିଲା କିଛି କଥା କଟାକଟି, କିଛି ରୁଷିବା କିଛି ମନାଇବା l 


ଓଡ଼ିଆ ଦମ୍ପତିଙ୍କ ପ୍ରିୟା-ପ୍ରୀତି ବିଦେଶୀ ମାନଙ୍କ ମୁଣ୍ଡରେ ହୁଏତ ପଶୁନଥିଲା କିଛି!! କଣ ଚାଲିଛି ବୋଲି ସମସ୍ତେ ଆଵାକାବା ହୋଇ ଦେଖୁଥିଲେ ଯାହା l


Rate this content
Log in

Similar oriya story from Abstract