Parameswar Ojha

Inspirational Others

3  

Parameswar Ojha

Inspirational Others

ବିଚରା କମ୍ଭୁଆ ଆଉ ଦୋକା

ବିଚରା କମ୍ଭୁଆ ଆଉ ଦୋକା

2 mins
131


ପ୍ରତିଦିନ ସକାଳୁ ମୁଁ ନଈ କୁ‌ ଗାଧୋଇ ଯାଏ । ପ୍ରାୟ ସବୁ ଦିନ ନଈ ରେ ଏବେ ଭସା ଜାଲ ଖଟାନ୍ତି ଗାଁ ର ଧିବର ମାନେ । ରାତି ରେ ଖଟାନ୍ତି ଭୋରୁ ଭୋରୁ ଉଠାନ୍ତି  କିନ୍ତୁ ବାରରେ ଅବାରରେ ନୁହେଁ । ମାନେ ସଂକ୍ରାନ୍ତି ଦିନ ମାନଙ୍କରେ ଅଥବା ଗୁରୁବାର ସୋମବାର ମଙ୍ଗଳବାର ଏମିତି ଦିନ ରେ  , ନହେଲେ ମାଛ ଏତେଟା ବିକ୍ରି ହେବନି ନାଁ ସେଥିପାଇଁ ।

ସକାଳୁ ଲୋକମାନେ ପଲିଥିନ ଗୋଟେ ଗୋଟେ ଧରି ଆସନ୍ତି ନଈ ପଠା କୁ । ଚାଆଁରା , ଖାସୁଲି , ଖଁଅଙ୍ଗା , ପୋଟେଇ , ଜହ୍ଲା , ଭୋଦେଇ , ପାତଳି , କଣ୍ଟିଆ , କୋକଲି , ଜଳଙ୍ଗ ଏମିତି ଅନେକ କିସମ ର ମାଛ ଜାଲରେ ପଡେ , ଲୋକମାନେ ପଇସା ଦେଇ  ନିଜ ପସନ୍ଦ ମୁତାବକ ମାଛ ବାଛି ନେଇ ଯାନ୍ତି । ମୁଁ ବି କେତେବେଳେ କେମିତି ଆଣେ । କିନ୍ତୁ ଗୋଟେ ଜିନିଷ ମୋତେ ଭିତରୁ ଚହଲାଇ ଦିଏ । ଗୋଟିଏ ଦୁଇଟି ମାଛ ପ୍ରଜାତି ଅଛନ୍ତି ଯାହାକୁ କେହି ଖାଆନ୍ତିନି । ଗୋଟେ ହେଲା କମ୍ଭୁଆ ଆଉ ଗୋଟେ ହେଲା ଦୋକା ( ବେଙ୍ଗ ଫୁଲା ) । ଯାହାକି ଜାଲରେ ବିଶେଷ କମ୍ ଆସେ । ମାଛ ଜାଲରୁ କାଢ଼ିଲା ବେଳେ ସେ ଦୁଇ ମାଛ ଯେତେବେଳେ ସନା ଧିବର ହାତକୁ ଆସେ ସେ ତାକୁ ଗୋଟେ ବିରକ୍ତିକର ଜିନିଷ ଭାବି  ଖୁଉବ୍  ଦୂରକୁ ଫୋପାଡ଼ି ଦିଏ । ସେମାନେ ଶୁଖିଲା ରେ ପଡି ଛଟ ପଟ ହୁଅନ୍ତି ଢେର୍ ସମୟ ତାପରେ ତାଙ୍କ ଗାଲିକୁ ସଂକୁଚିତ ପ୍ରସାରିତ କରୁଥାନ୍ତି ଟିକେ ଅମ୍ଳଜାନ ପାଇବା ପାଇଁ ।  ମୁଁ ତାଙ୍କ ବିକଳତା କୁ ଅନୁଭବ କରେ , ମୋ ଭାଗର ନିଃଶ୍ୱାସ ପ୍ରଶ୍ୱାସ ସେତେବେଳେ ଯେମିତି ମୋ ପାଇଁ ସରି ସରି ଆସେ । ଆଃ ବିଚରା କେତେ କଷ୍ଟ ପାଉନଥିବେ ସତେ ? ମୋତେ କାହିଁକି କେଜାଣି ସେ କଷ୍ଟ ଅନୁଭବ ହୁଏ ମୁଁ ଜାଣେନି । 

ଅନେକ ଯାଆନ୍ତି ଅନେକ ଆସନ୍ତି କିନ୍ତୁ କେହି ବି ଦୃଷ୍ଟି ଦିଅନ୍ତିନି ସେୟାଡେ ତାଙ୍କ ଉପରେ କିଛି ବି ପ୍ରଭାବ ପକାଏନି । ସେମାନଙ୍କ ପାଇଁ ହୁଏତ ସଂପୂର୍ଣ୍ଣ ମୂଲ୍ୟହୀନ ଅଦରକାରୀ ବିଷୟବସ୍ତୁ ଏସବୁ ।  ମୁଁ କିନ୍ତୁ ନିଜକୁ ରୋକି ପାରେନି ମୋ ମନ କହେ ତାଙ୍କୁ ନେଇ ପାଣି ରେ ଛାଡି ଦେବାକୁ । ଦୋକା ମାଛ କୁ ହାତରେ ଧରି ନଈ କୁ ଫୋପାଡି ଦିଏ। ଆଉ କମ୍ଭୁଆ ମାଛ ଦେହରେ ଯେହେତୁ କଣ୍ଟା ଥାଏ ସେ କଣ୍ଟା ବାଜିବାର ଭୟ ଥାଏ ତେଣୁ ତାକୁ ବାଡିରେ ହେଉ କି ପଡ଼ିଥିବା କୈାଣସି ପୁରୁଣା ବୋତଲ ସାହାଯ୍ୟ ରେ ହେଉ ଉଠେଇକି ନଈ ପାଣିକୁ ଫୋପାଡି ଦିଏ । କିନ୍ତୁ ସାଙ୍ଗେ ସାଙ୍ଗେ ଚାଲି ଆସେନି । ଗୋଟିଏ ଜୀବ କୁ ମୃତ୍ୟୁ ର ଦୂଆର ମୁହଁ ରୁ ଫେରାଇ ଆଣି ନୂଆ ଜୀବନ ଟେ ଦେଇଥିବା ର ଖୁସି ନିହାତି ଦୂର୍ଲଭ ମୋ ପାଇଁ । ତେଣୁ ସେ ଖୁସିକୁ ଉପଭୋଗ କରିବା ପୂର୍ବରୁ କେବେବି ମୁହଁ ବୁଲେଇ ପାରେନି ମୁଁ । ସେ ମାଛ କୁ ପାଣି ରେ ଛାଡିବା ପରେ କିଛି କ୍ଷଣ ସେମାନେ ସ୍ଥିର ହୋଇ ରୁହନ୍ତି । ହୁଏତ ପ୍ରଥମେ ବିଶ୍ବାସ କରି ପାରନ୍ତିନି ସେମାନେ ତାଙ୍କ ଜୀବନ ଫେରି ପାଇଛନ୍ତି ବୋଲି । । ତାପରେ ନିଜେ ନିଶ୍ଚିତ ହେଲା ପରେ ନିଜ ଦେହ ପଖି ଲାଞ୍ଜ ଦୋହଲାଇ ଚହଲାଇ ଗଭୀର ଜଳ ଭିତରକୁ ଚାଲି ଯାଆନ୍ତି ସେମାନେ ଆତୁର ଅଧିର ହୋଇକି ।  

ଜଣକୁ ଜୀବନ ଦେବା ଖୁସି ଠାରୁ ଆଉ ବଡ ଖୁସି କଣ ବା ଥାଇ ପାରେ ଯେ ? ସତରେ ନିଜକୁ ଈଶ୍ୱର ଈଶ୍ୱର ଅନୁଭବ ହୁଏ କିଛି କ୍ଷଣ ପାଇଁ । ମୁଁ ଏକଥା ବି ଜାଣେ ସେଇ କମ୍ଭୁଆ କି ଦୋକା ଆଜି ନହେଲେ କାଲି କାହାର ନାଁ କାହା ଜାଲରେ ପଡିବେ ପୁଣି ସେ ବାହାରେ ଫୋପଡା ହେବେ । ହୁଏତ ସେମାନେ ଖରାରେ ପଡ଼ି ପଡ଼ି ପାଣି ପାଇଁ ଛଟ ପଟ ହୋଇ ଟିକେ ନିଃଶ୍ବାସ ପ୍ରଃଶ୍ବାସ ପାଇଁ ଡହଳ ବିକଳ ହୋଇ ମରି ଯାଇ ପାରନ୍ତି । ନହେଲେ କିଛି ପିଲା ତାଙ୍କ ସହ କୋଉ ଯନ୍ତ୍ରଣା ର ଖେଳ ଟେ ଖେଳି ପାରନ୍ତି ତାଙ୍କୁ କ୍ଷତାକ୍ତ କରି ଲହୁ ଲୁହାଣ କରି । ଆଃ ବିଚରା କମ୍ଭୁଆ ଆଉ ଦୋକା ।


Rate this content
Log in

Similar oriya story from Inspirational