ବିଭାଘର
ବିଭାଘର
ମୋ ପରିବାର ସହିତ ମୋ ଭାଣିଜୀ ବାହାଘରକୁ ବିବାହର ମଙ୍ଗଳକୃତ୍ୟ ଦିନ ସକାଳୁ ଯାଇ ତାଙ୍କ ଘରେ ପହଞ୍ଚିଲୁ। ତାଙ୍କ ବାପା ମାଆ ଆମକୁ ଦେଖି ଖୁସି ହେଲେ। ସେତେବେଳେକୁ ସକାଳୁ ଯାଇ ତାଙ୍କ ଘରସାରା କୁଣିଆ ଆସି ରହିଥା'ନ୍ତି। ବାହାରେ ବେଦି ସାଜ ସଜା ଚାଲିଥାଏ। ତୋରଣ ହେଉଥାଏ। ଆମେ ସମସ୍ତେ ଜଳଖିଆ ଖାଇ କାମରେ ଲାଗିଗଲୁ। ବେଦି ସଜ୍ଜା ଦାୟିତ୍ୱ ନେଲୁ ଆମେ। ରେକର୍ଡ ଗୀତ ବାଜୁଥାଏ। ସମସ୍ତେ ଭଲ ପୋଷାକ ପିନ୍ଧିଥା'ନ୍ତି। ସଂଧ୍ୟାରେ ଗୋଟାଏ ବଡ ଭୋଜି ହେଲା। ଯଥା - ମଟନ, ଚିକେନ୍, ମାଛ, ଅଣ୍ଡା, ପନିର, ଭେଜ କରି, ରାଇସ୍ ଇତ୍ୟାଦି....।
ଯେ ଯାହା ଖାଇ ପାରିବ ସମସ୍ତେ ଇଚ୍ଛା ମୁତାବକ ଖାଇଲେ। ତା' ସହିତ ଗୁପଚୁପ, ଆଇସକ୍ରୀମ, କ୍ଷୀରି ଓ ଦହିବରା ମଧ୍ୟ ହୋଇଥିଲା। ଘର ଲୋକ ଓ ଅତିଥିମାନେ ଆନନ୍ଦରେ ଖାଦ୍ୟ ଖାଇଲେ। କିଛି ଲୋକ ମଧ୍ୟ ନଖାଇ ଗୁଡାଏ ଖାଦ୍ୟକୁ ଫୋପାଡି ଦେଉଥା'ନ୍ତି। ଏହା ଦେଖି ମୁଁ ବହୁତ ଦୁଃଖ ଅନୁଭବ କରିଥିଲି। କିନ୍ତୁ ସମସ୍ତଙ୍କର ଆନନ୍ଦ, ଉତ୍ସାହ ଦେଖି ମୁଁ କୌଣସି ମନ୍ତବ୍ଯ ପରିପ୍ରକାଶ କରିପାରି ନଥିଲି। ସେଇ ପରିପ୍ରେକ୍ଷୀରେ ଶିବାଙ୍କୁ ବେଶ କରାହେଲା। ସେ ବରଧରା ହୋଇଗଲେ। ବାହାଘର ଦିନ ସକାଳୁ ସମସ୍ତେ ତତ୍ପର ଥିଲେ।
ବର ଆସିବ, ବାଜା ବାଜିବ, ଆମ ମନରେ କେତେ ଆଗ୍ରହ, କେତେ ଉତ୍ସାହ, ଉଦ୍ଦୀପନା ଭରି ରହିଥିଲା। ଭାଣିଜୀଙ୍କ ସାଙ୍ଗମାନେ ତାଙ୍କୁ ଘେରି ବସିଥାନ୍ତି। ଏଇ ଅବସରରେ ତାଙ୍କୁ ଗାଧୋଇ କନ୍ୟା ବେଶ କରାହୋଇଥିଲା। ରାତି ୯ ଟା ସରିକି ତାଙ୍କ ଗାଁ ପାଖ ବଜାରରେ ଆସି ବର ପହଞ୍ଚିଲା। ବାଣ ଫୁଟାଇ ରୋଷଣି କରି ବର ଆସିଲା; ଆଡମ୍ବର ପୂର୍ଣ୍ଣ ଶୋଭାଯାତ୍ରା, ବରଘର ଲୋକମାନେ ଆଭିଜାତ୍ୟ ପୋଷାକ ପରିଚ୍ଛଦ ପରିଧାନ କରିଥା'ନ୍ତି। ବର ପକ୍ଷରୁ ଆସିଥିବା ଦଳେ ପିଲା ବାଜା ବାଲା ଓ ଡିଜେ ସାଉଣ୍ଡର ଗୀତ ସ୍ୱରରେ ନାଚୁଥିଲେ। କ୍ରମେ ବର ଓ ବରଯାତ୍ରୀ ଆସିଲେ। ବରକୁ ବାଟବରଣ କରାଯାଇ ବେଦିକୁ ନିଆଗଲା। ବରଯାତ୍ରୀମାନଙ୍କୁ ଆମେ ମିଶି ଚର୍ଚ୍ଚା କଲୁ। ଚା, ସରବତ ଦେଲୁ, ଫୁଲମାଳ ଓ ଚନ୍ଦନ ମଧ୍ୟ ଦେଲୁ। ଏହାପରେ ସେମାନଙ୍କୁ ଡାକି ଖାଇବାକୁ ଦେଲୁ।
ବେଦିରେ ବରକନ୍ୟା ବସିଲେ, ପୁରୋହିତ ମନ୍ତ୍ର ଗାନ କଲେ, ମଙ୍ଗଳ ମହୁରୀ ବାଜିଲା, ଶୁଭ ଶଙ୍ଖଧ୍ୱନି ଶୁଣାଗଲା, ବୈଦିକ ରୀତିରେ ବିବାହ କାର୍ଯ୍ୟ ଶେଷ ହେଲା। ଭାଣିଜୀଙ୍କ ବରଟା ଭାରି ସୁନ୍ଦର, ହସ ହସ ମୁହଁ। ବରକନ୍ଯାଙ୍କର ହାତଗଣ୍ଠି ପଡିଲା ସେମାନେ ଅଗ୍ନି ପ୍ରଦକ୍ଷିଣ କଲେ। ସଧବା ସ୍ତ୍ରୀ ଲୋକେ ତାଙ୍କୁ ବନ୍ଦାପନା କଲେ, କେତେ ଲୋକ କେତେ ପ୍ରକାରର ଉପହାର ଆଣି ପ୍ରଦାନ କଲେ। ସାଇ ପଡିଶାର ଲୋକେ ଭୋଜି ମଉଜରେ ମାତି ରହିଥା'ନ୍ତି। ସଂଧ୍ୟା ସୁଦ୍ଧା ଏ କାମ ସବୁ ଶେଷ ହେଲା। ଏଣିକି ଆରମ୍ଭ ହେଲା ଏକ ଦୁଃଖପୂର୍ଣ୍ଣ ଅବସ୍ଥା। ବରକନ୍ଯା ନୂଆବେଶ ହେଲେ, ଖିଆପିଆ ଶେଷ କଲେ। ଭାଣିଜୀ ତାଙ୍କ ବୋଉଙ୍କୁ ଧରି କାନ୍ଦିବାକୁ ଆରମ୍ଭ କଲେ। ମାଉସୀ ମଧ୍ୟ ମଥା କୋଡି କାନ୍ଦୁଥା'ନ୍ତି। ସାଇପଡିଶା ବନ୍ଧୁ ବାନ୍ଧବ ସବୁରି ଆଖିରେ ଲୁହ ଜକେଇଗଲା। ସତରେ ଝିଅବିଦା କାଳର ଦୃଶ୍ୟ ଏତେ କରୁଣ ମୁଁ କେବେହେଲେ ଆଗରୁ ଅନୁଭବ କରିନଥିଲି। ସୁସଜ୍ଜିତ କାରରେ ବରକନ୍ଯାଙ୍କୁ ବସାଇ ବିଦାୟ ଦିଆଗଲା। ବିବାହକାଳୀନ ଆନନ୍ଦର ଜୁଆର କ୍ଷଣିକରେ ଭଟ୍ଟା ପଡିଗଲା। ଅନ୍ୟ ଏକ ଟ୍ରକ୍ ରେ ଭାଣିଜୀଙ୍କ ଶାଶୁଘରକୁ ଖଟ, ଆଲମୀରା, ଚୌକି, କଦଳୀକଛ, ନଡିଆଗଛ, ଭାରସଂଭାର ପ୍ରଭୃତି ଅନେକ ଜିନିଷ ଲଦା ହୋଇ ପଠାଗଲା। ଆମ ସମାଜର ଏଇ ପ୍ରଥାପ୍ରତି ମୋର ଆଦୌ ପସନ୍ଦ ନାହିଁ। ସେଇ ରାତିଟା କୌଣସି ପ୍ରକାରେ ସେଠାରେ କଟାଇ ପରଦିନ ମୁଁ ଘରକୁ ଆସିଲି।
ଏ କଥା ମୁଁ ଆସି ବାପା ମାଆଙ୍କୁ କହିଥିଲି। ବାପା ଏବେ ତାଙ୍କ ପୂର୍ବ ବିଭାଘର ବିବରଣୀ ମୋତେ ପ୍ରକାଶ କରିଥିଲେ। ମୋ ଅପା ବାହାଘର କଥା। ସେତେବେଳେ ଏଭଳି ଆଡମ୍ବର ପୂର୍ଣ୍ଣ ବିଭାଘର ନଥିଲା। ଅତି ସ୍ୱଳ୍ପ ଖର୍ଚ୍ଚରେ ବିବାହ ଟିଏ ହୋଇ ଯାଉଥିଲା। ଯୌତୁକର ମୂଲ୍ୟ ବି ଅଧିକ ନଥିଲା। ଶଗଡ ଗାଡିରେ ବରଯାତ୍ରୀ ମାନେ ଆସୁଥିଲେ। ଯେତେବେଳେ ବରଯାତ୍ରୀ ମାନେ ପହଞ୍ଚିଥିଲେ ସେତେବେଳକୁ ଆମ୍ଭର ଭୋଜିର ରୋଷେଇ କାର୍ଯ୍ୟ ଆରମ୍ଭ ହୋଇ ନଥିଲା। ସେମାନଙ୍କୁ ଆମେ ଭଲଭାବରେ ଚର୍ଚ୍ଚା ମଧ୍ୟ କରିପାରିନଥିଲୁ। ସେତେବେଳେର ବରଯାତ୍ରୀ ଲୋକମାନେ ଆଭିଜାତ୍ୟ ପୋଷାକ ପିନ୍ଧି ନଥିଲେ। କିନ୍ତୁ ତାଙ୍କ ହୃଦୟ ତଳେ ଗୋଟିଏ ମଣିଷ ପଣିଆ ଲୁଚି ରହିଥିଲା। ଆମର ଅବ୍ୟବସ୍ଥା ଦେଖି ସେ ଭାରି ଦୁଃଖ ପ୍ରକାଶ କରିଥିଲେ। ଜ୍ୱାଇଁ ପୁଅର ବାପା ଏହା ଦେଖି ମୋତେ କହିଲେ ବ୍ୟସ୍ତ ହୁଅ ନାହିଁ। ଆମେ ଆସି ଗଲୁଣି ଏବେ ଉଭୟ ଦଳର ଲୋକ ମିଶି ରୋଷେଇ କାର୍ଯ୍ୟରେ ଲାଗି ଯିବା। ଅତି ଶୀଘ୍ର ପ୍ରସ୍ତୁତ ହୋଇଯିବ। ସେଇଆ ମଧ୍ୟ ହେଲା। ତାଙ୍କର ସାହାଯ୍ୟ ସହଯୋଗ ଓ ଆମ ପାର୍ଶ୍ଵର ଲୋକଙ୍କ ପରିଶ୍ରମରେ ଖାଦ୍ୟ ପ୍ରସ୍ତୁତ ହୋଇଗଲା ଏବଂ ବିଳମ୍ବରେ ଭୋଜି କାର୍ଯ୍ୟ ଆରମ୍ଭ ହେଲା। ସମସ୍ତେ ଶାନ୍ତି ଶୃଙ୍ଖଳାରେ ଖାଇ ଥିଲେ। ତାଙ୍କ ଆଗରେ ଆମ ମୁଣ୍ଡ ନଇଁ ଯାଇଥିଲା।
ସତରେ ସେତେବେଳର ଲୋକଙ୍କ ଚିନ୍ତାଧାରା ଉନ୍ନତ ଥିଲା। ନିଜ ବନ୍ଧୁର ଇଜ୍ଜତ ପାଇଁ ବନ୍ଧୁ ସହ ବନ୍ଧୁ ଏକତ୍ର ହୋଇ ଭୋଜି ପ୍ରସ୍ତୁତ କରିବା ଏକ ପରିପକ୍ୱ ଚିନ୍ତାଧାରା ଯାହା ଏ ସମାଜ ପାଇଁ ପ୍ରେରଣା ଦାୟୀ।
