STORYMIRROR

Pravanjan Dash

Abstract

3  

Pravanjan Dash

Abstract

ଭୋକ

ଭୋକ

2 mins
278

ସେଦିନ ଥିଲା ବିଶ୍ୱ ନାରୀ ସୁରକ୍ଷା ଦିବସ । ଦଳୀୟ ପାର୍ଟି ଅଫିସ୍ ରେ ମହିଳା ସଶକ୍ତି କରଣ, ସ୍ୱୟଂ ସହାୟକ ଗୋଷ୍ଠୀର ବିକାଶ ଏବଂ ନାରୀ ପ୍ରଗତିକରଣକୁ ନେଇ ଆଧାରିତ ଏକ ସମାଗମ ପର୍ବ ବଡ଼ ଧୁମ୍ଧାମ୍ ରେ ଆଗେଇ ଚାଲିଥାଏ । ବହୁ ବଡ଼ବଡ଼ ରାଜନେତା, ଅଭିନେତା ଏବଂ ନେତ୍ରୀ ମାନଙ୍କ ସମାଗମରେ ପାର୍ଟି ଅଫିସ୍ ଅଧିକ କୋଳାହଳ ସହିତ ଲୋକାରଣ୍ୟ ଲାଗୁଥାଏ । ଅବଶ୍ୟ ଏଥିରେ ସାଧାରଣ କୁଜିନେତାମାନଙ୍କ ସଂଖ୍ୟା ମଧ୍ୟ କିଛି କମ୍ ନଥିଲା । ସମସ୍ତେ ଆକର୍ଷଣୀୟ ପୋଷାକ ସହିତ ହାତରେ ଦଳୀୟ ପତାକା ଧରି ପାର୍ଟିର ଜୟ ଗାନ କରୁଥାନ୍ତି । ନେତାମାନଙ୍କର ଲମ୍ବା ଭାଷଣ ସହିତ ସେମାନଙ୍କର ପ୍ରତିକ୍ରିୟା ନେବାପାଇଁ ସମୂହ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଗହଳି ଜନ ସାଧାରଣଙ୍କ ମନର ଉତ୍ସାହକୁ ବହୁ ଗୁଣିତ କରିଦେଉଥାଏ । ତେବେ “ଭାଷଣ ଯେଉଁଠି ଭୋଜନ ବି ସେଇଠି” ଏ କଥା ଆମ ପ୍ରାୟ ସମସ୍ତଙ୍କୁ ବେଶ୍ ଭଲ ଭାବରେ ଜଣାଅଛି ।

ସାମହିକ ଟିଫିନ୍ ବିରତି ସମୟରେ ଦୂରରୁ ଖାଦ୍ୟ ପୁଡିଆର ବାସ୍ନା ବାରି ସେହି ଭିଡ଼ ଭିତରୁ ଜଣେ ନିରୀହ ଅସହାୟ ବିଧବା ମାଆ କାଖରେ ଛଅ ସାତ ମାସର ଋଗଣ୍ ଛୁଆକୁ ଧରି ଖାଦ୍ୟ ପରିସର ମଧ୍ୟକୁ ଖୁବ୍ ଜୋରରେ ଧାଇଁ ଆସିଲା ହେଲେ ଏପରି ଭେକ ନଥିବା ପାଗେଳି ସଦୃଶ ମହିଳାଙ୍କ ପେଟର ଭୋକକୁ ବୁଝିବ ବା କିଏ? ମହିଳାଙ୍କୁ ଏଭଳି ପରିତ୍ୟକ୍ତ ଅବସ୍ଥାରେ ଦେଖି ଦାୟିତ୍ୱରେ ଥିବା ପୋଲିସ୍ ଜଣକ ତତ୍କ୍ଷଣାତ୍ ଫାଟକ ବନ୍ଦ କରିଦେବା ସହିତ ଉଚ୍ଚ ଗଳାରେ ଗାଳି କରିବାକୁ ଲାଗିଲେ । ଠିକ୍ ଏହି ସମୟରେ ଜଣେ ଉଚ୍ଚ ପଦସ୍ଥ ରାଜନେତା ଆସି ପୋଲିସ୍ କୁ ଶାନ୍ତି ସୁରକ୍ଷା ପାଇଁ କଡା ନିର୍ଦ୍ଧେଶ ଦେଲେ । ରାଜନେତାଙ୍କ ନିର୍ଦ୍ଧେଶ କ୍ରମେ ପୋଲିସ୍ ସେହି ଅସହାୟ ମହିଳାଙ୍କୁ ଭର୍ଷନା କରିବା ସହିତ ସୁରକ୍ଷାକର୍ମୀଙ୍କ ସହଯୋଗରେ ତାକୁ ଗଳାଧକ୍କା ମାରି ବାହାରକୁ ତଡି ଦିଆଗଲା । ଅସହାୟ ମହିଳା ଜଣକ ଲୁଗାକାନିରେ ଆଖିର ଲୁହକୁ ପୋଛି ଚାଲି ଯାଉଥିବା ବେଳେ ଦୂରରୁ ଶୁଭୁଥିଲା କୌଣସି ଜଣେ ରାଜନେତାଙ୍କ ନାରୀ ସୁରକ୍ଷା ସହିତ ଗରିବ ଦୂରୀକରଣର ଲମ୍ବା ଭାଷଣ ଆଉ ସେହି ଭାଷଣର କାନ ଫଟା ମାଇକ୍ ଶବ୍ଦରେ ଫିକା ପଡିଯାଉଥିଲା ଅସହାୟ ବିଧବା ମାଆର ଲୁଗା କାନି ତଳେ ଥିବା କଇଁ କଇଁ କାନ୍ଦର ସ୍ୱର ଏବଂ ମନେ ହେଉଥିଲା ମାଇକ୍ ଶବ୍ଦରେ ଭାସି ଆସୁଥିବା ସେହି ଲମ୍ବା ଭାଷଣର ସ୍ୱର କିଛି ସମୟ ପୂର୍ବରୁ ପୋଲିସ୍ କୁ ନିର୍ଦ୍ଧେଶ ଦେଇଥିବା ସେହି ରାଜନେତାଙ୍କର ବୋଧହୁଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract