Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Bismita Sahoo

Others Abstract

5.0  

Bismita Sahoo

Others Abstract

ଭୋଜିନାନୀ

ଭୋଜିନାନୀ

5 mins
634



ଭୋଜିନାନୀ ହସୁଛି। ହସି ହସି ଗଡ଼ି ଯାଉଛି। ପାଟିରୁ ତାର ପାନ ଛେପ ବହି ଯାଉଛି। ତଥାପି ସେ ଖାଲି ହସୁଛି। ସେ ହସର ଯେପରି ଅନ୍ତ ନାହିଁ। ତଥାପି ସେ ହସୁଛି ........ଖାଲି ହସୁଛି......ହସୁଛି।


ଏ କି କଥାଲୋ ମା। ବରଷକରେ ଛ ଟା ଋତୁ ହୁଏ ବୋଲି ଜାଣିଥିଲା, ଏ ପିକିନିକି ଋତୁଟା ପୁଣି କଣ ବା? ଏଇଟା କୋଉଠୁ ଆଇଲା? କେତେବେଳେ ଆଇକି ଗୋଟେ ଋତୁ ହୋଇଗଲା ସେ ଜାଣି ପାରିଲାନି। ବେଙ୍ଗମା କହିକି ଯାଇଛି- ନାନୀ ଦୁଇଶହ ଟଙ୍କା ସାଇତିକି ରଖିଥିବ। ପିକିନିକି ଋତୁ ଆଇଲାଣି। ଆମେ ସବୁ ମିଶିକି ଯିବା। ଭୋଜି କରିବା।


ହେତୁ ପାଇଲା ଦିନୁ ଏପରି କଥା ସେ କେବେ ଶୁଣିନଥିଲା କି ଜାଣିନଥିଲା। ଆଲୋହେ ବାହାଘର ହେଲେ , ଜନମ ଦିନରେ, ଶିରାଧରେ ଭୋଜିଭାତ ହୁଏ ସେ ଜାଣିଛି। ଏ ପିକିନିକି ଭୋଜି ପୁଣି କଣ ବା? ଗାଁ ରେ  ଭୋଜି ହେଲେ ପାଉଡର ସ୍ନୋ ମାଖି, କେଶରେ ଗଜରା ଲଗେଇକି ସେ ଯାଏ। ପରିବା କାଟେ। ମସଲା ବାଟେ, ରୋଷେଇ କରେ। ଆଉ ଫେରିଲା ବେଳେ ପେଟେ ଭୋଜି ଖାଇ ଫେରେ। ଯୋଉଠି ଭୋଜିଭାତ ହୁଏ ସେଠି ତାକୁ ଖୋଜା ପଡ଼େ। ତା ହାତରନ୍ଧା ଯିଏ ଖାଇଛି ସିଏ ଆଙ୍ଗୁଠି ଚାଟି ଚାଟି ଯାଇଛି ବୋଲି ସଭିଏଁ କହନ୍ତି। ଭୋଜିରେ ସାହାଯ୍ୟ କରେ ବୋଲି ଖୁସିରେ ଖୁସିରେ କିଏ କେତେବେଳେ ନୂଆଁ ଲୁଗା ତ କିଏ ଡାଲି ଚାଉଳ ଦିଅନ୍ତି। କାହାକୁ କେବେ ଆଣ୍ଟ କରି ସେ କେବେ କିଛି ମାଗିନି। କିଛି ନ ଦେଲେ ବି ସେ କେବେ ଅଭିମାନ କରିନି। ଘରେ ଶାଗ ପଖାଳ ନିଅଣ୍ଟ ହେଉଥିବା ପେଟକୁ ନାନା ରକମର ସୁଆଦିଆ ଭୁରି ଭୋଜନ ମିଳେ ଏଇ ଭୋଜିରେ। ଆଉ ସିଏ ଟିକେ ଭୋଜିରେ କାମ କରିଦେବ ବୋଲି ପଇସା ମାଗିଵ ... ଛିଃ କେଡ଼େ ଅଲାଜୁକ କଥାମ। ଭୋଜି ରାନ୍ଧେ ବୋଲି ପିଲାଠୁ ବୁଢ଼ା ଯାଏ ସଭିଏଁ ଡାକନ୍ତି ଭୋଜିନାନୀ। 


ଏଇ ଭୋଜି ନାନୀ ଆଜି ସକାଳୁ ଖାଲି ବେଙ୍ଗମା କଥା ମନେ ପକାଇ ହସୁଛି। ମାଘ ମାସରେ ବାଘ ପରିକା ଶୀତ ହେଲେ ପିକିନିକି କରାଯାଏ। ବଣରେ ଯାଇ ଭୋଜି କରିଲେ ତାକୁ ପିକିନିକି କୁହାଯାଏ। ସାନ ନାତି ବୁଝଉଛି ଭୋଜିନାନୀକି। ଭୋଜିନାନୀ କିନ୍ତୁ ଖାଲି ହସୁଛି। ସେ ଗୋଟେ କଥା ବୁଝି ପାରୁନି ଏତେ ଥଣ୍ଡାରେ ହାତ ଗୋଡ଼ କାଲୁଅ ମାରି ଯାଉଛି, ଘର ଭିତରେ ହେଁସ ଘୋଡେଇ ନ ଶୋଇ ପିକିନିକି ଯିବାପାଇଁ ମନ କରୁଛନ୍ତି। ଯଦି ଯିବ ବି ତେବେ ବେଙ୍ଗମା କାହିଁକି କହିକି ଗଲା ଦୁଇଶହ ଟଙ୍କା ରଖିବାକୁ।


ଭୋଜିନାନୀ ରୋଷେଇ ଘରୁ ପରିବା ଡାଲା ଟା ଟାଣି ଆଣିଲା। ଆଳୁ ଚାରିଟା, ଅମୃତଭଣ୍ଡା ଫାଳେ ଆଉ ଶୁଖିକି କଳା ପଡ଼ି ଯାଇଥିବା କଦଳୀ ଦିଟା ଡାଲାରେ ପଡ଼ିଛି। ଡବା ଅଣ୍ଡାଳିଲା। କୋଳଥ ଡାଲି ଦି ମୁଠା ଡବା ଭିତରେ ଥାଇ ଖାଲି ଘର ଘର ହେଉଛି। ଇଲୋ ମା ଏଇନା କଣ ହେବ? ଏତିକି ନେଇ କଣ ସେ ଭୋଜି କରିବାକୁ ଯିବ? ହଁ ମ ବେଙ୍ଗମା, ଦନେଇମା, କୁଲେଇ ବୋଉ, କାଇଁଚ ଅପା, ଗୁରୁବାରୀ କେତେ ମାଇପି ଯିବେ। ଏଇ ମାନଙ୍କ ଘରୁ କଣ ପରିବା, ଡାଲି, ଚାଉଳ ବାହାରିବନି?


-ଆରେ ହେଇଠି ଅନ୍ଧାରରେ କଣ କରୁଛୁ କି ଭୋଜିନାନୀ? କାଇଁଚ ଅପାର ଡାକ ଶୁଣି ବୁଲି ଚାହିଁଲା 

 ଭୋଜିନାନୀ। - ଆରେ କିଛି ନାଇଁମ। ପିକିନିକି ପାଇଁ ପରିବା,ଡାଲି ଚାଉଳ ସଜାଡ଼ୁଛି। 

- କେଡ଼େ ବୋକିଟା ମ। ପିକିନିକିକୁ ଏଇ କାଳିଆ କଦଳୀ , କୋଳଥ ଡାଲି ଏଇଗୁଡା ନେଇକି ଯିବୁ? ଏତେ ଭୋଜି ରାନ୍ଧିଛୁ, ପିକିନିକି ଭୋଜି ଜାଣି ପାରୁନୁ?

- କଣ ତେମେ ସବୁ ଭାବୁଛ ଏଇ ପିକିନିକି ଭୋଜି ମତେ ବଳେଇ ଯିବ। ଆରେ ମୁଁ ଭୋଜିନାନୀ ଟି !

-ହେଲା ଯେ ଭୋଜି ରାନ୍ଧଣାରେ ତୋତେ କେହି ପାରିବେନି କିନ୍ତୁ ତୁ ଏମିତି ଚାଉଳ, ଡାଲି ଖୋଜୁଛୁ କାହିଁକି? ଆମେ ପରା ଚାନ୍ଦା ଆଦାୟ କରି ପିକିନିକି କରିବା। ବେଙ୍ଗମା ତୋତେ କହିନି କି ଦୁଇଶହ ଟଙ୍କା ଯୋଗାଡ଼ କରିବା ପାଇଁ। ସମସ୍ତେ ଦୁଇଶହ ଟଙ୍କା ଦେବେ। ଗାଁର ସବୁ ମାଇପି ମାନେ ଭୋଜି କରିବେ। କାନିକା,ଡାଲି, ଖଟା, ଖିରୀ, ପୁରୀ, ମାଉଁସ କେତେ ରକମର ଜିନିଷ ରନ୍ଧା ହେବ କିନ୍ତୁ ତୁ ଭୋଜିନାନୀ ଏଥର ଭୋଜି ରାନ୍ଧିବୁନି। ସହରରୁ ରାନ୍ଧୁଆ ଆଇବ।ସେ ରାନ୍ଧିବ। ତୁ ଖାଲି ଖାଇବୁ। ସେଥିପାଇଁ ତ ଦୁଇଶହ ଟଙ୍କା ଦେବୁ। ଭୋଜିନାନୀ ଡବଡବ କରି କାଇଁଚ ନାନୀକୁ ଚାହିଁ ରହିଲା। ଭୋଜି ହେବ, ଭୋଜିନାନୀ ଯିବ ପୁଣି ଭୋଜି ରନ୍ଧିବନି? ଏ କି ଅବଗିଆ କଥା। 


ପିକିନିକି ଦିନ ଆସିଲା। ଗାଁ ମାଇପେ, ପିଲାଛୁଆ ଗୋଟେ ଟ୍ରକ ଡାଲାରେ ଲଦି ହୋଇ ଗଲେ ଗାଁ ଠୁ ୪୦ କି. ମି ଦୂର ଗୋଟେ ଜଙ୍ଗଲକୁ। ଛୋଟିଆ ଠାକୁରାଣୀ ମନ୍ଦିରଟେ ପାହାଡ଼ ଉପରେ ଅଛି। ସେ ପାହାଡ଼ରୁ ବହି ଯାଉଛି ଛନଛନ କରି ଝରଣାଟିଏ। ଚଢେଇ ଗୁଡା କିଚିରି ମିଚିରି କରି ଘୁରି ବୁଲୁଛନ୍ତି। ଶାଳ, ପିଆଶାଳ, ଶାଗୁଆନ ଆଦି ଗଛ ଗୁଡ଼ିକ ଯେମିତି ଜଗୁଆଳୀ ସାଜି ଜଗିଛନ୍ତି ଠାକୁରାଣୀ ମନ୍ଦିରକୁ। 


ସତରେ ତା ଘର ବାହାରେ ଏତେ ସୁନ୍ଦର ଜୀବନ ଯେ ଅଛି ଭୋଜିନାନୀ ବୁଝି ପାରୁ ନଥିଲା। ହେତୁ ପାଇଲା ଦିନୁ ସେ ନନ୍ଦିଆ ଗାଁ ରେ ପଡ଼ି ରହିଥିଲା। ସେଇଠି ଜନମ ହେଲା, ବାହାବି ସେଠି ହେଲା। ତା ପୁଅ ପାଇଁ ବୋହୂ ବି ଆଣିଛି ସେଇ ଗାଁ ରୁ। ଏଇ ପ୍ରଥମ ଥର ଗାଁ ରୁ ବାହାରିକି ଆଇଛି। ସେପଟୁ ଭାସିଆସୁଛି ଗାଁ ମାଇପିଙ୍କ କୋଳାହଳ କିନ୍ତୁ ଏପଟେ ଭୋଜିନାନୀ ଜୀବନରେ ପ୍ରଥମ ଥର ପାଇଁ ଭୋଜିକୁ ଆସି ଭୋଜି ନ ରାନ୍ଧି ମାଟିର ବାସନ ଶୁଂଘୁଛି। ପରଜାପତି ଟିଏ ଉଡ଼ି ଯାଉଛି ଏ ଫୁଲରୁ ସେ ଫୁଲକୁ। ସତେ ଯେମିତି ସାଥିରେ ନେଇ ଯାଉଛି ଭୋଜିନାନୀର ମନକୁ। ତାର ଯଦି ଡେଣା ଥାନ୍ତା ସିଏ ବି ଏ ଫୁଲରୁ ସେ ଫୁଲକୁ ଉଡ଼ି ବୁଲନ୍ତା। ନ ହେଲେ ଚଢେଇଟେ ହୋଇ ଆକାଶରେ ଉଡ଼ି ବୁଲନ୍ତା। ଗଛ ମାନଙ୍କ ସାଙ୍ଗେ କଥା ହୁଅନ୍ତା। ପିଜୁଳି,ବରକୋଳି,କଣ୍ଟେଇ କୋଳି, ଭୁଇଂଚ କୋଳି ଖାଇ ପୁଣି ଡେଣା ମେଲେଇ ଫେରିଯାନ୍ତା ଆକାଶ କୁ। ଯେଉଁଠି ନଥାନ୍ତା ତା ମଦୁଆ ସ୍ବାମୀର ଗୋଇଠା,ମାଡ଼ଗାଳି, ତା ପୁଅବୋହୁଙ୍କ ନିଆଁଜଳା କଥା। ପିଲାବେଳୁ ମଦୁଆ ବାପାର ମାଡ଼ଗାଳି ଖାଇଖାଇ ପଥର ହୋଇଥିବା ଏ ଶରୀର ଟାରେ ଏତେ ସବୁ ଆଶା,ଆକାଂକ୍ଷା ଲୁଚିଥିଲା ସେ ତ କେବେ ଅନୁଭବ କରି ପାରିନଥିଲା। ତା ଶରୀରରେ ଏକ ଅପୂର୍ବ ଶିହରଣ ଜାଗି ଉଠୁଥିଲା। ପ୍ରତ୍ୟେକଟି ଲୋମକୂପ ଖୋଲି ଯାଉଥିଲା। ଯାଉଥିଲା। ସେଥିରୁ ତାର ଶୋଇ ରହିଥିବା ମନଟି ସତେ ଯେପରି ବାହାରି ଯାଇ କେତେବେଳେ କୋଇଲି ହୋଇ ଆମ୍ବ ଗଛରେ କୁହୁ କୁହୁ ଗାଉଥିଲା ତ ପ୍ରଜାପତି ହୋଇ ଉଡ଼ି ବୁଲୁଥିଲା ଫୁଲ ଚାରିପାଖେ। ପୁଣି ଗୁଣ୍ଡୁଚି ଟିଏ ହୋଇ କୋଳିଟିଏ ପାଟିରେ ଧରି ଚଢ଼ି ଯାଉଥିଲା ନଡ଼ିଆ ଗଛ ଉପରକୁ ତ ଆଉ କେତେବେଳେ ଝରଣାଟିଏ ହୋଇ କୁଳୁ କୁଳୁ କରି ବହି ଯାଉଥିଲା ପାହାଡ଼ ଉପରୁ ତଳକୁ। ତାକୁ ଲାଗୁଥିଲା ସେ ଯେମିତି ନୂଆଁ କରି ପୃଥିବୀ ପୃଷ୍ଠକୁ ଆସିଛି। ଏଇନା ଜନମ ହେଇଛି। ହେଇଟି ତ ଧାଇମା ଆସି ତା ନାହି ନାଡ଼ କାଟି ଦେଉଛି। ଜେଜେମା କୋଳରେ ଧରି ସେବତୀ ବୋଲି ନାଁ ଦେଉଛି। ମା ତାର ଚୁମି ପକାଉଛି ଗାଲକୁ, ତା ମୁହଁକୁ , ତା ଓଠକୁ,ତା ପୁରା ଶରୀରକୁ। ଜନମ ବେଳେ ହଳଦୀ ଗୁରୁ ଗୁରୁ ଦିଶୁଥିଲା ବୋଲି ବୁଢ଼ୀମା ନାଁ ଦେଇଥିଲା ସେବତୀ। ସିଏ ତ ଜନମରୁ ଫୁଲ। ସେଥିପାଇଁ ଉଡ଼ି ଯାଉଥିବା ପ୍ରଜାପତିଟି ପ୍ରତି ତାର ଆକର୍ଷଣ। ହେଇତ ହାତ ଠାରି ଫୁଲ ଗୁଡ଼ିକ ତାକୁ ଡ଼ାକୁଛନ୍ତି ସେମାନଙ୍କ ସାଙ୍ଗ ହେବାକୁ,ପ୍ରଜାପତିଟିଏ ଛପି ଛପି ତାକୁ ଦେଖୁଛି। ହେଇଟି ତ ଚଢେଇଟିଏ.............. 


-ଭୋଜିନାନୀ ଏଠି ଖୁଣ୍ଟ ପରି ଠିଆ ହୋଇ କଣ ଭାବୁଛୁ? ତୋତେ ସିଆଡେ କେତେ ଲୋଡ଼ା ପଡ଼ିଛି। ରାନ୍ଧୁଆ ପରା ସହରରୁ ଆସିଲାନି। ତାର କଣ ଅସୁବିଧା ହେଲା। ସମସ୍ତଙ୍କୁ ପରା ଭୋକ ଲାଗିଲାଣି। ଭୋଜିନାନୀ ଥାଉ ଥାଉ ଏମିତି ଭୋକରେ ସବୁ ଘରକୁ ଫେରିବେ ନା କଣ? ମୁଁ ସେଥିଲାଗି ତତେ ଡାକି ଆଇଚି। ଆ ଜଲଦି ଆ ଭୋଜି ରନ୍ଧିବୁ।  କାଇଁଚ ଅପା ଚିଲ୍ଳେଇବାକୁ ଲାଗିଲା। ଆ ରେ ହଁ ତ ସେ ଭୋଜିନାନୀ। ସେବତୀ ତ କେବେଠାରୁ ମରି ସାରିଲାଣି। ଭୋଜିନାନୀର ଚେଇଁ ଉଠିଥିବା ମନ,ଇଚ୍ଛା, ସ୍ବପ୍ନ କେତେବେଳେ ମୋଡ଼ି ମାଡ଼ି ହୋଇ ତା ଶରୀର ଭିତରେ ଶୋଇ ଗଲେଣି ସେ ଜାଣି ପାରିଲାନି। ହଁ ବେଇଗି ବେଇଗି ଯାଉଛି ଲୋ ଦନିଆ ମା..... ଏ କାଇଁଚ ନାନୀ ବ୍ୟସ୍ତ ହୁଅନା। ଏ ପିଲାମାନେ ଟିକିଏ ଧଇଯ ଧର, ଭୋଜିନାନୀ ଆଉଛି,ଭୋଜି ରାନ୍ଧିଦେବ ତେମେସବୁ ଖାଇବ। ଆଉଚି ଆଉଚି ଲୋ ଭୋଜିନାନୀ ଆଉଚି।


---ସମାପ୍ତ--



Rate this content
Log in